ତାଳମେଳ ଖେଳ

ଆମେରିକାରେ ‘ସିଲିକନ୍‌ ଭ୍ୟାଲି ବ୍ୟାଙ୍କ୍‌’ (‘ଏସ୍‌ଭିବି’) ଓ ଇଉରୋପ୍‌ରେ ‘କ୍ରେଡିଟ୍‌ ସୁଇସ୍‌’ ବ୍ୟାଙ୍କ୍‌ ବୁଡ଼ିଯିବା ପରେ ସ୍ବାଭାବିକ ଭାବରେ ଭାରତୀୟ ବ୍ୟାଙ୍କ୍‌ମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧରେ ଏଠାରେ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇବା ଦେଖାଯାଇଛି। ଉପରୋକ୍ତ ପ୍ରଥମ ବ୍ୟାଙ୍କ୍‌ଟି ଚାରି ଦଶନ୍ଧି ଧରି ବ୍ୟବସାୟ କରି ଆସିଥିବା ବେଳେ ଦ୍ବିତୀୟଟି ପ୍ରାୟ ୧୭ ଦଶନ୍ଧି ବ୍ୟାପି ବ୍ୟାଙ୍କ୍‌ ବ୍ୟବସାୟ କ୍ଷେତ୍ରରେ ନିଜର ଏକ ଅତ୍ୟନ୍ତ ସମ୍ମାନଜନକ ପରିଚୟ ସୃଷ୍ଟି କରିଥିଲା। ଏହି ପରିପ୍ରେକ୍ଷୀରେ ‘ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ’ର ଗଭର୍ନର୍‌ ଶକ୍ତିକାନ୍ତ ଦାସ ଭାରତରେ ବ୍ୟବସାୟ କରୁଥିବା ବ୍ୟାଙ୍କ୍‌ମାନଙ୍କୁ ସତର୍କ କରି ଦେବା ଦେଖାଯାଇଛି ଯେ ସେମାନେ ସେମାନଙ୍କର ପରିସମ୍ପତ୍ତି (ଆସେଟ୍‌) ଓ ଦେୟ (ଲାଏବିଲିଟି) ମଧ୍ୟରେ ତାଳମେଳର ଅଭାବ ଯେପରି ମାତ୍ରାଧିକ ନହୁଏ, ସେଥିପ୍ରତି ସର୍ବଦା ସଜାଗ ରହିବା ଜରୁରୀ।

ରିଜର୍ଭ ବ୍ୟାଙ୍କ୍‌ ଗଭର୍ନର ଏଥିପ୍ରତି ବ୍ୟାଙ୍କ୍‌ମାନଙ୍କର ଦୃଷ୍ଟି ଆକର୍ଷଣ କରିବାର କାରଣ ହେଉଛି ଏହା ଯେ ବ୍ୟାଙ୍କ୍‌ମାନଙ୍କ ପାଇଁ ଏଭଳି ତାଳମେଳରେ ଅଭାବ ଘଟିବା ହେଉଛି ସ୍ବାଭାବିକ। ବ୍ୟାଙ୍କ୍‌ମାନେ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ‌କରାଇବା ନିମିତ୍ତ ଆବଶ୍ୟକ ପୁଞ୍ଜି ଯୋଗାଇଥାନ୍ତି। ଏହି ପୁଞ୍ଜି ସେମାନେ ଜମାକାରୀ ଗ୍ରାହକମାନଙ୍କ ଠାରୁ ସଂଗ୍ରହ କରିଥାନ୍ତି। ଏଇଥିରୁ ହିଁ ପରିସମ୍ପତ୍ତି-ଦେୟ ମଧ୍ୟରେ ତାଳମେଳ ବିଗିଡ଼ିବା ଆରମ୍ଭ ହୋଇଥାଏ। କାରଣ, ବ୍ୟାଙ୍କରେ ଗ୍ରାହକମାନେ ଜମା ରଖିଥିବା ରାଶି ହେଉଛି ବସ୍ତୁତଃ ବ୍ୟାଙ୍କ୍‌ ସେମାନଙ୍କ ଠାରୁ ଆଣିଥିବା ଋଣ; ବ୍ୟାଙ୍କ୍‌ ଶିଳ୍ପବ୍ୟବସାୟ ଉଦ୍ୟୋଗୀମାନଙ୍କୁ ଯୋଗାଇଥିବା ପୁଞ୍ଜି ହେଉଛି ସେମାନଙ୍କୁ ପ୍ରଦାନ କରିଥିବା ଋଣ।
ସମସ୍ୟା ହେଲା, ବ୍ୟାଙ୍କ୍‌ ଆଣିଥିବା ଋଣ ମୁଖ୍ୟତଃ ସ୍ବଳ୍ପକାଳୀନ ହୋଇଥିବା ବେଳେ, ବ୍ୟାଙ୍କ୍‌ ପ୍ରଦାନ କରିଥିବା ଋଣ ଦୀର୍ଘକାଳୀନ ହୋଇଥାଏ। ଏହାର ମର୍ମ ହେଲା, ଜମାକାରୀମାନଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରିବା ସମୟ ଉପସ୍ଥିତ ହେବା ବେଳକୁ ଋଣ ଗ୍ରହୀତାମାନଙ୍କ ଠାରୁ ପ୍ରାପ୍ୟ ପରିଶୋଧ ହେବାର ସମୟ ଉପସ୍ଥିତ ହୋଇନଥାଏ। ଏକ ବ୍ୟାଙ୍କ୍‌କୁ ତେଣୁ ନିଜର ଋଣ ଗ୍ରହଣ ଓ ଋଣ ପ୍ରଦାନକୁ ଏପରି ଚତୁରତାର ସହିତ ପରିଚାଳନା କରିବାକୁ ପଡ଼ିଥାଏ, ଯେପରି ନିଜର ଜମା ଉଠାଇବାକୁ ଚାହୁଁଥିବା କୌଣସି ଜମାକାରୀ ଶୂନ୍ୟ ହସ୍ତରେ ନ ଫେରେ। କିନ୍ତୁ କହିବା ବାହୁଲ୍ୟ, ଏପରି ଏକ ବ୍ୟବସ୍ଥାରେ ସର୍ବଦା ଏକ ବିପଦର ସମ୍ଭାବନା ଛକି ରହିଥାଏ। ତାହା ହେଲା, ଯଦି କେବେ ଏକ ସମୟରେ ଯଥେଷ୍ଟ ସଂଖ୍ୟକ ଜମାକାରୀ ନିଜର ଜମାରାଶି ଉଠାଇ ନେବାକୁ ପହଞ୍ଚିଯାନ୍ତି, ତେବେ‌ ସେମାନଙ୍କର ଦାବି ପୂରଣ କରିବା ନିମିତ୍ତ କୌଣସି ବି ବ୍ୟାଙ୍କ୍‌ ପାଖରେ ଯଥେଷ୍ଟ ନଗଦ ରାଶି ଉପଲବ୍‌ଧ ହେବ ନାହିଁ।

ଏଠାରେ ଉଲ୍ଲେଖ ଆବଶ୍ୟକ ଯେ ‘କ୍ରେଡିଟ୍‌ ସୁଇସ୍‌’ ବ୍ୟାଙ୍କ୍‌ର ଦୁର୍ଦ୍ଦଶାର କାରଣ ହେଉଛି ଏହି ବ୍ୟାଙ୍କ୍‌ ବିଗତ କେତେ ବର୍ଷ ଧରି ପ୍ରଦର୍ଶନ କରି ଆସିଥିବା ବ୍ୟାବସାୟିକ ତଥା ପରିଚାଳନାଗତ ଅପାରଗତା। କିନ୍ତୁ ‘ଏସ୍‌ଭିବି’ ସମ୍ମୁଖୀନ ହୋଇଥିବା ସଙ୍କଟ ପଛରେ ଏପରି କୌଣସି ଅପାରଗତା ନିହିତ ନ ଥିଲା। ‘ଏସ୍‌ଭିବି’ ତା’ର ମୋଟ ପରିସମ୍ପତ୍ତିର ୪୩ ଶତାଂଶ ଅତ୍ୟନ୍ତ ସୁରକ୍ଷିତ ବିବେଚିତ ଦୀର୍ଘକାଳୀନ ସରକାରୀ ଓ କର୍ପୋରେଟ୍‌ ବଣ୍ଡ ସବୁରେ ନିବେଶ କରିଥିଲା, ଯେଉଁଥିରୁ ସେ ସୁଧ ଆକାରରେ ଆକର୍ଷଣୀୟ ଆୟ ଅର୍ଜନ କରୁଥିଲା। ଯୋଜନା ଅନୁସାରେ ସେଭଳି ବଣ୍ଡ୍‌ର ମିଆଦ ଅବଧି ପୂର୍ଣ୍ଣ ହେବା ପୂର୍ବରୁ ତାହାକୁ ବଜାରରେ ବିକ୍ରୟ କରିବା ‘ଏସ୍‌ଭିବି’ର ଉଦ୍ଦେଶ୍ୟ ନ ଥିଲା। ନିୟମ ଅନୁସାରେ ସେଇ ସମୟ କାଳ ମଧ୍ୟରେ ଯଦି ବଜାରରେ ସେସବୁ ବଣ୍ଡ୍‌ମାନଙ୍କର ମୂଲ୍ୟରେ ସ୍ଖଳନ ଘଟେ, ନିୟନ୍ତ୍ରକ ସଂସ୍ଥାମାନେ ତାହାକୁ ସମ୍ପୃକ୍ତ ବ୍ୟାଙ୍କ୍‌ର ପରିସମ୍ପତ୍ତିର ମୂଲ୍ୟ ହ୍ରାସ ରୂପେ ବିଚାର କରନ୍ତି ନାହିଁ। ତେଣୁ ନିୟମ ଅନୁସାରେ ‘ଏସ୍‌ଭିବି’ ତା’ର ବ୍ୟବସାୟରେ କୌଣସି ଅନୁଚିତ ଆଚରଣ ପ୍ରଦର୍ଶନ କରି ନ ଥିଲା।

ଏହା ବର୍ତ୍ତମାନ ସୁବିଦିତ ଯେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍‌ ‘ଫେଡେରାଲ୍‌ ରିଜର୍ଭ’ (ସଂକ୍ଷେପରେ-‘ଫେଡ୍‌’) ସେଠାରେ ସୁଧ ହାରରେ ବାରମ୍ବାର ବୃଦ୍ଧି ଘଟାଇବା ଫଳରେ ଏ ବଣ୍ଡମାନଙ୍କର ବଜାର ମୂଲ୍ୟରେ ତୀକ୍ଷ୍‌ଣ ହ୍ରାସ ଘଟିଛି। ତଥାପି ‘ଏସ୍‌ଭିବି’ ଏଥିଯୋଗୁଁ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲା। କିନ୍ତୁ ଯେତେବେଳେ ଅନେକ ସଂଖ୍ୟାରେ ଜମାକାରୀ ସେମାନଙ୍କର ଜମା ଉଠାଇ ନେବାକୁ ଚାହିଁଲେ, ସେତେବେଳେ ‘ଏସ୍‌ଭିବି’ ଉପରୋକ୍ତ ବଣ୍ଡ୍‌ଗୁଡ଼ିକୁ ବଜାରରେ ବିକ୍ରି କରି ସେଥିପାଇଁ ଆବଶ୍ୟକ ଅର୍ଥ ସଂଗ୍ରହ କରିପାରିଲା ନାହିଁ। ଏଣୁ ବ୍ୟାଙ୍କ୍‌ଟି ବୁଡ଼ିଗଲା। ଏକ ବିଡ଼ମ୍ବନା ଭଳି ଯେଉଁ ସରକାରୀ ବଣ୍ଡ୍‌କୁ ସର୍ବାଧିକ ନିରାପଦ ପରିସମ୍ପତ୍ତି ରୂପେ ବିଚାର କରାଯାଇଥାଏ, ସୁଧ ହାରରେ ବୃଦ୍ଧି ତାହାକୁ ଏକ ଦୁର୍ବଳ ତଥା ବିପଜ୍ଜନକ ସାଥୀରେ ପରିଣତ କରି ଦେଇଛି।

‘ଏସ୍‌ଭିବି’ ଘଟଣା ପରେ ପୃଥିବୀ ସାରାର କେନ୍ଦ୍ରୀୟ ବ୍ୟାଙ୍କ୍‌ମାନେ ଏ ସମ୍ବନ୍ଧରେ ସଚେତନ ହୋଇପଡ଼ିଛନ୍ତି, ଯାହାର ଏକ ଉଦାହରଣ ହେଉଛି ଶକ୍ତିକାନ୍ତଙ୍କ ସତର୍କବାଣୀ। ଏହି ପରିପ୍ରେକ୍ଷୀରେ ଭାରତୀୟ ବ୍ୟାଙ୍କ୍‌ ମାନଙ୍କର ପରିସ୍ଥିତି ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଇପାରେ। ନିକଟରେ କରାଯାଇଥିବା ଏକ ଅନୁଶୀଳନ ଅନୁସାରେ ଭାରତୀୟ ବ୍ୟାଙ୍କ୍‌ମାନଙ୍କ ପାଖରେ ଥିବା ମୋଟ ଜମା ରାଶିର ୬୦ ଶତାଂଶରୁ ଅଧିକ ପାରିବାରିକ ଜମାକାରୀମାନଙ୍କ ସୂତ୍ରରୁ ସଂଗୃହୀତ ହୋଇଥାଏ, ଯେଉଁମାନଙ୍କ ଆଚରଣରେ ‘ଏସ୍‌ଭିବି’ର କର୍ପୋରେଟ୍‌ ଜମାକାରୀମାନଙ୍କ ତୁଳନାରେ ବହୁ ଅଧିକ ସ୍ଥିରତା ପରିଲକ୍ଷିତ ହୋଇଥାଏ; ସେମାନେ ଏକ ଅନୁରୂପ ପରିସ୍ଥିତିରେ ସେମାନଙ୍କର ସମସ୍ତ ଜମା ଉଠାଇ ନେବାକୁ ଚାହିଁବେ ନାହିଁ। ରିଜର୍ଭ ବ୍ୟାଙ୍କ୍‌ ମଧ୍ୟ ଏଠାରେ ବ୍ୟାଙ୍କ୍‌ମାନେ ଯେତିକି ଉପରୋକ୍ତ କିସମର ଦୀର୍ଘକାଳୀନ ବଣ୍ଡ୍‌ ରଖି ପାରିବେ, ତାହାର ସର୍ବୋଚ୍ଚ ଅନୁପାତକୁ ୨୩ ଶତାଂଶରେ ସୀମିତ କରି ଦେଇଛି ଯାହାକୁ ନିକଟ ଭବିଷ୍ୟତରେ ୧୯.୫ ଶତାଂଶକୁ ହ୍ରାସ କରାଯିବା ପ୍ରସ୍ତାବ ରହିଛି। ଭାରତୀୟ ବ୍ୟାଙ୍କ୍‌ମାନଙ୍କ ନିକଟରେ ଯେତିକି ଜମା ରାଶି ଉପଲବ୍‌ଧ ଅଛି, ତାହାର ୬୫ ଶତାଂଶର ମାଚ୍ୟୁରିଟି କାଳ ହେଉଛି ଏକ ବର୍ଷରୁ ଅଧିକ; ତେଣୁ ସେଗୁଡ଼ିକୁ ଜମାକାରୀମାନେ ତତ୍‌କ୍ଷଣାତ୍‌ ଉଠାଇ ନେବା ସହଜ ନୁହେଁ ଓ ସମ୍ଭାବନା କମ୍‌।

ପୁଣି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କର ଗ୍ରାହକମାନଙ୍କର ଏକ ଅନ୍ତର୍ନିହିତ ଦୃଢ଼ ବିଶ୍ବାସ ଥାଏ ଯେ କୌଣସି ସଂକଟ ଉପସ୍ଥିତ ହେଲେ ଶେଷରେ ସରକାର ସେମାନଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିବେ। ଭାରତରେ ଜମାକାରୀମାନଙ୍କ ସ୍ବାର୍ଥରକ୍ଷା ନିମିତ୍ତ ଏକ ଜମାବୀମା (ଡିପୋଜିଟ୍‌ ଇନ୍‌ସୁରାନ୍‌ସ) ବ୍ୟବସ୍ଥା ମଧ୍ୟ ବଳବତ୍ତର ଅଛି, ଯାହାର ସର୍ବୋଚ୍ଚ ସୀମା ହେଉଛି ୫ ଲକ୍ଷ ଟଙ୍କା। ଏକ ଆକଳନ ଅନୁସାରେ ଏହା ପ୍ରାୟ ୯୮ ପ୍ରତିଶତ ଜମାକାରୀମାନଙ୍କୁ ସୁରକ୍ଷିତ ରଖିଥାଏ। ବାକି ଯେଉଁ ୨ ଶତାଂଶ ବଡ଼ ବଡ଼ ଜମାକାରୀ ଏଥିରେ ଅନ୍ତର୍ଭୁକ୍ତ ନ ଥାନ୍ତି ସେମାନେ ସାଧାରଣତଃ ପ୍ରଭାବଶାଳୀ ହୋଇଥାନ୍ତି ଓ ସେମାନଙ୍କୁ ବିମୁଖ ନ କରିବା ପାଇଁ ସମ୍ପୃକ୍ତ ବ୍ୟାଙ୍କ୍‌ ସର୍ବଦା ଚେଷ୍ଟା କରିଥାଏ, ଯେଉଁଥିପାଇଁ ମଧ୍ୟ ବ୍ୟାଙ୍କ୍‌ ନିଜର ପରିସମ୍ପତ୍ତି-ଦେୟ ମଧ୍ୟରେ ତାଳମେଳକୁ ବିଗିଡ଼ିବାକୁ ଦିଏ ନାହିଁ। ସରକାର, ରିଜର୍ଭ ବ୍ୟାଙ୍କ ଓ ଏହି ପ୍ରଭାବଶାଳୀ ଜମାକାରୀମାନଙ୍କର ତୀକ୍ଷ୍‌ଣ ଦୃଷ୍ଟି ଏଡ଼ାଇ ଭାରତୀୟ ବ୍ୟାଙ୍କ୍‌ମାନେ ଏଠାରେ ଏକ ‘ଏସ୍‌ଭିବି’ ସମ ସଂକଟ ସୃଷ୍ଟି କରିବା ସମ୍ଭାବନା ତେଣୁ କ୍ଷୀଣ ମନେହୁଏ।

ସମ୍ବନ୍ଧିତ ଖବର