ବିଶ୍ୱରେ ସର୍ବାଧିକ ଅସ୍ତ୍ରଶସ୍ତ୍ର ବିକୁଥିବା ମୁଖ୍ୟ ପାଞ୍ଚଟି ଦେଶଗୁଡ଼ିକ ହେଲେ ଆମେରିକା, ରୁଷିଆ, ଫ୍ରାନ୍ସ, ଜର୍ମାନି ଓ ଚାଇନା; ଅପର ପକ୍ଷରେ ସର୍ବାଧିକ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶ ଭିତରେ ମୁଖ୍ୟ ପାଞ୍ଚଟି ଦେଶ ହେଲେ ଭାରତ, ଚାଇନା, ସାଉଦି ଆରବ, ଅଷ୍ଟ୍ରେଲିଆ ଓ ଇଜିପ୍ଟ। ଅସ୍ତ୍ରଶସ୍ତ୍ର କିଣାକୁ ନେଇ ବିଗତ ତିନି ଦଶନ୍ଧି ହେଲା ଭାରତ ବିଶ୍ବର ମୁଖ୍ୟ ଗରାଖ ହିସାବରେ ଗଣା ହୋଇ ଆସୁଛି। ଦେଶର ପ୍ରତିରକ୍ଷା ନିମନ୍ତେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଏବଂ ‘ଡିଫେନ୍ସ ଟେକ୍ନୋଲୋଜି’ ଭିତରୁ ଅଳ୍ପ କିଛି ଭାରତରେ ତିଆରି ହେଉଥିଲା ବେଳେ ଅଧିକାଂଶ ଲାଗି ଭାରତ ବିଦେଶୀ ସରକାର ତଥା ବିଦେଶୀ କମ୍ପାନିମାନଙ୍କ ଉପରେ ନିର୍ଭରଶୀଳ। ଆମ ଦେଶର ପ୍ରତିରକ୍ଷା-ଭିତ୍ତିକ ଆମଦାନି ମୁଖ୍ୟତଃ ଆମେରିକା, ରୁଷିଆ, ଇସ୍ରାଏଲ ଓ ଫ୍ରାନ୍ସ ଠାରୁ ହୋଇଥାଏ।
୧୯୪୭ରୁ ୨୦୦୫ ସୁଦ୍ଧା ସୋଭିଏତ୍ ରୁଷ ବା ରୁଷିଆ ଥିଲା ଭାରତର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ବିକ୍ରେତା। କିନ୍ତୁ, କ୍ରମେ ଆମେରିକା ଓ ଇସ୍ରାଏଲ ଏହି ଭୂମିକାରେ ଅବତୀର୍ଣ୍ଣ ହେଲେଣି। ଗଲା ପାଞ୍ଚ ଦଶନ୍ଧି ଧରି ଭାରତରେ ଉନ୍ନତ ମାନର ‘ଡିଫେନ୍ସ ଟେକ୍ନୋଲୋଜି’ ଏବଂ ସମର୍ଥ ଉତ୍ପାଦନ କୌଶଳର ଅଭାବରୁ ମୋଟାମୋଟି ଭାବେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ବିଦେଶ ଉପରେ ନିର୍ଭର କରିଆସୁଛନ୍ତି। ଅର୍ଥାତ୍ ସେହି ବାବଦରେ ଭାରତକୁ ଡଲାର ଆକାରରେ ଖର୍ଚ୍ଚ କରିବାକୁ ପଡୁଛି, ଯାହା ବିଦେଶୀ ମୁଦ୍ରା ପାଣ୍ଠି (ଫରେକ୍ସ ରିଜର୍ଭ) ଉପରେ ଚାପ ସୃଷ୍ଟି କରୁଛି।
ପ୍ରତିରକ୍ଷା ଦିଗରେ ଆତ୍ମନିର୍ଭର ହେବା ପାଇଁ ୧୯୪୮ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ‘ଇଣ୍ଡଷ୍ଟ୍ରିଆଲ ପଲିସି’ ଆସିଥିଲା। ୧୯୬୨ର ଭାରତ-ଚୀନ ଏବଂ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ହିଁ ଭାରତରେ ସ୍ବଦେଶୀ ପ୍ରତିରକ୍ଷା ସରଂଜାମ ନିର୍ମାଣର ଆବଶ୍ୟକତାକୁ ରେଖାଙ୍କିତ କରିଥିଲା। ଫଳରେ ୧୯୬୨ ମସିହାରେ ‘ଡିପାର୍ଟମେଣ୍ଟ ଅଫ ଡିଫେନ୍ସ ପ୍ରଡକ୍ସନ’ ଗଠିତ ହୋଇଥିଲା। ଏହା ଫଳରେ ସେତେବେଳର ସରକାରଙ୍କ ଦ୍ୱାରା ୧୮ଟି ‘ଅର୍ଡାନ୍ସ’ ବା ଗୁଳିଗୋଳା କାରଖାନା ବସିଲା, ମିଗ୍ ବିମାନ କାରଖାନା ହେଲା। କିନ୍ତୁ ଭାରତ ଏଥିରେ ଆତ୍ମନିର୍ଭର ହୋଇପାରି ନାହିଁ।
ତେବେ ବର୍ତ୍ତମାନର କେନ୍ଦ୍ର ସରକାର ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଏହି କ୍ଷେତ୍ରରେ ସ୍ବନିର୍ଭର ହେବାକୁ ପଥିକୃତ୍ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ, ଡିପାର୍ଟମେଣ୍ଟ ଅଫ ଡିଫେନ୍ସ ପ୍ରଡକ୍ସନର ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଭାରତ ୮୪ଟି ଦେଶକୁ ବିଭିନ୍ନ ପ୍ରକାରର ଅସ୍ତ୍ର, ସୁରକ୍ଷା ସାମଗ୍ରୀ ଏବଂ ମୌଳିକ ପ୍ରଯୁକ୍ତିବିଦ୍ୟା ରପ୍ତାନି କରୁଛି। ପାର୍ଲିଆମେଣ୍ଟର ପ୍ରଶ୍ନୋତ୍ତର ତଥ୍ୟ ମୁତାବକ ୨୦୧୪-୧୫ରେ ଭାରତ ୧,୯୪୧ କୋଟି ଟଙ୍କାର ରପ୍ତାନି କରିଥିଲା ବେଳେ ୨୦୨୨ ବେଳକୁ ତାହା ଆସି ୧୨,୮୧୫ କୋଟିରେ ପହଞ୍ଚିଲାଣି। ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ୨୦୨୪-୨୫ ସୁଦ୍ଧା ଭାରତ ୩୫,୦୦୦ କୋଟି ଟଙ୍କାର ରପ୍ତାନି କରିବାର ଲକ୍ଷ୍ୟ ରଖିଛି।
ଉଲ୍ଲେଖ ଥାଉ କି ୨୦୧୬ରେ ଭାରତର ସମୁଦାୟ ରପ୍ତାନିରେ ଘରୋଇ କମ୍ପାନିମାନଙ୍କର ଭାଗ ମାତ୍ର ୧୩% ଥିଲା ବେଳେ ୨୦୨୨ ସୁଦ୍ଧା ତାହା ଆସି ୭୦%ରେ ପହଞ୍ଚିଛି। ସୁତରାଂ, ଘରୋଇ କଂପାନିଗୁଡ଼ିକ ମଧ୍ୟ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି। ଏବେ ମହିନ୍ଦ୍ରା ଗ୍ରୁପ, ଏଲ୍ ଏଣ୍ଡ ଟି, ଜେନ୍ ଟେକନୋଲୋଜିସ, ଟାଟା ଆଡ୍ଭାନ୍ସ ସିଷ୍ଟମ ଇତ୍ୟାଦି ଭଳି ଘରୋଇ କମ୍ପାନି ଏ କ୍ଷେତ୍ରରେ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ସଂସଦରେ ପ୍ରଶ୍ନୋତ୍ତର ତଥ୍ୟକୁ ଅନୁଧ୍ୟାନ କଲେ ଜାଣିହୁଏ ଯେ ଡିଫେନ୍ସ ହତିଆର ଉତ୍ପାଦନ କରୁଥିବା ଭାରତର ସରକାରୀ ଏବଂ ଘରୋଇ କମ୍ପାନିଗୁଡ଼ିକ ୨୦୧୭-୧୮ରେ ୭୮,୮୨୦ କୋଟି ଟଙ୍କା ମୂଲ୍ୟର ଉତ୍ପାଦନ କରିଥିଲା ବେଳେ ତାହା ୨୦୨୨ ସୁଦ୍ଧା ୯୪,୮୪୬ କୋଟି ଟଙ୍କାରେ ପହଞ୍ଚିଲାଣି।
ଅର୍ଥାତ୍ ଭାରତର ନିଜସ୍ୱ ଉତ୍ପାଦନ ବିଗତ ପାଞ୍ଚ ବର୍ଷରେ ୨୦% ବୃଦ୍ଧି ପାଇଛି। ଆଉ ଏକ ସକାରାତ୍ମକ ବିଷୟ ହେଲା ଉତ୍ପାଦନ ପାଇଁ ଦରକାର ଉପାଦାନର ସ୍ବଦେଶୀ ଭାଗ ପ୍ରାୟ ୭୦%, ଯାହା ଆତ୍ମନିର୍ଭରତାକୁ ଅଧିକ ଅର୍ଥପୂର୍ଣ୍ଣ କରିଛି। କେବଳ ସେତିକି ନୁହେଁ, ଘରୋଇ କମ୍ପାନି ସହିତ ତାଳ ଦେଇ ସରକାରୀ କମ୍ପାନିଗୁଡ଼ିକ ମଧ୍ୟ ଏଥିରେ ଆଗେଇଛନ୍ତି; ଯେମିତି ୧୯୭୩ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ ‘ମିଶ୍ର ଧାତୁ ନିଗମ’ର ରପ୍ତାନି ଜନିତ ବାର୍ଷିକ ଆୟ ବିଗତ ବର୍ଷ ତୁଳନାରେ ୩୪୮% ବୃଦ୍ଧି ହେଇଛି। ୨୦୧୩-୧୪ରେ ହୋଇଥିବା ରପ୍ତାନି ୧୯ କୋଟି ଟଙ୍କାରୁ ବଢ଼ି ୨୦୨୨ ସୁଦ୍ଧା ୯୦-୧୦୦ କୋଟି ଟଙ୍କାରେ ପହଞ୍ଚିଲାଣି। ସେମିତି ‘ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡ୍’ ଜାହାଜ ତିଆରି କରିବା ପାଇଁ ଆବଶ୍ୟକ କରୁଥିବା କଞ୍ଚାମାଲ ତଥା ଅନ୍ୟାନ୍ୟ ସାମଗ୍ରୀର ୬୩% ବିଗତ ତିନି ଦଶନ୍ଧି ଧରି ମୁଖ୍ୟତଃ ବିଦେଶରୁ ଆମଦାନି କରାଯାଉଥିବା ବେଳେ ୨୦୨୦-୨୧ରେ ତାହା ୪୧%କୁ ଖସି ଆସିଛି।
ପୂର୍ବରୁ ଆମଦାନି ହେଉଥିବା ୭୪୦ କୋଟି ଟଙ୍କା ମୂଲ୍ୟର ମୁଖ୍ୟ ୫୭ଟି ସାମଗ୍ରୀ ଏବେ ଆମ ଦେଶରେ ତିଆରି କରାଯାଉଛି। ସେମିତି ୧୯୭୦ରେ ସ୍ଥାପିତ ଏବଂ ଦେଶ ଲାଗି ମିସାଇଲ୍ ବା କ୍ଷେପଣାସ୍ତ୍ର ନିର୍ମାଣ କରୁଥିବା କଂପାନି ‘ଭାରତ ଡାଇନାମିକ୍ସ’ ଉତ୍ପାଦନ ଲାଗି ପୂର୍ବରୁ ଆମଦାନି କରୁଥିବା ୧୬୬ଟି ଦ୍ରବ୍ୟରୁ ଏବେ ୭୨ଟି ଦ୍ରବ୍ୟ ନିଜ ଦେଶରେ ତିଆରି କରୁଛି। ଆନୁଆଲ ରିପୋର୍ଟରେ ଥିବା ଆର୍ଥିକ ତଥ୍ୟ ମୁତାବକ ‘ମେକ ଇନ ଇଣ୍ଡିଆ’ ଯୋଜନା ବଳରେ ‘ଭାରତ ଡାଇନାମିକ୍ସ ଲିମିଟେଡ୍’ର ବିଦେଶୀ କ୍ରୟରେ ବାର୍ଷିକ ୨.୧୬% ହ୍ରାସ ପାଇବା ସହିତ ସ୍ବଦେଶୀ ଦ୍ରବ୍ୟ କ୍ରୟ ମୂଲ୍ୟରେ ବିଗତ ୩ ବର୍ଷ ହେଲାଣି ବାର୍ଷିକ ହାରାହାରି ୪୦% ବୃଦ୍ଧି ପାଉଛି। ଏ ସବୁ ତଥ୍ୟ ଭାରତର ସ୍ବାବଲମ୍ବୀ ହେବା ଦିଗରେ ଅଗ୍ରଗତିକୁ ଦର୍ଶାଏ।
ପାର୍ଲିଆମେଣ୍ଟ ପ୍ରଶ୍ନୋତ୍ତରରୁ ଜାଣି ହୁଏ ଯେ ’ଡିଫେନ୍ସ ଏବଂ ଏରୋସ୍ପେସ’ କ୍ଷେତ୍ରରେ ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ସମୁଦାୟ ୧୩୮୩ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଦେଶକୁ ଆସିଥିଲା ବେଳେ ୨୦୧୪ରୁ ୨୦୨୨ ମଇ ମାସ ସୁଦ୍ଧା ସମୁଦାୟ ୩,୩୭୮ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଆସିଛି। ଏ ସବୁ ବିଦେଶୀ ପୁଞ୍ଜି ଆମ ଦେଶରେ ପ୍ରତିରକ୍ଷା ଭିତ୍ତିକ ଉତ୍ପାଦନରେ ଲଗାଇବା ପଛର ମୂଳ ଉଦ୍ଦେଶ୍ୟ ଆମ ଦେଶର ଉଦ୍ୟୋଗୀଙ୍କୁ ଆତ୍ମନିର୍ଭର କରିବା। ନୂଆ ‘ଷ୍ଟାର୍ଟ୍ ଅପ୍’ ଏବଂ କ୍ଷୁଦ୍ର ଓ ମଧ୍ୟମ ବର୍ଗୀୟ ଉତ୍ପାଦକଙ୍କୁ ପ୍ରତିରକ୍ଷା ସରଂଜାମ ନିର୍ମାଣ ଏବଂ ନୂଆ କୌଶଳ ଉଦ୍ଭାବନ ପାଇଁ ଉତ୍ସାହିତ କରିବା ଦିଗରେ କେନ୍ଦ୍ର ସରକାର ୨୦୨୨ରୁ ୨୦୨୬ ପର୍ଯ୍ୟନ୍ତ ୪୯୮ କୋଟି ଟଙ୍କାର ଆର୍ଥିକ ଅନୁଦାନର ବ୍ୟବସ୍ଥା ମଧ୍ୟ କରିଛନ୍ତି।
