୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହିଳା ଆରକ୍ଷଣ ବିଲ୍ ପାରିତ ହୋଇପାରିବ। ଏହି ଆଶା ସେତିକି ବେଳେ ମନରେ ଜାଗ୍ରତ ହେଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲାରୁ ତାଙ୍କ ଅଭିଭାଷଣରେ କହିଲେ ଯେ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଅବଦାନ ତଥା ସେମାନଙ୍କର ଉପଯୋଗିତାର ବହୁତ ଗୁରୁତ୍ୱ ଅଛି। କିନ୍ତୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ପଦକ୍ଷେପ ନେଇନାହାନ୍ତି। ତଥାପି ମହିଳା ଭୋଟରମାନେ ମୋଦୀଜୀଙ୍କ ଉପରେ ବିଶ୍ୱାସ କରି ତାଙ୍କ ଦଳ ବିଜେପିକୁ ଭୋଟ୍ ଦେଇଆସିଛନ୍ତି। ଅଗଷ୍ଟ ୧୫ରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାରତର ବିକାଶ ଯାତ୍ରାରେ ମହିଳା ଶକ୍ତିର ଅବଦାନକୁ ମଧ୍ୟ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଦେଶର ସ୍ୱପ୍ନ ପୂରଣ ପାଇଁ ମହିଳାଙ୍କ ଗର୍ବ ଏକ ବଡ଼ ପୁଞ୍ଜି ହେବାକୁ ଯାଉଛି। ଆଜି ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହୋଇଛି।

Advertisment

ଲାଗୁଛି ଯେ ୧୯୯୬ ମସିହାରୁ ବିଚାରାଧୀନ ଥିବା ମହିଳା ଆରକ୍ଷଣ ବିଲ୍ ଏଥର ସରକାରଙ୍କ ଦ୍ବାରା ପାରିତ ହେବ। ଏହି ବିଲ୍ ଯଦିଓ ଏହା ପୂର୍ବରୁ ଲୋକସଭାରେ ପେସ ହୋଇଛି କିନ୍ତୁ ଦଳଗୁଡ଼ିକ ମଧ୍ୟରେ ମତଭେଦ କାରଣରୁ ଏହା ପାରିତ ହୋଇପାରି ନାହିଁ। ଏହି ବିବାଦ କାରଣରୁ ରାଜ୍ୟସଭା ସଦସ୍ୟା ଗୀତା ମୁଖାର୍ଜୀଙ୍କ ନେତୃତ୍ୱରେ ଚୟନ କମିଟିରେ ଏହି ବିଲ୍ ଦାଖଲ କରାଯାଇଥିଲା। କିନ୍ତୁ ଏଠୁ ଆଗକୁ କିଛି ହୋଇପାରିଲା ନାହିଁ।

ରାଜନୈତିକ କ୍ଷେତ୍ରରେ ମହିଳାମାନଙ୍କୁ ଆଗକୁ ବଢ଼ାଇବା ପାଇଁ ପୌରାଞ୍ଚଳ ନିର୍ବାଚନରେ ଆରକ୍ଷଣ ବ୍ୟବସ୍ଥା ରହିଛି, କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଲୋକସଭା ଏବଂ ବିଧାନସଭାରେ ଆରକ୍ଷଣ ପାଇଁ ମହିଳା ଆରକ୍ଷଣ ବିଲ୍‌ ପୁଣି ଥରେ ଲୋକସଭାରେ ଉପସ୍ଥାପିତ ହେବା ଦରକାର। କେନ୍ଦ୍ର ସରକାର ଭୁଲିଯିବା ଉଚିତ ନୁହେଁ ଯେ ୨୦୧୪ ଏବଂ ୨୦୧୯ ଲୋକସଭା ଏବଂ ରାଜ୍ୟସଭା ନିର୍ବାଚନରେ ଅଧା ଜନସଂଖ୍ୟା ଏମାନଙ୍କୁ ପର୍ଯ୍ୟାପ୍ତ ଭୋଟ୍ ଦେଇଛନ୍ତି। ଏହି ମହିଳା ଭୋଟରମାନଙ୍କ ପାଇଁ କେନ୍ଦ୍ରରେ ଏବଂ ଅଧିକାଂଶ ରାଜ୍ୟରେ ବିଜେପିର ସରକାର ଅଛି।
ମହିଳା ଆରକ୍ଷଣ ବିଲ୍ ପ୍ରାୟ ୨୬ ବର୍ଷ ଧରି ଗୃହରେ ଝୁଲି ରହିଛି। ଏହି ବିଲ୍‌ରେ ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବାର ପ୍ରାବଧାନ ଅଛି। ଗତ ଦଶ ବର୍ଷରୁ ଅଧିକ ସମୟ ଧରି କୌଣସି ସଂସଦ ଅଧିବେଶନ ନାହିଁ ଯେଉଁଥିରେ ମହିଳା ଆରକ୍ଷଣ ବିଲ୍ କଥା ଉଠାଯାଇ ନାହିଁ।

ଏହି ବିଲ୍ ରାଜନୀତିର ସବୁଠୁ ବଡ଼ ଫାନ୍ଦ ହୋଇ ରହିଛି। ପ୍ରଥମ ଥର ପାଇଁ ଏହି ବିଲ୍ ଲୋକସଭାରେ ୧୯୯୬ରେ ଏଚ୍‌. ଡି. ଦେବଗୌଡ଼ାଙ୍କ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକାଳରେ ଉପସ୍ଥାପିତ ହୋଇଥିଲା। କିନ୍ତୁ ସେତେବେଳେ ଶାସକ ଦଳ ସହ ସମସ୍ତେ ଏକମତ ହୋଇପାରି ନ ଥିଲା। ୧୯୯୮ରେ ଯେତେବେଳେ ତତ୍କାଳୀନ ଆଇନ ମନ୍ତ୍ରୀ ଥାମ୍ବି ଦୁରାଇ ଏହି ବିଲ୍ ଆଗତ କରିବାକୁ ଲୋକସଭାରେ ଠିଆ ହୋଇଥିଲେ, ସେତେବେଳେ ସଂସଦରେ କଳହ ଓ ଝଗଡ଼ା ଆରମ୍ଭ ହୋଇଥିଲା, ଯାହା ପରେ ତାଙ୍କ ହାତରୁ ବିଲ୍‌ର କପି ନେଇ ଚିରି ଦିଆଯାଇଥିଲା। ଏହି ଘଟଣା ମହିଳା ବିଲ୍ ପ୍ରତି ପୁରୁଷଙ୍କ ବିଦ୍ବେଷମୂଳକ ଭାବନାକୁ ପ୍ରମାଣିତ କରିଥିଲା।

ଏହି ବିଲ୍‌ର ମୌଳିକ ଧାରଣା ସାମ୍ବିଧାନିକ ସଂଶୋଧନରୁ ଜନ୍ମ ହୋଇଛି। ଗ୍ରାମାଞ୍ଚଳ ନିର୍ବାଚନରେ ଏକ-ତୃତୀୟାଂଶ ମହିଳାଙ୍କ ପାଇଁ ଆରକ୍ଷଣ ଦିଆଯିବା ଉଚିତ ବୋଲି ପ୍ରଥମେ ଆଲୋଚନା କରାଯାଇଥିଲା। ସେତେବେଳେ ଗୃହରେ ମହିଳା ଆରକ୍ଷଣ ପ୍ରସଙ୍ଗକୁ ଏକ ଦୀର୍ଘକାଳୀନ ଯୋଜନା ଭାବରେ ଦେଖାଯାଇଥିଲା।

ପ୍ରଶ୍ନ ହେଉଛି ଏହା କାହିଁକି ଆବଶ୍ୟକ ହେଲା? ବିଶ୍ବ ଲିଙ୍ଗ ଫାଙ୍କ ରିପୋର୍ଟ ୨୦୨୧ ଅନୁଯାୟୀ, ରାଜନୈତିକ ସଶକ୍ତୀକରଣ ସୂଚକାଙ୍କରେ ଭାରତର ପ୍ରଦର୍ଶନ ହ୍ରାସ ପାଇଛି। ୨୦୧୯ ତୁଳନାରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୨୩.୧%ରୁ ୯.୧%କୁ ଖସି ଆସିଛି। ସରକାରଙ୍କ ଆର୍ଥିକ ସର୍ଭେରୁ ମଧ୍ୟ ଜଣାପଡ଼ିଛି ଯେ ଲୋକସଭା ତଥା ବିଧାନସଭା ନିର୍ବାଚନରେ ମହିଳାଙ୍କ ସଂଖ୍ୟା ବହୁତ କମ୍। ମହିଳା ଆରକ୍ଷଣର ଉଚିତ କାର୍ଯ୍ୟାନ୍ବୟନ ଦିଗରେ କେତେକ ପ୍ରତିବନ୍ଧକ ରହିଛି, ଯଥା- ରାଜନୈତିକ ଶିକ୍ଷାର ଅଭାବ, ସ୍ୱଳ୍ପ ଆର୍ଥିକ ଶକ୍ତି, ଯୌନ ହିଂସା, ଅସୁରକ୍ଷିତ ପିତୃପୁରୁଷଙ୍କ ଅଭିବ୍ୟକ୍ତି ଓ ପୁରୁଷ-ମହିଳାଙ୍କ ମଧ୍ୟରେ ଘରୋଇ କାର୍ଯ୍ୟର ଅସମାନ ବଣ୍ଟନ ଇତ୍ୟାଦି। ସମସ୍ତ ପ୍ରକାର ଚ୍ୟାଲେଞ୍ଜ ଥାଇ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଜିଣିଥିବା ମହିଳାମାନେ ଭଲ କାମ କରୁଛନ୍ତି। ଏଯାବତ ଏଥିରେ ସେମାନଙ୍କ ସ୍ୱାମୀ ଓ ଶ୍ୱଶୁର ହସ୍ତକ୍ଷେପ କରୁଛନ୍ତି ସତ, କିନ୍ତୁ ତାହା ଏବେ ନିୟନ୍ତ୍ରଣରେ ଅଛି।

ଆଜିର ଯୁଗରେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସମାନତା ଏକାନ୍ତ କାମ୍ୟ। ମହିଳା ଆରକ୍ଷଣ ଲିଙ୍ଗଗତ ସମାନତା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟର ଏକ ଅଂଶବିଶେଷ। ତେଣୁ ମହିଳାଙ୍କୁ ସାମର୍ଥ୍ୟ ବିକାଶ, ପ୍ରତିନିଧିତ୍ୱ ଏବଂ ନିଷ୍ପତ୍ତି ନେବାର ଅଧିକାର ମିଳିବା ଆବଶ୍ୟକ। ତା ସହିତ ଦେଶର ଲୋକଙ୍କ ମଧ୍ୟରେ ଆନୁଷ୍ଠାନିକ, ସାମାଜିକ ଓ ବ୍ୟାବହାରିକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ରାଜନୈତିକ ଦଳମାନେ ଆନୁଷ୍ଠାନିକ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ବ ହାର ବୃଦ୍ଧି କରିପାରିବେ। ଏଥିପାଇଁ ଦଳଗୁଡ଼ିକ ନିଜନିଜ ସଂଗଠନରେ ମହିଳାମାନଙ୍କୁ ଆରକ୍ଷଣ ଦେବା ଉଚିତ। ସିପିଏମ୍‌ ଭଳି ଦଳର ଆଧାର ହ୍ରାସ ପାଇଥାଇପାରେ, କିନ୍ତୁ ସେମାନଙ୍କ ପଲିଟିକାଲ୍‌ ବ୍ୟୁରୋରେ ମହିଳାଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ଅତୀତରେ ବିଜେପି ସଂଗଠନରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆରକ୍ଷଣ ବିଷୟରେ ଆଲୋଚନା ହୋଇଥିଲା।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଏନ୍‌. ଭି. ରମଣା ଉଦ୍‌ବେଗ ପ୍ରକାଶ କରିଛନ୍ତି ଯେ ଦେଶରେ ଖୁବ୍ କମ୍ ମହିଳାଙ୍କୁ ଶୀର୍ଷ ପଦରେ ରହିବାର ସୁଯୋଗ ମିଳେ। ସ୍ୱାଧୀନତାର ୭୫ ବର୍ଷ ପରେ ମହିଳାମାନଙ୍କ ଆଶା ଯେ ସେମାନଙ୍କୁ ସମାନତା ଦେବା ପାଇଁ ମହିଳା ଆରକ୍ଷଣ ବିଲ୍ ଆଇନରେ ପରିଣତ ହେବ। ମୋଦୀଜୀ ଅମୃତ ମହୋତ୍ସବରେ ଭରସା ଜାଗ୍ରତ କରିଛନ୍ତି। ଏବେ ସରକାରଙ୍କ ପାଖରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଅଛି, ତେଣୁ ମହିଳା ବିଲ୍ ଏବେ ପାରିତ ହେବ ନାହିଁ ତ କେବେ ହେବ?
(ଲେଖିକା ଓଡ଼ିଶା ରାଜ୍ୟ ମହିଳା ଆୟୋଗର ପୂର୍ବତନ ସଦସ୍ୟା)