ରାତି ପାହିଲେ ରାଜଧାନୀ ସହର ଭୁବନେଶ୍ବରର ଜନ୍ମଦିବସ, ୭୫ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ୍ ୧୩ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଵାହରଲାଲ ନେହରୁ ଭୁବନେଶ୍ବରଠାରେ ଓଡ଼ିଶାର ନୂଆ ରାଜଧାନୀର ଭିତ୍ତି ପ୍ରସ୍ତର ସ୍ଥାପନ କଲାବେଳେ କହିଥିଲେ- ବଡ଼ ଆନନ୍ଦର କଥା ଯେ ଗୋଟିଏ ପୁଣ୍ୟ ଓ ପୁରାତନ ଭୂମି ଉପରେ ଏକ ନୂତନ ନଗର ତିଆରି ହେଉଛି। ଦିଲ୍ଲୀ ବାତାବରଣରୁ ଭୁବନେଶ୍ବର ଓ ଏ ପ୍ରାନ୍ତକୁ ଆସି ମୁଁ ସମ୍ପୂର୍ଣ୍ଣ ଏକ ଭିନ୍ନ ତଥା ଶାନ୍ତ ବାତାବରଣ ଦେଖିବାକୁ ପାଉଛି ଯାହା ମୋତେ ବଡ଼ ଭଲ ଲାଗୁଛି। ଦିଲ୍ଲୀ ପରି ଏହି ସହର ଏକ ସାମ୍ରାଜ୍ୟର ପରାକ୍ରମ ଦେଖାଇ ସାଧାରଣ ଜନତା ମନରେ ଭୟ ସଂଚାର କରିବାର ଉଦ୍ଦେଶ୍ୟରେ କରାଯାଉନାହିଁ। ସାଧାରଣ ଲୋକଙ୍କ ଜୀବନ ସାଙ୍ଗେ ସମ୍ବନ୍ଧ ସ୍ଥାପନ କରିବା ଏ ସହରର ଉଦ୍ଦେଶ୍ୟ। ସରଳତା ଭିତରେ ଏହା ସୌନ୍ଦର୍ଯ୍ୟ ଫୁଟାଇବ। ସେହି ଅବସରରେ ଉପସ୍ଥିତ ଥିବା ସେବେକାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଯୋଡ଼ିଥିଲେ- ଇତିହାସ ଓ ଜଳବାୟୁ ସବୁ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ବର ରାଜଧାନୀ ହେବା ପାଇଁ ଉପଯୁକ୍ତ ଜାଗା। କିନ୍ତୁ ଏହା ଆକୃତି ଓ ପ୍ରକୃତିରେ ଦିଲ୍ଲୀଠାରୁ ଅଲଗା ଧରଣର ହେବ। ନେହରୁଙ୍କୁ ମହତାବ ମଧ୍ୟ ପୃଥକ୍ ଜଣାଇଥିଲେ- ଯେଉଁ ପୀଠରେ ଭୁବନେଶ୍ବର ରାଜଧାନୀ ସହର ଭାବେ ଗଢ଼ି ଉଠିବ ତା’ ମାଟିତଳେ ଆଉ ଏକ ରାଜଧାନୀ ଅଛି। ମହତାବଙ୍କ ସେ ବକ୍ତବ୍ୟ ଇଙ୍ଗିତ କରୁଥିଲା ଭୁବନେଶ୍ବରର ଶୈବ, ବୈଷ୍ଣବ, ଶାକ୍ତ, େବୗଦ୍ଧ ଓ ଜୈନାଦି ଐତିହ୍ୟ ଏବଂ କୀର୍ତ୍ତିରାଜି କଥା ଯାହା ସର୍ବଦା ସଂରକ୍ଷିତ ହୋଇ ରହିବା ଦରକାର।
ମନ୍ଦିରମାଳିନୀ, ପୁଷ୍କରିଣୀମୟ ଓ ଜଙ୍ଗଲାଚ୍ଛାଦିତ ଭୁବନେଶ୍ବରରେ ସମୟକ୍ରମେ ଦପ୍ତର, ବଜାର ଓ କେର୍ପାରେଟ୍ କରିଡୋର୍ମାନ ପ୍ରତିଷ୍ଠିତ ହୋଇଛି। ସହରଟି କେତେକ ବିଶେଷଜ୍ଞଙ୍କୁ କଂକ୍ରିଟ୍ ଜଙ୍ଗଲ ଓ ମେଟ୍ରୋନଗରୀ ସମ ପ୍ରତିଭାତ ହୋଇଛି। ଭୁବନେଶ୍ବରର ଜୀବନରେ ପରିବର୍ତ୍ତନ, ରୂପାନ୍ତର ଓ ବିବର୍ତ୍ତନକୁ ବେଶ୍ ଜୀବନ୍ତ ଭାବେ ପରିବେଷଣ କରେ ଅକ୍ଷୟ ମହାନ୍ତିଙ୍କ ସେହି ବହୁଚର୍ଚ୍ଚିତ ଗୀତଟି ଯାହାର କିୟଦଂଶ ହେଲା- ଆଗେ ଥିଲା ବାଘ ଭାଲୁ ଭରା ଏ ଜଙ୍ଗଲ/ ଦେଖେଲୋ ଶୁକୁଟା ବୋଉ/ ଜଳୁଛି ଆଜି ଦାଉ ଦାଉ/ ବାଃ ବାଃ ବାଃରେ କାପିଟେଲ/ ବାଃରେ କାପିଟେଲ। ପ୍ରଭୁତ୍ବ ଦୃଷ୍ଟିରୁ ଭୁବନେଶ୍ବରର ପରିଚୟ ଏମିତି ଯେ ଏକଦା ଚିଠି ଲେଖୁଥିଲାବେଳେ ଠିକଣା ଦେଲାବେଳେ ଭୁବନେଶ୍ବରକୁ ପୂରା ଏଗାରଟି ଇଂରେଜୀ ଅକ୍ଷରରେ ନ ଲେଖି ଚାରିଟି ଅକ୍ଷରରେ ‘ବି.ବି.ଏସ୍.ଆର.’ ଲେଖୁଥିଲେ ଏବଂ ତଳେ ଜିଲ୍ଲା ଜାଗାରେ ପୁରୀ କିମ୍ବା ଖୋର୍ଦ୍ଧା ଲେଖି ଭୁବନେଶ୍ବରର ଗୁରୁତ୍ବ ହ୍ରାସ କରିବାକୁ ଉଚିତ୍ ମଣୁନଥିଲେ।
ନୂଆ ରାଜଧାନୀ ଭୁବନେଶ୍ବରର ଯୋଜନା, ନକ୍ସା, ଡିଜାଇନ୍ ଓ ସହରୀ ସଂରଚନା ପ୍ରସ୍ତୁତ କରିଥିଲେ ପ୍ରଥମେ ପ୍ରଖ୍ୟାତ ଆର୍କିଟେକ୍ଟ ଓଟ୍ଟୋ କୋଏନିଗସ୍ବର୍ଗର (ଓଟ୍ଟୋ)। ସିଏ ଥିଲେ ମୂଳତଃ ଜଣେ ଜର୍ମାନ ଓ ଇହୁଦୀ ଯିଏ ପରେ ଭାରତ ଓ ଇଂଲାଣ୍ଡ୍ର ନାଗରିକ ହୋଇଥିଲେ। ୧୯୩୬ ବର୍ଲିନ୍ ଅଲିମ୍ପିକ୍ ପାଇଁ ଷ୍ଟାଡିଅମ୍ର ନକ୍ସା ପ୍ରସ୍ତୁତ କରିବାରେ ଓଟ୍ଟୋଙ୍କର ପ୍ରମୁଖ ଭୂମିକା ଥିଲା। ସେ ପରିକଳ୍ପନାଟି କାର୍ଯ୍ୟକାରୀ ହେବା ଦୂରର କଥା; ୧୯୩୩ ମସିହାରେ ହିଟଲର୍ଙ୍କ ନାଜୀ ଦଳ ଶାସନକୁ ଆସନ୍ତେ ଇହୁଦୀ ବିରୋଧୀ ଦମନ ଓ ଉତ୍ପୀଡ଼ନ ଯୋଗୁଁ ଓଟ୍ଟୋଙ୍କୁ ଜର୍ମାନୀରୁ ପଳାୟନ କରିବାକୁ ପଡ଼ିଲା। ଦୁଇବର୍ଷ ଖଣ୍ଡେ ତାଙ୍କୁ ରାଷ୍ଟ୍ରବିହୀନ ବ୍ୟକ୍ତିସତ୍ତାରେ ବଞ୍ଚିବାକୁ ପଡ଼ିଥିଲା। ଇଜିପ୍ଟରେ ପହଞ୍ଚିଲା ପରେ ତାଙ୍କୁ ଭଲ ସୁଯୋଗ ଓ କାମ ମିଳିଗଲା। ହେଲେ ସେଠାକାର ଜଳବାୟୁ ଯୋଗୁଁ ସେଠି ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଗଲା। ଆଗରୁ ୧୮ ବର୍ଷ ବୟସରେ ସିଏ ଯକ୍ଷ୍ମାକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ ଏବଂ ଡାକ୍ତର କହି ଦେଇଥିଲେ- ଆଉ ବେଶି ଦିନ ନୁହେଁ। ଇଜିପ୍ଟର ଜଳବାୟୁରୁ ତେଣୁ ନିସ୍ତାର ପାଇବା ପାଇଁ ସିଏ ମଝିରେ ମଝିରେ ରହୁଥିଲେ ସୁଇଜର୍ଲ୍ୟାଣ୍ଡରେ।
ବିଶ୍ବବିଖ୍ୟାତ ପଦାର୍ଥ ବିଜ୍ଞାନୀ ମାକ୍ସ ବର୍ଣ୍ଣ ହେଉଛନ୍ତି ଓଟ୍ଟୋଙ୍କ ଅତି ଆତ୍ମୀୟ। ସିଏ ବି ସମାନ କାରଣରୁ ଜର୍ମାନୀରୁ ପଳେଇଯିବାକୁ ବାଧ୍ୟ ହୋଇଥିଲେ। ପରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ବର୍ଣ୍ଣଙ୍କ ରଚିତ ଅତି ପ୍ରସିଦ୍ଧ ‘‘ଦି ରେଷ୍ଟ୍ଲେସ୍ ୟୁନିଭର୍ସ’’ ପୁସ୍ତକର ପୃଷ୍ଠାମାନଙ୍କୁ ମଣ୍ଡନ କରୁଥିବା ରେଖାଙ୍କନ ଓ ଅଳଙ୍କରଣ- ସମୁଚିତ ଓ ଚମତ୍କାର- ଥିଲା ଓଟ୍ଟୋଙ୍କର। ଏକଦା ସି.ଭି. ରମଣଙ୍କ ଆମନ୍ତ୍ରଣ କ୍ରମେ ବର୍ଣ୍ଣ ରହୁଥାନ୍ତି ବାଙ୍ଗାଲୋର୍ରେ। ସେଠି ତାଙ୍କର ସାକ୍ଷାତ ଓ ପରିଚୟ ହୁଏ ମହୀଶୂରର ଦେୱାନ୍ ମିର୍ଜା ଇସ୍ମାଇଲଙ୍କ ସହ। ଇସ୍ମାଇଲ୍ ଖୋଜୁଥିଲେ ଜଣେ କୁଶଳୀ ଆର୍କିଟେକ୍ଟଙ୍କୁ। ବର୍ଣ୍ଣଙ୍କୁ ଅନୁରୋଧ କରନ୍ତେ ସିଏ ଓଟ୍ଟୋଙ୍କ ନାମ ସୁପାରିସ୍ କରିଥିଲେ। ଓଟ୍ଟୋଙ୍କୁ ଇସ୍ମାଇଲ୍ ମହୀଶୂରର ମୁଖ୍ୟ ପ୍ଲାନର୍ ଓ ଆର୍କିଟେକ୍ଟର ଦାୟିତ୍ବ ସମର୍ପିବାକୁ ଠିକ୍ କରି ଯୋଗାଯୋଗ କରିଥିଲେ। ଲଣ୍ଡନ ଯାଏ ସୁଇଜର୍ଲ୍ୟାଣ୍ଡରୁ ବିମାନରେ, ସେଠୁ କଲମ୍ବୋ ଜାହାଜରେ ଓ କଲମ୍ବୋରୁ ଭାରତ ପହଞ୍ଚିଥିଲେ ବଡ଼ ଡଙ୍ଗାରେ ଓଟ୍ଟୋ। ବାଙ୍ଗାଲୋରର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର କେତେକ କୋଠା ଓ ବମ୍ବେର ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚର କିଛି ଅଂଶର ଡିଜାଇନ୍ ପ୍ରସ୍ତୁତ କରିଥିଲେ ସିଏ ଏବଂ ଜାମସେଦପୁରର ଟାଉନ୍ ପ୍ଲାନିଂ ସହ ମଧ୍ୟ ସଂଶ୍ଲିଷ୍ଟ ହୋଇଥିଲେ।
ବାଙ୍ଗାଲୋରରେ ଓଟ୍ଟୋଙ୍କ ରହଣି କାଳରେ ଓଡ଼ିଶା ସରକାର ତାଙ୍କ ମାର୍ଗଦର୍ଶନ ଲୋଡ଼ିଥିଲେ ନୂଆ ରାଜଧାନୀ ସହର ଭୁବନେଶ୍ବର ତିଆରି ନିମନ୍ତେ। ସେଥିପାଇଁ ସିଏ ସମ୍ମତି ଜଣାଇଥିଲେ ଏବଂ ସବୁ ବିଚାରରୁ ଦେଖିଲେ ସିଏ ଥିଲେ ଭୁବନେଶ୍ବରକୁ ନୂଆ ରାଜଧାନୀ ସହର ରୂପ ଦେବାରେ ପ୍ରଥମ ଟାଉନ୍ ପ୍ଲାନର୍। ଓଟ୍ଟୋଙ୍କ ଭୁବନେଶ୍ବର ସହର ନିର୍ମାଣ ନକ୍ସାର ଦର୍ଶନ ଥିଲା ଏଇ ଭଳି- ଶିଷ୍ଟ ଓ ସର୍ବସାଧାରଣ ଭିତରେ ଭେଦଭାବ ସୃଷ୍ଟି କରିବନି ଆର୍କିଟେକ୍ଚର୍; ସହରର ନିର୍ମାଣମାନ ଦ୍ବୀପ ଭଳି ନହୋଇ ଆଖପାଖ ଓ ବୃହତ୍ତର ସାମାଜିକ ସମୁଦାୟ ସହ ସଂଲଗ୍ନ ହୋଇଯାଉଥିବ; ଗୋଟିଏ ଇଲାକାର ବିଭିନ୍ନ ଭାଗ ଗଛର ଡାଳ ଭଳି ସମ୍ପର୍କିତ ହେଉଥିବେ; କୋଠାବାଡ଼ିର ଝରକା-କବାଟ-ବାରଣ୍ଡା ଏମିତି ହେବ ଯେ ଦକ୍ଷିଣା-ପୂବେଇ ପବନର ସଦୁପଯୋଗ ଫଳରେ ଶୀତତାପ ନିୟନ୍ତ୍ରଣର ସେତେଟା ଆବଶ୍ୟକତା ପଡୁନଥିବ; କେବେ ଯଦି ଭୁବନେଶ୍ବର ଲଣ୍ଡନ ଭଳି ହୋଇଯାଏ ତଥାପି ଲୋକେ ଅତି ଅଳ୍ପ ସମୟ ଭିତରେ ଖୋଲା ମେଲା ଜାଗାରେ ଯାଇ ପହଞ୍ଚି ପାରୁଥିବେ; ଉଭୟ ବ୍ୟାବହାରିକ ସୁଫଳ ଓ ସାମାଜିକ ଦାୟିତ୍ବବୋଧ ସୁନିଶ୍ଚିତ କରିବା ଆର୍କିଟେକ୍ଚର୍ର କାମ; ସହରୀ ନିର୍ମାଣ ଶିଳ୍ପ କଳା ଦୃଷ୍ଟିରୁ ଭୁବନେଶ୍ବର ଅସୀମ ସଂପ୍ରସାରଣର ସମ୍ଭାବନା ଏମିତି ହାସଲ କରିଥିବ ଯେ ବିକାଶର ପ୍ରତି ପର୍ଯ୍ୟାୟରେ ପ୍ରତିଫଳିତ ହେଉଥିବ ସୁସ୍ଥ ଓ ଜୈବିକ ଢାଞ୍ଚା; ବିଜ୍ଞାନ, ଆଧୁନିକତା ଓ ଧର୍ମନିରପେକ୍ଷତାକୁୁ ଆଧାର କରି ସବୁ ନୂଆ ନିର୍ମାଣ ଗଢ଼ି ଉଠିବ ଏବଂ ଏକ ସରଳରୈଖିକ ଶୈଳୀ ଅବଲମ୍ବନ କରାଯିବ ଇତ୍ୟାଦି ଇତ୍ୟାଦି। ତାଙ୍କ ପ୍ରାରମ୍ଭିକ ପରିକଳ୍ପନାଟି ଥିଲା ୪୦,୦୦୦ ଲୋକଙ୍କୁ ଆଖିରେ ରଖି ଏବଂ ଏକ ସମ୍ପୂର୍ଣ୍ଣ, ସ୍ବାଧୀନ, ପୃଥକ୍ ଓ ଗଣତାନ୍ତ୍ରିକ ରାଜଧାନୀ ସହରର ବ୍ୟକ୍ତିତ୍ବକୁ ବିଚାରକୁ ନେଇ।
ଓଟ୍ଟୋ ଓଡ଼ିଶାରେ ଆସି ପହଞ୍ଚିଥିଲେ ୧୯୪୮ ମସିହା ଫେବ୍ରୁଆରି ମାସରେ। ତା’ ଆଗରୁ ୧୯୪୫ ମସିହାରେ ଓଡ଼ିଶା ତରଫରୁ ଜୁଲିଅସ୍ ଭାଜ୍ (ଭାଜ୍)ଙ୍କ ସହ ଏକ ଚୁୁକ୍ତି ହୋଇଥିଲା ଏବଂ ତାଙ୍କୁ ଓଡ଼ିଶାର ପ୍ରଥମ ମୁଖ୍ୟ ସରକାରୀ ଆର୍କିଟେକ୍ଟ ଭାବେ ନିଯୁକ୍ତି ମିଳିଥିଲା। ନିଜ କାମ ଭିତରେ ତାଙ୍କର ଅନ୍ୟତମ ମୁଖ୍ୟ କାମ ଥିଲା ରାଜଧାନୀ ସହର ନିର୍ମାଣ। ଭାଜ୍ ଥିଲେ ଲାଜୁଆ ଓ ହାସ୍ୟରସ ପ୍ରିୟ ଏବଂ ଅବିବାହିତ। ଖରାଦିନେ ସିଏ ଲମ୍ବା ଛୁଟିରେ ଚାଲିଯାଉଥିଲେ ବମ୍ବେ, ତାଙ୍କ ପରିବାର ସହ ସମୟ କାଟିବାକୁ ଓ ଗୁରୁଙ୍କୁ ଭେଟିବାକୁ। ସେ ଭଳି ଲମ୍ବା ଛୁଟିର ରିହାତି ଥିଲା ଚୁକ୍ତିଟିରେ। ଭାଜ୍ ଥିଲେ ଗୋଆର, ଖିରସ୍ତାନୀ; ରହିଲେ ଆସି ବମ୍ବେରେ କାରଣ ତାଙ୍କ ପିତାମାତା ପର୍ତ୍ତୁଗୀଜ୍ ଗୋଆ ଛାଡ଼ି ବ୍ରିଟିସ୍ ବମ୍ବେ ଆସିବାକୁ ମନସ୍ଥ କରିଥିଲେ। ବମ୍ବେର ଅତି ଖ୍ୟାତ ଓ ମର୍ଯ୍ୟାଦାବନ୍ତ ଜେ.ଜେ. ସ୍କୁଲ ଅଫ୍ ଆର୍ଟରୁ ସିଏ ପଢ଼ିଥିଲେ, ଯେଉଁଠୁ ସିଏ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ସେଇଠି ତାଙ୍କୁ ଗୁରୁ ଓ ମାର୍ଗଦର୍ଶକ ଭାବେ ମିଳିଥିଲେ ଅନୁଷ୍ଠାନର ମୁଖ୍ୟ କ୍ଲଡ୍ ବାଟ୍ଲେ ଯାହାଙ୍କର ଅମୂଲ୍ୟ ଅବଦାନ ଥିଲା ବମ୍ବେର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ, ବମ୍ବେ ଜିମ୍ଖାନା, କ୍ରିକେଟ୍ କ୍ଲବ୍ ଓ ଚୌଦ୍ବାରର ଓ.ଟି.ଏମ୍ ଆଦିର ନିର୍ମାଣ ନକ୍ସା ପ୍ରସ୍ତୁତିରେ। ସିଏ ଲେଖିଥିବା ‘‘ଦି ଡିଜାଇନ୍ ଡେଭଲପ୍ମେଣ୍ଟ ଅଫ୍ ଇଣ୍ଡିଆନ୍ ଆର୍କିଟେକ୍ଚର୍’’ ପୁସ୍ତକଟି ଭାଜ୍ଙ୍କୁ ବେଶ୍ ପ୍ରଭାବିତ କରିଥିଲା ଏବଂ ସେଇ ପ୍ରଭାବରେ ନିଜ ନିର୍ମାଣ ଶିଳ୍ପ କଳା ଓ ଶାସ୍ତ୍ରରେ ସିଏ ପରଂପରା-ଆଧୁନିକତାର ସମ୍ମିଶ୍ରଣର ପ୍ରୟୋଗ ଚେଷ୍ଟା କରିଥିଲେ। ଭୁବେନଶ୍ବରର ଅନେକ ଗୁରୁତ୍ବପୂର୍ଣ୍ଣ ଢାଞ୍ଚା ଓ ଡିଜାଇନ୍ ଭିତରୁ ରାଜଭବନ, ବିଧାନସଭା, ସଚିବାଳୟ ଓ ରବୀନ୍ଦ୍ର ମଣ୍ଡପ ପ୍ରଭୃତିର ଡିଜାଇନ ପଛରେ ଭାଜ୍ଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା।
ଇହୁଦୀ ଓଟ୍ଟୋ ଓ ଖିରସ୍ତାନୀ ଭାଜ୍ଙ୍କ ଶୈଳୀ, ଆଭିମୁଖ୍ୟ, ଚିନ୍ତାଧାରା ଓ କାର୍ଯ୍ୟ ପ୍ରଣାଳୀ ଥିଲା ଅଲଗା ଅଲଗା। ଓଟ୍ଟୋ ଥିଲେ ସ୍ପଷ୍ଟ, ବିଧିବଦ୍ଧ ଓ ଉଦ୍ଦେଶ୍ୟ ସାଧନକାରୀ ସହର ନିର୍ମାଣ ଶିଳ୍ପ କଳା ଶୈଳୀର; ଭାରତୀୟ ସଂସ୍କୃତିର ଛାପ ବହନ କରୁଥିବା ଭାଜ୍ ଚାହୁଁଥିଲେ ସେଇ ନିର୍ଦ୍ଦିଷ୍ଟ ଜାଗାଟିର ବିବିଧ ବ୍ୟବହାର ହେଉ ବୋଲି। ଅନେକ ମଧ୍ୟ ଭୁବନେଶ୍ବରର ପ୍ରଥମ ପ୍ଲାନ୍ର ଓ ଓଡ଼ିଶାର ପ୍ରଥମ ସରକାରୀ ଆର୍କିଟେକ୍ଟଙ୍କ ଭିତରେ ତାଳମେଳଗତ ସମସ୍ୟା ଲକ୍ଷ୍ୟ କରିଥିଲେ। ଦୁହେଁ ଅନେକ ସମୟରେ ଭୁବନେଶ୍ବର ବାହାରେ - ଓଟ୍ଟୋ ବାଙ୍ଗାଲୋର ଓ ଦିଲ୍ଲୀରେ ଏବଂ ଭାଜ୍ ବମ୍ବେରେ - ରହୁଥିବାରୁ ଦୁହିଁଙ୍କ ଭିତରେ ନିୟମିତ ବିଚାର ବିମର୍ଶ ସମ୍ଭବ ହୋଇ ପାରୁନଥିଲା। ଓଟ୍ଟୋ ପୁଣି ନେହରୁଙ୍କ ଉପଦେଶ କ୍ରମେ ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଆବାସ ନିର୍ମାଣ ସଂସ୍ଥାନର ନିର୍ଦ୍ଦେଶକ ଭାବେ ଦାୟିତ୍ବ ସଂପାଦନ କରୁଥିଲେ। େଶଷରେ ଯେତେବେଳେ ଓଟ୍ଟୋ ଭାରତ ଛାଡ଼ି ସ୍ଥାୟୀ ଭାବେ ଲଣ୍ଡନ ଗଲେ ସେଠି ପଢ଼େଇବା ପାଇଁ ସେତେବେଳେ ହିଁ ଭାଜ୍ ବୁଝିପାରିଲେ ଓଟ୍ଟୋଙ୍କ ଅସଲ ଗୁରୁତ୍ବ ଓ ପ୍ରକୃତ ଅନୁପସ୍ଥିତି। ନିଜର କେତେ ଜଣ ପରମ ମିତ୍ରଙ୍କୁ ଭାଜ୍ କହିଥିଲେ ସହରୀ ଆର୍କିଟେକ୍ଚର୍ ଓ ଆକ୍ସନ ପ୍ଲାନିଂରେ ଓଟ୍ଟୋଙ୍କ ସରି କିଏ ହେବ? ୧୯୫୧ରେ ଓଟ୍ଟୋଙ୍କ ଓଡ଼ିଶା ସମ୍ପର୍କ ସରିଯାଇଥିଲା, ଭାଜ୍ କିନ୍ତୁ ରହିଲେ ୧୯୬୦ ଯାଏ।
ଈଶ୍ବର ଗାଁ ତିଆରି କରିଥିଲେ ଓ ମଣିଷ ଗଢ଼ିଥିଲା ସହର- ଏ ଭଳି ଏକ ଉକ୍ତିଟିଏ ଅଛି। ବେଳେବେଳେ ଭୁବନେଶ୍ବରର ତୁଳନା ଚଣ୍ଡୀଗଡ଼ ସହ କରାଯାଏ, ସହରୀ ନିର୍ମାଣ ଶିଳ୍ପ କଳା ଦୃଷ୍ଟିରୁ। କିନ୍ତୁ ସେଠି ଲା କବୁଜିଅର୍ ଯେଉଁ ଅଖଣ୍ଡ ସ୍ବାଧୀନତା ପାଇଥିଲେ ତାହା ସବୁ ସହରର ଭାଗ୍ୟରେ ମିଳେ ନାହିଁ। ପୁଣି ଚଣ୍ଡୀଗଡ଼ କହିଲେ ନେକ୍ଚାନ୍ଦ ନାମକ ଜଣେ ସମାନ୍ତରାଳ, ବିକଳ୍ପ ସ୍ଥପତିଙ୍କ କଥା ଉଠେ ଯିଏ ଗୋପନରେ ଓ ଅନେକ ବର୍ଷ ଧରି ଭଙ୍ଗା କାଚ, ଦଦରା ମାଟିପାତ୍ର, ପରିତ୍ୟକ୍ତ ଚୁଡ଼ି, ଫଟା ପଥର ଟୁକୁଡ଼ା ଓ ବହୁ ବ୍ୟବହୃତ କେତେ ନା କେତେ ମାମୁଲି ଉପାଦାନରୁ ନାରୀ, ପୁରୁଷ, ପଶୁ, ପକ୍ଷୀ, ଲେମ୍ବୁ, ଆଳୁ ଓ ଟମାଟୋର ପ୍ରତିକୃତି ତିଆରି କରିଥିଲେ; ସବୁ ଅବିକଳ ଓ ପ୍ରାକୃତିକ ଆବେଦନରେ ଉଭା। ନେକ୍ଚାନ୍ଦଙ୍କ ସେ ସର୍ଜନା ରକ୍ ଗାର୍ଡେନ୍ର ସ୍ବୀକୃତି ପାଇଲା। ସହରକୁ ମଣିଷ ମଧ୍ୟ ଈଶ୍ବରଙ୍କ ଦିବ୍ୟ ଉନ୍ମାଦ ଓ ଉଚ୍ଛ୍ବାସ ଦେଇ ଗଢ଼ିବାକୁ ଚେଷ୍ଟା କରିଥାଏ। ଭୁବନେଶ୍ବରର ଜନପଥ ଓ ରାଜପଥର ଧୂଳିକଣା ଏବଂ ୟୁନିଟ୍, ବିହାର ଓ ନଗରର ଅଦୃଶ୍ୟ ଚେତନା, ଗର୍ଭିତ ଭାବନା ଥରକୁ ଥର ମନେ ପକାଇଦିଏ ଓଟ୍ଟୋଙ୍କ ମାଷ୍ଟର ପ୍ଲାନ୍ର ଉନ୍ମାଦ ଓ ଉଚ୍ଛ୍ବାସ ବିଷୟରେ।
ମୋ: ୯୪୩୭୩୦୭୦୭୯