ସ୍ବପ୍ନ ସନ୍ଦେଶ

ମିହିର ପ୍ରତାପ ଦାସ

୧୯୧୨ ମସିହା ଏପ୍ରିଲ ୧୫ ତାରିଖରେ ତତ୍କାଳୀନ ପୃଥିବୀର ସର୍ବାଧିକ ବିଳାସପୂର୍ଣ୍ଣ ଯାତ୍ରୀବାହୀ ଜାହାଜ ‘ଟାଇଟାନିକ୍‌’ ଇଂଲାଣ୍ଡରୁ ତା’ର ପ୍ରଥମ ଜଳଯାତ୍ରା ଆରମ୍ଭ କରିଥିଲା। ତେବେ, ଉତ୍ତର ଆଟଲାଣ୍ଟିକ୍‌ ମହାସାଗରରେ ଗୋଟିଏ ବିଶାଳ ଭାସମାନ ବରଫ ଖଣ୍ଡ ସହିତ ଧକ୍କା ଖାଇ ଏହି ଅଭିଶପ୍ତ ଜାହାଜ ତହିଁରେ ଥିବା ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରୁ ୧୫୦୦ଙ୍କୁ ନେଇ ସଲିଳ ସମାଧି ଲାଭ କଲା। ଏହା ଥିଲା ସମଗ୍ର ପୃଥିବୀକୁ ଦୋହଲାଇ ଦେଇଥିବା ଭଳି ଏକ ଦୁର୍ଘଟଣା, ଯାହା ଏ ଯାବତ୍‌ ଅବିସ୍ମରଣୀୟ ରହି ଏକ କିଂବଦନ୍ତିର ରୂପ ଧାରଣ କଲାଣି। କିନ୍ତୁ, ଅବିଶ୍ବାସ୍ୟ ମନେ ହେଲେ ବି ଏହା ସତ ଯେ ଏହା ଘଟିବାର ଛବିଶ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୮୮୬ ମସିହା, ମାର୍ଚ୍ଚ ୨୨ ତାରିଖରେ ଉଇଲିଅମ ଷ୍ଟିଡ ନାମକ ଜଣେ ସାମ୍ବାଦିକ ଏବଂ ଆଧ୍ୟାତ୍ମିକବାଦୀ ଗୋଟିଏ ଆଲେଖ୍ୟରେ ଏକ ଜାହାଜ ଦୁର୍ଘଟଣା ସଂପର୍କରେ ଲେଖିଥିଲେ, ଯାହା ଟାଇଟାନିକ ଦୁର୍ଘଟଣା ସହିତ ମେଳ ଖାଇ ଯାଉଥିଲା।

ସେମିତି ଦୁର୍ଘଟଣାର ୧୪ ବର୍ଷ ପୂର୍ବରୁ ଏକ ଉପନ୍ୟାସ ପ୍ରକାଶିତ ହୋଇଥିଲା, ଯାହାର ଶୀର୍ଷକ ଥିଲା ‘ଦ ରେକ୍‌ ଅଫ୍ ଦ ଟାଇଟାନ୍‌’ ଅର୍ଥାତ୍‌ ‘ଟାଇଟାନ୍‌ର ଭଗ୍ନାବଶେଷ’। ଏହାର ଲେଖକ ଥିଲେ ଆମେରିକୀୟ ଲେଖକ ମୋର୍ଗାନ ରବର୍ଟସନ। ସେଥିରେ ମଧ୍ୟ ଟାଇଟାନିକ ବୁଡ଼ି ବିଷୟରେ ପୂର୍ବାନୁମାନ କଲା ଭଳି କାହାଣୀଟିଏ ଥିଲା। ଏ ଦୁଇଟି ଯାକ ଲେଖାର ଲେଖକ ସେମାନଙ୍କ ସ୍ବପ୍ନରେ ଏଭଳି ଦୁର୍ଘଟଣା ଦେଖିଥିଲେ। ଏଥିରେ ଯାହା ସର୍ବାଧିକ ବିସ୍ମୟକର, ତାହା ହେଲା ରବର୍ଟସନ ଯେଉଁ ଜାହାଜକୁ ସ୍ବପ୍ନରେ ବୁଡ଼ି ଯାଉଥିବାର ଦେଖିଥିଲେ ତହିଁରେ ବି ଅସଲ ‘ଟାଇଟାନିକ’ ଭଳି ଚାରିଟି ବିଶାଳ ଚିମନି ଥିଲା ଏବଂ ତା’ର ନାମ ଥିଲା ‘ଟାଇଟାନ୍‌’। କି ଅଦ୍ଭୁତ ସଂଯୋଗ!
ସ୍ବପ୍ନ ଅନେକ ସମୟରେ ବାସ୍ତବ ଦୁନିଆ ସହିତ ଏଭଳି ସଂଶ୍ଳିଷ୍ଟ ହୋଇଯାଏ ଯେ ତାହା ଅବିଶ୍ବାସ୍ୟ ଭଳି ମଧ୍ୟ ମନେ ହୋଇଥାଏ।

ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ କହିଥିଲେ ଯେ ତାଙ୍କ ଦ୍ବାରା ଉଦ୍ଭାବିତ ‘ଥିଓରି ଅଫ ରିଲେଟିଭିଟି’ ବା ‘ଆପେକ୍ଷିକ ତତ୍ତ୍ବ’ ସକାଶେ ଦୁଇଟି ସ୍ବପ୍ନ ତାଙ୍କର ସହାୟକ ହୋଇଥିଲେ। ପ୍ରଥମଟିରେ ସେ ଦେଖିଥିଲେ ଯେ ସେ ଗୋଟିଏ ପାହଡ଼ର ଶୀର୍ଷରୁ ଖସି ନିମ୍ନକୁ ଗତି କରୁଛନ୍ତି, ଯହିଁରେ ତାଙ୍କର ଗତି ବୃଦ୍ଧି ପାଇ ପରିଶେଷରେ ଆଲୋକର ବେଗ ସହିତ ସମାନ ହୋଇଯାଉଛି ଏବଂ ତା’ ସହିତ ହଠାତ୍ ଆକାଶର ତାରାଗୁଡ଼ିକର ରୂପାନ୍ତର ଘଟୁଛି। ସେମିତି ଦ୍ବିତୀୟ ସ୍ବପ୍ନଟି ଥିଲା ଗୋଠେ ଗାଈ ଗୋଟିଏ ବିଦ୍ୟୁତ୍‌ ପ୍ରବାହିତ ତାର ବାଡ଼କୁ ଅତିକ୍ରମ କରିବା ପରେ ସେମାନଙ୍କର ଆକାର ପରିବର୍ତ୍ତିତ ହେଉଛି। ଏହି ଦୁଇଟି ସ୍ବପ୍ନ ବିଜୁଳି ତୁଲ୍ୟ ଝଲସି ଉଠି ତାଙ୍କୁ ଏହି ଯୁଗାନ୍ତକାରୀ ତତ୍ତ୍ବ ଆବିଷ୍କାର କରିବାର ମାର୍ଗ ଦେଖାଇ ଦେଇଥିଲା।

ସେମିତି ଭାରତର ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଅନେକ ଥର ସ୍ୱୀକାର କରିଥିଲେ ଯେ ନିମଗିରି ନାମଧାରୀ ଜଣେ ଦେବୀ ତାଙ୍କୁ ସ୍ବପ୍ନରେ ଦେଖା ଦେଇ ଗଣିତର ଅନେକ ଜଟିଳ ସମୀକରଣର ସମାଧାନ ସଂପର୍କରେ ମାର୍ଗ ପ୍ରଦର୍ଶନ କରୁଥିଲେ। ରସାୟନ ବିଜ୍ଞାନର ଛାତ୍ରଛାତ୍ରୀମାନେ ‘ପିରିଅଡିକ ଟେବୁଲ’ ବିଷୟରେ ଜାଣନ୍ତି। ଏହା ରସାୟନ ବିଜ୍ଞାନ ପାଠକୁ ବୁଝିବାରେ ସହାୟକ ହୋଇଥାଏ। ବୈଜ୍ଞାନିକ ମେଣ୍ଡେଲିଫ ମୌଳିକ ପଦାର୍ଥକୁ ଶୃଙ୍ଖଳିତ ଭାବରେ ସଜାଇ ରଖିବାକୁ ଗବେଷଣା କରି କରି ଶେଷ ବେଳକୁ ହତାଶ ହୋଇ ଯାଇଥିଲେ। ତାଙ୍କୁ କିଛି ବାଟ ମିଳୁ ନ ଥିଲା। ଏତିକି ବେଳେ ହଠାତ ଦିନେ ସ୍ବପ୍ନରେ ସେ ଏହି ବାଟ ବା ସୂତ୍ରଟିକୁ ପାଇଗଲେ। ନିଦ ଭାଙ୍ଗିଗଲା। ସେ ତାହାକୁ କାଗଜରେ ଟିପି ପକାଇଲେ। ତାହା ଆଜିର ‘ପିରିଅଡିକ୍‌ ଟେବୁଲ’ ଭାବେ ଆମ ଆଗରେ ବିଦ୍ୟମାନ। ସେମିତି ପୃଥିବୀ ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ନିଲ୍ ବୋର ଆଣବିକ ଗଠନର ସ୍ବରୂପ ଆବିଷ୍କାର କରିଥିଲେ ଗୋଟିଏ ସ୍ବପ୍ନ ସାହାଯ୍ୟରେ। ଦିନେ କର୍ମକ୍ଳାନ୍ତ ହୋଇ ଶୋଇ ପଡ଼ିଥିବା ବେଳେ ସେ ସ୍ବପ୍ନରେ ସୌର ମଣ୍ଡଳକୁ ଦେଖିଲେ। ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଥିବା ଗ୍ରହ ଆଦିଙ୍କୁ ଦେଖିବା ପରେ ହଠାତ୍‌ ଯେମିତି ତାଙ୍କ ଆଗରେ ପ୍ରୋଟନ୍‌ ଓ ନିଉଟ୍ରନ ଦ୍ବାରା ଗଠିତ ନ୍ୟୁକ୍ଲିଅସ ଏବଂ ତାକୁ ପ୍ରଦକ୍ଷିଣ କରୁଥିବା ଇଳେକ୍ଟ୍ରନ୍‌ର ଆଭାସ ମିଳିଗଲା। ସେମିତି ଡି.ଏନ.ଏ.ର ସଂରଚନା, ସ୍ନାୟବିକ ଯୋଗଯୋଗ ପ୍ରଣାଳୀ, ବେଞ୍ଜିନ ଓ ଇନ୍‌ସୁଲିନ ଆଦିର ଆବିଷ୍କାର ସ୍ବପ୍ନ ମାଧ୍ୟମରେ ହୋଇଥିଲା।

କେବଳ ବିଜ୍ଞାନ ବା ବୈଜ୍ଞାନିକ ନୁହନ୍ତି, ମହାନ ଜର୍ମାନ ସଙ୍ଗୀତଜ୍ଞ ବିଥୋଭେନ ତାଙ୍କର ଅନେକ ଶ୍ରୁତିମଧୁର ସିଂଫୋନିମାନ ସ୍ବପ୍ନ ସୂତ୍ରରୁ ପାଇଥିବା ବିଷୟ କହି ଯାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ ଆତତାୟୀ ଗୁଳିରେ ନିହତ ହେବାର ଦୁଇ ସପ୍ତାହ ପୂର୍ବରୁ ଏହାର ସଂକେତ ସ୍ବପ୍ନରେ ପାଇଥିଲେ। ସେ ଏଭଳି ଏକ ଭୟ ବିଷୟରେ ନିକଟବର୍ତ୍ତୀ ଲୋକମାନଙ୍କୁ କହିଥିଲେ ମଧ୍ୟ। ଇତିହାସରେ ବର୍ଣ୍ଣିତ ଅଛି ଯେ ବୁଦ୍ଧଦେବଙ୍କର ଜନ୍ମ ପୂର୍ବରୁ ତାଙ୍କର ମାତା ଗୋଟିଏ ଧଳା ହାତୀକୁ ସ୍ବପ୍ନରେ ଦେଖିଥିଲେ। ପଣ୍ଡିତମାନେ ମତ ଦେଇଥିଲେ ଯେ ପୁଅ ରାଜ ଚକବର୍ତ୍ତୀ ହେ‌େବ। ସେହି ସ୍ବପ୍ନ ମଧ୍ୟ ସତ୍ୟ ହୋଇଥିଲା। ବୁଦ୍ଧ ରାଜଗାଦିରେ ନ ବସି ମଧ୍ୟ କୋଟି ହୃଦୟ ଜିଣିଥିବା ପ୍ରକୃତ ରାଜ ଚକ୍ରବର୍ତ୍ତୀରେ ପରିଣତ ହୋଇଥିଲେ।
ମୋ: ୯୯୩୭୮୬୩୫୨୮

ସମ୍ବନ୍ଧିତ ଖବର