ରାହୁଳଙ୍କ ସଦସ୍ୟତା ରଦ୍ଦକୁ ନେଇ ଦଶ ପ୍ରଶ୍ନ

ଯୋଗେନ୍ଦ୍ର ଯାଦବ

ଆପଣ ତିଳକୁ ତାଳ କାହିଁକି କରୁଛନ୍ତି? କଥାଟି ଅତି ସରଳ। ରାହୁଳ ଗାନ୍ଧୀ କାହାକୁ ଅପମାନିତ କଲେ, ସେ ମକଦ୍ଦମା ଠୁଙ୍କିଦେଲେ। ବିଚାରପତି ରାହୁଳଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ଦୁଇ ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ। ଏପରି ଦଣ୍ଡ ମିଳିଲେ ସଂସଦର ସଦସ୍ୟତା ରଦ୍ଦ ହୋଇ ଯାଇଥାଏ, ତେଣୁ ତାହା ହେଲା। ଏଥିରେ ମୋଦୀ ସରକାରଙ୍କୁ ଦୋଷ ଦେବାର କାରଣ କ’ଣ? ଆଦାନୀ ସହ ଏ ପ୍ରସଙ୍ଗର କି ସମ୍ପର୍କ? ଆପଣମାନେ କୌଣସି କାରଣ ନଥାଇ ସବୁ କଥାରେ ଷଡ୍‌ଯନ୍ତ୍ର ଖୋଜୁଛନ୍ତି କାହିଁକି?

ଉଦ୍ୟାନରେ ବୁଲୁଥିବା ବେଳେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ମୋତେ ଏପରି ପ୍ରଶ୍ନ କରିଥିଲେ। ସେ ସିଧାସାଦା ଲାଗୁଥିଲେ, କୌଣସି ଦଳର କାର୍ଯ୍ୟକର୍ତ୍ତା କି ସମର୍ଥକ ନଥିଲେ। ପ୍ରଶ୍ନ ବି ସାଦାସିଧା ଥିଲା, ରହିବା କଥା ବି। ମୋର ଉତ୍ତର ଥିଲା ଏହିପରି- ଆପଣଙ୍କର ଏଇ କଥାରେ ମୁଁ ସହମତ ଯେ ଆମେ ଅଯଥାରେ ଷଡ୍‌ଯନ୍ତ୍ର ଖୋଜିବାରେ ଲାଗିପଡ଼ିବା ଅନୁଚିତ। ରାଜନୀତିରେ ଏହା ଏକ ରୋଗ ହୋଇଯାଇଛି କି, ପ୍ରତ୍ୟେକ ଛୋଟବଡ଼ କଥାରେ ଗଭୀର ଷଡ୍‌ଯନ୍ତ୍ର ଥିବାର ଅଭିଯୋଗ ଉଠୁଛି। ସେଥିରୁ ମୁକୁଳିବା ଦରକାର, ମାତ୍ର ସଂସଦରୁ ରାହୁଳ ଗାନ୍ଧୀଙ୍କ ନିଲମ୍ବନ ମାମଲାରେ ଏଭଳି ଦଶଟି ବିଚିତ୍ର କଥା ରହିଛି ଯାହା ଏକ ଗଭୀର ଖେଳ ଆଡ଼କୁ ଇଙ୍ଗିତ କରୁଛି।
ପ୍ରଥମ ବିଚିତ୍ର କଥାଟି ହେଲା, କର୍ଣ୍ଣାଟକର କୋଲାର ଠାରେ ରାହୁଳ ଭାଷଣ ଦେଇଥିଲେ, କିନ୍ତୁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର ହେଲା ଗୁଜରାଟର ସୁରଟ ସହରରେ। ଆପଣ କହିପାରନ୍ତି କି ମକଦ୍ଦମା କରୁଥିବା ବ୍ୟକ୍ତି କେଉଁଠି ତାହା ଦାୟର କରିବେ, ତାହା ତାଙ୍କର ଇଚ୍ଛା। ମାତ୍ର ଏଠାରେ ସ୍ମରଣଯୋଗ୍ୟ, ମକଦ୍ଦମା କରିଥିବା ବ୍ୟକ୍ତି ସାଧାରଣ ନାଗରିକ ନଥିଲେ, ବରଂ ସେ ଥିଲେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ। ଏହା ପଛରେ କିଛି ସଙ୍କେତ ରହିଥିବ ବୋଲି ଆପଣଙ୍କର କ’ଣ ହୃଦ୍‌ବୋଧ ହେଉନାହିଁ?

ଦ୍ବିତୀୟ ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ମାମଲାର ଶୁଣାଣି ଆରମ୍ଭ ହେଲା, ସେତେବେଳେ ବିଚାରପତି କାପାଡ଼ିଆ ପ୍ରତିଟି ଶୁଣାଣି ବେଳେ ରାହୁଳ ଗାନ୍ଧୀଙ୍କୁ ହାଜର ହେବା ଲାଗି ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ। ତେଣୁ ଅଭିଯୋଗକାରୀ ହାଇକୋର୍ଟ ଯାଇ ନିଜର ମାମଲା ସ୍ଥଗିତ ରଖିଥିଲେ। ସାଧାରଣତଃ ଅଭିଯୁକ୍ତ ହିଁ ମାମଲାକୁ ଟାଳିଦେବା ପାଇଁ ବା ବନ୍ଦ କରିବା ପାଇଁ ପ୍ରୟାସ କରିଥା’ନ୍ତି, ମାତ୍ର ଅଭିଯୋଗକାରୀ କେବେ ଏପରି କରିନଥା’ନ୍ତି। ତେଣୁ ସଂପୃକ୍ତ ବିଚାରପତିଙ୍କ ବଦଳିକୁ ଅପେକ୍ଷା କରିବା ଲାଗି ଏହା ପଛରେ କିଛି ଉଦ୍ଦେଶ୍ୟ ରହିଥିବ ବୋଲି ଆପଣ ଭାବୁନାହାନ୍ତି କି?

ତୃତୀୟ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି, ଆଦାନୀ ମାମଲାରେ ରାହୁଳ ଗାନ୍ଧୀଙ୍କ ଭାଷଣର ସପ୍ତାହକ ମଧ୍ୟରେ ହଠାତ୍‌ ଜଣେ ବିଜେପି ବିଧାୟକ ବର୍ଷେ ହେଲା ଶୀତଳ ଭଣ୍ଡାରରେ ପଡ଼ିଥିବା ମାମଲାକୁ ପୁନର୍ଜୀବିତ କରିବା ଲାଗି ପଦକ୍ଷେପ ନେଇଥିଲେ। ଏହା ପଛରେ କ’ଣ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା?

ଚତୁର୍ଥ ବିଚିତ୍ରତାଟି ଦେଖନ୍ତୁ, ଅଭିଯୋଗକାରୀ ଯେବେ ନିଜ ମକଦ୍ଦମା ସ୍ଥଗିତ ରଖିବାକୁ ଚାହିଁଲେ ଅଦାଲତ ତାହା କରିଦେଲେ ଏବଂ ପୁନର୍ବାର ସେ ଯେବେ ଚାଲୁ କରିବାକୁ ଚାହିଲେ, ଅଦାଲତ ମଧ୍ୟ ତାହା ଆରମ୍ଭ କଲେ। ସାଧାରଣ ମାମଲାରେ ହାଇକୋର୍ଟ ଏତେ ଉଦାର ହୋଇଥାନ୍ତି କି?

ପଞ୍ଚମ ଅଦ୍ଭୁତ ଘଟଣାଟି ବିଚାରପତି ହନାମୁଖଭାଇ ବର୍ମାଙ୍କ ସହ ଜଡ଼ିତ। ମାମଲାର ଶୁଣାଣି ପୁନର୍ବାର ଆରମ୍ଭ ହେଲା ବେଳକୁ ବିଚାରପତି ବଦଳି ଯାଇଛନ୍ତି ଏବଂ ଗତ ଛଅ ମାସ ଭିତରେ ବର୍ମା ସାହେବଙ୍କୁ ଦୁଇଟି ପଦୋନ୍ନତି ମିଳିଛି। ଏଥିରେ କିଛି ଗଡ଼ବଡ଼ ଥିବା ଆପଣଙ୍କ ନଜରରେ ଆସୁନାହିଁ କି?

ଏବେ ଷଷ୍ଠ ଅଜବ କଥାଟି ଦେଖନ୍ତୁ। ମାମଲା ପୁଣିଥରେ ଚାଲୁ ହେବାର ମାସକ ଭିତରେ ସମସ୍ତ ଶୁଣାଣି ସରିଗଲା ଏବଂ ରାୟ ବି ଶୁଣାଇ ଦିଆଗଲା। ଆମ ଦେଶର ଅଦାଲତ ଅନ୍ୟ କୌଣସି ମାମଲାରେ ଏମିତି ଏତେ ଶୀଘ୍ର ଶୁଣାଣି କରିଛନ୍ତି କି? ନା କୌଣସି ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ରାୟ ଶୁଣାଇବା ଜରୁରୀ ଥିଲା?

ଶୀଘ୍ର ନିଷ୍ପତ୍ତି ଆସିଗଲା, ସେ କଥା ଛାଡ଼ନ୍ତୁ। କିନ୍ତୁ ରାୟ ଯାହା ଆସିଲା, ତାହା ସହ ଜଡ଼ିତ ସପ୍ତମ ଅଦ୍ଭୁତ କଥାଟି ଦେଖନ୍ତୁ। କିଛି ଠକଙ୍କ ନାମ ନେଇ ରାହୁଳ ଗାନ୍ଧୀ ପଚାରିଥିଲେ କି ସବୁ ଚୋରଙ୍କର ନାମ ମୋଦୀ କାହିଁକି? ମାତ୍ର ସେ ଏ କଥା କହିନଥିଲେ କି, ଯାହାର ନାମ ମୋଦୀ, ସେ ଚୋର କାହିଁକି। ତେବେ ଯାହା ହେଉ, ସୁପ୍ରିମ୍‌ କୋର୍ଟ ଏହା ସ୍ପଷ୍ଟ କରିଛନ୍ତି କି, ଯେ ପର୍ଯ୍ୟନ୍ତ ଆପଣଙ୍କୁ ସିଧାସଳଖ ଇଙ୍ଗିତ କରାଯାଇନାହିଁ ସେ ଯାଏ କୌଣସି ଗୋଷ୍ଠୀ ବା ସମୁଦାୟର ଅପମାନ ଦ୍ବାରା ଆପଣଙ୍କୁ ଅପମାନ କରାଯାଇଛି ବୋଲି ଆପଣ ଦାବି କରିପାରିବେ ନାହିଁ। ରାହୁଳ ଗାନ୍ଧୀ ତ ପୂର୍ଣ୍ଣେଶ ମୋଦୀଙ୍କ ନାମ ନେଇନାହାନ୍ତି କି ତାଙ୍କ ପ୍ରତି କୌଣସି ଇଙ୍ଗିତ କରିନାହାନ୍ତି। ଏଭଳି ପରିସ୍ଥିତିରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ତାଙ୍କୁ କିପରି ଦୋଷୀ ସାବ୍ୟସ୍ତ କରାଯାଇପାରିବ?

ସେହିପରି ଅଷ୍ଟମ ବିଚିତ୍ର କଥାଟି ଦଣ୍ଡାଦେଶ ହୋଇଥିବା କାରାବାସ ଅବଧି ସହ ଜଡ଼ିତ। ଦେଶର ବରିଷ୍ଠ ଓକିଲମାନଙ୍କ ଭିତରୁ କେହି ବି କହିପାରିଲେ ନାହିଁ କି ମାନହାନି ମାମଲାରେ ପୂର୍ବରୁ କୌଣସି ଦୋଷୀକୁ ଦୁଇ ବର୍ଷ ଯାଏ ଜେଲ୍‌ ଦଣ୍ଡ ମିଳିଛି। କେବଳ ରାହୁଳ ଗାନ୍ଧୀଙ୍କୁ କାହିଁକି ଏହି ସର୍ବାଧିକ ସମ୍ଭାବ୍ୟ ଅପ୍ରତ୍ୟାଶିତ କଠୋର ଦଣ୍ଡାଦେଶ କରାଗଲା? ଏହା କ’ଣ ସଂଯୋଗମାତ୍ର ଯେ ଦୁଇ ବର୍ଷର କାରାଦଣ୍ଡ ବିନା କୌଣସି ସାଂସଦଙ୍କୁ ଅଯୋଗ୍ୟ ଘୋଷିତ କରାଯାଇପାରିବ ନାହିଁ?

ନବମ କଥାଟି ହେଉଛି, ସୁରଟ ବିଚାରପତିଙ୍କ ରାୟର ୨୪ ଘଣ୍ଟା ଭିତରେ ଲୋକସଭାରେ ରାହୁଳ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ବିଜ୍ଞପ୍ତି ଜାରି କରାଯିବା। ଆଜି ପର୍ଯ୍ୟନ୍ତ ଏହି ସବୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତି କମ୍‌ରେ ଏକ ମାସ ସମୟ ଲାଗିଛି। ଏଥର ସବୁକିଛି ବିଜୁଳି ଗତିରେ ହେଲା କାହିଁକି? ବ୍ୟଗ୍ରତାର କାରଣ ଏହା ନୁହେଁ ତ, କାଳେ ରାହୁଳ ଗାନ୍ଧୀ ଏହି ନିଷ୍ପତ୍ତି ବିରୋଧରେ ଉଚ୍ଚ ଅଦାଲତର ଆଶ୍ରୟ ନେଇ ଏଥିରେ ରହିତାଦେଶ ଲଗାଇଦେବେ? ଅର୍ଥାତ୍‌ ଏ ବାବଦରେ ଆଗରୁ କେହି କିଛି ଯୋଜନା କରି ରଖିନଥିଲେ ତ?

ଦଶମ ପ୍ରଶ୍ନଟି ସମ୍ବିଧାନ ସହ ଜଡ଼ିତ, କାରଣ ସମ୍ବିଧାନର ଧାରା ୧୦୩ ଅନୁଯାୟୀ, କୌଣସି ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିଥାଏ। ମାତ୍ର ଏ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ମତ କାହିଁକି ନିଆଯାଇନଥିଲା? ଏଥିପାଇଁ ନୁହେଁ ତ, ଯେ ରାଷ୍ଟ୍ରପତି ତାଙ୍କ ମତାମତ ରଖିବା ପାଇଁ ନିର୍ବାଚନ ଆୟୋଗଙ୍କ ମତାମତ ନେବାକୁ ପଡ଼ନ୍ତା ଏବଂ ରାହୁଳ ଗାନ୍ଧୀଙ୍କ ବହିଷ୍କାର ବିଳମ୍ବିତ ହୋଇଯାଇଥାନ୍ତା?
ମୋର ସବୁ ପ୍ରଶ୍ନ ଶୁଣି ସାରି ବୟୋଜ୍ୟେଷ୍ଠ ଭାଇ ଜଣକ କେବଳ ହଁ ମାରି ଚୁପ୍‌ ହୋଇଗଲେ। ଏବେ ଆପଣମାନେ କୁହନ୍ତୁ କି ଏହା କ’ଣ ଏକ ସାମାନ୍ୟ ନ୍ୟାୟିକ ପ୍ରକ୍ରିୟା ଥିଲା? ରାହୁଳ ଗାନ୍ଧୀଙ୍କୁ ସଂସଦରେ କିଛି କହିବାକୁ ଦିଆନଯିବା ଲାଗି କେହି ଯୋଜନା କରିଥିଲେ କି? ସେ ଆଦାନୀଙ୍କ ବିରୋଧରେ କହିବା ସହିତ ଏହାର କୌଣସି ସମ୍ପର୍କ ନଥିଲା ତ? ଆପଣ ପାଠକମାନେ ହିଁ ଏହାର ବିଚାର କରନ୍ତୁ।

ସମ୍ବନ୍ଧିତ ଖବର