ବିଜେପିର ନୂତନ ଦିଗନ୍ତ

ଶରତ ଚନ୍ଦ୍ର ମିଶ୍ର

ଆମ ରାଷ୍ଟ୍ରସ˚ଘ ବ୍ୟବସ୍ଥା ହେତୁ, ଦେଶରେ ସବୁବର୍ଷ କେଉଁଠି ନା କେଉଁଠି ନିର୍ବାଚନ ହେଉଛି। ଆସନ୍ତା ବର୍ଷ (୨୦୨୩) କର୍ଣ୍ଣାଟକ ନିର୍ବାଚନ ଓ ୨୦୨୪ରେ ସାଧାରଣ ନିର୍ବାଚନ ହେବ। ବିଜେପିର ନିର୍ବାଚନ କଳ ସେଥିଯୋଗୁଁ ସବୁ ସମୟରେ ସକ୍ରିୟ ହୋଇ ନିଜର ଶକ୍ତି ବୃଦ୍ଧି ନିମନ୍ତେ ଅହରହ ଉଦ୍ୟମ କରୁଅଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଜେପିର ଭୋଟ୍‌ ଯୁଦ୍ଧ ରଣାଙ୍ଗନରେ ପ୍ରଧାନ ସେନାପତି। ତେଣୁ ତାଙ୍କୁ ସବୁ ସମୟରେ ନିର୍ବାଚନରେ ଅନେକ ସମୟ ବ୍ୟୟ କରିବାକୁ ହେଉଛି। ଅନ୍ୟ ଗଣତାନ୍ତ୍ରିକ ଦେଶମାନଙ୍କରେ ପ୍ରଧାନମନ୍ତ୍ରୀ ବା ଶାସନ ମୁଖ୍ୟଙ୍କୁ ସବୁ ସମୟରେ ନିର୍ବାଚନ ବ୍ୟଥା ନ ଥାଏ।

ବିଜେପିର ପ୍ରାରମ୍ଭ କାଳରେ ଏହାକୁ ଏକ ଉତ୍ତର ଭାରତର ହିନ୍ଦୀ ଭାଷାଭାଷୀମାନଙ୍କର, ବ୍ରାହ୍ମଣ-ବଣିଆ ସମର୍ଥିତ ଦଳ ବୋଲି ବିବେଚନା କରାଯାଉଥିଲା। ଫଳତଃ ସମର୍ଥକ ଓ ଭୋଟ୍‌ ଭାଗ ଥିଲା ସୀମିତ। ନିଜର ପରିସରକୁ ସ˚ପ୍ରସାରଣ କରିବା ନିମନ୍ତେ ବିଜେପି ନାନାଦି କୌଶଳ ପ୍ରୟୋଗ କରି, ଅବିରତ ଉଦ୍ୟମ କରି ଅନେକା˚ଶରେ ସଫଳ ହୋଇଛି। ଅଣହିନ୍ଦୁ ଅଧ୍ୟୁଷିତ ଉତ୍ତର-ପୂର୍ବରେ ସରକାର ଗଠନ ଓ କ˚ଗ୍ରେସ ପକ୍ଷଛେଦ ବିଜେପିର ମୁଖ୍ୟ ସଫଳତା। ବିଜେପି ଯଦିଓ କ˚ଗ୍ରେସ ଦଳ ସହିତ ସଫଳ ମୁକାବିଲା କରିପାରିଛି ଆଞ୍ଚଳିକ ଦଳମାନଙ୍କ ବିରୋଧରେ ସେତେଟା ସଫଳତା ଲାଭ କରିପାରିନାହିଁ। ଦକ୍ଷିଣ ଭାରତରେ କର୍ଣ୍ଣାଟକ ବ୍ୟତୀତ ଅନ୍ୟ କେଉଁଠି ପ୍ରଭାବ ବିସ୍ତାର କରିପାରିନାହିଁ। ଦକ୍ଷିଣ ଭାରତର ୧୨୯ ଜଣ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ବିଜେପିର ସ˚ଖ୍ୟା ମାତ୍ର ୨୯, କର୍ଣ୍ଣାଟକରୁ ୨୫ ଜଣ ଓ ତେଲେଙ୍ଗାନାରୁ ୪ ଜଣ। ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ କେରଳରୁ କେହି ସଦସ୍ୟ ନାହାନ୍ତି। ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି, ବିଜେପି ତାର ରଣନୀତି ଆଭିମୁଖ୍ୟରେ କିଛି ପରିବର୍ତ୍ତନ କରିଛି।

