ବିରି ମାଡ଼ ଦେଖି କୋଳଥ ଚେପା!

ବଣିଜ ବିଚାର - ପୂର୍ଣ୍ଣେନ୍ଦୁ କର

ଗଲା ମାର୍ଚ୍ଚ ମାସରେ କେବଳ ଦଶ ଦିନ ବ୍ୟବଧାନରେ ‘ସିଲିକନ ଭ୍ୟାଲି ବ୍ୟାଙ୍କ’ (ଏସ.ଭି.ବି.) ଓ ‘ସିଗନେଚର ବ୍ୟାଙ୍କ’ ଭଳି ଆମେରିକାର ଦୁଇଟି ପୁରୁଣା ବ୍ୟାଙ୍କ ସହିତ ଇଉରୋପର ଅନ୍ୟ ଏକ ଅତ୍ୟନ୍ତ ପ୍ରତିଷ୍ଠିତ ବ୍ୟାଙ୍କ ‘କ୍ରେଡିଟ ସୁଇସ’ ଭୁଶୁଡ଼ି ପଡ଼ିବା କଥା ବିଶ୍ୱ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାକୁ ଦେଖି ଆମ ଦେଶର ସାଧାରଣ ଲୋକେ ଭାରତୀୟ ବ୍ୟାଙ୍କଗୁଡ଼ିକ ପ୍ରତି କାଳେ ବିପଦ ପଡ଼ିବ, ସେ ନେଇ ଭୟଭୀତ। ଅନ୍ୟ ପକ୍ଷରେ ପୃଥିବୀର ଏଡ଼େ ବଡ଼ବଡ଼ ବ୍ୟାଙ୍କ ଭୁଶୁଡ଼ିବା ଦେଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ବ୍ୟାଙ୍କମାନଙ୍କୁ ସେମାନଙ୍କର ପରିସମ୍ପତ୍ତି ଏବଂ ଦେୟର ତାଳମେଳକୁ ନେଇ ସତର୍କ ସୂଚନା ମଧ୍ୟ ଦେଇଛନ୍ତି।

ଉଲ୍ଲେଖ ଥାଉ କି ଆମେରିକାର ସରକାରୀ ସଂସ୍ଥା ‘ଫେଡେରେଲ ଡିପୋଜିଟ୍‌ ଇନ୍‌ସୁରାନ୍‌ସ କର୍ପୋରେସନ’ର ୱେବ୍‌ସାଇଟ୍‌ରେ ଥିବା ତଥ୍ୟ ଅନୁସାରେ ୨୦୦୦ ମସିହାରୁ ୨୦୨୩ ମସିହା ଭିତରେ ଛୋଟ ବଡ଼ ମିଶି ସମୁଦାୟ ୫୬୫ଟି ବ୍ୟାଙ୍କ ଭୁଶୁଡ଼ି ପଡ଼ିଛି। ଆମେରିକାରେ ୨୦୦୯ରେ ୧୪୦ଟି, ୨୦୧୦ରେ ୧୫୭ଟି, ୨୦୧୧ରେ ୯୨ଟି ଏବଂ ୨୦୧୨ରେ ୫୧ଟି ବ୍ୟାଙ୍କ ଭୁଶୁଡ଼ି ପଡ଼ିଥିଲେ। ବିଶେଷ କରି ଗଲା ୫ ବର୍ଷ ଭିତରେ ୧୦ଟି ବଡ଼ ବଡ଼ ବ୍ୟାଙ୍କ ଭୁଶୁଡ଼ି ପଡ଼ିବା ଆମେରିକା ଭଳି ଦେଶ ପାଇଁ ଯେ ଦୁର୍ଭାଗ୍ୟଜନକ, ଏହା କହିବା ବାହୁଲ୍ୟ ମାତ୍ର। ତେଣୁ ପ୍ରଶ୍ନ ଉଠେ, ଯଦି ଆମେରିକାରେ ସ୍ଥିତି ଏଭଳି, ତେବେ ଭାରତ ଭଳି ଦେଶରେ ବ୍ୟାଙ୍କଗୁଡ଼ିକ ସୁରକ୍ଷିତ ତ? ‘ବିରି ମାଡ଼ ଦେଖି କୋଳଥ ଚେପା ଭଳି କଥା। କିନ୍ତୁ ପ୍ରଶ୍ନ ହେଲା, ଆଧୁନିକ ଯୁଗର କୁବେର ତୁଲ୍ୟ ଏଭଳି ବିଶାଳ ବ୍ୟାଙ୍କଗୁଡ଼ିକ ହଠାତ ଭାଙ୍ଗି ପଡ଼ନ୍ତି କେମିତି?

