୧୯୩୪ରେ ଓଡ଼ିଶାରେ ପଦଯାତ୍ରା ବେଳେ ମହାତ୍ମା ଗାନ୍ଧୀ ଦିନେ ରମାଦେବୀଙ୍କୁ ପଚାରିଲେ, ‘‘ତୁମେ ଜାତୀୟ କାମକୁ ଆସିଲ କେମିତି?’’ ରମାଦେବୀଙ୍କ ସରଳ ଉତ୍ତର, ବଡ଼ ବାପା (ଉତ୍କଳଗୌରବ ମଧୁସୂଦନ ଦାସ)ଙ୍କ ପରୋକ୍ଷ ପ୍ରେରଣାରେ। ରମାଦେବୀଙ୍କ ଉତ୍ତର ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ, କାରଣ ତାଙ୍କ ସ୍ବାମୀ ଗୋପବନ୍ଧୁ ଚୌଧୁରୀ ଅସହଯୋଗ ଆନ୍ଦୋଳନ ସମୟରେ (୧୯୨୦-୨୧) ପ୍ରାଶାସନିକ ସେବାରୁ ଇସ୍ତଫା ଦେଇ ଏବଂ ଦିଅର ନବକୃଷ୍ଣ ଚୌଧୁରୀ କଲେଜ ପାଠ ଛାଡ଼ି ଜାତୀୟତା ଆନ୍ଦୋଳନରେ ଝାସ ଦେଇଥିଲେ। ସେହି ପ୍ରକ୍ରିୟାରେ ତାଙ୍କର ଶାଶୂଘର ସ୍ବାଧୀନତା ସଂଗ୍ରାମର ଆଡ଼ାସ୍ଥଳୀ। ତା’କୁ ରମାଦେବୀ ସ୍ବାଧୀନତା ସଂଗ୍ରାମକୁ ଆସିବା ପଛର ପ୍ରେରଣା ବୋଲି କହିପାରିଥାନ୍ତେ।

Advertisment

୧୯୨୧ରେ ଗାନ୍ଧୀ ଯେତେବେଳେ ପ୍ରଥମ କରି ଓଡ଼ିଶା ଆସିଲେ, ତାଙ୍କ ସଭାକୁ ରମାଦେବୀ ଯିବାର ସୁଯୋଗ ପାଇଥିଲେ। ଗାନ୍ଧୀଙ୍କ ବ୍ୟକ୍ତିତ୍ବ ତାଙ୍କୁ ପ୍ରଭାବିତ କରିଥିଲା। ଗାନ୍ଧୀଙ୍କ ଆଗରେ ୧୯୩୪ରେ ଉତ୍ତର ରଖିବା ବେଳେ ତା’ର ସେ ଉଲ୍ଲେଖ କରିପାରି‌ଥାନ୍ତେ! ମାତ୍ର ସେ ମଧୁସୂଦନ ଦାସଙ୍କ ନାମ ନେଇଥିଲେ, ଯିଏ ଥିଲେ ଅସହଯୋଗ ଆନ୍ଦୋଳନର ଜଣେ କଟୁ ସମାଲୋଚକ। ମଧୁସୂଦନ କଦାପି ଗାନ୍ଧୀଙ୍କର ମଧ୍ୟ ‘ଭକ୍ତ’ ନ ଥିଲେ। ଗାନ୍ଧୀ ଥିଲେ ତାଙ୍କଠାରୁ ବୟସରେ ମୋଟ ୨୧ ବର୍ଷ ସାନ। ମଧୁସୂଦନ ନିଜେ ଜଣେ ମୌଳିକ ଚିନ୍ତକ ଭାବରେ କେ‌ବେ କାହାରି ଅନ୍ଧ ପ୍ରଶଂସକ ହୋଇନପାରନ୍ତି! ଅସହଯୋଗ ସମୟରେ ସରକାରୀ ଶିକ୍ଷାନୁଷ୍ଠାନର ବର୍ଜନକୁ ସମାଜରେ ଅଶିକ୍ଷାର ଆମନ୍ତ୍ରଣ ମନେ କରି ସେ ବିରୋଧ କରୁଥିଲେ। ଅସହଯୋଗ ଆନ୍ଦୋଳନ ବେଳେ ହିଁ ସେ ବିହାର-ଓଡ଼ିଶା ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ଗ୍ରହଣ କରି କଂଗ୍ରେସ ନେତୃବୃନ୍ଦ ଦ୍ବାରା ଖୁବ୍‌ ସମାଲୋଚିତ ହୋଇଥିଲେ। ଗୋପବନ୍ଧୁ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀ ମଧ୍ୟ ମଧୁବାବୁଙ୍କୁ ସମାଲୋଚନା କଲା ବେଳେ ପଛରେ ରହୁନଥିଲେ। ଏତେ ସବୁ ସତ୍ତ୍ବେ ରମାଦେବୀଙ୍କ ଜାତୀୟତା ଆନ୍ଦୋଳନରେ ଯୋଗଦାନ ପଛରେ ବଡ଼ବାପା ମଧୁସୂଦନ ପ୍ରେରଣା ମନେ ହେବା ନିହାତି ଆଶ୍ଚର୍ଯ୍ୟକର।

ଅସଲରେ ରମାଦେବୀ ଜାତୀୟ କାମ ପ୍ରତି ଆକୃଷ୍ଟ ହୋଇଥିଲେ ବାହାଘରର ଢେର ପୂର୍ବରୁ। ପିଲାଦିନେ ସେ ବାପା ଗୋପାଳ ବଲ୍ଲଭ ଦାସଙ୍କ ସାଙ୍ଗରେ ଅନେକ ଥର କଟକସ୍ଥିତ ବଡ଼ବାପାଙ୍କ ଘରେ ଅବସ୍ଥାନ କରୁଥିଲେ। ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ବୋଲି ମଧୁବାବୁଙ୍କର ସିନା ନିଜ ପୈତୃକ ଘ‌େର ପ୍ରବେଶ ନିଷେଧ ଥିଲା, କିନ୍ତୁ ତାଙ୍କ କଟକ ଘର ସର୍ବଦା ପରିବାର ଜନ ପାଇଁ ଖୋଲା ଥିଲା। ସେଠି କୌଣସି ଜାତି ବାରଣ ନ ଥିଲା। ତଥାକଥିତ ତଳ ଜାତିର ଲୋକ ମଧ୍ୟ ଅବାଧରେ ଘର ଭିତରକୁ ପ୍ରବେଶ କରି ପାରୁଥିଲେ, ଯାହା ସେତେବେଳେ ଶିଶୁ ରମାଦେବୀଙ୍କୁ ଅନନ୍ୟ ପ୍ରତୀତ ହେଉଥିଲା। ପୁଣି, ବଡ଼ବାପା ଶତ ପ୍ରତିଶତ ସ୍ବଦେଶୀରେ ଆସ୍ଥା ରଖିଥିଲେ। ବିଚାରରେ ସେ ଏତେ ଉଦାରବାଦୀ ଯେ ନିଜ ଭାଇବୋହୂ (ରମାଦେବୀଙ୍କ ମା’) ସହ ବିନା ଦ୍ବିଧାରେ କଥାବାର୍ତ୍ତା ତଥା ବିଚାର ଆଲୋଚନା କରୁଥିଲେ।

ବୟସରେ କନ୍ୟାସମ ଭାଇବୋହୂ ମଧ୍ୟ କୌଣସି ପରଦା ନ ରଖି ନିଜ ଦେଡ଼ଶୁରଙ୍କ ସମକ୍ଷରେ କଥାଭାଷା କରିବାର ଅଭୟ ପାଇଥିଲେ। ଅର୍ଥାତ୍‌ ଜାତିଭେଦ, ଲୈଙ୍ଗିକ ବୈଷମ୍ୟ ଏବଂ ସ୍ବଦେଶୀକୁ ନେଇ ରମାଦେବୀ ଶିଶୁ ବୟସରେ ଯେଉଁ ନୂଆ ଅନୁଭବ ଲାଭ କରିଥିଲେ, ତାହା ତାଙ୍କୁ ପରବର୍ତ୍ତୀ ଜୀବନରେ ସାମାଜିକ କାମ ଆଡ଼କୁ ଢଳିବାକୁ ପ୍ରେରଣା ଦେଇଥିଲା। ଏହି ସାମାଜିକ କାମ ବା ସମାଜ ଚିନ୍ତା ହିଁ ଥିଲା ତାଙ୍କ ନଜରରେ ଜାତୀୟତାବାଦ! ଏହା ଯେତେ ମାତ୍ରାରେ ଥିଲା ଇଂରେଜ ବିରୋଧୀ, ତା’ଠାରୁ ଅଧିକ ମାତ୍ରାରେ ଥିଲା ସାମାଜିକ କୁସଂସ୍କାର ବିରୋଧୀ ମାନବତାବାଦୀ! ଉଚ୍ଚ ଶିକ୍ଷିତ ପରିବାରର କନ୍ୟା ହେବା ସତ୍ତ୍ବେ ରମାଦେବୀ ଥିଲେ ଔପଚାରିକ ଶିକ୍ଷା-ଶୂନ୍ୟ। ଏହା ସେତେବେଳେ ସମାଜର ନାରୀ ଶିକ୍ଷା ପ୍ରତି ଥିବା ଘୋର ଉଦାସୀନତାକୁ ଦର୍ଶାଏ। ମାତ୍ର ଏହା ସତ୍ତ୍ବେ ତା‌ଙ୍କ ଅନୁଭବର ଶିକ୍ଷା ଓ ଜ୍ଞାନ ଏତେ ମୌଳିକ ଥିଲା ଯେ ଗାନ୍ଧୀ ଓ ଅସହଯୋଗ ବିଚାର‌ର ଜଣେ ଶକ୍ତ ସମାଲୋଚକଙ୍କୁ ନିଜ ପ୍ରେରଣା ରୂପରେ ସ୍ବୟଂ ମହାତ୍ମା ଗାନ୍ଧୀଙ୍କ ସମ୍ମୁଖରେ ଉଲ୍ଲେଖ କଲାବେଳେ ସେ ଆଦୌ ଦ୍ବିଧାଗ୍ରସ୍ତ ନ ଥିଲେ। ଏହା ତାଙ୍କ ନିଜର ଭାବ ଓ ସର୍ବୋଚ୍ଚ ନେତା ଗାନ୍ଧୀଙ୍କ ପିତୃତୁଲ୍ୟ ଭାବକୁ ମଧ୍ୟ ସୁସ୍ପଷ୍ଟ କରେ। ତାଙ୍କ ଦୃଷ୍ଟିରେ ଜାତୀୟତା, ସମାଜଚିନ୍ତା ଓ ମାନବତା ପରସ୍ପରର ସମାର୍ଥବୋଧକ ବିଚାର!

ମଧୁବାବୁଙ୍କୁ ନେଇ ରମାଦେବୀଙ୍କ ଏହି ସାମାନ୍ୟ ଉଲ୍ଲେଖରୁ ଆଉ ଗୋଟାଏ କଥା ଜଣାପଡ଼େ। ମଧୁବାବୁ ଜଣେ ପକ୍କା ଜାତୀୟତାବାଦୀ ଥିଲେ, ଯଦିଓ ନିଜ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ବ(୧୮୮୧-୧୯୩୪) ରାଜନୀତିକ ଜୀବନାବଧିରେ କେବେ ଇଂରେଜ ସରକାର ଦ୍ବାରା ସେ ଗିରଫ ହୋଇନଥିଲେ। ରାଜା ରାମମୋହନ ରାୟ, ସ୍ବାମୀ ବିବେକାନନ୍ଦ କିମ୍ବା ଡକ୍ଟର ଭୀମରାଓ ଆମ୍ବେଦକର ମଧ୍ୟ କେବେ ଗିରଫ ହୋଇନଥିଲେ, ଯଦିଓ ସେମାନଙ୍କ ଜାତୀୟତାକୁ ନେଇ କେବେ ପ୍ରଶ୍ନ ହୋଇ ନ ପାରେ! ଏହାର ଅର୍ଥ ହେବ ଅନେକ ଜାତୀୟତାବାଦୀ କାରାବରଣ ନ କରି କିମ୍ବା ଗୁଳିଗୋଳାର ଶିକାର ନ ହୋଇ ସୁଦ୍ଧା ଜାତୀୟତା କାମରେ ଜୀବନ ଉତ୍ସର୍ଗ କରିଥିଲେ। ଇଂରେଜ ଅତ୍ୟାଚାରର ଶିକାର ହୋଇଥିବା ଜାତୀୟତାବାଦୀଙ୍କ ତୁଳନାରେ ସେମାନଙ୍କ ଜାତୀୟ ମହତ୍ତ୍ବ କେବେ ଊଣା ପଦବାଚ୍ୟ ହୋଇନପାରେ। ଜାତୀୟତାବାଦକୁ ଏକ ବ୍ୟାପକ ପ୍ରେକ୍ଷାପଟରେ ଦେଖିଲେ ଯାଇ ଏହାର ସତ୍ୟତାକୁ ଉପଲବ୍‌ଧି କରିହେବ। କୌଣସି ସଚ୍ଚା ଜାତୀୟତାବାଦୀ ସେମାନଙ୍କୁ ‌େହୟ ମଣି ନ ପାରନ୍ତି!

ରମାଦେବୀ ଥିଲେ ଏହି ଧରଣର ଜଣେ ଆଦର୍ଶ ଜାତୀୟତାବାଦୀ। ଅବଶ୍ୟ ସେ ୧୯୩୦, ୧୯୩୨ ଓ ୧୯୪୨‌େର ତିନି ତିନି ଥର କାରାବରଣ ମଧ୍ୟ କରିଥିଲେ। କିନ୍ତୁ ତାଙ୍କ ଜାତୀୟତା ଥିଲା ‘ମା’ ଭାବରେ ଏକ ସମାବେଷ୍ଟୀ ବିଚାର ଓ ତା’ର ଦ୍ୟୋତକ। ନିଜ ପରିବାରରୁ ପୁଅ, ଝିଅ, ଶାଶୂ, ସ୍ବାମୀ ଆଦିଙ୍କୁ ସାଙ୍ଗରେ ନେଇ ସେ ଆନ୍ଦୋଳନରେ ଝାସ ଦେଇଥିଲେ ଏବଂ ପ୍ରତିବଦଳରେ ମୋଟ ଆନ୍ଦୋଳନ ଓ ତା’ର କର୍ମୀସମୂହଙ୍କୁ ନିଜ ପରିବାର ଜନରେ ରୂପାନ୍ତରିତ କରିଥିଲେ। ଫଳରେ ୧୯୪୭ରେ ଭାରତ ସ୍ବାଧୀନତା ଲାଭ କଲା ଉତ୍ତାରୁ ମଧ୍ୟ ତାଙ୍କ ଜାତୀୟତା କାମରେ ଅନ୍ତ ହୋଇନଥିଲା, କାରଣ ତାଙ୍କ ବିଚାରରେ ଲୈଙ୍ଗିକ ବୈଷମ୍ୟ, ଜାତିଭେଦ ଏବଂ ବର୍ଗଭେଦ ଆଦି ସାମାଜିକ କୁସଂସ୍କାରରୁ ମୁକ୍ତି ବିନା କ’ଣ ସ୍ବାଧୀନତାର ଉପଲବ୍‌ଧି ସମ୍ଭବ? ମଧୁସୂଦନ ମଧ୍ୟ ଥିଲେ ଏହି ଧରଣର ଜାତୀୟତାର ଜଣେ ଦ୍ୟୋତକ।

ତେଣିକି ତାଙ୍କର ଜେଲ୍‌ ଯିବା କିମ୍ବା କେଉଁ ଏକ ପ୍ରସଙ୍ଗରେ ମହାତ୍ମା ଗାନ୍ଧୀଙ୍କର ସମାଲୋଚନା କରିବା ଅଥବା ଜାତୀୟ କଂଗ୍ରେସର ସମର୍ଥନ ନ କରିବା ଆଦି ତାଙ୍କ ଜାତୀୟତାକୁ କଦାପି ସନ୍ଦେହ ଘେରରେ ରଖି ନ ପାରେ। ଏହି କାରଣରୁ ଆଗରେ ଅନେକ ଉଦାହରଣ ଥିବା ସ୍ଥଳେ ରମାଦେବୀ ସେଦିନ ପ୍ରେରଣାର ଉତ୍ସ ଭାବରେ ମଧୁସୂଦନ ଦାସଙ୍କର ହିଁ ନାମୋଲ୍ଲେଖ କରିଥିଲେ, ଯାହା ଆମକୁ ଜାତୀୟତାବାଦର ବ୍ୟାପକ ଅର୍ଥକୁ ହୃଦୟଙ୍ଗମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
[email protected]