ଗୋଟିଏ ମାନହାନି ମକଦ୍ଦମାର ବିଚାର କରି ସୁରତର ଏକ ନିମ୍ନ ଅଦାଲତ ଦ୍ବାରା କ˚ଗ୍ରେସ ନେତା ତଥା ଵାଇନାଡ଼ର (ପୂର୍ବତନ) ସା˚ସଦ ରାହୁଳ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିବା ଦୁଇ ବର୍ଷର କାରାଦଣ୍ତାଦେଶ ସମଗ୍ର ଦେଶରେ ଯେତିକି ଚାଞ୍ଚଲ୍ୟ ସୃଷ୍ଟି କରି ନ ଥିଲା, ତା’ ଠାରୁ ଅଧିକ ଚାଞ୍ଚଲ୍ୟର କାରଣ ହୋଇଛି ଏହି ଦଣ୍ତାଦେଶ ଆସିବାର ଚବିଶ ଘଣ୍ଟା ନ ପୂରୁଣୁ ତାଙ୍କ ସା˚ସଦ ପଦକୁ ଅଗତ୍ୟା ରଦ୍ଦ କରି ଦିଆଯିବା ଭଳି ଏକ ଆଦେଶ। ସା˚ପ୍ରତିକ ଧ୍ରୁବୀକୃତ ରାଜନୈତିକ ବାତାବରଣରେ ଏହି ଦଣ୍ତାଦେଶର ମାତ୍ରା, ଏଭଳି ଏକ ଦଣ୍ତ ବ୍ୟବସ୍ଥାର ଯୌକ୍ତିକତା, ଏହା ଦ୍ବାରା ରାହୁଳ ଗାନ୍ଧୀଙ୍କ ରାଜନୈତିକ ଭବିଷ୍ୟତ ନେଇ ସୃଷ୍ଟ ଅନିଶ୍ଚିତତା ଇତ୍ୟାଦିକୁ କେନ୍ଦ୍ର କରି ଘମାଘୋଟ ଆଲୋଚନା ଗଣମାଧୢମ, ସୋସିଆଲ ମିଡିଆ, ଭାବଗମ୍ଭୀର ଜନ-ମଞ୍ଚରୁ ଆରମ୍ଭ କରି ଛକର ଗୁଲିଖଟି ଆସର ପର୍ଯ୍ୟନ୍ତ ସ୍ଥାନକୁ ବସ୍ତୁତଃ ବ୍ୟାଖ୍ୟକାରମାନଙ୍କ କ୍ରୀଡ଼ାଙ୍ଗନରେ ପରିଣତ କରି ଦେଇଥିବା ବେଳେ ସହସା ଏଭଳି ଏକ ଆଦେଶ ତହିଁରେ ନିରବତା ସୃଷ୍ଟି କରି ସଂଦର୍ଭର ପରିସରକୁ ପରିବ୍ୟାପ୍ତ କରି ପକାଇଛି।
ଅବଶ୍ୟ ଏହା ସତ ଯେ ଭାରତ ଜନ ପ୍ରତିନିଧି ଆଇନର ଧାରା ୮(୩) ଅନୁସାରେ ସର୍ବନିମ୍ନ ଦୁଇ ବର୍ଷର ଜେଲ ଦଣ୍ତାଦେଶ ଜଣେ ଜନ ପ୍ରତିନିଧିଙ୍କୁ ତାଙ୍କ ପଦରୁ ବହିଷ୍କାର କରି ପାରିବ, ଏବ˚ ସେହି ଦଣ୍ଡାଦେଶର ଯୌକ୍ତିକତାକୁ ନେଇ ସର୍ବଶେଷ ଅଦାଲତଙ୍କ ଚୂଡ଼ାନ୍ତ ନିର୍ଣ୍ଣୟ ପରେ ଯାଇ ତାଙ୍କ ଭାଗ୍ୟ ନିର୍ଦ୍ଦିଷ୍ଟ ଭାବେ ସ୍ଥିରୀକୃତ ହୋଇପାରିବ। କିନ୍ତୁ ରାହୁଳ ଗାନ୍ଧୀଙ୍କ କ୍ଷେତ୍ରରେ ବିଚାରପତି ମହୋଦୟ ଏହି ଦଣ୍ତାଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ ୩୦ ଦିନର ମହଲତ ପ୍ରଦାନ କରିବା ସହିତ ସେହି ସମୟସୀମା ମଧୢରେ ଉଚ୍ଚତର ଅଦାଲତରେ ଅପିଲ କରିବା ଓ ଏହି ଆଦେଶ ଉପରେ ରହିତାଦେଶ ଆଣିବାର ସୁଯୋଗ ପ୍ରଦାନ କରିଥିଲେ। କିନ୍ତୁ ଏଭଳି ପ୍ରୟାସ କରାଯିବା ପୂର୍ବରୁ ହିଁ ରାହୁଳଙ୍କ ସା˚ସଦ ପଦକୁ ରଦ୍ଦ କରି ଦିଆଯାଇଛି। ସୁତରା˚, ଏହାର ବୈଧତାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଯାଇଛି, ଯାହାର ସମାଧାନର ମାର୍ଗ କେବଳ ଉଚ୍ଚତମ ଅଦାଲତରୁ ନିର୍ଦ୍ଦିଷ୍ଟ ରୂପେ ମିଳିବାର ଆଶା ରହିଛି; ଯେଉଁଥି ଲାଗି ଏକ ଦୀର୍ଘ ସ˚ଘର୍ଷ ରାହୁଳଙ୍କ ସକାଶେ ପ୍ରତୀକ୍ଷା କରି ରହିଛି ବୋଲି ବୋଧ ହୋଇଥାଏ।
ଏହା ବର୍ତ୍ତମାନ ସର୍ବଜନବିଦିତ ଯେ ୨୦୧୯ ମସିହାରେ କର୍ଣ୍ଣାଟକର କୋଲାର ଠାରେ ଏକ ନିର୍ବାଚନୀ ସଭାରେ ଭାଷଣ ପ୍ରଦାନ କରୁଥିବା ବେଳେ ରାହୁଳଙ୍କ ଦ୍ବାରା ପଚରା ଯାଇଥିବା ଏକ ପ୍ରଶ୍ନ ଏହି ମାନହାନିର କାରଣ ହୋଇଥିଲା, ଯାହା ଥିଲା ଏହିଭଳି: ସବୁ ତକ ଚୋର ମୋଦୀ ହେଲେ କିଭଳି?’ ଏଠାରେ ପ୍ରକାଶଯୋଗ୍ୟ ଯେ ରାହୁଳ ତାଙ୍କ ଭାଷଣ କ୍ରମରେ ଅନ୍ୟାନ୍ୟଙ୍କ ମଧୢରେ ବ୍ୟାଙ୍କ ଠକେଇ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦୀ, ଆଇ.ପି.ଏଲ୍.ର ପୂର୍ବତନ ମୁଖ୍ୟ ଲଳିତ ମୋଦୀ ଏବ˚ ସେହି ସମ-ଶ୍ବାସରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଉଚ୍ଚାରଣ କରି ପ୍ରସଙ୍ଗତଃ ଏହି ବିବାଦୀୟ ପ୍ରଶ୍ନଟି ପଚାରିଥିଲେ। ସୁତରା˚, ଏହି କଟାକ୍ଷ ଭରା ପ୍ରଶ୍ନଟି ମୋଦୀ ସାଙ୍ଗିଆ ଧାରଣ କରିଥିବା ସମୁଦାୟ ଗୋଷ୍ଠୀ ସକାଶେ ଅପମାନସୂଚକ ବୋଲି ଦର୍ଶାଇ ପୂର୍ଣ୍ଣେଶ ମୋଦୀ ନାମକ ଗୁଜରାଟର ଜଣେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଏହି ମାମଲାଟି ଦାଖଲ କରିଥିଲେ।
ପ୍ରକାଶ ଥାଉ କି ଅଦାଲତରେ ରାହୁଳ ଗାନ୍ଧୀ କହିଥିଲେ ଯେ ଏଭଳି ମନ୍ତବ୍ୟ ଦେଇ କୌଣସି ଗୋଷ୍ଠୀକୁ ଅପମାନ ପ୍ରଦାନ କରିବାର ତାଙ୍କର ଆଦୌ କୌଣସି ଉଦ୍ଦେଶ୍ୟ ନ ଥିଲା। ଏହା ମଧୢ ହୃଦୟଙ୍ଗମ କରି ହୋଇଥାଏ ଯେ ନିର୍ବାଚନ ପ୍ରଚାରର ଉଚ୍ଚାଟ ଆତିଶଯ୍ୟରେ ଅଗତ୍ୟା ରାହୁଳ ଗାନ୍ଧୀ ଏଭଳି ଏକ ମନ୍ତବ୍ୟ ପ୍ରଦାନ କରିଥିବେ! କିନ୍ତୁ ଏହି ସଫେଇ ବିଚାରପତି ମହୋଦୟଙ୍କ ହୃଦ୍ବୋଧ ହୋଇ ନ ଥିଲା, ଯାହାର ପ୍ରମାଣ ଏହି ଦଣ୍ଡାଦେଶ।
ଯଦିଓ ଏହି ମାମଲାଟି ଏକ ସାଧାରଣ ମାନହାନି ମକଦ୍ଦମା ଭଳି ପ୍ରତୀତ ହୋଇଥାଏ, ଏହା ପଛରେ ରାଜନୈତିକ ଅଭିସନ୍ଧି ଥିବାର ଆରୋପ ମଧୢ ସୃଷ୍ଟି ହେଲାଣି।
କାରଣ, ୨୦୧୯ ମସିହାରେ ରୁଜୁ ହୋଇଥିବା ଏହି ମାମଲାର ‘ପିଟିସନର୍’ ବା ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀ ସ୍ବୟ˚ ନିଜ ପକ୍ଷରୁ ରହିତାଦେଶ ଆଣି ବିଚାର ପ୍ରକ୍ରିୟାକୁ ବିଳମ୍ବିତ କରାଇ ଚାଲିଥିଲେ (ଯାହା ସାଧାରଣତଃ ଅଭିଯୁକ୍ତମାନେ ହିଁ କରିଥାଆନ୍ତି), ଯେଉଁ କାରଣରୁ ଚଳିତ ବର୍ଷ ମାମଲାର ରାୟ ଆସି ୨୦୨୪ ମସିହାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନରେ ରାହୁଳଙ୍କ ଅ˚ଶଗ୍ରହଣକୁ ଅନିଶ୍ଚିତ କରି ପକାଇଛି। ସେହିଭଳି ଏହି ଅବଧି ମଧୢରେ ବିଚାରପତିମାନଙ୍କ ବଦଳି ମଧୢ ଘଟିଛି, ଯେଉଁ ସ˚ଦର୍ଭକୁ କ˚ଗ୍ରେସ ପକ୍ଷରୁ ସନ୍ଦେହ ଭରା ଦୃଷ୍ଟିରେ ଦେଖାଯାଉଛି। ସେହିଭଳି ଏହି ମାମଲା ସକାଶେ ଉଦ୍ଦିଷ୍ଟ ସର୍ବାଧିକ ଦଣ୍ତର ପ୍ରାବଧାନ ଦୁଇ ବର୍ଷର କାରାବାସକୁ ରାହୁଳ ଗାନ୍ଧୀଙ୍କୁ ପ୍ରଦାନ କରାଯିବା ଏବଂ ତା’ ଆଧାରରେ ତାଙ୍କ ସା˚ସଦ ପଦକୁ ରଦ୍ଦ କରି ଦିଆଯିବା ମଧ୍ୟ ଅନେକ ସନ୍ଦିଗ୍ଧ ପ୍ରଶ୍ନ ଉତ୍ଥାପନ କରିଥାଏ।
