ଗଣତନ୍ତ୍ରର ସ୍ବାସ୍ଥ୍ୟ ଏଭଳି କାହିଁକି

କୁମାର ପ୍ରଶାନ୍ତ

ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତି ଆସିଲା ଯେ ବର୍ତ୍ତମାନ ନିର୍ବାଚନ କମିଶନର୍‌, ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅମଲାତନ୍ତ୍ରରେ ଥିବା ତୋଷାମୋଦିଆଙ୍କ ତାସ୍ ଫେଣ୍ଟି ନୁହେଁ, ବରଂ ତିନିଜଣିଆ କମିଟି ଦ୍ବାରା ମନୋନୀତ ହେବେ। ଏ ବାବଦରେ ସଂସଦ ଦେଶ ଆଗରେ ନୂଆ ଆଇନ ନ ରଖିଲା ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ। ସ୍ବାଧୀନ ଭାରତ ଇତିହାସରେ ଏପରି ପ୍ରଥମ ଥର ଘଟିଲା କି ନ୍ୟାୟପାଳିକା ଏଭଳି ଆଦେଶ ଦେଇ ବ୍ୟବସ୍ଥାପିକାକୁ ତାହାର ଭୂମିକା ତଥା ମର୍ଯ୍ୟାଦା ସମ୍ପର୍କରେ ସଚେତନ କରାଇଛି।

ସର୍ବୋଚ୍ଚ ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ସତ୍ତାଧାରୀ ପକ୍ଷରେ ସଂପୂର୍ଣ୍ଣ ନିରବତା ଛାଇଯାଇଛି। ବିରୋଧୀମାନେ ମଧ୍ୟ ଅଳ୍ପ କିଛି ପ୍ରତିକ୍ରିୟା ବ୍ୟତୀତ ଅଧିକ କିଛି କହିନାହାନ୍ତି। ତେବେ ଏପରି ନିରବତା କାହିଁକି? ଏଇଥି ପାଇଁ ଯେ, ସମସ୍ତେ ଜାଣିଛନ୍ତି କି ଏହି ନିଷ୍ପତ୍ତି ଉଭୟ ସତ୍ତାପକ୍ଷ ଓ ବିପକ୍ଷଙ୍କୁ ଅସୁବିଧାରେ ପକାଉଛି। ଯେଉଁ ଗାଧୁଆଘରେ ସମସ୍ତେ ଉଲଗ୍ନ, ସେଠି ତଉଲିଆ ବିଷୟରେ ପଚାରିବା ସମସ୍ତଙ୍କ ନଗ୍ନତାକୁ ପ୍ରକାଶ କରିଥାଏ।
ସର୍ବୋଚ୍ଚ ଅଦାଲତଙ୍କ ଏହି ନିଷ୍ପତ୍ତି ସତ୍ତାପକ୍ଷ ଦଳର ଉଦ୍ଦେଶ୍ୟ ପ୍ରତି କଠୋର ଟିପ୍ପଣୀ କରିଛି। ଏହି ଟିପ୍ପଣୀ ଏପରି କଠୋର ତଥା ମର୍ମଘାତୀ ଯେ, ଯଦି ଆମ ଶାସନ ବ୍ୟବସ୍ଥାରେ କିଛି ବି ଆତ୍ମା ବଞ୍ଚି ରହିଥା’ନ୍ତା, ତେବେ ନିର୍ବାଚନ ଆୟୋଗର ବର୍ତ୍ତମାନର ଅଧ୍ୟକ୍ଷ କେବେଠାରୁ ଇସ୍ତଫା ଦେଇସାରନ୍ତେଣି! ସରକାରଙ୍କର ଯଦି କିଛି ଲୋକତାନ୍ତ୍ରିକ ଚରିତ୍ର ଥାଆନ୍ତା, ତେବେ ଏହି ନିଷ୍ପତ୍ତି ପରେ ସରକାର ତୁରନ୍ତ ନିର୍ବାଚନ ଆୟୋଗକୁ ଭାଙ୍ଗି ଦେଇଥାନ୍ତେ ଏବଂ ପ୍ରଧାନମନ୍ତ୍ରୀ-ବିପକ୍ଷ ନେତା-ପ୍ରଧାନ ନ୍ୟାୟାଧୀଶଙ୍କ ଦ୍ବାରା ଗଠିତ ସମିତି ରାତାରାତି ବସି ନୂତନ ନିର୍ବାଚନ ଆୟୋଗ ଗଠନ କରିସାରିଥା’ନ୍ତେ। ଏପରି ହୋଇଥିଲେ, ସତ୍ତାଧାରୀ ପକ୍ଷକୁ ନିଜର ବିକୃତ ଲୋକତାନ୍ତ୍ରିକ ଛବି ସୁଧାରିବାର ତଥା ନିର୍ବାଚନ ଆୟୋଗକୁ ନିଜର ହାସ୍ୟାସ୍ପଦ ସ୍ଥିତିରୁ ମୁକୁଳିବାର ସୁଯୋଗ ମିଳିଥା’ନ୍ତା। ମାତ୍ର ଯେଉଁ ଲୋକତାନ୍ତ୍ରିକ ଆତ୍ମା କୋଉଠି ବଞ୍ଚିନାହିଁ, ତାହାର କୌଣସି ଢେଉ ଉଠିବ ବା କେମିତି? ଆମ ସଂସଦରେ ବି ଏତିକି ନୈତିକ ଶକ୍ତି ବଞ୍ଚିନାହିଁ, ଯିଏ ନିଜକୁ ସୁଧାରିନେବ ଏବଂ ନିଜ ଲାଇନଚ୍ୟୁତ ଗାଡ଼ିକୁ ପୁଣି ଧାରଣାକୁ ଫେରାଇ ଆଣିବ।

