ବ୍ୟାଖ୍ୟାନର ଗୁରୁତ୍ବ

୨୦୦୪ ମସିହାରେ ପ୍ରତ୍ୟକ୍ଷ ରାଜନୀତିରେ ପଦାର୍ପଣ କରିଥିବା ରାହୁଳ ଗାନ୍ଧୀ ଯଦି ଊଣେଇଶ ବର୍ଷ ପରେ ଅର୍ଥାତ୍‌ ବର୍ତ୍ତମାନ ତାଙ୍କ ରାଜନୈତିକ କ୍ୟାରିଅର୍‌ର ସର୍ବୋତ୍ତମ କ୍ଷଣରେ ଉପନୀତ ବୋଲି କେହି କହନ୍ତି, ତେବେ ହୁଏ’ତ ତାହାକୁ ପାଗଳର ପ୍ରଳାପ ବୋଲି କୁହାଯିବ। କାରଣ ଏକ ମାନହାନି ମକଦ୍ଦମା କାରଣରୁ ଦୁଇ ବର୍ଷର ଜେଲ ଦଣ୍ତାଦେଶ ସହିତ ସା˚ସଦ ପଦ ହରାଇବା କସ୍ମିନ କାଳେ ଏକ ଉତ୍ତମ କ୍ଷଣ ଭାବେ ପରିଭାଷିତ ହୋଇ ନ ପାରେ। କିନ୍ତୁ ଟିକିଏ ନିରିଖେଇ ଦେଖିଲେ ଦିଶିଥାଏ କିଭଳି ବର୍ତ୍ତମାନ ଦେଶବ୍ୟାପୀ ରାହୁଳ ଲାଭ କରୁଥିବା ସହାନୁଭୂତି ଏହି ଘଟଣା ବ୍ୟତିରେକ କଦାଚିତ୍‌ ସମ୍ଭବ ହୁଅନ୍ତା ନାହିଁ; ବା ଏହି ଘଟଣା ପ୍ରାୟ ସମସ୍ତ ପ୍ରମୁଖ ବିରୋଧୀ ରାଜନୈତିକ ଦଳଗୁଡ଼ିକୁ ରାହୁଳଙ୍କ ସମର୍ଥନରେ ଯେମିତି ଏକତ୍ର କରିଛି, ତାହା ମଧୢ କରନ୍ତା ନାହିଁ, କାରଣ ଏହି ଦଳଗୁଡ଼ିକ ପ୍ରାୟତଃ କ˚ଗ୍ରେସ ଏବ˚ ରାହୁଳ ଗାନ୍ଧୀଙ୍କ ସମାଲୋଚକ ରୂପେ ପରିଗଣିତ; ଏବ˚ କେବଳ ସେତିକି ନୁହେଁ, ଏହି ଘଟଣା ଦ୍ବାରା ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକମାତ୍ର ସିଧାସଳଖ ପ୍ରତିସ୍ପର୍ଦ୍ଧୀ ଏବ˚ ତାଙ୍କ ଦ୍ବାରା ମୋଦୀ ସ୍ବୟ˚ ବିଚଳିତ ବୋଲି ଏକ ଧାରଣା ମଧ୍ୟ ସୃଷ୍ଟି ହୋଇଛି, ଯାହା ଆଗାମୀ ନିର୍ବାଚନରେ କ˚ଗ୍ରେସ ଲାଗି ସକାରାତ୍ମକ ହୋଇପାରେ।

ସେହି ଦୃଷ୍ଟିରୁ ଏହି ସ˚ଦର୍ଭରେ ଗଲା ଶନିବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତେଜିତ ରାହୁଳ ଗାନ୍ଧୀଙ୍କ ଦ୍ବାରା ଅନମନୀୟ ଭାବେ ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସ˚ଗ୍ରାମ ଲାଗି ହୁଙ୍କାର ସମଗ୍ର ଦେଶରେ କ˚ଗ୍ରେସ କର୍ମୀ ଏବ˚ ସମର୍ଥକମାନଙ୍କ ମନରେ ଉଦ୍ଦୀପନା ସୃଷ୍ଟି କରିଥିବା ମଧ୍ୟ ସମ୍ଭବ, ଯାହାର ଲାଭ କ˚ଗ୍ରେସ ପାଇବ ଏବ˚ ଯାହାର ଶ୍ରେୟର ଅଧିକାରୀ ରାହୁଳ ଗାନ୍ଧୀ ହିଁ ହେବେ। ଏଠାରେ ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ କ˚ଗ୍ରେସ ଉପରେ ଗାନ୍ଧୀ ପରିବାରର ସ˚ପୂର୍ଣ୍ଣ କର୍ତ୍ତୃତ୍ବ ଥିବା ଦୃଷ୍ଟିରୁ କ˚ଗ୍ରେସର କୌଣସି ଉପଲବ୍‌ଧି ପରିପ୍ରେକ୍ଷୀରେ ରାହୁଳ ଗାନ୍ଧୀ ଜଣେ ସା˚ସଦ ହୋଇ ଥାଆନ୍ତୁ ବା ନ ଥାଆନ୍ତୁ, ସାଫଲ୍ୟର ମୁକୁଟ କେବଳ ତାଙ୍କ ଶିର ହିଁ ମଣ୍ତନ କରିବ। କିନ୍ତୁ, ଏହି ପରିପ୍ରେକ୍ଷୀରେ ପ୍ରକୃତ ପ୍ରଶ୍ନଟି ହେଲା, ଏଭଳି ଏକ ମୁହୂର୍ତ୍ତର ସଦୁପଯୋଗ କରିବାରେ ରାହୁଳ ଗାନ୍ଧୀ ସମର୍ଥ ହେବେ ତ?

ପ୍ରକାଶ ଥାଉ କି ରାହୁଳ ଗାନ୍ଧୀଙ୍କ ଦ୍ବାରା ସ˚ବୋଧିତ ସାମ୍ବାଦିକ ସମ୍ମିଳନୀରେ ତାଙ୍କର କ୍ଷୁବ୍‌ଧ ତଥା ଭାବତିଶଯ୍ୟମୂଳକ ଉଚ୍ଚାଟ ଯେଉଁ ବ୍ୟାଖ୍ୟାନ ପ୍ରସ୍ତୁତ କରିଛି ତାହା ଏହିଭଳି: ଗୌତମ ଆଦାନୀ ଏବ˚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁରୁଣା ବନ୍ଧୁତ୍ବ ଓ ଆଦାନୀଙ୍କୁ ଉପଲବ୍‌ଧ ବିଶେଷ ସରକାରୀ ଅନୁକ˚ପା ବିଷୟରେ ସେ ଉତ୍‌ଥାପନ କରୁଥିବା ପ୍ରଶ୍ନଗୁଡ଼ିକୁ ଚପାଇ ଦେବା ସକାଶେ ବିଧିବଦ୍ଧ ଚକ୍ରାନ୍ତ ଚାଲିଛି, ସେ ଯାହାର ଶିକାର। କିନ୍ତୁ, ତାହା ତାଙ୍କୁ ଭୟଭୀତ କରାଇ ପାରିବ ନାହିଁ ଏବ˚ ସେ ଶେଷ ପର୍ଯ୍ୟନ୍ତ ସେହି ଅପ୍ରୀତିକର ପ୍ରଶ୍ନମାନ ପଚାରି ଚାଲିବେ! କେ˚ବ୍ରିଜ ଭାଷଣ ପରିପ୍ରେକ୍ଷୀରେ କ୍ଷମା ପ୍ରାର୍ଥନା ସକାଶେ ବିଜେପି କରି ଆସୁଥିବା ଦାବି ପୃଷ୍ଠଭୂମିରେ ତାଙ୍କର ବିକ୍ଷୁବ୍‌ଧ ଉତ୍ତର ଥିଲା- ‘ମୁଁ ସବରକର ନୁହେଁ, ମୁଁ ଜଣେ ଗାନ୍ଧୀ।’

ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଳଙ୍କ ଦ୍ବାରା ସୃଷ୍ଟ ବ୍ୟାଖ୍ୟାନକୁ ତର୍ଜମା କରି ଅନେକ ପର୍ଯ୍ୟବେକ୍ଷକ ମତ ଦିଅନ୍ତି ଯେ ଏହା ହୁଏ’ତ ଦେଶର ସାଧାରଣ ନାଗରିକଙ୍କ ହୃଦୟକୁ ସ୍ପର୍ଶ କରି ନ ପାରେ, ଯେଉଁମାନେ ଆଦାନୀ ବ୍ୟାାପାର ବା ଷ୍ଟକ୍‌ ମୂଲ୍ୟ‌େର ହ୍ରାସ ବା ସେହି ଭଳି ପ୍ରକରଣ ଇତ୍ୟାଦି ନେଇ ବିଶେଷ ଉଦ୍‌ବିଗ୍ନ ନୁହନ୍ତି। କେବଳ‌ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀ ନିଜ ଲାଗି ସୃଷ୍ଟି କରି ପାରିଥିବା ଭାବମୂର୍ତ୍ତି ପରିପ୍ରେକ୍ଷୀରେ କୌଣସି ଦୁର୍ନୀତି ଅଭିଯୋଗ ଦ୍ବାରା ସହସା ତାଙ୍କ ବିରୋଧରେ ଜନମତ ଜାଗ୍ରତ ହେବା କଷ୍ଟକର ଏବ˚ ଆଦାନୀ ପ୍ରସଙ୍ଗ ମଧୢ ଅବଲୀଳା କ୍ରମେ ଆଉ ଏକ ରାଫେଲ ପ୍ରସଙ୍ଗ ତୁଲ୍ୟ ଦଶା ଭୋଗିପାରେ! ଅପର ପକ୍ଷରେ ବିଜେପି ପକ୍ଷରୁ ଏକ ପାଲଟା ବ୍ୟାଖ୍ୟାନ ସୃଷ୍ଟି କରାଗଲାଣି ଯେ ରାହୁଳଙ୍କ ‘ମୋଦୀ’ ମନ୍ତବ୍ୟ (ମାନହାନି ମକଦ୍ଦମାର ସମ୍ମୁଖୀନ ହୋଇଥିବା) ହେଉଛି ପଛୁଆ ବର୍ଗ ପ୍ରତି ତାଙ୍କ ବିଦ୍ବେଷମୂଳକ ମନୋଭାବର ଦୃଷ୍ଟାନ୍ତ।

ଏଭଳି ସ୍ଥଳେ ଏହି ବ୍ୟାଖ୍ୟାନକୁ ପ୍ରତିହତ କଲା ଭଳି ଏକ ଅତ୍ୟନ୍ତ ସମର୍ଥ ପ୍ରତ୍ୟୁତ୍ତର ହୁଅନ୍ତା ଯେ ବର୍ତ୍ତମାନ କ˚ଗ୍ରେସ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ହେଉଛନ୍ତି ପଛୁଆ ବର୍ଗର! କିନ୍ତୁ ରାହୁଳଙ୍କ ପାଖରୁ ସେଭଳି କିଛି ଶୁଣିବାକୁ ମିଳିନାହିଁ। ପୁଣି ବୀର ସବରକରଙ୍କୁ ସର୍ବଦା ଏକ ମଳିନ ଆଲୋକରେ ଦର୍ଶାଇବାର ପ୍ରବଣତାକୁ ରାଜନୈତିକ ଦୃଷ୍ଟିରୁ ପରିପକ୍ବ ବୋଲି ମଧ୍ୟ କୁହାଯାଇ ନ ପାରେ। ସମ୍ଭବତଃ, ଏହି ଗୂଢ଼ କଥାଟିକୁ ହୃଦୟଙ୍ଗମ କରିଥିଲେ ବୋଲି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସବରକରଙ୍କ ସମ୍ମାନାର୍ଥେ ଡାକ ଟିକଟ ପ୍ରଚଳନ କରିବା ସହିତ ତାଙ୍କ ସ୍ମୃତିରେ ଏକ ପାଣ୍ଠି ମଧୢ ଗଠନ କରିଥିଲେ; ଯହିଁରେ ନିହିତ ଉଦ୍ଦେଶ୍ୟ ଥିଲା କ˚ଗ୍ରେସ ସମର୍ଥକଙ୍କ ମଧୢରେ ଥିବା ହିନ୍ଦୁବାଦୀଙ୍କୁ ଅଗତ୍ୟା ଜନସ˚ଘ ଆଡ଼କୁ ଯିବାକୁ ନ ଦେବା। ଇନ୍ଦିରାଙ୍କ ଏହି ଅନ୍ତର୍ଦୃଷ୍ଟି ରାହୁଳଙ୍କ ସକାଶେ ଏକ ମାର୍ଗଦର୍ଶକ ହେବା ଉଚିତ।

ସୁତରା˚, ଏଭଳି ସ୍ଥିତିରେ ପରିପକ୍ବ ବିବେଚନାବୋଧ ଓ ରାଜନୈତିକ ଚାତୁର୍ଯ୍ୟ ସଂପନ୍ନ ଏଭଳି ବ୍ୟାଖ୍ୟାନମାନ ରାହୁଳଙ୍କ ଦ୍ବାରା ସୃଷ୍ଟି ହେବା ଉଚିତ, ଯାହା ହୃଦ୍‌ବୋଧ କରାନ୍ତା ଯେ ବର୍ତ୍ତମାନର ସରକାର ଯେନତେନପ୍ରକାରେଣ ବିରୋଧୀ ରାଜନୈତିକ ଦଳ ଏବ˚ ବିରୋଧୀ ସ୍ବରର କ୍ରୂର ଅବଦମନ ସକାଶେ ଅତ୍ୟନ୍ତ ଉଦ୍‌ଗ୍ରୀବ, ଯାହାର ଶିକାର ସେ ନିଜେ। ଏ ସ˚ଦର୍ଭରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କ୍ଷମତାରେ ଥିବା ୟୁ.ପି.ଏ. ସରକାର ଏବ˚ ୨୦୧୪ରୁ ଏ ପର୍ଯ୍ୟନ୍ତ କ୍ଷମତାସୀନ ଏନ.ଡି.ଏ. ସରକାରଙ୍କ ଗୋଟିଏ ଗୋଟିଏ ଦଶନ୍ଧି ଅବଧିରେ ହୋଇଥିବା ଦୁର୍ନୀତି ଓ ବିବାଦର ବିଭିନ୍ନ ଅଭିଯୋଗ ଏବ˚ ସେ ନେଇ ହୋଇଥିବା କାର୍ଯ୍ୟାନୁଷ୍ଠାନର ଏକ ତୁଳନାତ୍ମକ ଚିତ୍ର ସେ ପ୍ରଦାନ କରି ପାରନ୍ତେ; ଏବଂ କହି ପାରନ୍ତେ କିଭଳି ୟୁପିଏ ଅମଳରେ ହୋଇଥିବା ‘ଟୁ ଜି ସ୍ପେକ୍ଟ୍ରମ’, କମନେଵଲ୍‌ଥ ଗେମ୍‌ସ, ମୁମ୍ବାଇର ଆଦର୍ଶ ହାଉସି˚ ଏବ˚ କୋଇଲା ବ୍ଲକ୍‌ ଆବଣ୍ଟନ ଭଳି ଦୁର୍ନୀତିର ଅଭିଯୋଗରେ ଶାସକ ଦଳ ଏପରିକି ମନ୍ତ୍ରିମଣ୍ତଳରେ ଅନ୍ତର୍ଭୁକ୍ତ ଥିବା ଏ. ରାଜା, କାନିମୋଜି, ସୁରେଶ କାଲମାଦି, ଅଶୋକ ଚଭାନ ଏବ˚ ଦଶାରି ନାରାୟଣ ରାଓ ଇତ୍ୟାଦି ଜେଲ ଯାଇଥିଲେ ବା ଦଳୀୟ କାର୍ଯ୍ୟାନୁଷ୍ଠାନ ଭୋଗିଥିଲେ, ଅଥଚ, ରାଫେଲ୍‌ ହେଉ ବା ପେଗାସସ୍‌ ହେଉ ବା ନିର୍ବାଚନ ବଣ୍ତ ହେଉ; ଏ ସମସ୍ତ ନେଇ ଉଠିଥିବା ଦୁର୍ନୀତି ଅଭିଯୋଗ‌େର ସରକାରୀ ଦଳର କୌଣସି ସଦସ୍ୟ ସାମନ୍ୟତମ ଅସୁବିଧାର ସମ୍ମୁଖୀନ ହୋଇ ନାହାନ୍ତି।

ରାହୁଳ ଆହୁରି ଦର୍ଶାଇ ପାରନ୍ତେ ଯେ ୟୁ.ପି.ଏ. ଅମଳରେ ସିବିଆଇର କଡ଼ା ନଜର ତଳେ ରହିଥିବା ନେତାଙ୍କ ମଧୢରେ ଶାସକ ମେଣ୍ଟ ୟୁ.ପି.ଏ.ର ଥିଲେ ସର୍ବାଧିକ ୨୯ ଜଣ ନେତା; ଅଥଚ ମୁଖ୍ୟ ବିରୋଧୀ ବିଜେପିର ଥିଲେ ୧୨ ଜଣ ଏବ˚ ଅନ୍ୟ ସମସ୍ତ ବିରୋଧୀ ଦଳର ଥିଲେ ୧୯ ଜଣ; କିନ୍ତୁ ସ˚ପ୍ରତି ସମତୁଲ ସ୍ଥିତିରେ ଶାସକ ବିଜେପିର ଅଛନ୍ତି ମାତ୍ର ୬ ଜଣ ଅଥଚ କ˚ଗ୍ରେସର ୨୯ ଏବ˚ ଅନ୍ୟ ସମସ୍ତ ବିରୋଧୀ ଦଳର ନେତାଙ୍କ ସଂଖ୍ୟା ୬୩। ଏହା କେବଳ ଦୁଇଟି ଦୃଷ୍ଟାନ୍ତ ମାତ୍ର। ସରକାରଙ୍କ ଦୁରଭିସନ୍ଧିକୁ ସ୍ପଷ୍ଟ କରିବା ଲାଗି ଏଭଳି ଅନେକ ଉଦାହରଣ ଉପସ୍ଥାପନ କରାଯାଇପାରନ୍ତା। କହିବା ବାହୁଲ୍ୟ ଏଭଳି ଉଦ୍ୟମ ଦ୍ବାରା ସମସ୍ତ ବିରୋଧୀ ରାଜନୈତିକ ଦଳଗୁଡ଼ିକର ମର୍ମଦାହ ପ୍ରକଟିତ ହୋଇଛି ବୋଲି ଧାରଣା ମଧ୍ୟ ସୃଷ୍ଟି ହୁଅନ୍ତା ଏବଂ ବିରୋଧୀ ଦଳଗୁଡ଼ିକ କ˚ଗ୍ରେସର ନିକଟତର ହୋଇ ଆଗାମୀ ନିର୍ବାଚନରେ ଏକ ଦୃଢ଼ ବିରୋଧୀ ମେଣ୍ଟ ସମ୍ଭବ ଦିଗରେ ପ୍ରୟାସ କରନ୍ତେ।
ସୁତରାଂ, ଆମେ ଆଶା କରିବା ଉଚିତ ଯେ ରାହୁଳ ଗାନ୍ଧୀଙ୍କ ଉତ୍ତେଜନାପୂର୍ଣ୍ଣ ଉଚ୍ଚାଟ ବଦଳରେ ସ୍ଥିର ମସ୍ତିଷ୍କ ପ୍ରସୂତ ବିବେଚନାପୂର୍ଣ୍ଣ ଶୀତଳ ଅଥଚ ଓଜନଦାର ବ୍ୟାଖ୍ୟାନମାନ ଶ୍ରୁତିଗୋଚର ହେଉ, ଯାହା ସାଧାରଣ ଭାରତୀୟଙ୍କୁ ଛୁଉଁଥିବ ଏବଂ ଯହିଁରେ ଅଚାନକ ଜିହ୍ବା ସ୍ଖଳନର ଭୟ ମଧ୍ୟ ନ ଥିବ!

ଏହି ପ୍ରସଙ୍ଗରେ ଏକ ଆଫ୍ରିକୀୟ ଲୋକକଥା ମଧୢ ସ୍ମରଣକୁ ଆସିଥାଏ। ତାହା ହେଲା ଏହିପରି: ଶିକାର କରି ଶିଖୁଥିବା ଗୋଟିଏ କିଶୋର ଛଞ୍ଚାଣ ଯେତେବେଳେ ଗୋଟିଏ କୁକୁଡ଼ା ଛୁଆ ଏବ˚ ବତକ ଛୁଆ ଧରି ବସାକୁ ଆସେ, ତା’ ମା’ ତା’ ଠାରୁ ଶିକାର କଲା ବେଳେ ସେହି ଛୁଆ ଯୋଡ଼ିକର ମା’ମାନଙ୍କ ପ୍ରତିକ୍ରିୟା ସମ୍ବନ୍ଧରେ ଜାଣିବାକୁ ଚାହେଁ। ଉତ୍ତରରେ ସେ ଶୁଣେ ଯେ ବତକ ମା’ ଅତ୍ୟନ୍ତ ଉତ୍ତେଜିତ ସ୍ବରରେ ଅଭିସ˚ପାତ ବର୍ଷଣ କରି ପ୍ରତିଶୋଧ ନେବାର ପ୍ରତିଜ୍ଞା କରିଥିବା ବେଳେ କୁକୁଡ଼ା ମା’ କେବଳ ନିଷ୍କମ୍ପ ଦୃଷ୍ଟିରେ ଚାହିଁ ରହିଥିଲା। ଏହା ଶୁଣି ମା’ ଛଞ୍ଚାଣର ପ୍ରାଜ୍ଞ ପରାମର୍ଶ କହିଥିଲା- କୁକୁଡ଼ା ଛୁଆଟିକୁ ତା’ ମା ପାଖରେ ଛାଡ଼ି ଦେଇ ଆସ, କାରଣ ତା’ ଠାରୁ ହିଁ ବିପଦର ଆଶଙ୍କା ରହିଛି। ଆଜିକୁ ୧୩୦ ବର୍ଷ ତଳେ ଡର୍ବାନରୁ ପ୍ରିଟୋରିଆ ରେଳ ଯାତ୍ରା କରୁଥିବା ବେଳେ ଜଣେ ଯୁବକଙ୍କୁ ତାଙ୍କ ପାଖରେ ଟିକେଟ ଥିବା ସତ୍ତ୍ବେ ସେ କୃଷ୍ଣକାୟ ହୋଇଥିବାରୁ ତାଙ୍କୁ ସେହି ଡବାରୁ ବହିଷ୍କାର କରି ଦିଆଯାଇଥିଲା। ଏହା ତାଙ୍କ ମନରେ ଯେଉଁ କ୍ରୋଧର ଅନଳ ସୃଷ୍ଟି କରିଥିଲା, ତାହା ଲେଲିହାନ ଶିଖାରେ ପରିଣତ ନ ହୋଇ ଶୀତଳ ବହ୍ନିରେ ରୂପାନ୍ତରିତ ହେଇଥିଲା ଏବ˚ ତା’ ସହିତ ପୃଥିବୀ ପୃଷ୍ଠରୁ ଅପରାଜେୟ ବ୍ରିଟିସ ସାମ୍ରାଜ୍ୟବାଦକୁ ଲୋପ କରି ଦେବାର କାରଣ ମଧୢ ପାଲଟିଥିଲା। ଏକ ଚମତ୍କାର ସ˚ଯୋଗ ସ୍ବରୂପ ସେ ମଧୢ ଥିଲେ ଜଣେ ଗାନ୍ଧୀ!

ସମ୍ବନ୍ଧିତ ଖବର