ଲକ୍ଷ୍ମୀଙ୍କର ଅନ୍ୟ ନାମ ହେଉଛି ଅନ୍ନପୂର୍ଣ୍ଣା। ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ପଦାର୍ଥର ସମ୍ମାନସୂଚକ ନାମ ହେଉଛି ଅନ୍ନ: ଚାଉଳରୁ ପ୍ରସ୍ତୁତ ଭାତ। ଠାକୁରଙ୍କ ପାଖରେ ଅନ୍ନ ଭୋଗ ଏକ ଭିନ୍ନ କିସମର ମହତ୍ତ୍ବ ବହନ କରିଥାଏ। ଅକ୍ଷତ ରୂପରେ ଅରୁଆ ଚାଉଳ ପବିତ୍ରତାର ବାହକ ହୋଇଥାଏ। ଧାନ ନାମକ ଏକ ଘାସର ମଞ୍ଜିକୁ ଏଭଳି ମର୍ଯ୍ୟାଦା ପ୍ରଦାନ କରାଯିବାର କାରଣ ଅବଶ୍ୟ କାହାକୁ ଅବିଦିତ ନୁହେଁ। ଏହା ହେଉଛି ପୃଥିବୀର ଏହି ଅଞ୍ଚଳରେ ଯୁଗ ଯୁଗ ଧରି ଆମର କ୍ଷୁଧା ନିବାରଣ କରି ଆମକୁ ବଞ୍ଚାଇ ରଖିଥିବା ଆମର ମୁଖ୍ୟ ଖାଦ୍ୟ।

Advertisment

ଧାନକୁ ପ୍ରଦାନ କରାଯାଉଥିବା ଏଭଳି ସମ୍ମାନ କେବଳ ଭାରତରେ ସୀମିତ ନୁହେଁ। ଦକ୍ଷିଣ ଏସିଆରୁ ପୂର୍ବ ଏସିଆ ପର୍ଯ୍ୟନ୍ତ ବିସ୍ତୃତ ବିଶାଳ ଭୌଗୋଳିକ ଅଞ୍ଚଳସ୍ଥିତ ଏହି ଶସ୍ୟ ଭକ୍ଷଣକାରୀ ପ୍ରାୟ ପ୍ରତ୍ୟେକ ଦେଶରେ ଧାନ ସହିତ ଅନ୍ନପୂର୍ଣ୍ଣାଙ୍କ ଭଳି କୌଣସି ଦେବୀଙ୍କ ବରଦାନ କାହାଣୀ ସଂଶ୍ଳିଷ୍ଟ ହୋଇଥାଏ ‌(ଯେମିତି ଇଣ୍ଡୋନେସିଆରେ ଧାନକୁ ‘ଦେବୀ ଶ୍ରୀ’ଙ୍କ ବରଦାନ ବୋଲି ବିଶ୍ବାସ କରାଯାଇଥାଏ- ଭାରତରେ ଲକ୍ଷ୍ମୀଙ୍କ ଅନ୍ୟ ଏକ ନାମ ମଧ୍ୟ ‘ଶ୍ରୀ’)। ଧାନ ଏସବୁ ସମାଜରେ କେବଳ ଏକ ଖାଦ୍ୟଶସ୍ୟ ରୂପେ ବିବେଚିତ ନ ହୋଇ, ସାଂସ୍କୃତିକ ଜୀବନର ଏକ ନିର୍ଣ୍ଣାୟକ ଅଂଶ ହୋଇଥାଏ; ଓଡ଼ିଶାର ନୂଆଖାଇ, ମାଣବସା ଗୁରୁବାର ଓଷାରୁ ଆରମ୍ଭ କରି ଜାପାନ୍‌ର ‘ଓଟାଉଏ ସିନ୍‌ଜି’ ଉତ୍ସବ ପର୍ଯ୍ୟନ୍ତ ଏହାର ସ୍ବାକ୍ଷର ବହନ କରିଥାନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ପୃଥିବୀରେ ମୋଟ ଯେତିକି ପରିମାଣର ଧାନ ଉତ୍ପନ୍ନ ହୋଇଥାଏ, ତାହାର ୯୦ ଶତାଂଶ ଏସିଆର ଦେଶମାନଙ୍କରେ ହିଁ ହୋଇଥାଏ ଏବଂ ଏଇ ଦେଶସବୁର ଲୋକମାନେ ହିଁ ସେଇ ଉତ୍ପନ୍ନ ଫସଲର ୯୦ ଶତାଂଶ ଭକ୍ଷଣ କରିଥାନ୍ତି।

