ଷ୍ଟାଣ୍ଡ୍ରେ ବାଇକ ରଖିଲା ବେଳେ ଦେଖିଲି ଛାତ୍ର ଜଣେ ନିଜ ଆଖି ଲୁହ ପୋଛୁଛି ଏବଂ ପାଖରେ ଝିଅ ଜଣେ ତାକୁ ବୁଝାଇବାକୁ ଚେଷ୍ଟା କରୁଛି। କଲେଜ ପରୀକ୍ଷାର ପ୍ରଥମ ଦିନ। ପ୍ରଶ୍ନ ପତ୍ର ବଣ୍ଟା ହେବାକୁ ଆଉ ଅଳ୍ପ ସମୟ ବାକି। ଏହି ଦୁଇ ଜଣଙ୍କୁ ବାଦ ଦେଲେ ଅନ୍ୟ ପିଲାମାନେ ନିଜ ନିଜ ନିର୍ଦ୍ଧାରିତ ହଲ୍ରେ ବସି ସାରିଲେଣି। ଦୃଶ୍ୟଟି ଅସ୍ବାଭାବିକ ମନେ ହେଲା। ପଚାରିଲି, କ’ଣ ହେଲା?
ଝିଅଟି କହିଲା, ପୁଅ ଜଣକ ତା’ କ୍ଲାସମେଟ। ସେ ପରୀକ୍ଷା ଦେବ ନାହିଁ ବୋଲି କହୁଛି।
ପୁଅଟିକୁ ପଚାରିବାରୁ ସେ କହିଲା ସେ ସବୁ ପାଠ ଭୁଲିଯାଇଛି। ପରୀକ୍ଷାରେ ଲେଖିବ କ’ଣ?
ପିଲାଟିର ତାତ୍କାଳିକ ମାନସିକ ସ୍ଥିତିକୁ ନେଇ ବିଶଦ ଆଲୋଚନାର ଆଦୌ ଅବସର ନ ଥିଲା। ସାମାନ୍ୟ ଦୃଢ଼ ସ୍ବରରେ ଏକ ରକମ ନିର୍ଦ୍ଦେଶ ଦେଲି, ‘ପ୍ରଥମେ ହଲ୍କୁ ଯା’। ପ୍ରଶ୍ନ ପତ୍ର ଦେଖିଲା ପରେ ଯଦି ଲାଗିବ, ଉତ୍ତର କିଛି ମନକୁ ଆସୁନାହିଁ, ତା’ ପରେ ବାହାରି ଆସିବୁ।’
ପୁଅଟି କିଛି କହିବାକୁ ଚାହୁଁଥିଲା। ତାହା ନ ଶୁଣି ତାକୁ ହଲ୍ ଭିତରକୁ ଏକ ରକମ ଘଉଡ଼େଇ ନେଲି। ଏବେ ହଲ ଭିତରେ ବସି ପ୍ରଶ୍ନପତ୍ର ନ ଦେଖୁଣୁ ସେ ପୁଣି ହଲ୍ ଛାଡ଼ିବାକୁ ଅନୁମତି ମାଗିଲା। କିନ୍ତୁ ପରୀକ୍ଷାର ନିୟମ ଅନୁଯାୟୀ ଅନ୍ତତଃ ଘଣ୍ଟାଏ କାଳ ତାକୁ ସିଟରେ ବସିବାକୁ ପଡ଼ିବ। ତେଣୁ ଆଉ ଉପାୟ ନ ପାଇ ସାଧ୍ୟମତେ କିଛି ଉତ୍ତର ଲେଖିବାରେ ନିବିଷ୍ଟ େହଲା। ଆଶ୍ଚର୍ଯ୍ୟର କଥା, ଘଣ୍ଟାଏ ପରେ ସେ ଆଉ ହଲ୍ ଛାଡ଼ିବାକୁ ଚାହିଁଲା ନାହିଁ ଏବଂ ଏକାଗ୍ର ଚିତ୍ତ ହୋଇ ପରୀକ୍ଷା ଦେଲା।
ଏତେ ସବୁ ପିଲା ଏବଂ କେତେ କିସମର ଘଟଣା ମଧ୍ୟରେ ଏହି ସାମାନ୍ୟ ଘଟଣାଟି ମୋ ମନରୁ ବିସ୍ମୃତ ହୋଇଯାଇଥାନ୍ତା, ଯଦି ପିଲାଟି ଫଳାଫଳ ବାହାରିବା ପରେ ମୋ ବସାକୁ ତା’ ବାପା-ମା’ଙ୍କୁ ଘେନି ଆସି ନ ଥାଆନ୍ତା। ସେମାନେ ଖୁସି ଯେ ପିଲାଟି ପରୀକ୍ଷାରେ ତା’ ଆଶା ମୁତାବକ ମାର୍କ ପାଇ ପାସ କରିଛି। ବାପା-ମା’ କହିଲେ ଯେ ଘର ଛାଡ଼ି ଦୂରରେ ରହୁଥିବା ପୁଅର ସେ ଦିନର ଏହି ପରୀକ୍ଷା-ଭୟ କଥା ସେମାନେ ଆଦୌ ଜାଣି ନ ଥିଲେ। ତେଣୁ େସମାନେ କହିଲେ, ‘ଆପଣ କେବଳ ଜଣେ ଶିକ୍ଷକ ନୁହନ୍ତି, ସେ ଦିନ ତା’ ଲାଗି ଅଭିଭାବକ ମଧ୍ୟ ଥିଲେ।’
ପରେ ଜାଣିବାକୁ ପାଇଲି ଯେ ପିଲାଟି ଏକ ଭଲ ଚାକିରି କଲା ଏବଂ ସେ ଦିନ ଆତୁରତାର ସହିତ ପରୀକ୍ଷା ଦେବା ଲାଗି ତାକୁ ଅନୁରୋଧ କରୁଥିବା ଝିଅଟିକୁ ଶେଷରେ ବିବାହ ମଧ୍ୟ କଲା।
ଘଟଣାଟିକୁ ଜଣେ ବନ୍ଧୁଙ୍କ ଆଗରେ ଥରେ ମୁଁ କହୁଥିଲି। ତହିଁରେ ସେ ନିଜ ପିଲା ଦିନର ସ୍ମୃତିଟିଏ ଯୋଡ଼ିଲେ। ପ୍ରାଥମିକ ଶ୍ରେଣୀରେ ତାଙ୍କର ଜଣେ ସହପାଠୀ ହୁଣ୍ଡା ପ୍ରକୃତିର ଥିଲା। ପାଠରେ ତା’ର ମନଯୋଗ ନ ଥିଲା। ସବୁ ଶିକ୍ଷକ ତାକୁ ପରିତ୍ୟାଗ କରି ସାରିଥିଲେ, କେବଳ ଜଣଙ୍କୁ ଛାଡ଼ି। ସେହି ଶିକ୍ଷକ ତାକୁ ଉଦବାସ୍ତୁ ବୋଲି ନ ଭାବି ବରଂ, ତା’ର ପ୍ରତିଟି ପାଖାପାଖି ଭୁଲ୍ ବା ପାଖାପାଖି ଠିକ୍ ଉତ୍ତରରେ ‘ସାବାସ, ସାବାସ’ ବୋଲି କହି ଚାଲିଥିଲେ; ପିଠି ଥାପୁଡ଼େଇ ଦେଉଥିଲେ। ଶିକ୍ଷକଙ୍କ ଏଭଳି ‘ସାବାସ’ ଶବ୍ଦମାନ ପିଲାଟିକୁ ପାଠ ପ୍ରତି ଆକୃଷ୍ଟ କରିବା ଲାଗି ବୀଜମନ୍ତ୍ର ପାଲଟିଲା! ସ୍ବଳ୍ପ ଅବଧିର ଅନ୍ତରାଳରେ ପିଲାଟି ଶ୍ରେଣୀରେ ଜଣେ ପାଠୁଆ ଏବଂ ଦାୟିତ୍ବସମ୍ପନ୍ନ ଛାତ୍ର ଭାବେ ପରିଗଣିତ ହେଲା।
କଥାଟି କହି ସାରି ସେ ଉପସଂହାରରେ ପହଞ୍ଚିଲେ ଯେ ଜଣେ ଶିକ୍ଷକ ଚାହିଁଲେ ପିଲାର ଜୀବନ ବଦଳିଯିବ; େଯମିତି ଜଣେ ଉତ୍ସାହ ପ୍ରଦାନକାରୀ ଶିକ୍ଷକ ବା ଜଣେ ଅଭିଭାବକ ଭୂମିକାରେ ଅବତୀର୍ଣ୍ଣ ଶିକ୍ଷକଙ୍କ ଦ୍ବାରା ଉପରୋକ୍ତ ଘଟଣାରେ ଘଟିଛି। କିନ୍ତୁ ମୁଁ ଭାବୁଥିଲି ଧରି ନିଆଯାଉ ଯଦି ପିଲାଟି ଶିକ୍ଷକଙ୍କ ନିର୍ଦ୍ଦେଶକୁ ସେଦିନ ବେଖାତିର କରିଥାନ୍ତା ବା ‘ସାବାସ୍’ ବୋଲି କହି ଚାଲିଥିବା ଶିକ୍ଷକଙ୍କ ଉତ୍ସାହର ବାଣୀ ଛାତ୍ରଟିକୁ ଭେଦି ନ ଥାଆନ୍ତା, ତେବେ? ସୁତରାଂ, ଏହା ପଛରେ ଅନ୍ୟାନ୍ୟ ଅନେକ କାରଣ ଥିବା ସମ୍ଭବ। ହୁଏ’ତ ସାବାସି ପାଉଥିବା ପିଲାଟି ଦେଖିଥିବ ଯେ ପାଠରେ ମନ ଲଗାଇବା ହେତୁ ତା’ର ବାପା-ମା’ ଖୁସି। ତେଣୁ ସେମାନଙ୍କୁ ଅଧିକ ଖୁସି ଆଣିଦେବା ଲାଗି ସେ ପାଠ ପଢ଼ାରେ ଉନ୍ନତି କରିବାର ଉଦ୍ୟମ କରିଥିବ।
ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଜୀବନକୁ ପ୍ରଭାବିତ କରିଥିବାର ଶହ ଶହ ଉଦାହରଣ ରହିଛି ଏବଂ ଆଗକୁ ସେଭଳି ମିଳି ଚାଲିଥିବ ମଧ୍ୟ ଏବଂ ସାର୍ଥକ ଶିକ୍ଷକତା ସେଥିରେ ନିହିତ ବୋଲି ସମସ୍ତେ ସ୍ବୀକାର କରନ୍ତି, ତେବେ ସବୁ ଛାତ୍ରଛାତ୍ରୀ ତ ସେଥିରେ ପ୍ରଭାବିତ ହୁଅନ୍ତି ନାହିଁ! ସୁତରାଂ, ପୂର୍ବରୁ କୁହାଯାଇଥିବା ଭଳି ଆହୁରି କିଛି ପାରିପାର୍ଶ୍ବିକ କାରଣମାନ ମଧ୍ୟ ଥାଇପାରେ! କିନ୍ତୁ ମୋତେ ଅନେକ ସମୟରେ ଲାଗେ ଏହା ହୁଏ’ତ ଗୋଟିଏ ଗୋଟିଏ ସଂଯୋଗ ମାତ୍ର! କେତେବେଳେ ହୃଦୟର କେଉଁ ଏକ ଛିଦ୍ର ଦେଇ ଆଲୋକ ପ୍ରବେଶ କରି ପୂରା ହୃଦୟକୁ ଆଲୋକିତ କରି ପକାଏ। ଜଣେ ଶିକ୍ଷକଙ୍କ ସାବାସି ବା ନିର୍ଦ୍ଦେଶ ଭଳି ହୁଏ’ତ ଗୋଟିଏ ବହି ବା ସିନେମା ଅଥବା ଗୋଟିଏ ଗୀତ ବା ଫଟୋ ବା ଗୋଟିଏ ସାମନ୍ୟ ଘଟଣା, ଏପରିକି ଗୋଟାଏ ଦୁର୍ଘଟଣା! ତେଣୁ ମୁଁ ଭାବେ ଏଭଳି ଶିକ୍ଷା ପ୍ରଦାନ କରୁଥିବା ପ୍ରତି ବିଷୟ ଓ ପ୍ରସଙ୍ଗ ଗୋଟିଏ ଗୋଟିଏ ଶିକ୍ଷକ। ଜୀବନ କେବଳ ଶିକ୍ଷକଙ୍କ ଦ୍ବାରା ଭରା। କେବଳ ସେମାନଙ୍କୁ ଖୋଜି ପାଇବା ହେଉଛି କଥା! ବା ସେମାନେ କେଉଁ ଅସତର୍କ କ୍ଷଣରେ ଉଭା ହୋଇ ଶିକ୍ଷା ଦେବାର ସୁଯୋଗ ସୃଷ୍ଟି କରିବା ହେଉଛି କଥା!
[email protected]