ବନଫୁଲର ବାସ୍ନା

ବହୁବଚନ - ବିଜୟ ନାୟକ

ଭାରତର ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାର ସୁକନ୍ୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଇତିମଧ୍ୟରେ ସଂସଦର ଉଭୟ ଗୃହର ମିଳିତ ସମାବେଶକୁ ଦୁଇଥର ସମ୍ବୋଧନ କରିସାରିଛନ୍ତି। ୨୦୨୨ ମସିହା ଜୁଲାଇ ମାସ ୨୫ ତାରିଖ ଦିନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ଅବସରରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ବକ୍ତବ୍ୟ ଛଳରେ ସେ ନିଜ ସଂଘର୍ଷମୟ ଜୀବନର କଥା କହିଥିଲେ। ସନ୍ଥକବି ଭୀମଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” କବିତା ଉଦ୍ଧାର କରି ନିଜକୁ ଭୀମଭୋଇଙ୍କ ଆଦର୍ଶର ଅନୁଗାମିନୀ ବୋଲି ଅଭିହିତ କରିଥିଲେ। ପୁନଶ୍ଚ ଚଳିତ ୨୦୨୩ ମସିହା ଜାନୁଆରି ୩୧ ତାରିଖ ଦିନ ସଂସଦର ବଜେଟ ଅଧିବେଶନକୁ ସମ୍ବୋଧନ କରିବା ସମୟରେ ନାରୀ ସଶକ୍ତୀକରଣ ପ୍ରସଙ୍ଗରେ ରାଷ୍ଟ୍ରପତି ଉତ୍କଳଭାରତୀ କୁନ୍ତଳାକୁମାରୀ ସାବତଙ୍କ କବିତା “ବସୁନ୍ଧରା ତଳେ ଭାରତ ରମଣୀ ନୁହେଁ ହୀନ ନୁହେଁ ଦୀନ, ଅମର କୀରତି କୋଟି ଯୁଗେ କେଭେଁ ଜଗତୁଁ ନୋହିବ ଲୀନ” ଆବୃତ୍ତି କରିଥିଲେ। ଏହି ପଙ୍‌କ୍ତିଦ୍ୱୟ ଓଡ଼ିଶା ସମେତ ସମଗ୍ର ଦେଶରେ ଆଲୋଚିତ ହେଉଛି।

ଅଧ୍ୟୟନ ଓ ଅଧ୍ୟାପନା ସମୟରୁ ଶ୍ରୀମତୀ ମୁର୍ମୁ ମହାଭାରତୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇ ଆସିଛନ୍ତି। ଉତ୍କଳଗୌରବ ମଧୁସୂଦନଙ୍କ ‘ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର’ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ‘ଜାତୀୟ ମମତା ବିଶ୍ୱଜନପ୍ରୀତି’ ତାଙ୍କୁ ଆକୈଶୋର ଅନୁପ୍ରାଣିତ କରି ଆସିଛି। ଓଡ଼ିଶା ସରକାରଙ୍କ ନାଗରିକ ସମ୍ବର୍ଦ୍ଧନାର ଉତ୍ତରରେ ସେ ଗୋପବନ୍ଧୁଙ୍କ କବିତା ମାଧ୍ୟମରେ ନିଜ ମନୋଭାବ ପ୍ରକାଶ କରିଥିଲେ: “ଥିଲେ ଯହିଁ ତହିଁ ଭାରତ ବକ୍ଷରେ, ମଣିବି ମୁଁ ଅଛି ଆପଣା କକ୍ଷରେ।” ତାଙ୍କର ଏହି ମହାଜାତୀୟ ଭାବୋଚ୍ଛ୍ୱାସ ଭିତରେ କିନ୍ତୁ ନିଜ ଭୂମିପ୍ରୀତି ଉପେକ୍ଷିତ ହୋଇନାହିଁ। ନିଜ ମାଟି ମନ୍ତ୍ରରେ ସେ ଅଭିମନ୍ତ୍ରିତ। ତେଣୁ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର କଥା ସେ ପ୍ରସଙ୍ଗକ୍ରମେ ଅନେକତ୍ର ବଖାଣୁଛନ୍ତି।

ମଧ୍ୟପ୍ରଦେଶରେ ଜନଜାତୀୟ ଗୌରବ ଦିବସରେ ଆୟୋଜିତ ଆଦିବାସୀ ମହାସମ୍ମିଳନୀରେ ରାଷ୍ଟ୍ରପତି ସହିଦ ଲକ୍ଷ୍ମଣ ନାଏକଙ୍କୁ ସଶ୍ରଦ୍ଧ ସ୍ମରଣ କରିଥିଲେ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଥମ କରି ଅନୁଷ୍ଠିତ ରାଷ୍ଟ୍ରୀୟ ବାଳ ଦିବସରେ ବକ୍ତବ୍ୟ ମାଧ୍ୟମରେ କେବଳ ବୀର ବାଳକ ବାଜି ରାଉତ କଥା କହି ନ ଥିଲେ ରାଷ୍ଟ୍ରପତି ମହୋଦୟା, ପରନ୍ତୁ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ବିଷୟରେ ମଧ୍ୟ ସବିଶେଷ ଆଲୋଚନା କରିଥିଲେ। ଭାରତର ଏହି ଦୁଇ ବରପୁତ୍ର ତ ଓଡ଼ିଶାର ବୀରପୁତ୍ର। ବୀର ସୁରେନ୍ଦ୍ରଙ୍କ ବୀରତ୍ୱ ଗାଥାରୁ ପ୍ରେରଣା ଲାଭ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। କଟକରେ ନେତାଜୀଙ୍କ ଛାତ୍ରଜୀବନ ଏବଂ ବାଳକାବସ୍ଥାରୁ ତାଙ୍କ ସଂକଳ୍ପ ଓ ସାହସର କାହାଣୀ କହି ପିଲାମାନଙ୍କୁ ଅନୁପ୍ରେରିତ କରିଥିଲେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ସେଦିନଟି ଥିଲା ଏହି ଦୁଇ ମହାପୁରୁଷଙ୍କ ଜନ୍ମବାର୍ଷିକୀ।

ସେହିପରି ଗୁରୁଗ୍ରାମଠାରେ ବ୍ରହ୍ମାକୁମାରୀ ସଂସ୍ଥାର ଏକ ସେମିନାରରେ ଯୋଗଦାନ କରି ରାଷ୍ଟ୍ରପତି ଭକ୍ତିସଙ୍ଗୀତ ସହିତ ସଂପୃକ୍ତ ନାରୀଭକ୍ତ ଓ ନାରୀକବିମାନଙ୍କ ବିଷୟରେ ଆଲୋଚନା କରିବା ଅବସରରେ ପଞ୍ଚସଖା ଯୁଗର ସୁନାମଧନ୍ୟା ନାରୀ କବି ମାଧବୀ ଦାସୀଙ୍କ ନାମୋଲ୍ଲେଖ କରିଥିଲେ। ପୁନଶ୍ଚ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଲକ୍ଷ୍ନୌଠାରେ ଅନୁଷ୍ଠିତ ନାଗରିକ ସମ୍ବର୍ଦ୍ଧନା ସଭାରେ ସେ ଓଡ଼ିଶାର ନାରୀ ନେତୃତ୍ୱ ବିଷୟରେ କହିଥିଲେ। ଉତ୍ତରପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସୁଚେତା କୃପାଳିନୀ ଏବଂ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ କଥା କହିଲା ବେଳେ ଲକ୍ଷ୍ନୌର ଲୋକ ଭବନ କରତାଳିରେ କମ୍ପିଥିଲା। ସୁଚେତା ଦେବୀ ଓ ନନ୍ଦିନୀ ଦେବୀ ଯଥାକ୍ରମେ ଭାରତର ପ୍ରଥମ ଓ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଖ୍ୟାତିସମ୍ପନ୍ନା।

ଏହା ଉଲ୍ଲେଖନୀୟ ଯେ ଭାରତବର୍ଷର ସାଂସ୍କୃତିକ ବିପୁଳତାକୁ ଦେଶର ଅନ୍ୟ ପ୍ରଦେଶର ସଂସ୍କୃତି ପରି ଓଡ଼ିଶୀ ସଂସ୍କୃତି ବିପୁଳତର କରିଛି। ଭାରତୀୟ ସାହିତ୍ୟର ସ୍ରୋତସ୍ୱତୀକୁ ଅନ୍ୟ ପ୍ରାନ୍ତୀୟ ସାହିତ୍ୟ ପରି ଉଚ୍ଛଳ କରିଛି ଓଡ଼ିଆ ସାହିତ୍ୟ। ଭାରତର ଇତିହାସକୁ ମଧ୍ୟ ନିଜସ୍ୱ ଅବଦାନ ମାଧ୍ୟମରେ ଋଦ୍ଧିମନ୍ତ କରିଛି ଓଡ଼ିଶାର ଇତିହାସ। ମହାମହିମଙ୍କ ମୁଖରେ ସେସବୁର କିଞ୍ଚିତ ଉଚ୍ଚାରଣ ଓଡ଼ିଶାର ପ୍ରସିଦ୍ଧିକୁ ପ୍ରଥିତ କରିଛି।

ମାନ୍ୟବର ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ ଯେ କେବଳ ଓଡ଼ିଶା ବିଷୟରେ କହୁଛନ୍ତି ତା’ ନୁହେଁ, ଭାରତର ଅନେକ ଖ୍ୟାତ, ଅଖ୍ୟାତ ଶୂରବୀର, ସାଧୁସନ୍ଥ, ସଂଗ୍ରାମୀ-ସେନାନୀ ଓ କବିକୋବିଦଙ୍କ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେସଙ୍ଗେ ସଂସ୍କୃତ, ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼, ବଙ୍ଗଳା, ଅହମିୟା ଓ ଅନ୍ୟାନ୍ୟ ଭାରତୀୟ ଭାଷାର କବିତା ଉଦ୍ଧାର କରି ସେ ଦେଶବାସୀଙ୍କୁ ପୁଲକିତ କରୁଛନ୍ତି। ମହାମହିମ ପୁଣି ବଜେଟ ଭାଷଣରେ କହିଛନ୍ତି ଯେ ଭାରତର ବିବିଧତା ଆହୁରି ଉଜ୍ଜ୍ୱଳ ହେଉ, ଆହୁରି ଅଟଳ ହେଉ ଭାରତର ଐକ୍ୟ। ଅର୍ଥାତ୍ ଜାତୀୟ ଐକ୍ୟ ଓ ଆଞ୍ଚଳିକ ସ୍ପୃହାର ସମନ୍ୱୟ ହିଁ ଭାରତର ଆତ୍ମାର ଅଭିବ୍ୟକ୍ତି। ସମ୍ବିଧାନ ଦିବସ ଅବସରରେ ହେଉ କି ହେଉ କେତେକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ, ତାଙ୍କ ବକ୍ତବ୍ୟର ମୌଳିକତା ଓ ଭାଷାର ସାବଲୀଳତା ବେଶ୍ ହୃଦୟଗ୍ରାହୀ। ଦୃଢ଼ତା ସହିତ ଉଦାରତା ଓ ପ୍ରତିବଦ୍ଧତା ସହିତ ସରଳତାରେ ପରିପୂର୍ଣ୍ଣ ତାଙ୍କ ବ୍ୟକ୍ତିତ୍ୱ ଦେଶବିଦେଶର ଆବାଳବୃଦ୍ଧବନିତାଙ୍କୁ ଅଭିଭୂତ କରିଛି। ଅଖ୍ୟାତ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଗିରିତନୟାଙ୍କ ଯାତ୍ରା ସଂଘର୍ଷ, ସଂକଳ୍ପ ଓ ଆତ୍ମବିଶ୍ୱାସର ଗାଥା ଯାହା ଯୁବପିଢ଼ିଙ୍କ ପାଇଁ ପାଲଟିଛି ଅମିତ ପ୍ରେରଣାର ଉତ୍ସ।
ବନଫୁଲର ବାସ୍ନାରେ ଯେମିତି ବିଶ୍ୱ ବିଭୋର।
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର