ନିର୍ବାଚନ କମିଶନର୍‌ ନିଯୁକ୍ତି ପ୍ରସଙ୍ଗରେ

ଯୋଗେନ୍ଦ୍ର ଯାଦବ

ସଂବିଧାନ ଲାଗୁ ହେବାର ଦୀର୍ଘ ୭୩ ବର୍ଷ ପରେ ଶେଷରେ ସାଂବିଧାନିକ ବ୍ୟବସ୍ଥାରେ ରହିଥିବା ଏକ ଗମ୍ଭୀର ବିସଙ୍ଗତିକୁ ସୁପ୍ରିମ୍‌ କୋର୍ଟ ଦୂର କରିଛନ୍ତି। ଏକ ଐତିହାସିକ ଆଦେଶରେ ସୁପ୍ରିମ୍‌ କୋର୍ଟଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ମୁଖ୍ୟ ନିର୍ବାଚନ କମିଶନର୍‌ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ବଦଳେଇ ଦେଇଛନ୍ତି। ଏବେ ସେହି ନିଯୁକ୍ତି ଆଉ ସରକାରଙ୍କ ହାତରେ ରହିବ ନାହିଁ। ତାହା ଏକ ତିନି ସଦସ୍ୟ ବିଶିଷ୍ଟ ସମିତିର ସୁପାରିସ ଆଧାରରେ କରାଯିବ ଯେଉଁଥିରେ ପ୍ରଧାନମନ୍ତ୍ରୀ ଓ ଲୋକସଭାରେ ବିରୋଧୀ ଦଳ ନେତାଙ୍କ ବ୍ୟତୀତ ସୁପ୍ରିମ୍‌ କୋର୍ଟର ମୁଖ୍ୟ ନ୍ୟାୟାଧୀଶ ମଧ୍ୟ ସଦସ୍ୟ ରହିବେ। ମାନ୍ୟବର ଅଦାଲତ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି କି, ଏ ବାବଦରେ ଯେ ପର୍ଯ୍ୟନ୍ତ ସଂସଦରେ କୌଣସି ସ୍ଥାୟୀ ଆଇନ ବ୍ୟବସ୍ଥା ନ ହୋଇଛି, ସେ ପର୍ଯ୍ୟନ୍ତ ଏଇ ବ୍ୟବସ୍ଥା ଚାଲୁ ରହିଥିବ।

ସଂବିଧାନ ପ୍ରସ୍ତୁତି ବେଳେ ଏହି ବିସଙ୍ଗତିକୁ ସଂବିଧାନ ସଭାର ସଦସ୍ୟମାନେ ହୃଦୟଙ୍ଗମ କରିଥିଲେ। ନିର୍ବାଚନ ଆୟୋଗ ଏକ ସ୍ବାଧୀନ ସଂସ୍ଥା ହେବା ସହ ସରକାରଙ୍କ ଚାପରୁ ମୁକ୍ତ ରହିବା ଉଚିତ ବୋଲି ସଂବିଧାନ ସଭାରେ ସହମତି ପ୍ରକାଶ ପାଇଥିଲା। ମାତ୍ର ମୁଖ୍ୟ ନିର୍ବାଚନ କମିଶନର୍‌ ଓ ଅନ୍ୟ କମିଶନର୍‌ମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ସେମାନେ ସହମତ ହୋଇପାରିନଥିଲେ। ଶେଷରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ବାଧୀନ କରିବା ଲାଗି ସଂସଦରେ ଆଇନ ବ୍ୟବସ୍ଥା କରିବା ଲାଗି ସଂବିଧାନରେ ତାହା ଲିଖିତ ଭାବେ ଉଲ୍ଲେଖ କରିବାକୁ ନିଷ୍ପତ୍ତି ହୋଇଥିଲା। ସଂବିଧାନର ଅନୁଚ୍ଛେଦ ୩୨୪(୨)ରେ ଏହା ଉଲ୍ଲେଖ ରହିଛି କି ‘ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ କମିଶନର୍‌ ଓ ନିର୍ଦ୍ଦିଷ୍ଟ ସଂଖ୍ୟକ ଅନ୍ୟ ନିର୍ବାଚନ କମିଶନର୍‌ ରହିବେ ଯାହା ସମୟାନୁକ୍ରମେ ରାଷ୍ଟ୍ରପତି ନିର୍ଦ୍ଧାରଣ କରିବେ ଏବଂ ସେମାନଙ୍କୁ ସଂସଦ ଦ୍ବାରା ପ୍ରସ୍ତୁତ ନିଯୁକ୍ତି ପ୍ରକ୍ରିୟାକୁ ନିୟମାନୁସାରେ ରାଷ୍ଟ୍ରପତି ନିଯୁକ୍ତ କରିବେ।’

ତେବେ ବିସଙ୍ଗତି ଏଇଠି ରହିଗଲା କି ଏ ବାବଦରେ ସଂସଦ କେବେ କୌଣସି ଆଇନ ତିଆରି କରିନାହିଁ। ଏପରି ଏକ ସ୍ବତନ୍ତ୍ର ବ୍ୟବସ୍ଥାର ଅଭାବ ଯୋଗୁଁ ସଂବିଧାନରେ ଉଲ୍ଲେଖ ରହିଥିବା ଏ ପ୍ରସଙ୍ଗର ଅର୍ଥ ହେଲା, ରାଷ୍ଟ୍ରପତି ହିଁ ଏହି ନିଯୁକ୍ତି କରିବେ। ତେବେ ଆମ ସଂସଦୀୟ ବ୍ୟବସ୍ଥାରେ ଏହାର ମାନେ ହେଲା, ଏପରି ନିଷ୍ପତ୍ତି ସରକାର ହିଁ ନେବେ। ବିଗତ ସାତ ଦଶକ ଧରି ମୁଖ୍ୟ ନିର୍ବାଚନ କମିଶନର୍‌ ଓ ଅନ୍ୟ କମିଶନର୍‌ମାନଙ୍କର ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ ଦୟା ମୁତାବକ ହୋଇ ଆସୁଛି। ବିଡ଼ମ୍ବନା ଏହି ଯେ ଏହି ଅବସରରେ ନିର୍ବାଚନ ଆୟୋଗଠାରୁ କମ୍‌ ସାଂବିଧାନିକ ଶକ୍ତିସଂପନ୍ନ ଅନେକ ସଂସ୍ଥାର ନିଯୁକ୍ତି ପ୍ରକ୍ରିୟାରେ ସୁଧାର ଅଣାଯାଇଛି। ଲୋକପାଳ ଓ ସୂଚନା କମିଶନର୍‌ ନିଯୁକ୍ତି ଆଇନ ବ୍ୟବସ୍ଥାରେ ସରକାରଙ୍କ ସହିତ ବିରୋଧୀ ଦଳର ନେତା ଓ ନ୍ୟାୟପାଳିକାକୁ ଯୋଡ଼ାଯାଇଛି। ଏପରିକି ସିବିଆଇ ନିର୍ଦ୍ଦେଶକ ଓ ପ୍ରେସ କାଉନ୍‌ସିଲ ଅଧ୍ୟକ୍ଷ ନିଯୁକ୍ତିରେ ବି ଉଭୟ ସରକାର ଓ ବିପକ୍ଷଙ୍କ ଭୂମିକାକୁ ସଂନ୍ତୁଳିତ କରାଯାଇଛି। ମାତ୍ର ନିର୍ବାଚନ ଆୟୋଗ ପରି ନିର୍ଣ୍ଣାୟକ ସଂସ୍ଥାର ନିଯୁକ୍ତି ଶାସକ ଦଳର ଇଚ୍ଛାନୁସାରେ ଚଳିଆସୁଛି।

ପ୍ରାରମ୍ଭରେ, ସରକାରମାନେ ଏହି ପଦର ସମ୍ମାନ ଏବଂ ଗଣତାନ୍ତ୍ରିକ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ନିରପେକ୍ଷ ବ୍ୟକ୍ତିଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ସମୟ ସମୟରେ ସରକାରୀ ଅଧିକାରୀମାନଙ୍କୁ ନିର୍ବାଚନ ଆୟୋଗରେ ନିଯୁକ୍ତ କରାଯିବା ସମ୍ପର୍କରେ ଅଭିଯୋଗମାନ ହୋଇ ଆସୁଥିଲା। ସଠିକ୍‌ ସଜବାଜକୁ ବଜାୟ ରଖିବା ଲାଗି ମୋଦୀ ସରକାର ଅନେକ ଏକପାଖିଆ ନିଯୁକ୍ତି ଦେଇଥିଲେ, ଯେଉଁଥିପାଇଁ ନିର୍ବାଚନ ଆୟୋଗର ନିରପେକ୍ଷତା ସନ୍ଦେହ ଘେରକୁ ଆସିଥିଲା। ଗତ କିଛି ବର୍ଷ ହେଲା ନିର୍ବାଚନ ଆୟୋଗ ଏପରି କିଛି ନିଷ୍ପତ୍ତି ନେଇଛନ୍ତି, ଯଦ୍ଦ୍ବାରା ଏହି ସାଂବିଧାନିକ ସଂସ୍ଥା ପ୍ରତି ପ୍ରଶ୍ନବାଚୀ ଲାଗିବା ଆରମ୍ଭ ହୋଇଛି। ନିର୍ବାଚନ ଆୟୋଗ ବିଜେପିର କାର୍ଯ୍ୟାଳୟ ପାଲଟିଥିବା ନେଇ ସାର୍ବଜନୀନ ବିତର୍କରେ ଅଭିଯୋଗ ମଧ୍ୟ ଉଠିଛି। ବିଶ୍ବରେ ମୁକ୍ତ ତଥା ନିରପେକ୍ଷ ନିର୍ବାଚନର ଉଦାହରଣ ହୋଇ ଥିବା ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏହା ନିଶ୍ଚିତ ଭାବରେ ଏକ ଲଜ୍ଜାଜନକ ଅଧ୍ୟାୟ।
ନିର୍ବାଚନ ସଂସ୍କାର ପାଇଁ ଉଦ୍ଦିଷ୍ଟ ରିପୋର୍ଟ ଓ ସୁପାରିସରେ ଏହି ବିସଙ୍ଗତିକୁ ବାରମ୍ବାର ସୂଚିତ କରାଯାଇଛି। ୧୯୭୦ ଦଶକରେ ଗଠିତ ତରୁକୁଣ୍ଡେ କମିଟିଠାରୁ ଆରମ୍ଭ କରି ଭାରତ ସରକାରଙ୍କ ଦ୍ବାରା ନିଯୁକ୍ତ ଦୀନେଶ ଗୋସ୍ବାମୀ କମିଟି ପର୍ଯ୍ୟନ୍ତ ଏବଂ ଆଇନ ଆୟୋଗଙ୍କ ରିପୋର୍ଟରେ ମଧ୍ୟ ନିର୍ବାଚନ ଆୟୋଗର ସାଂବିଧାନିକ ପଦ ନିଯୁକ୍ତିରେ ନିରପେକ୍ଷ ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ଅନେକ ଥର ପରାମର୍ଶ କରାଯାଇଛି। ମାତ୍ର ସମସ୍ତ ଶାସକ ଦଳ ଓ ସରକାର ଏ ବାବଦରେ ଆଖି ବୁଜି ଦେଇଛନ୍ତି ଏବଂ ସାଂବିଧାନିକ ନିର୍ଦ୍ଦେଶନାମାର ଉଲ୍ଲଂଘନ ଜାରି ରହିଛି।

