ଟୁଆଁଟୁଇଁ ଯେତେବେଳେ ପିଠା ତିଆରି କରିବା ପାଇଁ ଜାଳ ସଂଗ୍ରହ କରିବାକୁ ଯାଇ ଜଙ୍ଗଲରେ ପହଞ୍ଚି ଏକ ଗଛରୁ ଶୁଖିଲା ଡାଳ ଖଣ୍ଡେ ଭାଙ୍ଗନ୍ତି, ସେ ମଡ଼ ମଡ଼ ଶବ୍ଦ ଶୁଣି ବଣ ଭିତରୁ କିଏ ଜଣେ ଗର୍ଜନ କରି ଉଠେ: ‘‘ମୋ ଜଙ୍ଗଲରେ କିଏ ରେ’’? ଟୁଆଁଟୁଇଁ ଭୟରେ ଜଡ଼ସଡ଼ ହୋଇ ଖନେଇ ଖନେଇ କହିପକାନ୍ତି: ‘‘ମାମୁ ଆମେ ଟୁଆଁଟୁଇଁ।’’ ପୂର୍ବ ପିଢ଼ିର ପ୍ରତ୍ୟେକ ପିଲା ସୁପରିଚିତ ଥିବା ତା’ପରର ଘଟଣାବଳୀ ଏଠାରେ ବର୍ଣ୍ଣନା କରିବାର ଅବକାଶ ନାହିଁ; ଏତିକି କହିଲେ ଯଥେଷ୍ଟ ହେବ ଯେ ମାମୁଙ୍କୁ ମଧ୍ୟ ପିଠା ଖାଇବାକୁ ଘରକୁ ଆସିବାକୁ ନିମନ୍ତ୍ରଣ ଜଣାଇବା ପରେ ଟୁଆଁଟୁଇଁ ଜାଳ କାଠ ସଂଗ୍ରହ କରି ଘରକୁ ଫେରିଥିଲେ।
ମାମୁ ଜଣକ ହେଲେ- ମହାବଳ ବାଘ। ଏକ ଭୟଙ୍କର ବନ୍ୟଜନ୍ତୁର ପରିଚୟକୁ ଅତିକ୍ରମ କରି ବାଘ କିପରି ଆମ ଲୋକ ସଂସ୍କୃତିର ଏକ ପ୍ରିୟ ଅଂଶରେ ପରିଣତ ହୋଇ ଯାଇଥିଲା, ଏଇ ପିଲାଙ୍କ କାହାଣୀଟି ହେଉଛି ତାହାର ଅନ୍ୟତମ ଉଦାହରଣ। ଏହା ସତ୍ତ୍ବେ ୧୯୬୦ ଦଶକ ବେଳକୁ ଅବାଧ ଶିକାର ଓ ତାଙ୍କର ବାସସ୍ଥଳୀ ସଂକୋଚନ ଯୋଗୁଁ ମାମୁଙ୍କ ଅବସ୍ଥା ଏଠାରେ ଏପରି ସଂକଟାପନ୍ନ ହୋଇ ପଡ଼ିଥିଲା ଯେ ସେ ସମ୍ପୂର୍ଣ୍ଣ ବିଲୟର ସମ୍ମୁଖୀନ ହୋଇଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ସମୟରେ ଟୁଆଁଟୁଇଁ କାଠ ପାଇଁ ବଣକୁ ଗଲେ ତାଙ୍କୁ ଆକଟ କରିବାକୁ ଆଉ କେହି ନ ଥିଲା। ସୌଭାଗ୍ୟକୁ ଏଭଳି ସଙ୍ଗୀନ ପରିସ୍ଥିତିରୁ ମାମୁଙ୍କୁ ଉଦ୍ଧାର କରିବା ନିମିତ୍ତ ଭାରତ ସରକାର ଆଗେଇ ଆସି ପ୍ରଥମେ ୧୯୬୮ରେ ଦେଶରେ ବାଘ ଶିକାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରି ଦେଲେ। ତା’ପରେ ଭାରତର ଲୋକ ସଂସ୍କୃତିରେ ମହାବଳ ବାଘର ଉପରବର୍ଣ୍ଣିତ ସ୍ଥାନକୁ ସ୍ବୀକୃତି ପ୍ରଦାନ ସ୍ବରୂପ ସରକାର ୧୯୭୩ରେ ତାକୁ ଭାରତର ଜାତୀୟ ପ୍ରାଣୀ ରୂପେ ଅଭିଷିକ୍ତ କରି ଦେଲେ।
ଏଥିପୂର୍ବରୁ ବାଘର ଦଶା ଯୋଗୁଁ ସୃଷ୍ଟି ହୋଇଥିବା ସଚେତନତାର ଅନ୍ୟ ଏକ ସୁଫଳ ସ୍ବରୂପ ସମସ୍ତ ବନ୍ୟ ପଶୁପକ୍ଷୀ, ଉଦ୍ଭିଦ ଓ ପରିବେଶର ସୁରକ୍ଷା ଉଦ୍ଦେଶ୍ୟରେ ୧୯୭୨ରେ ଏକ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ପ୍ରଣୀତ ହୋଇଥିଲା। ମହାବଳ ବାଘ ଜାତୀୟ ପ୍ରାଣୀର ମର୍ଯ୍ୟାଦା ଲାଭ କରିବା ପରେ ପରେ ତା’ର ସୁରକ୍ଷା ଓ ବଂଶ ବୃଦ୍ଧି ନିଶ୍ଚିତ କରିବା ନିମିତ୍ତ ଦେଶରେ ବର୍ତ୍ତମାନ ସୁଖ୍ୟାତି ଲାଭ କରିଥିବା ‘ପ୍ରୋଜେକ୍ଟ ଟାଇଗର୍’ର ଶୁଭାରମ୍ଭ ହୋଇଥିଲା। ପ୍ରଥମେ ନ’ଟି ବ୍ୟାଘ୍ର ଅଭୟାରଣ୍ୟକୁ ନେଇ ଆରମ୍ଭ କରାଯାଇଥିବା ସେଇ ପ୍ରକଳ୍ପ ବର୍ତ୍ତମାନ ୫୪ଟି ଅଭୟାରଣ୍ୟକୁ ସମ୍ପ୍ରସାରିତ ହୋଇଛି। ପୃଥିବୀର ୧୩ଟି ଦେଶରେ ବାଘକୁ ସୁରକ୍ଷା ପ୍ରଦାନ ନିମିତ୍ତ ଉଦ୍ୟମ ଚାଲୁ ରହିଛି ସତ, କିନ୍ତୁ ଭାରତ ଏ କ୍ଷେତ୍ରରେ ହାସଲ କରିଥିବା ବିରଳ ସଫଳତାର ପ୍ରମାଣ ସ୍ବରୂପ ପୃଥିବୀରେ ଥିବା ବାଘ ସଂଖ୍ୟାର ୭୫ ଶତାଂଶ ବର୍ତ୍ତମାନ ବାସ କରୁଛନ୍ତି ଭାରତରେ। ‘ପ୍ରୋଜେକ୍ଟ ଟାଇଗର୍’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ସୂଚନା ଅନୁସାରେ ଭାରତରେ ବାଘ ସଂଖ୍ୟା ଏବେ ୩୦୦୦ ଅତିକ୍ରମ କରି ୩,୧୬୭ ଛୁଇଁଛି।
ତେବେ ଭାରତରେ ବାଘ ସୁରକ୍ଷା ଉଦ୍ୟମ ହାସଲ କରିଥିବା ଏହି ସଫଳତାର ଗତିପଥ ସୁଗମ କିମ୍ବା ସିଧାସଳଖ ହୋଇନାହିଁ। ଚୋରା ଶିକାର ଓ ତା’ର ଖାଦ୍ୟ ସନ୍ଧାନ ଇଲାକାର ସଂକୋଚନ ବାଘର ସ୍ଥିତି ସଂକଟାପନ୍ନ ହେବା ପଛରେ ମୁଖ୍ୟ କାରଣ ରୂପେ କାର୍ଯ୍ୟ କରିଛି। ଚୀନ୍ ଓ କେତେକ ପୂର୍ବ ଏସୀୟ ଦେଶମାନଙ୍କରେ ବାଘର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ପାଇଁ ବଳବତ୍ତର ଥିବା ପାରମ୍ପରିକ ଚାହିଦାର ଅର୍ଥକରୀ ଚାପ ଏଠାରେ ବାଘର ଚୋରା ଶିକାରକୁ ପ୍ରବଳ ପ୍ରୋତ୍ସାହନ ଯୋଗାଇଥାଏ। େସ ଅଞ୍ଚଳରେ ଲୋକପ୍ରିୟ ଥିବା ବିଭିନ୍ନ ଦେଶୀୟ ଔଷଧ ପ୍ରସ୍ତୁତିରେ ବାଘର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆବଶ୍ୟକ ଉପାଦାନ ରୂପେ ବ୍ୟବହୃତ ହୋଇଥାଏ। ଅନ୍ୟ ବିପଦଟି େହଲା, ଜଙ୍ଗଲ କ୍ଷୟ ଓ ମାନବୀୟ ଅନୁପ୍ରବେଶ ଯୋଗୁଁ ବାଘର ଚରାଭୂଇଁ ସଂକୁଚିତ ହୋଇଥାଏ। ଏକ ସମୟରେ ପରିସ୍ଥିତି ଏଭଳି ହୋଇଥିଲା ଯେ ସଂରକ୍ଷଣ କ୍ଷେତ୍ରରେ ସକ୍ରିୟ ଥିବା ଅନେକ ସଂଗଠନ ୧୯୯୩ରେ ଭବିଷ୍ୟବାଣୀ କରିବାକୁ ପଛାଇନଥିଲେ ଯେ ଉପରୋକ୍ତ କାରଣମାନ ଯୋଗୁଁ ଓ ବିଶେଷ କରି ବ୍ୟାପକ ଚୋରା ଶିକାର ଯୋଗୁଁ ୨୦୦୦ ସାଲ ଶେଷ ବେଳକୁ ଭାରତରେ ବାଘ ବଂଶ ସମ୍ପୂର୍ଣ୍ଣ ରୂପେ ଲୋପ ପାଇଯାଇଥିବ।
ଅବଶ୍ୟ ସେ ଭବିଷ୍ୟବାଣୀ ସତ ହୋଇନଥିଲା, କିନ୍ତୁ ୨୦୦୬ େବଳକୁ ଦେଶରେ ବାଘ ସଂଖ୍ୟାରେ ଏକ ତୀବ୍ର ସ୍ଖଳନ ଘଟି ତାହା ଆସି ପହଞ୍ଚିଥିଲା ମାତ୍ର ୧,୪୧୧ଟି ଜନ୍ତୁରେ। ତା’ର ପରବର୍ତ୍ତୀ ସମୟରେ ଆଧୁନିକ ସର୍ବେକ୍ଷଣ କୌଶଳ ପ୍ରୟୋଗ, ସୁରକ୍ଷା ପ୍ରଦାନ ବ୍ୟବସ୍ଥାରେ ଉନ୍ନତି ଓ ସର୍ବୋପରି ବ୍ୟାଘ୍ର ସଂରକ୍ଷଣ ପ୍ରତି ଜନସମର୍ଥନରେ ଉଲ୍ଲେଖନୀୟ ବୃଦ୍ଧିର ଫଳ ସ୍ବରୂପ ବର୍ତ୍ତମାନ ‘ପ୍ରୋଜେକ୍ଟ ଟାଇଗର୍’ ସଗର୍ବରେ ତା’ର ପଚାଶ ବର୍ଷ ପୂର୍ଣ୍ଣ କରିପାରିଛି। ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ ଗୋଟିଏ ମହାବଳ ବାଘର ହାରାହାରି ଆୟୁ କାଳ ହେଉଛି ୨୦ ବର୍ଷ; ଅର୍ଥାତ୍ ନୂତନ ଭାବରେ ଜନ୍ମିତ ବାଘ ଛୁଆମାନେ ସୁରକ୍ଷିତ ରହି ବର୍ତ୍ତମାନର ବାଘ ସଂଖ୍ୟାକୁ ପରିପୁଷ୍ଟ କରିଛନ୍ତି- ଏହାହିଁ ହେଉଛି ‘ପ୍ରୋଜେକ୍ଟ ଟାଇଗର୍’ର ଅସଲ ସଫଳତା।
ତେବେ ବେଳେ ବେଳେ ଏକ ପ୍ରଶ୍ନ ଉଠିଥାଏ, ବାଘ ଭଳି ଏକ ବିପଜ୍ଜନକ ଜନ୍ତୁକୁ ସୁରକ୍ଷା ପ୍ରଦାନ ନିମିତ୍ତ ଏଭଳି ବ୍ୟାପକ ଉଦ୍ୟମ କେବଳ ମାତ୍ର ଏକ ଭାବପ୍ରବଣତା ନୁହେଁ କି? ଅବଶ୍ୟ ବର୍ତ୍ତମାନ ଏଭଳି ପ୍ରଶ୍ନ ଓ ଏହାର ଉତ୍ତର ଏଭଳି ଘଷରା ହୋଇଗଲାଣି ଯେ ତାହାର ପୁନରାବୃତ୍ତି ଅନାବଶ୍ୟକ ହୋଇଗଲାଣି। ତଥାପି ଏ ପ୍ରଶ୍ନର ଦୁଇଟି ଉତ୍ତର ଏଠାରେ ଉପସ୍ଥାପନ କରିବା ଅସମୀଚୀନ ହେବ ନାହିଁ। ଗୋଟିଏ ହେଉଛି ନୈତିକ ଶ୍ରେଣୀର। ଦାର୍ଶନିକ ପିଟର୍ ସିଙ୍ଗର୍ଙ୍କର ପ୍ରସିଦ୍ଧ ପୁସ୍ତକ ‘ଆନିମଲ୍ ଲିବରେସନ୍’ (‘ଜୀବ ମୁକ୍ତି’) ୧୯୭୫ରେ ପ୍ରକାଶିତ ହେବା ପରେ ଏହା ବହନ କରୁଥିବା ଯେଉଁ ଏକ ଧାରଣା ଏବେ ମୁଖ୍ୟ ସ୍ରୋତର ଅଂଶ ପାଲଟି ସାରିଲାଣି, ତାହା ହେଲା, ନୈତିକତା ଦୃଷ୍ଟିରୁ ପୃଥିବୀରେ ମନୁଷ୍ୟମାନଙ୍କର ମଙ୍ଗଳ ସାଧନ ଯେଉଁଭଳି ଗୁରୁତ୍ବପୂର୍ଣ୍ଣ, ଯନ୍ତ୍ରଣା ଅନୁଭବ କରିପାରୁଥିବା ସମସ୍ତ ଅନ୍ୟ ପ୍ରାଣୀମାନଙ୍କର ମଙ୍ଗଳ ସାଧନ ମଧ୍ୟ ସେଇଭଳି ଗୁରୁତ୍ବପୂର୍ଣ୍ଣ। ପରବର୍ତ୍ତୀ ସମୟରେ ଟମ୍ ରେଗାନ୍ଙ୍କ ପରି ଦାର୍ଶନିକମାନେ ଏହି ଧାରଣାକୁ ଆହୁରି ଦୃଢ଼ୀଭୂତ କରିଛନ୍ତି। ବାଘକୁ ସୁରକ୍ଷା ପ୍ରଦାନ ତେଣୁ େହଉଛି ଏକ ନୈତିକ ଆବଶ୍ୟକତା।
ଅନ୍ୟ ଉତ୍ତରଟି ହେଉଛି ବାସ୍ତବବାଦୀ। ବ୍ୟାଘ୍ର ଅଭୟାରଣ୍ୟ ସୃଷ୍ଟି ଯୋଗୁଁ ଅନେକ ନଦୀ ଓ ସୁସ୍ଥ ଜଙ୍ଗଲ ଉଧେଇବା ପାଇଁ ଆବଶ୍ୟକ ଜୈବ-ଭୂରାସାୟନିକ ଚକ୍ର ସୁରକ୍ଷିତ ରହିଥାନ୍ତି। ନଦୀର ଜଳ ଓ ଜୈବ-ଭୂରାସାୟନିକ ଚକ୍ର ପ୍ରସୂତ ଜୈବ ଖତ ମିଳିତ ହୋଇ ଚାଷ ଜମିରେ ମୃତ୍ତିକାର ଉର୍ବରତାରେ ଉନ୍ନତି ଘଟାଇଥାନ୍ତି। ଏହା ଲକ୍ଷ୍ୟ କରାଯାଇଛି ଯେ ବ୍ୟାଘ୍ର ଅଭୟାରଣ୍ୟ ନିକଟବର୍ତ୍ତୀ କୃଷି କ୍ଷେତ୍ରମାନଙ୍କର ମୃତ୍ତିକାର ଉର୍ବରତା ଉଲ୍ଲେଖନୀୟ ଭାବରେ ଅଧିକ ହୋଇଥାଏ। ପିଟର୍ ସିଙ୍ଗର୍ଙ୍କର ତତ୍ତ୍ବକୁ ଆଉ ଟିକିଏ ଆଗେଇ ନେଇ ତେଣୁ କୁହାଯାଇପାରେ ଯେ ବାଘ ମାମୁଙ୍କ ମଙ୍ଗଳ ସାଧନ ଦ୍ବାରା ତାଙ୍କ ଭଣଜାଭାଣିଜୀ ମନୁଷ୍ୟମାନଙ୍କର ମଧ୍ୟ ମଙ୍ଗଳ ସାଧିତ ହୋଇଥାଏ।