ଛେଉଣ୍ଡ ହାତୀ ଛୁଆ ଓ ଜନଜାତି ଦଂପତି

ଆଳାପ ଓ ଆଲୋଚନା - ଅଭିରାମ ବିଶ୍ବାଳ

ରଘୁ, ଆମ୍ମୁ, ବୋମାନ ଓ ବେଲି ଏବେ ଆଉ ଖାଲି ଚାରିଗୋଟି ନାମ ହୋଇ ରହିନାହାନ୍ତି; ଓସ୍କାର ଜିଣିଥିବା କାର୍ତ୍ତିକୀ ଗନ୍‌ସାଲ୍‌ଭେସ୍‌ ନିର୍ଦ୍ଦେଶିତ ତାମିଲ୍‌ କ୍ଷୁଦ୍ର ବୃତ୍ତଚିତ୍ର ‘‘ଦି ଏଲିଫ୍ୟାଣ୍ଟ ହୁଇସ୍‌ପରର୍ସ’’ ସୌଜନ୍ୟରୁ ଚାରିଟି ପ୍ରଭାବଶାଳୀ ପ୍ରତୀକ ଓ ପରିଭାଷାରେ ପରିଣତ ହୋଇଯାଇଛନ୍ତି। ଏମିତିରେ ତ ରଘୁ ଓ ଆମ୍ମୁ ଶାବକ ହାତୀ ଏବଂ ବୋମାନ ଓ ବେଲି ଜନଜାତି ଦଂପତି। ଆଲୋଚ୍ୟ ହାତୀ ଓ ଦଂପତିଙ୍କ ସମ୍ପର୍କ ପ୍ରକୃତି ସହ ମଣିଷର ପବିତ୍ର ବନ୍ଧନ ସୂଚେଇବା ସାଙ୍ଗକୁ ପରିବେଶ ଓ ପର୍ଯ୍ୟାବରଣ ସଂରକ୍ଷଣର ପାରମ୍ପରିକ ସାଂସ୍କୃତିକ ଶୈଳୀ ତଥା କୌଶଳ ଦର୍ଶେଇବା ସହ କହିଦିଏ ଏ ପୃଥିବୀ ଖାଲି ମଣିଷମାନଙ୍କର ନୁହେଁ; ପଶୁପକ୍ଷୀ ଓ ବୃକ୍ଷଲତାଙ୍କର, ତୃଣର ଓ କୀଟଙ୍କର ବି! ପ୍ରକୃତି ସହ ମଣିଷର ସହାବସ୍ଥାନ ସେତିକିବେଳେ ଅର୍ଥପୂର୍ଣ୍ଣ, ଯେତିକି ଯାଏ ସେମାନେ ଯାହା ନିହାତି ଦରକାର ସେତିକି ମାତ୍ର ହିଁ ନିଅନ୍ତି ପ୍ରକୃତି ବକ୍ଷରୁ ଏବଂ ସେ ନେବା ବାଟେ ପ୍ରତିଫଳିତ ହେଉଥାଏ ଲୋଭ ଓ ଆବଶ୍ୟକତା ଭିତରର ସୂକ୍ଷ୍ମ ଆଉ ସ୍ଥୂଳ ପାର୍ଥକ୍ୟ ବୁଝି କାର୍ଯ୍ୟକାରୀ କରିବାର ମନୋଭାବ।

ପ୍ରାୟ ୪୧ ମିନିଟିଆ ଏଇ ପ୍ରାମାଣିକ ଚଳଚ୍ଚିତ୍ରଟିରୁ ଗୋଟିଏ ବା ଜଣେ ମୁଖ୍ୟ ଚରିତ୍ର ଖୋଜିବା ଠିକ୍‌ ନୁହେଁ। ଅବଶ୍ୟ ବୃତ୍ତଚିତ୍ରଟିର ବ୍ୟାଖ୍ୟାନ ଓ କାହାଣୀର କେନ୍ଦ୍ରରେ ରହିଛନ୍ତି ରଘୁ, ବୋମାନ ଓ ବେଲି। ହେଲେ, ସାମଗ୍ରିକ ଆଭିମୁଖ୍ୟ ଓ ବ୍ୟାପକ ପ୍ରଭାବ ଦୃଷ୍ଟିରୁ ଏହା ରଘୁ-ବୋମାନ-ବେଲି ସୀମିତ ନୁହେଁ। ଅସାଧାରଣ ସିନେମାଟୋଗ୍ରାଫି ଓ ଅଦ୍ଭୁତ ଅକୃତ୍ରିମ ନିର୍ଦ୍ଦେଶନା ଯୋଗୁଁ ବୃତ୍ତଚିତ୍ରଟିରେ ଜଙ୍ଗଲ, ମୁଦୁମଲାଇ ଜାତୀୟ ପାର୍କ, ଥେପାକାଡୁ ହାତୀ ପୁନର୍ବାସ ଶିବିର ଅତି ପାଖରେ ବହିଯାଉଥିବା ମୋୟର ନଈ, ଅରଣ୍ୟାଶ୍ରୟୀ ଝରଣା, ରଘୁ ଓ ଆମ୍ମୁ ବ୍ୟତୀତ କୃଷ୍ଣା ଓ ଅନ୍ୟ ହାତୀ, ମହୁମାଛି, ମାଙ୍କଡ଼, ବାଘ, ବଗ, ଭାଲୁ, ଗୁଣ୍ଡୁଚିମୂଷା, ମୟୂର, ଏଣ୍ଡୁଅ, ଅତି ଛୋଟ ପ୍ରଜାପତି, ଅଁଳା କୋଳି, ବାଉଁଶ ଗଛ, ଫୁଟ୍‌ବଲ୍‌ ଖେଳ ଏବଂ ବୋମାନ, ବେଲି ଓ ବନ କର୍ମଚାରୀଗଣଙ୍କ ଭିତରେ ଏମିତି ଜୈବିକ ଯୋଡ଼ ସୃଷ୍ଟି ହୋଇଛି, ଯେଉଁଠି ବାସ୍ତବ, କୁହୁକ, ଦର୍ଶନ, କବିତା, ସଂସ୍କୃତି, ଜୀବନ ଓ ଚିତ୍ରକଳା ମିଶି ଏକାକାର ହେଲା ଭଳି ଲାଗିବ। ବୃତ୍ତଚିତ୍ରଟିର ସବୁ ସତ; ସେଥିରେ ଯାଦୁ ନାହିଁ କି ପେଣ୍ଟିଂ ନାହିଁ। ତାହା ସବୁ ପ୍ରକାରର ଜୀବନର ମର୍ଯ୍ୟାଦା ଆଉ ଥରେ ମନେ ପକାଇଦିଏ। ଏ ଧରଣର ବୃତ୍ତଚିତ୍ର ତେଣୁ ଜଣେ ଖାଲି ଦେଖେନି, ଦେଖିଲା ବେଳେ ବୃହତ୍ତର ଗୋଷ୍ଠୀ ଜୀବନକୁ ଅଭିଜ୍ଞତା ଭାବେ ଅନୁଭବ କରି ଚାଲିଥାଏ।

ବୋମାନ ଓ ବେଲିଙ୍କ ଭିତରେ କଥୋପକଥନ ଏବଂ ବୋମାନ ଓ ବେଲିଙ୍କ ନିଜ ନିଜର ସ୍ବାଧୀନ ଉବାଚଧର୍ମୀ ବକ୍ତବ୍ୟ ବୃତ୍ତଚିତ୍ରଟିର ଆତ୍ମାମୟ ଆଳାପ। ପ୍ରାମାଣିକ ଛବିଟି ଆରମ୍ଭ ହୁଏ ବୋମାନଙ୍କ ବକ୍ତବ୍ୟରୁ। ଅବଶ୍ୟ ତା’ ପୂର୍ବରୁ ଶୁଣିବାକୁ ମିିଳିଥାଏ କେଇ ସେକେଣ୍ଡ ପାଇଁ ପକ୍ଷୀଙ୍କ କଳରବ। ବୋମାନ କହି ଚାଲନ୍ତି ଏଇଭଳି- ମୁଁ ଜଣେ କାଟୁନାୟକନ୍‌। କାଟୁନାୟକନ୍‌ ମାନେ ଜଙ୍ଗଲର ରାଜା। ଜଙ୍ଗଲ ଆମ ଘର। କାହିଁ କେଉଁ ଅନାଦି କାଳରୁ ଆମ ପୂର୍ବଜମାନେ ଏଇ ଜଙ୍ଗଲରେ ରହି ଆସୁଥିଲେ। ହାତୀମାନଙ୍କର ଦେଖାଶୁଣା କରିବା ଆମର ଦାୟିତ୍ବ। ହଠାତ୍‌ ଦିନେ ମୁଁ ରଘୁକୁ ଆବିଷ୍କାର କଲି। ତା’ ଲାଞ୍ଜକୁ କାମୁଡ଼ି ଦେଇଥାନ୍ତି କୁକୁର। ସିଏ ଯନ୍ତ୍ରଣାରେ ଛଟପଟ ହେଉଥାଏ। ରଘୁର ପୂରା କାହାଣୀ ଆହୁରି କରୁଣ। ତା’ ମା’ ବିଜୁଳି ତାରରେ ବାଜି ପ୍ରାଣ ହରେଇଥିଲା। ଦୋଷ ତା’ ମା’ର ନୁହେଁ। ସେତେବେଳେ, ଘୋର ମରୁଡ଼ି ପଡ଼ିଥାଏ। ତେଣୁ ରଘୁର ମା’ ଖାଦ୍ୟ ଓ ପାଣି ଅନ୍ବେଷଣରେ ଜଙ୍ଗଲ ବାହାରକୁ ଗଲା ବେଳେ ସେଭଳି ଅଘଟଣ ଘଟିଥିଲା। ଜଳବାୟୁରେ ଅଭିଲା କଥା ଓ ପରିବର୍ତ୍ତନମାନ ଘଟୁଛି। କେହି ଭାବୁନଥିଲେ ରଘୁ ବଞ୍ଚିବ ବୋଲି। ଧୀରେ ଧୀରେ ତା’ ଅବସ୍ଥା ସୁଧୁରିଲା। ତାକୁ ମୁଁ ମୋ ପୁଅ ଭଳି ପାଳିଛି। ବର୍ଷା ଆସିଲେ ତାକୁ ଛତା ତଳକୁ ନେଇ ଆସିଛି। ପୁଣି କହିଛି, ରଘୁ, ବର୍ଷା ଆସିଲା, ତୋ ପାଇଁ ଆହୁରି ଅଧିକା ଘାସ ମିଳିବ ଖାଇବାକୁ। ଗୁଡ଼ ଓ ନଡ଼ିଆ ମିଶା ଖାଦ୍ୟ ଗୁଣ୍ଡା ‌େତାତେ ଖଞ୍ଜି ଦେବିରେ ରଘୁ। ଉଭୟ ମାହୁନ୍ତ ଓ ପୂଜକର କାମ କରେ ମୁଁ ଜଙ୍ଗଲରେ। ହାତୀ ଆମ ପାଇଁ ସାକ୍ଷାତ ଈଶ୍ବର। ଈଶ୍ବରଙ୍କର, ଠାକୁର ଠାକୁରାଣୀଙ୍କର ଆମେ ଯେମିତି ପୂଜା କରୁ, ହାତୀମାନଙ୍କର ସେମିତି ସେବା କରୁ। ‌ବିଶାଳ ଲାଗୁଥିବା ହାତୀକୁ ଡରିବାର କାରଣ ନାହିଁ। ସେମାନଙ୍କୁ ଭଲ ପାଇ ଶିଖିଲେ ସେମାନେ ବି ଆମକୁ ଭଲ ପାଇବେ। ଆମ ପାଇଁ ହାତୀ ଈଶ୍ବରଙ୍କ ବରଦାନ। ଅନେକ ଥର ରଘୁକୁ ଗାଧେଇ ଦେଇଛନ୍ତି ବୋମାନ। ଥରେ ସାବୁନରେ ତା’ ଦେହ ସଫା କଲାବେଳେ ମଜା କରି ବୋମାନ କହନ୍ତି- ଆରେ ରଘୁ, କେତେ ଖାଇବୁ ତୁ ସାବୁନ୍‌; ଆଗରୁ କ’ଣ ମୋଟୁରୁ ସାବୁନ୍‌ ଖାଇନୁ?

ମଝିରେ ମଝିରେ ସ୍ବତନ୍ତ୍ର ଅବସର ଆସିଲେ ଦୁଇ ପ୍ରାଣୀ ବୋମାନ ଓ ବେଲି ହାତୀମାନଙ୍କୁ ବେଶ କରାନ୍ତି ଏବଂ ସେମାନଙ୍କର ପୂଜା କରନ୍ତି। ଥରେ ‌‌େବଲି ଖୋଜୁଥାନ୍ତି ବୋମାନଙ୍କୁ ଯେତେବେଳେ କି ବୋମାନ ଚୁଲି ଲଗଉଥାନ୍ତି ଏବଂ ସେଇଥିପାଇଁ ତାଙ୍କ ମୁହଁ ସାରା ଧୂଆଁ। ବେଲିଙ୍କ ବକ୍ତବ୍ୟ ଆରମ୍ଭ ହୁଏ ମୋଟା‌େମାଟି ସେଇଠୁ- ମୁଁ ଏମିତି ଲୋକକୁ ବାହା ହେବାକୁ ଚାହିଁବିନି ଯାହାଙ୍କ ମୁହଁ ପାଉଁଶରେ ବୋଳି ହୋଇଥିବ। କେତେ ଦୁଃଖ, କଷଣ, ମୃତ୍ୟୁ ଦେଖିଛି ମୁଁ। ବାଘ କାମୁଡ଼ାରେ ମୋ ପ୍ରଥମ ସ୍ବାମୀ ଚାଲିଗଲେ। ଜଙ୍ଗଲ କଥା ପଡ଼ିଲେ ତେଣୁ ମୋ ଭିତରେ ଛାନିଆ ପଶିଯାଏ, ଦେହ ଥରିଉଠେ। ପରେ ପୁଣି ମୋ ଝିଅର ମୃତ୍ୟୁ ଘଟିଲା। ସେତେବେଳେ ମୋ ଝିଅର ବୟସ ‌ରଘୁର ବୟସ ଏବେ ଯାହା ‌େସଇଆ। ନିଜ ପ୍ରିୟଜନଙ୍କୁ ହରେଇବା ଭଳି ଦୁର୍ଭାଗ୍ୟ କିଛି ନ ଥାଏ। କିନ୍ତୁ ଏବେ ରଘୁକୁ ପାଇ ଲାଗୁଛି ମୋ ଝିଅକୁ ମୁଁ ଫେରି ପାଇଛି। ରଘୁର ସେବା କରୁଥିଲୁ, ଏବେ ଆମ୍ମୁର ଦାୟିତ୍ବ ମିଳିଛି। ସମସ୍ତେ ମୋତେ ହାତୀର ମା’ ଡାକୁଛନ୍ତି। ମୋ ଛାତି କ‌ୁଣ୍ଢେମୋଟ ହୋଇ ଯାଉଛି। ଆମେ ଜନଜାତିର ଲୋକେ ପ୍ରକୃତିରେ ରହିବା ଓ ବଞ୍ଚିବା ଜୀବନ କଳା ଜାଣୁ। ଜଙ୍ଗଲରେ ଚାଲିଲା ବେଳେ ଖାଲି ପାଦରେ ଯାଉ, ମାଟିକୁ ନ ବାଧିବ ବୋଲି। ହାତୀ ଆମର କିଛି କ୍ଷତି କରିବନି। ତା’ ସହ ରହିବା ଭଗବାନଙ୍କ ସହ ରହିଲା ଭଳିଆ। ମୋର କିଛି ନ ଥିଲା। ଜଙ୍ଗଲ ମତେ ବାଟ ଦେଖାଇଲା। ମୋ ଜୀବନର ବାଟ ହୋଇଗଲା ଜଙ୍ଗଲ। ଜଣେ ଜୀବନରେ ଆଉ କ’ଣ ବା ଆଶା କରିପାରେ? ଆତ୍ମୀୟା ସଂଜନାକୁ ଶୁଣାଉଛନ୍ତି ବେଲି ସେଇ ଅତି ଜଣାଶୁଣା ହାତୀ ଅବତାରଣା- ଯେ ହାତୀ କାନ କୁଲା ଭଳି, ଗୋଡ଼ ଖୁମ୍ବ ଭଳି, ଶୁଣ୍ଢ ମୋଟା ଦଉଡ଼ି ଭଳି ଓ ପିଠି କାନ୍ଥ ଭଳି। ଥରେ ବର୍ଷା ଛାଡ଼ିଗଲା ପରେ ବୋମାନ ଡାକୁଛନ୍ତି ବେଲିଙ୍କୁ କିଛି ଖାଇ ନେବାକୁ। ବେଲି କହୁଛନ୍ତି- ମୁଁ ଖୁଆଇ ଦେଲା ବେଳେ ମୋ ଆଙ୍ଗୁଠିକୁ କାମୁଡ଼ି ଦେବନି ତ?

ଏହି ବହୁ ଚର୍ଚ୍ଚିତ ବୃତ୍ତଚିତ୍ରଟିର ସବୁ ଦୃଶ୍ୟ, ସବୁ ମୁହୁର୍ତ୍ତ ଅତି ଚମତ୍କାର। ଲଣ୍ଠନଟିଏ ହାତରେ ଧରି ବେଲି ଏକ ବଡ଼ ହାତୀ ଆଗେ ଆଗେ ଯାଉଛନ୍ତି ଜଙ୍ଗଲରେ। ଲାଗିବ ଉଚ୍ଚତା, ଗଭୀରତା ଓ ବ୍ୟାପ୍ତିରେ ହାତୀ ଆଉ ଜଙ୍ଗଲ ଠାରୁ ବଡ଼ ସେହି ମହୀୟସୀ ମହିଳା ଜଣକ। ଏକାଧିକ ଥର ଘଣ୍ଟି ବାଜିଛି ଛବିଟିରେ, ବଜେଇଛନ୍ତି ବୋମାନ ପୂଜା ଓ ପ୍ରାର୍ଥନା କାଳରେ। ଜଙ୍ଗଲ ପାଲଟି ଯାଉଛି ଆସ୍ଥାଳୟରେ। ପୁଣି ହାତୀ ଛୁଆ ବେକରେ ବନ୍ଧା ହୋଇଛି ଘଣ୍ଟି। ଦୈବାତ୍‌ ସିଏ ବାଟବଣା ହୋଇଗଲେ ଘଣ୍ଟି ଶବ୍ଦ ଶୁଣି ଖୋଜି ହେବ। ଥରେ ନଈରେ ହଜିଯାଇଥିବା ରଘୁ ବେକର ସେ ଘଣ୍ଟିକୁ ବହୁ ପରିଶ୍ରମ ଓ ଚେଷ୍ଟା କରି ପାଣିରୁ ଉଦ୍ଧାର କରିଥିଲେ ବୋମାନ। ଅାଉ ଏକ ମହିମାମୟ ଓ ମହତ୍ତ୍ବପୂର୍ଣ୍ଣ ଦୃଶ୍ୟ ବୋମାନ-ବେଲିଙ୍କ ବିବାହର ଦୃଶ୍ୟ। ଆଗ ଦୁହେଁ ହାତୀ ପୂଜା କରୁଛନ୍ତି, ହାତୀ ବେକରେ ଫୁଲମାଳ ପକଉଛନ୍ତି ଏବଂ ତା’ ପରେ ବରଣମାଳା ଆଦାନପ୍ରଦାନ କରୁଛନ୍ତି ହାତୀଙ୍କୁ ସାକ୍ଷୀ ରଖି। କେତେ ସତରେ ଶୁଭ୍ର ଓ ପବିତ୍ର ହୋଇପାରେ ଧଳା ଜାମା (ଯାହା ପିନ୍ଧିଥିଲେ ବୋମାନ) ଓ ଧଳା ଶାଢ଼ୀ (ବେଲିଙ୍କ ପରିଧାନ)? କାରଣ ଦୁହେଁ ହାତୀଙ୍କ ଯତ୍ନ, ସେବା ଓ ଶୁଶ୍ରୂଷା କରିବା ବାଟେ ସାରା ମଣିଷ ଜାତିର ମନ ଓ ବିବେକକୁ ରଙ୍ଗେଇ ଦେଇଥିଲେ। ସାଂପ୍ରତିକ ସମୟ‌େର କେୟାର, ସର୍ଭିସ ଓ ନର୍ସିଂ ତ ବଡ଼ ମାନବୀୟ କାର୍ଯ୍ୟ ବିବେଚିତ ହେଉଛି। ପୁଣି ଭିନ୍ନ ଏକ ଦୃଶ୍ୟରେ ଜଣେ ବନ କର୍ମଚାରୀଙ୍କ ମୁଣ୍ଡକୁ କିଛି ସମୟ ପାଇଁ ହାତୀଟିଏ ତା’ ବଡ଼ କାନରେ ଢାଙ୍କି ଦେଉଛି ପ୍ରାଣ ପ୍ରାଚୁର୍ଯ୍ୟମୟ ଛାତ ବା ଟୋପିଟିଏ ଭଳି। ଛବିଟିରେ ବେଲି ଓ ବୋମାନଙ୍କ ନିଷ୍କପଟ ହସ କଲିଜାରେ କଣା କରି ଦେଇପାରିବାର ସାମର୍ଥ୍ୟ ରଖେ।

ଭାରତୀୟ ଚଳଚ୍ଚିତ୍ର ଇତିହାସରେ ସମାନ୍ତରାଳ ବା ନବ ତରଙ୍ଗ ଚଳଚ୍ଚିତ୍ର କ୍ଷେତ୍ରକୁ ଯେମିତି ଅତି ପ୍ରତିଭାମୟ ନିର୍ମାତା-ନିର୍ଦ୍ଦେଶକ ମନ ବଳେଇଛନ୍ତି, ସେମିତି ମଧ୍ୟ ବୃତ୍ତଚିତ୍ର ବା ପ୍ରାମାଣିକ ଛବି ପ୍ରତି ଆଗ୍ରହ ପ୍ରକଟ କରିଛନ୍ତି। ସେମାନଙ୍କ ଭିତରୁ ବୃତ୍ତଚିତ୍ର ମନସ୍କ କେତେ ଜଣ ହେଲେ ସତ୍ୟଜିତ ରାୟ, ଏ. କେ. ଚେଟ୍ଟିୟାର, ଶ୍ୟାମ୍‌ ବେନେଗଲ, ଋତିକ୍‌ ଘଟକ, ଗୌତମ ଘୋଷ, ଦୀପା ମେହେଟ୍ଟା, ପ୍ରକାଶ ଝା, ଆନନ୍ଦ ପଟ୍ଟବର୍ଦ୍ଧନ, ମାଇକ୍‌ ପାଣ୍ଡେ ଓ କେ. ପି. ଶଶି ପ୍ରମୁଖ। ଆଗରୁ ମାଇକ୍‌ ପାଣ୍ଡେଙ୍କ ହାତୀ ଓ ତିମି ସମ୍ପର୍କିତ ବୃତ୍ତଚିତ୍ର ଗ୍ରୀନ୍‌ ଓସ୍କାର ଲାଭ କରିସାରିଛି। ସିକିମ୍‌ ଉପରେ ସତ୍ୟଜିତ ରାୟଙ୍କ ବୃତ୍ତଚିତ୍ର ଓ ମହାତ୍ମା ଗାନ୍ଧୀଙ୍କ ଉପରେ ଏ. କେ. ଚେଟ୍ଟିୟାର୍‌ଙ୍କ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଭୃତି ପରବର୍ତ୍ତୀ ସମୟରେ ଉତ୍ସାହୀ ଶିଳ୍ପୀଙ୍କ ପାଇଁ ପଥ ପ୍ରଦର୍ଶକ ସାବ୍ୟସ୍ତ ହୋଇଛି। ଆଗରୁ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ବର୍ଣ୍ଣ ହାସଲ କରିଥିବା ସୌନକ ସେନଙ୍କ ‘ଅଲ୍‌ ଦ୍ୟାଟ୍‌ ବ୍ରିଦ୍‌ସ’ ମଧ୍ୟ ଏଥରକ ଓସ୍କାର ପାଇଥାନ୍ତା ବୋଲି ପୂର୍ବରୁ ଅମିତାଭ ଘୋଷ ଓ ଅମର୍ତ୍ତ୍ୟ ସେନଙ୍କ ସମେତ ଅନେକ ଅନୁମାନ କରୁଥିଲେ। ସେନ ଜଣେ ଭାରତୀୟ ଯୁବକ ଓ ଜଵାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ଆର୍ଟ ଆଣ୍ଡ ଆସ୍ଥେଟିକ୍‌ସର ପୂର୍ବତନ ଛାତ୍ର। ଡାନିଏଲ୍‌ ରୋହରଙ୍କ ବୃତ୍ତଚିତ୍ର ‘ନୋଭାଲ୍‌ନି’ ପାଇଲା ଆଲୋଚ୍ୟ ବର୍ଗର ପୁରସ୍କାର ଓ ସେନଙ୍କ ବୃତ୍ତଚିତ୍ର ରହିଲା ଦ୍ବିତୀୟ ସ୍ଥାନରେ। ‘‘ନୋଭାଲନି’’ର କାହାଣୀ ଜଣେ ରୁଷୀୟ ବିରୋଧୀ ନେତାଙ୍କୁ ବିଷ ଦେବାର ଅନୁସନ୍ଧାନକୁ ନେଇ।

କାର୍ତ୍ତିକୀ ଗନ୍‌ସାଲ୍‌ଭେସ୍‌ଙ୍କ ଛଡ଼ା ଓସ୍କାର ପୁରସ୍କୃତ ବୃତ୍ତଚିତ୍ରଟି ସମ୍ଭବ କରେଇବା ନିମନ୍ତେ ନିର୍ମାତାର ପ୍ରାୟୋଜିକା ଗୁନିତ୍‌ ମୋଙ୍ଗାଙ୍କର ମଧ୍ୟ (ଅନ୍ୟମାନଙ୍କ ଭିତରେ) ପ୍ରମୁଖ ଭୂମିକା ଥିଲା, ଯିଏ କି ଗ୍ୟାଙ୍ଗ୍‌ସ୍‌ ଅଫ୍‌ ୱାସିପୁର ଓ ଦି ଲଞ୍ଚ୍‌ବକ୍‌ସ ଚଳଚ୍ଚିତ୍ର ଖ୍ୟାତି ସଂପନ୍ନ। ନିକଟରେ ବମ୍ବେ ଠାରେ ଏକ ପ୍ରେସ୍‌ ମିଟ୍‌ ଅନୁଷ୍ଠିତ ହୋଇଥିଲା, ଯେଉଁଠି ‘ଦି ଏଲିଫ୍ୟାଣ୍ଟ୍‌ ହୁଇସ୍‌ପରର୍ସ’ ଲାଭ କରିଥିବା ଓସ୍କାର ସ୍ବର୍ଣ୍ଣ ପ୍ରଦର୍ଶନ କରାଯାଇଥିଲା ଏବଂ ସେ ଉତ୍ସବରେ ଉପସ୍ଥିତ ଥିବା ବୋମାନ-ବେଲି ଆୟୋଜନର ମହିମାବର୍ଦ୍ଧନ କରିଥିଲେ। ଦଂପତି ବିମାନରେ ଉତ୍‌କାମଣ୍ଡ (ଉଟି) ଫେରୁଥିଲା ବେଳେ ବିମାନର କ୍ୟାପ୍‌ଟେନ୍‌ ଓ ସବୁ ସହଯାତ୍ରୀ କରତାଳି ଜରିଆରେ ଦୁହିଁଙ୍କୁ ସମୁଚିତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଉ ସେ କରତାଳିର ପ୍ରତିଧ୍ବନି ଶୁଭି ଯାଉଥିଲା ଉତ୍‌କାମଣ୍ଡ ପାଖ ମୁଦୁମଲାଇ ପାର୍କ ଓ ଥେପାକାଡୁ ହାତୀ ପୁନର୍ବାସ ଶିବିରାଞ୍ଚଳରେ। ଆଉ ପ୍ରତ୍ୟୁତ୍ତରରେ ସେ ଅରଣ୍ୟାୟତନର ବନ୍ୟଜନ୍ତୁ ଇଙ୍ଗିତରେ କହୁଛନ୍ତି- ଆମେ ମଣିଷର ଓ ମଣିଷ ଆମର ସାଥୀ।
ମୋ: ୯୪୩୭୩୦୭୦୭୯

ସମ୍ବନ୍ଧିତ ଖବର