ଗଣତନ୍ତ୍ରର ବିଧି ଏଇଆ ଯେ, ସଂଖ୍ୟାଗରିଷ୍ଠତାର ଶକ୍ତି ଉପରେ ସଂସଦ ଗଠିତ ହୋଇଥିଲେ ବି ତାହା ପାରସ୍ପରିକ ବିଶ୍ବାସ ଓ ସହଯୋଗର ଶକ୍ତି ଉପରେ ଚାଲିଥାଏ। ଯଦି ଏପରି ହୋଇନଥା’ନ୍ତା, ତେବେ ଭାରତ ସଂସଦର ଇତିହାସରେ ସର୍ବାଧିକ ସଂଖ୍ୟାଗରିଷ୍ଠତା ଭିତ୍ତିରେ ଗଠିତ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସରକାର ତାସମୁଠା ପରି ଛିନ୍ନଛତ୍ର ହୋଇଯାଇନଥା’ନ୍ତା। ସେଥିପାଇଁ ଗଣତାନ୍ତ୍ରିକ ନୈତିକତା ଦାବି କରେ ଯେ ସାଂବିଧାନିକ ସଂସ୍ଥାଗୁଡ଼ିକ ପରସ୍ପରକୁ ଶୁଣନ୍ତୁ, ପରସ୍ପରକୁ ସମ୍ମାନ କରନ୍ତୁ।

ଯେଉଁ ସଂସଦୀୟ ଗଣତନ୍ତ୍ରର ହୀରକ ଜୟନ୍ତୀ ପାଳନ କରିବା ପାଇଁ ଆମେ ପ୍ରସ୍ତୁତ ହେଉଛନ୍ତି, ତାହା ଏତେ ବର୍ଷ ଭିତରେ ଆମକୁ ଏକଥା ମଧ୍ୟ ଶିଖାଇ ପାରି ନାହିଁ ଯେ ଆମର ସମସ୍ତ ସାଂବିଧାନିକ ସଂସ୍ଥା ସଂବିଧାନରୁ ହିଁ ଜାତ ହୋଇଛନ୍ତି। ସେଥିପାଇଁ ସେମାନଙ୍କ ଭିତରୁ କେହି ବି ସାର୍ବଭୌମ ନୁହେଁ। ସାର୍ବଭୌମ ହେଉଛନ୍ତି ଏଇ ଦେଶର ଜନତା, ଯେଉଁମାନେ ନିଜର ସଂବିଧାନ ଗଢ଼ିଛନ୍ତି ଏବଂ ନିଜ ଉପରେ ତାହାକୁ ଲାଗୁ କରିଛନ୍ତି। ତେଣୁ ଏଇ ସଂବିଧାନ ସମସ୍ତଙ୍କର ଜନକ। ସେଇ ଜନକଙ୍କର ସୁରକ୍ଷା ହେଉଛି ସମସ୍ତଙ୍କର ଦାୟିତ୍ବ, ମାତ୍ର ନ୍ୟାୟପାଳିକା ହେଉଛି ତାହାର ସ୍ବତନ୍ତ୍ର ପ୍ରହରୀ।

ସଂବିଧାନ ଦ୍ବାରା ଯେତିକି ସଂସ୍ଥା ଗଠିତ ହୋଇଛି, କାହାକୁ ସାର୍ବଭୌମ କରି ଗଢ଼ାଯାଇନି, ବରଂ ସମସ୍ତେ ପରସ୍ପରକୁ ଅବଲମ୍ବନ କରିବା ପାଇଁ ନିର୍ଦ୍ଧାରିତ ହୋଇଛି। ସମସ୍ତଙ୍କର ଲାଞ୍ଜ ପରସ୍ପର ସହ ଛନ୍ଦା ଯାଇଛି। ଆଇନ ତିଆରି କରିବା ପାଇଁ ବ୍ୟବସ୍ଥାପିକା ହେଉଛି ସର୍ବୋଚ୍ଚ ସଂସ୍ଥା; ସେହି ଆଇନର ବୈଧତା ଯାଞ୍ଚ କରିବା ଲାଗି ନ୍ୟାୟପାଳିକା ହେଉଛି ସର୍ବୋଚ୍ଚ ସଂସ୍ଥା। ନ୍ୟାୟପାଳିକାର କୌଣସି ବି ନିଷ୍ପତ୍ତିକୁ ସଂସଦ ଅଗ୍ରାହ୍ୟ କରିଦେଇପାରେ, ମାତ୍ର ସଂସଦ ଏମିତି କୌଣସି ନିଷ୍ପତ୍ତି ନେଇପାରିବ ନାହିଁ ଯଦ୍ଦ୍ବାରା ଆମ ସଂବିଧାନର ମୌଳିକ ଢାଞ୍ଚା ପ୍ରଭାବିତ ହେବ। କେବଳ ନ୍ୟାୟପାଳିକା ହିଁ ସ୍ଥିର କରିପାରିବ କି ଏହି ଲକ୍ଷ୍ମଣରେଖା କେବେ, କେଉଁଠି ଓ କାହା ଦ୍ବାରା ଅତିକ୍ରାନ୍ତ ହୋଇଛି।

ବ୍ୟବସ୍ଥାପିକାର ନିର୍ଦ୍ଦେଶ ମତେ କାର୍ଯ୍ୟପାଳିକା କାମ କରିଥାଏ, ମାତ୍ର ଏହା ଦରମା-ପଦୋନ୍ନତି-ପେନ୍‌ସନ୍‌ ପଛରେ ଗୋଡ଼ାଉଥିବା ତୋଷାମଦକାରୀଙ୍କ ଗୋଷ୍ଠୀ ନୁହେଁ। ଅସାଂବିଧାନିକ ନିର୍ଦ୍ଦେଶ ମାନିବାକୁ ଏହା ନାଚାର ନୁହେଁ। ଅନୈତିକ ତଥା ଅସାଂବିଧାନିକ ନିର୍ଦ୍ଦେଶକୁ ଅସ୍ବୀକାର କରିବା ଲାଗି ତାହାର ନୈତିକ ବଳ ରହିବା ଜରୁରୀ। ତାହା ମଧ୍ୟ ନ୍ୟାୟପାଳିକାର ସହାୟତା ନେବାକୁ ମୁକ୍ତ।

ଗଣତନ୍ତ୍ରର ବିକାଶ ପ୍ରକ୍ରିୟାରେ ଏକ ଚତୁର୍ଥ ସ୍ତମ୍ଭ ମଧ୍ୟ ବିକଶିତ ହୋଇଛି, ଯାହାକୁ ଆଜି ଗଣମାଧ୍ୟମ କୁହାଯାଏ। ଏହି ଗଣମାଧ୍ୟମ ସ୍ବାଧୀନତା, ସାହସ ଓ ବିବେକର ତିନିଟି ସ୍ତମ୍ଭ ଉପରେ ନିର୍ଭର କରେ, ଯାହା ସ୍ବୟଂଶାସିତ ଏବଂ ସ୍ବାଧୀନ, ମାତ୍ର ସେ ଲେଖୁଥିବା-କହୁଥିବା-ଦେଖୁଥିବା ପ୍ରତିଟି ଶବ୍ଦ ପାଇଁ ସମାଜ, ନ୍ୟାୟପାଳିକା ଓ ସଂସଦ ପାଖରେ ଉତ୍ତରଦାୟୀ। ସଂବିଧାନ ଦ୍ବାରା ସୃଷ୍ଟ ଏହି ଚାରି ଜଣଙ୍କ ଭିତରେ ଆଶ୍ଚର୍ଯ୍ୟଜନକ ସ୍ବାଧୀନତା ଓ ଅନ୍ତର୍ନିର୍ଭରଶୀଳତା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସାଂବିଧାନିକ ଅନୁଷ୍ଠାନ ନିଜସ୍ବ ଆକଳନ କରିବା ବାଞ୍ଛନୀୟ।

ଆମେ ଆମର ନ୍ୟାୟପାଳିକାକୁ ଏହି ଆଲୋକରେ ଦେଖିବା ଉଚିତ ଏବଂ ନ୍ୟାୟପାଳିକା ଏହି ଆଇନାରେ ନିଜର ଚେହେରା ଦେଖିବା ଉଚିତ। ଯେତେବେଳେ ଆମେ ଆମର ନ୍ୟାୟପାଳିକାକୁ ଏହି ଆଲୋକରେ ଦେଖୁଛନ୍ତି, ଆମର ଅବସୋସ ହେଉଛି; ନ୍ୟାୟପାଳିକା ଯେବେ ଏହି ଦର୍ପଣରେ ନିଜକୁ ଦେଖିବ, ସେତେବେଳେ ସେ ଭୟଭୀତ ହେବ। ମନୁଷ୍ୟ ହେଉଛି ଅନେକ ଦୁର୍ବଳତାର ମୂର୍ତ୍ତି- ତାହା ପୁଣି ଏତେ ମାତ୍ରାରେ ଯେ କୁହାଯାଏ- ଭୁଲ୍‌ କରିବା ହେଉଛି ମନୁଷ୍ୟ ହେବାର ପରିଚୟ ବା ‘ଟୁ ଏର୍‌ ଇଜ୍‌ ହ୍ୟୁମାନ’। ଏହା ଜାଣିସାରିବା ଓ ଗ୍ରହଣ କରିବା ପରେ ମଧ୍ୟ ଆମେ ଏପରି କିଛି ସଂସ୍ଥା ଗଢ଼ିଛନ୍ତି, ଏପରି କିଛି ପଦ ସୃଷ୍ଟି କରିଛନ୍ତି, ଯାହାର ନୈତିକ ଦାୟିତ୍ବ ହେଉଛି ସାଧାରଣ ମଣିଷର ଦୁର୍ବଳତା ଊର୍ଦ୍ଧ୍ବକୁ ଉଠି ଚିନ୍ତା କରିବା ଏବଂ ବ୍ୟବହାର କରିବା।

ପକେଟ୍‌ମାର ହେଉଛି ଲୋଭ ଓ ଅସାଧୁତା ପରି ମାନବୀୟ ଦୁର୍ବଳତାର ଏକ ଉଦାହରଣ। ଗହଳିର ଫାଇଦା ନେଇ ଜଣେ ଅନ୍ୟ କାହା ପକେଟରୁ ଚୋରି କରିଥାଏ। ତାହାର ହିସାବ ନିକାଶ ସର୍ବସାଧାରଣ ଜନତା ଓ ପୁଲିସ କରିଥା’ନ୍ତି। ମାତ୍ର ପୁଲିସ ଯଦି ପକେଟମାର ହୋଇଯାଏ, ତେବେ ଆମେ କ’ଣ କରିବା? ସେଥିପାଇଁ ପୁଲିସକୁ ସେଭଳି ପ୍ରଶିକ୍ଷଣ ଦେବା ଜରୁରୀ ଏବଂ ତା’ଠାରେ ଏଭଳି ଦାୟିତ୍ବବୋଧ ଭରି ଦିଆଯିବା ଦରକାର କି, ସେ ସାମାନ୍ୟ ମାନବୀୟ ଦୁର୍ବଳତାର ଊର୍ଦ୍ଧ୍ବକୁ ଉଠିଯାଇ କର୍ତ୍ତବ୍ୟ ପାଳନ କରିବ। ଯେତେବେଳେ ପୁଲିସ ସେଭଳି ବିଚାର ଅନୁଯାୟୀ କାମ କରେନାହିଁ, ସେତେବେଳେ ଆମେ ତାହାର ପ୍ରଶିକ୍ଷଣ ପାଇଁ ନୂତନ ଯୋଜନା ଉପରେ କାମ କରିଥାଉ। ଏହି ଉଦ୍ୟମ ଅଧୀନରେ ସମସ୍ତ ଆରକ୍ଷୀ ଆୟୋଗ ଗଢ଼ାଯାଇଛି।

ବ୍ୟବସ୍ଥାପିକା, ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା କ୍ଷେତ୍ରରେ ମଧ୍ୟ ଏପରି ହୋଇଥାଏ। ସେମାନଙ୍କୁ ଭିତରୁ ଓ ବାହାରୁ ନିରନ୍ତର ଜଗାଯିବା ଉଚିତ। ଆମ ନ୍ୟାୟପାଳିକା ନିଜର ଜଗାରଖା କେମିତି କରୁଛି? ତାହା ନିର୍ବାଚନ ଆୟୋଗ ଗଠନ ବାବଦରେ ଯେଉଁ ନିଷ୍ପତ୍ତି ଆଜି ଶୁଣାଇଲା ତାକୁ ସେଇ ରୋଗ କ’ଣ ଆଜି ଦେଖାଗଲା? ଆମେ ପ୍ରଥମ ଦିନରୁ ହିଁ ଦେଖିଆସିଛୁ ଯେ ଯଦି ନିର୍ବାଚନ ହେଉଛି ସଂସଦୀୟ ଗଣତନ୍ତ୍ରର ସବୁଠୁ ବଡ଼ ଅବଲମ୍ବନ, ତେବେ ତାହାକୁ ନିରୀକ୍ଷଣ କରୁଥିବା ସଂସ୍ଥାକୁ ମଜଭୁତ, ଆତ୍ମନିର୍ଭର ତଥା ସତ୍ତାନିରପେକ୍ଷ କରିବା ଜରୁରୀ। ଯାହା ଆମକୁ ଦେଖାଯାଉଥିଲା, ତାହା ନ୍ୟାୟପାଳିକାକୁ କେମିତି ଦେଖାଯାଇନଥିଲା? ତାହାର ଏହି ଅପରାଧ ଅତ୍ୟନ୍ତ ଗମ୍ଭୀର ମନେ ହୋଇଥାଏ, କାରଣ ସଂବିଧାନ ତାହାକୁ ସମାନ ଦାୟିତ୍ବ ଦେଇଛି ଯେ ସେ ସାଂବିଧାନିକ ସଂସ୍ଥାଗୁଡ଼ିକର ଏପରି ଦୁର୍ବଳତା ଉପରେ ନଜର ରଖି ଏବଂ ତାହାକୁ ଯାଞ୍ଚ କରି ସୁଧାରିବା ଲାଗି ଠୋସ ପଦକ୍ଷେପ ନେବ। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର୍‌ ଟି. ଏନ୍‌. ଶେଷନ ସାହେବ ତାଙ୍କ ସମୟରେ ଏ କଥା ମଧ୍ୟ ଦର୍ଶାଇଥିଲେ ଯେ ଯଦି ନିର୍ବାଚନ ଆୟୋଗ ସାହସିକ ସ୍ବାଧୀନତା ସହ କାର୍ଯ୍ୟ କରେ, ସଂସଦୀୟ ଗଣତନ୍ତ୍ରକୁ ସମ୍ଭାଳିବାରେ ତାହା ଅନେକ ସାହାଯ୍ୟ କରିବ। ନ୍ୟାୟପାଳିକା କାହିଁକି ସେଇ ସଂକେତକୁ ବୁଝିପାରିଲାନି? ତାହା କାହିଁକି ସେ ଦିଗରେ କାମ କଲା ନାହିଁ? ଯଦି ରୋଗୀର ଅବସ୍ଥା ଭୀଷଣ ବିଗିଡ଼ି ଯାଇ ସେ ମରଣାପନ୍ନ ହୁଏ, ତେବେ ତାହା ଡାକ୍ତରଙ୍କ ବିଫଳତା। ଏପରି ଜଣେ ମରଣାପନ୍ନ ରୋଗୀକୁ ବଞ୍ଚାଇ ସଂପୃକ୍ତ ଡାକ୍ତର ପ୍ରଶଂସା ସାଉଁଟିଲେ ସତ କେବେ ଲୁଚି ରହିପାରିବନି। କାରଣ ସେ ନିଜର ପ୍ରାଥମିକ ଦାୟିତ୍ବ ନିର୍ବାହ କରିବାରେ ବିଫଳ ହୋଇଛନ୍ତି। ନ୍ୟାୟପାଳିକା କ୍ଷେତ୍ରରେ ଠିକ୍‌ ଏଇଆ ହିଁ ଘଟିଛି।

ଆମ ନ୍ୟାୟପାଳିକା ଏଭଳି ଭାବେ ସାଧାରଣ ମାନବିକ ଦୁର୍ବଳତା କବଳରେ ରହିଛି ଯେ ଜଣେ ସାଧାରଣ ମଣିଷ ଯେଭଳି ସଂଯମ, ବୁଝାମଣା ଓ ସାହସ ଦେଖାଇପାରିବ, ତାହା ନ୍ୟାୟପାଳିକା ଦେଖାଇପାରିବାରେ ସକ୍ଷମ ନୁହେଁ। ଏହା କ୍ଷମତାଧାରୀକୁ ଡରିଥାଏ, ଏହା କ୍ଷମତାଲିପ୍‌ସୁ, ଏହା କ୍ୟାରିୟର୍‌କୁ ସବା ଉପରେ ରଖିଥାଏ ଏବଂ ଏହା ଗୋଷ୍ଠୀବାଦ ପରି ଘୃଣ୍ୟ ମାନସିକତାର ଶିକାର। ମକଦ୍ଦମ ଜିତିବା ପାଇଁ ଏହା ଶିଷ୍ଟାଚାର ଓ ବିବେକର ମୂଲ୍ୟାୟନ କରେ ନାହିଁ। ସଂକ୍ଷେପରେ କହିବାକୁ ଗଲେ, ଏହା ମାନବୀୟ ଦୁର୍ବଳତାଠାରୁ ଊର୍ଦ୍ଧ୍ବକୁ ଉଠିବା ପାଇଁ କୌଣସି ଉପାୟ ବିକଶିତ କରିପାରି ନାହିଁ।
ରାହୁଳ ଗାନ୍ଧୀ ଲଣ୍ଡନରେ କ’ଣ କହିଲେ, ସେ ବିଷୟରେ ଚିତ୍କାର କରୁଥିବା ବ୍ୟକ୍ତିମାନେ ଆମ ଗଣତନ୍ତ୍ର କ’ଣ କହୁଛି ସେ ବାବଦରେ ନିରବ କାହିଁକି? ଆମ ଗଣତନ୍ତ୍ର ସାଂବିଧାନିକ ଅମ୍ଳଜାନ ଲୋଡୁଛି। ‘ମୋ କଥା ଶୁଣ’ ବୋଲି ସେ କହି ଚାଲିଛି!
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ସମ୍ବନ୍ଧିତ ଖବର