କୂଟନୀତି ଓ ସାହିତ୍ୟ

ଅରୁଣ କୁମାର ସାହୁ

କୂଟନୀତି ଓ ସାହିତ୍ୟର ସମ୍ପର୍କ ହେଉଛି ପ୍ରାଚୀନ, ପରିପୂରକ ତଥା ବହୁମୁଖୀ। ମଣିଷ ସଭ୍ୟତା ଆରମ୍ଭରୁ ଏ ସମ୍ପର୍କ ରହିଆସିଛି। ଭିନ୍ନ ଭିନ୍ନ ସଂସ୍କୃତି ଓ ଭୌଗୋଳିକ ପ୍ରାନ୍ତର ଲୋକେ ଯେବେ ମିଳାମିଶା ଆରମ୍ଭ କଲେ ସେତେବେଳେ ଭାଷା ଓ ସାହିତ୍ୟ ଭାବ ବିନିମୟର ଶକ୍ତିଶାଳୀ ମାଧ୍ୟମ ପାଲଟିଲା, ଯାହା ଦ୍ବାରା ଭିନ୍ନତା ଓ ପୁରୁଣା ଲଢ଼େଇ ଦୂର ହୋଇପାରିଲା, ସଂଘର୍ଷ ସୀମିତ ହେଲା ଏବଂ ଉଭୟ ଗୋଷ୍ଠୀର ଲୋକ, ଶାସକ, ଦେଶ-ରାଜ୍ୟ ଆଦି ମଧ୍ୟରେ ସହଯୋଗର ସୁଯୋଗ ସୃଷ୍ଟି ହେଲା। ଜଟିଳ ଇତିହାସକୁ ପଛରେ ଛାଡ଼ି ନୂଆ ସମ୍ପର୍କର ସେତୁ ନିର୍ମାଣରେ ଏହାର ଭୂମିକା ନିର୍ଣ୍ଣାୟକ ପାଲଟିଲା।

ଜଣେ କୂଟନୀତିଜ୍ଞ କ’ଣ କୁହନ୍ତି ତାହା ଜାଣିବା ଯେତିକି ଗୁରୁତ୍ବପୂର୍ଣ୍ଣ ସେ କ’ଣ ନ କୁହନ୍ତି ତାହା ମଧ୍ୟ ସେତିକି ଜରୁରୀ। ଶବ୍ଦ, ପଦ ଓ ବାକ୍ୟକୁ ଛନ୍ଦି ଗୁରୁତ୍ବପୂର୍ଣ୍ଣ କଥା ପ୍ରକାଶ କରିବା କୂଟନୀତିଜ୍ଞଙ୍କ କଳା। କୂଟନୈତିକ ଆଲୋଚନା ବେଳେ ପାଞ୍ଚଟି ବିଭାବ ସର୍ବାଧିକ ଗୁରୁତ୍ବ ବହନ କରିଥାଏ, ଯେଉଁଗୁଡ଼ିକ ହେଲେ- କ’ଣ, କେମିତି, କେତେବେଳେ, କାହାକୁ ଓ କେଉଁଠି। କୂଟନୈତିକ ଆଲୋଚନା ବେଳେ ‘କିପରି’ ଅସହଜତା ଓ ଅପ୍ରୀତିକର ସ୍ଥିତି ଦୂର କରିହେବ, ତାହା ଅନେକ ମାତ୍ରାରେ ସାହିତ୍ୟର ଉପଯୋଗ ଦ୍ବାରା ସାଧିତ ହୋଇଯାଇଥାଏ। କୂଟନୀତିଜ୍ଞମାନେ ଅନେକ ସମୟରେ ରୂଢ଼ି, ଆପ୍ତବାକ୍ୟ, ପୁରାଣ ତଥା ଉଭୟ ପୁରାତନ ଓ ଲୋକପ୍ରିୟ ସାହିତ୍ୟର ଲୋକକଥା ଆଦିକୁ ଆଲୋଚନା ବେଳେ ବ୍ୟବହାର କରିଥାନ୍ତି। ତାହା ପରିସ୍ଥିତିଗତ ଅସହଜତାକୁ ଦୂର କରିଦିଏ।

ଆମେ ଜାଣୁ ଯେ ମହାଭାରତରେ କୃଷ୍ଣଙ୍କ ଭାଷା ଆଳଙ୍କାରିକ, ତିର୍ଯ୍ୟକ୍‌, ପ୍ରାସଙ୍ଗିକ, ଲୌକିକ ଓ ବେଳେବେଳେ ଭବିଷ୍ୟଦ୍ରଷ୍ଟା ଥିଲା। ଏହା ତୁଳନାରେ ହନୁମାନଙ୍କ ଭାଷା ଅଧିକ ସିଧାସଳଖ ଥିଲା। ଏହାର କାରଣ ଏହା ହୋଇପାରେ ଯେ ମହାଭାରତରେ ଯୁଦ୍ଧର ଗତିପଥ ନିର୍ଦ୍ଧାରଣରେ କୃଷ୍ଣଙ୍କ ଭୂମିକା ନିର୍ଣ୍ଣାୟକ ହୋଇଥିବା ବେଳେ ହନୁମାନ ଅନେକାଂଶରେ ଥିଲେ ଜଣେ ବାର୍ତ୍ତାବହ। ପ୍ରାଚୀନ ଓ ମଧ୍ୟଯୁଗୀୟ ୟୁରୋପରେ ମଧ୍ୟ ଅନୁରୂପ କଥା ଦେଖାଯାଇଥାଏ। ଗ୍ରୀକ୍ ସହର ପ୍ରଶାସନ ରଙ୍ଗମଞ୍ଚ ଅଭିନେତାଙ୍କୁ କୂଟନୀତିଜ୍ଞ ଭାବେ ନିଯୁକ୍ତ କରୁଥିଲେ। ମଧ୍ୟଯୁଗୀୟ ଦକ୍ଷିଣ ଆଫ୍ରିକା ଓ ମଧ୍ୟ ପ୍ରାଚ୍ୟର ରାଜକୁମାରମାନେ କବିତା ଓ ସାହିତ୍ୟ ଆଦାନପ୍ରାଦାନ କରୁଥିଲେ। ଅନୁବାଦକମାନଙ୍କୁ ଶାସକଙ୍କ ମନ ପଢ଼ିବାର ବିଶେଷାଧିକାର ମିଳୁଥିଲା। କବିତା, ପ୍ରଶସ୍ତି ଓ ଅଳଙ୍କାର ଚୀନୀୟ କୂଟନୀତି ଓ ଶାସନର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇ ଆସିଛି।

କୂଟନୀତି ଓ ସାହିତ୍ୟର ପ୍ରସଙ୍ଗ ଖୁବ୍ ବ୍ୟାପକ। ଏହାର ତିନିଟି ଦିଗ ଉପରେ ଆଲୋଚନା କରିବା- ଲେଖକ ରୂପେ ଜଣେ କୂଟନୀତିଜ୍ଞ, କୂଟନୀତିଜ୍ଞ ରୂପେ ଜଣେ ଲେଖକ ଏବଂ କୂଟନୈତିକ ହତିଆର ରୂପେ ସାହିତ୍ୟର ଉପଯୋଗ।

ଜଣେ କୂଟନୀତିଜ୍ଞଙ୍କୁ ଶାରୀରିକ ଓ ଆବେଗିକ ଭାବେ ଅନେକ ଅପ୍ରତ୍ୟାଶିତ ତଥା ଆହ୍ବାନମୂଳକ ସାମାଜିକ-ସାଂସ୍କୃତିକ, ଅର୍ଥନୈତିକ ଓ ରାଜନୈତିକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ। ସେତେବେଳେ ନିଜସ୍ବ ମତ ଓ ଆବେଗ ପ୍ରକାଶ କରିବାର ସଂପୂର୍ଣ୍ଣ ସ୍ବାଧୀନତା ନ ଥାଏ। ଏଭଳି ପରିସ୍ଥିତିରେ ଅସ୍ପଷ୍ଟତା ଓ ଅନିଶ୍ଚିତତାକୁ ନିୟନ୍ତ୍ରଣରେ ରଖିବାରେ ସାହିତ୍ୟ ଏକ ଅସ୍ତ୍ର ସାଜିଥାଏ। ଅନେକ ସମୟରେ କଥା ସାହିତ୍ୟ ଓ କବିତା କୂଟନୀତିର ଉଲ୍ଲାସ ଓ ବିଫଳତା ଏବଂ ରାଜନୈତିକ ଜୀବନର ସୀମା ଓ ବ୍ୟାପକତାକୁ ପ୍ରକାଶ କରିଥାଏ।

ଅପର ପକ୍ଷେ ଲେଖକ-କୂଟନୀତିଜ୍ଞ ହେଉଛନ୍ତି ଜଣେ ସାଂସ୍କୃତିକ ରାଷ୍ଟ୍ରଦୂତ, ଯିଏ ସାହିତ୍ୟକୁ ଅସ୍ତ୍ର କରି କୂଟନୈତିକ ଓ ରାଜନୈତିକ ଲକ୍ଷ୍ୟ ହାସଲ କରିଥାନ୍ତି। ଏ କ୍ଷେତ୍ରରେ ଅନୁବାଦ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସାଂସ୍କୃତିକ ସମ୍ମେଳନକୁ ଉତ୍ସାହିତ କରିବା ଏବଂ ସଙ୍କେତ ଓ ଅଭିବ୍ୟକ୍ତି ଜରିଆରେ ଭିନ୍ନତାକୁ ବୁଝିବାରେ କୂଟନୀତିଜ୍ଞଙ୍କ ସାହିତ୍ୟିକ କୃତି ଉଦାହରଣ ସାଜିଥାଏ। ସାହିତ୍ୟ ଆକର୍ଷଣୀୟ ହୋଇଥିଲେ ତାହା ‘ସଫ୍‌ଟ ପାଵର’ ବା କୋମଳ ଶକ୍ତିର ଏକ ଶକ୍ତିଶାଳୀ ଅସ୍ତ୍ର ହୋଇପାରେ।

ସାହିତ୍ୟ ଓ କୂଟନୀତି ପରସ୍ପରକୁ ଆକାର ଦେଇଥାନ୍ତି। ସଂସ୍କୃତି ଓ ରାଜନୈତିକ ବ୍ୟବସ୍ଥା ଯେଉଁଠି ଏକତ୍ର ହୁଅନ୍ତି, ସେଠାରେ ସାହିତ୍ୟ ଏକ ସ୍ବତନ୍ତ୍ର ସାଂସ୍କୃତିକ ବିଭାବ ରୂପେ ସେହି ଅନୁଭୂତିକୁ ଅର୍ଥପୂର୍ଣ୍ଣ କରିଥାଏ। ସେଥିପାଇଁ ଅନେକ ଦେଶ ପୁସ୍ତକ ଓ ଲେଖକଙ୍କୁ ବ୍ୟବହାର କରି ଦେଶ ସୀମା ଅତିକ୍ରମ କରିଥାନ୍ତି। ଅନେକ ଦେଶ ଅନ୍ତର୍ଜାତୀୟ ପୁସ୍ତକ ପ୍ରଦର୍ଶନୀ ଆୟୋଜନ କରନ୍ତି, ପୁରସ୍କାର ଓ ସମ୍ମାନ ପ୍ରଦାନ କରନ୍ତି। ସାହିତ୍ୟିକ-କୂଟନୀତିଜ୍ଞଙ୍କୁ ସୀମା ଲଂଘନକାରୀ ଓ ବୁଝାମଣାକାରୀ ଭାବେ ମଧ୍ୟ ବ୍ୟବହାର କରାଯାଏ।

କୂଟନୈତିକ ସାହିତ୍ୟରେ ପ୍ରତୀକାତ୍ମକ ବିଭବ ନିହିତ ଥିଲା ଯାହାକୁ ସୃଷ୍ଟି କରି ସାଇତି ରଖା ଯାଉଥିଲା ଏବଂ ନୂତନ ସାମାଜିକ-ରାଜନୈତିକ ପରିବେଶ ସୃଷ୍ଟି ଲାଗି ବ୍ୟବହାର କରାଯାଉଥିଲା। କୂଟନୀତି ଓ ସାହିତ୍ୟ ମଧ୍ୟରେ ଥିବା ସହଜୀବୀ ସମ୍ପର୍କକୁ ବୁଝିବା ଦ୍ବାରା ଆମେ ଆଜିର ଜଟିଳ ତଥା ପ୍ରତିଯୋଗିତାମୂଳକ ଦୁନିଆକୁ ବୁଝିବାର ନୂଆ ଦୃଷ୍ଟିଭଙ୍ଗୀ ପାଇପାରିବା। ଏହା ଏକ ଉଦୀୟମାନ ଶକ୍ତିକୁ ରୂପ ଦେବାରେ ମଧ୍ୟ କିଛିଟା ସହାୟକ ହୋଇପାରିବ।
ଭାରତୀୟ ବିଦେଶ ସେବା
ମୋ: ୯୯୫୮୦୨୦୧୩୮

ସମ୍ବନ୍ଧିତ ଖବର