୧୯୭୬ରେ ନିର୍ମିତ ଶ୍ୟାମ ବେନେଗାଲ୍ଙ୍କ ନିର୍ଦ୍ଦେଶିତ ସ୍ମରଣୀୟ ଫିଲ୍ମ ‘ମନ୍ଥନ’ରେ ପଶୁ ଡାକ୍ତର ମନୋହର ରାଓ ଚରିତ୍ର (ଗିରୀଶ କର୍ନଡ) ଯେତେବେଳେ ଗ୍ରାମର ଦୁଗ୍ଧ ଚାଷୀମାନଙ୍କ ମଧ୍ୟରେ ସମବାୟ ଆନ୍ଦୋଳନ ପ୍ରସାର କରି ସେମାନଙ୍କୁ ଲାଭବାନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି, ସେତେବେଳେ ସେ ଯେଉଁ ବିରାଟ ପ୍ରତିବନ୍ଧର ସମ୍ମୁଖୀନ ହୋଇଛନ୍ତି, ସେ ହେଉଛନ୍ତି ସେଠାକାର ସୁପ୍ରତିଷ୍ଠିତ ଏକଚାଟିଆ ଦୁଗ୍ଧ ବ୍ୟବସାୟୀ ମିଶ୍ରାଜୀ(ଅମରୀଶ୍ ପୁରୀ)। ମିଶ୍ରାଜୀ ଡକ୍ଟର୍ ରାଓଙ୍କୁ ତାଙ୍କର ଉଦ୍ୟମରୁ ନିବୃତ୍ତ କରିବା ପାଇଁ ଯେଉଁ ଜ୍ଞାନ ଦେଇଛନ୍ତି, ତାହା ଏକ- ପ୍ରକାର ଭବିଷ୍ୟଦର୍ଶୀ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
କାରଣ, ଆଜିକାଲି ଏକ ଦାୟିତ୍ବବାନ୍ ସଫଳ ବ୍ୟବସାୟର ଦିଗ୍ଦର୍ଶନ ନିମିତ୍ତ ଯେଉଁ ନୂତନ ତ୍ରି-ସୂତ୍ରୀ ମନ୍ତ୍ରର ପ୍ରସାର ଘଟିବା ଆରମ୍ଭ ହୋଇଛି, ତାହାର ଗୋଟିଏ ସୂତ୍ର ହିଁ ଥିଲା ମିଶ୍ରାଜୀଙ୍କର ବକ୍ତବ୍ୟ। ଏହି ସୂତ୍ରରେ ନିହିତ ଥିଲା ଡକ୍ଟର୍ ରାଓଙ୍କ ସାଧୁ ଉଦ୍ୟମ ପ୍ରତି ଗ୍ରାମବାସୀମାନେ ପ୍ରଦର୍ଶନ କରିଥିବା ପ୍ରତିରୋଧର କାରଣ। ଆଜିକାଲି ବଡ଼ ବଡ଼ ବ୍ୟବସାୟୀମାନେ ଜପାମାଳି କରିଥିବା ଯେଉଁ ତ୍ରି-ସୂତ୍ରୀ ମନ୍ତ୍ର ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି, ତାହା ହେଲା ଇଂରେଜୀରେ ସଂକ୍ଷେପରେ- ‘ଇଏସ୍ଜି’, ଅର୍ଥାତ୍ ‘ଏନ୍ଭିରନ୍ମେଣ୍ଟ’ ବା ପରିବେଶ, ‘ସୋସିଆଲ୍’ ବା ସାମାଜିକ, ‘ଗଭର୍ନାନ୍ସ’ ବା ପରିଚାଳନା। ଗଙ୍ଗା ପ୍ରସାଦ ମିଶ୍ର ଓରଫ୍ ମିଶ୍ରାଜୀ ଡକ୍ଟର୍ ରାଓଙ୍କୁ ନିଜ ଗାଡ଼ିରେ ବସାଇ ନେବା ସମୟରେ ତାଙ୍କୁ ଯେଉଁ ଜ୍ଞାନ ଦେଇଥିଲେ, ତାହା ଥିଲା ଏହି ମନ୍ତ୍ରର ମଧ୍ୟବର୍ତ୍ତୀ ସୂତ୍ରଟି- ‘ସାମାଜିକ’।
ସେ କହିଥିଲେ ଯେ ଦୀର୍ଘ ଦିନ ଧରି ସେ ସୁଖରେ ଦୁଃଖରେ ଗ୍ରାମବାସୀଙ୍କ ପଛରେ ଛିଡ଼ା ହୋଇ ସେମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ପୋଷଣ କରି ସେମାନଙ୍କର ବିଶ୍ବାସଭାଜନ ହୋଇଛନ୍ତି; ସେଠାକାର ସମାଜର ଏକ ଅଂଶରେ ପରିଣତ ହୋଇଯାଇଛନ୍ତି। ଅପରପକ୍ଷେ, ଗ୍ରାମବାସୀମାନେ ଡକ୍ଟର୍ ରାଓଙ୍କୁ ଜଣେ ବହିରାଗତ ଅନୁପ୍ରବେଶକାରୀ ରୂପେ ଦେଖୁଛନ୍ତି। ଡକ୍ଟର୍ ରାଓ ଅବଶ୍ୟ ନମ୍ରତାର ସହିତ ମିଶ୍ରାଜୀଙ୍କୁ ଉତ୍ତର ଦେଇଛନ୍ତି ଯେ ଏହାର ସୁଯୋଗ ନେଇ ସେ ନୀଚା ମୂଲ୍ୟରେ ଦୁଗ୍ଧ ଚାଷୀମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ନିଜର ଲାଭ ବୃଦ୍ଧି କରୁଛନ୍ତି।
ଆମୋଦିତ ନ ହୋଇ ରହି ହୁଏ ନାହିଁ, ସେଇ ଗିରୀଶ କର୍ନଡ଼ଙ୍କ ନିଜ ରାଜ୍ୟ କର୍ଣ୍ଣାଟକରେ ବର୍ତ୍ତମାନ ଯେଉଁ ଦୁଗ୍ଧ-ଯୁଦ୍ଧର ଘନଘଟା ସାରା ଦେଶବାସୀଙ୍କର ଦୃଷ୍ଟି ଆକର୍ଷଣ କରିଛି, ତାହା ସେଦିନର ସେଇ ‘ମନ୍ଥନ’ର ଏକ ନବ୍ୟ ସଂସ୍କରଣ ଭଳି ମନେ ହୋଇଥାଏ। ଏ ଯୁଦ୍ଧକୁ ଯାହା ଇନ୍ଧନ ଯୋଗାଇଛି, ତାହା ହେଲା କର୍ଣ୍ଣାଟକ ରାଜ୍ୟ ବିଧାନ ସଭା ପାଇଁ ଆସନ୍ନ ନିର୍ବାଚନ। ଏ ଯୁଦ୍ଧରେ ଦୁଇ ପକ୍ଷ ରୂପେ ଯେଉଁମାନଙ୍କୁ ଦର୍ଶାଯାଉଛି, ସେମାନେ ହେଲେ ପ୍ରସିଦ୍ଧ ‘ଅମୂଲ’ ବ୍ରାଣ୍ଡର ମାଲିକ ଏକ ସମବାୟ ସଂଗଠନ- ‘ଗୁଜରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଙ୍ଗ୍ ଫେଡେରେସନ୍’, ଓ ‘ନନ୍ଦିନୀ’ ବ୍ରାଣ୍ଡର ମାଲିକ ‘କର୍ଣ୍ଣାଟକ ମିଲ୍କ ଫେଡେରେସନ୍’। ୨୦୨୨ ଡିସେମ୍ବରରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ଯେତେବେଳେ ଘୋଷଣା କଲେ ଯେ ଆସନ୍ତା ତିନିବର୍ଷ ମଧ୍ୟରେ ‘ଅମୂଲ’ ଓ ‘ନନ୍ଦିନୀ’ ମିଳିତ ଭାବରେ କର୍ଣ୍ଣାଟକ ରାଜ୍ୟର ପ୍ରତ୍ୟେକ ଗ୍ରାମରେ ପ୍ରାଥମିକ ଦୁଗ୍ଧ ଉତ୍ପାଦନ କେନ୍ଦ୍ରମାନ ପ୍ରତିଷ୍ଠା କରିବେ, ସେତେବେଳେ କଂଗ୍ରେସ ଓ ଜେଡି (ଏସ୍) ଆଦି ବିରୋଧୀ ଦଳମାନେ ଏହାର ତୀବ୍ର ବିରୋଧ କରି ଅଭିଯୋଗ କରିଥିଲେ ଯେ ବୃହତ୍ତର ସଂସ୍ଥା ‘ଅମୂଲ’ ସହିତ ଶେଷରେ ‘ନନ୍ଦିନୀ’କୁ ମିଶାଇ ଦେବା ନିମିତ୍ତ ଏହା ହେଉଛି ଗୁଜରାଟୀ ଅମିତ ଶାହଙ୍କର ଏକ ସୁପରିକଳ୍ପିତ ଚକ୍ରାନ୍ତ ଏବଂ ଏହା କର୍ଣ୍ଣାଟକର ତଥା ସେ ରାଜ୍ୟର ଦୁଗ୍ଧ ଚାଷୀମାନଙ୍କର ସ୍ବାର୍ଥହାନି ଘଟାଇବ।
ଏଭଳି ଅଭିଯୋଗର ସତ୍ୟତା ଯାହା ହୋଇଥାଉ ନା କାହିଁକି, କର୍ଣ୍ଣାଟକରେ ପ୍ରବେଶ କରିବାକୁ ଚାହୁଁଥିବା ‘ଅମୂଲ’ ବର୍ତ୍ତମାନ ସେଇଭଳି ଏକ ପ୍ରତିରୋଧର ସମ୍ମୁଖୀନ ହୋଇଛି, ଯେଉଁ ଭଳି ଡକ୍ଟର ରାଓ ସେଦିନ ସମ୍ମୁଖୀନ ହୋଇଥିଲେ। ଏହାର କାରଣ ମଧ୍ୟ ହେଉଛି ତାହା, ଯାହା ମିଶ୍ରାଜୀ ସେଦିନ ଡକ୍ଟର୍ ରାଓଙ୍କୁ ବୁଝାଇ ଦେଇଥିଲେ। ଦୁଗ୍ଧ ବ୍ୟବସାୟ ଭଳି ଯେଉଁ ବ୍ୟବସାୟ ତୃଣମୂଳ ସ୍ତରରେ ଗୋଷ୍ଠୀ ଜୀବନ ସଂସ୍ପର୍ଶରେ ଆସେ, ସେଭଳି ବ୍ୟବସାୟ ଯଦି ଗୋଷ୍ଠୀର ଜଟିଳ ସ୍ପର୍ଶକାତରତା ପ୍ରତି ଧ୍ୟାନ ନ ଦେଇ ବା ଯତ୍ନଶୀଳ ନ ହୋଇ କାର୍ଯ୍ୟ କରିବାକୁ ବା ଅଗ୍ରସର ହେବାକୁ ଚେଷ୍ଟା କରେ, ତେବେ ବିଭିନ୍ନ ପ୍ରତିବନ୍ଧର ସମ୍ମୁଖୀନ ହେବା ଅନିବାର୍ଯ୍ୟ ହୋଇଥାଏ। ଉଲ୍ଲେଖ ଆବଶ୍ୟକ ଯେ ଏଭଳି ସ୍ପର୍ଶକାତରତା ଆଦୌ ଯୁକ୍ତିଯୁକ୍ତ ବା ବାସ୍ତବବାଦୀ ନ ହୋଇପାରେ, ଏବଂ ଉପଯୁକ୍ତ ସଚେତନତା ସୃଷ୍ଟି ମାଧ୍ୟମରେ ସମାଜର ଆଶଙ୍କା ଦୂର କରିବା ପରିବର୍ତ୍ତେ ଶକ୍ତି ପ୍ରଦର୍ଶନ ମାଧ୍ୟମରେ ପ୍ରବେଶ କରିବାକୁ ଚେଷ୍ଟା କଲେ ତାହାର ଫଳ ବିପରୀତ ହେବାର ଦୃଢ଼ ସମ୍ଭାବନା ରହିଥାଏ।
ଅନ୍ୟ ଭାଷାରେ କହିଲେ, ତୃଣମୂଳ ସ୍ତରର ଅଗଣିତ ଦୁଗ୍ଧ ଚାଷୀମାନଙ୍କର ଦୈନନ୍ଦିନ ଜୀବନ ଓ ଅର୍ଥନୀତିକୁ ଅନ୍ତରଙ୍ଗ ଭାବରେ ସ୍ପର୍ଶ କରୁଥିବା ‘ଅମୂଲ’ ଭଳି ଏକ ଶକ୍ତିଶାଳୀ ବ୍ରାଣ୍ଡ ଏକ ନୂତନ ବଜାରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ପ୍ରତ୍ୟକ୍ଷ ଭାବରେ ବା ପରୋକ୍ଷ ଭାବରେ ସେଠାକାର ସାମାଜିକ ଅନୁମୋଦନ ହାସଲ କରିବା ଆବଶ୍ୟକ, ଯାହାକୁ ସେ ବ୍ୟବସାୟ ପାଇଁ ସମାଜ ପ୍ରଦାନ କରୁଥିବା ଅନୁମତିପତ୍ର ବା ‘ସାମାଜିକ ଲାଇସେନ୍ସ’ ରୂପେ ଅଭିହିତ କରାଯାଇପାରେ। ଡକ୍ଟର୍ ରାଓଙ୍କର ଦୃଶ୍ୟପଟରେ ଆବିର୍ଭାବ ଘଟିନଥିବା ପର୍ଯ୍ୟନ୍ତ ଗଙ୍ଗା ପ୍ରସାଦ ମିଶ୍ର ଏଭଳି ସାମାଜିକ ଲାଇସେନ୍ସ ହାସଲ କରି ବ୍ୟବସାୟ କରୁଥିଲେ। ଡକ୍ଟର୍ ରାଓ ଓ ତାଙ୍କର ସାଥୀମାନେ ବହୁ ପରିଶ୍ରମ କରି ନିଜର ସମବାୟ ଆନ୍ଦୋଳନ ନିମିତ୍ତ ସେଇ ସାମାଜିକ ଲାଇସେନ୍ସ ହାସଲ କଲା ପରେ ମିଶ୍ରାଜୀଙ୍କ ଲାଇସେନ୍ସ ଗ୍ରାମବାସୀମାନେ ବାତିଲ କରି ଦେଇଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସମବାୟ ଆନ୍ଦୋଳନ ଦ୍ବାରା ସେମାନେ କିପରି ଲାଭବାନ ହେବେ, ଗ୍ରାମବାସୀମାନେ ଶେଷରେ ତାହା ହୃଦୟଙ୍ଗମ କରିବା ପରେ, ଅନେକ ମାନସ ମନ୍ଥନ ପରେ ଯାଇ ସେମାନେ ଏହାକୁ ସ୍ବାଗତ କରିଥିଲେ।
କର୍ଣ୍ଣାଟକବାସୀମାନଙ୍କ ଠାରୁ ସେଭଳି ସାମାଜିକ ଲାଇସେନ୍ସ ପାଇବା ପୂର୍ବରୁ ‘ଅମୂଲ’ର ସେଠାରେ ପ୍ରବେଶ ଉଦ୍ୟମର ପରିଣାମ ଏଭଳି ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ସମବାୟ କ୍ଷେତ୍ର ସର୍ବଦା ରାଜନୀତି ସହିତ ଓତଃପ୍ରୋତଃ ଭାବରେ ଜଡ଼ିତ ହୋଇଥାଏ। ନିର୍ବାଚନ ତାତି ବଢ଼ି ଚାଲିଥିବା ବେଳେ ଏବେ ‘ଅମୂଲ’ ଯେତେବେଳେ ଏକ ଟ୍ବିଟ୍ କରି ଦେଲା ଯେ ‘ଅମୂଲ’ ପରିବାର ବେଙ୍ଗାଲୁରୁ ନଗରୀକୁ କିଛି ‘ତାଜା’ ନେଇ ପ୍ରବେଶ କରୁଛି, ବିରୋଧୀ ଦଳମାନଙ୍କ ପାଇଁ ଏହା ଆକ୍ରମଣର ଏକ ନୂତନ ସୁଯୋଗ ସୃଷ୍ଟି କରିଛି (ରାହୁଲ ଗାନ୍ଧୀ ‘ନନ୍ଦିନୀ’ ଆଇସ୍କ୍ରିମ୍ ଖାଇବାର ଛବି ଏହି ଆକ୍ରମଣର ଅଂଶ)। ଯଦି ଏକ ବିଶୁଦ୍ଧ ବ୍ୟାବସାୟିକ ରଣ କୌଶଳ ଦୃଷ୍ଟିରୁ ଦେଖାଯାଏ, ତେବେ ନିର୍ବାଚନର ଠିକ୍ ଅବ୍ୟବହିତ ପୂର୍ବରୁ ଘୋର ଆବେଗିକ ଅସ୍ଥିରତା ସୃଷ୍ଟି ହୋଇଥିବା ବେଳେ ଦୁଗ୍ଧ ଭଳି ଏକ ଆବେଗିକ ଇଲାକାରେ ବ୍ୟବସାୟ କରିବା ନିମିତ୍ତ ସାମାଜିକ ଲାଇସେନ୍ସ ହାସଲ କରିବା ପାଇଁ ଉଦ୍ୟମର ଫଳ ନିଶ୍ଚିତ ରୂପେ ବିପରୀତ ହେବ। ଏହି ସଚେତନତା ମଧ୍ୟ ହେଉଛି ‘ଇଏସ୍ଜି’ ଅନ୍ତର୍ଗତ ‘ଏସ୍’ର ଅଂଶ। ‘ଅମୂଲ’ର ଚମକପ୍ରଦ ବ୍ୟାବସାୟିକ ସଫଳତା ସତ୍ତ୍ବେ ଅବେଳାରେ କର୍ଣ୍ଣାଟକେର ପ୍ରବେଶ ଉଦ୍ୟମ ତେଣୁ ହେଉଛି ଏକ ମସ୍ତବଡ଼ ଭୁଲ।