ଆମେରିକାର ରାଜଧାନୀ ୱାସିଂଟନ ନିକଟରେ ଥିବା ସିଏଟଲରେ ଯେଉଁଠି ସିଲିକନ ଭେଲି ସହରଟି ଅଛି ଓ ପୃଥିବୀର ସର୍ବାଧିକ ପ୍ରତିଷ୍ଠିତ ଆଇ.ଟି. କମ୍ପାନିମାନେ ଅଛନ୍ତି, ସେଠାରେ ଅଳ୍ପ କିଛି ମାସ ତଳେ ସେଠାକାର ସହରର ପୌର ପରିଷଦରେ ଗୋଟିଏ ପ୍ରସ୍ତାବ ଆସିଥିଲା ଜାତିବାଦକୁ ହଟାଇବା ପାଇଁ। ଏହି ପ୍ରସ୍ତାବକୁ ଜଣେ ଭାରତୀୟ ବଂଶୋଦ୍ଭବ କାଉନସିଲର ଆଣିଥିଲେ। ଏହାପରେ ଶୁଣାଗଲା କାନାଡାର ଟରୋଣ୍ଟୋ ସହରର ପୌର ସଭାରେ ଏ ଧରଣର ଏକ ପ୍ରସ୍ତାବ ସେଠାରେ ଥିବା ଭାରତୀୟ ବଂଶୋଦ୍ଭବ ସଦସ୍ୟ ଆଣିଥିଲେ। ଏବେ ଆମେରିକାର ସାନ୍ ଫ୍ରାନ୍ସିସ୍କୋ ସହରର ଭାରତୀୟ ବଂଶୋଦ୍ଭବ ସଦସ୍ୟ ଆଣିଛନ୍ତି। ଏହା ଯେକୌଣସି ଲୋକକୁ ଆଶ୍ଚର୍ଯ୍ୟାନ୍ୱିତ କରିବା ସ୍ୱାଭାବିକ। କାରଣ ଜାତିପ୍ରଥା କେବଳ ଭାରତରେ ଅଛି। ଏହା କେବଳ ହିନ୍ଦୁ ସମାଜ ନିକଟରେ ଅଛି। ପୃଥିବୀର ଅନ୍ୟ କୌଣସି ଧର୍ମରେ ଏହି ଜାତିପ୍ରଥା ନାହିଁ। ଏପରିକି ନେପାଳ ପରି ହିନ୍ଦୁ ରାଷ୍ଟ୍ରରେ ମଧ୍ୟ ଏହି ଜତିପ୍ରଥା ସେତେ ପରିମାଣରେ ଦୃଶ୍ୟ ହୁଏ ନାହିଁ। ତେଣୁ ସାଧାରଣ ଭାବରେ ମନରେ ପ୍ରଶ୍ନ ଉଠେ ଯେ, ଆମେରିକା ପରି ଅଣହିନ୍ଦୁ ବହୁଳ ରାଷ୍ଟ୍ରରେ ଜାତିପ୍ରଥାକୁ ନେଇ ଏ ଧରଣର ପ୍ରଶ୍ନ ଉଠୁଛି କିପରି? କିଛିଟା ଅନୁଶୀଳନ କରି ଦେଖାଯାଉଛି ଯେ, ଆମେରିକା, କାନାଡା ପରି ଦେଶମାନଙ୍କରେ ଅନେକ ହିନ୍ଦୁ ସେଠାକାର ନାଗରିକ ହୋଇ ସେଠାରେ ବସବାସ କରୁଥିବାରୁ ସେଠାକାର ବିଭିନ୍ନ ଟେକ୍ନୋଲୋଜି କମ୍ପାନିମାନଙ୍କରେ ଏପରି ପ୍ରସଂଗ ଉଠୁଛି। ଏଠାରେ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୌର ସଭାମାନଙ୍କରେ ଏ ଧରଣର ପ୍ରସ୍ତାବମାନ ଆସିବା ବେଳେ ସେଠାରେ ଥିବା ଭାରତୀୟ ହିନ୍ଦୁ ସମାଜ ମଧ୍ୟରେ ନାନା ବିତର୍କ ଚାଲୁଛି। ସେଠାରେ ଥିବା ଉଚ୍ଚ ଜାତିର ହିନ୍ଦୁମାନେ ଏ ଧରଣର ପ୍ରସ୍ତାବ ସମଗ୍ର ହିନ୍ଦୁ ସମାଜ ପ୍ରତି ଏକ ଅପମାନ ବୋଲି କହୁଛନ୍ତି।
ସେଠାରେ ଥିବା ଅନ୍ୟ କେତେକ ହିନ୍ଦୁ ଏ ଧରଣର ଜାତିଭେଦ ଦୂରକାରୀ ପ୍ରସ୍ତାବକୁ ସମର୍ଥନ କରି ଅନ୍ୟ ପ୍ରସ୍ତାବମାନ ଗ୍ରହଣ କରୁଛନ୍ତି। ଯେଉଁମାନେ ଏ ଧରଣର ପ୍ରସ୍ତାବ ଆଣୁଛନ୍ତି ସେମାନେ ମୁଖ୍ୟତଃ ହିନ୍ଦୁ ଦଳିତ ସମ୍ପ୍ରଦାୟର। ସେମାନେ ବିଦେଶରେ ରହି ମଧ୍ୟ ଉଚ୍ଚ ଜାତିର ହିନ୍ଦୁମାନଙ୍କଠାରୁ ଅସହିଷ୍ଣୁତା ଓ ଅସମାନତାର ଶିକାର ହେଉଛନ୍ତି ବୋଲି କହୁଛନ୍ତି। ଦେଖାଯାଉଛି ଯେ ସେଠାରେ ଥିବା ଉଚ୍ଚ ଜାତିର ହିନ୍ଦୁମାନେ ସେମାନଙ୍କ ସହ ମିଶୁନାହାନ୍ତି। ସେମାନଙ୍କ ଘରକୁ ଯାଉନାହାନ୍ତି। ସେମାନଙ୍କ ସହ ଏକା ସାଙ୍ଗେ ବସି ଖାଉନାହାନ୍ତି। ସେମାନଙ୍କୁ ଏକ ନିମ୍ନ ଯୋଗ୍ୟତାର ମଣିଷ ବୋଲି ବିଚାର କରୁଛନ୍ତି। ବିଦେଶରେ ଯେଉଁଠି ହିନ୍ଦୁମାନେ ରହୁଛନ୍ତି, ସେଠାରେ ସେମାନଙ୍କର ଜାତିକୁ ନ ଛାଡ଼ି ସେମିତି ରହିଛନ୍ତି। ବିଦେଶୀମାନେ ଏହି ଜାତିପ୍ରଥା କ’ଣ ସେ କଥା ବୁଝି ପାରୁନଥିଲାବେଳେ ଏହା ଯେ ମଣିଷ ମଣିଷ ମଧ୍ୟରେ ଅସମାନତା ସୃଷ୍ଟି କରୁଛି, ସେ କଥା ବୁଝିପାରୁଛନ୍ତି ଓ ଭାରତୀୟ ତଥା ହିନ୍ଦୁ ସମାଜର ଅନେକ ଭଲ ଗୁଣ ଥିବା ସତ୍ତ୍ୱେ ସେମାନଙ୍କୁ ନିନ୍ଦା କରୁଛନ୍ତି।
ଏଠାରେ ଉଲ୍ଲେଖନୀୟ ଯେ, ଜାତିପ୍ରଥା କେବଳ ଭାରତରେ ଅଛି ଓ ହିନ୍ଦୁ ସମାଜ ମଧ୍ୟରେ ଅଛି। ପୃଥିବୀରେ କୌଣସି ଧର୍ମରେ ଅବା ଦେଶରେ ଜାତିପ୍ରଥା ନାହିଁ। ହୁଏତ ପୃଥିବୀର ବିଭିନ୍ନ ଦେଶମାନଙ୍କରେ ବା ଧର୍ମରେ ଶ୍ରେଣୀ ବିଭାଗ ଅଛି ଯେମିତି କି ଉଚ୍ଚନୀଚ, ଧନୀଗରିବ ଇତ୍ୟାଦି। କିନ୍ତୁ ଜାତି ଓ ଶ୍ରେଣୀ ମଧ୍ୟରେ ଫରକ ହେଲା, ଜାତି ହେଉଛି ଜନ୍ମଜାତ। ଅର୍ଥାତ୍, ଜନ୍ମ ହେଲା ମାତ୍ରକେ ଜଣେ ହିନ୍ଦୁ ଗୋଟିଏ ଜାତିର ଛାପ ବହନ କରିଥାଏ ଯାହାକୁ ସେ ମଲା ପର୍ଯ୍ୟନ୍ତ ନିଜ କାନ୍ଧରେ ବୋହିଚାଲିଥାଏ। ତା’ର ଜନ୍ମକାଳ ମଧ୍ୟରେ ଏହି ଜାତିର ଛାପକୁ ସେ କେବେହେଲେ ତା’ କାନ୍ଧରୁ ଓହ୍ଲାଇପାରେ ନାହିଁ। ଅଧିକାଂଶ କ୍ଷେତ୍ରରେ ସେ ତା’ର ଜୀବନକାଳ ମଧ୍ୟରେ କେବଳ ତା’ ଜାତିର ଲୋକମାନଙ୍କ ସାଂଗରେ ସାମାଜିକ ସମ୍ପର୍କ ରଖିଥାଏ।
ଏହି ସାମାଜିକ ସମ୍ପର୍କଟିରୁ ଅନେକ ସମୟରେ ଆର୍ଥିକ ତଥା ଶ୍ରେଣୀଗତ ସମ୍ପର୍କ ସୃଷ୍ଟି ହୋଇଥାଏ। ଅନେକ ସମୟରେ ଭାରତରେ ଦେଖାଯାଇଥାଏ ଯେ, ଗୋଟିଏ ଜାତିର କଲେକ୍ଟର, ସେହି ଜାତିର ପିଅନ ସାଂଗରେ ସେହି ସମ୍ପର୍କ ରଖିଥାଏ। ଏବଂ ଭାରତରେ ମୁଖ୍ୟତଃ ଏହି ଜାତିଭେଦ କାରଣରୁ ଅନେକ କ୍ଷେତ୍ରରେ ସରକାରୀ ଚାକିରି ଦିଆଯାଇଥାଏ, ଯୋଗ୍ୟତା ଯାହା ଥାଉନା କାହିଁକି। କିନ୍ତୁ ଶ୍ରେଣୀ କ୍ଷେତ୍ରରେ କଥା ହେଉଛି ଅଲଗା। ଜଣେ ଜନ୍ମ ବେଳେ ହୁଏତ ଧନୀ ହୋଇପାରେ, କାରଣ ତା’ର ବାପାମା’ ପରିବାର ବର୍ଗ ଧନୀ ହୋଇଥାନ୍ତି। ପୃଥିବୀର ପ୍ରାୟ ସବୁ ଦେଶମାନଙ୍କରେ ଏହି ଶ୍ରେଣୀ ବିଭାଗ ଅତୀତରେ ଥିଲା। ଏବେ ମଧ୍ୟ ରହିଛି। ଗରିବ ଲୋକମାନେ ପରିଶ୍ରମ ବଳରେ, ଭାଗ୍ୟ ବଳରେ, ହଠାତ ଗୋଟିଏ ଶ୍ରେଣୀରୁ ଅନ୍ୟ ଏକ ଶ୍ରେଣୀକୁ ଉନ୍ନୀତ ହୋଇଯାଇଥାନ୍ତି। ପାଶ୍ଚାତ୍ୟ ଓ ଅନ୍ୟ ସବୁ ଦେଶମାନଙ୍କରେ ଏହି ଶ୍ରେଣୀ ବିଭାଗ ଥିବାରୁ ଅନେକ ବ୍ୟକ୍ତି ସେମାନଙ୍କ ଯୋଗ୍ୟତା ବଳରେ ନିଜ ନିଜ ଜୀବନକାଳ ମଧ୍ୟରେ ଗୋଟିଏ ଶ୍ରେଣୀରୁ ଅନ୍ୟ ଏକ ଶ୍ରେଣୀକୁ ଉନ୍ନୀତ ହୋଇଯାଇଥାନ୍ତି।
ହୁଏତ ଭାରତରେ ଗୋଟିଏ ସମୟ ଥିଲା, ଯେତେବେଳେ ଜାତିପ୍ରଥାର ଏକ ଆବଶ୍ୟକତା ଥିଲା। ସେତେବେଳେ ଜାତି ନାମରେ ଲୋକମାନେ ନିଜର ପେସାକୁ ଗ୍ରହଣ କରୁଥିଲେ। ଏବେ ଯେମିତି ଯେ କୌଣସି ବ୍ୟକ୍ତି ଯେ କୌଣସି ପେସାକୁ ଗ୍ରହଣ କରିପାରିବ ଅତୀତରେ ସେପରି ବ୍ୟବସ୍ଥା ନଥିଲା ଏବଂ ହିନ୍ଦୁମାନଙ୍କ ମଧ୍ୟରେ ଏହି ଜାତିପ୍ରଥା ଅତି କଠୋର ଭାବରେ ଥିବା ହେତୁ ଅନେକ ହିନ୍ଦୁ ସେମାନଙ୍କର ଧର୍ମ ଛାଡ଼ି ଇସଲାମ ବା ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ ହୋଇଯାଇଛନ୍ତି। କାରଣ ଭାରତରେ ଯେତେବେଳେ ମୁସଲମାନ ବା ଖ୍ରୀଷ୍ଟିଆନ ଶାସକମାନେ ଥିଲେ, ସେମାନେ ହିନ୍ଦୁ ଓ ବିଶେଷ କରି ନିମ୍ନ ବର୍ଗର ହିନ୍ଦୁମାନଙ୍କୁ ବୁଝାଇ ପାରିଥିଲେ ଯେ, ହିନ୍ଦୁ ସମାଜରେ ରହିଲେ ସେମାନେ ଆଜୀବନ ଅତ୍ୟାଚାରିତ ହୋଇ ସେମିତି ନିମ୍ନ ବର୍ଗରେ ପଡ଼ି ରହିଥିବେ। ସେମାନଙ୍କର ସାମାଜିକ ବିକାଶ କେବେହେଲେ ହେବ ନାହିଁ। ସ୍ୱାଧୀନ ଭାରତରେ ଚାକିରିରେ ଆରକ୍ଷଣ ଯୋଗୁଁ ଗୋଟିଏ ହରିଜନ ପରିବାରର ବ୍ୟକ୍ତିଟିଏ ଆଇଏଏସ୍ ପାଇ କଲେକ୍ଟର ହୋଇଥିଲେ ମଧ୍ୟ ସେ ଯେତେବେଳେ ତା’ର ଗାଁକୁ ଯାଏ ଓ ତା’ ଝିଅର ବାହାଘର କରେ ସେତେବେଳେ ଏଥିପାଇଁ ବ୍ରାହ୍ମଣ ପୁରୋହିତର ଆବଶ୍ୟକତା ପଡ଼ିଥାଏ ଓ ସେ ସମାଜର ରୀତି ଅନୁସାରେ ସମସ୍ତଙ୍କ ସାମ୍ନାରେ ବ୍ରାହ୍ମଣ ପୁରୋହିତର ଗୋଡ଼ ତଳେ ପଡ଼ି ସାଷ୍ଟାଙ୍ଗ ପ୍ରଣିପାତ କରିଥାଏ। ମୁଖ୍ୟତଃ ଏହି କାରଣ ଯୋଗୁଁ ଅତୀତରେ ସମାଜରେ ଅନ୍ୟମାନଙ୍କ ସହ ସମାନ ହେବା ପାଇଁ ଅନେକ ହରିଜନ ଇସଲାମ ଧର୍ମ ଓ ଅନେକ ଆଦିବାସୀ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି।
ଆଫ୍ରିକାର କୃଷ୍ଣକାୟମାନଙ୍କ କ୍ଷେତ୍ରରେ ମଧ୍ୟ ଏହିପରି ସଂକଟ ଅତୀତରେ ସୃଷ୍ଟି ହୋଇଥିଲା। ଯଦିଓ ସେମାନଙ୍କୁ ଖ୍ରୀଷ୍ଟ ଧର୍ମରେ ବିଦେଶୀ ଶାସକମାନେ ଦୀକ୍ଷିତ କରିଥିଲେ, ତଥାପି କୃଷ୍ଣକାୟମାନେ ଶ୍ୱେତାଙ୍ଗ ଲୋକମାନଙ୍କ କ୍ରୀତଦାସ ହୋଇ ମୁଖ୍ୟତଃ ଆମେରିକାରେ କାମ କରୁଥିଲେ। ଏହି କ୍ରୀତଦାସ ପ୍ରଥାକୁ ଦୂରେଇବା ପ୍ରସଙ୍ଗକୁ ନେଇ ଆମେରିକାରେ ଊନବିଂଶ ଶତାବ୍ଦୀରେ ମଧ୍ୟ ଏକ ଗୃହଯୁଦ୍ଧ ହୋଇଥିଲା। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ମଧ୍ୟ ଆମେରିକାରେ ଅନେକଟା ସେହି ପ୍ରକାର ମାନସିକତା ଥିଲା। ଏହି କୃଷ୍ଣାଙ୍ଗମାନଙ୍କୁ ମୁସଲମାନ ସମାଜ ପକ୍ଷରୁ ସେତେବେଳେ ବୁଝାଇ ଦିଆଗଲା ଯେ ସେମାନେ ଇସଲାମ ଧର୍ମ ଗ୍ରହଣ କଲେ ଶ୍ୱେତାଙ୍ଗମାନଙ୍କ ଦ୍ୱାରା ସାମାଜିକ ଅବହେଳା ଓ ଅତ୍ୟାଚାରର ଶରବ୍ୟ ହେବେ ନାହିଁ। ଏଇଥିପାଇଁ କାସିଅସ କ୍ଲେଙ୍କ ପରି ବିଶ୍ୱବିଖ୍ୟାତ ମୁଷ୍ଟିଯୋଦ୍ଧା ଇସଲାମ ଧର୍ମରେ ଦୀକ୍ଷିତ ହୋଇ ତାଙ୍କ ନାମକୁ ମହମ୍ମଦ ଅଲିରେ ପରିଣତ କରିଦେଇଥିଲେ। ତାଙ୍କପରି ଆହୁରି ଅନେକ କୃଷ୍ଣାଙ୍ଗମାନେ ମଧ୍ୟ ଖ୍ରୀଷ୍ଟିଆନ ଧର୍ମ ପରିତ୍ୟାଗ କରି ସେତେବେଳେ ଇସଲାମ ଧର୍ମ ଗ୍ରହଣ କରିଥିଲେ।
ଅବଶ୍ୟ ପରବର୍ତ୍ତୀ କାଳରେ ଯେତେବେଳେ ସାରା ବିଶ୍ୱରେ ଇସଲାମ ଆତଙ୍କବାଦ ସୃଷ୍ଟି ହେଲା ଓ ଅଧିକାଂଶ ଆତଙ୍କବାଦୀ ଇସଲାମ ଧର୍ମରୁ ଆସିଥିଲେ ସେତେବେଳେ ଆଉ କୃଷ୍ଣାଙ୍ଗମାନେ ଇସଲାମ ଧର୍ମ ଗ୍ରହଣ କଲେ ନାହିଁ ଓ ଖ୍ରୀଷ୍ଟ ଧର୍ମରେ ରହିଗଲେ। ସେତେବେଳେ ଖ୍ରୀଷ୍ଟିଆନ ଧର୍ମଗୁରୁମାନେ କୃଷ୍ଣାଙ୍ଗମାନଙ୍କୁ ମର୍ଯ୍ୟାଦା ଦେବା ଆରମ୍ଭ କରିବାରୁ ସେମାନେ ଆଉ ଇସଲାମ ଆଡ଼କୁ ଢଳିଲେ ନାହିଁ। ନ ହେଲେ ପଶ୍ଚିମ ଆଫ୍ରିକାର ଅନେକ ଦେଶର କୃଷ୍ଣାଙ୍ଗମାନେ ଆଜି ମଧ୍ୟ ଇସଲାମ ଧର୍ମରେ ଦୀକ୍ଷିତ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ଭାରତୀୟ ହିନ୍ଦୁଟିଏ ତା’ର ଜାତିକୁ କାନ୍ଧରେ ବୋହି ସାରା ପୃଥିବୀରେ ବୁଲୁଛି କାହିଁକି? ସମାଜରେ ବ୍ୟାପକ ପରିବର୍ତ୍ତନ ହେଉଥିଲା ବେଳେ ତଥା ଜଗତୀକରଣ ଯୁଗରେ ଯେତେବେଳେ ସାରା ପୃଥିବୀ ଗୋଟିଏ ଗାଁରେ ପରିଣତ ହେବାକୁ ଯାଉଛି ଓ ସବୁ ମଣିଷ ଭିତରେ ଯୋଗ୍ୟତା ଓ ଦକ୍ଷତାକୁ ଛାଡ଼ିଦେଲେ ଆଉ କୌଣସି ପ୍ରଭେଦ ରହୁନାହିଁ ସେତେବେଳେ ଜାତିବାଦକୁ ଧରି ରଖିବାର ଆବଶ୍ୟକତା ଅଛି କ’ଣ? ପୁଣି ଭାରତରେ ଶିକ୍ଷିତ ମଣିଷମାନେ ସେହି ଜାତିବାଦକୁ ନିଜ ମୁଣ୍ଡରୁ ବା କାନ୍ଧରୁ ହଟାଇ ଦେଇପାରୁନାହାନ୍ତି କାହିଁକି? ଭାରତର ଶିକ୍ଷିତ ହିନ୍ଦୁମାନେ କାହିଁକି ଏତିକି କଥା ମନେ ରଖୁନାହାନ୍ତି ଯେ ହିନ୍ଦୁ ସମାଜରେ ଅବକ୍ଷୟ ଓ ସଂଖ୍ୟା ହ୍ରାସ ହେବାର ବଡ଼ କାରଣ ହେଲା ଏହି ଜାତିବାଦ। ଆଜି ଯଦି ଭାରତରେ ଅଣ ହିନ୍ଦୁମାନଙ୍କର ସଂଖ୍ୟା ଅନେକ ହୋଇଛି ତାହାର ମୁଖ୍ୟ କାରଣ ଏହି ଜାତିବାଦ ନୁହେଁ କି? ଉଚ୍ଚ ଶିକ୍ଷିତ ହିନ୍ଦୁମାନେ ଗୋଟିଏ ପଟରେ ଭାରତରେ ହିନ୍ଦୁ ସଂଖ୍ୟା ହ୍ରାସ ସମ୍ପର୍କରେ ଅନେକ ସମୟରେ ଚିନ୍ତା ପ୍ରକଟ କରୁଥିଲାବେଳେ କାହିଁକି ଏପରି ଘଟିଲା ଓ ଘଟୁଛି ସେ କଥା କ’ଣ ଚିନ୍ତା କରିପାରୁନାହାନ୍ତି? ପୁଣି ପାଶ୍ଚାତ୍ୟ ରାଷ୍ଟ୍ରର ମଣିଷମାନଙ୍କ ଆଗରେ ସେମାନେ ନିଜର ଯୁଗ ଯୁଗର କୁସଂସ୍କାରକୁ ଛାଡ଼ି ପାରୁନାହାନ୍ତି ବୋଲି ଯେଉଁ ଉଦାହରଣ ଛାଡୁଛନ୍ତି ତାହା କ’ଣ ସେମାନଙ୍କର ଆନ୍ତର୍ଜାତିକ ମର୍ଯ୍ୟାଦାକୁ ବୃଦ୍ଧି କରୁଛି? ଏ ସମ୍ପର୍କରେ ହିନ୍ଦୁ ସମାଜ ମଧ୍ୟରେ ବ୍ୟାପକ ଚିନ୍ତନ ହେବା ଆବଶ୍ୟକ। ବିଶେଷ କରି ଆର୍ଏସ୍ଏସ୍ ପରି ହିନ୍ଦୁବାଦୀ ସଂଗଠନମାନେ ଏ ଦେଶର ଶିକ୍ଷିତ ବର୍ଗ ଜାତିବାଦକୁ କାହିଁକି ମୁଣ୍ଡରେ ମୁଣ୍ଡାଇ ବିଦେଶକୁ ନେଉଛନ୍ତି ଓ ଭାରତର ଅପମାନ ସେଠାରେ କରୁଛନ୍ତି ସେ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ ତଥା ଏହି ବ୍ୟାଧି କେମିତି ଲୋକମାନଙ୍କ ହୃଦୟରୁ ଓହ୍ଲାଇବ ସେ କଥା ମଧ୍ୟ ଚିନ୍ତା କରିବା ଆବଶ୍ୟକ।
ମୋ: ୯୪୩୭୦୨୦୨୯୦