ଆଜିର ଭାରତୀୟ ସହରମାନଙ୍କରେ ସର୍ବାଧିକ ଦୃଶ୍ୟମାନ ଚରିତ୍ର କିଏ ବୋଲି ଯଦି ପ୍ରଶ୍ନ କରାଯାଏ, ବୋଧହୁଏ ଯେଉଁ ଉତ୍ତର ସହିତ ସମସ୍ତେ ସହମତ ହେବେ, ତାହା ହେଉଛି- ଅନ୍‌ଲାଇନ୍‌ ଗ୍ରାହକମାନଙ୍କ ପାଖରେ ଜିନିଷ ପହଞ୍ଚାଇ ଦେବାକୁ ମଟର ବାଇକ୍‌ ବା ଭ୍ୟାନ୍‌ ଚଢ଼ି ରାସ୍ତାକୁ ବାହାରି ପଡ଼ିଥିବା ବିଭିନ୍ନ ଷ୍ଟାର୍ଟଅପ୍‌ କମ୍ପାନିମାନଙ୍କର ଡେଲିଭେରି ପାର୍ଟନର୍‌ମାନେ, ଯେଉଁମାନଙ୍କୁ ‘ଗିଗ୍‌ ୱାର୍କର୍‌’ ରୂପେ ବର୍ଣ୍ଣନା କରାଯାଇଥାଏ। ଅଗଣିତ ଯୁବକ ଯୁବତୀମାନଙ୍କ ପାଇଁ ଏହା ଜୀବିକାର୍ଜନର ଏକ ନୂତନ କ୍ଷେତ୍ର ରୂପେ ଆବିର୍ଭୂତ ହୋଇଛି ସତ, କିନ୍ତୁ ଏମାନେ ସମ୍ପୃକ୍ତ କମ୍ପାନିମାନଙ୍କର ବିଧିବଦ୍ଧ କର୍ମଚାରୀ ରୂପେ ନିଯୁକ୍ତ ହୋଇନଥାନ୍ତି; ସେମାନେ ଠିକା ଭିତ୍ତିରେ କମ୍ପାନି ପାଇଁ କାର୍ଯ୍ୟ କରିଥାନ୍ତି। ଏହାର ଏକ ଅନିବାର୍ଯ୍ୟ ପରିଣାମ ସ୍ବରୂପ ଅନେକ ସମୟରେ ସମ୍ପୃକ୍ତ କମ୍ପାନି ଓ ତା’ର ଡେଲିଭେରି ପାର୍ଟନର୍‌ମାନଙ୍କ ମଧ୍ୟରେ ସ୍ବାର୍ଥ ସଂଘାତ ଘଟିବା ଦେଖାଯାଇଥାଏ।

Advertisment

ଏହାର ଏକ ସଦ୍ୟତମ ଉଦାହରଣ ସ୍ବରୂପ ‘ବ୍ଲିଙ୍କିଟ୍‌’ ନାମକ ଏକ ଷ୍ଟାର୍ଟ-ଅପ୍‌ କମ୍ପାନିର ପ୍ରାୟ ୨,୫୦୦ ସଂଖ୍ୟକ ଡେଲିଭେରି ପାର୍ଟନର୍‌ମାନେ ଏବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ଦେଖାଯାଇଛି। ଆନ୍ଦୋଳନର କାରଣ- ସେମାନେ ପ୍ରତି ଡେଲିଭେରି ପିଛା‌ ପାଉଥିବା ପାରିଶ୍ରମିକକୁ ୨୫ ଟଙ୍କାରୁ ହ୍ରାସ କରି ୧୫ ଟଙ୍କା କରି ଦିଆଯାଇଛି ଏବଂ ଏକ କିଲୋମିଟରରୁ ଅଧିକ ଦୂର ଯାତ୍ରା ପାଇଁ ସେମାନଙ୍କୁ ପ୍ରଦାନ କରାଯାଉଥିବା ‌େପ୍ରାତ୍ସାହନ ରାଶିରେ ପ୍ରାୟ ୫୦ ଶତାଂଶ ହ୍ରାସ ଘଟାଯାଇଛି। ‘ବ୍ଲିଙ୍କିଟ୍‌’ର ମାଲିକ ଖାଦ୍ୟ ଡେଲିଭେରି ଷ୍ଟାର୍ଟ-ଅପ୍‌ କମ୍ପାନି ‘ଜମାଟୋ’ ଅବଶ୍ୟ ତା’ ତରଫରୁ ଏଭଳି ପଦକ୍ଷେପର ଯଥାର୍ଥତା ପ୍ରତିପାଦନ କରି ସଫେଇ ଦେଇଛି।
ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖ କରିବା ପ୍ରୟୋଜନ ଯେ ‘ଗିଗ୍‌ ୱାର୍କର’ ନିଯୁକ୍ତି ଦୃଷ୍ଟିରୁ ଭାରତ ପୃଥିବୀର ବୃହତ୍ତମ ଦେଶମାନଙ୍କ ମଧ୍ୟରେ ଅଗ୍ରଣୀ ସ୍ଥାନ ଦଖଲ କରିଛି। କେବଳ ‘ଜୋମାଟୋ’ ବା ‘ସ୍ବିଗି’ ଭଳି ଖାଦ୍ୟ ଡେଲିଭେରି କମ୍ପାନିମାନଙ୍କର ଡେଲିଭେରି ପାର୍ଟନର୍‌ମାନେ ନୁହନ୍ତି, ‘ଓଲା’ ବା ‘ଉବର୍‌’ ଭଳି ଗାଡ଼ି ଡାକରା କମ୍ପାନିମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଗାଡ଼ିଚାଳକମାନେ ମଧ୍ୟ ହେଉଛନ୍ତି ଏହି ‘ଗିଗ୍‌ ୱାର୍କର’ ଶ୍ରେଣୀରେ ଅନ୍ତର୍ଭୁକ୍ତ। ଏ ସମସ୍ତ ବ୍ୟବସାୟମାନ ହେଉଛନ୍ତି ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଉପରେ ନିର୍ଭରଶୀଳ ବ୍ୟବସାୟ। ଏମାନେ ଯେ ବର୍ତ୍ତମାନ ଅଭୂତପୂର୍ବ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ଭାରତର ବିଶାଳ ଯୁବ ପିଢ଼ି ପାଇଁ ଏହା ତେଣୁ ଏକ ଆଶୀର୍ବାଦ ସଦୃଶ ଆବିର୍ଭୂତ ହୋଇଛି। କିନ୍ତୁ ଏହି ଆଶୀର୍ବାଦ ଯେ ସମସ୍ୟାମୁକ୍ତ ନୁହେଁ, ତାହା ‘ବ୍ଲିଙ୍କିଟ୍‌’ ଉଦାହରଣରୁ ସ୍ପଷ୍ଟ ହୋଇଥାଏ।

ବାସ୍ତବରେ ‘ଗିଗ୍‌ ୱାର୍କର୍‌’ଙ୍କର ଯେଉଁ ସଂଜ୍ଞା ନିରୂପଣ କରାଯାଇଛି, ସେଥିରେ ହିଁ ଏଭଳି ସମସ୍ୟାମାନଙ୍କର ଉପସ୍ଥିତିକୁ ସ୍ବୀକୃତି ପ୍ରଦାନ କରାଯାଇଛି ବୋଲି କୁହାଯାଇପାରେ। ଉଦାହରଣ ସ୍ବରୂପ ୨୦୨୦ର ‘ସୋସିଆଲ୍‌ ସିକ୍ୟୁରିଟି କୋଡ୍‌’ ଅନୁସାରେ ଜଣେ ‘ଗିଗ୍‌ ୱାର୍କର୍‌’ ହେଉଛନ୍ତି ସେହି ବ୍ୟକ୍ତି ଯିଏ ପାରମ୍ପରିକ ନିଯୁକ୍ତିଦାତା-ନିଯୁକ୍ତି ଗ୍ରହୀତା (ଏମ୍ପ୍ଲୟର୍‌-ଏମ୍ପ୍ଲୟି) ସମ୍ପର୍କ ବାହାରେ କାର୍ଯ୍ୟ କରି ଆୟ ଅର୍ଜନ କରିଥାନ୍ତି। ଅତଏବ ଏଥିରୁ ଯେଉଁ ସିଦ୍ଧାନ୍ତ ଉପଲବ୍‌ଧ ହୋଇଥାଏ, ତାହା ହେଲା, ସଂଗଠିତ କ୍ଷେତ୍ରରେ ବିଧିବଦ୍ଧ ଭାବରେ ନିଯୁକ୍ତ କର୍ମଚାରୀମାନେ ଆଇନତଃ ଯେଉଁ ସମସ୍ତ ବିଧିବଦ୍ଧ ଅଧିକାର ଓ ସୁଯୋଗମାନ ଉପଭୋଗ କରିଥାନ୍ତି, ‘ଗିଗ୍‌ ୱାର୍କର୍‌’ମାନେ ସେଥିରୁ ବଞ୍ଚିତ ହୋଇଥାନ୍ତି। ସେମାନେ ଠିକାରେ କାର୍ଯ୍ୟ କରୁଥିବା ସ୍ବାଧୀନ ବ୍ୟକ୍ତି ରୂପେ ବିବେଚିତ ହେଉଥିବାରୁ ସେମାନଙ୍କୁ ଏ ସମସ୍ତ ଅଧିକାରରୁ ବହିର୍ଭୁକ୍ତ କରାଯାଇଥାଏ। ସେମାନଙ୍କ ପ୍ରତି ସର୍ବନିମ୍ନ ମଜୁରି ନିୟମ ଲାଗୁ ହୋଇ ନ ଥାଏ କିମ୍ବା ସେମାନଙ୍କର କାର୍ଯ୍ୟ ସମୟର କୌଣସି ସୀମା ନ ଥାଏ। ସେମାନେ ସମ୍ମୁଖୀନ ହେଉଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମସ୍ୟା ହେଲା, ସେମାନଙ୍କର ନିଯୁକ୍ତିର କୌଣସି ନିରାପତ୍ତା ନ ଥାଏ, କାରଣ ସେମାନେ ନିଯୁକ୍ତ ହିଁ ହୋଇନଥାନ୍ତି।

ସେହିପରି ଅନ୍ୟ ଏକ ବୃହତ ସମସ୍ୟ‌ା ହେଲା, ସେମାନଙ୍କ ଆୟର କୌଣସି ସ୍ଥିରତା ନ ଥାଏ, ଯାହା ‘ବ୍ଲିଙ୍କିଟ୍‌’ ଘଟଣାରେ ଦେଖାଯାଇଛି। ଏହାର କାରଣ ହେଲା ଏହି ‘ଗିଗ୍‌ ୱାର୍କର୍‌’ମାନଙ୍କର କାର୍ଯ୍ୟ ହେଉଛି ଚାହିଦାଭିତ୍ତିକ। ପୁଣି ଏହା କହିଲେ ମଧ୍ୟ ଭୁଲ୍‌ ହେବ ନାହିଁ ଯେ ଏମାନେ କୌଣସି ମାନବ ପରିଚାଳକଙ୍କ ଦ୍ବାରା ନିୟନ୍ତ୍ରିତ ହେବା ପରିବର୍ତ୍ତେ ଏକ କମ୍ପ୍ୟୁଟର୍‌ ଆଲ୍‌ଗୋରିଦ୍‌ମ ଦ୍ବାରା ନିୟନ୍ତ୍ରିତ ହୋଇଥାନ୍ତି, ଯେଉଁ ଆଲ୍‌ଗୋରିଦ୍‌ମ ଭିତ୍ତିରେ ସମ୍ପୃକ୍ତ ପ୍ଲାଟ୍‌ଫର୍ମ କାର୍ଯ୍ୟ କରିଥାଏ। ଗ୍ରାହକମାନଙ୍କର ଫିଡ୍‌ବ୍ୟାକ୍‌ ଭିତ୍ତିରେ ଆଲ୍‌ଗୋରିଦ୍‌ମ ଗିଗ୍‌ ୱାର୍କରଙ୍କର ମୂଲ୍ୟାୟନ କରୁଥିବାରୁ ସେମାନେ ଗ୍ରାହକମାନଙ୍କୁ ସର୍ବଦା ତୁଷ୍ଟ କରିବା ପାଇଁ ଚେଷ୍ଟିତ ଥାଇ ଚାପଗ୍ରସ୍ତ ହୋଇଥାନ୍ତି। ଏହା ବାଦ୍‌ ଏକ କାରଖାନାର କର୍ମଚାରୀମାନଙ୍କ ଭଳି ‘ଗିଗ୍‌ ୱାର୍କର’ମାନେ କର୍ମସ୍ଥଳୀରେ ପରସ୍ପରର ଘନିଷ୍ଠ ସାନ୍ନିଧ୍ୟ ଲାଭ କରୁନଥିବାରୁ ସେମାନେ ଏକଜୁଟ ହୋଇ ସଂଘବଦ୍ଧ ଭାବରେ ଶକ୍ତି ପ୍ରଦର୍ଶନ କରିବା ସହଜ ହୋଇନଥାଏ, ଯଦିବା ‘ବ୍ଲିଙ୍କିଟ୍‌’ ଘଟଣାରୁ ଜଣାପଡ଼େ ଯେ ଏ ଦିଗରେ କିଛି ଅଗ୍ରଗତି ଦେଖାଦେଲାଣି।

ଆଶାଜନକ ଭାବରେ ନିକଟରେ ପ୍ରବର୍ତ୍ତନ କରାଯାଇଥିବା ଚାରିଟି ନୂତନ ଶ୍ରମ ସଂହିତା (ଲେବର୍‌ କୋଡ୍‌) ମଧ୍ୟରୁ ଅନ୍ତତଃ ଗୋଟିକରେ ସରକାର ଏହି ‘ଗିଗ୍‌ ୱାର୍କର’ମାନଙ୍କୁ ସ୍ବୀକୃତି ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି। ତ‌ାହା ହେଉଛି ପୂର୍ବୋକ୍ତ ୨୦୨୦ର ‘କୋଡ୍‌ ଅନ୍‌ ସୋସିଆଲ୍‌ ସିକ୍ୟୁରିଟି’। କିନ୍ତୁ ଅନ୍ୟ ତିନିଟି କୋଡ୍‌ରେ ସେମାନଙ୍କର ଅନୁପସ୍ଥିତି ହେଉଛି ନିଶ୍ଚିତ ରୂପେ ଚିନ୍ତାଜନକ। ସେମାନେ ତେଣୁ ସର୍ବନିମ୍ନ ମଜୁରି, କାର୍ଯ୍ୟଜନିତ ନିରାପତ୍ତା, କାର୍ଯ୍ୟ ସମୟ ନିୟନ୍ତ୍ରଣ ଆଦି ଅଧିକାରରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ଯଦି ବିଧିବଦ୍ଧ କର୍ମଚାରୀ ରୂପେ ସ୍ବୀକୃତି ପ୍ରଦାନ କରାଯା’ନ୍ତା, ତେବେ ସେମାନେ ଆପେ ଆପେ ଏ ସମସ୍ତ ଅଧିକାର ହାସଲ କରିପାରନ୍ତେ। କିନ୍ତୁ ସମସ୍ୟା ହେଲା, ଏପରି ଘଟିଲେ ସମ୍ପୃକ୍ତ ପ୍ଲାଟଫର୍ମ ଭିତ୍ତିକ ବ୍ୟବସାୟ ସାବଲୀଳ କାର୍ଯ୍ୟ କରିବାର ସ୍ବାଧୀନତା ହରାଇପାରେ ଏବଂ ତା’ପାଇଁ ଆର୍ଥିକ ବୋଝ ଅସହନୀୟ ହୋଇପାରେ। ଏଥିଯୋଗୁଁ ଯଦି ସେମାନଙ୍କର ବ୍ୟବସାୟରେ ସଂକୋଚନ ଘଟେ ତେବେ ସେମାନଙ୍କର ନିଯୁକ୍ତି ସୃଷ୍ଟି କ୍ଷମତାରେ ମଧ୍ୟ ସଂକୋଚନ ଘଟିବ।

ବର୍ତ୍ତମାନର ଧାରା ଦେଖି ‘ନିତି ଆୟୋଗ’ ପୂର୍ବାନୁମାନ କରିଛି ଯେ ୨୦୨୯-୩୦ ସୁଦ୍ଧା ଦେଶରେ ‘ଗିଗ୍‌ ୱାର୍କର୍‌’ମାନଙ୍କର ସଂଖ୍ୟା ୨୨ ନିୟୁତ ଅତିକ୍ରମ କରିବାକୁ ଯାଉଛି। ଏହି ବିଶାଳ ଶ୍ରମଶକ୍ତିକୁ ଅନିୟନ୍ତ୍ରିତ ଅବସ୍ଥାରେ ଛାଡ଼ି ଦେବା କଥା ଚିନ୍ତା କରାଯାଇପାରେନା। ଏଣୁ ଆଉ ବିଳମ୍ବ ନ କରି ସରକାର ଏକ ନିୟନ୍ତ୍ରକ ସଂସ୍ଥା ସୃଷ୍ଟି କରିବା ଜରୁରୀ, ଯିଏ ଉଭୟ ପକ୍ଷର ପରିସ୍ଥିତି ଅନୁଶୀଳନ କରି ସମସ୍ତଙ୍କର ଗ୍ରହଣୀୟ ହେବା ଭଳି ଏକ ମାର୍ଗ ନିର୍ଦ୍ଧାରଣ କରିବ ଯାହା ‘ଗିଗ୍‌ ୱାର୍କର୍‌’ମାନଙ୍କୁ ଆଜିର ଅରକ୍ଷିତ ଅବସ୍ଥାରୁ ଉଦ୍ଧାର କରିବା ସହିତ ପ୍ଲାଟ୍‌ଫର୍ମ ବ୍ୟବସାୟର ଅଭିବୃଦ୍ଧିରୁ ବ୍ୟାହତ ରହିବ ନାହିଁ। ଉଭୟ ହେଉଛନ୍ତି ବହୁ ପ୍ରଚାରିତ ଡିଜିଟାଲ୍‌ ଇଣ୍ଡିଆର ଅବିଚ୍ଛେଦ୍ୟ ଅଂଶ।