୧୯୭୩, ମାର୍ଚ୍ଚ ୨୭ ତାରିଖରେ ଅଳକାନନ୍ଦା ଉପତ୍ୟକାର ଉପର ମୁଣ୍ଡରେ ଅବସ୍ଥିତ ମଣ୍ଡଳ ନାମକ ଗାଁର ଦଳେ ଚାଷୀ ସେଠାକୁ ଗଛ କାଟିବାକୁ ଆସିଥିବା କିଛି କାଠ ବେପାରୀଙ୍କୁ ବାରଣ କଲେ। ଗ୍ରାମବାସୀମାନେ ଗଛର ଗଣ୍ଡିକୁ କୁଣ୍ଢାଇ ଧରି କଟାଳିମାନଙ୍କୁ ପ୍ରତିରୋଧ କଲେ। ମଣ୍ଡଳରେ ବ୍ୟବହୃତ ଏହି ଅଭିନବ ଅହିଂସ ପଦ୍ଧତିକୁ ଉତ୍ତରାଖଣ୍ଡ ହିମାଳୟର ଅନ୍ୟାନ୍ୟ ଅଞ୍ଚଳରେ ଅନୁକରଣ କରାଗଲା ଏବଂ ସେହି ଅଞ୍ଚଳରେ ଜଙ୍ଗଲ କଟାକୁ ବିରୋଧ କରାଯାଇଥିଲା।
ଚିପ୍କୋ ଆନ୍ଦୋଳନ ନାମରେ ପରିଚିତ ସେହି ଅଭିନବ ଅଭିଯାନକୁ ପଚାଶ ବର୍ଷ ପୂରିଛି। ଚିପ୍କୋ ପରେ ଜଙ୍ଗଲ, ଗୋଚର ଓ ଜଳ ଉପରେ ଅଧିକାର ଦାବି କରି ଅନ୍ୟାନ୍ୟ ତୃଣମୂଳ ସ୍ତରର ପଦକ୍ଷେପମାନ ନିଆଯାଇଥିଲା। ଏହି ବିବାଦଗୁଡ଼ିକୁ ବିଶ୍ଳେଷଣ କରି ବିଦ୍ବାନମାନେ ଯୁକ୍ତି କରିଥିଲେ କି ସେମାନେ ଭାରତର ବିକାଶ ଯାତ୍ରାକୁ ପୁନର୍ବିନ୍ୟାସ କରିବାର ପଥ ଦେଖାଇଛନ୍ତି। ପରବର୍ତ୍ତୀ ଯୁକ୍ତି ହେଲା, ଦେଶର ଜନସଂଖ୍ୟାର ସାନ୍ଦ୍ରତା ଓ କ୍ରାନ୍ତୀୟ ପରିବେଶର ଦୁର୍ବଳତା କାରଣରୁ ଭାରତ ପାଶ୍ଚାତ୍ୟ ରାଷ୍ଟ୍ର ଦ୍ବାରା ପ୍ରବର୍ତ୍ତିତ ଶକ୍ତି, ପୁଞ୍ଜି ଓ ସମ୍ବଳ ଆଧାରିତ ବିକାଶର ମଡେଲକୁ ଅନୁସରଣ କରିବାର ଭୁଲ୍ କରିଥିଲା। ୧୯୪୭ରେ ଦେଶ ଯେତେବେଳେ ବ୍ରିଟିସ ଶାସନରୁ ମୁକ୍ତ ହେଲା, ସେତେବେଳେ ଏହା ଅଧିକ ନିମ୍ନ ସ୍ତରୀୟ, ଗୋଷ୍ଠୀ ଭିତ୍ତିକ ଓ ପରିବେଶଗତ ଦାୟିତ୍ବ ସଂପନ୍ନ ଢାଞ୍ଚା ଗ୍ରହଣ କରିବା ଉଚିତ ଥିଲା। ତେବେ ତହିଁରେ ସଂଶୋଧନ କରାଯାଇ ପାରିବ ବୋଲି ମଧ୍ୟ ଯୁକ୍ତି ଆଗକୁ ବଢ଼ିଲା। ଅର୍ଥନୈତିକ ବିକାଶର ଏକ ନୂତନ ଢାଞ୍ଚାର ଆବଶ୍ୟକତା ଥିଲା, ଯାହା ଭବିଷ୍ୟତ ପିଢ଼ିର ସ୍ବାର୍ଥ ଏବଂ ଆବଶ୍ୟକତାକୁ କ୍ଷୁଣ୍ଣ ନ କରି ଜନସାଧାରଣଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଥାଆନ୍ତା।
୧୯୮୦ ଦଶକରେ ଭାରତରେ ପରିବେଶ ବିତର୍କ ସବୁଠାରୁ ଅଧିକ ଉଗ୍ର ରୂପ ଧାରଣ କଲା। ଏହି ବିତର୍କ ବିଭିନ୍ନ ସ୍ତରରେ ଚାଲିଲା। ଏହା ପରିବେଶ ସଂକଟ ବାବଦରେ ଉଠିଥିବା ନୈତିକ ପ୍ରଶ୍ନକୁ ମଧ୍ୟ ଛୁଇଁଥିଲା; ଯେମିତି କି ପରିବେଶ ସନ୍ତୁଳନକୁ ପ୍ରୋତ୍ସାହନ ଦେବା ପାଇଁ ରାଜନୈତିକ କ୍ଷମତା ବଣ୍ଟନରେ ପରିବର୍ତ୍ତନ; ଉପଯୁକ୍ତ ଜ୍ଞାନକୌଶଳ, ଯାହା ଏକାଧାରରେ ଆର୍ଥିକ ଓ ପରିବେଶଗତ ଉଦ୍ଦେଶ୍ୟକୁ ପୂରଣ କରିପାରିବ। ଜଙ୍ଗଲ, ଜଳ, ପରିବହନ, ଶକ୍ତି, ଭୂମି, ଜୈବ ବିବିଧତା ଭଳି ବିଭିନ୍ନ ସମ୍ବଳ କ୍ଷେତ୍ରକୁ ଏହି ବିତର୍କରେ ସାମିଲ କରାଗଲା। ପ୍ରଥମ ଥର ପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକରେ ପରିବେଶ ମନ୍ତ୍ରଣାଳୟ ସୃଷ୍ଟି କରାଗଲା। ନୂତନ ଆଇନ ଓ ନିୟାମକ ସଂସ୍ଥା ଗଢ଼ି ଉଠିଲା। ପ୍ରଥମ ଥର ପାଇଁ ଆମ ଅଗ୍ରଣୀ ଶିକ୍ଷା କେନ୍ଦ୍ରମାନଙ୍କରେ ପରିବେଶ ସମ୍ବନ୍ଧୀୟ ପ୍ରଶ୍ନ ଉପରେ ଗବେଷଣା ସ୍ଥାନ ପାଇଲା।
୧୯୮୦ ଦଶକର ପରିବେଶଗତ ଲାଭ, ପରବର୍ତ୍ତୀ ଦଶକମାନଙ୍କରେ ଲୋପ ପାଇଗଲା; ବିଶେଷ କରି ୧୯୯୧ରେ ଗୃହୀତ ଆର୍ଥିକ ଉଦାରୀକରଣ ନୀତି ଯୋଗୁଁ। ନେହରୁ ଓ ଇନ୍ଦିରା ଅମଳର ଲାଇସେନ୍ସ-ପରମିଟ୍-କୋଟା ରାଜ ଉଦ୍ୟୋଗର ଉତ୍ସାହକୁ ରୁଦ୍ଧ କରି ଦେଇଥିଲା ଏବଂ ଅଭିବୃଦ୍ଧିକୁ ଅଟକାଇ ଦେଇଥିଲା। ଏବେ ବଜାରର ସ୍ବାଧୀନତା ଦ୍ବାରା ଉତ୍ପାଦକତା ଓ ଆୟ ବୃଦ୍ଧି ପାଇଲା ସତ, ହେଲେ ପାରିବେଶିକ ସୁରକ୍ଷା ଆକ୍ରାନ୍ତ ହେବାକୁ ଲାଗିଲା। ବିଶେଷ କରି ବାୟୁ ଓ ଜଳ ପ୍ରଦୂଷଣର କାରଣ ରାସାୟନିକ ଶିଳ୍ପ ଓ ଖଣି ଖନନ ପରିପ୍ରେକ୍ଷୀରେ ଏହା ସ୍ବାଭାବିକ ଥିଲା ଯେ ତାହା ଯଦି ଅନିୟନ୍ତ୍ରିତ ଭାବେ ଚାଲେ, ତେବେ ତାହା ବାୟୁ, ଜଳ, ମୃତ୍ତିକା ଓ ଜଙ୍ଗଲ ଉପରେ ଏକ ଧ୍ବଂସାତ୍ମକ ପ୍ରଭାବ ପକାଇବ। ଏଣେ ଉଦାରୀକରଣ ଅଧୀନରେ ମଧ୍ୟ-ବିତ୍ତ ବର୍ଗର ବିସ୍ତାର ହୋଇ ଘରୋଇ ପରିବହନରେ ବ୍ୟାପକ ବୃଦ୍ଧି ଘଟାଇଲା, ଯାହା ଜୀବାଶ୍ମ ଇନ୍ଧନର ବ୍ୟବହାର ସହିତ ବାୟୁମଣ୍ଡଳୀୟ ପ୍ରଦୂଷଣକୁ ଆହୁରି ଘନୀଭୂତ କଲା।
୧୯୯୦ ଦଶକ ଓ ପରବର୍ତ୍ତୀ କାଳରେ ପରିବେଶର ଅବକ୍ଷୟ ତୀବ୍ରତର ହେଲା ଏବଂ ବିଡ଼ମ୍ବନାର ବିଷୟ ଯେ ପରିବେଶବିତ୍ମାନଙ୍କ ଉପରେ ଆକ୍ରମଣ କରାଗଲା। ଖଣି କମ୍ପାନିମାନେ ଜଙ୍ଗଲ ଧ୍ବଂସ କରିବା ସହ କେନ୍ଦ୍ରୀୟ ଭାରତର ବ୍ୟାପକ ଅଞ୍ଚଳରେ ଆଦିବାସୀମାନଙ୍କୁ ବାସଚ୍ୟୁତ କରିବାକୁ ଲାଗିଲେ। ଯେଉଁମାନେ ଏହାକୁ ବିରୋଧ କଲେ, ସେମାନଙ୍କୁ ନକ୍ସଲବାଦୀ ଭାବରେ ଚିତ୍ରଣ କରାଗଲା। ଅନେକ ସମୟରେ ସେମାନଙ୍କୁ ଦୀର୍ଘ ଦିନ ଧରି ବନ୍ଦୀ କରି ରଖାଗଲା ଏବଂ କେବେ କେବେ ସେମାନଙ୍କର ଜେଲ୍ରେ ମୃତ୍ୟୁ (ଷ୍ଟାନ୍ ସ୍ବାମୀଙ୍କ ଭଳି) ମଧ୍ୟ ହେଲା। ଖଣି ଉତ୍ତୋଳନ ଓ ଅନ୍ୟାନ୍ୟ ପ୍ରକାରର ସମ୍ବଳ ଉତ୍ତୋଳନରେ ଜଡ଼ିତ କମ୍ପାନିଗୁଡ଼ିକ ସବୁ ଦଳର ରାଜନେତାଙ୍କ ସହିତ ଘନିଷ୍ଠ ସଂପର୍କ ରଖିଲେ। ମୁଖ୍ୟସ୍ରୋତର ଗମମାଧ୍ୟମରେ ବଜାର ବ୍ୟବସ୍ଥାର ସମର୍ଥକ ସ୍ତମ୍ଭକାରମାନେ ପରିବେଶ କର୍ମୀମାନଙ୍କ ଚିନ୍ତାକୁ ନଜରଅନ୍ଦାଜ କଲେ।
ଚିପ୍କୋ ଆନ୍ଦୋଳନର ପଚାଶ ବର୍ଷ ପରେ ଏବେ ଯଦି ପରିବେଶ ସମ୍ବନ୍ଧୀୟ ଚିନ୍ତା ସର୍ବସାଧାରଣ ବିତର୍କରେ ସ୍ଥାନ ପାଉଛି, ତେବେ ସେଗୁଡ଼ିକ ପ୍ରମୁଖ ଭାବେ ଜଳବାୟୁ ପରିବର୍ତ୍ତନ ସହିତ ସଂପର୍କିତ ଥିବା ଦେଖା ଯାଉଛି। ପ୍ରତିଟି ଅପ୍ରତ୍ୟାଶିତ ମରୁଡ଼ି, ବାତ୍ୟା, ବନ୍ୟା କିମ୍ବା ଜଙ୍ଗଲରେ ନିଆଁ ଲାଗିବା ସହିତ ଜଳବାୟୁ ପରିବର୍ତ୍ତନକୁ ସନ୍ଦେହ କରୁଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ପାଇ ଚାଲିଛି। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ସଂକଟ ପ୍ରତି ସଚେତନତା ଅଧିକ ମାତ୍ରାରେ ପରିଲକ୍ଷିତ ହେଉଛି।
ବାୟୁମଣ୍ଡଳରେ ମାନବ-ପ୍ରେରିତ ଗ୍ୟାସର ପରିମାଣ ହୁଏତ ଆଜିର ପରିବେଶ ପାଇଁ ସବୁଠୁ ବଡ଼ ଆହ୍ବାନ। ଅବଶ୍ୟ, ଏହା ଏକମାତ୍ର ସମସ୍ୟା ନୁହେଁ। ପ୍ରକୃତରେ ଜଳବାୟୁ ପରିବର୍ତ୍ତନ ନ ହେଲେ ମଧ୍ୟ ଭାରତ ଏକ ପରିବେଶ ବିପର୍ଯ୍ୟୟ କ୍ଷେତ୍ର ହୋଇଥା’ନ୍ତା। ସମଗ୍ର ବିଶ୍ବରେ ବାୟୁ ପ୍ରଦୂଷଣର ସର୍ବାଧିକ ହାର ଉତ୍ତର ଭାରତର ସହରମାନଙ୍କରେ ଦେଖିବାକୁ ମିଳେ। ଜଳ ପ୍ରଦୂଷଣର ସ୍ଥିତି ମଧ୍ୟ କମ୍ ଗୁରୁତର ନୁହେଁ- ବାସ୍ତବରେ ଯେଉଁ ମହନୀୟ ନଦୀଗୁଡ଼ିକ ଉପରେ ଆମ ସହରଗୁଡ଼ିକ ଐତିହାସିକ ଭାବରେ ଅବସ୍ଥିତ ଥିଲା, ତାହା ଏବେ ଜୈବିକ ଭାବରେ ମୃତ ପିଣ୍ଡରେ ପରିଣତ ହୋଇଛି। ସବୁଠି ଭୂତଳ ଜଳ ସ୍ତର କମିବାରେ ଲାଗିଛି। ମାଟିର ରାସାୟନିକ ପ୍ରଦୂଷଣ ଅତ୍ୟନ୍ତ ଉଚ୍ଚ ସ୍ତରରେ ପହଞ୍ଚିଛି। ଅନିୟନ୍ତ୍ରିତ କୋଠା ନିର୍ମାଣ ଦ୍ବାରା ଉପକୂଳର ସ୍ପର୍ଶକାତର ପରିବେଶ ନଷ୍ଟ ହେଉଛି। ଆମ ଜଙ୍ଗଲର ଏକ ବୃହତ୍ ଅଂଶ କୋଇଲା ଖଣି ଦ୍ବାରା ନଷ୍ଟ ହେଉଛି। ମାଟି ତଳେ ମୂଲ୍ୟବାନ ଖଣିଜ ପଥର ନ ଥିବା ସତ୍ତ୍ବେ ଅନେକ ଅଞ୍ଚଳରେ ଜଙ୍ଗଲଗୁଡ଼ିକୁ କଟାଯାଉଛି ଅଥବା ବିନଷ୍ଟ କରାଯାଉଛି।
ବାୟୁ ଓ ଜଳ ପ୍ରଦୂଷଣ ଲୋକଙ୍କୁ ରୋଗଗ୍ରସ୍ତ କରିବା ସହ ସେମାନଙ୍କୁ ଜୀବିକାରୁ ବିଦା କରି ଦେଉଛି। ମୃତ୍ତିକା ଯେତେବେଳେ ଅତ୍ୟଧିକ ବିଷାକ୍ତ ହୋଇଯାଏ, ଉତ୍ପାଦନକ୍ଷମ ଜମିଗୁଡ଼ିକ ଚାଷ ଅେଯାଗ୍ୟ ହୋଇଯାଏ। ଜଙ୍ଗଲ ଓ ଚାରଣ ଭୂମିରେ ହ୍ରାସ ଘଟିଲେ, ଗ୍ରାମାଞ୍ଚଳର ଜୀବିକା କମି ଯାଏ।
ପରିବେଶ ଅପବ୍ୟବହାରର ଅର୍ଥନୈତିକ ପରିଣାମ ଭାରତର ନୋବେଲ ପୁରସ୍କାର ବିଜେତାଙ୍କ ସମେତ ଭାରତର ପ୍ରସିଦ୍ଧ ଅର୍ଥନୀତିଜ୍ଞମାନଙ୍କ ନଜରର ବାହାରେ ରହିଛି। କିନ୍ତୁ କେତେକ କମ୍ ଜଣାଶୁଣା ସମ୍ବେଦନଶୀଳ ଅର୍ଥନୀତିଜ୍ଞ ଏହି ସମସ୍ୟା ବାବଦରେ ଅଧିକ ସତର୍କ କରାଇ ଦେଇଛନ୍ତି। ଏକ ଦଶନ୍ଧି ତଳେ ଅର୍ଥନୀତିଜ୍ଞଙ୍କ ଏକ ଗୋଷ୍ଠୀ ଆକଳନ କରିଥିଲେ ଯେ ଭାରତରେ ପରିବେଶ ଅବକ୍ଷୟର ବାର୍ଷିକ ମୂଲ୍ୟ ପ୍ରାୟ ୩.୭୫ ଲକ୍ଷ କୋଟି ଟଙ୍କା, ଯାହା ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ର ୫.୭ ପ୍ରତିଶତ ସହ ସମାନ। ବର୍ତ୍ତମାନ ବାୟୁ ଓ ଜଳ କେତେ ଅଧିକ ପ୍ରଦୂଷିତ, ମାଟି କେତେ ଅଧିକ ବିଷାକ୍ତ- ସେ ସବୁକୁ ବିଚାରକୁ ନେଲେ ଆଜିର ଅର୍ଥନୈତିକ ଖର୍ଚ୍ଚ ବୋଧହୁଏ ଆହୁରି ଅଧିକ ହେବ।
ଭାରତରେ ପରିବେଶ ଅବକ୍ଷୟର ବୋଝ ମୁଖ୍ୟତଃ ଗରିବଙ୍କ ଉପରେ ପଡ଼ିଥାଏ। ଦିଲ୍ଲୀର ବିଜୁଳି ଆବଶ୍ୟକତାର ଏକ ସିଂହଭାଗ ଯୋଗାଇ ଦେଉଥିବା ସିଙ୍ଗ୍ରାଉଲି ଇଲାକାର ଗ୍ରାମାଞ୍ଚଳ ବାସିନ୍ଦାମାନେ କୋଇଲା ଖନନର ପରିଣାମ ସ୍ବରୂପ ଜୀବନ ପ୍ରତି ବିପଦ ଆଣୁଥିବା ପ୍ରଦୂଷଣରେ ଘାଣ୍ଟି ହେଉଛନ୍ତି। ଅଥଚ ସେମାନେ ବିଜୁଳି ବିନା ହିଁ ଜୀବନ ବିତାଉଛନ୍ତି। ରାଜଧାନୀର ଧନୀ ଲୋକମାନେ ଘରେ ବାୟୁ ବିଶୋଧକ ଯନ୍ତ୍ର ଖଞ୍ଜି ନିଜକୁ ସୁରକ୍ଷିତ ରଖୁଛନ୍ତି।
ଯଦି ମନୁଷ୍ୟ ବଞ୍ଚିବାକୁ ଏବଂ ପ୍ରକୃତରେ ସମୃଦ୍ଧ ହେବାକୁ ଚାହେଁ, ତେବେ ପ୍ରକୃତିକୁ ସମ୍ମାନ ଦେବା ଓ ଏହାର ସୀମା ଭିତରେ ରହିବା ଆବଶ୍ୟକ। ମାତ୍ର ଚିପ୍କୋର ଶିକ୍ଷା ଆଜି ଭାରତରେ ଗୁରୁତ୍ବହୀନ ହୋଇ ପଡ଼ିଛି। ଚିପ୍କୋର ନିଜ ଜନ୍ମଭୂମି ହିମାଳୟାଞ୍ଚଳରେ ଯେତିକି ନୃଶଂସତା ଦେଖିବାକୁ ମିଳେ, ଆଉ କେଉଁଠି ସେତିକି ନାହିଁ। ଯୋଶୀମଠର ଦୁଃଖ ହିଁ ଏଠାରେ ପ୍ରାସଙ୍ଗିକ ଭାବେ ଉଭା ହୋଇଛି। ୧୯୭୦ ଦଶକରୁ ରାସ୍ତା ଓ ହୋଟେଲର ବେପରୁଆ ସମ୍ପ୍ରସାରଣ ବିରୋଧରେ ବୈଜ୍ଞାନିକ ଓ କାର୍ଯ୍ୟକର୍ତ୍ତାମାନେ (ଚିପ୍କୋ ନେତା ଚଣ୍ଡିପ୍ରସାଦ ଭଟ୍ଟଙ୍କ ସମେତ) ମତ ଦେଇଥିଲେ। ବିସ୍ଫୋରଣ କରି ସୁଡ଼ଙ୍ଗ କରିବା ଓ ସମ୍ବେଦନୀଶଳ ପାର୍ବତ୍ୟାଞ୍ଚଳରେ ଜଳବିଦ୍ୟୁତ୍ ପ୍ରକଳ୍ପ କରିବା ବିରୋଧରେ ସେମାନେ ଏକାଧିକ ସତର୍କ ସୂଚନା ଜାରି କରିଥିଲେ। ମାତ୍ର କ୍ରମାଗତ ସରକାରମାନେ ଏହି ଚେତାବନୀକୁ ଅଣଦେଖା କରିଛନ୍ତି। ସୁପ୍ରିମ୍ କୋର୍ଟ ମଧ୍ୟ ଏହାକୁ ଅବହେଳା କରିଛନ୍ତି, ଯାହା ନିଜେ ନିଯୁକ୍ତ କରିଥିବା ଏକ କମିଟି ଦ୍ବାରା ପ୍ରଦତ୍ତ ବଳିଷ୍ଠ ଯୁକ୍ତି ସମ୍ବଳିତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥି ସହିତ ଅପରିଣାମଦର୍ଶୀ ଚିନ୍ତାଧାରା ଓ ସମ୍ଭାବ୍ୟ ଅତ୍ୟନ୍ତ ବିଧ୍ବଂସକାରୀ ‘ଚାରଧାମ ରାଜପଥ’ ପ୍ରକଳ୍ପକୁ ସବୁଜ ସଂକେତ ପ୍ରଦାନ କରିଥିଲେ। ଯୋଶୀମଠର ଏପରି ଡୁବିବା ଘଟଣା ଏଭଳି ବିପର୍ଯ୍ୟୟକୁ ଆହୁରି ଆଗକୁ ବଢ଼ାଇବ। ତଥାପି ତଥାକଥିତ ବିକାଶ ନାମରେ ହିମାଳୟର ଜନସାଧାରଣ ଏବଂ ପରିବେଶ ଉପରେ ଆକ୍ରମଣ ଚଳାଇ ରଖିଥିବା ରାଜ୍ୟ ସରକାର ଏବଂ ଠିକାଦାର ସହଯୋଗୀମାନଙ୍କୁ ବାଧା ଦିଆଯାଉନାହିଁ।
ଆମ ଆଇ.ଆଇ.ଟି., ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଓ ବେସରକାରୀ ଗବେଷଣା କେନ୍ଦ୍ରମାନଙ୍କରେ ଭାରତର ବିଚକ୍ଷଣ ପେସାଦାରମାନେ ରହିଛନ୍ତି, ଯେଉଁମାନେ ପରିବେଶକୁ କ୍ଷତି ନ ପହଞ୍ଚାଇ ଅଧିକ ଦକ୍ଷ ପରିବହନ ଓ ଶକ୍ତି ନୀତିର ଢାଞ୍ଚା ପ୍ରସ୍ତୁତ କରିପାରିବେ ଓ ସେ ସବୁର କାର୍ଯ୍ୟାନ୍ବୟନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିପାରିବେ। କିନ୍ତୁ ସେମାନଙ୍କୁ କ୍ବଚିତ ଲୋଡ଼ା ଯାଉଛି। କାରଣ ଗୋଟିଏ ପଟେ ରାଜନେତା ଏବଂ ଅନ୍ୟ ପଟେ ଠିକାଦାର ଓ ଶିଳ୍ପପତିମାନେ ଏକ ଆରାମଦାୟକ ସଲାସୁତୁରା ଭିତରେ ଅଛନ୍ତି, ଯାହା ଏଭଳି ବିଶେଷଜ୍ଞମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ହେବ।
୧୯୨୨ର ଏକ ବକ୍ତୃତାରେ ରବୀନ୍ଦ୍ରନାଥ ଠାକୁର କହିଥିଲେ ଯେ ଆଧୁନିକ ଯନ୍ତ୍ରପାତି ମନୁଷ୍ୟକୁ ଲୁଣ୍ଠନର ଜୀବନଶୈଳୀ ଆପଣେଇବା ପାଇଁ ପ୍ରୋତ୍ସାହିତ କରିଛି ଏବଂ ଲାଭଖୋରମାନେ ପୃଥିବୀ ନାମକ ଆମ ଗ୍ରହରେ ଗଚ୍ଛିତ ଥିବା ପୁଞ୍ଜିରେ ବିରାଟ ଗର୍ତ୍ତମାନ ଖୋଳି ଚାଲିଛନ୍ତି। ସେମାନେ ଅପ୍ରାକୃତିକ ଅଭାବ ସୃଷ୍ଟି କରିଛନ୍ତି ଏବଂ ସେହି ଅଭାବକୁ ପୂରଣ କରିବାକୁ ପ୍ରକୃତିର ବଳ ପୂର୍ବକ ଦୋହନ ଚାଲିଛି। ଯଦି ଏହି ପ୍ରବୃତ୍ତି ଅନିୟନ୍ତ୍ରିତ ଭାବେ ଜାରି ରହେ, ତେବେ ରବୀନ୍ଦ୍ରନାଥ ଯେଉଁ ଭବିଷ୍ୟତର ପୂର୍ବାନୁମାନ କରିଥିଲେ, ତାହା ବାସ୍ତବାୟିତ ହେବ; ଯେଉଁଠାରେ ମନୁଷ୍ୟମାନେ ଜଳର ଅପଚୟ କରି ଚାଲିଥିବେ, ବୃକ୍ଷ ସବୁକୁ କାଟି ଚାଲିଥିବେ, ପୃଥିବୀର ପୃଷ୍ଠଭାଗକୁ ମରୁଭୂମିରେ ପରିଣତ କରି ଚାଲିଥିବେ, ବିରାଟ ବିରାଟ ଗର୍ତ୍ତରେ ପୃଥିବୀକୁ ଭରି ଦେଇଥିବେ ଏବଂ ପୃଥିବୀର ଅଭ୍ୟନ୍ତରରୁ ମୂଲ୍ୟବାନ ଦ୍ରବ୍ୟ ସବୁକୁ ଶୂନ୍ୟ କରି ଚାଲିଥିବେ। ତାଙ୍କ ଚେତାବନୀକୁ ଶୁଣି ଆଗକୁ ପଦକ୍ଷେପ ନେବା ଲାଗି ହୁଏତ ତଥାପି ବିଳମ୍ବ ହୋଇନାହିଁ।