ଜଣେ ଅହଂକାରୀ ଭଦ୍ରଲୋକ ତହିଁରୁ ମୁକ୍ତ ହେବା ଲାଗି ପ୍ରୟାସ କଲେ। ତାଙ୍କ ବିଚାରଧାରା ବଦଳିଲା। ସବୁ ପ୍ରସଙ୍ଗର କେନ୍ଦ୍ରରେ ନିଜକୁ ରଖି ବିଚାର କରିବାର ପ୍ରବୃତ୍ତି ବଦଳିଲା। ନିଜ ଗୁରୁଙ୍କ ପାଖକୁ ଯାଇ ସେ କହିଲେ- ମହାତ୍ମା, ନିଜକୁ ଯଥାସମ୍ଭବ ଅହ˚ ମୁକ୍ତ କରିବାର ପ୍ରୟାସ ଜାରି ରଖିଛି। ଆପଣ ମୋତେ ପରୀକ୍ଷା କରି ଦେଖିପାରନ୍ତି।
ଗୁରୁ ମୁହଁ ଛିଞ୍ଚାଡ଼ିଲା ଭଳି କହିଲେ- ଆଜି ମୋର ବେଳ ନାହିଁ। କାଲି ଠିକ୍ ଦଶଟା ବେଳେ ଆସିବ, ତୁମ କଥା ବୁଝିବା। ଭଦ୍ର ଲୋକ ଫେରି ଗଲା ବେଳକୁ ଗୁରୁ ପଛରୁ କହିଲେ ଗୋଟିଏ ମିନିଟ ବି ଏପଟ ସେପଟ କଲେ ଚଳିବ ନାହିଁ। ଠିକ୍ ଦଶଟା ବେଳେ ଆସିବ।
ଭଦ୍ରଲୋକଙ୍କୁ ଗୁରୁଙ୍କ ଏ ପ୍ରକାର ବ୍ୟବହାର ଆଘାତ ଦେଲା। ସେ କିଛି ନ କହି ଫେରି ଆସିଲେ। ପରଦିନ ଠିକ୍ ଦଶଟା ବେଳେ ପହଞ୍ଚିବା ଲାଗି ଘରୁ ଶୀଘ୍ର ବାହାରି ଗଲେ। ଗୁରୁଙ୍କ ଘର ଆଗରେ ସେ କିଛି ସମୟ ଅପେକ୍ଷା କଲେ ଏବ˚ ତାଙ୍କ ଘଣ୍ଟାରେ ଯେମିତି ଠିକ୍ ଦଶଟା ବାଜିଲା, ସେ ଗୁରୁଙ୍କ ସାମନାରେ ଛିଡ଼ା ହେଲେ। ଗୁରୁ କହିଲେ- ତୁମେ ଡେରି କରିଦେଲ। ତେଣୁ ତୁମ ପରୀକ୍ଷା ବାତିଲ।
ଭଦ୍ରଲୋକ ନିଜ ଘଡ଼ି ଦେଖାଇ କହିଲେ- ଦେଖନ୍ତୁ ଠିକ୍ ଦଶଟା। ଗୁରୁ ତାଙ୍କ ଘଣ୍ଟା ଦେଖାଇ କହିଲେ- ଦେଖ, ମୋ ଘଡ଼ିରେ ଦଶଟା ବାଜି ଏକ ମିନିଟ୍।
ଭଦ୍ରଲୋକ କହିଲେ- ମୁଁ କିନ୍ତୁ ସକାଳେ ମୋ ଘଡ଼ି ରେଡିଓ ସହ ମିଳାଇଥିଲି।
ଗୁରୁ କହିଲେ- ରେଡିଓ ସମୟ ଠିକ୍ ବୋଲି କେମିତି ଜାଣିଲ?
ଭଦ୍ରଲୋକ ବିରକ୍ତିରେ କିଛି କହି ନ ପାରି କିଛି କ୍ଷଣ ଚୁପ୍ ରହିଲେ ଓ ତା’ ପରେ କହିଲେ-ଗୁରୁଦେବ, ପରୀକ୍ଷା କରନ୍ତୁ।
ଗୁରୁ କହିଲେ- ପରୀକ୍ଷା ସରିଛି। ତୁମେ ଫେଲ୍ ହୋଇଛ। ତୁମେ ଜାଣ ସବୁ ଘଡ଼ିରେ ଅଲଗା ଅଲଗା ସମୟ ଦେଖାଏ, କିନ୍ତୁ ତୁମେ ତୁମ ଘଡ଼ିର ସମୟ ଠିକ୍ ବୋଲି ଏ ପର୍ଯ୍ୟନ୍ତ ବିଶ୍ବାସ କରୁଛ। ଏହା ତ ଜଣାପଡ଼ି ନ ଥିଲା ଭଳି ଅହ˚।