ଠିକ ସମୟରେ ଚାଷୀଙ୍କୁ ସାର ନ ମିଳିବା, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ଠାରୁ ବଜାରରେ ଚଢ଼ା ଦରରେ ସାର ବିକ୍ରି ହେବା ଭଳି ସ୍ଥିତି ଭାରତୀୟ ଚାଷୀଙ୍କ ପାଇଁ ଏକ ନିୟମିତ ହତାଶାଜନକ ଅବସ୍ଥା ସୃଷ୍ଟି କରିଥାଏ। ସାଧାରଣ ଦୃଷ୍ଟିରୁ ଦେଖିଲେ ଆମ ଚାଷୀମାନେ ୟୁରିଆ, ଡି.ଏ.ପି କିମ୍ବା ପଟାସ ଇତ୍ୟାଦି ଭଳି ସାର ଉପରେ ଅଧିକ ନିର୍ଭରଶୀଳ। କୃଷି ପାଇଁ ମୁଖ୍ୟତଃ ଯେଉଁ ସାର ସବୁ ଆବଶ୍ୟକ, ସେଥିରେ ନାଇଟ୍ରୋଜେନ, ଫସଫରସ ଏବଂ ପୋଟାସିଅମ ଥିବା ନିତାନ୍ତ ଜରୁରୀ। ନାଇଟ୍ରୋଜେନ ଫସଲକୁ ବଢ଼ିବାରେ ସାହାଯ୍ୟ କରେ ଏବଂ ଫସଲର ରଙ୍ଗ ଠିକ ରଖେ। ଫସଫରସ ଚେର ବା ମୂଳକୁ ଦୃଢ଼ କରେ ଏବଂ ଗଛରେ ଭଲ ଫୁଲ ଧରିବାରେ ସାହାଯ୍ୟ କରେ। ଫସଲର ମାନ ବା ଗୁଣବତ୍ତାକୁ ପଟାସିଅମ ବଢ଼ାଇଥାଏ ଏବଂ ପୋକ ଦାଉରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ।
ଏହି ସବୁ ଗୁଣ ଦୃଷ୍ଟିରୁ ଡି.ଏ. ପି. ସାର ଭାରତୀୟ ଫସଲ ପାଇଁ ଋତୁ ଅନୁସାରେ ନିତାନ୍ତ ଆବଶ୍ୟକ ବୋଲି କୃଷି ବୈଜ୍ଞାନିକମାନେ କହିଥାଆନ୍ତି। ସାର ତିଆରିର ପ୍ରକ୍ରିୟା ବେଶ୍ ଜଟିଳ ଏବଂ ସାର ପ୍ରସ୍ତୁତିରେ ଖର୍ଚ୍ଚ ମଧ୍ୟ ଅଧିକ। ଯଦି ସାର ତିଆରିର ପ୍ରକୃତ ଖର୍ଚ୍ଚ ଦେଇ ଚାଷୀଙ୍କୁ ସାର କିଣିବାକୁ ହୁଏ, ତେବେ ସେମାନଙ୍କ ପାଇଁ ତାହା ଖୁବ୍ କଷ୍ଟସାଧ୍ୟ ହେବ। ତେଣୁ ବଜାରରେ କମ ଟଙ୍କାରେ ସାର ଉପଲବ୍ଧ ହେବା ପାଇଁ ସବୁ ସାର କମ୍ପାନିଙ୍କୁ ସରକାର ସବସିଡି ଦିଅନ୍ତି ଏବଂ ବଜାରରେ କେଉଁ ସାର ସର୍ବାଧିକ କେତେ ଟଙ୍କାରେ ବିକ୍ରି ହେବ ତାହା ସରକାର ସ୍ଥିର କରିଥା’ନ୍ତି। କେବଳ ସେତିକି ନୁହେଁ, ଖରିଫ ଫସଲ ହେଉ କିମ୍ବା ରବି ଫସଲ; ଯଥେଷ୍ଟ ସମୟ ପୂର୍ବରୁ ସରକାରୀ ବିଭାଗ କୃଷକମାନଙ୍କ ସାର ଆବଶ୍ୟକତା ଏବଂ ସେହି ମୁତାବକ ସାର ଯୋଗାଣର ଏକ ଆକଳନ କରିଥାଆନ୍ତି। ଏଇ ଆକଳନ ମୁତାବକ ଦେଶର ଉତ୍ପାଦନ କ୍ଷମତାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଏବଂ ଘରୋଇ କମ୍ପାନିଗୁଡ଼ିକ ସାର ଉତ୍ପାଦନ କରନ୍ତି। ଦେଶରେ ସେତିକି ସାର ଉତ୍ପାଦିତ ହୋଇ ନ ପାରିଲେ ବାହାର ଦେଶରୁ ତାହା ଆମଦାନି କରାଯାଏ।
ଉଲ୍ଲେଖ ଥାଉ କି ଦେଶରେ ତିଆରି ହେଉଥିବା ଡି.ଏ.ପି. ସାରର ୫୨% ଓଡ଼ିଶାର ପାରାଦୀପରେ ଥିବା ‘ଇଫକୋ’ ଏବଂ ‘ପାରାଦୀପ ଫସଫେଟ ଲିମିଟେଡ୍ ବା ‘ପି.ପି.ଏଲ୍’ରେ ତିଆରି ହେଉଛି। ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଓଡ଼ିଶା ସମଗ୍ର ଭାରତ ପାଇଁ ସର୍ବାଧିକ ଡି.ଏ.ପି ସାର ତିଆରି କରୁଥିଲା ବେଳେ ଓଡ଼ିଶାରେ ପ୍ରତିବର୍ଷ ଚାଷୀଙ୍କ ପାଇଁ ଠିକ ପରିମାଣରେ ଏବଂ ଠିକ ସମୟରେ ସାର ମିଳେନାହିଁ କାହିଁକି? କେବଳ ସେତିକି ନୁହେଁ, ଡି.ଏ.ପି. ସାର ଅନେକ ସମୟରେ ନିର୍ଦ୍ଧାରିତ ସରକାରୀ ମୂଲ୍ୟ ଠାରୁ ଅଧିକ ଦରରେ ବିକ୍ରି ହେଉଛି କାହିଁକି? ଏହାର ଉତ୍ତର ଖୋଜିବାର ଚେଷ୍ଟା କରିବା। ପ୍ରଥମତଃ, ଡି.ଏ.ପି. ସାରକୁ ନେଇ ଭାରତ ଆତ୍ମନିର୍ଭର ନୁହେଁ। ଡି.ଏ.ପି. ସାର ଉତ୍ପାଦନ ପାଇଁ ଦରକାର ହେଉଥିବା କଞ୍ଚାମାଲ ପାଇଁ ଭାରତ ମୁଖ୍ୟତଃ ବାହାର ଦେଶ ଉପରେ ନିର୍ଭରଶୀଳ।
ଡି.ଏ.ପି. ସାରର କଞ୍ଚା ମାଲ ଭାବେ ନାଇଟ୍ରୋଜେନକୁ ସିନା ବାୟୁରୁ ବୈଜ୍ଞାନିକ ଉପାୟରେ ସଂଗ୍ରହ କରାଯାଏ, ଫସଫରସ ଆମ ଦେଶରେ ଉପଲବ୍ଧ ହୁଏ ନାହିଁ। ବିଶ୍ୱର ୭୦% ଫସଫରସ ଆଫ୍ରିକାର ମରକ୍କୋ ଠାରେ ଗଚ୍ଛିତ ଅଛି। ପଶ୍ଚିମ ସାହାରାର ‘ବୁକ୍ରା’ ଖଣିରେ ବିଶ୍ୱର ସର୍ବାଧିକ ଫସଫରସ ରହିଛି। ବିଗତ ୧୫ ବର୍ଷର ସରକାରୀ ତଥ୍ୟରୁ ଜଣାଯାଏ ଯେ ଭାରତ ଆମଦାନି କରୁଥିବା ଡି.ଏ.ପି. ସାରର ୪୭% ଆସେ ଚୀନ୍ରୁ, ୩୩% ଆସେ ସାଉଦି ଆରବରୁ ଏବଂ ୧୦% ଆସେ ମରକ୍କୋରୁ। ଭାରତ ସରକାରଙ୍କର ‘ଡିପାର୍ଟମେଣ୍ଟ ଅଫ ଫର୍ଟିଲାଇଜର’ ୨୦୧୮ ମସିହାର ଏକ ରିପୋର୍ଟ ଏବଂ ଲୋକସଭାର ପ୍ରଶ୍ନୋତ୍ତରରୁ ଜାଣି ହୁଏ ଯେ ଭାରତରେ ଡି.ଏ.ପି. ସାରର ବାର୍ଷିକ ଚାହିଦା ୧୩୦-୧୩୫ ଲକ୍ଷ ମେଟ୍ରିକ୍ ଟନ୍। ଅଥଚ, ଆମ ଦେଶରେ ଏହି ସାରର ଘରୋଇ ଉତ୍ପାଦନ କ୍ଷମତା ମାତ୍ର ୮୦ ଲକ୍ଷ ମେଟ୍ରିକ୍ ଟନ୍; ଯହିଁରୁ, ହାରାହାରି ୪୨ ଲକ୍ଷ ମେଟ୍ରିକ୍ ଟନ୍ ହିଁ ଦେଶରେ ଉତ୍ପାଦିତ ହୋଇପାରୁଛି। ୨୦୨୨ରେ ଲୋକସଭାର ପ୍ରଶ୍ନୋତ୍ତର (ସଂଖ୍ୟା ୯୮/୨୦୨୨ର ତଥ୍ୟ ଅନୁସାରେ ୨୦୨୧-୨୨ରେ ଦେଶରେ ୯୬.୮୪ ଲକ୍ଷ ମେଟ୍ରିକ୍ ଟନ୍ ସାର ଯୋଗାଣ ହୋଇଥିଲା ଯହିଁରୁ ଦେଶରେ ତିଆରି ହୋଇଥିବା ଡି.ଏ.ପି. ସାରର ପରିମାଣ ମାତ୍ର ୪୨.୨୨ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ବିଦେଶରୁ ଆମଦାନି ହୋଇଥିବା ସାରର ପରିମାଣ ୫୪.୬୨ ଲକ୍ଷ ମେଟ୍ରିକ୍ ଟନ୍।
ତେଣୁ, ଏହା ସ୍ପଷ୍ଟ ଯେ ସ୍ୱାଧୀନ ହେବା ଦିନ ଠାରୁ ଏ ଯାବତ୍ ଆମ ଦେଶ ଡି.ଏ.ପି ସାରକୁ ନେଇ ଆତ୍ମନିର୍ଭର ହୋଇପାରିନାହିଁ। ଉଲ୍ଲେଖ ଥାଉ କି, ଗତ କିଛି ବର୍ଷ ହେଲା ଅନ୍ତର୍ଜାତୀୟ ବଜାରରେ ଡି.ଏ.ପି. ପାଇଁ ଦରକାର ହେଉଥିବା କଞ୍ଚାମାଲ (ଫସଫରସ)ର ଚାହିଦା ଏବଂ ଦରର ତୀବ୍ର ବୃଦ୍ଧି ଘଟିଛି। ସୁତରାଂ, ପ୍ରମୁଖ ଭାବେ ଆମଦାନି ସୂତ୍ରରୁ ବଜାରରେ ଉପଲବ୍ଧ ଡି.ଏ.ପି. ସାରର ଦର ଅଧିକ ରହିବା ସ୍ୱାଭାବିକ। ଏଥି ନେଇ ଯେହେତୁ ସରକାର ସାର କମ୍ପାନିମାନଙ୍କୁ ସବସିଡି ଦେଉଛନ୍ତି ଏହାର ନକାରାତ୍ମକ ପ୍ରଭାବ ସରକାରଙ୍କ ରାଜକୋଷ ଉପରେ ମଧ୍ୟ ପଡୁଛି। ତେଣୁ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଡି.ଏ.ପି. ସାର ପାଇଁ ଆବଶ୍ୟକ କଞ୍ଚା ମାଲର ଦର କମ୍ ଥାଏ, ସରକାର ସେତେବେଳେ ହିଁ ଆମଦାନି କରନ୍ତି।
କିନ୍ତୁ ଅସଲ କଥା ହେଲା, ଖରିଫ କିମ୍ବା ରବି ଋତୁର ଯଥେଷ୍ଟ ପୂର୍ବରୁ ଚାଷୀଙ୍କୁ ସାର ମିଳିବା ଆବଶ୍ୟକ। ତେଣୁ କମ୍ ଦରରେ ଆମଦାନି କରିବା ଲାଗି ଠିକଣା ସମୟକୁ ଅପେକ୍ଷା କରାଯାଉଥିବା କ୍ରମରେ ଚାଷ ଋତୁ ପାର ହୋଇ ସାରିଥାଏ। ଅପରପକ୍ଷରେ, ଓଡ଼ିଶାରେ ଚାଷୀଙ୍କ ପାଇଁ ଡି.ଏ.ପି. ସାରର ଅଭାବକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ଲୋକସଭାରେ ୩ ଫେବ୍ରୁ୍ଆରି, ୨୦୨୩ରେ କେନ୍ଦ୍ର ସରକାଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତରରେ ଓଡ଼ିଶାରେ ରବି ତଥା ଖରିଫ ଫସଲ ପାଇଁ ଡି.ଏ.ପି. ସାର ଯୋଗାଣର କୌଣସି ଅଭାବ ନାହିଁ ବୋଲି କୁହାଯାଇଛି। ଆକଳନ, ଚାହିଦା ଏବଂ ଯୋଗାଣଭିତ୍ତିକ ପରିସଂଖ୍ୟାନ କହେ ଯେ ସାରା ବର୍ଷର ଚାହିଦା ଏବଂ ଯୋଗାଣର ଅନୁପାତରେ ହୁଏତ ଅଭାବ ପରିଲକ୍ଷିତ ହୋଇ ନ ଥାଏ, କିନ୍ତୁ ଚାଷୀଙ୍କୁ ଚାଷ ସମୟର ଆବଶ୍ୟକତା ଅନୁସାରେ ଯଥେଷ୍ଟ ପୂର୍ବରୁ ତାହା ମିଳି ନ ଥାଏ।
ତେଣୁ ବଜାରରେ ସତରେ ସାରର ଅଭାବ ଅଛି କି ନାହିଁ, ତାହା ଜାଣିବାକୁ ହେଲେ ସମ୍ପୂର୍ଣ୍ଣ ବର୍ଷର ପରିସଂଖ୍ୟାନକୁ ନ ଦେଖି ପ୍ରତ୍ୟେକ ଫସଲ ଋତୁରେ ଆବଶ୍ୟକତା ଏବଂ ଯୋଗାଣକୁ ଦୃଷ୍ଟିକୁ ନେବା ଆବଶ୍ୟକ। ଏହି ଦୃଷ୍ଟିରୁ ରାଜ୍ୟରେ ଡି.ଏ.ପି. ସାର ଯୋଗାଣର ଅଭାବ ରହିଛି ବୋଲି ସ୍ପଷ୍ଟ ହୋଇଥାଏ। ଉଦାହରଣ ସ୍ୱରୂପ, ପାର୍ଲିଆମେଣ୍ଟର ପ୍ରଶ୍ନୋତ୍ତରରେ ଥିବା ତଥ୍ୟ ଅନୁସାରେ ୨୦୨୨-୨୦୨୩ରେ ରବି ଫସଲ ପାଇଁ ଅକ୍ଟୋବର ୨୦୨୨ରୁ ଜାନୁଆରି ୨୦୨୩ ଭିତରେ ଓଡ଼ିଶାରେ ଡି.ଏ.ପି. ସାରର ଆବଶ୍ୟକତା ୦.୪୪ ଲକ୍ଷ ମେଟ୍ରିକ୍ ଟନ୍ ଥିଲା ବେଳେ ୦.୭୨ ଲକ୍ଷ ମେଟ୍ରିକ୍ ଟନ୍ ଉପଲବ୍ଧ ଥିଲା। କିନ୍ତୁ ବଜାରରେ ମାତ୍ର ୦.୩୦ ଲକ୍ଷ ମେଟ୍ରିକ୍ ଟନ୍ ବିକ୍ରି ହୋଇଥିଲା ଏବଂ ଜାନୁଆରି ୨୦୨୩ ସୁଦ୍ଧା ୦.୪୨ ମେଟ୍ରିକ୍ ଟନ୍ର ସାର ବିକ୍ରି ହୋଇ ନ ପାରି ପଡ଼ି ରହିଥିଲା। ରାଜ୍ୟରେ ରବି ଫସଲ ସମୟରେ ଆବଶ୍ୟକତା ଠାରୁ ୦.୧୪ ଲକ୍ଷ ମେଟ୍ରିକ୍ ଟନ୍ ଡି.ଏ.ପି. ସାର କମ୍ ବିକ୍ରି ହୋଇଥିଲା। ଏହାର ଅର୍ଥ ଯେତେବେଳେ ବଜାରରେ ସାର ମିଳୁଚି, ସେତିକି ବେଳେ ଚାଷୀର ସାର ଆବଶ୍ୟକତା ନାହିଁ।
ଏବେ ଆଉ ଗୋଟିଏ କଥା। ଚୀନରେ ୫% ଫସଫେଟ ଗଚ୍ଛିତ ଥିବା ସତ୍ତ୍ବେ ସେହି ଦେଶ ୧,୩୮୦ ଲକ୍ଷ ମେଟ୍ରିକ୍ ଟନ୍ ସାର ତିଆରି କରି ବିଶ୍ୱର ସର୍ବବୃହତ୍ ଫସଫରସ ଉତ୍ପାଦକରେ ପରିଣତ ହୋଇଛି। ୱାର୍ଲଡ ବ୍ୟାଙ୍କର ରିପୋର୍ଟ ଅନୁସାରେ ମରକ୍କୋରୁ ସର୍ବାଧିକ ଫସଫରସ କିଣୁଥିବା ଦେଶ ହେଉଛି ଚୀନ। ଚୀନରେ ମାତ୍ର ୫% ‘ରିଜର୍ଭ’ ଥାଇ ମଧ୍ୟ ଡି.ଏ.ପି. ସାର ଉତ୍ପାଦନ କରୁଛି ଏବଂ ଭାରତ ତା’ ଠାରୁ ଚଢ଼ା ଦରରେ ସାର କିଣୁଛି? ତେଣୁ ପ୍ରଶ୍ନ ଉଠେ ଚୀନ ଯଦି ମରକ୍କୋରୁ କଞ୍ଚାମାଲ କିଣି ଡି.ଏ.ପି. ସାର ପ୍ରସ୍ତୁତ କରି ରପ୍ତାନି କରି ପାରୁଛି ଆମ ଦେଶ ଏଥିରେ ଏେତ ପଛରେ କାହିଁକି? ଆଉ ଏକ ଦୃଷ୍ଟିରୁ ଦେଖିଲେ ଭାରତରେ ଡି.ଏ.ପି. ସାର ଏକ ଅତ୍ୟାବଶ୍ୟକ ଦ୍ରବ୍ୟରେ ଗଣା ହୁଏ ଏବଂ ଏହାର ଚାହିଦା, ଯୋଗାଣ ଏବଂ ଏହା ସର୍ବାଧିକ କେତେ ମୂଲ୍ୟରେ ବିକ୍ରି ହେବ, ତାହା ଉପରେ ସରକାରଙ୍କର ସିଧାସଳଖ ନିୟନ୍ତ୍ରଣ ଥାଏ। ତେଣୁ ସାର କମ୍ପାନିମାନେ ଏହି ସାରର କାରବାରରେ ଅଧିକ ଲାଭ ରଖିପାରନ୍ତି ନାହିଁ।
ତେଣୁ ବ୍ୟାବସାୟିକ ଭିତ୍ତିରେ ଭଲ ଲାଭ ଅର୍ଜନ କରିବାକୁ ହେଲେ ସାର କମ୍ପାନିମାନେ ସରକାରଙ୍କ ନିୟନ୍ତ୍ରଣରେ ନ ଥିବା ସାରକୁ ବଜାରକୁ ଛାଡ଼ିବାର ପ୍ରୟାସ କରିଥା’ନ୍ତି। ବିଭିନ୍ନ ରାଜ୍ୟର ରିପୋର୍ଟ ଏବଂ ଓଡ଼ିଶାରେ ବିଭିନ୍ନ ପାଇକାରୀ ବିକ୍ରେତାମାନେ ଦେଇଥିବା ତଥ୍ୟ ଅନୁସାରେ ସାର କମ୍ପାନିମାନେ ଡି.ଏ.ପି. ବଦଳରେ ଅଧିକ ଲାଭ ମିଳୁଥିବା ସାରକୁ ବଜାରକୁ ଅଧିକ ଛାଡ଼ନ୍ତି, ଯାହାକୁ କିଣିବାକୁ ଚାଷୀମାନେ ଏକ ପ୍ରକାର ବାଧ୍ୟ ହୁଅନ୍ତି। ଏହାର ଅର୍ଥ ବଜାରରେ ଯୋଗାଣକୁ କୃତ୍ରିମ ଉପାୟରେ ନିୟନ୍ତ୍ରଣ କରାଯାଏ। ତେଣୁ ଅନୁମାନ ହୁଏ ଯେ ଏହା ମଧ୍ୟ ଦେଶରେ ଡି.ଏ.ପି ସାର ନ ମିଳିବାର ଅନ୍ୟ ଏକ କାରଣ ହୋଇପାରେ।
ଉଲ୍ଲେଖଥାଉକି, ବିଗତ ୮ ବର୍ଷ ହେଲା କେନ୍ଦ୍ରରେ ଥିବା ସରକାର ମରକ୍କୋ ସହ ଅନେକ ଚୁକ୍ତି କରିଛନ୍ତି, ଯାହା ଫଳରେ ମରକ୍କୋ ଠାରୁ ‘ରକ୍ ଫସଫରସ’ କିଣିବାର ବ୍ୟବସ୍ଥା ବଳବତ୍ତର ହୋଇଛି। ଦେଶରେ ସାର କଳାବଜାରକୁ ରୋକିବା ପାଇଁ ବିତରଣ ବ୍ୟବସ୍ଥାରେ ଅନେକ ସୁଧାର ଆସିଛି ଏବଂ ସାର ବିତରଣ ପ୍ରଣାଳୀ ଉପରେ ‘ଆଇ.ଏଫ.ଏମ.ସି’ ଅନଲାଇନ ଜରିଆରେ କଡ଼ା ନଜର ରଖାଯାଉଛି ଏବଂ ୟାକୁ ନେଇ କେନ୍ଦ୍ର ସରକାର ଅନେକ କଡ଼ା ନିୟମ ମଧ୍ୟ ଲାଗୁ କରିଛନ୍ତି। ବିଶେଷତଃ ଡି.ଏ.ପି. ସାରକୁ ନେଇ ବର୍ତମାନ କେନ୍ଦ୍ରରେ ଥିବା ସରକାର ଆତ୍ମନିର୍ଭରର ସ୍ଲୋଗାନ ମଧ୍ୟ ଦେଇଛନ୍ତି। ଉଦାହରଣ ସ୍ୱରୂପ, ପି.ପି.ଏଲର ଉତ୍ପାଦନ କ୍ଷମତା ବଢ଼ାଇବାକୁ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଭାରତ ସରକାର ମଧ୍ୟ ପ୍ରଦେଶରେ ଥିବା ‘ମଧ୍ୟ ଭାରତ ଆଗ୍ରୋ-ପ୍ରଡକ୍ଟ ଲିମିଟେଡ଼’, ‘କୃଷ୍ଣା ଫୋସକେମ ଲିମିଟେଡ଼’କୁ ଯଥାକ୍ରମେ ବାର୍ଷିକ ୨.୪ ଏବଂ ୩.୩ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନର ଲାଇସେନ୍ସ ପ୍ରଦାନ କରିଛନ୍ତି।
ସୁତରାଂ, ପ୍ରଥମ କଥା ହେଲା ଭାରତକୁ ଡି.ଏ.ପି. ସାର ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଦ୍ବିତୀୟରେ, ଅନ୍ତର୍ଜାତୀୟ ବଜାରର ଚଢ଼ାଦରକୁ ବିଚାରକୁ ନେଇ ଭାରତ କିପରି ଦୀର୍ଘକାଳୀନ ଭିତ୍ତିରେ କମ୍ ଦରରେ ସାର ଏବଂ ଫସଫରସ ସଂଗ୍ରହ କରିବ, ତାହାର ବ୍ୟବସ୍ଥା କରାଯିବା ନିତାନ୍ତ ଆବଶ୍ୟକ। ତୃତୀୟରେ ସାରର ଆବଶ୍ୟକତା ସମୟ ନିର୍ଭରଶୀଳ ହୋଇଥିବାରୁ ଚାଷୀ ଚାହୁଥିବା ବେଳେ ସାର ଉପଲବ୍ଧ ହେବା ହେଉଛି ସବୁଠାରୁ ବଡ଼ କଥା। ଏବଂ ସବା ଶେଷରେ ସାର ବିତରଣ ଓ ବିପଣନ ବ୍ୟବସ୍ଥାକୁ ଏଭଳି ସାବଳୀଳ କରିବାକୁ ହେବ ଯହିଁରେ କଳାବଜାର ବା ମୁନାଫାଖୋରିର ସମ୍ଭାବନା ରହିବ ନାହିଁ।
ମୋ: ୯୭୯୧୧୨୧୦୬୮
[email protected]