ବହୁ ବର୍ଷ ପରେ ମଉସା ମାଉସୀଙ୍କୁ ଦେଖା କରିବାକୁ ଆସି ସେମାନଙ୍କ ସେଇ ଖାନଦାନି ଘରେ ପହଞ୍ଚିବା ମାତ୍ରେ ସତ୍ୟେନ୍ଦୁର ମନେ ପଡ଼ିଗଲା ଏକଦା ବୋଉ କହିଥିବା କଥା- ‘ତୋ ମଉସା ମାଉସୀ ପରସ୍ପର ସହିତ କଥା ହେଉଥିବା ବେଳେ ଦେଖିଲେ ଲାଗେ ଯେ ସେମାନେ ସତେ ଯେମିତି କାନ୍ଥ ସହ କଥାବାର୍ତ୍ତା ହେଉଛନ୍ତି!’
ବ୍ରଜେଶ୍ୱରୀ ମାଉସୀ ଓ ସୀତାନାଥ ମଉସାଙ୍କ ବିଷୟରେ ସତ୍ୟେନ୍ଦୁ ବୋଉଙ୍କ ଠାରୁ ଶୁଣିଥିଲା ଯେ ମଉସା ସରଳ ଓ ଧର୍ମପ୍ରାଣ ମଣିଷଟିଏ; ସାତ୍ତ୍ବିିକ ଭୋଜନ ଓ ଭଗବତ ଚିନ୍ତାରେ ତାଙ୍କ ମନ ଥିଲା। ପାରିବାରିକ ଅଭାବ ପାଇଁ ଅବକାରୀ ଇନସ୍ପେକ୍ଟର ଚାକିରି କରିଥିଲେ ସିନା ଅସଲରେ ଯୋଗ ପ୍ରାଣାୟାମ ତୀର୍ଥାଟନ କରିବାକୁ ହିଁ ଝୁରି ହେଉଥିଲେ। ହେଲେ, ମାଉସୀଟି ଥିଲା ଓଲଟା। ପିଲାରୁ ଫୁଲେଇ। ଭଳିକି ଭଳି ଶାଢ଼ି ଚୁଡ଼ି ଗହଣାଦିରେ ହିଁ ତା’ ମନ। ସବୁ କିଛି ଥିଲେ ବି କିଛି ନାଇଁ ବୋଲି କାନ୍ଦି କଚାଡ଼ି ହୁଏ। ଭାରି ଜିଦିଆ। ତା’ କଥା ନ ରହିଲେ ନବ ଖଣ୍ଡ କରି ଦେବ। ମାଟ୍ରିକ ପରେ ବାହା ହେଲା। ମଉସା କିନ୍ତୁ ତାକୁ ପଢ଼ାଇଲେ। ବି.ଏ. ବିଏଡ୍ କରି ଶିକ୍ଷୟିତ୍ରୀ ହେଲା। ତଥାପି ଅଯଥାରେ ଖିଟଖିଟ ହୁଏ। ସବୁ ସଫା ଥିଲେ ବି ଶୁଚିବାଇ ଭଳି ହୁଏ। ସିଏ ଯାହା ଖାଇବା କରିବ ତା’ ହିଁ ସଭିଏଁ ଖାଇବାକୁ ବାଧ୍ୟ! ସମସ୍ତେ ତା’ କଥାରେ ହଁ ଭରିବାକୁ ବାଧ୍ୟ। ସବୁ ବେଳେ ପଇସା ପଇସା ହୁଏ, ଅନ୍ୟମାନଙ୍କ ସହିତ ଅଯଥାରେ ନିଜକୁ ତୁଳନା କରେ। ଅଭାବ ନ ଥାଇ ବି ସ୍କୁଲରୁ ଘରକୁ ଫେରି ତିନି ବ୍ୟାଚ୍ ଟିଉସନ କଲା। କଥା କଥାକେ ମଉସାଙ୍କୁ ଅପମାନ ଦେଲା ଭଳି କହେ- ‘ତୁମ ଦେଇ ଅଧିକ ଉପାର୍ଜନ ହୋଇ ପାରିଲାନି। ତୁମେ କୋଉ କାମକୁ ନୁହଁ!’
