ସବୁଠାରୁ ପ୍ରିୟ ଜାତି

ବହୁବଚନ - ବିଜୟ ନାୟକ

ଚିଲିକା କଙ୍କଡ଼ା ଉପାଖ୍ୟାନ ଆମ୍ଭେମାନେ ଆକୈଶୋର ଶୁଣି ଆସୁଛନ୍ତି। ପିଲାବେଳେ ଆମ୍ଭଙ୍କୁ କୁହାଯାଇଛି ଯେ ଓଡ଼ିଆମାନେ ପରସ୍ପରର ଗୋଡ଼ ଟାଣିବାରେ ଦେଶରେ ପ୍ରଥମ। ଯେମିତି ଭାରତର ଅନ୍ୟଜାତିର ଲୋକମାନେ ଈର୍ଷା, ଅସୂୟାର ଊର୍ଦ୍ଧ୍ୱରେ! ମଣିଷ ତ ଈର୍ଷା, ଅସୂୟାର ଏକ ନିଗଡ଼ ଗଡ଼। ଭାରତର ଅନ୍ୟ ଅନେକ ଜାତିର ଲୋକମାନେ ସ୍ୱଗୋତ୍ର ଦ୍ରୋହରେ ଅଗ୍ରଣୀ। ଆମ୍ଭେମାନେ ନିଜ ଗୋଡ଼ରେ କୁରାଢ଼ି ମାରୁଥିବା କେତେଦିନ?
ସମାଲୋଚନା, କଟାକ୍ଷ ଓ ଶ୍ଳେଷ ମାଧ୍ୟମରେ ଗୋଟେ ଜାତିକୁ ଅବଶ୍ୟ ଗଢ଼ାଯାଏ। ନିଜ ଖୁଣ ଜାଣିଲେ ସିନା ଗୋଟେ ଜାତି ସେସବୁକୁ ପରିହାର କରି ଗୁଣ ଖୋଜିବ! ସୁତରାଂ ଅନେକ ମନୀଷୀ ନିଜ ଜାତି ସମ୍ପର୍କରେ କଠୋର ମତ ଓ ମନ୍ତବ୍ୟ ପ୍ରଦାନ କରିଥା’ନ୍ତି। କବିଗୁରୁ ରବୀନ୍ଦ୍ରନାଥଙ୍କ ଏକ କବିତାର ପଙ୍‌କ୍ତି ଏହିପରି: “ସାତ କୋଟି ସନ୍ତାନେରେ, ହେ ମୁଗ୍ଧ ଜନନୀ, ରେଖେଛ ବାଂଗାଲି କରେ, ମାନୁଷ କର ନି।” ସେମିତି ଏକ କବିତା ମଧ୍ୟ ଲେଖିଛନ୍ତି ଭକ୍ତମଧୁ। ତାଙ୍କ କବିତାରେ ରହିଛି ଓଡ଼ିଆମାନଙ୍କ ପ୍ରତି ପ୍ରଚଣ୍ଡ ଆକ୍ଷେପ : “କୋଟିଏ ସନ୍ତାନ ମା’ ଗୋ ଧରିଅଛୁ କୋଳେ, ଗୋଟିଏ ମନୁଷ୍ୟ କିନ୍ତୁ ନ ଦେଖିଲି ଡୋଳେ।” ସ୍ୱଜାତିକୁ ସଚେତନ କରିବା ପାଇଁ ଏମନ୍ତ ଉଚ୍ଚାରଣ ଗୋଟେ ଗୋଟେ ଅବଧାନୀ ଛାଟ ନିଶ୍ଚୟ।

କିନ୍ତୁ ନିଜ ଜାତିର ସୁଗୁଣକୁ ବିସ୍ମରି ଦେଇ କେବଳ ଦୁର୍ଗୁଣ ବଖାଣ ଏକ ମାରାତ୍ମକ ଅଭ୍ୟାସ। ଏହି ମାରାତ୍ମକ ଅଭ୍ୟାସରେ ଓଡ଼ିଆମାନେ ଅଗ୍ରଗଣ୍ୟ। ବିଦେଶୀମାନେ ଓଡ଼ିଆମାନଙ୍କୁ ମୂଢ଼ ଓ ଭୟାଳୁ ବୋଲି କହିଛନ୍ତି। ଏହା ଅବଶ୍ୟ ମଧ୍ୟଯୁଗର କଥା। ପ୍ରାଚୀନ କାଳରେ କଳିଙ୍ଗବାସୀ ଭାରି ସାହସୀ ବୋଲି କୁହାଯାଉଥିଲା। କାହିଁ କେତେ କାଳ ତଳେ ଓଡ଼ିଆମାନେ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଓ ସିଂହଳ ଦ୍ୱୀପରେ ବାଣିଜ୍ୟ ବ୍ୟବସାୟ କରୁଥିଲେ, ଦକ୍ଷିଣ ଏସିଆର ବିଭିନ୍ନ ଅଞ୍ଚଳରେ ଉପନିବେଶ ସ୍ଥାପନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ପୁଷ୍ପଗିରିରେ। ପୁଣି ଅକର୍ମଶିଳାରେ ଆଙ୍କିଥିଲେ ସୌନ୍ଦର୍ଯ୍ୟର ଶତଦଳ ତ ପୋଥିରେ ବୁହାଇଥିଲେ ଜୀବନର ଅନନ୍ତ ନିର୍ଝର। ତେବେ ବହୁଧା ବିଭକ୍ତ ଏକ ଜାତି ପଡ଼ୋଶୀମାନଙ୍କ ପରିହାସ ଓ ବିଦେଶୀମାନଙ୍କ ଲାଞ୍ଛନା ସହ୍ୟ କରି କରି ‘ଭୀରୁ’ ପାଲଟି ଯାଇଥିବା ଅସମ୍ଭବ ନୁହେଁ। ଓଡ଼ିଆ ଜାତି ଏକ ଉଦ୍ଦୀପନା-ରହିତ, ଭାଗ୍ୟବାଦୀ ଜାତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଘନଘନ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେବା ପରେ ଏବଂ ପ୍ରକୃତିର ଅନିୟମିତତାକୁ ଦୃଷ୍ଟିରେ ରଖି ଓଡ଼ିଆମାନେ ଭାଗ୍ୟବାଦୀ ହେବାରେ ଅସ୍ୱାଭାବିକତା ରହିଲା କେଉଁଠି? ବ୍ରିଟିଶ ଅମଳରେ ଓଡ଼ିଶା ଥିଲା ଦୀପତଳ ଅନ୍ଧାରୀ ମୁଲକ। ଅଶିକ୍ଷା ମୂଢ଼ତାକୁ ଜନ୍ମ ଦିଏ। କିଛି ଓଡ଼ିଆ ସେ କାଳରେ ମୂଢ଼ ଥାଇପାରନ୍ତି କିନ୍ତୁ ସମସ୍ତେ ମୂଢ଼ ନ ଥିଲେ କଦାପି। ଓଡ଼ିଆମାନେ କେବଳ ନୁହନ୍ତି, ଅନ୍ୟ ଶିକ୍ଷିତ ଜାତିର ଅଶିକ୍ଷିତ ଲୋକମାନେ ମୂଢ଼ ଥିବା ବ୍ରିଟିଶ ଅଧିକାରୀମାନଙ୍କ ଅନେକ ଦସ୍ତାବିଜରେ ଦର୍ଶାଯାଇଛି। ବରଂ ଓଡ଼ିଶାର ସାକ୍ଷରତା ହାର ଥିଲା ଅଧିକ। ଘରେ ଘରେ ଭାଗବତ ପାଠର ତାହା ଥିଲା ଫଳଶ୍ରୁତି। ତାହା ଥିଲା ପୁଣି ସେ କାଳର ମାଟିବଂଶ ଅବଧାନମାନଙ୍କ ଗଣିତ ଶିକ୍ଷାର କରାମତି।

୧୮୧୭ ମସିହାର ପାଇକ ବିଦ୍ରୋହ ଭାରତର ସର୍ବପ୍ରଥମ ସଂଗଠିତ ବ୍ରିଟିଶ ବିରୋଧୀ ଆନ୍ଦୋଳନ। କିନ୍ତୁ ଏହା ପରେ ଅନେକ ଦିନ ପର୍ଯ୍ୟନ୍ତ ସଂଗ୍ରାମର ସ୍ୱର ଲିଭିଯାଇଥିଲା ଓଡ଼ିଶାରେ। ତେବେ ଉତ୍କଳୀୟ ନବଜାଗରଣ ଓ ଭାରତୀୟ ମୁକ୍ତି ସଂଗ୍ରାମ ଓଡ଼ିଶାରେ ଜାତୀୟ ଚେତନାକୁ ନବଜନ୍ମ ଦେଇଥିଲା। ସର୍ବ ଭାରତୀୟ ନେତାମାନେ ତଥାକଥିତ ଅନଗ୍ରସର ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନରେ ଅଭିଭୂତ ହୋଇଥିଲେ। ଓଡ଼ିଶାରେ ଲବଣ ସତ୍ୟାଗ୍ରହ ବ୍ୟାପକ ହୋଇଥିଲା। ଗୁଜରାଟ ତଳକୁ ଓଡ଼ିଶାର ସ୍ଥାନ ଥିଲା ଦ୍ୱିତୀୟ। ମହାତ୍ମା ଗାନ୍ଧୀ ଓଡ଼ିଆମାନଙ୍କୁ ଏକ ସୁସଂସ୍କୃତ ଜାତି ଭାବରେ ଅଭିହିତ କରିଥିଲେ। ମଧୁବାବୁଙ୍କ ମୌଳିକତା, ଗୋପବନ୍ଧୁଙ୍କ ଉତ୍ସାହ, ରମାଦେବୀଙ୍କ ସେବା ଓ ମହତାବଙ୍କ ସଂଗଠନ ତାଙ୍କୁ ଚକିତ କରିଥିଲା। ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ଉଭା ହେବା ଓଡ଼ିଆମାନଙ୍କ ଟାଣପଣର ପ୍ରତୀକ। ‘ସ୍ୱଦେଶୀ’ର ଆଦ୍ୟ ଝଙ୍କାର ମଧ୍ୟ ଶୁଭିଥିଲା ଓଡ଼ିଶା ଭୂଇଁରେ। ମଧୁବାବୁଙ୍କ ଉତ୍କଳ ଟ୍ୟାନେରି ତାହାର ଉଦାହରଣ। ଗଡ଼ଜାତ ମିଶ୍ରଣର ପ୍ରକ୍ରିୟା ପୁଣି ଆରମ୍ଭ ହୋଇଥିଲା ଓଡ଼ିଶାରେ।

ମଧୁବାବୁ ପ୍ରଥମେ ଓଡ଼ିଆ ଚରିତ୍ରକୁ ଏକ ସକାରାତ୍ମକ ଦୃଷ୍ଟିରେ ଦେଖିଥିଲେ। କୁହାଯାଏ, ସେ ଭକ୍ତମଧୁଙ୍କ ପୂର୍ବୋକ୍ତ ପଙ୍‌କ୍ତିକୁ ପସନ୍ଦ କରି ନ ଥିଲେ। କଥାଛଳରେ କବିତାର କେତୋଟି ଶବ୍ଦମାତ୍ର ବଦଳାଇବା ପାଇଁ ସେ କୁଆଡ଼େ ଭକ୍ତମଧୁଙ୍କୁ କହିଥିଲେ। ‘ଗୋଟିଏ ମନୁଷ୍ୟ କିନ୍ତୁ ନ ଦେଖିଲି ଡୋଳେ’ ସ୍ଥାନରେ ‘ଗୋଟିଏ ମନୁଷ୍ୟ କିନ୍ତୁ ଦେଖିଲି ମୁଁ ଡୋଳେ’ ଲେଖାଯିବା କଥା ଆଲୋଚନା ହୋଇଥିଲା ବୋଲି କେହି କେହି ଗବେଷକ କହନ୍ତି। ସେହି ଗୋଟିଏ ମନୁଷ୍ୟ ଥିଲେ ଗୋପବନ୍ଧୁ ଦାସ। ଏହା ଥିଲା ଗୋପବନ୍ଧୁଙ୍କ ପ୍ରତି ମଧୁସୂଦନଙ୍କ ଅନାବିଳ ଶ୍ରଦ୍ଧାର ସନ୍ତକ। ସମାଲୋଚନାର ଦିଗକୁ କିପରି ବଦଳା ଯାଇପାରେ, ଏହା ତା’ର ଏକ ବିରଳ ଦୃଷ୍ଟାନ୍ତ।
ଅନେକ ଆଗନ୍ତୁକଙ୍କ ଆଖିରେ ଓଡ଼ିଶାର ରୂପ କିମ୍ଭୂତକିମାକାର ତ ଓଡ଼ିଆମାନଙ୍କ ଚରିତ୍ର ବଡ଼ ବିଚିତ୍ର। ଦେଶୀ ବା ବିଦେଶୀମାନଙ୍କର ଏପରି ମତାମତ ଓ ଟୀକା ଟିପ୍ପଣୀ ଅଙ୍ଗଉପାଙ୍ଗ ଦେଖି ହାତୀର ସାମଗ୍ରିକ ରୂପ କଳନା କଲା ପରି ଏକଦେଶଦର୍ଶିତା। ତେବେ ଗାନ୍ଧୀଜୀଙ୍କ ସହିତ ସାରା ଭାରତ ଭ୍ରମଣ କରି ବିଭିନ୍ନ ପ୍ରଦେଶର ଲୋକମାନଙ୍କ ଘନିଷ୍ଠ ସଂସ୍ପର୍ଶରେ ଆସିଥିବା ଆଣ୍ଡୃଜ୍‌ଙ୍କ ମତରେ ଓଡ଼ିଆମାନେ ଭାରତର ସର୍ବାଧିକ ଆଦରଣୀୟ (ମୋଷ୍ଟ ଲଭେବ୍ଲ) ଜାତି। ଏପରି ମନ୍ତବ୍ୟ ନିକଟରେ କଙ୍କଡ଼ା ଉପାଖ୍ୟାନ ଅବାନ୍ତର ନୁହେଁ କି?
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର