ଆଉ ଏକ ଅପରାଜିତ ଅର୍ଦ୍ଧ ଶତକ, ଭିନ୍ନ ଧରଣର ଅବଶ୍ୟ, ସଚିନ୍ ତେନ୍ଦୁଲକର୍ଙ୍କ ସହ ଯୋଡ଼ି ହୋଇଗଲା। କାରଣ ତାଙ୍କ ବୟସ ଏବେ ପଚାଶ, ଆଜିକୁ ମିଶେଇ ହିସାବ କଲେ ପଚାଶ ବର୍ଷ ଦୁଇଦିନ। କ୍ରିକେଟ୍ ପଡ଼ିଆରେ ପଚାଶ ସଂଖ୍ୟାଟି ତାଙ୍କ ପାଇଁ ଏକ ଅତି ସାଧାରଣ, ଦେହସୁହା ସଂଖ୍ୟା ଥିଲା। ପଚାଶ କାହିଁକି ଶହେ ମଧ୍ୟ। ଟେଷ୍ଟରେ ୫୧ଟି ଶତକ ସାଙ୍ଗକୁ ଦିନିକିଆରେ ୪୯ଟି ଶତକ। ଦିନିକିଆରେ ମୋଟ ୧୮୪୨୬ ରନ୍ ତ େଟଷ୍ଟରେ ୧୫୯୨୧ ରନ୍। ଉଭୟ ଟେଷ୍ଟ ଓ ଦିନିକିଅା ଶତକ ସଂଖ୍ୟା ମିଶି ୧୦୦। ଏମିତି ଆହୁରି କେତେ କ’ଣ, ଅସୁମାରି ଉପଲବ୍ଧି। ସେଇଥିପାଇଁ ତାଙ୍କର ଜଣେ ବଡ଼ ଫ୍ୟାନ୍ ଲତା ମଙ୍ଗେସକର ଥେର କହିଥିଲେ- ସଚିନ୍ଙ୍କ େଖଳ ଦେଖୁଚ ମାନେ ଉଠି ଅନ୍ୟ କୁଆଡ଼େ ମିନିଟିଏ ପାଇଁ ଯିବା ବି ଅସମ୍ଭବ। ସିଏ ସୃଷ୍ଟି କରିଥିବା ରେକର୍ଡ ଏତେ ଯେ ଏକାଠି କଲେ ହିମାଳୟଟିଏ ଠିଆ ହୋଇଯିବ।
ଯେଉଁ ଯେଉଁ ଉପାଦାନ ପାଇଁ ସଚିନ୍ଙ୍କ ଖେଳ ଅତୁଳନୀୟ ଅସାଧାରଣପଣ ସାବ୍ୟସ୍ତ କରିପାରିଥିଲା, ସେ ସବୁ ଭିତରେ ଅନ୍ତର୍ଭୁକ୍ତ ଥିଲା ପ୍ରତିଭା, ଦକ୍ଷତା, ବିନମ୍ରତା ସମୁଚିତ କୌଶଳ, ଭଳି କି ଭଳି ଶୈଳୀ, ସାହସ, ନିର୍ଭୟ ପ୍ରଚଣ୍ଡ ଆତ୍ମବିଶ୍ବାସ, ଅଖଣ୍ଡ ଏକାଗ୍ରତା, ଦୃଢ଼ ସଂକଳ୍ପ, ଅଦମ୍ୟ ଅଭିଳାଷ, ପ୍ରତିରକ୍ଷା-ଆକ୍ରମଣର ଚିତ୍ତାକର୍ଷକ ସମନ୍ବୟ, ଧୈର୍ଯ୍ୟ, ଲମ୍ବା ଇନିଙ୍ଗ୍ସ ଖେଳିବାର ମନୋବଳ, ସଟ୍ମାନଙ୍କର ଟାଇମିଂ ଓ କେଉଁ ପ୍ରକାରର ବଲ୍ ଆସିବାକୁ ଯାଉଛି ତାହା କେଇ କ୍ଷଣ ଆଗରୁ ଦେଖି ପାରିବାର ନୈପୁଣ୍ୟ ଆଦି। ତେନ୍ଦୁଲକର୍ ନିଜର ଅନ୍ୟତମ ଆଦର୍ଶ ଭାବେ ଗ୍ରହଣ କରନ୍ତି ଗାଭାସ୍କରଙ୍କୁ। ସେଇ ଗାଭାସ୍କର ଏକଦା ବ୍ୟକ୍ତ କରିଥିଲେ ଯେ ତେନ୍ଦୁଲ୍କରଙ୍କ ବ୍ୟାଟିଂରେ ଶାସ୍ତ୍ରୀୟ କଳା କୌଶଳ ଓ ସମକାଳୀନ ଡହଡହ ଆଭିମୁଖ୍ୟ ପ୍ରତିଫଳିତ। କ୍ରିକେଟ୍ ଜଗତର କି˚ବଦନ୍ତି ବ୍ରାଡମ୍ୟାନ୍ଙ୍କ ମତରେ- ସଚିନ୍ଙ୍କ ଖେଳ ଟେଲିଭିଜନ୍ରୁ ଦେଖିଲା ପରେ ମତେ ଥରକୁ ଥର ଲାଗିଛି ସତେ ଯେମିତି ମୁଁ ତାଙ୍କ ଖେଳ ଭିତରେ ନିଜକୁ, ନିଜ ଖେଳ ଦେଖୁଛି। ଯେତେବେଳେ ବିଶ୍ବ କ୍ରିକେଟ୍ର ସର୍ବକାଳୀନ ଶ୍ରେଷ୍ଠ ପାଞ୍ଚ ଜଣ ବ୍ୟାଟ୍ସମ୍ୟାନଙ୍କ ଭିତରେ ବ୍ରାଡମ୍ୟାନ୍, ରିଚାର୍ଡସ୍, ତେନ୍ଦୁଲ୍କର୍, ଲାରା ଓ ଗାଭାସ୍କରଙ୍କୁ ଅନେକ ରଖିଥାନ୍ତି ତାହା ସେମାନଙ୍କର ଏକ ଅତି ଉତ୍ତମ ଓ ଉଚିତ ନିଷ୍ପତ୍ତି।
ଜଣେ ଆନ୍ତର୍ଜାତିକ କ୍ରିକେଟ୍ ଖେଳାଳି ରୂପେ ତେନ୍ଦୁଲକରଙ୍କ କ୍ୟାରିଅର ୧୯୮୯ ମସିହା ନଭେମ୍ବର ମାସରେ ଆରମ୍ଭ ହୋଇ ୨୦୧୩ ମସିହା ଅକ୍ଟୋବର ମାସରେ ସମାପ୍ତ ହୋଇଥିଲା। ସେଇ ଚବିଶ ବର୍ଷର ସମୟ ଖଣ୍ଡ ଭିତରେ ମଝିରେ ପିଠିରେ ପୀଡ଼ା ଓ ଟେନିସ୍ ଏଲ୍ବୋ ଯନ୍ତ୍ରଣା କାରଣରୁ ସିଏ କେତୋଟି ମ୍ୟାଚ୍ ଖେଳି ପାରିନଥିଲେ। ତାଙ୍କ କ୍ରିକେଟ୍ ଜୀବନ କାଳ ଦକ୍ଷିଣ ଆଫ୍ରିକା ଦଳ ସହ ଯୋଡ଼ା ମ୍ୟାଚ୍ ଫିକ୍ସିଂ କଳଙ୍କ ଅନୁଭବ କରିଥିଲା, ଯାହା ସାଙ୍ଗରେ ସିଏ ଅବଶ୍ୟ ଆଦୌ ସଂଶ୍ଳିଷ୍ଟ ନ ଥିଲେ; ବରଂ ସେ ଗ୍ଳାନି ଓ ଅବସାଦରୁ ବାହାରି ଦଳକୁ ପ୍ରତିଷ୍ଠିତ କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ପୁଣି ଅନେକ କିଛି ସେତେବେଳେ ଘଟୁଥିଲା ଦେଶ ବିଦେଶରେ- ସାମ୍ୟବାଦୀ ସୋଭିଏତ୍ ଦେଶର୍ ପତନ ପରବର୍ତ୍ତୀ ବିଶ୍ବ ବ୍ୟବସ୍ଥା, ଭାରତରେ ତଥାକଥିତ ଅର୍ଥନୀତିକ ଉଦାରୀକରଣ ନୀତି ନିଷ୍ପତ୍ତିର ପ୍ରବର୍ତ୍ତନ, ଏକ ଅଭିଳାଷୀ ଯୁବବର୍ଗର ଆବିର୍ଭାବ, କ୍ରିକେଟ୍ ସହ ରାଜନୀତି-ଚଳଚ୍ଚିତ୍ର-ଉଦ୍ୟୋଗ ଜଗତର ଆହୁରି ନିବିଡ଼ ସଂପର୍କ ସ୍ଥାପନ, ଟେଲିଭିଜନରେ ଖେଳର ଅଧିକରୁ ଅଧିକ ପ୍ରଚାର ପ୍ରସାର, ଯାହା ଦ୍ବାରା କ୍ରିକେଟାଦି ଉଭୟ ଜନାଦୃତ ଓ ବୃତ୍ତି ଭାବେ ସଂପଦ ହାସଲକାରୀ ପ୍ରମାଣିତ ଏବଂ କ୍ରିକେଟ୍ ଖେଳାଳିମାନେ ବ୍ରାଣ୍ଡ, ସେଲିବ୍ରିଟି ଓ ଆଇକନ୍ ରୂପେ ସ୍ବୀକୃତ ହେବା।
ସଚିନ୍ ତେନ୍ଦୁଲ୍କର୍ ପ୍ରସଙ୍ଗ ବିେନାଦ କାମ୍ବଲି ଓ ସଚିନ୍ଙ୍କ ପରିବାର ତଥା ପ୍ରଶିକ୍ଷକଙ୍କ ଉଲ୍ଲେଖ ବିନା ଅସମ୍ପୂର୍ଣ୍ଣ। କାମ୍ବଲି ଓ ସଚିନ୍ ଦୁହେଁ ବାଲ୍ୟ ବନ୍ଧୁ। ୧୯୮୮ ମସିହାର କଥା। ଦୁହେଁ ମିଶି ଆନ୍ତଃବିଦ୍ୟାଳୟ ଲର୍ଡ ହାରିସ୍ ଶିଲ୍ଡ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ୬୬୪ ରନ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ କାରଣରୁ କାମ୍ବଲି କୁଆଡ଼େ ରହିଗଲେ। କିଛି ଶ୍ଳେଷ, କିଛି ଈର୍ଷା ଓ କିଛି ଆତ୍ମସମୀକ୍ଷା ମିଶା ସ୍ବରରେ କାମ୍ବଲି କହନ୍ତି- ସଚିନ୍ ଲିଫ୍ଟରେ ଚଢ଼ି ଶୀର୍ଷେର ପହଞ୍ଚିଗଲେ, ମତେ କିନ୍ତୁ ଷ୍ଟେୟାରକେସ୍ ହୋଇ ଯାତ୍ରା କରିବାକୁ ପଡ଼ିଛି। ନିଜ ବଡ଼ ଭାଇ ଅଜିତ୍ ଥିଲେ ସଚିନ୍ଙ୍କ ଖେଳ ଜୀବନର ବଡ଼ ପ୍ରେରଣା। ଅଜିତ୍ଙ୍କ ବାଟେ ସିଏ ପାଇଥିଲେ ନିଜର ଗୁରୁ ଓ ପ୍ରଶିକ୍ଷକ ରମାକାନ୍ତ ଆର୍ଚେକର୍ଙ୍କୁ, ଯିଏ ସଚିନ୍ଙ୍କ ଜୀବନର ଗତିପଥ ବଦଳେଇ ଦେଇଥିଲେ। କେବେ ହାରି ନ ଯିବା, ଭାଙ୍ଗି ନ ପଡ଼ିବାର ଶିକ୍ଷା ସିଏ ପାଇଥିଲେ ତାଙ୍କ ମା’ ରଜନୀଙ୍କ ଠାରୁ ଯିଏ ବୀମା ସଂସ୍ଥାରେ କାମ କରୁଥିଲେ। ଥରେ ରଜନୀଙ୍କ ପର୍ସ ଝାମ୍ପି ନେଇ ଜଣେ କୁଆଡ଼େ ମିଳେଇଗଲା। ହେଲେ ଅନେକ ବାଟ ଦୌଡ଼ି ରଜନୀ ତାକୁ ଖୋଜି ବାହାର କଲେ ଓ ନିଜ ପର୍ସ ଉଦ୍ଧାର କଲେ। ସଚିନ୍ଙ୍କ ଖେଳରେ ଉପନ୍ୟାସ ସୁଲଭ ଦୀର୍ଘ ବ୍ୟାଖ୍ୟାନ ଓ କବିତା ସମ ବିେଭାର ଭାବ, ପରିଦୃଷ୍ଟ ହୁଏ। ତାଙ୍କ ବାପା ରମେଶ ତେନ୍ଦୁଲକର ଥିଲେ ଜଣେ ମରାଠୀ ଔପନ୍ୟାସିକ ଓ କବି ଯିଏ ସଚ୍ଚିନ େଦବ ବର୍ମନଙ୍କ ସଙ୍ଗୀତକୁ ଭଲ ପାଉଥିଲେ ଏବଂ ସେଇଥିପାଇଁ ତାଙ୍କ ପୁଅର ନାଁ ରଖିଥିଲେ ସଚିନ୍।
ମାଷ୍ଟର ବ୍ଲାଷ୍ଟର୍, ନବ୍ୟ ଲିଟିଲ୍ ମାଷ୍ଟର୍ ସଚିନ୍ ତେନ୍ଦୁଲକର୍ ମୁଥେୟା ମୁରଲୀଧରନ୍, ସେନ୍ ୱାର୍ଣ୍ଣେ, ମ୍ୟାକ୍ଗ୍ରାଥ୍, ବ୍ରେଟ୍ ଲି, ୱାସିମ୍ ଆକ୍ରମ୍, ୱାକର୍ ୟୁନୁସ୍ ଓ କଟ୍ନୀ ୱାଲ୍ସ୍ଙ୍କ ଭଳି ମହାନ୍ ବୋଲରଙ୍କ ବିରୋଧରେ ଖେଳିଛନ୍ତି। ନିଜେ ଏକ ସାକ୍ଷାତକାରରେ ସିଏ ପ୍ରକାଶ କରିଥିଲେ- କ୍ରିକେଟ୍ ଖେଳିବା ଓ କ୍ରିକେଟ୍ ପଡ଼ିଆକୁ ଯିବା ମୋ ପାଇଁ ଦେବାଳୟ ଯିବା ଭଳି। ଅନେକ ସମୟରେ ଖେଳ ପଡ଼ିଆରେ ରଙ୍ଗବେରଙ୍ଗ ବ୍ୟାନର୍ ଦେଖିବାକୁ ମିଳେ, ଯେଉଁଥିରେ ଲେଖା ଥାଏ- କ୍ରିକେଟ୍ ଏକ ଧର୍ମ ଓ ସଚିନ୍ ତା’ର ଈଶ୍ବର। ସେଇଥି ପାଇଁ ସଚିନ୍ଙ୍କ ଖେଳ ଲୋକଙ୍କ ମନରେ ଉନ୍ମାଦ ଓ ଆସକ୍ତି ଭରିଦିଏ। ସେମାନେ ଭାବନ୍ତି ସେମାନଙ୍କ ସ୍ବପ୍ନ, ଆଶା, ଅଭିଳାଷ ଓ ବିଶ୍ବାସ ପୂରଣ କରିପାରିବ ସଚିନ୍ଙ୍କ ଖେଳ। ସଚିନ୍ଙ୍କ ଆନନ୍ଦ ଓ ବିଷାଦ ଦେଖଣାହାରୀଙ୍କ ବ୍ୟକ୍ତିଗତ ଆନନ୍ଦ ଆଉ ବିଷାଦରେ ବି ରୂପାନ୍ତରିତ ହୋଇଯାଏ।
ଭାରତୀୟ କ୍ରିକେଟ୍କୁ ସଚିନ୍ଙ୍କ ଅବଦାନ ଅତ୍ୟନ୍ତ ପ୍ରଭାବଶାଳୀ। ଯେମିତି କପିଳଦେବ, ଅନୀଲ କୁମ୍ବଲେ, ରାହୁଳ ଦ୍ରାବିଡ୍, ମହିନ୍ଦର ସିଂ ଧୋନୀ, ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ପ୍ରମୁଖଙ୍କର। ସଚିନ୍ ମଧ୍ୟ ଦ୍ରାବିଡ୍, ଲକ୍ଷ୍ମଣ, ଗାଙ୍ଗୁଲି, କୋହଲି ଓ ବୀରେନ୍ଦ୍ର ସେହବାଗଙ୍କ ଭଳି ବ୍ୟାଟ୍ସମ୍ୟାନ୍ଙ୍କ ସହ ଖେଳିଛନ୍ତି। ସେମିତ ସିଏ ନ୍ୟୁଜିଲ୍ୟାଣ୍ଡର ରିଚାର୍ଡ ହାଡ୍ଲି, ଇଂଲଣ୍ଡର ଇଆନ୍ ବୋଥାମ୍, ପାକିସ୍ତାନର ଇମ୍ରାନ୍ ଖାଁ, େୱଷ୍ଟ ଇଣ୍ଡିଜ୍ର ମାଲକମ୍ ମାର୍ଶାଲ୍ ଓ ଦକ୍ଷିଣ ଆଫ୍ରିକାର କ୍ଲାଇଭ୍ ରାଇସ୍ଙ୍କ ଭଳି ଅଲ୍ରାଉଣ୍ଡରଙ୍କ ବିରୋଧରେ ଖେଳିଛନ୍ତି। କୁହାଯାଏ ଟେଷ୍ଟ କ୍ରିକେଟ୍ ଯଦି ଖୟାଲ୍ ହୁଏ ତେବେ ଦିନିକିଆ ପପ୍ ବା ରାପ୍। କିନ୍ତୁ ସଚିନ୍ଙ୍କ ଦୁଇ ପ୍ରକାରର ଖେଳ ଅନେକ ସମୟରେ ଖୟାଲ୍ ଭଳି ଲାଗେ। ସେ ଭେଦ ଦୂର କରିଦିଏ।
ବେଳେବେଳେ ତେନ୍ଦୁଲ୍କର୍ଙ୍କ ବିରୋଧରେ ଅଭିଯୋଗ ହୁଏ ଯେ ତାଙ୍କ ଭଳି ଏତେ ଭଲ ଓ ମହାନ୍ ଖେଳାଳି କାହିଁକି ଭଲ ଅଧିନାୟକ ହୋଇପାରିଲେନି? ପୁଣି କୁହାଯାଏ ସିଏ ସାଧାରଣତଃ କର୍ତ୍ତୃପକ୍ଷ ଓ ପ୍ରତିଷ୍ଠା ବିରୋଧୀ ଆଭିମୁଖ୍ୟ ପୋଷଣ କରନ୍ତିନି, କାରଣ ଯେତେ ଯଥାର୍ଥ ହେଉନା କାହିଁକି! ସଚିନ୍ଙ୍କ ଏତାଦୃଶ- ସତ କିମ୍ବା ଆରୋପିତ ଭାବମୂର୍ତ୍ତି ସୁଧାରିବା ପାଇଁ ଦୁଇଟି ନିଆରା ଦୃଷ୍ଟାନ୍ତ ମଧ୍ୟ ରହିଛି। ଯୁବରାଜ ସିଂହ ବିଦେଶରେ ଏକ ଜଟିଳ ବ୍ୟାଧି ପାଇଁ ଚିକିତ୍ସାଧୀନ ଥିଲା ବେଳେ ତାଙ୍କୁ ଯାଇ ଭେଟିଥିଲେ ତେନ୍ଦୁଲ୍କର୍। ସେମିତି ୨୦୦୮ ମସିହାର ସିଡ୍ନୀ-ଟେଷ୍ଟ ମ୍ୟାଚ୍ ସମୟର କଥା। ହରଭଜନ ସିଂହ କୁଅାଡ଼େ ଅଷ୍ଟ୍ରେଲିଆର କୃଷ୍ଣକାୟ ଖେଳାଳି ଆଣ୍ଡ୍ୟୁ ସିମଣ୍ଡ୍ସ୍ଙ୍କ ବିରୋଧରେ ‘ମଙ୍କି’ ଶବ୍ଦ ବ୍ୟବହାର କରି ଆକ୍ଷେପ କରିଥିଲେ! ସେତେବେଳେ ପାଖରେ ଉପସ୍ଥିତ ଥିଲେ ତେନ୍ଦୁଲ୍କର୍। ତଦନ୍ତ ପ୍ରକ୍ରିୟାରେ ସଚିନ୍ ଏକ ପ୍ରକାରର ନରେ ବା ଗୁଞ୍ଜରେ... ଶୈଳୀ ଅବଲମ୍ବନ କରି କହିଥିଲେ- ମୁଁ ସେମିତି କିଛି ଶୁଣିନି। ସିଏ (ହରଭଜନ) ହିନ୍ଦୀେର ତିନିଟି ଶବ୍ଦ କହିଥିଲେ- ‘‘ତେରି * କି’’- ଯାହା ‘ମଙ୍କି’ ଭଳି ଶୁଭେ, କିନ୍ତୁ ମଙ୍କି ନୁହେଁ।
ଆପଣ ଈଶ୍ବର ବୋଲି ଯାହା କୁହାଯାଉଛି ସେ ବାବଦରେ ଆପଣ କ’ଣ ଭାବୁଛନ୍ତି? ଏ କଥା ଅନେକ ଥର ସଚିନ୍ଙ୍କୁ ପଚରାଯାଇଛି, ଏପରିକି ପଚାରିଛନ୍ତି ବି ବିଶିଷ୍ଟ କ୍ରିେକଟ୍ ଭାଷ୍ୟକାର ହର୍ଷ ଭୋଗ୍ଲେ ଓ କ୍ରିକେଟ୍ ଐତିହାସିକ ବୋରିଆ ମଜୁମଦାର। ଉତ୍ତରରେ ତେନ୍ଦୁଲ୍କର୍ କହନ୍ତି- ମୋ ଖେଳରେ ଅନେକ ତ୍ରୁଟି, ଭୁଲ୍ ମୁଁ ଜାଣିପାରେ। ଈଶ୍ବର କିନ୍ତୁ ଭୁଲ୍, ତ୍ରୁଟି କରନ୍ତିନି। ଏଭଳି ଅଦ୍ଭୁତ ଉତ୍ତର ପାଇଁ ହିଁ ଲୋକେ ତାଙ୍କୁ ଈଶ୍ବର ପ୍ରାୟ ମାନ୍ୟ କରନ୍ତି ଏବଂ ତାଙ୍କ ପ୍ରଥମ ନାମରେ ସମ୍ବୋଧନ କରନ୍ତି- ‘‘ସଚିନ୍! ସଚିନ୍!’’ ସେଇ ସମ୍ବୋଧନରେ ଏ. ଆର. ରେହମନ୍ ଓ ସୁଖବିନ୍ଦର୍ଙ୍କ ଏକ ଗୀତ ଅଛି ତେନ୍ଦୁଲ୍କରଙ୍କ ଉପରେ।
ମୋ: ୯୪୩୭୩୦୭୦୭୯