ଇତିହାସର ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀମାନଙ୍କର ଧରାବସାନ ଘଟନା ଅନେକତ୍ର ଅସାଧାରଣ ହୋଇଥାଏ। ସମ୍ଭବତଃ ବିଶ୍ବନିୟନ୍ତା ସେମାନଙ୍କ ଅସାଧାରଣ-ଜୀବନ-ଉପଯୁକ୍ତ ମରଣ ବୋଧହୁଏ ଧାର୍ଯ୍ୟ କରିଥାଆନ୍ତି! ଏବଂ ସେହି ସବୁ ଘଟଣାମାନ ଭିତରୁ କେତେକରେ ଏଭଳି ଅମୂର୍ତ୍ତ କ୍ଷଣମାନ ସୃଷ୍ଟି ହୋଇଥାଏ ଯେ ତାହା କାଳକାଳ ଧରି ମନୁଷ୍ୟର ସଂବେଦନାକୁ ମଥନ କରି ଚାଲିଛି।
ପ୍ରଥମେ ଏଭଳି କିଛି ଉଦାହରଣ। ଭଗବାନ ଯୀଶୁଙ୍କ ପାର୍ଥିବ ଜୀବନାବସାନ କ୍ରୁଶବିଦ୍ଧ ଦ୍ବାରା ହୋଇଥିଲା। ସକ୍ରେଟିସଙ୍କୁ ବିଷ ପିଆଲା ନିେଶଷ କରିବାକୁ ବାଧ୍ୟ କରା ଯାଇଥିଲା। ବାସୁଦେବ କୃଷ୍ଣଙ୍କ ପଦ୍ମ-ପଲାସ ନିନ୍ଦୀ ପଦ ଯୁଗଳକୁ ମୃଗ କର୍ଣ୍ଣ ବୋଲି ଭାବି ବ୍ୟାଧର ବିଷ ବୋଳା ଶର ନିକ୍ଷେପ ତାଙ୍କ ପାର୍ଥିବ ଜୀବନ ଲୀଳାକୁ ସାଙ୍ଗ କରିଥିଲା। ପ୍ରାର୍ଥନା ସଭାରେ ଯୋଗ ଦେବାକୁ ଯାଉଥିଲା ବେଳେ ଆତତାୟୀର ଗୁଳିଚୋଟରେ ଜାତିର ପିତା ଗାନ୍ଧୀଜୀ ଟଳି ପଡ଼ିଥିଲେ। କାଳଜୟୀ ଗ୍ରୀକ୍ ଗାଳ୍ପିକ ଇଶପଙ୍କ ମୃତ୍ୟୁ ଥିଲା ଅତି ଅସାଧାରଣ।
କୁହାଯାଏ ଯେ କଳହରେ ଲିପ୍ତ ଦୁଇ ଗୋଷ୍ଠୀଙ୍କୁ ବୁଝାଇବା ଲାଗି ଓ ସେମାନଙ୍କ ମନରେ ହସ ଫୁଟାଇବା ଲାଗି ଇଶପ୍ କହିଥିବା ଏକ କଳ୍ପକୁ ଉଭୟ ପକ୍ଷ ସେମାନଙ୍କୁ ପରିହାସ କରାଯାଉଛି ବୋଲି ଧରି ନେଇ ତାଙ୍କୁ ଅଲିଂପସ୍ ପାହାଡ଼ ଉପରୁ ଏକ ଗାତ ଭିତରକୁ ନିକ୍ଷେପ କରି ମାରି ଦେଇଥିଲେ। ସେମିତି ଘଟଣାଟିଏ ଘଟିଥିଲା ଗ୍ରୀକ୍ ବିଚାରପତି ଡ୍ରାକୋଙ୍କ ଜୀବନରେ। ଡ୍ରାକୋ ଅତ୍ୟନ୍ତ କଠୋର ଦଣ୍ଡ ବିଧାନ କରୁଥିଲେ। ସେଥି ଲାଗି ଯେ କୌଣସି କଠୋର ଦଣ୍ଡ ବ୍ୟବସ୍ଥାକୁ ‘ଡ୍ରାକୋନିଆନ୍’ ଆଇନ ବୋଲି କୁହାଯାଇଥାଏ। ତେେବ, ସେହି ସମୟରେ ଅତି କଠୋର ଡ୍ରାକୋ ମଧ୍ୟ ଥିଲେ ଅତ୍ୟନ୍ତ ଲୋକପ୍ରିୟ। ଥରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ଲାଗି ଆୟୋଜିତ ସଭାରେ ସେହି ସମୟର ପରଂପରା ଅନୁଯାୟୀ ଏତେ ପରିମାଣରେ ନୂତନ ବସ୍ତ୍ର ଏବଂ ପୋଷାକ ତାଙ୍କ କୋଳରେ ଜମା ହେଲା ଯେ ତାହାରି ଗଦା ତଳେ ଶ୍ବାସରୁଦ୍ଧ ହୋଇ ଡ୍ରାକୋଙ୍କ ପ୍ରାଣବାୟୁ ଉଡ଼ିଗଲା।
ସେହିପରି ଏକ ମରଣକୁ ଅମର କରି ରଖି ଯାଇଛନ୍ତି ମହାନ ଇଂରେଜୀ ନାଟ୍ୟକାର ଉଇଲିଅମ ସେକ୍ସପିଅର। ତାଙ୍କ ବିଶ୍ବ-ବିଶ୍ରୁତ ନାଟକ ‘ଜୁଲିଅସ୍ ସିଜର’ରେ ଆମେ ତାହା ଦେଖୁ। ଜୁଲିଅସ ସିଜରଙ୍କ ମୃତ୍ୟୁ ନେଇ ସେକ୍ସପିଅର ସେହି ନାଟକରେ କହିଛନ୍ତି -‘ସିଜର ସୁଡ୍ ଡାଏ ସଡ଼ନ୍ଲି। ସ୍ଲୋ ଡେଥ୍ ରିଡ଼ିଉସେସ୍ ହିମ୍। ହି କ୍ୟାଣ୍ଟ ଫାଇଟ୍ ଦି ଇନେଭିଟେବଲ୍ସ ଅଫ୍ ଦି ଚେନ୍ଜିଙ୍ଗ୍ ଟାଇମ୍, ବଟ୍- ଉଇଲ ନଟ୍ ସରେଣ୍ଡର ଆଇଦର’- ଅର୍ଥାତ୍ ସିଜର ଗୋଟିଏ ଅଚାନକ ମୃତ୍ୟୁ ଲଭିବା ଉଚିତ। କାରଣ ସେ ପରିବର୍ତ୍ତିତ ସମୟର ସ୍ବାଭାବିକତା ସହିତ ତାଳ ଦେଇ ପାରୁ ନାହାନ୍ତି କି ଆତ୍ମସମର୍ପଣ କରିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ।
ରୋମାନ ସମ୍ରାଟ ଜୁଲିଅସ୍ ସିଜରଙ୍କ ନିଷ୍ପତ୍ତିମାନ ଅଟଳ ଓ ଅନମନୀୟ ହେଉଥିଲା। ତେଣୁ ସେ ଅନେକ ପ୍ରଭାବଶାଳୀ ସିନେଟର୍ଙ୍କ ବିଷ ଦୃଷ୍ଟିରେ ପଡ଼ି ଷଡ୍ଯନ୍ତ୍ରର ଶିକାର ହେଲେ। ଏଣେ, ସେହି ଚକ୍ରାନ୍ତକାରୀ ସିନେଟରମାନେ ମଧ୍ୟ ଥିଲେ ସିଜରଙ୍କ ବନ୍ଧୁ। ଅବଶେଷରେ ସେମାନଙ୍କ ସମ୍ମିଳିତ ଆକ୍ରମଣରେ ସିଜରଙ୍କ ମୃତ୍ୟୁ ହେଲା। ଏବଂ ଏହି ଘଟଣାରେ ସିଜରଙ୍କୁ ପ୍ରଥମେ ପଛରୁ ଛୁରିକାଘାତ କରିଥିଲେ ତାଙ୍କ ପଛରେ ଛାୟା ଭଳି ରହିଥିବା ଏକାନ୍ତ ଅନ୍ତରଙ୍ଗ ବ୍ରୁଟସ୍। ସିନେଟ୍ କକ୍ଷରେ ପଛରୁ ଶାଣିତ ତରବାରିର ଆଘାତରେ ପଛକୁ ବୁଲି ପଡ଼ି ସିଜର ତାଙ୍କ ଅନ୍ତରଙ୍ଗ ବ୍ରୁଟସଙ୍କୁ ଏକ ଆତତାୟୀ ରୂପରେ ଦେଖି ବିସ୍ମୟ ବିସ୍ଫାରିତ କଣ୍ଠରେ ଯାହା କହିଥିଲେ, ତାହା ସେକ୍ସପିଅରଙ୍କ ନାଟକରେ ଏକ କାଳଜୟୀ ଉକ୍ତି ଭାବେ ଯୁଗ ଯୁଗ ଧରି ବିଶ୍ବାସଘାତକମାନଙ୍କ ସକାଶେ ଏକ ଚରମ ଅଭିବ୍ୟକ୍ତି ହୋଇ ରହି ଆସିଛି। ସିଜରଙ୍କ ଏହି ଅନ୍ତିମ ବାକ୍ୟଟି ଥିଲା- ଏଟ୍ ଟୁ ବ୍ରୁଟ୍! ଅର୍ଥାତ୍ ‘ବ୍ରୁଟ୍ ତୁମେ ବି!’
ଯୀଶୁଖ୍ରୀଷ୍ଟଙ୍କ ହାତଗୋଡ଼ରେ କଣ୍ଟା ପିଟା ଯାଉଥିବା ବେଳେ ତାଙ୍କ କଣ୍ଠରୁ ପ୍ରଥମେ ନିର୍ଗତ ହୋଇଥିଲା ଯନ୍ତ୍ରଣା-ଜର୍ଜର ସ୍ବର- ‘ହେ ଈଶ୍ବର, ତୁମେ ମୋତେ ପରିତ୍ୟାଗ କରି ଦେଲ କି? ମୋତେ ଭୁଲି ଗଲ କି?’ କିନ୍ତୁ ପରମ ପ୍ରଜ୍ଞା ପୁରୁଷ ଯୀଶୁ ପର କ୍ଷଣେର ବୁଝି ପାରିଲେ ଏହା ଦ୍ବାରା ଈଶ୍ବରଙ୍କ ବିରୋଧରେ ଅଭିଯୋଗଟିଏ ହୋଇଗଲା! ସମଗ୍ର ଜୀବନ ସେ ଈଶ୍ବରଙ୍କୁ ପ୍ରାର୍ଥନା କରି ଆସିଛନ୍ତି! ପ୍ରାର୍ଥନାରେ ଅଭିଯୋଗ ନ ଥାଏ। ପ୍ରାର୍ଥନା ହେଉଛି ସମର୍ପଣର ଅଭିବ୍ୟକ୍ତି। ତାହା ପରମ ରାଜିପଣର ସ୍ବର- ମୃତ୍ୟୁ ମିଳୁ କି ରାଜପଦ; ସବୁ ଠିକ୍। ପ୍ରାର୍ଥନାରେ ଅଭିଯୋଗର କୌଣସି ସ୍ଥାନ ହିଁ ନାହିଁ। ଯୀଶୁ ଏବେ ସ୍ମିତ ହସିଲେ ଏବଂ ଆକାଶକୁ ଚାହିଁ କହିଲେ- ‘ଲେଟ୍ ଦାଇ କିଂଡମ୍ କମ୍, ଲେଟ୍ ଦାଇ ୱିଲ୍ ବି ଡନ୍’- ଅର୍ଥାତ୍ ‘ତୁମ ଇଚ୍ଛା ହିଁ ପୂରଣ ହେଉ, ତୁମ ରାଜ୍ୟ ଅବତରି ଆସୁ।’ ୧୯୪୮ ମସିହା ଜାନୁଆରି ୩୦ ସଂଧ୍ୟାରେ ଗାନ୍ଧୀଙ୍କ କୃଶ ଓ ଦୁର୍ବଳ ଶରୀରରେ ତିନିଟି ଗୁଳି ବିଦ୍ଧ ହୋଇଗଲା ଏବଂ ତାଙ୍କ ମୁହଁରୁ ନିସୃତ ହୋଇଥିଲା ‘ହେ ରାମ’। ମାନବ ସେବାରେ ସମର୍ପିତ ଜୀବନରେ ଏହା ଠାରୁ ଅଧିକ ଉପଯୁକ୍ତ ଅନ୍ତିମ ଅଭିବ୍ୟକ୍ତି ଆଉ କିଛି ଅଛି କି?
ମୋ: ୯୭୭୭୨୦୫୬୮୪