ଓଲଟ ନାଟକ

ବର୍ନାଡ୍‌ ଶ’ଙ୍କର ୧୯୩୧ରେ ରଚିତ ନାଟକ ‘ଠୁ ଟ୍ରୁ ଟୁ ବି ଗୁଡ୍‌’ (ଶ’ ଇଂରେଜୀରେ ବ୍ୟବହୃତ ହେଉଥିବା ଏକ ସୁପରିଚିତ ଉକ୍ତି- ‘ଠୁ ଗୁଡ୍‌ ଟୁ ବି ଟ୍ରୁ’ ଅର୍ଥାତ୍‌ ‘ଏ‌େତ ଭଲ ଯେ ସତ ହୋଇନପାରେ’କୁ ଏଠାରେ ଓଲଟାଇ ଦେଇଥିଲେ) ଯେତେବେଳେ ପ୍ରଥମେ ମଞ୍ଚସ୍ଥ ହେଲା, ସେତେବେଳେ କେତେକ ସମୀକ୍ଷକଙ୍କ ତରଫରୁ ତା’ ବିରୋଧରେ ପ୍ରବଳ ପ୍ରତିକ୍ରିୟା‌ ପ୍ରକାଶ ପାଇବା ଦେଖାଯାଇଥିଲା। ପ୍ରତିକ୍ରିୟା‌ର କାରଣ ହେଲା, ଶ’ ତାଙ୍କ ନାଟକର ଶୀର୍ଷକକୁ ଓଲଟାଇ ଦେଇଥିବା ଭଳି, ତା’ର ବିଷୟବସ୍ତୁକୁ ମଧ୍ୟ ଓଲଟାଇ ଦେଇଥିଲେ। ଉଦାହରଣ ସ୍ବରୂପ କାହାଣୀରେ ଏକ କଥା କହିପାରୁଥିବା ଜୀବାଣୁ ଅଭିଯୋଗ କରୁଛି ଯେ ସେ ଅସୁସ୍ଥ ବୋଧ କରୁଛି, କାରଣ ‌େରାଗୀର ସଂସ୍ପର୍ଶରେ ଆସିବା ଯୋଗୁଁ ସେ ସଂକ୍ରମିତ ହୋଇପଡ଼ିଛି।

ତେବେ ଶ’ ସମ୍ମୁଖୀନ ହୋଇଥିବା ବିରୋଧର କାରଣ ନ ଥିଲା ଜୀବାଣୁର ଏପରି ଓଲଟ ଅଭିଯୋଗ; କାରଣ ଥିଲା ମାନବ ସମାଜ ସମ୍ପର୍କରେ ଶ’ ପ୍ରଦାନ କରିଥିବା ଆଉ ଏକ ଓଲଟ ଚିତ୍ର। ଗତାନୁଗତିକ ଭାବରେ ନାଟକ ଉପନ୍ୟାସମାନଙ୍କରେ ଗରିବମାନଙ୍କ ପ୍ରତି ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ପାଇଁ ସମବେଦନା ପ୍ରକାଶ କରାଯାଇଥାଏ; ଶ’ କିନ୍ତୁ ଏହି ନାଟକରେ ଧନୀମାନଙ୍କର ଦୁଃଖପୂର୍ଣ୍ଣ ଜୀବନ ପାଇଁ ସେମାନଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ। ଆମୋଦଦାୟକ ଭାବରେ ଧନୀମାନେ ସୁଖୀ ହୋଇପାରିବେ ନାହିଁ ବୋଲି ଦର୍ଶାଇ ଶ’ ଉଭୟ ଧନୀ ଓ ଗରିବମାନଙ୍କର ବିରାଗ ଭାଜନ ହୋଇଥିଲେ: ଧନୀମାନେ ଅପମାନିତ ବୋଧ କରିଥିଲେ; ଗରିବମାନେ କ୍ଷୁବ୍‌ଧ ହୋଇଥିଲେ ଯେ ସେମାନଙ୍କର ଧନୀ ହେବାର ସ୍ବପ୍ନ ହେଉଛି ମୂଲ୍ୟହୀନ ବୋଲି ଶ’ ସେମାନଙ୍କୁ ସଚେତନ କରିଥିଲେ, ଯାହା ସେମାନଙ୍କ ଠାରୁ ଜୀବନର ମୁଖ୍ୟ ସ୍ବପ୍ନ ଛଡ଼ାଇ ନେବା ପରି ଥିଲା।

ମନେ ହେଉଛି ‘ୟୁଏନ୍‌ ସସ୍‌ଟେନେବ୍‌ଲ ଡେଭେଲପ୍‌ମେଣ୍ଟ ସଲ୍ୟୁସନ୍‌ସ ନେଟ୍‌ୱାର୍କ’ ପ୍ରତିବର୍ଷ ପ୍ରକାଶ କରୁଥିବା ‘ୱାର୍ଲଡ ହାପିନେସ୍‌ ରିପୋର୍ଟ’ (ବିଶ୍ବ ଖୁସି ରିପୋର୍ଟ) ସୁଖର ପାରମ୍ପରିକ ବିନ୍ୟାସରେ ବର୍ନାଡ୍‌ ଶ’ ଯେଉଁ ଓଲଟପାଲଟ ଘଟାଇଥିଲେ, ତାକୁ ହିଁ ସଜାଡ଼ି ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ହୋଇ ଚାଲିଥିବା ଏକ ଉଦ୍ୟମ। କାରଣ ବର୍ଷ ପରେ ବର୍ଷ ଦେଖାଯାଇଥାଏ ଯେ ପୃଥିବୀର ଧନୀ ଦେଶମାନେ ଏହି ମୁଖ୍ୟ ତାଲିକାର ଶୀର୍ଷ ଭାଗ ଦଖଲ କରିଥିବା ବେଳେ ଗରିବ ଦେଶମାନେ ତାଲିକାର ପାଦ ଦେଶରେ ପଡ଼ିଥାନ୍ତି। ଯେମିତି ଚଳିତ ବର୍ଷ ପ୍ରକାଶ ପାଇଥିବା ରିପୋର୍ଟରେ ସର୍ବୋଚ୍ଚ ସ୍ଥାନ ଉତ୍ତର ପଶ୍ଚିମ ଇଉରୋପର ଫିନ୍‌ଲ୍ୟାଣ୍ଡକୁ ପ୍ରଦାନ କରାଯାଇଥିବା ବେଳେ ସେଇ ଅଞ୍ଚଳର ଡେନ୍‌ମାର୍କ, ସ୍ବିଡେନ୍‌, ନର୍‌ୱେ, ଆଇସ୍‌ଲାଣ୍ଡ ଭଳି ଦେଶମାନ ତାଲିକାର ପ୍ରଥମ ଦଶଟି ସ୍ଥାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ଅଛନ୍ତି। ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ତାଲିକାର ସବା ତଳେ ୧୩୭ତମ ସ୍ଥାନରେ ଆଫ୍‌ଗାନିସ୍ତାନ୍‌ ଥିବାବେଳେ ସେଇ ନିମ୍ନ ଅଞ୍ଚଳରେ ଦେଖିବାକୁ ମିଳିଥାଏ କଙ୍ଗୋ, ଜିମ୍ବାୱେ, ଦକ୍ଷିଣ ସୁଦାନ ଭଳି ଗରିବ ଦେଶମାନଙ୍କୁ। ଭାରତକୁ ପ୍ରଦାନ କରାଯାଇଛି ଏକ ଅତ୍ୟନ୍ତ ନୀଚା ୧୨୬ତମ ସ୍ଥାନ ଯାହା ପୁଣି ପାକିସ୍ତାନ, ତୁର୍କୀ, ମିଆଁମାର, ବାଂଲାଦେଶ, ଶ୍ରୀଲଙ୍କା ଓ ଏପରିକି ଯୁଦ୍ଧବିଧ୍ବସ୍ତ ୟୁକ୍ରେନ୍‌ଠାରୁ ମଧ୍ୟ ବହୁତ ତଳେ।

ରିପୋର୍ଟର ପ୍ରସ୍ତୁତକର୍ତ୍ତାମାନଙ୍କ ଅନୁସାରେ ଯେଉଁ ସମସ୍ତ ସୂଚକ ଆଧାରରେ ସେମାନେ ଏହି ରିପୋର୍ଟ ପ୍ରସ୍ତୁତ କରିଥାନ୍ତି ସେଥିରେ ଅନ୍ତର୍ଭୁକ୍ତ ଅଛି ମୁଣ୍ଡପିଛା ଆୟ, ସାମାଜିକ ସହାୟତା, ପ୍ରତ୍ୟାଶିତ ଆୟୁଷ, ବଦାନ୍ୟତା, ଦୁର୍ନୀତି ସମ୍ପର୍କରେ ଧାରଣା ଇତ୍ୟାଦି। ଏହା ସ୍ପଷ୍ଟ ଯେ ବ୍ୟକ୍ତିର ଖୁସି ଅବସ୍ଥା ବା ଦୁଃଖୀ ଅବସ୍ଥା ଏହି ସମସ୍ତ ପାର୍ଥିବ ଉପାଦାନମାନଙ୍କ ଉପରେ ନିର୍ଭର କରିଥାଏ ବୋଲି ରିପୋର୍ଟ ପ୍ରସ୍ତୁତକାରୀମାନେ ବିଶ୍ବାସ କରନ୍ତି। ଏଥିରେ ସନ୍ଦେହ ନାହିଁ ଯେ ଏ ସମସ୍ତ ଉପାଦାନ ବ୍ୟକ୍ତି ବା ସମାଜର ମଙ୍ଗଳ ବର୍ଦ୍ଧନରେ ସହାୟକ ହୋଇଥାନ୍ତି; କିନ୍ତୁ ଖୁସି ଅବସ୍ଥା ବା ‘ହାପିନେସ୍‌’ ହେଉଛି ଏକ ଭିନ୍ନ ଧାରଣା। ବର୍ନାଡ୍‌ ଶ’ଙ୍କର ଉପରୋକ୍ତ ନାଟକରେ ସମ୍ପୃକ୍ତ ତିନି ଯୁବା ଚରିତ୍ରଙ୍କ ଠାରେ ପ୍ରାଚୁର୍ଯ୍ୟର ଏଭଳି ସମସ୍ତ ପାର୍ଥିବ ଉପାଦାନମାନ ଭରପୁର ହୋଇଥିଲା, କିନ୍ତୁ ସେମାନଙ୍କର ହତାଶା ଓ ଅସନ୍ତୋଷ ଏପରି ଦୁର୍ବିଷହ ହୋଇ ପଡ଼ିଥିଲା ଯାହା ଦର୍ଶକଙ୍କ ଠାରେ ଗଭୀର ସମବେଦନା ଉଦ୍ରେକ କରିଥାଏ। ଯଦି ସୁଖୀ ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଏ, ସେମାନଙ୍କର ସ୍ଥାନ ହେବ ତାଲିକାର ସବା ତଳେ। ଏହାର ସତ୍ୟତା ପ୍ରମାଣିତ ହୋଇଥାଏ ଏହି ତଥ୍ୟରୁ: ପୃଥିବୀର ସର୍ବାଧିକ ସୁଖୀ ଦେଶ ରୂପେ ତାଲିକାର ଶୀର୍ଷରେ ସ୍ଥାନ ପାଇଥିବା ଫିନ୍‌ଲାଣ୍ଡରେ ଆତ୍ମହତ୍ୟା ହାର ହେଉଛି ପୃଥିବୀରେ ସର୍ବାଧିକ; ତାଲିକାର ପାଦଦେଶରେ ଥିବା ଆଫ୍‌ଗାନିସ୍ତାନରେ ଆତ୍ମହତ୍ୟା ହାର ହେଉଛି ପ୍ରାୟ ସର୍ବନିମ୍ନ। ଏଥିରେ‌ କେହି ଦ୍ବିମତ ହେବେ ନାହିଁ ଯେ ସୁଖୀ ଲୋକମାନେ ଆତ୍ମହତ୍ୟା କରନ୍ତି ନାହିଁ।

ଅାଧ୍ୟାତ୍ମିକ ଭୂମି ଭାରତ ଉପନିଷଦ ଓ ଗୌତମ ବୁଦ୍ଧଙ୍କ ସମୟରୁ ପାର୍ଥିବ ସମ୍ପଦ ଓ ଆନନ୍ଦମୟ ଚିତ୍ତକୁ ଭିନ୍ନ ଭିନ୍ନ କୋଠରିରେ ସ୍ଥାନୀତ କରିବା ଶିଖିଛି। ଆଜିକାଲି ମନୋବୈଜ୍ଞାନିକମାନେ ଯେଉଁ ଅନ୍ତହୀନ କାମନାର ପଶ୍ଚାତ୍‌ଧାବନ ରୂପକ ‌‘ହେଡୋନିକ୍‌ ଟ୍ରେଡ୍‌ମିଲ୍‌’ କଥା କହୁଛନ୍ତି, ତା’ର ମୂଳ ଆବିଷ୍କର୍ତ୍ତା ହେଉଛନ୍ତି ଗୌତମ ବୁଦ୍ଧ। ଟ୍ରେଡ୍‌ମିଲ୍‌ ଉପରେ ଅବିରାମ ଭାବରେ ଚାଲୁଥିବା ଲୋକଟି କେବେ ହେଲେ କୌଣସି ଗନ୍ତବ୍ୟସ୍ଥଳରେ ନ ପହଞ୍ଚିବା ଭଳି ପାର୍ଥିବ ଆନନ୍ଦ ପଛରେ ଧାଉଁଥିବା ଲୋକ କେବେ ହେଲେ ସନ୍ତୋଷ ଲାଭ କରିନଥାଏ। ବିବର୍ତ୍ତନବାଦୀ ମନସ୍ତତ୍ତ୍ବବିତ୍‌ମାନେ ଆବିଷ୍କାର କରିଛନ୍ତି ଯେ ବିବର୍ତ୍ତନର ମୂଳାଧାର ପ୍ରାକୃତିକ ଚୟନର ଲୁକ୍‌କାୟିତ ତାଡ଼ନା ହିଁ ମନୁଷ୍ୟକୁ ଏହି ‘ହେଡୋନିକ୍‌ ଟ୍ରେଡ୍‌ମିଲ୍‌’ ଉପ‌େର ଧାଇଁବାକୁ ବାଧ୍ୟ କରିଥାଏ; ଭାରତୀୟମାନେ ସେଥିରେ ବ୍ୟତିକ୍ରମ ନୁହଁନ୍ତି। କିନ୍ତୁ ଆଧ୍ୟାତ୍ମିକ ସଂସ୍କୃତି ସମୃଦ୍ଧ ଭାରତୀୟମାନେ ସଂସାରର ଏହି ମାୟା ସମ୍ବନ୍ଧରେ ଯେଉଁଭଳି ସଚେତନ ଥାନ୍ତି ବସ୍ତୁବାଦୀ ପାଶ୍ଚାତ୍ୟ ସଂସ୍କୃତିରେ ତାହା ଦେଖାଯାଇନଥାଏ। ‘ହାପିନେସ୍‌ ରିପୋର୍ଟ’ ହେଉଛି ସେଇ ପାଶ୍ଚାତ୍ୟ ସଂସ୍କୃତିର ଏକ ଉତ୍ପାଦନ।

ଭାରତୀୟମାନଙ୍କର ଏହି ଆଧ୍ୟାତ୍ମିକ ସଚେତନତା ସେମାନଙ୍କୁ ସମସ୍ତ ଅଭାବ ଅନାଟନ ମଧ୍ୟରେ ପ୍ରଫୁଲ୍ଲଚିତ୍ତ ରହିବାରେ ସହାୟକ ହୋଇଥାଏ। ଏହା ମଧ୍ୟ ସେମାନଙ୍କୁ ଏକ ସ୍ବାର୍ଥାନ୍ବେଷୀ ବ୍ୟକ୍ତିକୈନ୍ଦ୍ରିକ ଜୀବନ ପରିବର୍ତ୍ତେ ଏକ ସହଭାଗୀ ଗୋଷ୍ଠୀଗତ ଜୀବନଯାପନ କରିବା ପାଇଁ ପ୍ରବୃତ୍ତ କରିଥାଏ। ଉଦାହରଣ ସ୍ବରୂପ ଭାରତରେ ବ୍ୟକ୍ତି ଓ ତା’ର ପରିବାର ଯେଉଁଭଳି ଏକ ଓ ଅଭିନ୍ନ ହୋଇଥାନ୍ତି, ପାଶ୍ଚାତ୍ୟ ସମାଜରେ ତାହା ବିରଳ। ସେଇଥିପାଇଁ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ କହିଛନ୍ତି ‘ହାପିନେସ୍‌ ରିପୋର୍ଟ’ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ପ୍ରଶ୍ନାବଳୀ ଯଦି ବଦଳାଇ ଦିଆଯାଏ, ଯେଉଁଥିରେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ପ୍ରତିଫଳିତ ହେବ (ଯେମିତି- ମାସରେ କେତେଥର ପରିବାରର ସମସ୍ତ ସଦସ୍ୟ ଏକତ୍ର ବସି ଭୋଜନ କର?), ତାହେଲେ ତାଲିକାର ଶୀର୍ଷ ସ୍ଥାନ ‌ଦଖଲ କରିବ ଭାରତ ଏବଂ ତାଲିକାର ପାଦଦେଶରେ ରହିବେ ବର୍ତ୍ତମାନ ଶୀର୍ଷ ସ୍ଥାନରେ ଥିବା ଦେଶମାନେ। ତାଲିକାଟି ସେଇଭଳି ଓଲଟି ଯିବ ଯେଉଁଭଳି ବର୍ନାଡ୍‌ ଶ’ ତାଙ୍କର ନାଟକକୁ ଓଲଟାଇ‌ ଦେଇଥିଲେ।

ସମ୍ବନ୍ଧିତ ଖବର