ପରିଶେଷରେ, ଗଣତାନ୍ତ୍ରିକ ସଂସ୍କାର ପାଇଁ ଏକ ସ୍ବାଧୀନ ସଂଗଠନ ‘ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ’ ପକ୍ଷରୁ ସୁପ୍ରିମ୍‌ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ବିଶିଷ୍ଟ ଓକିଲ ପ୍ରଶାନ୍ତ ଭୂଷଣ ତାହାର ନେତୃତ୍ବ ନେଇଥିଲେ। ଏହି ମାମଲାରେ ଅନ୍ୟ କେତେକ ବ୍ୟକ୍ତି ଓ ସଂଗଠନ ମଧ୍ୟ ଜଡ଼ିତ ଥିଲେ। ସରକାର ତାଙ୍କର ବରିଷ୍ଠ ଓକିଲମାନଙ୍କୁ ଠିଆ କରାଇ ସୁପ୍ରିମ୍‌ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ ନକରିବାକୁ ଅଦାଲତରେ ଜୋର ଦେଇଥିଲେ। ଜିରାରୁ ଶିରା କାଢ଼ି ଏକଥା କୁହାଯାଇଥିଲା କି, ସଂବିଧାନର ୩୨୪ ଧାରାରେ ସଂସଦକୁ ଆଇନ ପ୍ରଣୟନ କରିବାର ନିର୍ଦ୍ଦେଶ ନାହିଁ। ଯୁକ୍ତି ବଢ଼ାଯାଇଥିଲା କି, ଆଇନ ପ୍ରଣୟନ କରିବା ସୁପ୍ରିମ୍‌ କୋର୍ଟଙ୍କ କାମ ନୁହେଁ। ଯଦି ସଂସଦ କୌଣସି ଆଇନ କରିନାହିଁ, ତେବେ ସୁପ୍ରିମ୍‌ କୋର୍ଟ ସେହି ଅଭାବ ପୂରଣ କରିପାରିବେ ନାହିଁ।

ଅଦାଲତଙ୍କ ଆଗରେ ଏକ ଭୟ ମଧ୍ୟ ଦେଖାଯାଇଥିଲା କି, ଯଦି କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରନ୍ତି, ତେବେ ଆହୁରି ଅନେକ ପେଡ଼ି ଯେ ଫିଟିଯାଇପାରେ। ସରକାର ଏପରି ଘାବରେଇ ଯାଇଥିଲେ ଯେ, ସୁପ୍ରିମ୍‌ କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ସରକାର ନିର୍ବାଚନ ଆୟୋଗରେ ଏକ ବିଚିତ୍ର ନିଯୁକ୍ତି କରିଥିଲେ। ଶୁଣାଣି ବେଳେ ନିର୍ବାଚନ ଆୟୋଗରେ ନୂତନ ନିଯୁକ୍ତି ଦିଆନଯାଉ ବୋଲି ପ୍ରଶାନ୍ତ ଭୂଷଣ ଅଦାଲତଙ୍କୁ ଅନୁରୋଧ କରିବା ମାତ୍ରେ, ତା’ ପରଦିନ ସରକାର ରାଷ୍ଟ୍ରପତିଙ୍କ ଦ୍ବାରା ଅରୁଣ ଗୋୟଲଙ୍କୁ ନିର୍ବାଚନ କମିଶନର୍‌ କରିବା ଲାଗି ନିର୍ଦ୍ଦେଶ କରିଦେଲେ। ଯେତେବେଳେ ଅଦାଲତ ଏହି ମାମଲାର ନଥି ମଗାଇଲେ ସେତେବେଳେ ଜଣାପଡ଼ିଲା କି, ୨୪ ଘଣ୍ଟା ଭିତରେ ଆଇନ ମନ୍ତ୍ରଣାଳୟ ଏହି ନିଯୁକ୍ତି ପାଇଁ ଏକ ପ୍ୟାନେଲ ପ୍ରସ୍ତୁତ କରିଥିଲେ, ପ୍ରଧାନମନ୍ତ୍ରୀ ସେମାନଙ୍କ ଭିତରୁ ଜଣକୁ ଚୟନ କରିଥିଲେ ଏବଂ ସେହି ବ୍ୟକ୍ତି ଆଇଏଏସ୍‌ ଅଧିକାରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ଇସ୍ତଫାପତ୍ର ଗୃହୀତ ହୋଇଥିଲା। ଏପରିକି ତାଙ୍କର ନୂତନ ନିଯୁକ୍ତି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ବାଚନ କମିଶନର୍‌ ନିଯୁକ୍ତି ପ୍ରକ୍ରିୟାରେ ଥିବା ସମସ୍ତ ତ୍ରୁଟି ଏହି ଉଦାହରଣରେ ହିଁ ସ୍ପଷ୍ଟ ହୋଇଥିଲା।

