ନିକଟରେ ଇ˚ଲାଣ୍ତର କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ପରିସରରେ ରାହୁଳ ଗାନ୍ଧୀଙ୍କ ଦ୍ବାରା ପ୍ରଦତ୍ତ ଏକ ଅଭିଭାଷଣ ଭାରତରେ ବିବାଦର ଏକ ଝଡ଼ ସୃଷ୍ଟି କରିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବ˚ ତା’ର ଅସ˚ଖ୍ୟ ସମର୍ଥକ ରାହୁଳଙ୍କ ବକ୍ତବ୍ୟର ତୀବ୍ର ସମାଲୋଚନା କରିବା ସହିତ ସେ ଜଣେ ସା˚ସଦ ହୋଇଥିବାରୁ ସ˚ସଦ ଗୃହରେ ଏଥି ଲାଗି କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରୁଛନ୍ତି, କାରଣ ସେମାନଙ୍କ ଦୃଷ୍ଟିରେ ରାହୁଳଙ୍କ ମନ୍ତବ୍ୟ ବିଦେଶ ଭୂମିରେ ଭାରତର ଛବିକୁ ମଳିନ କରିଛି। କହିବା ବାହୁଲ୍ୟ ଯେ ରାହୁଳଙ୍କ ସମର୍ଥକଗଣ ତାଙ୍କ ଅଭିଭାଷଣରେ କୌଣସି ରାଷ୍ଟ୍ର-ନିନ୍ଦା ଦେଖିବାକୁ ପାଇ ନ ଥାଆନ୍ତି। ସୁତରାଂ, ଏଭଳି ଏକ ଘଟଣାରୁ ସୃଷ୍ଟ ବିତର୍କ ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ପ୍ରକାଶ ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ଗଣତନ୍ତ୍ରକୁ ହନନ କରିବାର ପ୍ରୟାସ; ସ୍ବାଧୀନ ସରକାରୀ ଅନୁଷ୍ଠାନଗୁଡ଼ିକୁ ନିବୀର୍ଯ୍ୟ କରିବାର ବିଧିବଦ୍ଧ ଉଦ୍ୟମ; ବିରୋଧୀ ପକ୍ଷଙ୍କୁ ସ୍ବରହୀନ କରିବାର ପ୍ରବଣତା ଭଳି ବିଷୟମାନ ରାହୁଳଙ୍କ ବକ୍ତବ୍ୟର କେନ୍ଦ୍ର ସ୍ଥଳରେ ଥିଲା। ସ୍ବାଭାବିକ ଭାବେ ଏହା ଭାରତ ସରକାରଙ୍କ ସକାଶେ ଅତ୍ୟନ୍ତ ଅସ୍ବାଦୁକର ଏବ˚ ବିଦେଶ ଭୂମିରେ ଏଭଳି ବାଚନିକ ଉଦ୍ଗିରଣ ଅସ୍ବସ୍ତିକର ବୋଧ ହୋଇଥିବ। କିନ୍ତୁ ଏହି ପରିପ୍ରେକ୍ଷୀରେ ଉଠୁଥିବା ସ୍ବାଭାବିକ ପ୍ରଶ୍ନ ହେଲା ରାଷ୍ଟ୍ରର ପ୍ରମୁଖ ବିରୋଧୀ ଦଳର ଜଣେ ନେତା ରୂପେ ରାହୁଳଙ୍କ ତୁଣ୍ତରୁ ସରକାରଙ୍କ ସ୍ତୁତି ଗାନ କଦାଚିତ୍ ନିର୍ଗତ ହୁଅନ୍ତା କି? ବିଗତ ଆଠ ବର୍ଷ ଧରି ସେ ନିଜ ଦେଶରେ ଅନୁରୂପ ଅଭିଯୋଗମାନ କରି ଆସି ନାହାନ୍ତି କି? ସରକାର ବିରୋଧୀ ସମାଲୋଚନାକୁ ରାଷ୍ଟ୍ର ବିରୋଧୀ ବୋଲି ଅଭିହିତ କରି ରାହୁଳଙ୍କ ଠାରୁ ଅଭିବ୍ୟକ୍ତିର ସ୍ବାଧୀନତାକୁ ହରଣ କରାଯାଇ ପାରିବ କି? ଏବ˚ ବିଦେଶ ଭୂମିରେ ନିଜ ରାଷ୍ଟ୍ରର ଅନ୍ତରୀଣ ବ୍ୟାପାର ନେଇ ସମାଲୋଚନା ଯଥାର୍ଥ କି?
