ଗୋଟିଏ ରାଜ୍ୟରେ ଅଜଣା ଜନ୍ତୁର ଉତ୍ପାତରେ ଲୋକେ ଆତଙ୍କିତ ହୋଇ ପଡ଼ିଲେ। ରାଜ୍ୟର ରାଜା ବଛାବଛା ଶିକାରୀଙ୍କୁ ଡକାଇ ସେଇ ଜନ୍ତୁକୁ ମାରିବା ଲାଗି ନିୟୋଜିତ କଲେ। କିନ୍ତୁ ଯେଉଁ ଅଞ୍ଚଳରେ ଜନ୍ତୁଟି ମାତିଥିଲା, ସେଇ ଅଞ୍ଚଳର ଲୋକଙ୍କ କହିବାନୁସାରେ ତାହା ଦିନରେ ଆକ୍ରମଣ କରୁଥିଲା ଓ ରାତିରେ ଦୁର୍ଗମ ପାହାଡ଼ ଖୋଲରେ ଶୋଇ ରହୁଥିଲା। ତେଣୁ ସ୍ଥାନୀୟ ଲୋକଙ୍କର କହିବାର କଥା ଥିଲା ଯେ ଶିକାରୀମାନେ କେବଳ ରାତିରେ ଗଲେ ହିଁ ତାକୁ ମାରିବାକୁ ସକ୍ଷମ ହେବେ।
ବଛାବଛା ଶିକାରୀମାନେ ସେଇ କାମରେ ଗଲେ। କିନ୍ତୁ ସେମାନେ ବିଫଳ ହେଲେ। ରାଜା ସେମାନଙ୍କୁ ବିଫଳ ହେବାର କାରଣ ବାବଦରେ ପଚାରିଲେ ପ୍ରମୁଖ ଭାବେ ଗୋଟିଏ ଉତ୍ତର ମିଳୁଥିଲା ଯେ ବାଟ ଦୁର୍ଗମ। ପୁଣି ନିରନ୍ଧ୍ର ଅନ୍ଧକାର। ତେଣୁ ସେଥିରେ ସଫଳତା ମିଳିବା କଷ୍ଟକର। ଯେହେତୁ ଜନ୍ତୁଟି ଆଲୋକ ଦେଖିଲା ମାତ୍ରକେ ସକ୍ରିୟ ହୋଇଯାଉଛି, ସାଙ୍ଗରେ ଆଲୋକ ନେଇ ଯିବା ବି ଅନୁଚିତ। ରାଜା ହତାଶ ଦେଖାଗଲେ।
ଏହି ସମୟରେ ଆସିଲା ଜଣେ ଯୁବ ଶିକାରୀ। ସେ ବି ବିଫଳ ହୋଇ ଆସିଥିଲା। କିନ୍ତୁ ତା’ର ବିଫଳତାର କାରଣ ଭାବେ ସେ ଯାହା କହିଲା ତାହା ଥିଲା ଅନ୍ୟମାନଙ୍କ ଠାରୁ ଭିନ୍ନ। ସେ କହିଲା- ମହାରାଜ, ମୋ ଦୁର୍ବଳତା ଯୋଗୁଁ ମୁଁ ବିଫଳ ହେଲି। ଅନ୍ଧକାର ଭିତରେ ଦୁର୍ଗମ ବାଟରେ ଚାଲିବାର ସାମର୍ଥ୍ୟ ହାସଲ କରିବା ପରେ ମୋର ଯିବାଟା ଉଚିତ ହୋଇଥାଆନ୍ତା। ତେବେ ଆଉ କିଛି ଦିନ ପରେ ମୁଁ ମୋ ଦୁର୍ବଳତାକୁ ଦୂର କରି ଆସିବି।
ଏବେ ରାଜାଙ୍କ ମନରେ ଆଶାର ସଂଚାର ହେଲା। ଯୁବକଟି ମଧ୍ୟ କିଛି ଦିନ ପରେ ଜନ୍ତୁକୁ ମାରିବାରେ ସଫଳ ହେଲା।