ରାଜା ଓ ଗାୟକ

ଗୋଟିଏ ରାଜ୍ୟରେ ଥିଲେ ଜଣେ ଅତି ଚମତ୍କାର ଗାୟକ। ତାଙ୍କ ଗୀତରେ ପଶୁ ପକ୍ଷୀ ବି ଠିଆ ହୋଇ ଶୁଣୁଥିଲେ। ସେ ଗୀତ ଗାଇଲେ ଗଛରେ ଫୁଲ ଫୁଟିଯାଉଥିଲା ବା ଫଳରେ ଲଦି ହୋଇଯାଉଥିଲା। ସେ ଥିଲେ ରାଜାଙ୍କ ମୁଖ୍ୟ ଦରବାରୀ ଗାୟକ।

ଥରେ ତାଙ୍କୁ ପଡ଼ୋଶୀ ଦେଶର ରାଜା ଆମନ୍ତ୍ରଣ କଲେ। ସେ ପହଞ୍ଚିବା ମାତ୍ରକେ ପଡ଼ୋଶୀ ଦେଶର ରାଜା ବହୁତ ସମ୍ମାନ ଜଣାଇଲେ। ସ˚ଧୢାରେ ପଡ଼ୋଶୀ ରାଜା ନିଜ ଦରବାରୀ ଗାୟକଙ୍କ ସହିତ ଗୋଟିଏ ଯୁଗଳବନ୍ଦୀର ଆୟୋଜନ କଲେ। ସେ ଦିନ ପଡ଼ୋଶୀ ରାଜ୍ୟର ଗାୟକଙ୍କ ଶରୀର ଅସୁସ୍ଥ ଥିଲା। ଆଉ ଗୋଟିଏ କଥା ହେଲା, ସେ ଆମନ୍ତ୍ରିତ ଗାୟକଙ୍କ ସହିତ ଯୁଗଳବନ୍ଦୀ କରିବାକୁ ଭୟ କରୁଥିଲେ। କିନ୍ତୁ ସେ ଜାଣିଥିଲେ ଯେ ରାଜା ଆଜ୍ଞା ନ ମାନିଲେ ଦଣ୍ତ ନିଶ୍ଚିତ। ତେଣୁ ସେ ଆସିଲେ।

ଆମନ୍ତ୍ରିତ ଗାୟକଙ୍କ ସହିତ କଥାବାର୍ତ୍ତା ହେଲା ବେଳେ ସନ୍ତର୍ପଣରେ ସେ ଏସବୁ ବି କହିଦେଲେ। ଆମନ୍ତ୍ରିତ ଗାୟକ କହିଲେ- ବ୍ୟସ୍ତ ହୁଅନ୍ତୁ ନାହିଁ। ଆମ ଯୁଗଳବନ୍ଦୀ ଭଲ ହେବ। ପ୍ରକୃତରେ ଖୁବ୍‌ ଭଲ ଯୁଗଳବନ୍ଦୀ ହେଲା।
ସେଦିନ ରାତ୍ର ଭୋଜନ ବେଳେ ରାଜା ତାଙ୍କୁ ଅତି ବିନୟସୂଚକ ସ୍ବରରେ କହିଲେ- ଆପଣ ଆମ ରାଜ୍ୟକୁ ଚାଲି ଆସନ୍ତୁ। ମୁଁ କହିବା ଅସୁନ୍ଦର ଲାଗୁଛି। ଆପଣ ଯାହା ଚାହିଁବେ ମୁଁ ତାହା ଦେବି। ମୋ ରାଜ୍ୟର ଗାୟକଙ୍କୁ ଦେଖୁଛନ୍ତି, କିଭଳି ଥାଟରେ ଅଛନ୍ତି। ଆପଣଙ୍କ ରାଜା ସେତକ କେବେ ବି ଦେଇ ପାରିବ ନାହିଁ।

ଗାୟକ ଏହା ଶୁଣି କହିଲେ-ଆପଣ ଯାହା କହୁଛନ୍ତି ସତ। କିନ୍ତୁ ମୋ ରାଜ୍ୟରେ ମୁଁ ଯେଉଁ ସ୍ବାଧୀନତା ପାଇଛି ଆପଣ ତାହା ଦେଇପାରିବେ ନାହିଁ।
ରାଜା କହିଲେ- ମୁଁ ଆପଣଙ୍କୁ ସବୁ ପ୍ରକାର ସ୍ବାଧୀନତା ଦେବି। ଆପଣ ଯେଉଁଠି ଯେତେବେଳେ ଓ ଯେଡ଼େ ପାଟିରେ ଚାହିଁଲେ ଗାଇପାରିବେ।
ଗାୟକ କହିଲେ- ନା ସେ ସ୍ବାଧୀନତା ମୋର ଲୋଡ଼ା ନାହିଁ। ଆମ ରାଜ୍ୟରେ ମୁଁ ଇଚ୍ଛା ନ ହେଲେ ଜମାରୁ ଗୀତ ନ ଗାଇବାର ସ୍ବାଧୀନତା ବି ପାଇଛି। ହେଲେ ଆପଣଙ୍କ ଗାୟକ ଅସୁସ୍ଥ ଥିଲେ ବି ଆଜି ଗୀତ ଗାଇବାକୁ ବାଧୢ ହେଲେ।

ସମ୍ବନ୍ଧିତ ଖବର