ଗତ ଗୁରୁବାର ଦିନ ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରାନୀତି ନିର୍ଦ୍ଧାରଣ କମିଟି (‘ଏମ୍‌ପିସି’)ର ଏପ୍ରିଲ ପ୍ରଥମ ସପ୍ତାହରେ ବସିଥିବା ବୈଠକର ବିଶଦ ବିବରଣୀ (ମିନିଟ୍‌ସ) ପ୍ରକାଶ ପାଇଛି। ଏଇ ବୈଠକରେ ନିଆଯାଇଥିବା ସର୍ବସମ୍ମତ ନିଷ୍ପତ୍ତି ଅନୁଯାୟୀ ରିଜର୍ଭ ବ୍ୟାଙ୍କ ଏଥର ଦୀର୍ଘକାଳ ଧରି ସୁଧହାର ‘ରେପୋ ରେଟ୍‌’ରେ ଘଟାଇ ଚାଲିଥିବା ବୃଦ୍ଧିରେ ବିରତି ଆଣିଥିଲା ବୋଲି ଆମେ ଜାଣିଥିଲୁ। ଏହା ମଧ୍ୟ ଜଣାଶୁଣା ଯେ ଦେଶରେ ମୁଦ୍ରାସ୍ଫୀତି ବା ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ ରିଜର୍ଭ ବ୍ୟାଙ୍କ୍‌, ପୃଥିବୀର ଅନ୍ୟ ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ୍‌ମାନଙ୍କ ଭଳି ସୁଧ ହାରରେ ବୃଦ୍ଧି ଘଟାଇଥାଏ। ବର୍ତ୍ତମାନ ମିନିଟ୍‌ସ ପ୍ରକାଶ ପାଇବା ପରେ ଆମେ ସେଥିରୁ ସୂଚନା ପାଉଛୁ ଯେ ‘ଏମ୍‌ପିସି’ର ଅଧିକାଂଶ ସଦସ୍ୟମାନେ ଆଶା କରୁଛନ୍ତି ଯେ ଏଣିକି ଦେଶରେ ମୁଦ୍ରାସ୍ଫୀତିର ତୀବ୍ରତା ହ୍ରାସ ପାଇବାକୁ ଯାଉଛି, ଯାହା ସେମାନଙ୍କୁ ରେପୋ‌ ରେଟ୍‌ ବୃଦ୍ଧିକୁ ବିଶ୍ରାମ ଦେବା ନିମିତ୍ତ ପ୍ରବୃତ୍ତ କରିଛି।
ମୁଦ୍ରାସ୍ଫୀତି ସ୍ଥିତି ‘ଏମ୍‌ପିସି’ର ସଦସ୍ୟମାନଙ୍କୁ ଏଭଳି ପ୍ରଭାବିତ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କେବଳ ଯେ ମୁଦ୍ରାସ୍ଫୀତି ହାରକୁ ୪-୬ ଶତାଂଶ ବଳୟ ମଧ୍ୟରେ ଆବଦ୍ଧ ରଖିବାକୁ ରିଜର୍ଭ ବ୍ୟାଙ୍କ୍‌ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି, ତାହା ନୁହେଁ, ଯଦି କୌଣସି ଏକ ଅର୍ଥନୈତିକ ପରିସ୍ଥିତି ଜନମାନସରେ ସର୍ବାଧିକ କ୍ରୋଧ ଓ ବିରୋଧ ଭାବ ସୃଷ୍ଟି କରିଥାଏ, ତାହା ହେଉଛି ମୁଦ୍ରାସ୍ଫୀତି, ଯାହାକୁ ତେଣୁ ରାଜନୀତିରେ ବିରୋଧୀ ପକ୍ଷ ଏକ ମୁଖ୍ୟ ଅସ୍ତ୍ର ରୂପେ କ୍ଷମତାସୀନ ସରକାର ବିରୋଧରେ ବ୍ୟବହାର କରିଥାନ୍ତି।

Advertisment

କିନ୍ତୁ ବିଶୁଦ୍ଧ ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାର କଲେ ମୁଦ୍ରାସ୍ଫୀତି ଯେ ଏପରି କ୍ଷତିକାରକ, ସେ ନେଇ ଅର୍ଥନୀତିଜ୍ଞମାନେ ନିଶ୍ଚିତ ନୁହନ୍ତି। ଉଦାହରଣ ସ୍ବରୂପ ୨୦୧୪ରେ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (ଆଇଏମ୍‌ଏଫ୍‌) ଦ୍ବାରା ପ୍ରକାଶିତ ଏକ ଗବେଷଣାଲବ୍‌ଧ ନିବନ୍ଧରେ ସ୍ବୀକାର କରାଯାଇଥିଲା ଯେ ଏକ-ଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତିର କ୍ଷତିକାରକ ପ୍ରଭାବ ଗବେଷକମାନଙ୍କୁ ଦେଖିବାକୁ ମିଳିନାହିଁ। ଏଥିପୂର୍ବରୁ ୧୯୯୬ରେ ବିଶ୍ବବ୍ୟାଙ୍କର ଦୁଇ ଜଣ ଅର୍ଥନୀତିଜ୍ଞ-ମାଇକେଲ୍‌ ବ୍ରୁନୋ ଓ ୱିଲିଅମ୍‌ ଇଷ୍ଟର୍ଲି ଏ ସମ୍ପର୍କରେ ଯେଉଁ ଗବେଷଣାଭିତ୍ତିକ ସୂଚନା ପ୍ରକାଶ କରିଥିଲେ, ତାହା ଆହୁରି ଚମକପ୍ରଦ ଥିଲା। ସେମାନେ ମୁଦ୍ରାସ୍ଫୀତି ହାର ୪୦ ଶତାଂଶରୁ କମ୍‌ ଥିବା ବେଳେ ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ମଧ୍ୟରେ କୌଣସି ସମ୍ପର୍କର ଚିହ୍ନବର୍ଣ୍ଣ ଦେଖିବାକୁ ପାଇନଥିଲେ ବୋଲି କହିଥିଲେ। ଏହାର ବର୍ଷକ ପରେ ନୋବେଲ୍‌ ପୁରସ୍କାର ବିଜେତା ପ୍ରଖ୍ୟାତ ଅର୍ଥନୀତିଜ୍ଞ ପଲ୍‌ କ୍ରୁଗ୍‌ମ୍ୟାନ୍‌ ମତ ପ୍ରକାଶ କରିଥିଲେ ଯେ ଯଦିବା ମୁଦ୍ରାସ୍ଫୀତିକୁ ସର୍ବଦା ଏକ ଭୟାନକ ବିପତ୍ତି ରୂପେ ଚିତ୍ରିତ କରା ହୋଇଆସିଛି, ଯେତେବେଳେ ଏଥିଯୋଗୁଁ ଘଟୁଥିବା କ୍ଷୟକ୍ଷତିର ଆକଳନ କରାଯିବା ପାଇଁ ଚେଷ୍ଟା କରାଯାଇଛି, ସେତେବେଳେ ସର୍ବଦା ଅପ୍ରସ୍ତୁତ କଲା ଭଳି ଫଳାଫଳ ମିଳିଛି।

କିନ୍ତୁ ଏକ ସରକାର ବା କେନ୍ଦ୍ରୀୟ ବ୍ୟାଙ୍କ ପାଇଁ ଯେଉଁ ଦୁନିଆ ଗୁରୁତ୍ବପୂର୍ଣ୍ଣ ହୋଇଥାଏ, ତାହା ହେଉଛି ଅର୍ଥନୈତିକ ଗବେଷକମାନଙ୍କର ଦୁନିଆ ଠାରୁ ଭିନ୍ନ, ଯେଉଁଠି ଯୁକ୍ତି ନୁହେଁ, ଆବେଗର ହିଁ ଶାସନ ଚାଲିଥାଏ। ସେ ଦୁନିଆରେ ମୁଦ୍ରାସ୍ଫୀତି ଏପରି ଏକ ଭୟଙ୍କର ଜନ୍ତୁ ରୂପେ ବିବେଚିତ ହୋଇଥାଏ, ଯାହା ପ୍ରତି କାହାର ‌େହଲେ ସାମାନ୍ୟତମ ସହାନୁଭୂତି ବା ସମବେଦନା ପରିଦୃଷ୍ଟ ହୋଇନଥାଏ। ସୁଯୋଗ୍ୟ ଅର୍ଥନୀତିଜ୍ଞମାନେ ‘ଏମ୍‌ପିସି’ର ସଦସ୍ୟ ହୋଇଥିଲେ ହେଁ, ଏଇ ଭିନ୍ନ ଦୁନିଆର ଭାବନାକୁ ସମ୍ମାନ ପ୍ରଦର୍ଶନ କରି ସେମାନେ ମୁଦ୍ରାନୀତି ନିର୍ଦ୍ଧାରଣ ବେଳେ ମୁଦ୍ରାସ୍ଫୀତି ପରିସ୍ଥିତି ଦ୍ବାରା ପ୍ରଭାବିତ ହେବା ତେଣୁ ହେଉଛି ସମ୍ପୂର୍ଣ୍ଣ ସ୍ବାଭାବିକ। ଆଗାମୀ ସମୟରେ ମୁଦ୍ରାସ୍ଫୀତିର ଆଚରଣ ସମ୍ବନ୍ଧରେ ସେମାନଙ୍କର ପୂର୍ବାନୁମାନ ତେଣୁ ସେମାନଙ୍କୁ କିଭଳି ଆଶ୍ବସ୍ତ କରିଥିବ, ତାହା ବୈଠକର ଉପରୋକ୍ତ ପ୍ରକାଶିତ ବିବରଣୀରୁ ଜଣାପଡ଼ିଥାଏ।

ଏହା ସତ ଯେ ନୀତି ନିର୍ଦ୍ଧାରଣ ନିମିତ୍ତ ‘ଏମ୍‌ପିସି’ ଯେଉଁ କିସମର ମୁଦ୍ରାସ୍ଫୀତିକୁ ଅନୁସରଣ କରିଥାଏ, ତାହା ହେଉଛି ‘ଖାଉଟି ମୁଦ୍ରାସ୍ଫୀତି’ ବା ‘ସିପିଆଇ’। କିନ୍ତୁ ଏହାର ଅନ୍ତରାଳରେ ଥାଇ ଯେଉଁ ମୁଦ୍ରାସ୍ଫୀତି ପରିସ୍ଥିତି ସଦସ୍ୟମାନଙ୍କର ଆଶା ଆଶଙ୍କାକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ, ତାହା ହେଉଛି ‘ମଞ୍ଜ ମୁଦ୍ରାସ୍ଫୀତି’ ବା ‘କୋର୍‌ ଇନ୍‌ଫ୍ଲେସନ୍‌’। ସରଳ ଭାବରେ କହିଲେ, ଖାଉଟି ମୁଦ୍ରାସ୍ଫୀତି ହିସାବରେ ଖାଦ୍ୟଦ୍ରବ୍ୟ ଓ ଇନ୍ଧନ ଆଦିର ଦର ଅନ୍ତର୍ଭୁକ୍ତ ଥାଏ, ଯେଉଁମାନେ ବାହ୍ୟ କାରଣ - ଯେମିତି ପାଣିପାଗ, ୟୁକ୍ରେନ୍‌ ଯୁଦ୍ଧ ଆଦି - ମାନଙ୍କ ଦ୍ବାରା ପ୍ରଭାବିତ ହୋଇ ଅପେକ୍ଷାକୃତ ଅସ୍ଥିର ହୋଇଥାନ୍ତି; ‘ମଞ୍ଜ ମୁଦ୍ରାସ୍ଫୀତି’ ହିସାବରେ ଏଗୁଡ଼ିକୁ ବାଦ୍‌ ଦିଆଯାଇଥାଏ, ତେଣୁ ତାହା ଅଧିକ ବାସ୍ତବ ଚିତ୍ର ପ୍ରଦାନ କରିଥାଏ।

‘ମିନିଟ୍‌ସ’ରୁ ଜଣାପଡୁଛି ଯେ ‘ଏମ୍‌ପିସି’ ଆଶା କରୁଛି ଆଗାମୀ ସମୟରେ ଦେଶରେ ଏହି ‘ମଞ୍ଜ ମୁଦ୍ରାସ୍ଫୀତି’ ନରମ ହେବାକୁ ଯାଉଛି। ଏହାର ପୂର୍ବାଭାସ ସ୍ବରୂପ ମାର୍ଚ୍ଚରେ ଲଗାତର ତୃତୀୟ ମାସ ପାଇଁ ‘ମଞ୍ଜ ମୁଦ୍ରାସ୍ଫୀତି’ରେ କେବଳ ହ୍ରାସ ଘଟିଛି, ତାହା ନୁହେଁ, ସେ ମାସର ୫.୯୫ ଶତାଂଶ ହାର ହେଉଛି ବିଗତ ୧୮ ମାସ ମଧ୍ୟରେ ଦେଖାଯାଇଥିବା ସର୍ବନିମ୍ନ ‘ମଞ୍ଜ ମୁଦ୍ରାସ୍ଫୀତି’ ହାର। ଖାଉଟିମାନଙ୍କର ଇଚ୍ଛାଧୀନ ଖର୍ଚ୍ଚକୁ ଆକର୍ଷିତ କରୁଥିବା ଦ୍ରବ୍ୟ ଓ ସେବା ସବୁର ଦରବୃଦ୍ଧିରେ ଦେଖା ଦେଇଥିବା ଶିଥିଳତା (ଯେମିତି ପୋଷାକପତ୍ର, ଜୋତା, ଘରକରଣା ଦ୍ରବ୍ୟ ଓ ସେବା ଆଦି, ମନୋରଞ୍ଜନ ଏବଂ ବ୍ୟକ୍ତିଗତ ଯତ୍ନ ଇତ୍ୟାଦି)ର ପ୍ରଭାବରେ ମଞ୍ଜ ମୁଦ୍ରାସ୍ଫୀତି ଏପରି ନରମ ହେବାରେ ଲାଗିଛି।

ଏହା ପଛରେ ନିହିତ ଥିବା କାରଣମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛି ଗତ ମଇ ମାସ ଠାରୁ ରିଜର୍ଭ ବ୍ୟାଙ୍କ୍‌ ବାରମ୍ବାର ସୁଧହାରରେ ବୃଦ୍ଧି ଘଟାଇ ଯେଉଁ ମୋଟ ୨୫୦ ବେସିସ୍‌ ପଏଣ୍ଟ (୨.୫ ଶତାଂଶ) ବୃଦ୍ଧି ଘଟାଇଛି। ତାହା ଋଣ ନିର୍ଭରଶୀଳ ଖର୍ଚ୍ଚରେ ସଂକୋଚନ ଘଟାଇବା ଫଳରେ ଏ ସମସ୍ତ ଦରଦାମ ବୃଦ୍ଧିରେ ଶିଥିଳତା ଦେଖା ଦେଇଛି। ଦ୍ବିତୀୟରେ, ଇତି ମଧ୍ୟରେ ଆନ୍ତର୍ଜାତିକ ତୈଳ ଦରରେ ଘଟିଥିବା ହ୍ରାସ କେବଳ ଯେ ଇନ୍ଧନ ଦର ଉପରେ ଚାପ ହ୍ରାସ କରିଛି, ତାହା ନୁହେଁ, ଏହା ମଧ୍ୟ ଶିଳ୍ପ ଉତ୍ପାଦନର ଏକ ଉପାଦାନ ହୋଇଥିବାରୁ ଏଥିଯୋଗୁଁ ଉତ୍ପାଦନ ଖର୍ଚ୍ଚରେ ହ୍ରାସ ଘଟି ସେ ସମସ୍ତ ପଦାର୍ଥର ଦରବୃଦ୍ଧିର ତୀବ୍ରତାରେ ହ୍ରାସ ଘଟିଛି। ଗତ ବର୍ଷ ମାର୍ଚ୍ଚରେ ବ୍ରେଣ୍ଟ୍‌ ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ଦର ୧୦୦ ଡଲାର ଉପରେ ଥିବାବେଳେ ଏ ବର୍ଷ ମାର୍ଚ୍ଚରେ ତାହା ୮୦ ଡଲାର ତଳକୁ ଖସି ଆସିଥିଲା। ତୃତୀୟରେ କୋଭିଡ୍‌ର ଠିକ୍‌ ପରେ ପରେ ଖାଉଟିମାନଙ୍କର ଚାପି ହୋଇ ରହିଥିବା ଚାହିଦାର ଆତ୍ମପ୍ରକାଶ ଯୋଗୁଁ ଉତ୍ପାଦନକାରୀଙ୍କ ପକ୍ଷରେ ଦରବୃଦ୍ଧି ଘଟାଇବା ସହଜ ହୋଇଥିଲା; ସେ ସୁଯୋଗ ଆସ୍ତେ ଆସ୍ତେ ନିଃଶେଷ ହେବାକୁ ଆରମ୍ଭ କରିଛି। ଏ ସମସ୍ତ କାରଣ ଯୋଗୁଁ ମଞ୍ଜ ମୁଦ୍ର‌ାସ୍ଫୀତିରେ ଦେଖା ଦେଇଥିବା ଶିଥିଳତା ସହିତ ତାଳ ଦେଇ ପାଇକାରୀ ମୁଦ୍ରାସ୍ଫୀତିରେ ମଧ୍ୟ ହ୍ରାସ ଘଟିବା ଦେଖାଯାଇଛି।

ଏସବୁକୁ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ ରେପୋ ରେଟ୍‌ ବୃଦ୍ଧିରେ ନେଇଥିବା ବିରତିକୁ ‘ମିନିଟ୍‌ସ’ରେ କେବଳ ଏକ ବିରତି ମାତ୍ର, ଏକ ନୀତି ବଦଳ ନୁହେଁ ବୋଲି କୁହାଯାଇଥିଲେ ହେଁ, ସେ ବିବରଣୀରୁ ଯାହା ପ୍ରାୟ ନିଶ୍ଚିତ ମନେ ହେଉଛି, ମୁଦ୍ରାସ୍ଫୀତିର ମଞ୍ଜ ନରମ ହେବାକୁ ଆରମ୍ଭ କରିଥିବାରୁ ଏଥର ଆଗାମୀ ବୈଠକରେ ବିରତି ମୁଦ୍ରା ପରିହାର କରି ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ରେ ହ୍ରାସ ଘଟାଇବାକୁ ଯାଉଛି।