୨୦୧୮-୧୯ରୁ ୨୦୨୨-୨୩ ଭିତରେ ପ୍ରତିରକ୍ଷା ସାମଗ୍ରୀ କିଣିବା କିମ୍ବା ତିଆରି କରିବା ବାବଦରେ ସମୁଦାୟ ୨୦୮ଟି କଣ୍ଟ୍ରାକ୍ଟ ସ୍ବାକ୍ଷରିତ ହୋଇଛି, ଯହିଁରୁ ୧୩୭ଟି ଭାରତୀୟ କମ୍ପାନିମାନଙ୍କ ସହିତ ହୋଇଛି। ସେମିତି ପ୍ରତିରକ୍ଷାକୁ ଆଧାର କରି ୭ଟି ନୂଆ ସରକାରୀ କମ୍ପାନି ଅକ୍ଟୋବର ୨୦୨୧ରୁ ଆରମ୍ଭ ହୋଇଛି। ଆଜି ସୁଦ୍ଧା ପ୍ରତିରକ୍ଷାକୁ ନେଇ ଦେଶରେ ୨୩ଟି ସରକାରୀ କମ୍ପାନି ରହିଛି, ଯାହାକି ୧୫,୦୦୦ରୁ ଅଧିକ ଘରୋଇ କମ୍ପାନିକୁ କାମ ଯୋଗାଉଛି ଏବଂ ଅନେକ ରୋଜଗାର ତିଆରି କରିପାରୁଛି। ପ୍ରତିରକ୍ଷା ମନ୍ତ୍ରାଳୟର ଖର୍ଚ୍ଚ ଉପରେ ନଜର ଦେଲେ ଜାଣିହୁଏ ଯେ ୨୦୧୪-୧୫ରେ ଡିଫେନ୍ସ ଉଦ୍ଦେଶ୍ୟରେ ଭାରତର ସମୁଦାୟ ଖର୍ଚ୍ଚ ୩.୧୭ ଲକ୍ଷ କୋଟି ଟଙ୍କା ଥିଲା ବେଳେ ତାହା ୨୦୨୨-୨୩ରେ ୫.୫୫ ଲକ୍ଷ କୋଟିରେ ପହଞ୍ଚିଲାଣି, ଯାହାର ଅର୍ଥ ବିଗତ ୮-୯ ବର୍ଷ ଭିତରେ ୭୫% ବୃଦ୍ଧି। ଏଭଳି ଉଦ୍ୟମ ଯେ ଦେଶ ଲାଗି ନିତାନ୍ତ ଶୁଭଙ୍କର, ଏଥିେର ସନ୍ଦେହ ନାହିଁ।
କିନ୍ତୁ ଏବେ ବି ଅନେକ ଉଚ୍ଚ ମାନର ପ୍ରତିରକ୍ଷା ସାମଗ୍ରୀ ପାଇଁ ଭାରତ ଅନ୍ୟ ଦେଶ ଉପରେ ନିର୍ଭର କରୁଛି ଏବଂ ବିେଦଶରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ, ହେଲିକପ୍ଟର, ରାଡାର, ରକେଟ୍, ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ବନ୍ଧୁକ ଏବଂ କ୍ଷେପଣାସ୍ତ୍ର ଆଦି କିଣୁଛି। ବିଗତ ୫ ବର୍ଷ ଭିତରେ ବାହାର ଦେଶରୁ ହତିଆର କିଣିବା ପାଇଁ ସମୁଦାୟ ୨୬୪ଟି କଣ୍ଟ୍ରାକ୍ଟ ସ୍ବାକ୍ଷରିତ ହେଇଛି, ଯହିଁରୁ ଇସ୍ରାଏଲ, ରୁଷିଆ, ଆମେରିକା, ଫ୍ରାନ୍ସ ଓ ସ୍ପେନ ସହ ସ୍ବାକ୍ଷରିତ କଣ୍ଟ୍ରାକ୍ଟ ସମୁଦାୟ କଣ୍ଟ୍ରାକ୍ଟର ମୂଲ୍ୟର ପ୍ରାୟ ୪୦ ପ୍ରତିଶତ। ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କର ଏକ ନାମୀଦାମୀ କମ୍ପାନି ‘ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍’ ବା ‘ହାଲ୍’ ଲାଗି ସରକାରୀ ଅନୁଦାନ ହିଁ ମୁଖ୍ୟ ପୁଞ୍ଜି ସ୍ରୋତ ଏବଂ ‘ହାଲ୍’ ତିଆରି କରୁଥିବା ବିମାନ ପାଇଁ ଆବଶ୍ୟକ ହେଉଥିବା ଅଧିକାଂଶ କଞ୍ଚା ମାଲ କିମ୍ବା ଉନ୍ନତ ବୈଷୟିକ ଜ୍ଞାନ ସକାଶେ ଏବେ ବି ବିଦେଶୀ କମ୍ପାନି ଉପରେ ନିର୍ଭରଶୀଳ। ସେମିତି ‘ହାଲ୍’ର ବିଦେଶୀ ବଜାର ଅଂଶ ଅତି ଗୌଣ। ତେବେ ‘ମେକ୍ ଇନ ଇଣ୍ଡିଆ’ ଉଦ୍ୟମ ପରେ ଦେଖାଯାଉଥିବା ବିରୋଧାଭାସଟି ହେଲା ଗୋଟିଏ ପଟେ ନିଜସ୍ୱ ଉତ୍ପାଦନ ଏବଂ ରପ୍ତାନି ବଢୁଥିବା ବେଳେ ଅପର ପକ୍ଷରେ ଆମଦାନି ମଧ୍ୟ ବଢୁଛି। ଆମଦାନି ହେଉଥିବା ସରଂଜାମ ମଧ୍ୟରେ ଅତ୍ୟାଧୁନିକ ସାମରିକ ସାମଗ୍ରୀ ମୁଖ୍ୟ ହୋଇଥିବା କାରଣରୁ ଭାରତରେ ପ୍ରତିରକ୍ଷା ସରଂଜାମ ନିର୍ମାଣ ଏବଂ ଜ୍ଞାନ କୌଶଳର ଗୁଣମାନରେ ବୃଦ୍ଧି ଏକାନ୍ତ ଅପରିହାର୍ଯ୍ୟ ବୋଲି ମନେ ହେବା ସ୍ବାଭାବିକ।
ସଂପ୍ରତି କେନ୍ଦ୍ରରେ ଥିବା ସରକାରଙ୍କର ନୂତନ ଚିନ୍ତାଧାରା ଏବଂ ବିଶ୍ୱ ବଜାରରେ ଭାରତର ପ୍ରଭାବଶାଳୀ କୁଟନୈତିକ ଏବଂ ବାଣିଜ୍ୟଭିତ୍ତିକ ଉପସ୍ଥିତି ଭାରତର ପ୍ରତିରାକ୍ଷା ବ୍ୟବସ୍ଥାକୁ ଏକ ନୂଆ ରୂପ ଦେଇଛି। ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଏବେ ପୂର୍ବାପେକ୍ଷା ଅଧିକ ଦୃଢ଼ତର ହୋଇଛି ଏବଂ ଭାରତର ଆତ୍ମ ପ୍ରତ୍ୟୟ ମଧ୍ୟ ବହୁଗୁଣିତ ହୋଇଛି। ସେହି ଦୃଷ୍ଟିରୁ ‘େମକ୍ ଇନ୍ ଇଣ୍ଡିଆ’ ଦ୍ବାରା ଆମ ପ୍ରତିରକ୍ଷା କ୍ଷେତ୍ର କ୍ରମେ ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଉତ୍ସାହପ୍ରଦ।
ମୋ: ୯୭୯୧୧୨୧୦୬୮