ଜଣେ ସାଧୁ ଗୋଟିଏ ଝଙ୍କାଳିଆ ଗଛ ତଳେ କୁଡ଼ିଆଟିଏ ତିଆରି କରି ରହିଲେ। ସେଇ ଗଛ ମୂଳରେ ଗୋଟିଏ ମୂଷା ବିଳରେ ପିଢ଼ି ପିଢ଼ି ଧରି ନାଗସାପ ପରିବାର ରହି ଆସୁଥିଲେ। ସେଠି ସେମାନେ ଜଗି ରହିଥିଲେ ଅତ୍ୟନ୍ତ ମୂଲ୍ୟବାନ ଧନରତ୍ନ ଆଦି।
Sambad is now on WhatsApp
Join and get latest news updates delivered to you via WhatsApp
ସାଧୁ ସବୁ ଦିନ ସେଇ ନାଗସାପକୁ ସେଇ ବାଟେ ଯିବାର ଦେଖନ୍ତି। ସାପଟି ସାଧୁଙ୍କ ଉପରେ ସତର୍କ ନଜର ରଖିଥାଏ। ଦିନେ ସାଧୁ ସାପଟିକୁ ଅତି ମୃଦୁ ଭାବେ ଡାକି କହିଲେ- ଆମେ ଦୁହେଁ ଏତେ ପାଖାପାଖି ରହିଛେ। ଆମେ କଅଣ ମିତ୍ର ହୋଇପାରିବା ନାହିଁ?
ସାପଟି ଏହା ଶୁଣି ଚଟ୍ କିନା ବିଳ ଭିତରକୁ ପଶିଯାଇ କହିଲା- ଲାଜ ଲାଗୁନି କୃତଘ୍ନ ମଣିଷ। ଶୁଣ, ଆମକୁ ଠକିବାର ବେଳ ଚାଲିଗଲା। ଆମ ପୂର୍ବପୁରୁଷମାନେ କହିଯାଇଛନ୍ତି ଯେ ମଣିଷ ସହିତ କଦାପି ବନ୍ଧୁତା କରିବ ନାହିଁ। ସେମାନେ କହିଛନ୍ତି ଯେ ସାପଙ୍କର ସିନା ମୁହଁରେ ବିଷ ଥାଏ, ହେଲେ ମଣିଷର ମନରେ ବିଷ ରହିଥାଏ। ସାଧୁ ଚୁପ୍ ରହିଲେ।
କିଛି ଦିନ ବିତିଗଲା। ଦିନେ ଦଳେ କାଠୁରିଆ ସେହି ଗଛକୁ କାଟିବା ଲାଗି ଆସିଲେ। ଗଛ ମୂଳରେ ଜଣେ ସାଧୁଙ୍କ ଆଶ୍ରମ ଥିବା ଦେଖି ସେମାନେ ସାଧୁଙ୍କୁ କହିଲେ- ଆପଣଙ୍କ ଲାଗି ଗାଁ ଭିତରେ ସୁନ୍ଦର ସ୍ଥାନର ବ୍ୟବସ୍ଥା କରିଦେବୁ। ଆପଣ ଦୟା କରି ଏଠାରୁ ଚାଲନ୍ତୁ। ଆମେ ଗଛଟିକୁ କାଟିବୁ।
କିନ୍ତୁ ସାଧୁ ମନା କଲେ। ସେ କହିଲେ- ନା, ଏଇ ଗଛ ମୂଳରୁ ମୁଁ ଯିବିନାହିଁ। କାରଣ ଏହା ମୋ ସାଧନା ସ୍ଥଳ ହୋଇ ସାରିଛି। ତେଣୁ କାଠ କଟାଳୀମାନେ ସେଠାରୁ ଫେରିଗଲେ।
ଏହା ପରେ ନାଗ ସାପଟି ବିଲରୁ ବାହାରିଲା। ତାକୁ ଦେଖି ସାଧୁ କହିଲେ- ବାବୁ ମୁଁ ଚାହିଁଥିଲେ ଅନ୍ୟ ସ୍ଥାନକୁ ଯାଇପାରିଥାଆନ୍ତି। କିନ୍ତୁ ଦେଖିଲି ଏ ଗଛ କଟାଗଲେ ତୁମେ ସବ˚ଶେ ନିପାତ ହେବ। ତେଣୁ ମୁଁ ଗଲିନାହିଁ। ମୋର କହିବାର କଥା ହେଲା ତୁମ ପୂର୍ବଜଙ୍କ ଧାରଣା ଏବେ ଦୂର କର। ମନୁଷ୍ୟ ଠାରେ ମଧୢ ଦେବତ୍ବ ରହିବାର ସମ୍ଭାବନା ଅଛି। ମଣିଷର ମନରେ କେବଳ ବିଷ ନୁହେଁ ଅମୃତ ରହିପାରେ। ଏ କଥା ତୁମେ ଅନ୍ତତଃ ତୁମ ସନ୍ତାନମାନଙ୍କୁ କୁହ।