ଗତ କିଛି ମାସ ପୂର୍ବେ ବିଜେପିର ତୁଙ୍ଗନେତାମାନଙ୍କର ହାଇଦ୍ରାବାଦରେ ଏକ ଚିନ୍ତନ ସଭା ଅନୁଷ୍ଠିତ ହୋଇଥିଲା। ହାଇଦ୍ରାବାଦର ସ୍ଥାନୀୟ ନିର୍ବାଚନରେ କିଛିଟା ସଫଳତା, ଦୁବୁକା ଓ ହୁଜୁରାବାଦ ଉପନିର୍ବାଚନରେ ବିଜୟ ବିଜେପିକୁ ଉତ୍ସାହିତ କରିଛି। ଦକ୍ଷିଣ ଭାରତରେ ଆଞ୍ଚଳିକ ନେତାମାନଙ୍କର ଦୁର୍ନୀତି, ବ˚ଶବାଦ ଓ ବହୁବର୍ଷ ପଦାଧିକାର ଜନିତ ବିତୃଷ୍ଣା (Anti Incumbency), ଅତୀତରେ ମୁସଲମାନମାନଙ୍କ ଅତ୍ୟାଚାର (ରାଜାକାର, ଟିପୁ ସୁଲତାନ) ଆଦି ଉପରେ ଦଳ ଅଧିକ ଗୁରୁତ୍ବ ଦେବ। ତାମିଲନାଡୁରେ ଏଆଇଡିଏମ୍‌କେର ସହାୟତା ଗ୍ରହଣ କରିବ। କେରଳରେ ସିପିଏମ୍‌ କର୍ମୀମାନଙ୍କର ହି˚ସାର ଶରବ୍ୟ ହେଉଛନ୍ତି ଆରଏସ୍‌ଏସ୍‌ ଓ ବିଜେପି କର୍ମୀମାନେ। ସେଠାରେ ଥିବା ୫୫ ଭାଗ ହିନ୍ଦୁମାନଙ୍କର ଓ ଖ୍ରୀଷ୍ଟିଆନମାନଙ୍କର ଭୋଟ୍‌ ନିମନ୍ତେ ଉଦ୍ୟମ କରିବ। ଏହା କିନ୍ତୁ ଏକ ଦୁରୂହ ବ୍ୟାପାର।

କେରଳର ପ୍ରଭାବଶାଳୀ ନାୟାରମାନେ ସିପିଏମ୍‌କୁ ସମର୍ଥନ କରନ୍ତି ଓ ହିନ୍ଦୁମାନଙ୍କ ମଧ୍ୟରୁ ଏଦଭାମାନେ କ˚ଗ୍ରେସକୁ ଓ ଅନ୍ୟମାନେ ସିପିଏମ୍‌କୁ ସମର୍ଥନ କରନ୍ତି। ଆସନ୍ତା ନିର୍ବାଚନରେ କେରଳରେ ଖାତା ଖୋଲିପାରିଲେ ବିଜେପି ନିଜକୁ ଧନ୍ୟ ମନେକରିବ। କର୍ଣ୍ଣାଟକରେ ନିଜର ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ଆସନ୍ତା ବର୍ଷ ଉଦ୍ୟମ ହେବ।

ବିଜେପି ନିଜର ସମର୍ଥନ ପ୍ରସାରଣ ନିମନ୍ତେ ବର୍ତ୍ତମାନ ଏସ୍‌ସି, ଏସ୍‌ଟି ଓ ଓବିସିମାନଙ୍କର ସମର୍ଥନ ନିମନ୍ତେ ବିଶେଷ ଉଦ୍ୟମ ଆରମ୍ଭ କରିଛି। ଅଳ୍ପ କିଛି ମାସ ପୂର୍ବେ କେନ୍ଦ୍ରର ମନ୍ତ୍ରିମଣ୍ତଳରେ ସ˚ପ୍ରସାରଣ ହୋଇ ଏକ ୮୧ ଜଣିଆ ବିରାଟ ମନ୍ତ୍ରିମଣ୍ତଳ ଗଠନ ହେଲା। ଅଳ୍ପ କେତେଜଣ ସାଧାରଣ ବର୍ଗର ମନ୍ତ୍ରୀକୁ ବାଦ୍‌ ଦିଆଯାଇ ଅଧିକା˚ଶ ସ˚ରକ୍ଷିତ ବର୍ଗର ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ତଳରେ ସାମିଲ କରାଗଲା। ଫଳତଃ ବର୍ତ୍ତମାନର ୮୧ ଜଣିଆ ମନ୍ତ୍ରିମଣ୍ତଳରେ ୨୭ ଜଣ ଓବିସି, ୧୨ ଜଣ ଏସ୍‌ସି ଓ ୮ ଜଣ ଏସ୍‌ଟି ବର୍ଗର ବ୍ୟକ୍ତି ସାମିଲ ହୋଇଛନ୍ତି। ଅର୍ଥାତ୍‌ ମନ୍ତ୍ରିମଣ୍ତଳର ଶତକଡ଼ା ୬୧% ମନ୍ତ୍ରୀ ସ˚ରକ୍ଷିତ ବର୍ଗର। ସ˚ରକ୍ଷିତ ବର୍ଗମାନେ ଏତେ ସ˚ଖ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ତଳରେ ସ୍ଥାନ ପାଉ ନ ଥିଲେ। ଯେଉଁ ରାଜ୍ୟରେ ବିଜେପି ଶାସନରେ ନାହିଁ, ସେଠାରେ ସ˚ରକ୍ଷିତ ବର୍ଗକୁ ଅଧିକ ଧ୍ୟାନ ଦିଆହୋଇଛି। ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାରରେ ସାଧାରଣ ବର୍ଗ ଓ ମୁସଲମାନମାନଙ୍କ ସ˚ଖ୍ୟା ଅଧିକ। ସେ ରାଜ୍ୟରୁ କେନ୍ଦ୍ରରେ ଚାରିଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ଦୁଇଜଣ ଏସ୍‌ସି, ଜଣେ ଏସ୍‌ଟି ଓ ଜଣେ ସାଧାରଣ ବର୍ଗ।

ଦୁଇଜଣ ଏସ୍‌ସିଙ୍କ ମଧ୍ୟରୁ ଜଣେ ଉତ୍ତର ବଙ୍ଗର ରାଜବ˚ଶୀ ଓ ଜଣେ ଦକ୍ଷିଣ ଅଞ୍ଚଳର ନାମଶୁଦ୍ର। ସେହିପରି ଓଡ଼ିଶାର ଦୁଇଜଣ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଏସ୍‌ଟି ଓ ଜଣେ ଓବିସି। ଦୁଇଜଣ ଯାକ ପୂର୍ବତନ ଗଡ଼ଜାତ ଅଞ୍ଚଳର। ଜଣେ ରାଜସ୍ଥାନର ବ୍ୟକ୍ତି ଅବଶ୍ୟ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ହୋଇ ମନ୍ତ୍ରୀ ହୋଇଛନ୍ତି।

ଆମ ଦେଶରେ ଏସ୍‌ଟିମାନେ ଜନସ˚ଖ୍ୟାର ଶତକଡ଼ା ୮.୭%। ସେମାନେ ଉତ୍ତରପୂର୍ବ ଅଞ୍ଚଳ, ଛୋଟ ନାଗପୁର ଅଞ୍ଚଳ ଓ ଦଣ୍ତକାରଣ୍ୟ ଅଞ୍ଚଳରେ ବସବାସ କରନ୍ତି। ଉତ୍ତରପୂର୍ବ ରାଜ୍ୟ ବ୍ୟତୀତ, ଓଡ଼ିଶା, ଝାଡ଼ଖଣ୍ତ ଓ ଛତିଶଗଡ଼ ରାଜନୀତିରେ ତାଙ୍କର ସମର୍ଥନ ସରକାର ଗଠନରେ ଆବଶ୍ୟକ। ଅତୀତରେ ଡକ୍ଟର ହରେକୃଷ୍ଣ ମହତାବ ୧୯୫୭ ମସିହାରେ ଆଦିବାସୀ ଦଳ ଝାଡ଼ଖଣ୍ତ ସାହାଯ୍ୟରେ ସରକାର ଚଳାଉଥିଲେ। ଓଡ଼ିଶାରେ ଗତ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ଭୋଟ୍‌ ବ୍ୟବଧାନ ଶତକଡ଼ା ୮% ଥିଲା। ଯଦି ଆଦିବାସୀ ଭୋଟ୍‌କୁ ନିଜ ସପକ୍ଷକୁ ନେବାରେ ବିଜେପି ସଫଳ ହୁଏ, ତେବେ ଏ ବ୍ୟବଧାନ ହ୍ରାସ ବା ଲୋପ ପାଇଯିବ। ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବଦଳରେ ବିଶ୍ବେଶ୍ବର ଟୁଡୁ ମନ୍ତ୍ରୀ ହେବା ଓ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦକୁ ମନୋନୀତ କରିବାରେ ଏଇ ହିସାବ ଓ ଆଶା ପ୍ରଚ୍ଛଦପଟରେ ବିଦ୍ୟମାନ।

ଏ କୌଶଳକୁ ହୃଦୟଙ୍ଗମ କରି ଶ୍ରୀ ନବୀନ ପଟ୍ଟନାୟକ ଓ ଝାଡ଼ଖଣ୍ତର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ତୁରନ୍ତ ସମର୍ଥନ ଘୋଷଣା କଲେ, ଯେପରିକି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପଦପ୍ରାପ୍ତି ଜନିତ ଖ୍ୟାତି ସମ୍ପୂର୍ଣ୍ଣ ବିଜେପିକୁ ନ ଯାଉ। ଉପରାଷ୍ଟ୍ରପତି ଭାବରେ କ˚ଗ୍ରେସ ଶାସିତ ରାଜସ୍ଥାନର ଜଣେ ଆରକ୍ଷିତ ଜାଠଙ୍କୁ ମନୋନୀତ କରାଯାଇଛି। ନିର୍ବାଚନରେ ଆରକ୍ଷିତ ବର୍ଗଙ୍କ ଭୋଟ୍‌ ହାତେଇବା ନିମନ୍ତେ ବିଜେପି ପ୍ରଚେଷ୍ଟା କରିଛି। ସେଇପରି ମହାରାଷ୍ଟ୍ରରେ ମରାଠା ଏକନାଥ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଗାଦିନସୀନ କରି, ପୂର୍ବତନ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଫଡ୍‌ନାବିସ୍‌ଙ୍କୁ ତାଙ୍କର ଉପମୁଖ୍ୟମନ୍ତ୍ରୀ ହେବା ନିମନ୍ତେ ବାଧ୍ୟକରି, ବିଜେପି ଶିବସେନାର ସମର୍ଥନ ଲୋପ ଓ ମରାଠା ସମର୍ଥନ ଲାଭ ଉଦ୍ୟମ ଆରମ୍ଭ କରିଛି। ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଅଣବିଜେପି ଶାସିତ ରାଜ୍ୟରୁ ମନୋନୀତ କରି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଣବିଜେପି ରାଜ୍ୟମାନଙ୍କୁ ସମାନ ଦୃଷ୍ଟିରେ ଦେଖୁଛନ୍ତି ବୋଲି ପ୍ରତ୍ୟୟ ସୃଷ୍ଟି କରିଛନ୍ତି।

ଆଦିବାସୀମାନଙ୍କ ଉନ୍ନତି ଓ ସମର୍ଥନ ଲାଭ ଉଦ୍ୟମ, ବାଜପେୟୀ ସରକାର ସମୟରେ ବିଜେପି ଆରମ୍ଭ କରିଥିଲା। ସ୍ବର୍ଗତଃ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀ, ସମ୍ବିଧାନର ୮୯ତମ ସ˚ଶୋଧନ (୨୦୦୩) କରି ଏସ୍‌ଟିମାନଙ୍କ ନିମନ୍ତେ ସ୍ବତନ୍ତ୍ର ଜାତୀୟ କମିସନ୍‌ ବସାଇଥିଲେ। ପ୍ରଧାନମନ୍ତ୍ରୀ ବନ ଧନ ଯୋଜନା ଓ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଆଦିବାସୀଙ୍କ କଲ୍ୟାଣରେ ସହାୟକ ହୋଇଛି। ଉତ୍ତରପୂର୍ବ ଭାରତରେ ନିଜ ଅବସ୍ଥିତି ଜାହିର କଲାପରି, ସମ୍ପୂର୍ଣ୍ଣ ଆଦିବାସୀ ସମର୍ଥନ ଲାଭ କରିପାରିଲେ ଓଡ଼ିଶା, ଝାଡ଼ଖଣ୍ତ ଓ ଛତିଶଗଡ଼ରେ ବିଜେପି ଶକ୍ତି ଦୃଢ଼ୀଭୂତ ହେବ। ଓଡ଼ିଶାରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ବହୁକାଳୁ କ୍ଷମତାରେ ଅଛି।

ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ଭାବରେ ଜନପ୍ରିୟ ଓ ତାଙ୍କ ବ୍ୟକ୍ତିଗତ ଜନପ୍ରିୟତା ବିଜେଡିର ଗ୍ରହଣୀୟତା ଠାରୁ ଅଧିକ। ତାଙ୍କ ବ୍ୟକ୍ତିତ୍ବର ସମତୁଲ୍ୟ ନେତା ଏବେ ଓଡ଼ିଶାରେ ନାହାନ୍ତି। ବିଜେଡିରେ କିନ୍ତୁ ମିଲିଟାରି ଭାଷାରେ ବର୍ଣ୍ଣନା କରିବାକୁ ଗଲେ କେହି ‘ସେକେଣ୍ତ୍‌ ଇନ୍‌ କମାଣ୍ତ୍‌’ ନାହାନ୍ତି ଓ ସମ୍ଭାବ୍ୟ ଉତ୍ତରାଧିକାରୀ ଦୃଶ୍ୟପଟକୁ ଆସୁନାହାନ୍ତି। ନବୀନ ବାବୁଙ୍କ ଅବର୍ତ୍ତମାନରେ ବିଜେଡି ନିଜ ସ୍ଥିତି ରକ୍ଷା କରିପାରିବ କି ନାହିଁ ସନ୍ଦେହ। ପକ୍ଷାନ୍ତରେ ବିଜେପିର ପ୍ରାଦେଶିକ ନେତା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଦକ୍ଷ ମନ୍ତ୍ରୀ ଓ ସଂଗଠକ ବୋଲି ନିଜକୁ ପ୍ରମାଣିତ କରିପାରିଛନ୍ତି। ଉତ୍ତର ପ୍ରଦେଶରେ ବିଜେପିର ବିଜୟରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ସର୍ବଜନ ସ୍ବୀକୃତ। ଯଦିଓ ବର୍ତ୍ତମାନ ସେ ଅନ୍ୟ ରାଜ୍ୟରୁ ରାଜ୍ୟସଭା ସଦସ୍ୟ ହୋଇ ମନ୍ତ୍ରୀ ହୋଇଛନ୍ତି, ସେ ଅତୀତରେ ନିର୍ବାଚନରେ ଜୟଲାଭ କରିଥିଲେ ଓ ଏବେ ବି ନିର୍ବାଚନରେ ଜୟଲାଭ କରିବାର ସମ୍ଭାବନା ଅଛି। କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ଅଶ୍ବିନୀ ବୈଷ୍ଣବ, ଏସ୍‌. ଜୟଶଙ୍କର ଓ ନିର୍ମଳା ସୀତାରମଣ ପରି ସେ ରାଜ୍ୟସଭା ସଦସ୍ୟତା ଉପରେ ନିର୍ଭରଶୀଳ ନୁହନ୍ତି। ପୁନଶ୍ଚ ସେ ସ˚ରକ୍ଷିତ ବର୍ଗର ଓ ଦେଶରେ ସ˚ରକ୍ଷିତ ବର୍ଗଙ୍କ ସ˚ଖ୍ୟା ଶତକଡ଼ା ସତସ୍ତରି ଭାଗ ହୋଇଥିବା ଯୋଗଁୁ ଭବିଷ୍ୟତରେ ସ˚ରକ୍ଷିତ ବର୍ଗର ନେତାମାନେ ଅଧିକ ପ୍ରଭାବଶାଳୀ ହେବେ ବୋଲି ଆକଳନ କରାଯାଏ।

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କେତେକ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖାଯିବ। ବ˚ଶବାଦ ହ୍ରାସ ପାଇବ, ଗାନ୍ଧୀ ପରିବାର, ମେନକା, ବରୁଣ ଗାନ୍ଧୀ ସମେତ ଶରଦ ପାଵାର ଓ ନୀତୀଶ କୁମାର ନିଷ୍ପ୍ରଭ ହେବେ ଓ ଶେଖ ଅବଦୁଲ୍ଲାଙ୍କ ପରିବାର କାଶ୍ମୀର ଦୃଶ୍ୟପଟରୁ ଅପସରି ଯିବେ। ପୁରାତନ ନେତାମାନେ ନୂତନ ବର୍ଗର ନେତାଙ୍କୁ ବାଟ ଛାଡ଼ିବାକୁ ବାଧ୍ୟ ହେବେ। ବିଜେପି ନିଜର ସମର୍ଥନ ବୃଦ୍ଧିରେ କିଛିଟା ସଫଳତା ଲାଭ କଲେ ମଧ୍ୟ କେରଳ ସରକାର, ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କ ନେତୃତ୍ବକୁ ସମ୍ପୂର୍ଣ୍ଣ ମୁକାବିଲା କରିପାରିବନି। ସ˚ରକ୍ଷିତ ବର୍ଗଙ୍କୁ ତୁଷ୍ଟ କରିବା ପ୍ରକ୍ରିୟାରେ ବିଜେପିର ପାରମ୍ପରିକ ଭୋଟ୍‌ ବ୍ୟାଙ୍କ୍‌ରୁ କିଛି ହ୍ରାସ ପାଇବାର ଆଶଙ୍କା ସ୍ବାଭାବିକ।
ମୋ: ୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର