କାରଣ-ଅକାରଣ

କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ କେନ୍ଦ୍ର କରି ଘଟିଥିବା ନାଟକୀୟ ଘଟଣାମାନ ସ୍ବାଭାବିକ ଭାବରେ ଯେଉଁ ରାଜନୈତିକ, ସାଂବିଧାନିକ, ଆଇନଗତ ବିତର୍କ ସୃଷ୍ଟି କରିଛି, ତାହାର ଉଭୟ ପଟରେ ଅଗଣିତ ଅଂଶଗ୍ରହଣକାରୀଙ୍କର ଉଚ୍ଚାଟଭରା ଯୁକ୍ତି ତର୍କ ଦେଖିଲେ ମନେହୁଏ ରାହୁଳ ଅାଉ ଯାହା ହାସଲ କରିଥାନ୍ତୁ ବା ନଥାନ୍ତୁ, ସେ ଅମର୍ତ୍ୟ ସେନ୍‌ଙ୍କର ‘ଯୁକ୍ତିପ୍ରବଣ ଭାରତୀୟ’ (‘ଦି ଆର୍ଗୁମେ‌ଣ୍ଟେଟିଭ୍‌ ଇଣ୍ଡିଆନ୍‌’)ମାନଙ୍କୁ ସେମାନଙ୍କର ସେଇ ପ୍ରଧାନ ପ୍ରବୃତ୍ତି ଚରିତାର୍ଥ କରିବା ନିମିତ୍ତ ଏକ ଅପୂର୍ବ ସୁଯୋଗ ଯୋଗାଇ ଦେଇଛନ୍ତି। ସେମାନେ ଏହାକୁ ଏକ ଦେଶବ୍ୟାପୀ ତର୍କ ପ୍ରତିଯୋଗିତାରେ ପରିଣତ କରି ପ୍ରସଙ୍ଗଟିର ପ୍ରତ୍ୟେକ ଦିଗକୁ ଟିକିନିଖି କରି ଯାଞ୍ଚ କରି ଚାଲିଥିଲେ ହେଁ ଏ ସମସ୍ତ ଘଟଣାକ୍ରମର ସୂତ୍ରପାତ କରିଥିବା ରାହୁଳଙ୍କ ମୂଳ ପ୍ରଶ୍ନରେ ନିହିତ ଥିବା ଏକ ମୌଳିକ ସମସ୍ୟା ଏପର୍ଯ୍ୟନ୍ତ କାହାର ଦୃଷ୍ଟି ଆକ‌ର୍ଷଣ କରିଥିବା ଭଳି ମନେ ହୁଏନାହିଁ।

ତାହା ହେଉଛି, କାର୍ଯ୍ୟ-କାରଣ ସମ୍ବନ୍ଧରେ ଆମେ ବହନ କରୁଥିବା ଧାରଣାର ବିଶ୍ବସନୀୟତା- ଯାହାକୁ ଦାର୍ଶନିକ ଡେଭିଡ୍‌ ହ୍ୟୁମ୍‌ ‘ସଂସାରର ସିମେଣ୍ଟ’ ରୂପେ ଅଭିହିତ କରିଥିଲେ, କାରଣ ସିମେଣ୍ଟ ଅଠା ଭଳି କାର୍ଯ୍ୟ କରି ଏକ ନିର୍ମାଣକୁ ସମ୍ଭାଳି ଥିବା ଭଳି, ଏହି ଧାରଣା ଭିତ୍ତିରେ ସଂସାର ଚାଲିଥାଏ (ଆକାଶରେ କଳାହାଣ୍ଡିଆ ବାଦଲ ଦେଖିଲେ ଆମେ ଛତା ନେଇ ବାହାରି ଥାଉ; ଗରମ ଚା’ରେ ଓଠ ଲଗାଇବା ପୂର୍ବରୁ ତାକୁ ଫୁଙ୍କି ଥଣ୍ଡା କରିଥାଉ…)। ରାହୁଳ ଗାନ୍ଧୀ ବର୍ତ୍ତମାନ ଯେଉଁ ସମସ୍ୟା ଘେରରେ ପଡ଼ିଛନ୍ତି ତାହା ମୂଳରେ ଯାହା ରହିଛି, ତାହା ହେଲା ସେ ଆବିଷ୍କାର କରିଛନ୍ତି ବୋଲି ବିଶ୍ବାସ କରୁଥିବା ଏହିପରି ଏକ କାର୍ଯ୍ୟ-କାରଣ ସମ୍ପର୍କ: ‘ମୋଦୀ’ ସାଙ୍ଗିଆ ଓ ‘ଚୌର୍ଯ୍ୟ ବୃତ୍ତି’ ମଧ୍ୟ‌େର। ଲଳିତ ମୋଦୀ ଓ ନିରବ ମୋଦୀ ଭଳି ଚରିତ୍ରମାନଙ୍କର ଅପକର୍ମ ଦେଖିବା ପରେ ତାଙ୍କର ମନେ ହୋଇଛି ବୋଧହୁଏ ବୃଷ୍ଟିପାତର କଳାହାଣ୍ଡିଆ ବାଦଲ ସହିତ ସମ୍ପର୍କ ଯେଉଁ ଭଳି ହୋଇଥାଏ, ଚୌର୍ଯ୍ୟ ବୃତ୍ତିର ‘ମୋଦୀ’ ସାଙ୍ଗିଆ ସହିତ ସମ୍ପର୍କ ସେଇଭଳି ହୋଇଥାଏ।

କିନ୍ତୁ ସମସ୍ୟା ହେଲା, ଯେ କୌଣସି କାର୍ଯ୍ୟ-କାରଣ ସମ୍ପର୍କ ପ୍ରତି, ଏପରିକି ତଥାକଥିତ ବିଜ୍ଞାନସମ୍ମତ ସମ୍ପର୍କମାନଙ୍କ ପ୍ରତି ହ୍ୟୁମ୍‌ଙ୍କର ଘୋର ସନ୍ଦେହ ରହିଥିଲା। ସେ ବିଶ୍ବାସ କରୁଥିଲେ ଯେ ଏହା ଅାମ ଚିନ୍ତାଧାରା ଓ ଆମେ ବ୍ୟବହାର କରୁଥିବା ଭାଷାରେ ଦୃଢ଼ ଭାବରେ ଆସ୍ଥାନ ଜମାଇ ରହିଥିବା ଏକ ବଦ୍ଧମୂଳ ଧାରଣା ଛଡ଼ା ଆଉ କିଛି ନୁହେଁ। ଏହି କାର୍ଯ୍ୟ-କାରଣ ଧାରଣା ସୃଷ୍ଟି ହେବା ପଛରେ ଥିବା କାରଣମାନ ମଧ୍ୟ ସେ ଚିହ୍ନଟ କରିଥିଲେ। ଗୋଟିଏ ହେଲା ‘ସ୍ଥାନଗତ ସମୀପତ୍ବ’- ଯେମିତି ବାଦଲ ଓ ବର୍ଷା ମଧ୍ୟରେ, କିମ୍ବା ଗରମ ଚା’ କପ୍‌ ଓ ଓଠ ମଧ୍ୟରେ ଦେଖାଯାଇଥାଏ। ଅନ୍ୟଟି ହେଲା ‘କାଳଗତ ଅଗ୍ରଣୀତ୍ବ’- ଯେମିତି ପ୍ରଥମେ ବାଦଲ ଦେଖାଦିଏ, ପରେ ବର୍ଷା ହୁଏ; ପ୍ରଥମେ ଗରମ ଚା’ ଓଠରେ ଲାଗେ, ପରେ ଓଠର ଫୋଟକା ବାହାରେ…। ଏ ଦୁଇଟି କାରଣକୁ ଏକାଠି କରି ହ୍ୟୁମ୍‌ ତାହାର ନାମ ଦେଇଥିଲେ- ‘ସଂଯୋଗ’। ଏହି ସଂଯୋଗ ଯଦି ବାରମ୍ବାର ସଂଘଟିତ ହେବା ଦେଖାଯାଏ, ଆମ ମନରେ ଏକ ‘ଧାରଣା’ ସୃଷ୍ଟି ହୁଏ ଯେ ଗୋଟିଏ ହେଉଛି ‘କାରଣ’ ଓ ଅନ୍ୟଟି ହେଉଛି ସେଥିରୁ ଉତ୍ପନ୍ନ ‌‘କାର୍ଯ୍ୟ’।

ହ୍ୟୁମ୍‌ଙ୍କ ମତରେ ଏହା କିନ୍ତୁ ହେଉଛି କେବଳ ଏକ ‘ଧାରଣା’ ମାତ୍ର, ଯାହା ଗଣିତ ବା ଜ୍ୟାମିତିର କୌଣସି ନିୟମ ପରି ଅନିବାର୍ଯ୍ୟ ନୁହେଁ (ଯେମିତି ଏକ ତ୍ରିଭୁଜର ତିନିକୋଣ‌ର ସମଷ୍ଟି ୧୮୦ଂ ହେବା ଅନିବାର୍ଯ୍ୟ)। କାର୍ଯ୍ୟ-କାରଣ ସମ୍ପର୍କ ସମ୍ବନ୍ଧରେ ହ୍ୟୁମ୍‌ଙ୍କର ଏପରି ସ‌େନ୍ଦହର କାରଣ ଥିଲା ମନୁଷ୍ୟର ଜ୍ଞାନର ସୀମାବଦ୍ଧତା ସମ୍ପର୍କରେ ଥିବା ତାଙ୍କର ଦୃଢ଼ ବିଶ୍ବାସ। ସେ ବିଶ୍ବାସ ‌କରୁଥିଲେ ବସ୍ତୁଗତ ଜଗତ ସମ୍ବନ୍ଧରେ ମନୁଷ୍ୟର ସମସ୍ତ ଜ୍ଞାନର ଏକମାତ୍ର ଆଧାର ହେଉଛି- ତା’ର ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ସଂଗୃହୀତ ଅନୁଭୂତିମାନ। ଏହି ଅନୁଭୂତିମାନ ଆମ ମନ‌େର ବିଭିନ୍ନ ଧାରଣାମାନଙ୍କୁ ଜନ୍ମ ଦେଇଥାନ୍ତି; ପ୍ରତ୍ୟେକ ଧାରଣା ପଛରେ ନିହିତ ଥାଏ ଏକ ଇନ୍ଦ୍ରିୟାଶ୍ରୟୀ ଅନୁଭୂତି; ଅନୁଭୂତିହୀନ ଧାରଣା ତେଣୁ ଜ୍ଞାନ ପଦବାଚ୍ୟ ନୁହେଁ, ଭିତ୍ତିହୀନ। ତୁମର ଦର୍ଶନେନ୍ଦ୍ରିୟ ମାଧ୍ୟମ‌େର ଚା’କପ୍‌ରୁ ଉଠୁଥିବା ବାଷ୍ପକୁ ଦେଖି ତୁମେ ଧାରଣା କଲ ଯେ ଚା’ ଗରମ ଅଛି; ତୁମର ସ୍ପର୍ଶେନ୍ଦ୍ରିୟ ମାଧ୍ୟମରେ ତୁମେ ଧାରଣା କଲ ଯେ ତୁମର ଓଠରେ ଫୋଟକା ହୋଇଛି; କିନ୍ତୁ କେଉଁ ଇନ୍ଦ୍ରିୟ ମାଧ୍ୟମରେ ତୁମେ ସାବ୍ୟସ୍ତ କଲ ଯେ ଗରମ ଚା’ ଓ ଓଠର ଫୋଟକା ମଧ୍ୟରେ ଏକ କାର୍ଯ୍ୟ-କାରଣ ସମ୍ପର୍କ ରହିଛି? କେବଳ ଅତୀତର ଅନୁଭୂତି ଚାପରେ ଆମେ ଏପରି କାର୍ଯ୍ୟ-କାରଣ ସମ୍ପର୍କମାନ ଆଶା କରିଥାଉ ଯାହା; ସେଥିରେ କୌଣସି ଅନିବାର୍ଯ୍ୟତା ନ ଥାଏ। ଏହା ହିଁ ଥିଲା ହ୍ୟୁମ୍‌ଙ୍କର ଦୃଢ଼ ମତ। ‘ମୋଦୀ’ ସାଙ୍ଗିଆ ବହନ କରୁଥିବା କେତେଜଣ ବ୍ୟକ୍ତି ଚୌର୍ଯ୍ୟ ବୃତ୍ତି ଅବଲମ୍ବନ କରିବା ଦେଖାଯାଇ ପାରିଥାଏ; କିନ୍ତୁ ‘ମୋଦୀ’ ସାଙ୍ଗିଆ ଓ ଚୌର୍ଯ୍ୟ ବୃତ୍ତି ମଧ୍ୟରେ କାର୍ଯ୍ୟ-କାରଣ ସମ୍ପର୍କ ସ୍ଥାପନର ଆଧାର କ’ଣ?

ନିଶ୍ଚିତ ରୂପେ ହ୍ୟୁମ୍‌ଙ୍କର ଏଭଳି ଯୁକ୍ତି କେତେକଙ୍କୁ ଉଦ୍ଭଟ ମନେ ହେଉଥିବ। ତାଙ୍କର ଏହି ଯୁକ୍ତିକୁ ଖଣ୍ଡନ କରି କାର୍ଯ୍ୟ-କାରଣ ସମ୍ପର୍କ ପ୍ରମାଣିତ କରିବା ପାଇଁ ହୋଇଥିବା ଏକ ପ୍ରମୁଖ ଉଦ୍ୟମ ହେ‌ଉଛି ଦାର୍ଶନିକ ଡେଭିଡ୍‌ ଲିୱିସ୍‌ଙ୍କ ଦ୍ବାରା ପ୍ରଣୀତ ‘ବିପରୀତ-ତଥ୍ୟ ତତ୍ତ୍ବ’ (‘କାଉଣ୍ଟର୍‌ ଫାକ୍‌ଚୁଆଲ୍‌ ଥିଓରି ଅଫ୍‌ କଜେସନ୍‌’)। ଏହା ଅନୁସାରେ ଯଦି ‘କ’ ହୋଇଥାଏ ‘ଖ’ ଘଟିବାର କାରଣ, ତେବେ ‌େଯଉଁଠି ‘କ’ର ଉପସ୍ଥିତି ନ ଥାଏ, ସେଠାରେ ‘ଖ’ ଘଟିବ ନାହିଁ। ଯଦି କୁହାଯାଏ ମଦ୍ୟପାନ ହେଉଛି ଯକୃତ ସିରୋସିସ୍‌ ବ୍ୟାଧିର କାରଣ, ତେବେ ଏକ ନମୁନା ଜନସଂଖ୍ୟାକୁ ଦୁଇଟି ସମାନ ଗୋଷ୍ଠୀରେ ବିଭକ୍ତ କରି ଦିଆଯାଉ- ଗୋଟିଏ ମଦ୍ୟପାନକାରୀ, ଅନ୍ୟଟି ସର୍ବଦା ମଦ୍ୟପାନଠାରୁ ଦୂରରେ ରହିଥିବା ଗୋଷ୍ଠୀ। ଯଦି ଦେଖାଯାଏ ଯେ ମଦ୍ୟପାନକାରୀ ଗୋଷ୍ଠୀରେ ଅନ୍ୟ ଗୋଷ୍ଠୀ ତୁଳନାରେ ସିରୋସିସ୍‌ଗ୍ରସ୍ତ ରୋଗୀଙ୍କର ଅଧିକ ସଂଖ୍ୟାରେ ଆବିର୍ଭାବ ଘଟେ, ତେବେ ସାବ୍ୟସ୍ତ ହେବ ଯେ ମଦ୍ୟପାନ ଓ ସିରୋସିସ୍‌ ମଧ୍ୟରେ କାର୍ଯ୍ୟ-କାରଣ ସମ୍ପର୍କ ରହିଛି। ଯଦି ସେଭଳି ନ ‌ଘଟେ, କାର୍ଯ୍ୟ-କାରଣ ସମ୍ପର୍କ ସ୍ଥାପନ ଉଦ୍ୟମ ଭିତ୍ତିହୀନ ହେବ।

ଯେମିତି ୧୯୯୦ ଦଶକରେ ଆମେରିକାରେ କ୍ଲିଣ୍ଟନ୍‌ ଦମ୍ପତିଙ୍କ ସମ୍ପର୍କରେ ବହୁଳ ପ୍ରସାରିତ ଏହି ଜୋକ୍‌ ଦର୍ଶାଇଥାଏ। ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ଓ ତାଙ୍କ ପତ୍ନୀ ହିଲାରୀ ଏକ ପେଟ୍ରୋଲ୍‌ ପମ୍ପ୍‌ରେ ତାଙ୍କର କାର୍‌ରେ ପେଟ୍ରୋଲ୍‌ ପକାଇବା ବେଳେ ହିଲାରୀ ତାଙ୍କ ସ୍ବାମୀଙ୍କୁ କହିଲେ ଯେଉଁ ପମ୍ପ୍‌ ଆଟେଣ୍ଡାଣ୍ଟ ଜଣକ ତାଙ୍କ ଗାଡ଼ିରେ ପେଟ୍ରୋଲ୍‌ ପକାଉଛି, ଅତୀତରେ ସେ ତାଙ୍କର ବଏଫ୍ରେଣ୍ଡ୍‌ ଥିଲା। ଏହା ଶୁଣି ବିଲ୍‌ କ୍ଲିଣ୍ଟନ୍‌ ହିଲାରୀଙ୍କୁ କହିଲେ- ‘‘ଯଦି ତୁମେ ମତେ ବିବାହ କରିନଥାନ୍ତ, ତୁମେ ଆଜି ଜଣେ ପେଟ୍ରୋଲ ପମ୍ପ୍‌ ଆଟେ‌ଣ୍ଡାଣ୍ଟଙ୍କର ପତ୍ନୀ ହୋଇଥାନ୍ତ, ରାଷ୍ଟ୍ରପତିଙ୍କ ନୁହେଁ।’’ ଏହାର ଉତ୍ତରରେ ହିଲାରୀ କହିଲେ- ‘‘ଯଦି, ମୁଁ ତୁମକୁ ବିବାହ କରି ନ ଥାନ୍ତି, ତେବେ‌ ସେ ପେଟ୍ରୋଲ୍‌ ପମ୍ପ୍‌ ଆଟେଣ୍ଡାଣ୍ଟ୍‌ ଆଜି ରାଷ୍ଟ୍ରପତି ହୋଇଥାନ୍ତେ। ଅର୍ଥାତ୍‌ ବିଲ୍‌ କ୍ଲିଣ୍ଟନ୍‌ଙ୍କର ରାଷ୍ଟ୍ରପତି ହେବାର କାରଣ ତାଙ୍କର ଯୋଗ୍ୟତା ନୁହେ‌ଁ, କାରଣ ହେଉଛି ହିଲାରୀଙ୍କ ସହିତ ତାଙ୍କର ବିବାହ। ଠିକ୍‌ ସେଇଭଳି ଜଣେ ଲଳିତ ବା ଜଣେ ନିରବ ଚୌର୍ଯ୍ୟ ପ୍ରବୃତ୍ତି ପ୍ରଦର୍ଶନ କରିବାର କାରଣ ନୁହେଁ ‌େସମାନଙ୍କର ସାଙ୍ଗିଆ; କାରଣ ହେଉଛି ସେମାନଙ୍କ ଚରିତ୍ର। ସେମାନଙ୍କର ସାଙ୍ଗିଆ ମୋଦୀ ନ ହୋଇ ‘ଗାନ୍ଧୀ’ ହୋଇଥିଲେ ବି କିଛି ଫରକ ପଡ଼ିନଥାନ୍ତା।

ସମ୍ବନ୍ଧିତ ଖବର