ଏବେ କିନ୍ତୁ ଉଭୟ ଉତ୍ପାଦନ ପାର୍ଶ୍ବ ଓ ଉପଯୋଗ ପାର୍ଶ୍ବରେ ଅନ୍ନପୂର୍ଣ୍ଣାଙ୍କର ଏହି ଦାନର ସ୍ଥିତି ବିପନ୍ନ ହେବା ଦେଖାଗଲାଣି। ଫିଲିପିନ୍‌ସସ୍ଥିତ ‘ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ର’ର ନେତୃତ୍ବରେ ୧୯୬୦ ଦଶକରେ ଧାନ ଚାଷ କ୍ଷେତ୍ରରେ ଯେଉଁ ସବୁଜ ବିପ୍ଳବର ଆବିର୍ଭାବ ଘଟି ଏଇ ମହାଦେଶର ବିଶାଳ ଓ ଦ୍ରୁତ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଅନାହାରରୁ ଉଦ୍ଧାର କରିଥିଲା, ତାହାର ବେଗ ବର୍ତ୍ତମାନ ପୂରା ଧିମା ହୋଇଗଲାଣି। ଏହାର ବିଭିନ୍ନ କାରଣ ରହିଛି। ଏ ଅଞ୍ଚଳରେ ଦେଖା ଦେଇଥିବା ଦ୍ରୁତ ସହରୀକରଣ ଓ ଶିଳ୍ପାୟନ ଯୋଗୁଁ କୃଷିକାର୍ଯ୍ୟ ନିମିତ୍ତ ଆବଶ୍ୟକ ଉଭୟ ଭୂମି ଓ ଶ୍ରମ ଶକ୍ତିର ଯୋଗାଣରେ ସଂକୋଚନ ଘଟି ଚାଲିଛି। ଅତିରିକ୍ତ ମାତ୍ରାରେ ଭୂତଳଜଳ ବ୍ୟବହାର ଯୋଗୁଁ ମୃତ୍ତିକାର ଆର୍ଦ୍ରତା ହ୍ରାସ ପାଇବା ସହିତ ଅତିରିକ୍ତ ମାତ୍ରାରେ ରାସାୟନିକ ସାର ବ୍ୟବହାର ମୃତ୍ତିକାର ଉର୍ବରତା ନଷ୍ଟ କରିଥାଏ ଏବଂ ଅତ୍ୟଧିକ କୀଟନାଶକ ବ୍ୟବହାର ପରିବେଶକୁ ବିଷାକ୍ତ କରିଥାଏ।

ଜାତିସଂଘର ଏ ସମ୍ପର୍କିତ ସଂସ୍ଥା ‘ଫୁଡ୍‌ ଅ‌ାଣ୍ଡ ଏଗ୍ରିକଲ୍‌ଚର୍‌ ଅର୍ଗାନାଇଜେସନ୍‌’ (‘ଏଫ୍‌ଏଓ’) ଅନୁସାରେ କିନ୍ତୁ ଧାନ ଉତ୍ପାଦନ ପ୍ରତି ଯାହା ସର୍ବାଧିକ ବିପଦ ସୃଷ୍ଟି କରିଥାଏ, ତାହା ହେଉଛି ଜଳବାୟୁ ପରିବର୍ତ୍ତନଜନିତ ବିଶ୍ବ ଉତ୍ତପ୍ତୀକରଣ। ଏଥିଯୋଗୁଁ ସୃଷ୍ଟି ହେଉଥିବା ଅସ୍ବାଭାବିକ ବନ୍ୟା, ବାତ୍ୟା, ମରୁଡ଼ି ଆଦି ଭଳି ପ୍ରାକୃତିକ ବିପର୍ଯ୍ୟୟ ଧାନ ଚାଷ ପାଇଁ ବିଶେଷ ଭାବରେ କ୍ଷତିକାରକ ହୋଇଥାଏ, କାରଣ ଏହିସବୁ ଦୁର୍ବିପାକ ସେଇ ସମସ୍ତ ଭୌଗୋଳିକ ଅଞ୍ଚଳରେ ଅଧିକ ଦେଖାଯାଇଥାଏ, ଯେଉଁଠାରେ ହିଁ ଧାନ ଚାଷ ହୋଇଥାଏ। ଉଦାହରଣ ସ୍ବରୂପ ଅନିୟମିତ ‌େମୗସୁମୀ ବର୍ଷା ଓ ମରୁଡ଼ି ଯୋଗୁଁ ଗତ ବର୍ଷ ଭାରତରେ ଧାନ ଅମଳରେ ହ୍ରାସ ଘଟିଥିଲା, ଯେଉଁଥିପାଇଁ ପୃଥିବୀର ସର୍ବାଧିକ ପରିମାଣର ଚାଉଳ ରପ୍ତାନିକାରୀ ଏହି ଦେଶର ସରକାର ଚାଉଳ ରପ୍ତାନି ନିଷେଧ କରି ଦେଇଥିଲେ, ଦେଶ ଭିତରେ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ପାଇଁ। ପଡ଼ୋଶୀ ଦେଶ ପାକିସ୍ତାନରେ ଗତ ବର୍ଷ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ସେଠାରେ ଧାନ ଫସଲ ନଷ୍ଟ ହୋଇ କିପରି ଉତ୍କଟ ଖାଦ୍ୟାଭାବ ଦେଖାଦେଇଛି ତାହା ଗତ ଆନ୍ତର୍ଜାତିକ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ‘କପ୍‌-୨୭’ରେ ଏକ ପ୍ରମୁଖ ଚର୍ଚ୍ଚାର ବିଷୟବସ୍ତୁରେ ପରିଣତ ହୋଇଥିଲା। ଅନ୍ୟ ଏକ ଛାମୁଆ ଧାନ ଉତ୍ପାଦନକାରୀ ଦେଶ ଭିଏତ୍‌ନାମ୍‌ର ଭାତହାଣ୍ଡି ରୂପେ ଖ୍ୟାତ ମେକଙ୍ଗ୍‌ ନଦୀର ତ୍ରି‌େକାଣଭୂମି ଅଞ୍ଚଳରେ ବର୍ତ୍ତମାନ ବିଶ୍ବତାପନ ଯୋଗୁଁ ସମୁଦ୍ର ପତ୍ତନ‌େର ଘଟିଥିବା ବୃଦ୍ଧିର ପ୍ରଭାବରେ ଲୁଣା ମାଡ଼ି ଯିବାକୁ ଲାଗିଲାଣି, ଯେଉଁଠି ଧାନ ଗଛ ଆଉ ଉଧେଇବ ନାହିଁ।

ବିଶ୍ବ ତାପନ ଏଇଭଳି ଧାନ ଚାଷର ଶତ୍ରୁ ହୋଇଥିବା ବେଳେ ଏକ କ୍ରୂର ବିଡ଼ମ୍ବନା ଭଳି ଧାନ ଚାଷ ମଧ୍ୟ ବିଶ୍ବ ତାପନକୁ ପରିପୁଷ୍ଟ କରିଥାଏ। ଚାଷ ଜମିରେ ଠିଆ ପାଣି ଦରକାର କରୁଥିବା ଧାନ ଚାଷ ଯୋଗୁଁ ମୃତ୍ତିକାରେ ଅମ୍ଳଜାନ ମାତ୍ରାରେ ହ୍ରାସ ଘଟିବା ଯୋଗୁଁ ସେଠାରେ ମିଥେନ୍‌ ଭଳି ଉତ୍ତାପ ଧାରଣକାରୀ ‘ଗ୍ରିନ୍‌ହାଉସ୍‌ ଗ୍ୟାସ୍‌’ ନିର୍ଗମନ କରୁଥିବା‌ ବ୍ୟାକ୍‌ଟେରିଆମାନଙ୍କର ବଂଶ ବୃଦ୍ଧି ଘଟିଥାଏ। ଏକ ଆକଳନ ଅନୁସାରେ ଏହି କାରଣରୁ ପୃଥିବୀରେ ଧାନଚାଷ ଯୋଗୁଁ ଯେତିକି ପରିମାଣର ‘ଗ୍ରିନ୍‌ହାଉସ୍‌ ଗ୍ୟାସ୍‌’ ନିର୍ଗମନ ଘଟିଥାଏ, ତାହା ହେଉଛି ବିମାନ ଚଳାଚଳ ଯୋଗୁଁ ଘଟୁଥିବା ନିଗର୍ମନ ସହିତ ସମାନ। କେବଳ ଗୋମାଂସକୁ ବାଦ୍‌ ଦେଲେ ଅନ୍ୟ କୌଣସି ଖାଦ୍ୟଦ୍ରବ୍ୟର ଉତ୍ପାଦନ ଏହାଠାରୁ ଅଧିକ ‘ଗ୍ରିନ୍‌ହାଉସ୍‌ ଗ୍ୟାସ୍‌’ ନିର୍ଗମନ ଘଟାଇ ନ ଥାଏ।

ଉପଯୋଗ ପାର୍ଶ୍ବରେ ମଧ୍ୟ ଅନ୍ନ ଭକ୍ଷଣ ସମସ୍ୟାପୂର୍ଣ୍ଣ ହୋଇଥାଏ। ଚାଉଳରେ ଅତି ଉଚ୍ଚ ମାତ୍ରାରେ ଗ୍ଲୁ‌କୋଜ୍‌ ଭରି ହୋଇ ରହିଥାଏ ଯାହା ମେଦ ବୃଦ୍ଧି ଓ ମଧୁମେହ ପାଇଁ ସହାୟକ ହୋଇଥାଏ। ଏଥିରେ ଲୌହ ଓ ଦସ୍ତା ଭଳି ଦୁଇଟି ଅତ୍ୟାବଶ୍ୟକ ପୁଷ୍ଟିବର୍ଦ୍ଧନକାରୀ ଅଣୁ ଉପାଦାନ ସମ୍ପୂର୍ଣ୍ଣ ରୂପେ ଅନୁପସ୍ଥିତ ଥାନ୍ତି। ଦକ୍ଷିଣ ଏସିଆରେ ଦେଖାଯାଉଥିବା ମଧୁମେହ ଓ ପୁଷ୍ଟିହୀନତାର ମୁଖ୍ୟ କାରଣ ହେଉଛି ଏକ ମୁଖ୍ୟତଃ ଚାଉଳ ଭିତ୍ତିକ ଆହାର ଅଭ୍ୟାସ ବୋଲି ବିଶେଷଜ୍ଞମାନେ କହିଥାନ୍ତି। ଜାତିସଂଘର ଏକ ଆକଳନ ଅନୁସାରେ ଏସିଆରେ ହାରାହାରି ବାର୍ଷିକ ମୁଣ୍ଡପିଛା ଚାଉଳ ବ୍ୟବହାର ପରିମାଣ ହେଉଛି ଆଫ୍ରିକା, ଆମେରିକା ଓ ଇଉରୋପରେ ମିଳିତ ମୁଣ୍ଡପିଛା ବ୍ୟବହାର ପରିମାଣଠାରୁ ଅଧିକ।

ଏକ ସଦ୍ୟ ପ୍ରକାଶିତ ଆକଳନ ଅନୁସାରେ ଏସିଆ ଓ ଆଫ୍ରିକାରେ ଜନସଂଖ୍ୟା ବୃଦ୍ଧିର ଯେଉଁ ଧାରା ପରିଲକ୍ଷିତ ହେଉଛି, ୨୦୫୦ ବେଳକୁ ସେଥିପାଇଁ ଚାଉଳର ଚାହିଦାରେ ୩୦ ଶତାଂଶ ବୃଦ୍ଧି ଘଟିବ। ଅଧିକ ଅମଳକ୍ଷମ ବିହନ ଉଦ୍ଭାବନ, ଅଧିକ ଜମିରେ ଧାନ ଚାଷ ଆଦି ଦ୍ବାରା ଏହି ଆବଶ୍ୟକତା ପୂରଣ କରାଯାଇପାରେ। କିନ୍ତୁ ଏହାଦ୍ବାରା ଜଳବାୟୁ ପରିବ‌ର୍ତ୍ତନ ପାଇଁ ଧାନ ଚାଷର କ୍ଷତିକାରକ ଅବଦାନ ପୂର୍ବଭଳି ବଳବତ୍ତର ରହିବ ଓ ଧାନ ଚାଷ ପରିବେଶ କାଠଗଡ଼ାରେ ଛିଡ଼ା ହୋଇରହିବ। ଅନ୍ୟ ପାର୍ଶ୍ବରେ ତଣ୍ଡୁଳ ଭକ୍ଷଣ ଏଠାରେ ପୂର୍ବଭଳି ଗୁରୁତର ସ୍ବାସ୍ଥ୍ୟା ସମସ୍ୟା ସୃଷ୍ଟି କରି ଚାଳିବ।

ଏ ଉଭୟ ବିପଦରୁ ରକ୍ଷା ପାଇବାର ଏକ ଉପାୟ ହେଉଛି ଜନ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଓ ତା’ ସହିତ ତାଳ ଦେଇ ଶସ୍ୟ ଉତ୍ପାଦନ ପାଇଁ ଶସ୍ୟ କିସମରେ ପରିବର୍ତ୍ତନ। ଏଇ ପରିପ୍ରେକ୍ଷୀରେ ଦେଶରେ ପାରମ୍ପରିକ ଭାବରେ ନିକୃଷ୍ଟ ବିବେଚିତ ମାଣ୍ଡିଆ ଜାତୀୟ ଶସ୍ୟର ଉତ୍ପାଦନ ଓ ଉପଯୋଗ ନିମିତ୍ତ ଉଭୟ ଭାରତ ଓ ଇଣ୍ଡୋନେସିଆ ଆରମ୍ଭ କରିଥିବା ଉଦ୍ୟମ ହେଉଛି ଏହି ଜଟିଳ ସମସ୍ୟା ସମାଧାନର ପ୍ରକୃଷ୍ଟ ଉପାୟ। ଶୁଷ୍କ, ଅନୁର୍ବର ଜମିରେ ଏହି ଶସ୍ୟ ଉଧେଇ ପାରୁଥିବା ବେଳେ, ଏଥିରେ ଭରପୂର ଥିବା ଖାଦ୍ୟସାର ଏହାକୁ ଚାଉଳ ଅପେକ୍ଷା ବହୁ ଅଧିକ ସ୍ବାସ୍ଥ୍ୟପ୍ରଦ ଓ ପୁଷ୍ଟିକାରକ କରିଥାଏ। ଆମ ନିଜର ସ୍ବାସ୍ଥ୍ୟ ସହିତ ପରିବେଶର ସ୍ବାସ୍ଥ୍ୟ ସୁରକ୍ଷିତ କରିବା ପାଇଁ ଆମକୁ ଅନ୍ନ ସହିତ ରହିଆସିଥିବା ଆମର ନିବିଡ଼ ବନ୍ଧନ ଛିନ୍ନ କରି ଏହି ତଥାକଥିତ ନିକୃଷ୍ଟ ଶସ୍ୟମାନଙ୍କ ସହିତ ନୂତନ ସମ୍ପର୍କ ସ୍ଥାପନ କରିବାକୁ ହେବ।