ସାଧୁଙ୍କ ଉପାୟ

କଥାଟିଏ - ଯାଯାବର

ଗୋଟିଏ ଛୋଟ ଗାଁ ଥିଲା। ଥରେ ସେ ଗାଁ ଉପରେ ଶତ୍ରୁ ଆକ୍ରମଣ କରିବେ ବୋଲି ଶୁଣାଗଲା। ଗାଁ ଲୋକେ ପାଖରେ ରହୁଥିବା ଜଣେ ସାଧୁଙ୍କ ଶରଣ ପଶିଲେ। ସାଧୁ କହିଲେ- ଚିନ୍ତା ନାହିଁ। ତୁମ ଗାଁର ସବୁ ଲୋକ ମୋ ପାଖକୁ ଆସ। ମୁଁ ତୁମମାନଙ୍କୁ ବାଟ ବତାଇ ଦେବି।

ପର ଦିନ ସକାଳୁ ସମସ୍ତେ ସାଧୁଙ୍କ ଠାରେ ପହଞ୍ଚିଲେ। ସେମାନେ ଭାବିଥିଲେ ସାଧୁ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ଲାଗି ବାଟ ଦେଖାଇବେ।
ସାଧୁ ପଚାରିଲେ ଶତ୍ରୁ ବିଷୟରେ କିଛି କୁହ। ଲୋକେ କହିଲେ- ଆମେ ଖବର ପାଇଛୁ ଯେ ଶତ୍ରୁ ଦଳ ବେଶ୍‌ ବଡ଼। ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ବି ଅଛି। ସେମାନେ ଦୁର୍ଦ୍ଦାନ୍ତ ପ୍ରକୃତିର।
ସାଧୁ କହିଲେ- ତାହା ହେଲେ ପ୍ରାଣ ରକ୍ଷା କରି ପଳାଇ ଯାଅ।

ଏ କଥା ଶୁଣି ଲୋକେ ବିସ୍ମିତ ହେଲେ। ଜଣେ କହିଲା- ବାବା, ତାହା ତ ଆମ ବୁଦ୍ଧି ବି କହୁଥିଲା। ଆପଣ ନୂଆ କଥା କ’ଣ କହିଲେ? ଆମେ ଭାବୁଥିଲୁ ଯେ ଆପଣ ଆମକୁ ଅନ୍ୟ ବାଟ ଦେଖାଇବେ।

ସାଧୁ କହିଲେ- ତାହା ତ ଠିକ୍‌। ତେବେ ମୋ କହିବା କଥା ହେଲା ଅଯଥାରେ ସାହସ ଦେଖାଇବା ସାହସୀର ଲକ୍ଷଣ ନୁହେଁ। ଏହା ନିର୍ବୋଧତା। ତୁମେମାନେ ବୁଦ୍ଧିମାନ। ତେଣୁ ପଳାଇ ଯାଅ। ମୋ ଠାରୁ କେବଳ ଏତିକି ଜାଣ ଯେ ଏମିତି ପଳାଇଯିବା କାପୁରୁଷପଣିଆ ନୁହେଁ। ଯଦିବା କେହି ତୁମକୁ ଭୀରୁ ବୋଲି କହେ, ତେବେ ଏତକ ମନେ ରଖ ଯେ ଅଯଥା ସାହସ ଦେଖାଇବାର ନିର୍ବୋଧତା ଠାରୁ ଭୀରୁ ହେବା ଶ୍ରେୟସ୍କର।

ସମ୍ବନ୍ଧିତ ଖବର