ବୋଉ ଠାରୁ ସତ୍ୟେନ୍ଦୁ ଶୁଣିଛି ଯେ ମାଉସୀର ଅଦୌତିମାନ ସମ୍ଭାଳି ନେଇ ମଉସା ତାଙ୍କ ସଂସାର ଚଳାଇଲେ। ରକ୍ଷା ହୋଇଗଲା ଯେ ପିଲାଏ ବାପାଙ୍କ ଆଦର୍ଶରେ ବଡ଼ ହେଲେ। ଏବେ ପୁଅ ଡାକ୍ତର ଓ ଝିଅ ଅଧ୍ୟାପିକା। ତେବେ, ସେମାନଙ୍କୁ ମଣିଷ କରି ବାହାଚୂଡ଼ା କରାଇବା ପରେ ମଉସା ହଠାତ ଗୋଟେ ବଡ଼ ସିଦ୍ଧାନ୍ତ ନେଇଗଲେ। ପାଞ୍ଚ ବର୍ଷ ଆଗରୁ ଚାକିରିରୁ ଅବସର ନେଇ ଯାଇ ଚାତୁର୍ମାସ୍ୟ ପାଳନ ଆଳରେ ଋଷିକେଶ ଚାଲିଗଲେ। ସେଠୁ ଫେରିବା ପରେ ଦେଖାଗଲା ଯେ ସେ ଜଣେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ପାଲଟି ଯାଇଛନ୍ତି। ଏଣିକି କେବଳ ଯୋଗ-ପ୍ରାଣାୟାମ, ସତସଙ୍ଗ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ହିଁ ବୁଡ଼ି ରହିଲେ। କିନ୍ତୁ ମାଉସୀ ତାଙ୍କୁ ବୁଝିବାକୁ ଚେଷ୍ଟା କରିବ କ’ଣ, ଓଲଟି ରାଗି ମାଗି ଆହୁରି ଅଜବ ଢଙ୍ଗରେ ଗୋଳ ଆରମ୍ଭ କରି ଦେଲା। ହେଲେ ମଉସାଙ୍କ ଉପରେ କିଛି ବି ପ୍ରଭାବ କିଆଁ ପଡ଼ନ୍ତା! ଖିଟଖିଟ ଅଧିକ ହୋଇଗଲେ ‘ଯୋଗ ଶିବିର ଯିବାର ଅଛି’ ବୋଲି କହି ସେ ଥରକୁ ଥର କୁଆଡ଼େ ଉଭାନ ହୋଇ ଯାଆନ୍ତି। ଶେଷରେ ପରିସ୍ଥିତି ଏମିତି ହେଲା ଯେ ପରସ୍ପରକୁ କିଛି କହିବାର ଥିଲେ ଦୁହେଁ ବରଂ କାନ୍ଥକୁ କହି ଅପରକୁ ଜଣାଇ ଦିଅନ୍ତି।
ତେବେ, ଇଏ କ’ଣ?
ସେ କଲିଂ ବେଲ ଟିପନ୍ତେ ଉଭୟ ମଉସା ଓ ମାଉସୀ ଆସି ସତ୍ୟେନ୍ଦୁକୁ ଦେଖି ହସି ହସି ଆନନ୍ଦରେ ଗଦଗଦ ହୋଇ ଯାଉଛନ୍ତି! ଦୁହେଁ ମିଶି ତା’ ହାତ ଧରି ଅତି ଆଦରରେ ପାଛୋଟି ନେଉଛନ୍ତି!
ଏସବୁ ସତ୍ୟେନ୍ଦୁକୁ ତାଜୁବ୍ କରୁଥିବା ବେଳେ ମାଉସୀ ହଠାତ୍ ଛଳଛଳ ହୋଇ କହିଲେ: ବୁଝିଲୁ ବାପ, ତୋ ମଉସାଙ୍କ ପରିବାରର ତ ଆଉ କେହି ନାହାନ୍ତି, ମୋର ନିଜର ବୋଲି କେବଳ ତୋ ବୋଉ ଜଣେ ହିଁ ଥିଲା। ତେଣୁ ମୁଁ ରିଟାୟାର୍ଡ ହେଲା ପରେ ନାନୀକୁ ଏଠାକୁ ନେଇ ଆସି ଦୁଇ ଭଉଣୀ ମିଶି ଆନନ୍ଦରେ ରହିବୁ ବୋଲି ଭାବିଲା ବେଳକୁ ବିଧାତା ତାହା କରାଇ ଦେଲାନି!
ସତ୍ୟେନ୍ଦୁ ମାଉସୀଙ୍କ ସହ ଆବେଗରେ ବତୁରି ଯାଉଥିଲେ ହେଁ କଥା ଭୁଲାଇବାକୁ ଯାଇ ମଉସାଙ୍କୁ ପଚାରିଲା, ‘ଆଉ କେମିତି ଚାଲିଛି ଆପଣଙ୍କ ଯୋଗାଭ୍ୟାସ ମଉସା?’
ମଉସା କିଛି କହିବା ପୂର୍ବରୁ ମାଉସୀ କହି ଉଠିଲେ, ‘ସବୁ ଚାଲିଛି। ଆମ ଘରେ ଗୋଟେ ଯୋଗକେନ୍ଦ୍ର ଖୋଲିଛୁ, ଯେଉଁଠି ବରିଷ୍ଠ ନାଗରିକ ସଂଘର ବନ୍ଧୁମାନଙ୍କୁ ଇଏ ସବୁଦିନ ସକାଳେ ଘଣ୍ଟାଏ ଯୋଗ ଶିକ୍ଷା ଦେଉଛନ୍ତି।’
ମାଉସୀଙ୍କ କଥା ସରୁସରୁ ମଉସା ବି କହି ଉଠିଲେ: ଆଉ ତୋ ମାଉସୀ ବି ଟିଉସନ କରିବା ଛାଡ଼ି ନାହାନ୍ତି ବାବୁ। ତେବେ କେବଳ ସବୁ ରବିବାର ସକାଳେ ଦି ଘଣ୍ଟା ଇଂଲିସ ମିଡିୟମ୍ ପିଲାଙ୍କୁ ଓଡ଼ିଆ ଶିଖାଉଛନ୍ତି ମାଗଣାରେ। ଆଉ ଆଗ ପରି ଧନ ଧନ ନ ହୋଇ ‘ଏଇ ମନ ହିଁ ବୃନ୍ଦାବନ’ ବୋଲି ବୁଝି ପାରିଛନ୍ତି ରେ ବାବୁ!
ମାଉସୀ ଯୋଡ଼ିଲେ- ‘ସଂସାର ଧର୍ମକୁ ହିଁ ପରମ ଧର୍ମ ମଣିଲେ ମର୍ତ୍ତ୍ୟ ବି ବୈକୁଣ୍ଠ ପାଲଟି ଯାଏ ରେ ବାପା!’
ସେମାନେ ପ୍ରସନ୍ନ ଜଣା ପଡୁଥିଲେ। ସେମାନଙ୍କ ଦେହପା’ ଭଲ ଅଛି ବୋଲି କହିଲେ। ସକାଳେ ଘରକାମ ସାରି ବଗିଚା କାମ ବି କରୁଛନ୍ତି। ସନ୍ଧ୍ୟାରେ ପାଖ ପାର୍କକୁ ବୁଲିବାକୁ ଯାଉଛନ୍ତି। ସନ୍ତୁଳିତ ଆହାର। ସକାଳେ ଫଳାହାର, ଦି ପହରରେ ଭାତ ଡାଲମା ସାଲାଡ୍ ଓ ସନ୍ଧ୍ୟାରେ ଦିପଟ ରୁଟି ଆଉ ସନ୍ତୁଳା।
ସତ୍ୟେନ୍ଦୁ ଲକ୍ଷ୍ୟ କଲା ପ୍ରାୟତଃ ଗମ୍ଭୀର ପ୍ରତେ ହୋଇ ଆସିଥିବା ମଉସା ବେଶ୍ ପ୍ରସନ୍ନ ହୋଇ ମାଉସୀଙ୍କ କଥାମାନ ପିଛି ଯାଉଛନ୍ତି। ସତ୍ୟେନ୍ଦୁ ଭାବୁଥିଲା- କ’ଣ ଏମିତି ଘଟିଲା ଯେ ଉଭୟେ ଏମିତି ବଦଳି ଗଲେ? ଏବେ ତ ସେମାନେ ଅନବଦ୍ୟ ପ୍ରେମୀଯୁଗଳ ଭଳି ଜଣା ପଡୁଛନ୍ତି! ସତ୍ୟେନ୍ଦୁ କିଛି ଭାବି ପାରୁ ନ ଥିଲା। ତେବେ ଶେଷରେ ଏହି ସିଦ୍ଧାନ୍ତରେ ପହଞ୍ଚିଲା ଯେ ବୋଧହୁଏ ନିଷ୍ପ୍ରାଣ କାନ୍ଥ ସହ କଥାବାର୍ତ୍ତା ହୋଇ ହୋଇ ବିରକ୍ତ ହୋଇଗଲା ପରେ ସେମାନଙ୍କ ଚୈତନ୍ୟ ଉଦୟ ଘଟିଥିବ। ଆଳାପରେ ପ୍ରାଣ ସଂଚାର କରିବାକୁ ଇଚ୍ଛା ହୋଇଥିବ! ସତ୍ୟେନ୍ଦୁ କିନ୍ତୁ ଏ ବାବଦରେ ପଚାରି ସନ୍ଦେହ ମୋଚନ କରି ପାରିଲା ନାହିଁ। ତେବେ କେବଳ ଏତିକି ଭାବିଲା ଯେ ଯାହା ବି ହୋଇଛି ଖୁବ୍ ଭଲ ହୋଇଛି!
ମୋ: ୯୪୩୭୯୦୯୬୭୫