ଅନେକ ଦିନ ଧରି ମୋର ଧାରଣା ଥିଲା, ଚିତ୍ରକାରିତା ଯେହେତୁ ଏକ ବିଭୁଦତ୍ତ କଳା, ତାକୁ ଯେ କେହି କେବଳ ତାଲିମ ମାଧ୍ୟମରେ ଆୟତ୍ତ କରି ପାରିବ ନାହିଁ! ଧାରଣା ବଦଳିଲା, ଜଣେ ଚିତ୍ରକରଙ୍କ ସାଙ୍ଗରେ ଆଳାପ-ଆଲୋଚନା ପରେ। ଚିତ୍ରକର ଥିଲେ ନବୋଦୟ ସ୍କୁଲରେ କଳା ଶିକ୍ଷକ ଯେଉଁ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ମୋର ଛାତ୍ରମାନଙ୍କୁ ନେଇ ଦଶ ଦିନ ପାଇଁ ଅବସ୍ଥାନ କରିବାର ଅବସର ପାଇଥିଲି। ଏମିତିରେ ବୋର୍ଡ ପରୀକ୍ଷାରେ ଚିତ୍ରାଙ୍କନ ଏକ ପରୀକ୍ଷଣୀୟ ବିଷୟ ନୁହେଁ। ତେଣୁ ପିଲାଏ ତଥା ସ୍କୁଲ କର୍ତ୍ତୃପକ୍ଷ ତା’ ଉପରେ ବିଶେଷ ମହତ୍ତ୍ବ ଦିଅନ୍ତି ନାହିଁ। କିନ୍ତୁ ଉକ୍ତ ସ୍କୁଲରେ କଳା ଶିକ୍ଷକଙ୍କ ଖୁବ ଆଦର। ଛୁଟି ଦିନରେ ଦୂରଦୂରାନ୍ତରରୁ ପ୍ରାକ୍ତନ ଛାତ୍ର ନିଜ ସ୍କୁଲ ବୁଲିବାକୁ ଆସିଲେ, ପ୍ରଥମେ ଭେଟନ୍ତି ସେହି ଶିକ୍ଷକ ମହାଶୟଙ୍କୁ। ତାଙ୍କ ବସା ଘର ପିଲାଙ୍କ ଲାଗି ଖୋଲା ମେଲା; ସେଥିରେ ତାଙ୍କ ପତ୍ନୀଙ୍କ ଉଦାରତା ଓ ସହଯୋଗ ସାର୍‌ଙ୍କ ଠାରୁ ଅଧିକ।

Advertisment

କଥା ପ୍ରସଙ୍ଗରେ ଥରେ ସାର୍‌ କହିଲେ, ଗଣିତ, ବିଜ୍ଞାନ ଭଳି ପିଲାଙ୍କ କ୍ୟାରିଅରରେ ମହତ୍ତ୍ବପୂର୍ଣ୍ଣ ବିଷୟ ହୋଇ ନ ଥିବା ସତ୍ତ୍ବେ, ସେମାନଙ୍କ ମନରେ ଯଦି ମୋ ପ୍ରତି ଆଦର ଅଛି; ତେବେ ତାହା ତ ସେମାନଙ୍କ ବଡ଼ପଣ! ସ୍କୁଲର ଅନେକ ଅବ୍ୟବହୃତ ଆଜେବାଜେ ଜିନିଷ ଗୋଟାଏ ଅପନ୍ତରା ଘରେ ଗଦା ହୁଏ। ତାକୁ ସାର୍‌ ଏମିତି ବାଗରେ ସଜେଇ ଦିଅନ୍ତି ଯେ ସ୍କୁଲକୁ ବାହାରୁ ଆସୁଥିବା ପ୍ରତ୍ୟେକ ଅଧିକାରୀ ତାହାକୁ ନ ଦେଖି ଫେରନ୍ତି ନାହିଁ। ସେହି ଆବର୍ଜନା ଭରା କଠୋରି ସ୍କୁଲର ବିଶେଷ ସମ୍ପତ୍ତି ଭାବେ ପରିଗଣିତ ହୁଏ! ଉଦାହରଣ ସ୍ବରୂପ, ପିଲାଙ୍କୁ ଦିଆ ସରିଥିବା ଇଞ୍ଜେକ୍‌ସନ କାଚ ଶିଶି (ଆଜିକାଲି ତା’ର ବ୍ୟବହାର ଆଉ ନାହିଁ) ସବୁକୁ ନେଇ ସେ ଏକ ‘ତାଜମହଲ’ର ପ୍ରତିକୃତି ତିଆରିଛନ୍ତି। ଔପଚାରିକ ଶିକ୍ଷା ତାଙ୍କର ମାଟ୍ରିକ ମାତ୍ର; ଚିତ୍ରକର ରୂପରେ କୌଣସି ପ୍ରସିଦ୍ଧି ନାହିଁ; ହେଲେ, ସେ ଜଣେ ଚମତ୍କାର ଚିତ୍ରକର ଏବଂ ଅନନ୍ୟ ଶିକ୍ଷକ!

କଥା ପ୍ରସଙ୍ଗରେ ଥ‌େର ସାର୍‌ଙ୍କୁ ପଚାରିଲି, ଚିତ୍ରକାରିତା ଯେହେତୁ ଏକ ବିଭୁଦତ୍ତ ପ୍ରତିଭା ତାକୁ କ’ଣ ତାଲିମ ବଳରେ ହାସଲ କରି ହେବ? କିନ୍ତୁ ସାର୍‌ଙ୍କ ବିଚାରରେ ‘‘ଚିତ୍ରକାରିତା ନା ଶତ ପ୍ରତିଶତ ଜନ୍ମଜାତ ନା ଶତ-ପ୍ରତିଶତ ତାଲିମ-ଲବ୍‌ଧ। ତାଙ୍କ କହିବାର ଅର୍ଥ ତାଲିମ ଏବଂ ନିରନ୍ତର ସାଧନା ନ ଥିଲେ ଜନ୍ମଜାତ ପ୍ରତିଭା ସତ୍ତ୍ବେ ଜଣେ ଭଲ ଚିତ୍ରକର ହୋଇପାରିବ ନାହିଁ। ବରଂ, ଜଣେ ସାଧାରଣ ବ୍ୟକ୍ତି ତାଲିମ ଓ ପରିଶ୍ରମ ବଳରେ ଚିତ୍ରକଳାରେ ଅନ୍ତତଃ ପଚାଶ ପ୍ରତିଶତ ପର୍ଯ୍ୟନ୍ତ ଉପଲବ୍‌ଧି ହାସଲ କରିପାରିବ! ତାଙ୍କ ମତରେ ସବୁ କିଛିରେ କଳାତ୍ମକତା ରହିଛି; ଏପରିକି ଫାଇଲ ଚାଷରେ ବା କୋଦାଳରେ ମାଟି ତାଡ଼ିବାରେ ମଧ୍ୟ!
ସାଧାରଣତଃ ଯେଉଁ ପରିବାରର ପ୍ରଥମ ପିଢ଼ିର ପିଲାମାନେ ସ୍କୁଲ ଯାଆନ୍ତି, ଷଷ୍ଠ-ସପ୍ତମ ଶ୍ରେଣୀ ପଢ଼ିଲା ବେଳେ ସେମାନଙ୍କ ମନ ପାଠରେ ଲାଗେନାହିଁ। ସେତେବେଳେ ଚିତ୍ରକଳାର ବାଟ ଦେଇ ସେମାନଙ୍କୁ ବିଷୟ-ଶିକ୍ଷା ଆଡ଼କୁ ଆକର୍ଷିତ କରାଯାଇପାରେ। ପାଠ୍ୟକ୍ରମରେ ଚିତ୍ରକଳା ନ ଥାନ୍ତା ଯଦି, ହୁଏତ ସେମାନଙ୍କ ମଧ୍ୟରୁ ଅନେକ ପିଲା ବାଟ ହୁଡ଼ି ଯାଆନ୍ତେ! ସେହି କାରଣରୁ ସେମାନେ ସାର୍‌ଙ୍କୁ ନିଜର କରି ପକାଇଛନ୍ତି ଓ ସ୍କୁଲ ଛାଡ଼ିଲା ପରେ ମଧ୍ୟ ସଂପର୍କ ଅତୁଟ ରହିଛି!

ଜଣେ ଶିକ୍ଷକ ରୂପରେ ସେ ଚିତ୍ରକାରିତାରେ ତାଲିମ‌ର ଭୂମିକା ବିଷୟରେ ନିଜ ଅନୁଭବରୁ କହିଲେ। ନବୋଦୟ ସ୍କୁଲରେ ନାମଲେଖା ଆରମ୍ଭ ହୁଏ ଷଷ୍ଠ ଶ୍ରେଣୀରେ। ନାମଲେଖା ଲାଗି ପ୍ରତିଦ୍ବନ୍ଦ୍ବିତା ତୀବ୍ର। ମାତ୍ର ଅଧ ମାର୍କ ତଫାତ ସକାଶେ ଜଣେ ନାମ ଲେଖାଇପାରେ ତ ଆଉ ଜଣେ ସେଥିରୁ ବଞ୍ଚିତ ହୁଏ। ହୁଏ’ତ ଏହି ଅଧ ମାର୍କ ଲାଗି ଜଣେ ଗ୍ରାମୀଣ ଆଦିବାସୀ ବା ଦଳିତ ବା ଦରିଦ୍ର ପିଲାର ପାଠରେ ଡୋରି ବନ୍ଧା ହୁଏ; ଅଥଚ ସଫଳ ହୋଇଥିବା ପିଲାଟି ଡାକ୍ତର, ଇଞ୍ଜିନିଅର ବା ବୈଜ୍ଞାନିକ ହୋଇଥାଏ ବା ହେବାର ସୁଯୋଗ ପାଇଥାଏ। ସତରେ ଅଧ ମାର୍କର ପ୍ରଭେଦ ଜୀବନରେ କେତେ ତାରତମ୍ୟ ସୃଷ୍ଟି ନ କରେ ଅବା? ସୁଯୋଗର ଅଭାବରେ ଜଣେ ପିଲାର ସ୍ବପ୍ନ ବୃନ୍ତଚ୍ୟୁତ ହୋଇଯାଇପାରେ! ଜ‌େଣ ଶିକ୍ଷକ ଏହି କଠୋର ବାସ୍ତବିକତାକୁ ନିତିପ୍ରତି ପ୍ରତ୍ୟକ୍ଷ କରିଥାଏ ଏବଂ ଯେଉଁ ହାତ ଗଣନ୍ତା ଛାତ୍ରଛାତ୍ରୀ ସୁଯୋଗ ପାଇଛନ୍ତି, ସେମାନଙ୍କୁ ଗଢ଼ି ତୋଳିବାର କୌଣସି ସୁଯୋଗକୁ ହାତଛଡ଼ା କରେନାହିଁ।

‘ସାର୍‌’ଙ୍କ ସାଙ୍ଗରେ କଥାବାର୍ତ୍ତା କରି ଆତ୍ମବିଶ୍ବାସ ହେଲା ଯେ ଉପଯୁକ୍ତ ପ୍ରୟାସ କଲେ ଚିତ୍ରକାରିତାରେ ଯତ୍‌କିଂଚିତ ଉପଲବ୍‌ଧି ମିଳିପାରେ। ତା’ ସହିତ ଏ କଥା ମଧ୍ୟ ଅନୁଭବ କରି ପାରୁଥିଲି ଯେ ସାଧାରଣ ଶିକ୍ଷାର ସୁଯୋଗ ଲାଭ କରିବା ମଧ୍ୟ ପ୍ରତି ପିଲା ଲାଗି ଏକ ବଡ଼ ଉପଲବ୍‌ଧି, ଯାହାକୁ ହୃଦୟଙ୍ଗମ କରି ସେହି ପିଲାମାନଙ୍କୁ ଠିକଣା ମାର୍ଗରେ ପରିଚାଳିତ କରିବା ପ୍ରତ୍ୟକ ଶିକ୍ଷକର ଦାୟିତ୍ବ।
[email protected]