ଅଣୁ ଯୁଦ୍ଧର ଭୟ?

ଏକବି˚ଶ ଶତାବ୍ଦୀର ପ୍ରଥମ ଚଉଠର ସ˚ଜ ବେଳାରେ ଉପନୀତ ହେଲା ବେଳକୁ ଅନ୍ଦାଜ କରିହୁଏ ଯେ ଏହି ଶତାବ୍ଦୀର ଚରିତ୍ରକୁ ବଦଳାଇ ଦେଲା ଭଳି ଘଟି ଯାଇଥିବା କିଛି ମନୁଷ୍ୟକୃତ ଘଟଣାର ଯଦି ଏକ ତାଲିକା ୨୨୦୦ ମସିହାରେ ପ୍ରସ୍ତୁତ କରାଯିବ, ତେବେ ତା’ ମଧୢରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବେଶ୍‌ ପ୍ରା˚ଜଳ ଭାବେ ସ୍ଥାନ ପାଇବ। ଏହାର କାରଣ ଏୟା ନୁହେଁ ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ହେଉଛି ଦୁଇ ଶ୍ବେତାଙ୍ଗ ୟୁରୋପୀୟ ରାଷ୍ଟ୍ରଙ୍କ ମଧୢରେ ଘଟିଥିବା ପ୍ରଥମ ପୂର୍ଣ୍ଣାଙ୍ଗ ସମର; ଏହାର କାରଣ ହେଉଛି ଯେଉଁ ପରମାଣୁ ଯୁଦ୍ଧ ଆଉ କଦାଚିତ୍‌ ସ˚ଘଟିତ ହେବ ନାହିଁ ବୋଲି ଆଶା କରାଯାଉଥିଲା, ତାହା ଅମୂଳକ ସାବ୍ୟସ୍ତ ହେବାର ଦ୍ବାରଦେଶରେ ମାନବ ଜାତି ପହଞ୍ଚି ଯାଇଛି। ଯଦିଓ, ଉପରୋକ୍ତ ଯୁଦ୍ଧର ଛଅ ମାସ ନ ପୂରୁଣୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପରୋକ୍ଷ ଭାବେ ଏକ ସମ୍ଭାବ୍ୟ ଆଣବିକ ଆକ୍ରମଣର ଧମକ ଦେବା ପ୍ରାରମ୍ଭ କରିଥିଲେ, ତାହାକୁ ଏକ ଯୁଦ୍ଧକାଳୀନ ଉଚ୍ଚାଟ ବୋଲି ପ୍ରାୟତଃ ଧରି ନିଆଯାଇଥିଲା। କିନ୍ତୁ ଗଲା ୨୬ ତାରିଖରେ ପଡ଼ୋଶୀ ବେଲାରୁସ ଠାରେ ରୁଷିଆ ଦ୍ବାରା ‘ଟାକ୍‌ଟିକାଲ୍‌’ ଆଣବିକ ଅସ୍ତ୍ରାଗାର ସ୍ଥାପନର ଯୋଜନା ପୁଟିନ ପ୍ରକାଶ କରିବା ପରେ ତାଙ୍କ ଉଚ୍ଚାଟ ଯେ କେବଳ ବାହାସ୍ଫୋଟ ମାତ୍ର ନୁହେଁ, ତାହା ପ୍ରତୀତ ହେଲାଣି। ସୁତରା˚, ଅଚିରେ ଏକ ଆଣବିକ ଯୁଦ୍ଧ ହେବା ନେଇ ଆଶଙ୍କା ଉତ୍ପନ୍ନ ହୋଇଛି।

ତେବେ, ଏହି ସ˚ଦର୍ଭରେ ଆଲୋଚନା ଆରମ୍ଭ ହେବା ପୂର୍ବରୁ ପ୍ରଥମେ ‘ଟାକ୍‌ଟିକାଲ୍‌’ ପରମାଣୁ ଅସ୍ତ୍ରର ଅର୍ଥ କ’ଣ ତାହା ବୁଝିଯିବା ଉଚିତ। ‘ଟାକ୍‌ଟିକାଲ୍‌’ ପରମାଣୁ ଅସ୍ତ୍ର ହେଉଛି ସୀମିତ ମାରକ କ୍ଷମତା ସ˚ପନ୍ନ ଛୋଟ ବୋମା, ଯାହାର ବିଭୀଷିକା ‘ଷ୍ଟ୍ରାଟେଜିକ୍‌’ ପରମାଣୁ ବୋମା (ହିରୋସୀମା ଏବ˚ ନାଗାସାକୀରେ ବ୍ୟବହୃତ ହୋଇଥିବା) ଠାରୁ ଯଥେଷ୍ଟ କମ୍‌। ଏହା ସୁବିଦିତ ଯେ ୧୯୪୫ ମସିହାରେ ହିରୋସୀମା ଓ ନାଗାସାକୀ ପ୍ରତ୍ୟକ୍ଷ କରିଥିବା ପରମାଣୁ ଆକ୍ରମଣର ଅକଳ୍ପନୀୟ ଧ୍ବ˚ସ ଲୀଳା ଦ୍ବାରା ତଟସ୍ଥ ପୃଥିବୀ ଏହାର ପୁନରାବୃତ୍ତିର ସମ୍ଭାବନାକୁ ଶୂନ୍ୟ କରିବା ସକାଶେ ‘ଅଣୁ ଅସ୍ତ୍ର ଅପ୍ରସାର ଚୁକ୍ତି’ ଏବ˚ ପରମାଣୁ ନିରସ୍ତ୍ରୀକରଣ ଚୁକ୍ତି ଭଳି କେତେକ ପ୍ରଭାବଶାଳୀ ଆନ୍ତର୍ଜାତିକ ଚୁକ୍ତିର ଆଶ୍ରୟ ନେଇଥିଲା। କିନ୍ତୁ ଏକ ବିଡ଼ମ୍ବନା ହେଲା, ଗୋଟିଏ ପଟେ ଏଭଳି ବିବେକାନୁମୋଦିତ ଉଦ୍ୟମ ଚାଲିଥିବା ବେଳେ ସମାନ୍ତରାଳ ଭାବେ ଅନେକ ରାଷ୍ଟ୍ର ଆଣବିକ ଅସ୍ତ୍ର ସ˚ପନ୍ନତା ହାସଲ କରି ଚାଲିଥିଲେ ଏବ˚ ଆବଶ୍ୟକ ପଡ଼ିଲେ ଆଣବିକ ଆକ୍ରମଣକୁ ସମ୍ଭବ କରିବା ସକାଶେ ‘ଟାକ୍‌ଟିକାଲ୍‌ ଅସ୍ତ୍ର’ମାନର ବିକାଶ କରିବାକୁ ଲାଗିଥିଲେ। ସୁତରା˚, ଏଭଳି ପ୍ରବୃତ୍ତିଗତ ଯୁଦ୍ଧଖୋରୀ ଏବ˚ ଧୂର୍ତ୍ତ ବୁଦ୍ଧି ପରିପ୍ରେକ୍ଷୀରେ ଏକ ସୀମିତ ପରିସରରେ ହେଲେ ସୁଦ୍ଧା ଆଣବିକ ଯୁଦ୍ଧ ଲାଗି ଯେ କ୍ଷେତ୍ର ପ୍ରସ୍ତୁତ ହୋଇ ଚାଲିଛି ଏହା ହୃଦ୍‌ବୋଧ ହୋଇଥାଏ।

ତେବେ, ଶ˚ସିତ ଘଟଣାରେ ଆମେରିକା ଏବ˚ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଆପତ୍ତି ହେଲା ୧୯୬୮ ମସିହାରୁ ଆରମ୍ଭ ହୋଇ ଏ ଯାବତ୍‌ ବଳବତ୍ତର ଥିବା ଏବ˚ ଅଧିକା˚ଶ ରାଷ୍ଟ୍ର ଦ୍ବାରା ସ୍ବୀକୃତ ‘ଆଣବିକ ଅପ୍ରସାର ଚୁକ୍ତି’ର ଏକ ମୂଳ ସର୍ତ୍ତକୁ ପୁଟିନଙ୍କ ଏହି ନିଷ୍ପତ୍ତି ଉଲ୍ଲ˚ଘନ କରିଛି, ଯାହା କୌଣସି ରାଷ୍ଟ୍ରକୁ ତା’ର ଦେଶର ସୀମା ବାହାରେ ଅର୍ଥାତ୍‌ ବିଦେଶରେ ଆଣବିକ ଅସ୍ତ୍ର ଗଚ୍ଛିତ କରିବାକୁ ବାରଣ କରିଥାଏ। କିନ୍ତୁ, ଏହାର ପ୍ରତ୍ୟୁତ୍ତର ସ୍ବରୂପ ରୁଷିଆ ପକ୍ଷରୁ ଶୁଣିବାକୁ ମିଳିଥାଏ ଯେ ବେଲଜିଅମ, ଜର୍ମାନି, ତୁର୍କୀ, ଗ୍ରୀସ ଏବଂ ଇଟାଲୀ ଭଳି କେତେକ ‘ନାଟୋ’ ଅଧୀନସ୍ଥ ରାଷ୍ଟ୍ରରେ ଆମେରିକୀୟ ‘ଟାକ୍‌ଟିକାଲ୍‌’ ଆଣବିକ ଅସ୍ତ୍ରାଗାରମାନ ମହଜୁଦ ଥିବା ଦୃଷ୍ଟିରୁ ରୁଷିଆ ବିରୋଧରେ ଏଭଳି ଆପତ୍ତି ଅଯୌକ୍ତିକ। ବେଲାରୁସ ରୁଷିଆର ବଶମ୍ବଦ ଏବ˚ ଘନିଷ୍ଠ ହୋଇଥିବାରୁ ସେଠାରେ ଆଣବିକ ଅସ୍ତ୍ରର ଭଣ୍ତାରକୁ ବେଲାରୁସର ପଡ଼ୋଶୀ ତଥା ‘ନାଟୋ’ ଅନ୍ତର୍ଭୁକ୍ତ ଲାଟଭିଆ, ଲିଥୁଆନିଆ ଏବ˚ ପୋଲାଣ୍ତ ଇତ୍ୟାଦି ଯଦିଓ ସେମାନଙ୍କ ପ୍ରତି ସିଧାସଳଖ ବିପଦ ରୂପେ ଦେଖି ଥାଆନ୍ତି, ୟୁକ୍ରେନକୁ ‘ନାଟୋ’ ରାଷ୍ଟ୍ର ସମୂହ ଦ୍ବାରା ଆଧୁନିକତମ ଅସ୍ତ୍ରଶସ୍ତ୍ର ଯୋଗାଣକୁ ମଧୢ ରୁଷିଆ ନିଜ ଲାଗି ଉଦ୍‌ବେଗର କାରଣ ରୂପେ ଦେଖିଥାଏ, ଯାହା ପୁଟିନଙ୍କ ମନର ସେହି ପୁରୁଣା ଭୟକୁ ଘନୀଭୂତ କରିବାରେ ଲାଗିଛି ଯେ ରୁଷିଆ ଅତିକ୍ରମଣ କରିବାର ସୁଯୋଗକୁ ଉଣ୍ତି ରହିଥିବା ‘ନାଟୋ’ ସେନା ଏହି ବାଟେ ତା’ର ମନସାଧ ମେଣ୍ଟାଇବ।

ଏହି କ୍ରମରେ ୟୁକ୍ରେନକୁ ୟୁ.କେ. ଦ୍ବାରା ଯୋଗାଇ ଦିଆଯାଉଥିବା ଏକ ଅତ୍ୟନ୍ତ ସମର୍ଥ ଟ୍ୟାଙ୍କ ବିଧ୍ବ˚ସୀ ଗୋଳା ସ˚ପର୍କରେ ପୁଟିନ ନିର୍ଦ୍ଦିଷ୍ଟ ଭାବେ ଇଙ୍ଗିତ କରିଛନ୍ତି, ଯାହାର ପ୍ରସ୍ତୁତିରେ ଦୁର୍ବଳ ୟୁରାନିୟମର ବ୍ୟବହାର କରାଯାଇଛି ଏବ˚ ଯାହାକୁ ଏକ ଆଣବିକ ଅସ୍ତ୍ର (ୟୁରାନିୟମ ଥିବାରୁ) ରୂପେ ସେ ଅଭିହିତ କରିଛନ୍ତି। ସୁତରା˚, ତାଙ୍କ ଦ୍ବାରା ନିଆଯାଇଥିବା ବେଲାରୁସ ପଦକ୍ଷେପ ଏହି ଭୟରୁ ସୃଷ୍ଟ ବୋଲି ଅନେକ ବିଶେଷଜ୍ଞ କହିଥାଆନ୍ତି।
ଏହା ସତ ଯେ ଯୁକ୍ତରାଷ୍ଟ୍ର ଆମେରିକା ବା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କେବେ ହେଲେ ସୁଦ୍ଧା ଆଣବିକ ଆକ୍ରମଣର ସାମାନ୍ୟତମ ଇଙ୍ଗିତ ବହନକାରୀ ଭାଷା ବ୍ୟବହାର କରି ନ ଥାଆନ୍ତି। କିନ୍ତୁ, ପୁଟିନ ବାରମ୍ବାର ସେଭଳି କରି ଚାଲିଛନ୍ତି। ଏହା ଅବଶ୍ୟ ସତ ଯେ ‘ଟାକ୍‌ଟିକାଲ୍‌’ ଆଣବିକ କ୍ଷେପଣାସ୍ତ୍ରଗୁଡ଼ିକର ଦୂରତା ଅତିକ୍ରମୀ ସାମର୍ଥ୍ୟ ଅତ୍ୟନ୍ତ ସୀମିତ, ଯାହା ପ୍ରାୟତଃ ମାତ୍ର ପାଞ୍ଚ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ। ସୁତରା˚, ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ଏଭଳି ଅସ୍ତ୍ରର ବ୍ୟବହାର ଦ୍ବାରା ତୃତୀୟ ବିଶ୍ବଯୁଦ୍ଧ ସୃଷ୍ଟି ହେବାର ଆଶଙ୍କା ମଧୢ ନଗଣ୍ୟ।

ସେମାନେ କହିଥାଆନ୍ତି ଯେ ଏଭଳି ସ୍ଥଳେ ଏକ ବଡ଼ ଧରଣର ଆକ୍ରମଣ-ପ୍ରତ୍ୟାକ୍ରମଣର ସ୍ଥିତି ଉତ୍ପନ୍ନ ହେବା ପୂର୍ବରୁ ବିବେକ ଉଦୟ ହୋଇ ଏହାକୁ ରୋକିବ। କିନ୍ତୁ ଏହା ମଧୢ ସତ ଯେ ଅହ˚କାର, ଭୟ ଏବ˚ ଜିଦି ମନୁଷ୍ୟକୁ ଏକ ବିଚାରଶୂନ୍ୟ ଅନ୍ଧରେ ପରିଣତ କରି ପକାଏ, ଯେଉଁ କ୍ଷେତ୍ରରେ ‘ଟାକ୍‌ଟିିକାଲ୍‌’ ଆକ୍ରମଣ ଅବଲୀଳା କ୍ରମେ ଦାରୁଣ ବିଭୀଷିକା ସୃଷ୍ଟିକାରୀ ‘ଷ୍ଟ୍ରାଟେଜିକ୍‌’ ଆକ୍ରମଣକୁ ଉସୁକାଇପାରେ, ପିଲାଙ୍କ କଳହରୁ ଦଙ୍ଗା ସୃଷ୍ଟି ଭଳି! ଏଭଳି ସ୍ଥିତିରେ ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା ମଧୢ ବାସ୍ତବ ଭଳି ଲାଗିଥାଏ। ପାଶୋରିଗଲେ ହେବ ନାହିଁ ଯେ ପୃଥିବୀର ସାଢ଼େ ସାତ ଶହ କୋଟି ମାନବ ଜୀବନକୁ କଲବଲ କରିବା ସକାଶେ ମୁଷ୍ଟିମେୟ ଦୁଇ ଚାରି ଜଣ ମନୁଷ୍ୟଙ୍କ ବୁଦ୍ଧି ଭ୍ରଷ୍ଟ ହେବା ଯଥେଷ୍ଟ, ଯେଉଁମାନଙ୍କୁ ବିଶ୍ବ ନେତା ବୋଲି ସ˚ବୋଧିତ କରାଯାଇଥାଏ! ଏବ˚ ଇତିହାସ ପୃଷ୍ଠାରେ ବାରମ୍ବାର ପ୍ରମାଣିତ ହୋଇ ଆସିଛି ଯେ ଏଭଳି ବ୍ୟକ୍ତିମାନେ ଯେ କୌଣସି ସାଧାରଣ ମନୁଷ୍ୟ ଭଳି ଦୋଷ-ଗୁଣରେ ଭରା; କିନ୍ତୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ହୋଇଥିବା ହେତୁ ଏହିମାନେ ନିଜ ଅହ˚କାର, ଏକଦେଶଦର୍ଶିତା, ଅବିମୃଶ୍ୟକାରିତା ଏବ˚ ସ୍ବାର୍ଥ ଲାଗି ରାଷ୍ଟ୍ର ଓ ଜାତୀୟତା ଆଳରେ ବିଭୀଷିକା ସୃଷ୍ଟି କରି ପାରନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ପ୍ରମୁଖ ଉପଦେଷ୍ଟା ଓଲେକ୍‌ସି ଆରିଷ୍ଟୋଭିଚଙ୍କ ମତରେ ଯୁଦ୍ଧରେ ପରାସ୍ତ ହେବାର ଭୟ ପୁଟିନଙ୍କୁ ଏଭଳି ଏକ ପଦକ୍ଷେପ ନେବାକୁ ବାଧୢ କରିଛି। ଅନେକ ମଧୢ ତାଙ୍କ ସହିତ ଏକମତ। ସୁତରା˚, ଏହାର ଅର୍ଥ ହେଲା ଏୟା ଯେ ପୁଟିନ ନାମକ ଜଣେ ବ୍ୟକ୍ତିଙ୍କ ମନରେ ସୃଷ୍ଟ ଅସୁରକ୍ଷାର ଭାବନା ଓ ଅହଂକାର ଏହି ସୁନ୍ଦର ପୃଥିବୀକୁ ଏକ ଅଣୁ ଯୁଦ୍ଧର ଘନଘଟା ମଧୢକୁ ନିକ୍ଷେପିତ କରି ଦେଇପାରେ!

ସମ୍ବନ୍ଧିତ ଖବର