ରାହୁଳଙ୍କ ଏହି ଗସ୍ତ କାଳରେ ସୁରେଣ ଗୁପ୍ତା ନାମଧାରୀ ଜଣେ ଅଭିଜ୍ଞ ଭାରତୀୟ ସାମ୍ବାଦିକଙ୍କ ଏକ ମୃଦୁ ଆକ୍ଷେପ ଥିଲା ଯେ ରାହୁଳଙ୍କ ଜେଜେମା’ ଇନ୍ଦିରା ଗାନ୍ଧୀ ତାଙ୍କ ୟୁ.କେ. ଗସ୍ତ ସମୟରେ ଭାରତରେ ସେ କାଟିଥିବା କାରାବାସ ଅନୁଭୂତି ସ˚ପର୍କରେ ଜଣେ ସାମ୍ବାଦକଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ, ଯାହାର କାରଣ ଥିଲା ଭାରତର ଅନ୍ତରୀଣ ବ୍ୟାପାର ସ˚ଦର୍ଭରେ ସେ ବିଦେଶରେ କୌଣସି ମନ୍ତବ୍ୟ ପ୍ରଦାନ କରିବାକୁ ଚାହାନ୍ତି ନାହିଁ। ସୁତରା˚, ରାହୁଳ ଏହାର ବିପରୀତଟି କରି ତାଙ୍କ ରାଷ୍ଟ୍ର ପ୍ରୀତିରେ ଅଭାବ ଏବ˚ ଦାୟିତ୍ବଶୂନ୍ୟତାକୁ ପ୍ରମାଣିତ କରିଛନ୍ତି। କିନ୍ତୁ ରାହୁଳଙ୍କ ସପକ୍ଷବାଦୀମାନେ ଏଥିରେ ଏକମତ ନ ହୋଇ ବିଭିନ୍ନ ପରିପ୍ରେକ୍ଷୀରେ ଇନ୍ଦିରା ଗାନ୍ଧୀ, ମୋରାରଜୀ ଦେଶାଇ ଏପରିକି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଭୂମିରେ ସମତୁଲ ମନ୍ତବ୍ୟମାନ ପ୍ରଦାନ କରିଥିବାର ଦୃଷ୍ଟାନ୍ତ ଦିଅନ୍ତି। ୧୯୭୫ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ଭାରତକୁ ରୁନ୍ଧି ପକାଇଥିବା ‘ଇମର୍ଜେନ୍ସି’ର ଅନେକ କଟୁ ସମାଲୋଚନା ଭାରତୀୟ ନେତା ଓ ବିଖ୍ୟାତ ବ୍ୟକ୍ତିବିଶେଷଙ୍କ ଦ୍ବାରା ବିଦେଶ ଭୂମିରେ ହୋଇଛି। ଇନ୍ଦିରା ଗାନ୍ଧୀ ତାଙ୍କ କେତେକ ବିଦେଶ ଗସ୍ତରେ ମୋରାରଜୀ ସରକାରର ସମାଲୋଚନା କରିଥିଲେ।
ସେହି ଭଳି ୧୯୭୮ ମସିହାର ମୋରାରଜୀ ଦେଶାଇଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କାଳରେ ଭାରତର ପରମାଣୁ ପରୀକ୍ଷଣକୁ ଇନ୍ଦିରା ଗାନ୍ଧୀ ସରକାରଙ୍କ ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ବୋଲି ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଜିମି କାର୍ଟରଙ୍କ ନିକଟରେ କହିଥିବା ବିଷୟ ତତ୍କାଳୀନ ଆମେରିକୀୟ ଖବରକାଗଜମାନରେ ଶିରୋନାମା ମଣ୍ତନ କରିଥିଲା। ସେହି ଭଳିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୫ ମସିହାର ଦକ୍ଷିଣ କୋରିଆ ଗସ୍ତ କାଳରେ ପ୍ରବାସୀ ଭାରତୀୟଙ୍କ ଏକ ସମାବେଶରେ ଯାହା କହିବା ଶୁଣାଯାଇଥିଲା ତାହା ହେଲା ଭାରତରେ ଜନ୍ମ ଗ୍ରହଣ କରିବାକୁ ପୂର୍ବ ଜନ୍ମର ପାପ ବୋଲି ବିଚାର କରୁଥିବା ଲୋକଙ୍କ ଧାରଣା ବିଜେପି ସରକାର କ୍ଷମତାସୀନ ହେବା ପରେ ପରିବର୍ତ୍ତିତ ହେବାରେ ଲାଗିଛି। ସେହିଭଳି ସେହି ବର୍ଷ କାନାଡାର ଟରଣ୍ଟୋ ଗସ୍ତ କାଳରେ ସେ କ˚ଗ୍ରେସ ମେଣ୍ଟ ନେତୃତ୍ବାଧୀନ ଭାରତକୁ ‘ସ୍କାମ୍ ଇଣ୍ତିଆ’ ରୂପେ ଅଭିହିତ କରିଥିଲେ। କହିବାର ତାତ୍ପର୍ଯ୍ୟ ହେଲା, ଏକ ଗଣତନ୍ତ୍ରରେ ରାଜନୈତିକ ଦଳର ନେତାଗଣ ପାରସ୍ପରିକ କଟୁ ସମାଲୋଚନାରେ ବ୍ୟାପୃତ ରହିବା ଏକ ସ୍ବାଭାବିକ ବ୍ୟାପର; ଏବ˚ ସ୍ବଦେଶ ବା ବିଦେଶ ନିର୍ବିଶେଷରେ ଏଭଳି ଘଟିବାର ସମ୍ଭାବନା ରହିଛି। ଆଉ ଗୋଟିଏ କଥା ହେଲା ସେହି ଦୃଷ୍ଟିରୁ ରାହୁଳଙ୍କ ବକ୍ତବ୍ୟ ଏବ˚ ତାର ପ୍ରତିକ୍ରିୟାରେ ବିଜେପି ଦ୍ବାରା ତୀବ୍ର ସମାଲୋଚନା; ଉଭୟ ସୁସ୍ଥ ଗଣତାନ୍ତ୍ରିକ ଭାବଧାରା ରୂପେ ବିବେଚିତ ହେବା ଉଚିତ।
କିନ୍ତୁ ବିଡ଼ମ୍ବନା ହେଲା ଏହି ପ୍ରକରଣରେ ସମାଲୋଚନାର ଆଗ୍ରହାତିଶଯ୍ୟ ଦ୍ବାରା ସୃଷ୍ଟ ଏକ ଅସ˚ଗତି, ଯାହା ରାହୁଳ ପୋଷଣ କରୁଥିବା ଧାରଣା ବା ପ୍ରଦାନ କରିଥିବା ମନ୍ତବ୍ୟଗୁଡ଼ିକୁ ଅଧିକ ଦୃଢ଼ତା ପ୍ରଦାନ କରିଥାଏ। ସେହି ଅସ˚ଗତିଟି ହେଲା ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ଦ୍ବାରା ଏହି ସ˚ଦର୍ଭରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯିବା; ଯାହା ବିଦେଶ ଭୂମିରେ ଭାରତ ବିରୋଧୀ ଅପପ୍ରଚାରକାରୀମାନଙ୍କୁ ‘ନିଉଟ୍ରାଲାଇଜ୍’ କରାଯିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲା। ଏମିତି ଦେଖିଲେ ‘ନିଉଟ୍ରାଲାଇଜ୍’ କରାଯିବାର ଓଡ଼ିଆ ଅର୍ଥ ହୁଏ’ତ ‘ଶକ୍ତିହୀନ କରିଦେବା’; କିନ୍ତୁ ଇ˚ରେଜୀ ଭାଷାରେ ଏହି ଅଭିବ୍ୟକ୍ତି ଅତ୍ୟନ୍ତ ଶାଣିତ, ଯହିଁରେ କ୍ରୂର ବଳ ପ୍ରୟୋଗର ଇଙ୍ଗିତ ନିହିତ ଥାଏ। ତେବେ ଉପରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା ନେଇ ଉଦ୍ବେଗର କାରଣ ହେଲା ଏହି ଗରିମାମୟ ସା˚ବିଧାନିକ ପଦଟି ଦଳୀୟ ରାଜନୀତିରୁ ସର୍ବଦା ଊର୍ଦ୍ଧ୍ବରେ ରହୁ ବୋଲି ସର୍ବନିମ୍ନ ଆଶା କରା ଯାଉଥିବା ବେଳେ ଉପରାଷ୍ଟ୍ରପତି ମହୋଦୟଙ୍କ ମନ୍ତବ୍ୟ ଏହି ସର୍ବୋଚ୍ଚ ସ୍ତରୀୟ ଅନୁଷ୍ଠାନର ଗରିମାକୁ ହ୍ରାସ କରିଛି; ଯାହା ରାହୁଳଙ୍କ ଅଭିଯୋଗର ଏକ ଅଂଶ।
ପରିଶେଷରେ ଯେଉଁ ଦୁଇଟି ବିଷୟ ସମସ୍ତଙ୍କ ହୃଦ୍ବୋଧ ହେବା ଉଚିତ, ତାହା ହେଲା କୌଣସି ସରକାରଙ୍କୁ ରାଷ୍ଟ୍ରର ପ୍ରତିଭୂ ରୂପେ ବିବେଚନା କରାଯିବା ଅଯୌକ୍ତିକ; କାରଣ ‘ରାଜତ୍ବ’ମାନ ସର୍ବଦା ଅସ୍ଥାୟୀ ଓ ପରିବର୍ତ୍ତନଶୀଳ, କିନ୍ତୁ ରାଷ୍ଟ୍ର ଏକ ସ୍ଥାୟୀ ସାର୍ବଭୌମ ସତ୍ତା। ଦ୍ବିତୀୟରେ ସୂଚନା ଓ ପ୍ରଯୁକ୍ତିର ଏହି ବୈପ୍ଳବିକ ଯୁଗରେ କୌଣସି ନିଭୃତ କୋଣରେ ଜିରା ଫୁଟିଲେ ତା’ର ବାସନା ସାରା ପୃଥିବୀରେ ଚହଟି ଯିବାର ସମ୍ଭାବନା ସୃଷ୍ଟି ହୋଇ ‘ସ୍ଥାନୀୟତା’କୁ ପ୍ରାୟ ନିରର୍ଥକ କରି ସାରିଲାଣି। ସୁତରା˚, ଭାରତ ଭୂମିରେ ସ˚ଘଟିତ ହେଉଥିବା ପ୍ରତ୍ୟେକ ବ୍ୟାପାର ଅବିଳମ୍ବେ ସମଗ୍ର ପୃଥିବୀର ଦୃଷ୍ଟି-କେନ୍ଦ୍ରରେ ପହଞ୍ଚିଯିବା ଏକ ସାଧାରଣ କଥା ହୋଇ ସାରିଛି। ଏଭଳି ସ୍ଥଳେ ସ୍ବଦେଶରେ ହେଉ ବା ବିଦେଶ ଭୂମିରେ ହେଉ; କୌଣସି ବକ୍ତବ୍ୟ ପ୍ରଦାନ କ୍ଷେତ୍ରରେ ବିଶେଷ ପାର୍ଥକ୍ୟ ନାହିଁ।
ପ୍ରକାଶ ଥାଉ କି କେମ୍ବ୍ରିଜରେ ରାହୁୁଳ ଗାନ୍ଧୀ ପ୍ରଦାନ କରିଥିବା ଅଭିଭାଷଣର ଶୀର୍ଷକ ଥିଲା ‘ଲର୍ନି˚ ଟୁ ଲିସନ୍’ ଅର୍ଥାତ୍ ‘ଶୁଣିବାକୁ ଶିଖିବା।’ ଏହା ଏକ ଅପ୍ରୀତିକର ବାସ୍ତବତା ଯେ ସ˚ପ୍ରତି ଧୈର୍ଯ୍ୟର ସହିତ ଶୁଣିବାର ଆଗ୍ରହ ଓ ସାମର୍ଥ୍ୟ ନିଶ୍ଚିହ୍ନ ହେବାରେ ଲାଗିଛି। ଅନ୍ୟକୁ ଶୁଣି ତା’ର ଦୃଷ୍ଟିଭଙ୍ଗୀକୁ ହୃଦୟଙ୍ଗମ କରିବା ପରିବର୍ତ୍ତେ ଶୁଣିବା ମାତ୍ରକେ ପ୍ରତିକ୍ରିୟାମୂଳକ ଉତ୍ତର ପ୍ରଦାନ କରିବା ଏବେ ଏକ ଅଭ୍ୟାସରେ ପରିଣତ ହେଲାଣି। ଏଭଳି ସ୍ଥଳେ କୌଣସି ସମାଲୋଚନା ଶୁଣି ସକାରାତ୍ମକ ଭାବେ ତାକୁ ଗ୍ରହଣ କରିବାର ମନୋବୃତ୍ତି ଯେ ଆଉ ପ୍ରାୟତଃ ନାହିଁ; ଏ କଥା କହିବାରେ ଦ୍ବିଧା ନାହିଁ। ରାହୁଳ ଗାନ୍ଧୀ ତାଙ୍କ ଅଭିଭାଷଣରେ ଏହି କଥାଟିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପଲକ୍ଷ୍ୟ କରି ବୁଝାଇବାକୁ ଚାହିଁଥିଲେ। କିନ୍ତୁ ଏକ ଅପ୍ରିୟ ସତ୍ୟ ହେଲା ଏକ ବାସ୍ତବବାଦୀ ଆତ୍ମନିରୀକ୍ଷଣ ବଳରେ ସେ ତାଙ୍କ ନିଜ ଠାରେ ମଧୢ ଏଭଳି ମନୋଭାବ ନିହିତ ଥିବା ବିଷୟ ଠାବ କରି ପାରନ୍ତେ। କହିବା ବାହୁଲ୍ୟ ଯେ ଶୁଣିବାର ସାମର୍ଥ୍ୟହୀନତା ଅସହିଷ୍ଣୁତାକୁ ସଘନ କରିବାରେ ଲାଗିଛି, ଦୃଷ୍ଟ-ପଟଳକୁ ସ˚କୁଚିତ କରୁଛି ଏବ˚ ଏହା ସଂପ୍ରତି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସର୍ବତ୍ର ଦୃଶ୍ୟମାନ ହେଉଛି।