ଘୃଣାର ଟିଭିକୁ ବନ୍ଦ କରିବ କିଏ?

ଅରୁଣ ସିହ୍ନା

ପ୍ରାୟ ପଚାଶ ବର୍ଷ ତଳେ ମୁଁ ସାମ୍ବାଦିକତାରେ ଜୀବନ ଆରମ୍ଭ କରିଥିଲି। ପ୍ରଥମେ ମୋତେ ଖବରର ଏହି ସଂଜ୍ଞା ଶିଖାଯାଇଥିଲା- ‘ଯଦି କୁକୁର ମଣିଷକୁ କାମୁଡ଼େ, ତାହା ଖବର ନୁହେଁ; ମାତ୍ର ମଣିଷ କୁକୁରକୁ କାମୁଡ଼ିଲେ ତାହା ଖବର।’ ଅର୍ଥାତ୍‌ ଏକ ସାଧାରଣ ଘଟଣା ଖବର ନୁହେଁ; ଏକ ଅସାଧାରଣ ଘଟଣା ଏକ ଖବର। ଭୀଷଣ ବର୍ଷା ହେବାଟା ଖବର ନୁହେଁ, ମାତ୍ର ତଜ୍ଜନିତ ବନ୍ୟା ବିତ୍ପାତ ଏକ ଖବର। ସେହିପରି ବିମାନ ଉଡ଼ାଣ ଖବର ନୁହେଁ, ତେବେ ବିମାନ ଖସିପଡ଼ିବା ହେଉଛି ଖବର।

ଯେଉଁ ଦ୍ବିତୀୟ କଥାଟି ମୋତେ ଶିଖାଯାଇଥିଲା ତାହା ହେଲା ସାମ୍ବାଦିକର ସଂଜ୍ଞା। ଜଣେ ସାମ୍ବାଦିକ ନିର୍ଭୁଲ୍‌ ଓ ନିରପେକ୍ଷ ହେବା ଆବଶ୍ୟକ। ସେ ଦେଉଥିବା ପ୍ରତିଟି ତଥ୍ୟ ପ୍ରମାଣ ଦ୍ବାରା ସମର୍ଥିତ ହେବା ଆବଶ୍ୟକ। ସେହିପରି ସେ ଦେଉଥିବା ପ୍ରତ୍ୟେକ ସୂଚନା ସର୍ବଦା ବ୍ୟକ୍ତିଗତ ଭାବନା, କୁସଂସ୍କାର କିମ୍ବା ଆଦର୍ଶଗତ ପ୍ରବୃତ୍ତିର କୌଣସି ବି ପ୍ରଭାବରୁ ମୁକ୍ତ ହେବା ଆବଶ୍ୟକ। ଜଣେ ସାମ୍ବାଦିକ ଭାବରେ ସମ୍ମାନ ପାଇବାକୁ ହେଲେ ନିର୍ଭୁଲତା ଓ ନିରପେକ୍ଷତା ପରି ଦୁଇଟି ଅତି ପବିତ୍ର ନିୟମ ପାଳନ କରିବା ବାଞ୍ଛନୀୟ। ସେଗୁଡ଼ିକ ହେଉଛି ଏପରି ଦୁଇଟି ସ୍ତମ୍ଭ ଯାହା ଉପରେ ସାମ୍ବାଦିକର ବିଶ୍ବସନୀୟତାର ଅଟ୍ଟାଳିକା ଦଣ୍ଡାୟମାନ।
ସମ୍ବାଦ ଓ ସାମ୍ବାଦିକତାର ସଂଜ୍ଞା ପରସ୍ପର ବିରୋଧୀ ଥିଲା। କୌଣସି ଘଟଣାକୁ ସମ୍ବାଦ ହେବା ପାଇଁ ନିୟମ ଭାଙ୍ଗିବାକୁ ପଡୁଥିଲା, କିନ୍ତୁ ସାମ୍ବାଦିକ ହେବା ପାଇଁ ନିୟମ ମାନିବାକୁ ପଡୁଥିଲା। ଖବର ଅସ୍ବାଭାବିକ ଥିବା ବେଳେ ସାମ୍ବାଦିକକୁ ସ୍ବାଭାବିକ ହେବାକୁ ପଡ଼ିଥିଲା।

ଆଜି ମୁଁ ଟେଲିଭିଜନ୍‌ର ପ୍ରାଇମ୍‌ ଟାଇମ୍‌ ଖବରକୁ ଦେଖିଲେ ମନେ ହୁଏ ଯେମିତି ମୁଁ ସାମ୍ବାଦିକତାର ଧୂଆଁମୟ ଭଗ୍ନାବଶେଷ ଦେଇ ଗତି କରୁଛି। ନିର୍ଭୁଲତା ଓ ନିରପେକ୍ଷତାର ଯୁଗଳ ସ୍ତମ୍ଭ ଯେପରି ଭାଙ୍ଗିଯାଇଛି ଏବଂ ବିଶ୍ବସନୀୟତାର ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି। ଏବେ ସାମ୍ବାଦିକ ଜଣକ ଆଉ ସାଧାରଣ ନୁହନ୍ତି, ସେ ଖବର ଭଳି ମଧ୍ୟ ଅସ୍ବାଭାବିକ ହୋଇ ପଡ଼ିଛନ୍ତି।

ଗତ ବର୍ଷ ଏପ୍ରିଲ ୨୨ ତାରିଖରେ ‘ନ୍ୟୁଜ୍‌ ୧୮’ର ପ୍ରାଇମ୍‌ ଟାଇମ୍‌ ଉପସ୍ଥାପକ ଅମନ ଚୋପ୍ରା ‘ଜାହାଙ୍ଗିରପୁରୀ କା ବଦଲା, ମହାଦେବ ପର ହମଲା’ ନାମକ ଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଯେଉଁଥିରେ ରାଜସ୍ଥାନର ଆଲବାର ଅନ୍ତର୍ଗତ ରାଜଗଡ଼ରେ ଜବରଦଖଲ ବିରୋଧୀ ଅଭିଯାନ ସ୍ବରୂପ ଏକ ଶିବ ମନ୍ଦିର ଭଙ୍ଗାଯିବାର ଦୃଶ୍ୟ ରହିଥିଲା। ତାହାକୁ ରାଜସ୍ଥାନର ଗେହଲଟ ସରକାରଙ୍କ ଦ୍ବାରା ଦିଲ୍ଲୀର ଜାହାଙ୍ଗିରପୁରୀରେ ମୁସଲମାନଙ୍କ ଜବରଦଖଲ ଉଚ୍ଛେଦର ‘ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ’ ଭାବେ ପ୍ରଦର୍ଶିତ କରାଯାଇଥିଲା।

ଚୋପ୍ରାଙ୍କର ଉକ୍ତ ଟିଭି କାର୍ଯ୍ୟକ୍ରମରେ ଉଭୟ ନିର୍ଭୁଲତା ଓ ନିରପେକ୍ଷତାର ଅଭାବ ରହିଥିଲା। ଜାହାଙ୍ଗିରପୁରୀରେ ଭଙ୍ଗାରୁଜା ହେବାର ତିନି ଦିନ ପୂର୍ବରୁ ଏହି ମନ୍ଦିରକୁ ଭଙ୍ଗା ଯାଇଥିଲା। ତେଣୁ ତାହା ଜାହାଙ୍ଗିରପୁରୀ ଭଙ୍ଗାରୁଜାର ପ୍ରତିଶୋଧ କିପରି ହୋଇପାରେ? କେବଳ ସେତିକି ନୁହେଁ, ରାଜଗଡ଼ରେ ଭଙ୍ଗାରୁଜା ପାଇଁ ବିଜେପି ଶାସିତ ପୌର ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ଗେହଲଟ ସରକାରଙ୍କର କୌଣସି ଭୂମିକା ନଥିଲା। ତେଣୁ ତାହା ଗେହଲଟ ସରକାରଙ୍କ ଦ୍ବାରା ‘ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ’ କିପରି ହୋଇପାରେ?

୨୦୨୦ ସେପ୍‌ଟେମ୍ବରରେ ସୁଦର୍ଶନ ଟିଭି ଉପସ୍ଥାପକ ସୁରେଶ ଚୌହାଙ୍କେ ‘ୟୁପିଏସ୍‌ସି ଜିହାଦ’ ନାମରେ ଏକ କାର୍ଯ୍ୟକ୍ରମ ଉପସ୍ଥାପନ କରି କେନ୍ଦ୍ରୀୟ ସିଭିଲ ସେବାରେ ଅନୁପ୍ରବେଶ କରିବା ପାଇଁ ‘ମୁସଲମାନଙ୍କ ଦ୍ବାରା ଷଡ୍‌ଯନ୍ତ୍ର’ର ପର୍ଦ୍ଦାଫାସ କରିଥିବାର ଦାବି କରିଥିଲେ। ଚୌହାଙ୍କେ ତାଙ୍କ କାର୍ଯ୍ୟକ୍ରମରେ ନିର୍ଭୁଲତା ଓ ନିରପେକ୍ଷତାକୁ ଏକ ଲଜ୍ଜାଜନକ ସମାଧି ଦେଇଥିଲେ। ସେ ଦାବି କରିଥିଲେ କି, ମୁସଲମାନମାନଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ନଅ ଥର ଏବଂ ହିନ୍ଦୁମାନଙ୍କୁ ମାତ୍ର ଛଅ ଥର ଆବେଦନର ଅନୁମତି ଦିଆଯାଇଛି। ପ୍ରକୃତ କଥା ହେଲା, ସାଧାରଣ ବର୍ଗକୁ ଛଅ ଥର ଓ ଓବିସି ବର୍ଗକୁ ନଅ ଥର ଆବେଦନର ସୁଯୋଗ ମିଳିଥିଲା ଏବଂ ଉଭୟ ବର୍ଗରେ ହିନ୍ଦୁ ଓ ମୁସଲମାନଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ଚୌହାଙ୍କେ ଓବିସି ମୁସଲମାନମାନଙ୍କୁ ଅନୁମତି ମିଳିଥିବା ନଅଟି ପ୍ରୟାସକୁ ସାଧାରଣ ଭାବରେ ମୁସଲମାନମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସୁବିଧା ଭାବରେ ଉପସ୍ଥାପନ କରିଥିଲେ, ଯେତେବେଳେ କି ଓବିସି ହିନ୍ଦୁମାନେ ମଧ୍ୟ ସେହି ସୁବିଧା ଉପଭୋଗ କରିଥିଲେ। ସେ ଆଉ ଏକ ମିଥ୍ୟା ଦାବି କରିଥିଲେ ଯେ ମୁସଲମାନମାନେ ଅଧିକ ବୟସସୀମା ଏବଂ କମ୍‌ ମାର୍କରେ ଯୋଗ୍ୟତା ଉପଭୋଗ କରନ୍ତି।

ସାମ୍ବାଦିକତାର ଏପରି ଖୋଲାଖୋଲି ହତ୍ୟା କରି ଉପସ୍ଥାପକ ବା ଆଙ୍କରମାନେ କିପରି ଖସି ଯାଆନ୍ତି? ପ୍ରତି ସନ୍ଧ୍ୟାରେ ଟିଭି ଷ୍ଟୁଡିଓରେ ଆସି ସତ୍ୟର ପାଉଁଶରୁ ନିର୍ମିତ ଘୃଣାର ଉତ୍ପାଦ ବିକ୍ରୟ କରିବାରୁ କେହି କ’ଣ ସେମାନଙ୍କୁ ଅଟକାଇବେ ନାହିଁ? ଆମ ଟିଭି ପରଦାରେ ଦେଖାଯାଉଥିବା ଘୃଣା ବଜାରକୁ ବନ୍ଦ କରିବା ଦିଗରେ ଦେଶ କାହିଁକି ଏତେ ଅସହାୟ ଦିଶୁଛି?

ପାଞ୍ଚ ଜଣ ଅଧିକାରୀ ଅଛନ୍ତି, ଯେଉଁମାନେ ଏହା କରିପାରିବେ। ଆସନ୍ତୁ ଜାଣିବା ସେମାନେ କ’ଣ କରୁଛନ୍ତି। ପ୍ରଥମ ଜଣକ ହେଉଛନ୍ତି ଆଙ୍କରମାନଙ୍କ ନିଯୁକ୍ତିଦାତା। ଆପଣ କ’ଣ ଭାବୁଛନ୍ତି କି, ଆଙ୍କରମାନେ ଯାହା ଚାହିଁବେ ତାହା ଦେଖାଇ ପାରିବେ ଏବଂ ସେମାନଙ୍କର ମାଲିକମାନେ କେବଳ ଦେଖିବା ବ୍ୟତୀତ ଆଉ କିଛି କରିପାରିବେ ନାହିଁ? ଏଠାରେ ଏକ ସ୍ପଷ୍ଟ ସହାପରାଧ ଦେଖିବାକୁ ମିଳୁଛି। ନରେନ୍ଦ୍ର ମୋଦୀଙ୍କ ଉତ୍‌ଥାନ ସହ ହିନ୍ଦୁଙ୍କ ପ୍ରତି ଶ୍ରଦ୍ଧା (ହିନ୍ଦୁଫିଲିଆ) ଓ ମୁସଲମାନଙ୍କ ପ୍ରତି ବିମୁଖତା (ଇସଲାମଫୋବିୟା) ବୃଦ୍ଧି ପାଇଛି। ଆଙ୍କରମାନେ ଯେଉଁ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି, ସେମାନଙ୍କ ପ୍ରସାରକମାନେ ତାହାକୁ ଏକ ବଡ଼ ବଜାର ଭାବେ ଦେଖୁଛନ୍ତି। ଏହି କାର୍ଯ୍ୟକ୍ରମଗୁଡ଼ିକ ସେମାନଙ୍କ ଚ୍ୟାନେଲରେ ସର୍ବାଧିକ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ। ଅଧିକ ଦର୍ଶକ ସଂଖ୍ୟାର ଅର୍ଥ ବିଜ୍ଞାପନରୁ ଅଧିକ ଆୟ।

ଦ୍ବିତୀୟଟି ହେଉଛି ପ୍ରସାରଣକାରୀଙ୍କ ବାଣିଜ୍ୟ ସଂସ୍ଥା ‘ନ୍ୟୁଜ୍‌ ବ୍ରଡ୍‌କାଷ୍ଟିଂ ଆଣ୍ଡ୍‌ ଡିଜିଟାଲ୍‌ ଆସୋସିଏସନ୍‌’ (ଏନ୍‌ବିଡିଏ)। ଏହାର ଏକ ‘ନୀତି ସଂହିତା’ ରହିଛି, ଯେଉଁଥିରେ କୁହାଯାଇଛି କି, ପ୍ରସାରଣକାରୀମାନେ ସତ୍ୟନିଷ୍ଠା ଓ ସାମ୍ବାଦିକୀୟ ନୈତିକତାର ସର୍ବୋଚ୍ଚ ମାନଦଣ୍ଡକୁ ପାଳନ କରିବା ଆବଶ୍ୟକ। ସଂହିତାର ଧାରା ୪ରେ କୁହାଯାଇଛି, କୌଣସି ନିର୍ଦ୍ଦିଷ୍ଟ ବିଶ୍ବାସ, ମତ କିମ୍ବା ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ଇଚ୍ଛାକୁ ପ୍ରୋତ୍ସାହିତ କରିବା ପାଇଁ ସମ୍ବାଦ ଚୟନ ବା ପରିକଳ୍ପନା କରାଯିବ ନାହିଁ।’ ଏସବୁ କେବଳ କାଗଜରେ ସୀମିତ ରହିଥିବାର ଦେଖାଯାଉଛି। ପ୍ରସାରଣକାରୀମାନେ ସେମାନଙ୍କର ସଂହିତାକୁ ଏକ ସୁରକ୍ଷିତ ସ୍ଥାନରେ ବନ୍ଦ କରି ଦେଇଛନ୍ତି ଏବଂ ତାହା ବିଷୟରେ ଭୁଲି ଯାଇଛନ୍ତି।

ତୃତୀୟଟି ହେଉଛନ୍ତି ସରକାର। ଭାରତୀୟ ପିଙ୍ଗଳ ସଂହିତା (ଆଇପିସି)ର ଧାରା ୧୫୩(କ)ରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧିକୁ ବାରଣ କରାଯାଇଛି। ସେହିପରି ଧାରା ୨୯୫(କ)ରେ କୌଣସି ବର୍ଗର ଧାର୍ମିକ ଭାବନାକୁ ଅପମାନିତ କରିବା ପାଇଁ ଉଦ୍ଦେଶ୍ୟମୂଳକ ତଥା ମନ୍ଦ କାର୍ଯ୍ୟକୁ ବାରଣ କରାଯାଇଛି। ସରକାରଙ୍କ ପାଖରେ ମଧ୍ୟ କେବୁଲ ଟେଲିଭିଜନ୍‌ ନେଟ୍‌ଵର୍କ ନିୟମ (ସିଟିଏନ୍‌ଆର୍‌) ରହିଛି। ଏହାର ନିୟମ ୬ ଏକ କାର୍ଯ୍ୟକ୍ରମ ସଂହିତା ପ୍ରଦାନ କରେ, ଯାହା ଧର୍ମ କିମ୍ବା ସମ୍ପ୍ରଦାୟ ଉପରେ ଆକ୍ରମଣ କିମ୍ବା ଧାର୍ମିକ ଗୋଷ୍ଠୀର ଅବମାନନା କିମ୍ବା ସାମ୍ପ୍ରଦାୟିକ ମନୋଭାବକୁ ପ୍ରୋତ୍ସାହିତ କରୁଥିବା ଦୃଶ୍ୟ କିମ୍ବା ଶବ୍ଦ ଅନ୍ତର୍ଭୁକ୍ତ ଥିବା କୌଣସି କାର୍ଯ୍ୟକ୍ରମକୁ ବାରଣ କରେ। ପ୍ରସାରଣକାରୀମାନେ କାର୍ଯ୍ୟକ୍ରମ ସଂହିତା ପାଳନ କରୁଛନ୍ତି ନା ଉଲ୍ଲଂଘନ କରୁଛନ୍ତି, ତାହାର ୨୪x୭ ଘଣ୍ଟା ତଦାରଖ କରିବା ପାଇଁ ସରକାରଙ୍କ ପାଖରେ ଇଲେକ୍ଟ୍ରୋନିକ୍‌ ମିଡିଆ ମନିଟରିଂ ସେଣ୍ଟର (ଇଏମ୍‌ଏମ୍‌ସି) ନାମରେ ଏକ ସ୍ବତନ୍ତ୍ର ସଂସ୍ଥା ରହିଛି। ଟିଭିରେ ପ୍ରସାରିତ ଘୋର ବେଆଇନ ଘୃଣା ବଜାରକୁ ବନ୍ଦ କରିବା ପାଇଁ ସରକାର କାହିଁକି ନିଜ ଆଇନ ଓ ନିୟମ ଲାଗୁ କରୁନାହାନ୍ତି ବୋଲି ଆପଣ ଭାବୁଥିବେ! କାରଣ ପ୍ରସାରଣକାରୀମାନେ ଏଥିରେ ଯେତିକି ବ୍ୟାବସାୟିକ ବଜାର ଆବିଷ୍କାର କରିଛନ୍ତି, ମୋଦୀ ଶାସନ ମଧ୍ୟ ସେତିକି ରାଜନୈତିକ ବଜାର ପାଇଛନ୍ତି।

ଚତୁର୍ଥଟି ହେଉଛି ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏସ୍‌. କେ. ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟୁଜ୍‌ ବ୍ରଡକାଷ୍ଟିଂ ଆଣ୍ଡ୍‌ ଡିଜିଟାଲ୍‌ ଷ୍ଟାଣ୍ଡାର୍ଡ ଅଥରିଟି (ଏନ୍‌ବିଡିଏସ୍‌ଏ) ନାମକ ପ୍ରସାରଣକାରୀଙ୍କ ସ୍ବୟଂ-ନିୟାମକ ସଂସ୍ଥା। ଏହା ହେଉଛି ଏକମାତ୍ର ଆଶାର କିରଣ। ଏହା ଆଙ୍କର ଓ ପ୍ରସାରଣକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ନିର୍ଦ୍ଦେଶ ଦେଇଛି। ନିକଟରେ ଏହା ଜରିମାନା ଆଦାୟ କରିବା ଆରମ୍ଭ କରିଛି। ଅମନ ଚୋପ୍ରାଙ୍କ ଦ୍ବାରା ଉପସ୍ଥାପିତ ଦୁଇଟି ଘୃଣ୍ୟ ତଥା ଉତ୍ତେଜକ କାର୍ଯ୍ୟକ୍ରମ ପାଇଁ ‘ନ୍ୟୁଜ୍‌ ୧୮ ମିଡିଆ’ ଉପରେ ୫୦ ହଜାର ଓ ୨୫ ହଜାର ଟଙ୍କାର ଜରିମାନା ଲଗାଯାଇଛି।

ପଞ୍ଚମଟି ହେଉଛି ନ୍ୟାୟପାଳିକା। ସୁଦର୍ଶନ ଟିଭିରେ ‘ୟୁପିଏସ୍‌ସି ଜିହାଦ’ କାର୍ଯ୍ୟକ୍ରମର ପ୍ରସାରଣ ବନ୍ଦ କରିବା ଦିଗରେ ମୋଦୀ ସରକାର ଅନିଚ୍ଛା ପ୍ରକାଶ କରିବାରୁ ସୁପ୍ରିମ୍‌ କୋର୍ଟର ଏକ ଖଣ୍ଡପୀଠ ହସ୍ତକ୍ଷେପ କରି ତାହାର ଅତିରିକ୍ତ ଧାରାବାହିକ ପ୍ରସାରଣ ବନ୍ଦ କରିଥିଲେ। ସୁପ୍ରିମ୍‌ କୋର୍ଟର ଅନ୍ୟ ଏକ ଖଣ୍ଡପୀଠ, ଯିଏ ଘୃଣା ଭାଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଏକାଧିକ ଯାଚିକାର ଶୁଣାଣି କରୁଛନ୍ତି, ସିଏ ଆଶ୍ଚର୍ଯ୍ୟ ହୋଇ ଟିପ୍ପଣୀ କରିଛନ୍ତି ଯେ, ଯଦି ଜଣେ ଟିଭି ନ୍ୟୁଜ୍‌ ଆଙ୍କର ଘୃଣା ଭାଷଣ ପ୍ରସାର କରିବା ସମସ୍ୟାର ଏକ ଅଂଶ ହୁଅନ୍ତି, ତେବେ ପ୍ରସାରଣ କାହିଁକି ବନ୍ଦ କରାଯିବ ନାହିଁ? ଯଦି ନ୍ୟୁଜ୍‌ ଆଙ୍କର କିମ୍ବା ସେମାନଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ସମସ୍ତେ ବାଟକୁ ଆସିଯିବେ। ଏବେ ସମସ୍ତଙ୍କ ନଜର ଏନ୍‌ବିଡିଏସ୍‌ଏ ଉପରେ। ଜଷ୍ଟିସ୍‌ ସିକ୍ରି ନିନ୍ଦା ଓ ଜରିମାନାର ଊର୍ଦ୍ଧ୍ବକୁ ଯାଇ ଘୃଣା ପ୍ରଚାର କରୁଥିବା ଆଙ୍କରମାନଙ୍କୁ ପ୍ରସାରଣରୁ ବିଦା ହେବା ପାଇଁ ନିର୍ଦ୍ଦେଶ ଦେବେ କି? ତାହା ସମ୍ଭବତଃ ଘୃଣା ବଜାରକୁ ବନ୍ଦ କରିଦେଇପାରେ!
[email protected]

ସମ୍ବନ୍ଧିତ ଖବର