ସ୍ବାଭାବିକ ଭାବେ ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ସନ୍ତୋଷ ପ୍ରକାଶ କରି ରାହୁଳ ଗାନ୍ଧୀଙ୍କୁ ଅଭ୍ୟାସଗତ ଅପମାନସୂଚକ ମନ୍ତବ୍ୟ ପ୍ରଦାନକାରୀ ରୂପେ ଅଭିହିତ କରାଯାଇଛି। କିନ୍ତୁ କିଞ୍ଚିତ ଆତ୍ମ-ନିରୀକ୍ଷଣ କଲେ ଏହି ଦଳକୁ ଦିଶି ଯାଇପାରେ କିଭଳି ‘ନେହରୁ-ଗାନ୍ଧୀ’ ପରିବାରକୁ ନେଇ ଦଳର ବରିଷ୍ଠ ଓ ସମ୍ମାନାସ୍ପଦ ନେତାମାନଙ୍କ ଦ୍ବାରା ବିଭିନ୍ନ ସମୟରେ ପ୍ରଦାନ କରାଯାଇଥିବା ମନ୍ତବ୍ୟମାନ ଦୁର୍ବାର ପୂର୍ବାଗ୍ରହ ପ୍ରସୂତ ଏବଂ ଅନେକ ସମୟରେ ଶାଳୀନତା, ଶିଷ୍ଟାଚାର ଏବ˚ ସୌଜନ୍ୟର ସୀମା ଲ˚ଘନ କରିଥାଏ; ଏବଂ ଯହିଁରେ ସେହି ପରିବାରର ପିତୃତ୍ବ, ବ˚ଶ ବୁନିଆଦି, ଗୋତ୍ର ଇତ୍ୟାଦି ସମସ୍ତ ବିଷୟ ତୀବ୍ର କଟାକ୍ଷ ଓ ଚରିତ୍ର ସ˚ହାରର ଶିକାର ହୋଇଥାଏ। ଏଠାରେ ୨୦୨୦ ମସିହାର ଏକ ନିର୍ବାଚନୀ ସଭାରେ ଜନୈକ ବିଜେପି କେନ୍ଦ୍ର ମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଭାଷଣ ସ୍ମରଣକୁ ଆସିଥାଏ, ଯହିଁରେ ସେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ‘ଗଦ୍ଦାର’ ବୋଲି ସ˚ବୋଧନ କରି ସେମାନଙ୍କୁ ଗୁଳି ମାରି ଦେବା ଲାଗି ଆହ୍ବାନ ଦେଇଥିଲେ। ତହିଁରେ ତଥାକଥିତ ‘ଗଦ୍ଦାର’ମାନଙ୍କ ଲାଗି ବ୍ୟବହୃତ ବିଶେଷଣଟି ସମସ୍ତ ସ˚ଭ୍ରମତା ବହିର୍ଭୂତ ଥିବା ସତ୍ତ୍ବେ ଏ ସ˚ପର୍କିତ କେତେକ ମାମଲାରେ ଦିଲ୍ଲୀର ଅଦାଲତଗୁଡ଼ିକ ରାୟ ଶୁଣାଇଥିଲେ ଯେ ନିର୍ବାଚନ ପ୍ରଚାରର ଅତ୍ୟୁତ୍ସାହରେ ଏଭଳି ବକ୍ତବ୍ୟମାନ ମୁଖ ନିସୃତ ହୋଇ ଯାଇପାରେ! କିନ୍ତୁ ରାହୁଳଙ୍କ କ୍ଷେତ୍ରରେ ଏଭଳି ଘଟିଲା ନାହିଁ!
ଗୁଜରାଟର ଏକ ଅଦାଲତ ଦ୍ବାରା ପ୍ରଦତ୍ତ ଏହି ଦଣ୍ତାଦେଶ ଫଳରେ ଏଭଳି ଧାରଣା ସୃଷ୍ଟି ହେବା ସମ୍ଭବ ଯେ ହୁଏ’ତ କେ˚ବ୍ରିଜ୍ରେ ରାହୁଳ ଗାନ୍ଧୀଙ୍କ ଦ୍ବାରା ସୃଷ୍ଟ ବ୍ୟାଖ୍ୟାନ ଅମୂଳକ ନ ଥିଲା, ଯହିଁରେ ସେ କହିଥିଲେ ଯେ ଭାରତର ସା˚ବିଧାନିକ ଅନୁଷ୍ଠାନଗୁଡ଼ିକ ଦ୍ରୁତ ଅବକ୍ଷୟିଷ୍ଣୁ ଓ ସରକାରୀ ନିୟନ୍ତ୍ରଣ ଅଧୀନରେ ଏବ˚ ରାଜନୈତିକ ବିରୋଧୀମାନଙ୍କ ମୁକ୍ତ ଅଭିବ୍ୟକ୍ତିର କଣ୍ଠରୋଧ ସକାଶେ ସେଗୁଡ଼ିକୁ ହିଁ ବ୍ୟବହାର କରାଯାଉଛି। ସତ କଥା ହେଲା, ରାଜନୈତିକ ବାଦ-ବିବାଦ ପରିପ୍ରେକ୍ଷୀରେ ଅନେକ ସମୟରେ ଅତ୍ୟନ୍ତ ଅପମାନସୂଚକ ଓ ବ୍ୟକ୍ତିଗତ କୁତ୍ସା ଓ ଆକ୍ଷେପମାନ ଶୁଣିବାକୁ ମିଳିଥାଏ। ସେଭଳି ତୀବ୍ରତାର ମାପରେ ଅପେକ୍ଷାକୃତ ନିରୀହ ଭଳି ମନେ ହେଉଥିବା ରାହୁଳଙ୍କ ମନ୍ତବ୍ୟ ଲାଗି ସେ ଏଭଳି ଦଶା ଭୋଗିବା ପ୍ରକାରାନ୍ତରେ ତାଙ୍କ କେଂବ୍ରିଜ୍ ଭାଷଣକୁ ହିଁ ସାବ୍ୟସ୍ତ କରୁଛି। ଏହି ସଂଦର୍ଭରେ ଜଣେ ପ୍ରବୀଣ ନେତାଙ୍କ କଟାକ୍ଷ ମଧ୍ୟ ସ୍ମରଣକୁ ଆସିଥାଏ, ଯିଏ ରାହୁଳଙ୍କ କେଂବ୍ରିଜ୍ ଭାଷଣ ସକାଶେ ତାଙ୍କୁ ‘ମିର ଜାଫର’ (ପଲାସୀ ଯୁଦ୍ଧର ବିଶ୍ବସଘାତକ ସେନାପତି) ବୋଲି ନିର୍ଭୟ ଦର୍ପର ସହିତ ଅଭିହିତ କରିଛନ୍ତି। ଏହା ହିଁ ସେହି ପ୍ରଭେଦକୁ ରେଖାଙ୍କିତ କରିଥାଏ ଯେ ଏଭଳି ମନ୍ତବ୍ୟ ପ୍ରଦାନକାରୀ ଜଣକ ଅନ୍ୟ କୌଣସି ଦଳର ନେତା ନୁହନ୍ତି; ସେ ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ସଦସ୍ୟ! ଏହା ସହିତ ରାହୁଳ ହେବାର ଭାଗ୍ୟ ମଧୢ ପ୍ରା˚ଜଳତା ଲାଭ କରିଥାଏ।