ସରକାରଙ୍କ ଦ୍ବାରା ଉପସ୍ଥାପିତ ସମସ୍ତ କୁତର୍କକୁ ଜଷ୍ଟିସ କେ. ଏମ୍‌. ଜୋସେଫଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ (ଜଷ୍ଟିସ ଅଜୟ ରସ୍ତୋଗୀ, ଅନିରୁଦ୍ଧ ବୋଷ, ହୃଷୀକେଶ ରାୟ ଓ ସି. ଟି. ରବିକୁମାର) ସର୍ବସମ୍ମତି କ୍ରମେ ପ୍ରତ୍ୟାଖ୍ୟାନ କରିଛନ୍ତି। ୩୭୮ ପୃଷ୍ଠାର ଦୁଇଟି ସମନ୍ବିତ ନିଷ୍ପତ୍ତିରେ ସଂବିଧାନ ସଭାର ବିତର୍କ, ସଂବିଧାନର ଶବ୍ଦାବଳି ଓ ତାହା ସହ ଜଡ଼ିତ ସୁପ୍ରିମ୍‌ କୋର୍ଟଙ୍କ ପୂର୍ବ ନିଷ୍ପତ୍ତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ସନ୍ଦେହ ଦୂର କରିଛନ୍ତି।

ଦୀର୍ଘ ୭୩ ବର୍ଷ ପରେ ସଂବିଧାନ ସଭାର ମତାମତକୁ ସମ୍ମାନ ଜଣାଇ ଏହା ସ୍ପଷ୍ଟ ହୋଇଛି ଯେ ନିର୍ବାଚନ ଆୟୋଗ ପରି ମହତ୍ତ୍ବପୂର୍ଣ୍ଣ ସାଂବିଧାନିକ ସଂସ୍ଥାକୁ ସରକାରଙ୍କ ଆଙ୍ଗୁଠିରେ ରଖିବା ହେଉଛି ସଂବିଧାନ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାର ଉଲ୍ଲଂଘନ। ସମ୍ପ୍ରତି ଗଣତନ୍ତ୍ର ପ୍ରତି ବିପଦ ରହିଥିବା ବେଳେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏହି ନିଷ୍ପତ୍ତି ଅନ୍ଧକାରରେ ଆଲୋକର କିରଣ ଆଣିଛି। ସୁତରାଂ, ଏ ପରିପ୍ରେକ୍ଷୀରେ ଆଶା କରାଯିବା ଉଚିତ ହେବ କି, ସଂସଦରେ ଯଥାଶୀଘ୍ର ଆଇନ ଆଣି ଏହି ନିଷ୍ପତ୍ତିର ପ୍ରଭାବକୁ ବାତିଲ କରିବା ପରିବର୍ତ୍ତେ ସରକାର ଏହାର ଆତ୍ମାକୁ ସମ୍ମାନ ଦେବେ। ଏ କଥା ମଧ୍ୟ ଆଶା କରାଯିବା ଉଚିତ କି, ଏହି ନିଷ୍ପତ୍ତିରେ ଆୟୋଗର ନିରପେକ୍ଷତାର ଅପରିହାର୍ଯ୍ୟତା ଉପରେ ପର୍ଯ୍ୟବେକ୍ଷଣରୁ ଶିକ୍ଷା ଗ୍ରହଣ କରି ନିର୍ବାଚନ କମିଶନର୍‌ ନିଜେ ଏହାର ସାଂବିଧାନିକ ମର୍ଯ୍ୟାଦା ଅନୁଯାୟୀ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର