ୟୁକ୍ରେନ୍‌ ଯୁଦ୍ଧର ବିଭିନ୍ନ ଦିଗ

ଶରତ ଚନ୍ଦ୍ର ମିଶ୍ର

ୟୁକ୍ରେନ୍‌ ଯୁଦ୍ଧ ଏକ ବର୍ଷରୁ ଅଧିକ ହେଲା ବଳବତ୍ତର ରହିଛି। ଗତ ବର୍ଷ ରୁଷିଆ ଆକ୍ରମଣ କରିବା ସମୟରେ ସମର ବିଶାରଦମାନେ ଆକଳନ କରିଥିଲେ ଯେ ମାସେ ଦୁଇ ମାସ ମଧ୍ୟରେ ରୁଷିଆ ୟୁକ୍ରେନ୍‌କୁ ସଂପୂର୍ଣ୍ଣ ଅଧିକାର କରିନେବ। ପଶ୍ଚିମ ଇଉରୋପ ରାଷ୍ଟ୍ରମାନେ ଓ ଆମେରିକା ଏ ଆକଳନକୁ ଭୁଲ୍‌ ପ୍ରମାଣିତ କରି ରୁଷିଆକୁ ଜୟର ସ୍ବାଦ ଚାଖିବାକୁ ଦେଉନାହାନ୍ତି। ଯଦିଓ ପାଶ୍ଚାତ୍ୟ ଶକ୍ତିମାନେ ୟୁକ୍ରେନକୁ ସୈନ୍ୟ ପ୍ରେରଣ କରିନାହାନ୍ତି କିନ୍ତୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରି ରୁ‌ଷିଆର ଅଗ୍ରଗତିକୁ ବ୍ୟାହତ କରିବାକୁ ସକ୍ଷମ ହୋଇଛନ୍ତି। ୟୁକ୍ରେନ ଯୁଦ୍ଧକୁ ପାଶ୍ଚାତ୍ୟ ଶକ୍ତି ଓ ରୁଷିଆର ଶକ୍ତି ପରୀକ୍ଷାରେ ପରିଣତ କରାଯାଉଛି ଓ ନୂତନ ପିଢ଼ିର ଅସ୍ତ୍ରଶସ୍ତ୍ର ସେଠାରେ ପରୀକ୍ଷା କରାଯାଉଛି। ରୁଷିଆକୁ ସାମରିକ ଶକ୍ତି ଭାବରେ ଦୁର୍ବଳ କରିବାର ଏହା ଆମେରିକାର ଏକ ପ୍ରୟାସ।

ୟୁକ୍ରେନ ସୋଭିଏତ୍‌ ରୁଷିଆର ଅଂଶ ବିଶେଷ ଥିଲା ଓ ସୋଭିଏତ୍‌ ରୁଷର ସମୃଦ୍ଧିଶାଳୀ ଅଞ୍ଚଳ ଥିଲା। କୃଷ୍ଣସାଗର ଓ କ୍ରିମିଆ ପାଖ ଦେଇ ରୁଷର ନୌବାହିନୀ ଯାତାୟାତ କରୁଥିଲା। ରୁଷର ବିମାନବାହୀ ଜାହାଜ କାରଖାନା ୟୁକ୍ରେନରେ ହିଁ ଥିଲା। ଦ୍ବିତୀୟ ମହାଯୁଦ୍ଧ ପରେ ଜାତିସଂଘ ଗଠନ ସମୟରେ ସୋଭିଏତ୍‌ ରୁଷର ପ୍ରଭାବରେ ୟୁକ୍ରେନ ସୋଭିଏତ୍‌ର ଅଂଶ ଥାଇ ମଧ୍ୟ ଜାତିସଂଘର ସଭ୍ୟ ହୋଇ ପାରିଥିଲା। ରୁଷିଆର ମୁଖ୍ୟ ପୁଟିନ ରୁଷିଆର ସୋଭିଏତ୍ ସମୟର ହୃତଗୌରବ ଫେରାଇ ଆଣିବାକୁ ଚାହାନ୍ତି ଓ ସୋଭିଏତ୍‌ ରୁଷରୁ ଅଲଗା ହୋଇ ସ୍ବାଧୀନ ହୋଇଥିବା ରାଷ୍ଟ୍ରଗୁଡ଼ିକ ସୋଭିଏତ୍‌ ରୁଷ ଫେରି ନ ଆସିଲେ ମଧ୍ୟ, ରୁଷିଆର ପ୍ରଭାବ ବଳୟ ମଧ୍ୟରେ ରଖିବାକୁ ଚାହାନ୍ତି।

ପକ୍ଷାନ୍ତରେ ଆମେରିକା ଓ ନାଟୋ ଦେଶମାନେ ପୂର୍ବତନ ୱାର୍‌ସୋ ଚୁକ୍ତିର ପୂର୍ବ ଇଉରୋପ ଦେଶଗୁଡ଼ିକୁ ନାଟୋର ସହଯୋଗୀ କରି, ସୋଭିଏତ୍‌ର ପୂର୍ବତନ ଦେଶଗୁଡ଼ିକୁ ରୁଷିଆ ଠାରୁ ସମ୍ପୂର୍ଣ୍ଣ ଅଲଗା କରି ଦେବାକୁ ଚାହାନ୍ତି। ୟୁକ୍ରେନକୁ ଇଉରୋପ ୟୁନିୟନ ଓ ନାଟୋର ସଦସ୍ୟ କରି, ନାଟୋ ଓ ଇଉରୋପ ୟୁନିଅନର ପ୍ରଭାବ ବଳୟ କୃଷ୍ଣସାଗର ପର୍ଯ୍ୟନ୍ତ ବିସ୍ତାର କରିବାକୁ ଚାହାନ୍ତି। ଫଳତଃ ରୁଷିଆ ସବୁଦିନ ନିମନ୍ତେ ଆଉ ଏକ ବିରାଟ ସାମରିକ ଶକ୍ତି ହୋଇପାରିବ ନାହିଁ। ବିଗତ ଶତାବ୍ଦୀରେ ଆଫଗାନିସ୍ତାନରୁ ସୋଭିଏତ୍‌ ରୁଷକୁ ଅପମାନଜନକ ଭାବରେ ବିଦା କରିବା ଭଳି, ୟୁକ୍ରେନ୍‌ରୁ ରୁଷିଆକୁ ବିଦା କରି ଏକ ଦୁର୍ବଳ ଶକ୍ତିରେ ପରିଣତ କରିବା ଆମେରିକା ଓ ସହଯୋଗୀମାନଙ୍କର ଲକ୍ଷ୍ୟ। ୟୁକ୍ରେନ ଆମେରିକା ଓ ସହଯୋଗୀ ରାଷ୍ଟ୍ରମାନଙ୍କରୁ ବହୁ ବିଲିଅନ ଡଲାରର ଆଧୁନିକ ଅସ୍ତ୍ରଶସ୍ତ୍ର ପାଉଥିବା ସମୟରେ, ରୁଷିଆର କୌଣସି ଯୋଗାଣ ଉତ୍ସ ନାହିଁ। ଆର୍ଥିକ କଟକଣା ଭୟରେ ଚୀନ୍‌, ସମସ୍ତ ସମର୍ଥନ ସତ୍ତ୍ବେ ରୁଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇ ପାରୁନାହିଁ। ଯୁଦ୍ଧରେ ୟୁକ୍ରେନ୍‌ର ସହର, କୋଠାବାଡ଼ି, ଭିତ୍ତିଭୂମି ଆଦି ବିପୁଳ ଭାବରେ ଧ୍ବସ୍ତବିଧ୍ବସ୍ତ ହେଉଛି ଓ ରୁଷର ସୈନ୍ୟ ବହୁ ପରିମାଣରେ ପ୍ରାଣ ହରାଉଛନ୍ତି। ଯୁଦ୍ଧ ବନ୍ଦ କରିବା ଦିଗରେ କୌଣସି ନିଷ୍ଠାବାନ ଉଦ୍ୟମ ହେଉ ନାହିଁ। କାହିଁକି ଉଦ୍ୟମ ହେଉ ନାହିଁ ଓ ଏ ଯୁଦ୍ଧ କାହାକୁ କିପରି ଭାବରେ ପ୍ରଭାବିତ କରୁଛି, ତାହା ପ୍ରଣିଧାନଯୋଗ୍ୟ।

ଏ ଯୁଦ୍ଧରେ ଚାରିଟି ଶିଳ୍ପ ବିଶେଷ ଭାବରେ ଲାଭବାନ ହୋଇଛନ୍ତି। ‌େତୖଳ, ଗ୍ୟାସ, ଅସ୍ତ୍ରଶସ୍ତ୍ର ଉତ୍ପାଦନ ଶିଳ୍ପ ଓ ଆଇ.ଟି କମ୍ପାନିମା‌େନ ଯେଉଁମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ଉତ୍ପାଦନରେ ସାହାଯ୍ୟ କରୁଛନ୍ତି। ରୁଷିଆର ଆଶୋଧିତ ତୈଳ ପ୍ରଚୁର ପରିମାଣରେ ଚୀନ ଓ ଭାରତକୁ ବିକ୍ରି ହେଉଛି ଏବଂ ବିଶୋଧନ ପରେ ପୁଣି ଯାଇ କଟକଣା ଲାଗିଥିବା ପଶ୍ଚିମ ଇଉରୋପ ଓ ଅନ୍ୟାନ୍ୟ ଦେଶରେ ଶସ୍ତା ଦରରେ ବିକ୍ରି ହେଉଛି। ରୁଷିଆର ତୈଳ ବର୍ତ୍ତମାନ ଅନ୍ୟାନ୍ୟ ଦେଶର ତୈଳ ଅପେକ୍ଷା ଶତକଡ଼ା ୨୮ ଭାଗ ଶସ୍ତାରେ ମିଳୁଚି। ଗ୍ୟାସ୍‌ର ଅବସ୍ଥା ମଧ୍ୟ ତଦ୍ରୂପ। ଗ୍ୟାସ ପଶ୍ଚିମ ଇଉରୋପରେ ଶସ୍ତାରେ ପାଇପ ‌ଯୋଗେ ପ୍ରାପ୍ତ ନ ହେଲେ ହେଁ ଅନ୍ୟ ଦେଶ ବାଟେ ଆସୁଛି। ସବୁଠାରୁ ଲାଭବାନ ହେଉଛି ଆମେରିକାର ଅସ୍ତ୍ରଶସ୍ତ୍ର ଶିଳ୍ପ। ସେଇ ଶିଳ୍ପର ଅନେକ ସମର୍ଥକ ଆମେରିକାନ୍‌ ସିନେଟ ଓ ହାଉସର ସଭ୍ୟ।

ସେମାନେ ଉଭୟ ଦଳର। ୟୁକ୍ରେନ୍‌କୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ସେମାନେ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି ଓ ସରକାର ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣି ୟୁକ୍ରେନକୁ ଦେଉଛନ୍ତି। ଆମେରିକାନ୍‌ ସୈନ୍ୟ ଯୁଦ୍ଧରେ ଭାଗ ନେଉ ନ ଥିବାରୁ, ଏ ଯୁଦ୍ଧ, ଆମେରିକାରେ ଜନସାଧାରଣଙ୍କର ବିରୋଧ ସୃଷ୍ଟି କରୁନାହିଁ।

ଆମେରିକା ଏ ଯୁଦ୍ଧ ମାଧ୍ୟମରେ ସମଗ୍ର ପଶ୍ଚିମ ଇଉରୋପ, ଇଉରୋପିଆନ୍‌ ୟୁନିଅନ ଦେଶଗୁଡ଼ିକୁ ନିଜର ନେତୃତ୍ବାଧୀନ କରିପାରିଛି ଓ ଆର୍ଥିକ କଟକଣା ଜରିଆରେ ଡଲାରର ପ୍ରାଧାନ୍ୟ ପୁନଃପ୍ରତିଷ୍ଠା କରିପାରିଛି। ରୁଷିଆକୁ ଦୁର୍ବଳ କରି ପଦାନତ କରିବାକୁ ଲକ୍ଷ୍ୟ ଥିବାରୁ, ଆମେରିକା ଏ ଯୁଦ୍ଧର ଅବସାନ ପ୍ରତି ଆଗ୍ରହୀ ନୁ‌େହଁ। ବରଂ ଆଫଗାନିସ୍ତାନରେ ବିଗତ ଶତାବ୍ଦୀରେ ସୋଭିଏତ ରୁଷର ଅପମାନ ପରି ୟୁକ୍ରେନରୁ ଅପମାନିତ ହୋଇ ରୁଷିଆ ଫେରିଯିବା ଆ‌େମରିକା ଚାହେଁ। ନିଜର ଅଭୀଷ୍ଟ ସିଦ୍ଧି, ଅର୍ଥାତ୍‌ କ୍ରିମିଆ ଓ କୃଷ୍ଣସାଗର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଏବଂ ୟୁକ୍ରେନକୁ ଇଉରୋପ ୟୁନିଅନ ଓ ନାଟୋରେ ଯୋଗଦାନରୁ ବିରତ ନ ହେବା ପର୍ଯ୍ୟନ୍ତ ରୁଷିଆ ଯୁଦ୍ଧ ବନ୍ଦ କରିବ ନାହିଁ। ୟୁକ୍ରେନର ଜନସାଧାରଣ, ଯେଉଁମାନେ କି ସବୁଠାରୁ କ୍ଷତିଗ୍ରସ୍ତ, ସେମାନେ ଯୁଦ୍ଧବନ୍ଦ ଚାହାନ୍ତି କିନ୍ତୁ ତାଙ୍କର ମତାମତର କୌଣସି ମୂଲ୍ୟ ନାହିଁ କାରଣ ଏ ଯୁଦ୍ଧ ଆଉ ରୁଷିଆ-ୟୁକ୍ରେନ ଯୁଦ୍ଧ ନ ହୋଇ, ରୁଷିଆ ଓ ନାଟୋ ଶକ୍ତି ମଧ୍ୟରେ ଛାୟାଯୁଦ୍ଧରେ ପରିଣତ ହେଲାଣି।

ଚୀନ୍‌ ଏକ ବାର ଦଫା ବିଶିଷ୍ଟ ଶାନ୍ତି ଯୋଜନା ପ୍ରଚାର କରୁଥିଲେ ମଧ୍ୟ ଚଞ୍ଚଳ ଯୁଦ୍ଧର ଅବସାନ ଚାହେଁ ନାହିଁ। ଏ ଯୁଦ୍ଧ ରୁଷିଆକୁ ଦୁର୍ବଳ କରୁଛି ଓ ତୃତୀୟ ବିଶ୍ବରେ ଉଭୟ ରୁଷିଆ ଓ ଆମେରିକାକୁ ଅପ୍ରିୟ କରୁଛି ଓ ଆମେରିକାର ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ସମସ୍ତ କାରକ ଗୁଡ଼ିକ ଚୀନକୁ ସୁହାଉଛି। ଏକ ଦୁର୍ବଳ ରୁଷିଆ, ଚୀନ ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେବ ଓ ଏକ ଅପ୍ରିୟ ରାଷ୍ଟ୍ର ଆମେରିକା ହାତରୁ ଦରିଦ୍ର ଅନୁନ୍ନତ ଦେଶମାନଙ୍କର ନେତୃତ୍ବ ଚୀନ ହାତକୁ ଆସିଯିବାର ସମ୍ଭାବନା ରହିଛି।

ପଶ୍ଚିମ ଇଉରୋପ ଏ ଯୁଦ୍ଧରେ କ୍ଷତିଗ୍ରସ୍ତ। ଗ୍ୟାସ ଦରବୃଦ୍ଧି, ସାଧାରଣ ଦ୍ରବ୍ୟର ଦରବୃଦ୍ଧି ଓ ୟୁକ୍ରେନରୁ ଆଗତ ଶରଣାର୍ଥୀଙ୍କ ସମସ୍ୟା ସେମାନଙ୍କୁ ମୁକାବିଲା କରିବାକୁ ପଡୁଚି। ବିଶ୍ବ ଅର୍ଥନୈତିକ ବ୍ୟବସ୍ଥା ମଧ୍ୟ କ୍ଷତିଗ୍ରସ୍ତ ଓ ବାଣିଜ୍ୟ ବୃଦ୍ଧି ଦିଗରେ ବାଧକ। ତଥାପି ଆମେରିକା ଚାପରେ ପଶ୍ଚିମ ଇଉରୋପ ୟୁକ୍ରେନକୁ ସାହାଯ୍ୟ କରୁଅଛି। ରୁଷିଆ ଆମେରିକାନ୍‌ ଅର୍ଥ‌େନୖତିକ କଟକଣାକୁ ମୁକାବିଲା କରିବାରେ ସକ୍ଷମ ହେଲେ ମଧ୍ୟ, ଏକ ଦୀର୍ଘକାଳ ଧରି ଯୁଦ୍ଧ କରିବାରେ ସଫଳ ହେବ ନାହିଁ। ରୁଷିଆ ଦେଶରେ ଏ ଯୁଦ୍ଧ ସପକ୍ଷରେ ପର୍ଯ୍ୟାପ୍ତ ଜନସମର୍ଥନ ନାହିଁ ଓ ବହୁ ରୁଷିଆର ସୈନ୍ୟ ପ୍ରାଣ ହରାଇଲେଣି। କିନ୍ତୁ କୌଣସି ସଫଳ ଆଲୋଚନା ଯୁଦ୍ଧ ବିରତି ନିମନ୍ତେ ହୋଇପାରୁନାହିଁ।

ଏ ଯୁଦ୍ଧ ଆମ ଦେଶ ଭାରତ ପ୍ରତି ଏକ ସମସ୍ୟା ସୃଷ୍ଟି କରିଅଛି। ବର୍ତ୍ତମାନ ଉଭୟ ଆମେରିକା ଓ ରୁଷିଆ ଆମର ବନ୍ଧୁ ଦେଶ। ସେମାନଙ୍କ ପକ୍ଷ ନେବା ନିମନ୍ତେ ଉଭୟ ଦେଶ ପକ୍ଷରୁ ଆମ ଉପରେ ଚାପ ସୃଷ୍ଟି ହେଉଛି। ଏ ପର୍ଯ୍ୟନ୍ତ ଭାରତ ଉଭୟ ଚାପ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ସକ୍ଷମ ହେଲେ ମଧ୍ୟ, ଯୁଦ୍ଧର ବିଭୀଷିକା ବୃଦ୍ଧି ପ୍ରାପ୍ତ ହେଲେ ପକ୍ଷ ନେବାକୁ ବାଧ୍ୟ ହେବ। ରୁଷିଆ ଦୁର୍ବଳ ହୋଇ ଚୀନର ଶରଣାପନ୍ନ ହେବା ଆମ ଦେଶ ପକ୍ଷରେ ହିତକର ନୁହେଁ। ରୁଷିଆର ଅସ୍ତ୍ରଶସ୍ତ୍ର ଉତ୍ପାଦନ ବ୍ୟାହତ ହେଲେ, ଆମ ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବ୍ୟାହତ ଓ ବିଳମ୍ବ‌ ହେବ। ରୁଷିଆରୁ ଅାନୀତ ଅସ୍ତ୍ରଶସ୍ତ୍ରର ମରାମତି ଓ ରକ୍ଷଣାବେକ୍ଷଣ ମଧ୍ୟ ବ୍ୟାହତ ହେବ।
ଆମେରିକା ସରକାର ଆମ ଉପରେ କ୍ଷୁବ୍‌ଧ ହେଲେ, ଆମ ଉପରେ ଚାପ ସୃଷ୍ଟି କରିବା ନିମନ୍ତେ ପାକିସ୍ତାନକୁ ପୁଣି ସାମରିକ ଓ ଅର୍ଥନୈତିକ ସାହାଯ୍ୟ ପ୍ରଦାନ କରିବେ ଓ ବର୍ତ୍ତମାନର ମୃତପ୍ରାୟ ପାକିସ୍ତାନ ସଜୀବ ଓ ସଚଳ ହୋଇ ଆମ ବିରୋଧରେ ତା’ର କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବ। ୟୁକ୍ରେନ ଯୁଦ୍ଧର ଆଶୁ ଅବସାନ ଭାରତ ପକ୍ଷରେ ଶୁଭଙ୍କର। ଭାରତ ଏ ଦିଗରେ କିଛିଟା ଉଦ୍ୟମ କଲେ ମଧ୍ୟ କୌଣସି ପ୍ରଭାବଶାଳୀ ରାଷ୍ଟ୍ରର ସହଯୋଗ ପ୍ରାପ୍ତ ହେଉନାହିଁ।
ମୋ: ୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର