ମା’ଙ୍କୁ ଲୋଡ଼ିବା

କଥାଟିଏ - ଯାଯାବର

କଲିକତାର ଯେଉଁ କାଳୀ ମନ୍ଦିରରେ ରାମକୃଷ୍ଣ ପରମହଂସ ପୂଜକ ଥିଲେ, ସେଠାକୁ ଅସଂଖ୍ୟ ଲୋକ ପୂଜା କରିବାକୁ ଆସୁଥିଲେ ସତ, ସେମାନଙ୍କ ଚାଲିଚଳଣ ଓ ହାବଭାବ ରାମକୃଷ୍ଣଙ୍କୁ ଭଲ ଲାଗୁ ନ ଥିଲା। ସେଠାକୁ ଆସୁଥିବା ଅଧିକାଂଶ ଲୋକଙ୍କ ଭିତରେ ଭକ୍ତିର ଭାବ ନ ଥିଲା, ମା’ଙ୍କୁ ଲୋଡ଼ିବାର ଭାବ ନ ଥିଲା। ସେମାନେ ସମସ୍ତେ ନିଜ ନିଜର ଯାବତୀୟ ସମସ୍ୟାକୁ ମୁଣ୍ଡରେ ଭରି ମନ୍ଦିରକୁ ଆସୁଥିଲେ। ସେମାନେ ପୂଜା ବି କରୁଥିଲେ। କିନ୍ତୁ ସବୁ ଯେମିତି ଥିଲା ଯନ୍ତ୍ରବତ୍‌ ଓ ଗତାନୁଗତିକ।

ଦିନେ ଭକ୍ତମାନେ ପହଞ୍ଚିଲା ବେଳକୁ ଦେଖିଲେ ଯେ ମନ୍ଦିରରେ ତାଲା ପଡ଼ିଛି। ରାମକୃଷ୍ଣଙ୍କର ମଧ୍ୟ ଦେଖାଦର୍ଶନ ନ ଥିଲା। ଲୋକେ ଅପେକ୍ଷା କଲେ। ସେମାନଙ୍କର ନିଜ ନିଜ କାମଧନ୍ଦା ଥିବାରୁ ସେମାନେ ଫେରିବାକୁ ତରବର ହେଲେ, ବ୍ୟସ୍ତ ହେଲେ। କିନ୍ତୁ ରାମକୃଷ୍ଣଙ୍କ ଦେଖା ନ ଥିଲା। ଏମିତି ବିତିଗଲା ପୂରା ସପ୍ତାହେ। ଏବେ ଲୋକେ ଚିନ୍ତିତ ହୋଇପଡ଼ିଲେ। ମନ୍ଦିର ଭିତରେ ବନ୍ଦ ମା’ କାଳୀଙ୍କର ଭୋଗରାଗ ହେଉ ନ ଥିଲା। ମା’ଙ୍କର ଟିକିଏ ଝଲକ ପାଇବା ଲାଗି ସେମାନଙ୍କ ଛାତିରେ ବ୍ୟାକୁଳତା କ୍ରମେ ଅସହନୀୟ ହୋଇ ଉଠିଲା।

ଏମିତି ଏକ ଅବସ୍ଥାରେ ହଠାତ୍ ରାମକୃ‌ଷ୍ଣ ପହଞ୍ଚିଗଲେ ଓ ତାଲା ଖୋଲିଦେଲେ। ହେ, ମା’ ରକ୍ଷା କର, ହେ ମା’ କ୍ଷମା କର ବୋଲି କହି ରୁଣ୍ଡ ହୋଇଥିବା ଶହ ଶହ ଲୋକ ସାଷ୍ଟାଙ୍ଗ ପ୍ରଣିପାତ ହେଲେ। ସେମାନେ ରାମକୃଷ୍ଣଙ୍କୁ ଘେରିଯାଇ ପଚାରିଲେ- ଆପଣ ଥିଲେ କେଉଁଠି? ମା’ ଅପୂଜା ହୋଇ ରହିଲେ। ମା’ଙ୍କ ଦର୍ଶନ ଲାଗି ଆଖି କାନ୍ଦି ଉଠୁଥିଲା! ଆପଣଙ୍କ ଠାରୁ ଏହା ଆଶା କରାଯାଉ ନ ଥିଲା।
ରାମକୃଷ୍ଣ କହିଲେ- ମା’ଙ୍କୁ ଏବେ ଆପଣମାନେ ଯେମିତି ମନେ ପକାଉଥିଲେ, ମନ୍ଦିର ସର୍ବଦା ଖୋଲା ଥିବା ବେଳେ ସେମିତି ମନେ ପକାଉଥିଲେ କି? ମା’ଙ୍କୁ ଏମିତି ଲୋଡ଼ନ୍ତୁ ବୋଲି ମୁଁ ଜାଣିଶୁଣି ମନ୍ଦିରରେ ଚାବି ପକାଇ ଦେଇଥିଲି।

ସମ୍ବନ୍ଧିତ ଖବର