ଆମ ଅଞ୍ଚଳର ବଜ୍ରକାପ୍ତା ଭଳି ଆମେରିକା ମହାଦେଶରେ ଦେଖାଯାଉଥିବା ଆର୍ମାଡିଲୋ ହେଉଛି ଏକ ସାଞ୍ଜୁଆ ଗୋଧି ସଦୃଶ ଜୀବ। େକେତ ବର୍ଷ ତଳେ ଆମେରିକାର ଟେକ୍ସାସ୍ ରାଜ୍ୟରେ ଏହି ଅତ୍ୟନ୍ତ ଟାଣ ଚମଡ଼ା ବିଶିଷ୍ଟ ପ୍ରାଣୀକୁ କେନ୍ଦ୍ର କରି ଏକ ହର୍ଷ-ବିଷାଦ ଉଦ୍ରେକକାରୀ ଘଟଣା ଘଟିଥିଲା, ଯାହା ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରସାର ଲାଭ କରିଥିଲା। ତାଙ୍କର ବଗିଚାରେ ଏକ ଆର୍ମାଡିଲୋର ଅନୁପ୍ରବେଶ ଦ୍ବାରା େକ୍ରାଧିତ ହୋଇ ଜଣେ ବ୍ୟକ୍ତି ତାକୁ ହତ୍ୟା କରିବା ପାଇଁ ନିଜର ବନ୍ଧୁକରୁ ତା’ ଉପରକୁ ଗୁଳି ଚଳାଇଲେ। ଗୁଳି ଯାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ସତ କିନ୍ତୁ ଆର୍ମାଡିଲୋର ସାଞ୍ଜୁ ଭେଦ କରିପାରିଲା ନାହିଁ; ଅପରପକ୍ଷେ ଗୁଳିଟି ଆର୍ମାଡିଲୋର ସାଞ୍ଜୁରୁ ଛିଟ୍କି ଆସି ସେ ବନ୍ଧୁକ ଚାଳନାକାରୀଙ୍କର ଥୋମଣିରେ ବାଜି ତାଙ୍କ ମୁଖମଣ୍ଡଳରେ ଘୋର ବିପର୍ଯ୍ୟୟ ସୃଷ୍ଟି କଲା, ଯାହା କେତେକ ପ୍ରାଣୀପ୍ରେମୀମାନଙ୍କ ଭାଷାରେ- ଆର୍ମାଡିଲୋ ତାଙ୍କର ମୁହଁ ଭାଙ୍ଗି ଦେଲା। ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟର ସୁଅ ଛୁଟିଲା ଯେ ବନ୍ଧୁକଧାରୀ ଜଣକ ତାଙ୍କର କର୍ମ ଫଳ ଭୋଗ କରିଛନ୍ତି- ଆର୍ମାଡିଲୋ ଭଳି ଏକ ନିରୀହ ପ୍ରାଣୀ ଉପରକୁ ଗୁଳି ଚଳାଇବା କର୍ମର ଫଳ। ଏହାକୁ ଆଧାର କରି ଜଣେ ପ୍ରାଣୀ-ପ୍ରେମୀ କମେଡିଆନ୍ ଟ୍ବିଟ୍ କରି ଉକ୍ତ ଆର୍ମାଡିଲୋର ନାମକରଣ କରିଥିଲେ- ‘କର୍ମାଡିଲୋ’।
ଗତ ସପ୍ତାହରେ ‘ନେସନାଲ ଷ୍ଟାଟିଷ୍ଟିକାଲ୍ ଅଫିସ୍’ (‘ଏନ୍ଏସ୍ଓ’) ଦ୍ବାରା ଫେବ୍ରୁଆରି ମାସ ପାଇଁ ଯେଉଁ ଖାଉଟି ମୁଦ୍ରାସ୍ଫୀତି ଚିତ୍ର ପ୍ରକାଶ ପାଇଛି, ତାହା ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଦାୟିତ୍ବ ବହନ କରୁଥିବା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପାଇଁ ଏଇ ଭଳି ଏକ କର୍ମାଡିଲୋ ସୁଲଭ ସମସ୍ୟା ସୃଷ୍ଟି କରିଥିବା ଭଳି ମନେ ହେଉଛି। ପ୍ରଥମେ ଆମେ ସେ ଚିତ୍ରଟି ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରିବା। ଫେବ୍ରୁଆରି ପାଇଁ ଶିରୋନାମା ଖାଉଟି ମୁଦ୍ରାସ୍ଫୀତି ହାର (ହେଡ୍ଲାଇନ୍ କନସ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ) ଥିଲା ୬.୪ ଶତାଂଶ, ଯାହା ଜାନୁଆରି ପାଇଁ ୬.୫୨ ହାର ଠାରୁ ସାମାନ୍ୟ କମ୍ ହୋଇଥିଲେ ହେଁ, ତଥାପି ରିଜର୍ଭ ବ୍ୟାଙ୍କ୍ ପାଇଁ ନିର୍ଦ୍ଦେଶିତ ସର୍ବୋଚ୍ଚ ସହନ ସୀମା ରୂପେ ବିବେଚିତ ୬.୦ ଶତାଂଶ ହାର ଠାରୁ ଅଧିକ ରହିଥିଲା।
ଏଥିରେ ଯାହା ଘୋର ଅସ୍ବସ୍ତିଜନକ, ତାହା ହେଲା, ବିଗତ ୧୪ ମାସ ମଧ୍ୟରୁ ୧୨ ମାସ ପାଇଁ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ୬.୦ ଶତାଂଶ ଉପରେ ରହିଛି। ସେତିକି ନୁହେଁ ଏହା ମଧ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ସମ୍ପର୍କରେ ରିଜର୍ଭ ବ୍ୟାଙ୍କ୍ ଯେଉଁ ଆଶା ବାନ୍ଧି ବସିଥିଲା, ତାହାକୁ ଦୁର୍ବଳ କରି ଦେଇଛି। କାରଣ, ସୁଧ ନୀତି ନିର୍ଣ୍ଣୟ ଦାୟିତ୍ବ ନିର୍ବାହ କରୁଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (‘ଏମ୍ପିସି’) ଚଳିତ ବିତ୍ତ ବର୍ଷର ଏହି ଚଉଠ, ଅର୍ଥାତ୍ ଜାନୁଆରି, ଫେବ୍ରୁଆରି, ମାର୍ଚ୍ଚ ତିନି ମାସ ପାଇଁ ହାରାହାରି ମୁଦ୍ରାସ୍ଫୀତି ହାର ଯେଉଁ ୫.୭ ଶତାଂଶ ବା ୬ ଶତାଂଶ ଠାରୁ କମ୍ ହେବ ବୋଲି ପୂର୍ବାନୁମାନ କରିଥିଲା, ତାହା ଅାଉ ସାକାର ହେବା ପରି ମନେ ହେଉନାହିଁ। ଅନ୍ୟ ଏକ ଚିନ୍ତାର ବିଷୟ ହେଲା ଗତ ବର୍ଷର ଶେଷ ଦୁଇ ମାସ-ନଭେମ୍ବର, ଡିସେମ୍ବରରେ ଖାଉଟି ମୁଦ୍ରାସ୍ଫୀତି ହାର ୬.୦ ଶତାଂଶ ତଳେ ରହି ଭବିଷ୍ୟତରେ ଏହି ହ୍ରାସମାନ ଧାରା ବଜାୟ ରହି ମୁଦ୍ରାସ୍ଫୀତି ଚିନ୍ତା ଦୂରୀଭୂତ ହେବ ବୋଲି ଯେଉଁ ଧାରଣା ସୃଷ୍ଟି େହାଇଥିଲା, ବର୍ତ୍ତମାନ ତାହା ପୁଣି ଓଲଟି ଯିବାକୁ ବସିଛି ବୋଲି ଏକ ଆଶଙ୍କା ଦେଖା ଦେଲାଣି।
‘ଏନ୍ଏସ୍ଓ’ ପ୍ରଦାନ କରିଥିବା ତଥ୍ୟ ରାଜି ଉପରେ ଟିେକ ଭଲ କରି ନଜର ପକାଇଲେ ଦେଖିବାକୁ ମିଳିଥାଏ ଯେ ଯେଉଁ ସମସ୍ତ କ୍ଷେତ୍ର ଓ ପଦାର୍ଥମାନଙ୍କର ଦରଦାମ ସୂଚନା ଭିତ୍ତିରେ ‘ଏନ୍ଏସ୍ଓ’ ତା’ର ଖାଉଟି ମୁଦ୍ରାସ୍ଫୀତି ସୂଚକାଙ୍କ ପ୍ରସ୍ତୁତ କରିଥାଏ, ପ୍ରାୟ ସେ ସମୟରେ ଦରବୃଦ୍ଧି ଚାପ ଅନୁଭୂତ ହୋଇଛି। ପନିପରିବା ଦରରେ ସାମାନ୍ୟ ସ୍ଖଳନ ଦେଖା ଦେଇଥିଲେ ହେଁ ଖାଦ୍ୟଶସ୍ୟ, ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ, ପ୍ରସ୍ତୁତ ଖାଦ୍ୟ, ମସଲା ଆଦିର ଦରରେ ବୃଦ୍ଧି ଘଟିଛି। ଲଗାତର ଗତ ଛ’ମାସ ଧରି ଖାଦ୍ୟ ଶସ୍ୟ ଦରରେ ଦୁଇ ଅଙ୍କ ବିଶିଷ୍ଟ ହାରରେ ବୃଦ୍ଧି ଘଟି ଚାଲିଛି। ରବି ଋତୁରେ ପ୍ରାୟ ସାରା ଦେଶରେ ତାପମାନ ଉଚ୍ଚା ରହିବା ଯୋଗୁଁ ରବି ଶସ୍ୟ ଅମଳ ଆଶାନୁରୂପ ହେବା ଭଳି ମନେ ହେଉନାହିଁ। ଖାଦ୍ୟ, ଇନ୍ଧନକୁ ବାଦ ଦେଇ ହିସାବ କରାଯାଉଥିବା ‘ମଞ୍ଜ ମୁଦ୍ରାସ୍ଫୀତି’ (କୋର୍ ଇନ୍ଫ୍ଲେସନ) ନିୟମିତ ଭାବରେ ଉଚ୍ଚା ରହିବା ଦେଖାଯାଉଛି। ଏହାର ଅର୍ଥ ଅନ୍ୟାନ୍ୟ କ୍ଷେତ୍ର ଓ ପଦାର୍ଥମାନ ମୁଦ୍ରାସ୍ଫୀତି ଦ୍ବାରା ପ୍ରଭାବିତ ହୋଇ ଚାଲିଛନ୍ତି। ପୋଷାକପତ୍ରରୁ ଆରମ୍ଭ କରି ଘରକରଣା ଦ୍ରବ୍ୟ ଓ ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ଏହା ପରିଲକ୍ଷିତ ହୋଇଛି।
ଏହି ନଛୋଡ଼ବନ୍ଦା ମୁଦ୍ରାସ୍ଫୀତିର କିଭଳି ମୁକାବିଲା କରାଯିବ ତାହାର ଉପାୟ ଖୋଜିବା ହେବ ଆସନ୍ତା ମାସ ଆରମ୍ଭ ସମୟରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଏମ୍ପିସି’ ବୈଠକର ମୁଖ୍ୟ ଲକ୍ଷ୍ୟ। ‘ଏମ୍ପିସି’ର ଅସ୍ତ୍ରାଗାରରେ ଏଥିପାଇଁ ଥିବା ମୁଖ୍ୟ ଅସ୍ତ୍ର ହେଉଛି- ‘ରେପୋରେଟ୍’ ନାମକ ସୁଧହାର। ଅର୍ଥଶାସ୍ତ୍ର ସହିତ ସାମାନ୍ୟ ପରିଚିତ ଥିବା ସମସ୍ତଙ୍କୁ ଜଣା ଯେ ମୁଦ୍ରାସ୍ଫୀତିକୁ କାବୁ କରିବା ନିମିତ୍ତ ଏକ କେନ୍ଦ୍ରୀୟ ବ୍ୟାଙ୍କ୍ ଏହି ସୁଧ ହାରରେ ବୃଦ୍ଧି ଘଟାଇଥାଏ। ସେଇ ସାଧାରଣ ନିୟମ ଅନୁସରଣ କରି ରିଜର୍ଭ ବ୍ୟାଙ୍କ୍ ଭାରତରେ ଗତ ମଇ ମାସ ଠାରୁ ବର୍ତ୍ତମାନ ମଧ୍ୟରେ ଏକାଧିକ କିସ୍ତିରେ ‘ରେପୋରେଟ୍’ରେ ମୋଟ ୨୫୦ ବେସିସ୍ ପଏଣ୍ଟ (୨.୫ ଶତାଂଶ) ବୃଦ୍ଧି ଘଟାଇ ସାରିଲାଣି। ଗତ ବୈଠକରେ ‘ଏମ୍ପିସି’ ସୂଚନା ଦେଇଥିଲା ଯେ ମଞ୍ଜ ମୁଦ୍ରାସ୍ଫୀତିର ମୁକାବିଲା ନିମିତ୍ତ ସୁଧ ହାରରେ ଅାବଶ୍ୟକ ମତେ ବୃଦ୍ଧି ଘଟାଇ ଚାଲିବା ଦରକାର ହୋଇପାରେ।
କିନ୍ତୁ ଇତି ମଧ୍ୟରେ ଗତକାଲି ଏଇ ସ୍ତମ୍ଭେର ଆଲୋଚିତ ହୋଇଥିବା ଭଳି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ଫେଡେରାଲ୍ ରିଜର୍ଭ ଏଇଭଳି ଏକ ସୁଧହାର ବୃଦ୍ଧି ନୀତି ଅନୁସରଣ କରିବାର ଫଳାଫଳ ଯାହା ହୋଇଛି ତାହା କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନୁହେଁ, ପୃଥିବୀ ସାରାର କେନ୍ଦ୍ରୀୟ ବ୍ୟାଙ୍କ୍ମାନଙ୍କୁ ଭୟଭୀତ କରି ପକାଇଛି। ଆର୍ମାଡିଲୋର ସାଞ୍ଜୁ ଭଳି ଏକ କଠିନ କବଚ ପିନ୍ଧିଥିବା ମୁଦ୍ରାସ୍ଫୀତିକୁ ଧରାଶାୟୀ କରିବା ପାଇଁ ‘ଫେଡେରାଲ୍ ରିଜର୍ଭ’ ଯେତେବେଳେ ତା’ ଉପରକୁ ତୀକ୍ଷ୍ଣ ସୁଧହାର ବୃଦ୍ଧି ରୂପକ ଗୁଳିମାଡ଼ କଲା, ସେ ଗୁଳି ଛିଟ୍କି ଆସି ‘ସିଲିକନ୍ ଭ୍ୟାଲି ବ୍ୟାଙ୍କ୍’, ‘ସିଗ୍ନେଚର୍ ବ୍ୟାଙ୍କ୍’ ଆଦି ବ୍ୟାଙ୍କ୍ମାନଙ୍କୁ ବୁଡ଼ାଇ ଦେଇ ଆମେରିକାର ବ୍ୟାଙ୍କ୍ ବ୍ୟବସ୍ଥାକୁ ଯେଉଁଭଳି ଆଘାତ ପହଞ୍ଚାଇଛି, ତାହାର ଉପଶମ ଓ ପ୍ରତିକାରର ଉପାୟ ବାହାର କରିବା ପାଇଁ ‘ଫେେଡରାଲ୍ ରିଜର୍ଭ’ ନାକେଦମ୍ ହୋଇଗଲାଣି। ଏକ ଆକଳନ ଅନୁସାରେ ‘ଫେଡେରାଲ୍ ରିଜର୍ଭ’ ଦ୍ବାରା ବାରମ୍ବାର ଘଟା ଯାଇଥିବା ସୁଧହାରରେ ବୃଦ୍ଧି ଯୋଗୁଁ ବ୍ୟାଙ୍କ୍ମାନଙ୍କ ପାଖରେ ମହଜୁଦ ଥିବା ସରକାରୀ ଓ ଅନ୍ୟାନ୍ୟ ବଣ୍ଡ୍ ସବୁର ବଜାର ମୂଲ୍ୟରେ ଗତ ବର୍ଷ ଶେଷ ସୁଦ୍ଧା ଯେତିକି ସ୍ଖଳନ ଘଟିଥିଲା, ତାହାର ଆକାର ଥିଲା ୬୦୦ ବିଲିଅନ୍ ଡଲାର୍ରୁ ଅଧିକ- ‘ଫେଡେରାଲ୍ ରିଜର୍ଭ’ର କର୍ମାଡିଲୋ ମୁହୂର୍ତ୍ତ ଭଳି। ଏଥିରୁ ଶିକ୍ଷା ଲାଭ କରିଥିବା ‘ଫେଡେରାଲ୍ ରିଜର୍ଭ’ ନିକଟ ଭବିଷ୍ୟତରେ ଆଉ ପୂର୍ବ ଭଳି ସୁଧ ହାର ବୃଦ୍ଧି କରିଚାଲିବା ସମ୍ଭାବନା କ୍ଷୀଣ।
ଭାରତୀୟ ବ୍ୟାଙ୍କ୍ମାେନ ମଧ୍ୟ ମୁଖ୍ୟତଃ ସରକାରୀ ବଣ୍ଡରେ ସେମାନଙ୍କର ପୁଞ୍ଜି ନିବେଶ କରିଥାନ୍ତି। ଏ ପର୍ଯ୍ୟନ୍ତ ତାହା ନିରାପଦ ଥିଲେ ହେଁ, ଆମେରିକା ଘଟଣା ପରେ ‘ରେପୋରେଟ୍’ରେ ଅତ୍ୟଧିକ ବୃଦ୍ଧି ଏଠାରେ ଯେ ଅନୁରୂପ ପ୍ରତିକ୍ରିୟା ସୃଷ୍ଟି ନ କରିବ, କିଏ କହିବ? କର୍ମାଡିଲୋ ମୁହୂର୍ତ୍ତକୁ ଏଡ଼ାଇବା ପାଇଁ ମୁଦ୍ରାସ୍ଫୀତି ରୂପକ ଆର୍ମାଡିଲୋକୁ ତଡ଼ିବା ନିମିତ୍ତ ସୁଧ ହାରରେ ବୃଦ୍ଧି ରୂପକ ଗୁଳିଚାଳନା ନ କରି ଅନ୍ୟ ଉପାୟ ଅନୁସନ୍ଧାନ କରିବା ଉଚିତ ହେବ- ଏକଥା ‘ଏମ୍ପିସି’ର ସଦସ୍ୟମାନେ ନିଶ୍ଚିତ ଭାବରେ ଭଲ ରୂପେ ବୁଝିସାରିଥିବେ।