ରାଜା ତାଙ୍କର ଘନିଷ୍ଠତମ ପାରିଷଦ-ମିତ୍ରଙ୍କୁ ନେଇ ଜଙ୍ଗଲକୁ ଯାଇଥିଲେ। ସେଠାରେ ଏକ ବୃକ୍ଷରେ କିଛି ଫଳ ଫଳିଥିବାର ଦେଖିଲେ। ରାଜା ତାହା ତୋଳିଲେ ଏବଂ ଅଭ୍ୟାସ ମୁତାବକ ତା’ର ପ୍ରଥମ ଅଂଶ ନିଜ ମିତ୍ରଙ୍କୁ ଦେଲେ।
ମିତ୍ର ତାହା ଖାଇ ଆଉ ଗୋଟିଏ ଭାଗ ଚାହିଁଲେ। ରାଜା ତାହା ଦେଲେ। ମିତ୍ର ତାହା ଖାଇ ଶେଷ ଭାଗଟି ମଧ୍ୟ ଚାହିଁଲେ।

Advertisment

ରାଜା ଏଥର ବିରକ୍ତ ଦିଶିଲେ। ରାଜା କହିଲେ- ୟେ କ’ଣ? ଏହା ଯଦି ଏତେ ସୁସ୍ବାଦୁ, ମୁଁ ଟିକିଏ ଖାଇବା ଉଚିତ ନୁହେଁ କି? ତୁମେ ସବୁ ନିଜେ ଖାଇ ଯାଉଛ!
ଏଭଳି କହି ରାଜା ଫଳର ସେହି ଅଂଶକୁ ପାଟିରେ ପକାଇ‌ଦେଲେ। ତାଙ୍କ ଚେହେରା ବିବର୍ଣ୍ଣ ଦିଶିଲା। କାରଣ ଫଳଟି ଥିଲା ଅତି ପିତା, ସଂପୂର୍ଣ୍ଣ ଅଖାଦ୍ୟ।

ରାଜା ତା’କୁ ତୁରନ୍ତ ପାଟିରୁ ବାହାର କରି ଦେଇ କହିଲେ- ଏମିତି ବିଷ ଭଳି ଫଳକୁ ତୁମେ ଖାଇ ଚାଲିଛ ଅଥଚ କିଛି କହୁନ? ଲାଗୁଛି ସତେ ଯେମିତି ତୁମେ ଗୋଟିଏ ସୁସ୍ବାଦୁ ଫଳ ଖାଉଛ!
ମିତ୍ର କହିଲେ- ମହାରାଜ, ମୁଁ ଏଭଳି କରିବା ପଛରେ ଦୁଇଟି କାରଣ ଅଛି। ପ୍ରଥମଟି ହେଲା ଆପଣ ମୋର ରାଜା। ମୋର କର୍ତ୍ତବ୍ୟ ହେଲା ଆପଣଙ୍କୁ ଅସୁବିଧାରୁ ରକ୍ଷା କରିବା। ତେଣୁ ଆପଣଙ୍କୁ ଏଭଳି ଫଳ ଖାଇବାକୁ ନ ଦେବା ହେଉଛି ମୋର ଦାୟିତ୍ବ। ଦ୍ବିତୀୟ କଥା ହେଲ‌ା, ଆପଣଙ୍କ ହାତରୁ ମୁଁ ଜୀବନ ଯାକ କେତେ ସୁସ୍ବାଦୁ ଖାଦ୍ୟ ନ ଖାଇଛି! ଆଉ ଆଜି ଯଦି ଥରେ ଆପଣଙ୍କ ହାତରୁ ଅଖାଦ୍ୟ ପାଇଲି, ତେବେ ଅଭିଯୋଗ କରିବା ଉଚିତ ହୁଅନ୍ତା କି?
ରାଜା ନିଜ ମିତ୍ରଙ୍କୁ ଖୁସିରେ ଆଲିଙ୍ଗନ କଲେ।