ଉଲ୍ଲେଖ ଥାଉ କି, ବ୍ୟାଙ୍କରେ ଗ୍ରାହକମାନେ ରଖୁଥିବା ଜମା ରାଶି ବ୍ୟାଙ୍କ ପାଇଁ ଋଣ ସଦୃଶ। ଅପର ପକ୍ଷରେ ସାଧାରଣ ଜନତାକୁ କିମ୍ବା ବ୍ୟବସାୟୀମାନଙ୍କୁ ଦେଇଥିବା ଋଣ ବ୍ୟାଙ୍କ ପାଇଁ ଏକ ସମ୍ପତ୍ତି ଏବଂ ସେଥିରୁ ମିଳୁଥିବା ସୁଧ ବ୍ୟାଙ୍କର ଆୟ। ତେଣୁ ଋଣ କିସ୍ତି ଯଦି ବ୍ୟାଙ୍କ ତା’ର ଗ୍ରାହକମାନଙ୍କ ଠାରୁ ଯଥା ସମୟରେ ନ ପାଏ, ତେବେ ସମ୍ପତ୍ତି ଉପାର୍ଜନ କ୍ଷମତା ହ୍ରାସ ପାଇଲା ବୋଲି ଧରି ନିଆଯାଏ। ତେଣୁ ଗୋଟେ ଦୃଷ୍ଟିରେ ଦେଖିଲେ ବ୍ୟାଙ୍କଗୁଡ଼ିକ ଋଣ ଦେଇ ଯଥା ସମୟରେ ସୁଧ ଓ ମୂଳ ସହ ଟଙ୍କା ଫେରସ୍ତ ନ ପାଇଲେ ଦେବାଳିଆ ହୋଇ ଯାଆନ୍ତି। ବ୍ୟାଙ୍କର ଏଇ ଟଙ୍କା ନେଣଦେଣ କାରବାରରେ ମୁଖ୍ୟ ବିଷୟ ହେଲା ଜନତା ବ୍ୟାଙ୍କରେ ରଖିଥିବା ଜମା ରାଶିର ଦେୟ ମୁଖ୍ୟତଃ ସ୍ୱଳ୍ପକାଳୀନ ହୋଇଥିଲା ବେଳେ ବ୍ୟାଙ୍କ ଦେଇଥିବା ଋଣର ସମୟସୀମା ଦୀର୍ଘକାଳୀନ ହୋଇଥାଏ।

ତେଣୁ ବ୍ୟାଙ୍କରେ ଟଙ୍କା ନେବା ଆଉ ଦେବାର ତାଳମେଳଭିତ୍ତିକ ପରିଚାଳନା ହିଁ ବ୍ୟାଙ୍କର ଆର୍ଥିକ ବ୍ୟବସ୍ଥାକୁ ସୁସ୍ଥ ରଖିଥାଏ ଏବଂ ଦୀର୍ଘକାଳୀନ ବ୍ୟାଙ୍କିଙ୍ଗ ଦୌଡ଼ରେ ପରିପକ୍ବତା ଆଣିଥାଏ। ନଚେତ, ବ୍ୟାଙ୍କଗୁଡ଼ିକ ଯେତେବେଳେ ଜମାକାରୀଙ୍କ ଟଙ୍କା ସେମାନଙ୍କ ଦରକାର ସମୟରେ ଫେରାଇ ପାରନ୍ତି ନାହିଁ, ସେତେବେଳେ ଦେବାଳିଆ ହେବାର ଆଶଙ୍କା ସୃଷ୍ଟି ହୁଏ। କେବଳ ସେତିକି ନୁହେଁ, ବ୍ୟାଙ୍କରେ ଗ୍ରାହକ ରଖିଥିବା ଜମାରାଶିକୁ ନେଇ ବ୍ୟାଙ୍କ ଅର୍ଥ ବଜାରରେ ନିବେଶ କରି ଉପାର୍ଜନ ବଢ଼ାଇଥାଏ। ତେଣୁ ବ୍ୟାଙ୍କିଙ୍ଗ ଆର୍ଥିକ ପରିଚାଳନା ବ୍ୟବସ୍ଥାର ଅସଲ କଥା ହେଲା ଜମାକାରୀ ଚାହିଁବା ମାତ୍ରକ ବ୍ୟାଙ୍କ ସେମାନଙ୍କୁ ତାହା ପ୍ରଦାନ କରିବା, ତେଣିକି ବ୍ୟାଙ୍କର ଋଣ ଗ୍ରହୀତାମାନଙ୍କ ଠାରୁ ପ୍ରାପ୍ୟ ମିଳିଥାଉ ବା ନ ଥାଉ କିମ୍ବା ବ୍ୟାଙ୍କ ବଜାରରେ ନିବେଶ କରିଥିବା ଟଙ୍କାର ଉପାର୍ଜନ ସମୟ ଉପସ୍ଥିତ ହୋଇ ଥାଉ ବା ନ ଥାଉ। କିନ୍ତୁ, ଅସ୍ବାଭାବିକ ପରିସ୍ଥିତି ସେତିକି ବେଳେ ଉପୁଜେ ଯେତେବେଳେ ସମସ୍ତ ଜମାକାରୀ ଏକା ସମୟରେ ଜମାରାଶି ଦାବି କରନ୍ତି। ସେତିକି ବେଳେ ବ୍ୟାଙ୍କ ପାଖରେ ଟଙ୍କା ସରିଯିବା ସ୍ୱାଭାବିକ। ଏହି ମର୍ମରେ ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡ଼ିଯିବା ସନ୍ଦର୍ଭରେ ଆଲୋଚନା କରାଯାଉ।

ବିଗତ ଚାରି ଦଶନ୍ଧି ଧରି ଅନେକ ‘ଷ୍ଟାର୍ଟ ଅପ’ କମ୍ପାନିମାନଙ୍କର ଏକ ଅତି ପରିଚିତ ଏବଂ ଭରସାଯୋଗ୍ୟ ବ୍ୟାଙ୍କ ହିସାବରେ ଆମେରିକାର କଲିଫାର୍ନିଆସ୍ଥିତ ‘ସିଲିକନ ଭ୍ୟାଲି ବ୍ୟାଙ୍କ’ ବା ‘ଏସ୍‌ଭିବି’ ଅନେକ ସୁନାମ ଅର୍ଜନ କରିଥିଲା। ବ୍ୟାଙ୍କଟି ଏଇ ଷ୍ଟାର୍ଟ ଅପ୍‌ କମ୍ପାନିମାନଙ୍କର ଜମାରାଶି ସହ ମୋଟ ପରିସମ୍ପତ୍ତିର ପାଖାପାଖି ୪୫% ଅତ୍ୟନ୍ତ ସୁରକ୍ଷିତ ‘ସରକାରୀ ବଣ୍ଡ’ରେ ନିବେଶ କରିଥିଲା ଏବଂ ସେଥିରୁ ଆକର୍ଷଣୀୟ ଆୟ ମଧ୍ୟ ଅର୍ଜନ କରୁଥିଲା। କିନ୍ତୁ, ଅସୁବିଧା ଆରମ୍ଭ ହେଲା, ଯେତେବେଳେ ଆମେରିକାର ‘ଫେଡେରାଲ ରିଜର୍ଭ’ (ଭାରତୀୟ ରିଜର୍ଭ ବ୍ୟାଙ୍କ ସଦୃଶ) ସେଠିକାର ସୁଧ ହାରରେ ବାରମ୍ବାର ବୃଦ୍ଧି ଘଟାଇଲା। ଏହା ଦ୍ୱାରା, ଅର୍ଥନୀତି ସୂତ୍ର ମୁତାବକ ‘ସରକାରୀ ବଣ୍ଡ’ର ମୂଲ୍ୟରେ ବାରମ୍ବାର ସ୍ଖଳନ ଘଟିବାକୁ ଲାଗିଲା।

ସରକାରୀ ବଣ୍ଡର ମୂଲ୍ୟ ଅଧିକ ଥିଲା ବେଳେ ବ୍ୟାଙ୍କ ଏଥିରେ ନିବେଶ କରିଥିବାରୁ ଏବେ ବ୍ୟାଙ୍କ କରିଥିବା ନିବେଶ ଟଙ୍କାର ବଜାର ମୂଲ୍ୟ କ୍ରୟ ମୂଲ୍ୟ ଠାରୁ ଲଗାତାର କମିବାକୁ ଲାଗିଲା ଏବଂ ସେଥିରୁ ଆସୁଥିବା ଆୟ ମଧ୍ୟ କମିବାକୁ ଲାଗିଲା। ଫଳରେ ବ୍ୟାଙ୍କ ପ୍ରବଳ କ୍ଷତି ସହିଲା। ଏଇ କ୍ଷତିର ଭରଣପୋଷଣ ପାଇଁ ନିର୍ଦ୍ଦିଷ୍ଟ ରୂପେ ଆମେରିକାର ସେୟାର ବଜାରରୁ ୨ ବିଲିଅନ ଡଲାରରୁ ଅଧିକ ପୁଞ୍ଜି ଯୋଗାଡ଼ କରିବ ବୋଲି ମାର୍ଚ୍ଚ ୮ ତାରିଖରେ ସର୍ବସାଧାରଣରେ ବ୍ୟାଙ୍କ ଏକ ସୂଚନା ପ୍ରସାରଣ କଲା, ଯାହା ଜମାକାରୀଙ୍କ ଦୃଷ୍ଟି ଆକର୍ଷଣ କଲା। ବ୍ୟାଙ୍କର ଏଭଳି ପଦକ୍ଷେପ ବ୍ୟାଙ୍କର ଦୁର୍ବଳ ଆର୍ଥିକ ସ୍ଥିତି ଏବଂ ଅପାରଗ ପରିସମ୍ପତ୍ତି-ଦେୟ ପରିଚାଳନା (ଆସେଟ ଲାଇବିଲିଟି ମ୍ୟାନେଜମେଣ୍ଟ) ବୋଲି ଜମାକାରୀମାନେ ଧରି ନେଲେ। ତେଣୁ, ଅନେକ ଜମାକାରୀ ନିଜର ଜମା ରାଶିକୁ ଏକା ସାଙ୍ଗରେ ବ୍ୟାଙ୍କରୁ ଉଠେଇ ନେବାକୁ ଲାଗିଲେ।

ମାତ୍ର ଦୁଇ ଦିନ ଭିତରେ ବ୍ୟାଙ୍କରେ ଥିବା ମୋଟ ଜମାରାଶିର ୨୫-୩୦% (୪୨ ବିଲିୟନ ଡଲାର) ଖାଲି ହୋଇଗଲା। ଫଳତଃ, ମାର୍ଚ୍ଚ ୧୦ ତାରିଖ ଦିନ ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟାଙ୍କ ବୁଡ଼ିଗଲା ବୋଲି ଘୋଷଣା କଲେ। ତେବେ, ଏହି ବ୍ୟାଙ୍କ ବୁଡ଼ିବାର ବିଶେଷତଃ ଦୁଇଟି କାରଣ ରହିଛି। ପ୍ରଥମତଃ, ଏଇ ବ୍ୟାଙ୍କର ବ୍ୟବସାୟ କେବଳ ଏକ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ମଧ୍ୟରେ ସୀମିତ ଥିଲା। ଦ୍ବିିତୀୟତଃ, ବ୍ୟାଙ୍କିଙ୍ଗର ମୌଳିକ ବ୍ୟବସ୍ଥାରେ ଜଘନ୍ୟ ତ୍ରୁଟି ଏହାର ବିନାଶର କାରଣ ହେଲା। ସୁତରାଂ, ମୋଟାମୋଟି ଭାବେ ପୁଞ୍ଜି ପରିଚାଳନାରେ ଅପାରଗତା ଯେ କୌଣସି ବି ବ୍ୟାଙ୍କକୁ ଡୁବାଇ ଦେଇପାରେ! ତେଣୁ ଏହା ନିଃସନ୍ଦେହ ଯେ ବ୍ୟାଙ୍କିଙ୍ଗ ପରିଚାଳନା ବୁଦ୍ଧିମତ୍ତା ସହିତ ଦୂରଦୃଷ୍ଟି ଓ ଦକ୍ଷ ପୂର୍ବାନୁମାନ ଦରକାର କରିଥାଏ।

ଏବେ ଏହି ପରିପ୍ରେକ୍ଷୀରେ ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ଦୃଷ୍ଟି ପକେଇବା। ବ୍ୟାଙ୍କିଙ୍ଗ ଆର୍ଥିକ ପରିଚାଳନାରେ ‘କ୍ୟାପିଟାଲ ଆଡିକ୍ୱେସି ରେସିଓ’ ସଂଖ୍ୟାତ୍ମକ ଭାବେ ବହୁତ ଗୁରୁତ୍ବ ରଖେ। ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ପ୍ରତ୍ୟେକ ସିଡୁଲଡ ବା ସୂଚିଭୁକ୍ତ ବ୍ୟାଙ୍କ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ପରିସମ୍ପତ୍ତି ଏବଂ ଦେୟ ଆଧାରରେ ‘କ୍ୟାପିଟାଲ ଆଡିକ୍ୱେସି ରେସିଓ’ ଯଥାକ୍ରମେ ୯% ଏବଂ ୧୨% ହେବା ଆବଶ୍ୟକ। ଉଲ୍ଲେଖ ଥାଉ କି, ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ପ୍ରକାଶିତ ତଥ୍ୟ ଅନୁସାରେ ବିଭିନ୍ନ ବ୍ୟାଙ୍କମାନଙ୍କର ‘କ୍ୟାପିଟାଲ ଆଡିକ୍ୱେସି ରେସିଓ’ ଯଥେଷ୍ଟ ଅଧିକ; ଉଦାହରଣ ସ୍ୱରୂପ, ଏସ.ବି.ଆଇ.ର ୧୩.୨୭%, ବ୍ୟାଙ୍କ ଅଫ ବରୋଦାର ୧୪.୯୩%, କାନାରା ବ୍ୟାଙ୍କର ୧୬.୭୨%, ୟୁକୋ ବ୍ୟାଙ୍କର ୧୪.୩୨%, ୟୁନିୟନ ବ୍ୟାଙ୍କର ୧୪.୪୫%, ବ୍ୟାଙ୍କ ଅଫ ଇଣ୍ଡିଆର ୧୫.୬୦%, ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ୧୫.୧୬%, ଇଣ୍ଡିଆନ ବ୍ୟାଙ୍କର ୧୫.୭୪%, ସେଣ୍ଟ୍ରାଲ ବ୍ୟାଙ୍କର ୧୩.୭୬%, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୫.୧୫% ଏବଂ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ୧୭.୭୩% ରହିଛି। ତେଣୁ ଏ ଦୃଷ୍ଟିରୁ ଭାରତୀୟ ବ୍ୟାଙ୍କମାନେ ସୁରକ୍ଷିତ। ସେମିତି ଭାରତୀୟ ବ୍ୟାଙ୍କମାନଙ୍କ ପାଖରେ ଠୁଳ ଥିବା ଜମାରାଶିର ପାଖାପାଖି ୬୦% ହେଉଛି ଭାରତୀୟ ସାଧାରଣ ଜନତାଙ୍କ ପାରିବାରିକ ଜମାରାଶି ଯାହାକୁ ଜମାକାରୀ ସାଧାରଣତଃ ବ୍ୟକ୍ତିଗତ ପ୍ରତିକୂଳ ପରିସ୍ଥିତିରେ ହିଁ ଉଠାନ୍ତି।

କହିବାର ଅର୍ଥ ଭାରତୀୟ ବ୍ୟାଙ୍କମାନଙ୍କର ବ୍ୟବସାୟ କେବଳ ଏକ ନିର୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ସୀମିତ ନୁହେଁ। ପୁଣି ଭାରତୀୟ ବ୍ୟାଙ୍କ ପାଖରେ ଯେତିକି ଜମାରାଶି ରହିଛି, ତାହାର ୬୫-୬୮%ର ମ୍ୟାଚୁରିଟି କାଳ ୧ ବର୍ଷ, ଅର୍ଥାତ୍‌ ଅତି ପ୍ରତିକୂଳ ପରିସ୍ଥିତି ନ ହେଲେ ଜମାକାରୀମାନେ ରଖିଥିବା ଜମାରାଶି ଉଠେଇ ନ ଥାଆନ୍ତି। କେବଳ ସେତିକି ନୁହେଁ, ଅନ୍ୟ ପକ୍ଷରେ ବ୍ୟାଙ୍କମାନଙ୍କର ‘ଦୀର୍ଘକାଳୀନ ବଣ୍ଡ’ରେ ପୁଞ୍ଜି ନିବେଶର ସର୍ବୋଚ୍ଚ ଅନୁପାତକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୩%ରେ ସୀମିତ ରଖିଛନ୍ତି ଏବଂ ଭବିଷ୍ୟତରେ ତାହା ୧୯.୫% ରଖିବାର ପ୍ରସ୍ତାବ ରହିଛି। ସବୁଠୁଁ ବଡ଼ କଥା ହେଲା, ଭାରତରେ ଜମାକାରୀଙ୍କ ଜମା ରାଶିର ସୁରକ୍ଷାକୁ ଭିତ୍ତି କରି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜମା ବୀମାର ବ୍ୟବସ୍ଥା ବଳବତ୍ତର ରହିଛି। ଉଲ୍ଲେଖ ଥାଉ କି ଭାରତରେ ୨୧ ଫେବ୍ରୁଆରି, ୨୦୨୩ ସୁଦ୍ଧା ୧୨ଟି ସରକାରୀ ବ୍ୟାଙ୍କ, ୨୧ଟି ଘରୋଇ ବ୍ୟାଙ୍କ, ୪୫ଟି ବିଦେଶୀ ବ୍ୟାଙ୍କ, ୧୨ଟି ସ୍ମଲ ଫାଇନାନ୍‌ସ ବ୍ୟାଙ୍କ, ୬ଟି ପେମେଣ୍ଟ ବ୍ୟାଙ୍କ, ୪୩ଟି ଗ୍ରାମୀଣ ବ୍ୟାଙ୍କ, ୨ଟି ଲୋକାଲ ଏରିଆ ବ୍ୟାଙ୍କ, ୩୩ଟି ଷ୍ଟେଟ କୋଅପରେଟିଭ ବ୍ୟାଙ୍କ, ୩୫୨ଟି ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ଏବଂ ୧୫୦୩ଟି ଅର୍ବାନ କୋଅପରେଟିଭ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧୀନସ୍ଥ ‘ଡିପୋଜିଟ ଇନ୍‌ସ୍ୟୁରାନ୍‌ସ ଏଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ’ ପାଖରେ ବୀମାଭୁକ୍ତ ଅଛନ୍ତି। ଏଥିରେ ୫ ଲକ୍ଷ ଟଙ୍କା ଜମା ରାଶି ପର୍ଯ୍ୟନ୍ତ ବୀମା ଉପଲବ୍‌ଧ ଅଛି। ଆକଳନ ଅନୁସାରେ ଏହି ବୀମା ପ୍ରାୟ ୯୦%ରୁ ୯୫% ଜମାକାରୀଙ୍କୁ ବ୍ୟାଙ୍କ ଭୁଶୁଡ଼ି ପଡ଼ିବା ଡରରୁ ସୁରକ୍ଷା ପ୍ରଦାନ କରିଥାଏ।

ଅସଲରେ ଆମେରିକା ଏବଂ ଇଉରୋପରେ ବ୍ୟାଙ୍କ ଭୁଶୁଡ଼ି ପଡ଼ିବା ଭାରତୀୟ ବଜାରକୁ ପରୋକ୍ଷରେ ଫାଇଦା ପହଞ୍ଚାଇଛି; ଯେମିତି କି କିଛି ଦିନ ହେବ ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍‌ସ ଟେକ-ସିଟି ବା ସଂକ୍ଷେପରେ ‘ଗିଫ୍‌ଟ ସିଟି’ରେ ଏକ ନୂଆ ଧରଣର ବ୍ୟାଙ୍କିଙ୍ଗ ହାବଭାବ ପରିଲକ୍ଷିତ ହେଉଛି। ଭାରତରୁ ଅନେକ ଷ୍ଟାର୍ଟ ଅପ୍‌ କମ୍ପାନି ସିଲିକନ ଭ୍ୟାଲି ବ୍ୟାଙ୍କରେ ପାଖାପାଖି ୧ ବିଲିଅନ ଡଲାରର ଡିପୋଜିଟ ରଖିଥିଲେ। ଏସ୍‌.ଭି.ବି. ବ୍ୟାଙ୍କ ଭୁଶୁଡ଼ିବା କଥ‌ ଶୁଣିବା କ୍ଷଣି ଗିଫ୍‌ଟ ସିଟିରେ ଥିବା ଆକ୍‌ସିସ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଆଇ.ସି.ଆଇ.ସି.ଆଇ. ବ୍ୟାଙ୍କର ବ୍ରାଞ୍ଚ ସିଲିକନ ଭ୍ୟାଲି ବ୍ୟାଙ୍କରୁ ପାଖାପାଖି ୨୦୦ ନିୟୁତ ଡଲାର ‘ଗିଫ୍‌ଟ ସିଟି’ରେ ଥିବା ଭାରତୀୟ ବ୍ୟାଙ୍କମାନଙ୍କୁ ରାତିଅଧିଆ ଟ୍ରାନ୍‌ସଫର କରି ଦେଇଥିଲେ। ଯାହା ଫଳରେ ଭାରତୀୟ ବ୍ୟାଙ୍କମାନଙ୍କ ପାଇଁ କମ୍‌ ସମୟରେ ଅଚାନକ ଅଳ୍ପ ଅବଧି ଟଙ୍କା ମିଳି ଯାଇଥିଲା ଯାହା ଭାରତୀୟ ବ୍ୟାଙ୍କମାନଙ୍କ ପାଇଁ ବରଦାନ ସଦୃଶ।

ଆମେରିକାର ଏସ.ଭି.ବି. ବ୍ୟାଙ୍କ ଭୁଶୁଡ଼ି ପଡ଼ିବାର ଠିକ୍‌ ପୂର୍ବରୁ ବ୍ୟାଙ୍କର ପରିସମ୍ପତ୍ତିର ମୂଲ୍ୟ ଥିଲା ୨୦୯ ବିଲିଅନ ଡଲାର ଏବଂ ଡିପୋଜିଟର ମୂଲ୍ୟ ଥିଲା ୧୭୫ ବିଲିଅନ ଡଲାର। ଏଡ଼େ ବଡ଼ ବ୍ୟାଙ୍କ, ଏତେ ବିଶ୍ୱସ୍ତ ବ୍ୟାଙ୍କ ଉପରେ ଗରାଖ ଗୋଷ୍ଠୀଙ୍କ ରାତିଅଧିଆ ଅଚାନକ ବିଶ୍ୱାସ ତୁଟିଯିବା ବିଷୟଟି ଆଶ୍ଚର୍ଯ୍ୟ ସୃଷ୍ଟି କରେ। ସତେ ଯେମିତି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଗଳା କଟା ପ୍ରତିଯୋଗିତାରେ ‘ଏସ୍‌.ଭି.ବି’ ବ୍ୟାଙ୍କ ପ୍ରସାର କରିଥିବା ସାର୍ବଜନୀନ ସୂଚନାର ଫାଇଦା ଉଠେଇବାକୁ ଅନେକ ପ୍ରତିଯୋଗୀ ବ୍ୟାଙ୍କ ଅନେଇ ବସିଥିଲେ ଏବଂ ରାତିଅଧିଆ ଦୁଷ୍ପ୍ରଚାର କରିବା ଆରମ୍ଭ କରି ଦେଇଥିଲେ। ତେବେ, ସେ ଯାହା ହେଉ ଭାରତୀୟ ବ୍ୟାଙ୍କ ଏବଂ ସାଧାରଣ ଜନତାଙ୍କ ପାଇଁ ଏହା ଏକ ବଡ଼ ଶିକ୍ଷା। ପରିଶେଷରେ ଏତିକି କହିହେବ, ସାଧାରଣ ଜନତା ନିଜ ଜମା ରାଶି ଥିବା ବ୍ୟାଙ୍କ ପ୍ରତି ଦୃଢ଼ ଭରସା ରଖିବା ଉଚିତ ଏବଂ ଗୁଜବ ଠୁଁ ଦୂରେଇ ରହି ପରିସ୍ଥିତି ଉପ‌େର ସତର୍କ ଦୃଷ୍ଟି ରଖିବା ଉଚିତ। ହୁଏ’ତ ଜମାକାରୀମାନେ ହଠାତ୍‌ ସେମାନଙ୍କ ଟଙ୍କା ଉଠାଇ ନେଇ ନ ଥିଲେ, ‘ଏସ୍‌.ଭି.ବି.’ ବ୍ୟାଙ୍କ ନିଜ ସ୍ଥିତିକୁ ସୁଧାରି ପାରିଥାଆନ୍ତା।
ମୋ: ୯୭୯୧୧୨୧୦୬୮

ସମ୍ବନ୍ଧିତ ଖବର