ସ୍ୱାଧୀନତା ପରେ ଭାରତ ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ଯେଉଁ ଇତିହାସ ଓ ରାଜନୀତି ବିଜ୍ଞାନ ପାଠ୍ୟ ପୁସ୍ତକ ପ୍ରଣୟନ କଲେ ତାହାକୁ ନେଇ ବିବାଦ ଚାଲିଛି। କାରଣ ଏଠାରେ ପ୍ରଶ୍ନ ଉଠୁଛି ଏହି ପୁସ୍ତକମାନଙ୍କୁ ଲେଖୁଛି କିଏ? ଅବଶ୍ୟ ‘ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଓ ଟେକ୍ନୋଲୋଜି ପରିଷଦ’ (ଏନ୍‌.ସି.ଇ.ଆର୍‌.ଟି.) ପକ୍ଷରୁ ଏହି ପୁସ୍ତକଗୁଡ଼ିକ ପ୍ରଣୀତ ହେଉଛି। କିନ୍ତୁ ଅଲଗା ଅଲଗା ସମୟରେ ଅଲଗା ଅଲଗା ଲୋକ ଏହି ପୁସ୍ତକକୁ ଲେଖୁଛନ୍ତି, ଯାହା ଫଳରେ ଅଧିକାଂଶ ସମୟରେ ଲେଖାର ଭାବ ଓ ଉପସ୍ଥାପନା ସମାନ ରହୁନାହିଁ। ଏହାକୁ ଲକ୍ଷ୍ୟ କରି ଏବେ ଏଇ ପୁସ୍ତକମାନଙ୍କରୁ ମୋଗଲ ଯୁଗ ପରି ଅଧ୍ୟାୟମାନଙ୍କୁ ହଟାଇ ଦିଆଯାଇଛି। ପରିଣାମ ସ୍ୱରୂପ ଅଣବିଜେପି ରାଜନୈତିକ ଦଳ ଏବଂ ଉଦାରବାଦୀ ବୁଦ୍ଧିଜୀବୀମାନେ ଏହି ଲେଖାମାନଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି।

Advertisment

ଇତିମଧ୍ୟରେ ପ୍ରାୟ ୨୫୦ ବୁଦ୍ଧିଜୀବୀ ଏଭଳି ବାଦ୍‌ ଦିଆଯିବା କଥାକୁ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି। ଯେତେବେଳେ ପୁସ୍ତକମାନଙ୍କରୁ ଏହି ଅଧ୍ୟାୟଗୁଡ଼ିକ ବାଦ୍ ଦିଆଗଲା, ସେତେବେଳେ ଯେଉଁମାନେ ଏ ପୁସ୍ତକ ରଚନା କରିଥିଲେ, ସେମାନଙ୍କ ସହ ଆଦୌ ପରାମର୍ଶ କରାଯାଇ ନାହିଁ ବୋଲି ସେମାନଙ୍କର ଅଭିଯୋଗ।

ଇତିହାସ ପୁସ୍ତକମାନଙ୍କରୁ ମୋଗଲ ସାମ୍ରାଜ୍ୟ ପରି ନିର୍ଦ୍ଦିଷ୍ଟ କେତେକ ଅଧ୍ୟାୟମାନଙ୍କୁ ହଟାଇ ଦିଆଯାଇଥିବାର କାରଣ ସ୍ୱରୂପ ଶିକ୍ଷା କର୍ତ୍ତୃପକ୍ଷ କହୁଛନ୍ତି ଯେ ପିଲାମାନଙ୍କ ଉପରେ ଅତ୍ୟଧିକ ବିଷୟବସ୍ତୁ ଲଦି ଦିଆଯାଉଛି, ଯାହା ସେମାନେ ପଢ଼ିବାର ଆବଶ୍ୟକତା ନାହିଁ। ଏହି ପୁସ୍ତକମାନଙ୍କରେ ଅନେକ ସ୍ଥାନରେ ଗୋଟିଏ ବିଷୟକୁ ବାରମ୍ବାର ଉଲ୍ଲେଖ କରାଯାଇଛି। ତେଣୁ ଏହି ଧରଣର ବିଷୟମାନଙ୍କୁ ହଟାଇ ଦିଆଯାଇଛି। ଏ ଧରଣର ପାଠ୍ୟକ୍ରମଗୁଡ଼ିକୁ ହଟାଇ ଦିଆଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଛି। ମୋଗଲ ଶାସନ ଉପରେ ହିନ୍ଦତ୍ବବାଦୀଙ୍କ ମତାମତକୁ ଦୃଷ୍ଟିରେ ରଖି ଏପରି ପାଠ୍ୟକ୍ରମ ପରିବର୍ତ୍ତନ କରାଯାଇଛି ବୋଲି କୁହାଯାଉଛି। ‘ଏନ୍‌ସିଇଆର୍‌ଟି’ ଏ ଧରଣର ପାଠ୍ୟକ୍ରମ ସଂଶୋଧନ ୨୦୧୭ ଓ ୨୦୧୯ରେ କରିଥିଲା। ସେତେବେଳେ ମଧ୍ୟ ମୋଗଲ ପାଠ୍ୟକ୍ରମକୁ ହଟାଇ ଦିଆଯାଇଥିଲା; ଯେଉଁଥି ପାଇଁ ମଧ୍ୟ ସମାନ ଯୁକ୍ତି ଉପସ୍ଥାପନ କରାଯାଇଥିଲା।
ଏହା ସତ ଯେ ପାଠ୍ୟ ପୁସ୍ତକ ରଚନା କରିବା ଏକ ଜଟିଳ ବୌଦ୍ଧିକ ପ୍ରକ୍ରିୟା। ତରୁଣ ଓ ଯୁବ ମସ୍ତିଷ୍କ ଉପରେ ଏହି ପାଠ୍ୟ ପୁସ୍ତକମାନ ନିର୍ଦ୍ଦିଷ୍ଟ ଛାପ ଛାଡ଼ିଥାନ୍ତି। ଜ୍ଞାନର ସାମ୍ରାଜ୍ୟକୁ ସେମାନେ ଏହି ପାଠ୍ୟ ପୁସ୍ତକ ମଧ୍ୟରେ ଖୋଜିଥାନ୍ତି। ବାସ୍ତବରେ ପାଠ୍ୟ ପୁସ୍ତକଗୁଡ଼ିକ ହେଲେ ରାଷ୍ଟ୍ର ଦ୍ୱାରା ଦିଆଯାଉଥିବା ଆନୁଷ୍ଠାନିକ ମନ୍ତବ୍ୟ ଯାହାକୁ ଆଦର୍ଶଗତ ପ୍ରକଳ୍ପ ବୋଲି କୁହାଯାଇପାରେ। କାରଣ ଇତିହାସ ଓ ରାଜନୀତି ବିଜ୍ଞାନ ସେମାନଙ୍କର ମତାମତ ଦ୍ୱାରା ସେମାନଙ୍କ ସମସାମୟିକ ପ୍ରାସଙ୍ଗିକତା କ’ଣ ଅଛି; ତା’ର ସୂଚନା ଦେଇଥାନ୍ତି। ଏହା ଦ୍ୱାରା ଅତୀତ ଓ ବର୍ତ୍ତମାନର ଯୌକ୍ତିକ ସମନ୍ୱୟ କ’ଣ ଅଛି, ତାହା ଦର୍ଶାଯାଇଥାଏ।

ଏବେ ଭାରତରେ ମଧ୍ୟ-ଯୁଗୀୟ ଇତିହାସକୁ କେମିତି ପଢ଼ାଯାଉଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏ ଧରଣର କେତେକ ତ୍ରୁଟିମାନଙ୍କର ସଂଶୋଧନ କରିବାକୁ ଅତୀତରେ ମଧ୍ୟ ଚେଷ୍ଟା କରାଯାଇଛି।
ଏଠାରେ ଆଉ ଗୋଟିଏ କଥା ହେଲା, ରାଷ୍ଟ୍ରୀୟ କୀର୍ତ୍ତିରାଜି ପ୍ରାଧିକରଣ (ନେସନାଲ ମନୁମେଣ୍ଟ ଅଥୋରିଟି) କେତେକ ରାଷ୍ଟ୍ରୀୟ ସୌଧମାନଙ୍କୁ ସେହି ମର୍ଯ୍ୟାଦାରୁ ହଟାଇ ଦେବାକୁ ଚାହିଁଛି। କାରଣ ସେହି କୀର୍ତ୍ତିରାଜି ହେଉଛି ଏକ ଦାସ ମନୋବୃତ୍ତିର ପ୍ରତିଫଳନ ମାତ୍ର। ତହିଁରୁ ଅନେକ ହେଉଛନ୍ତି ମସ୍‌ଜିଦ୍‌, ସମାଧି ବା ଶ୍ମଶାନମାନ। ଏଥିରେ ସୁଲତାନ ଓ ସମ୍ରାଟ ଇତ୍ୟାଦିଙ୍କ ସମାଧି ପୀଠ ଅଛି, ଯେମିତି କି, ଦିଲ୍ଲୀରେ ହୁମାୟନୁଙ୍କ ସମାଧି।
ସେହିପରି ଯେତେବେଳେ ଭାରତରେ ବ୍ରିିଟିସ ଶାସନ ଥିଲା, ସେତେବେଳେ ପ୍ରଥମେ କଲିକତା ଥିଲା ଇଷ୍ଟ ଇଣ୍ଡିଆ କମ୍ପାନି ସରକାରଙ୍କ ରାଜଧାନୀ।

ସେଠାରେ ଇଂଲାଣ୍ଡର ମହାରଣୀ ଭିକ୍ଟୋରିଆଙ୍କର ସ୍ମୃତି ଉଦ୍ଦେଶ୍ୟରେ ଭିକ୍ଟୋରିଆ ମେମୋରିଆଲ ନିର୍ମିତ ହୋଇଥିଲା। ଏହା ବର୍ତ୍ତମାନ ଏକ ପର୍ଯ୍ୟଟନ କ୍ଷେତ୍ର ହିସାବରେ ପରିଗଣିତ। ସେଠାରେ ଆଲୋକ ଓ ସଂଗୀତର ଏକ ବଡ଼ କାର୍ଯ୍ୟକ୍ରମ ପର୍ଯ୍ୟଟକମାନଙ୍କ ପାଇଁ ପ୍ରତିଦିନ ପ୍ରଦର୍ଶିତ ହେଉଛି। ଲାଲକିଲାରେ ମଧ୍ୟ ସେହିପରି ମୋଗଲ ଓ ମୋଗଲ ପରବର୍ତ୍ତୀ ଶାସକମାନଙ୍କର ଇତିହାସ ସବୁ ଆଲୋକ ଓ ସ୍ୱର ଦ୍ୱାରା ପ୍ରଦର୍ଶିତ ହୋଇଥାଏ। ଏହି ସ୍ଥାନମାନଙ୍କରେ ଯେଉଁ ଆଲୋକ, ସ୍ୱର ଆଦି ପ୍ରଦର୍ଶିତ ହୋଇଥାଏ, ତା’ର ପୃଷ୍ଠଭୂମି ହେଉଛି ବିଦେଶୀ ଆକ୍ରମଣକାରୀମାନଙ୍କର। କିନ୍ତୁ, ଆଣ୍ଡାମାନ୍ ଠାରେ ଯେଉଁ ସେଲ୍ୟୁଲାର୍ ଜେଲ୍‌ ଅଛି; ସେଠାରେ ଯେଉଁ ଆଲୋକ ଓ ସଂଗୀତର କାର୍ଯ୍ୟକ୍ରମ ପର୍ଯ୍ୟଟକମାନଙ୍କ ପାଇଁ ପ୍ରଦର୍ଶିତ ହୋଇଥାଏ, ତାହା ହେଉଛି ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ମହାନ୍ ବ୍ୟକ୍ତିମାନଙ୍କର ଯେଉଁମାନେ ଏ ରାଷ୍ଟ୍ର ଲାଗି ଜୀବନ ଉତ୍ସର୍ଗ କରିଥିଲେ। ଏଣୁ ଏହି ସେଲ୍ୟୁଲାର୍ ଜେଲ୍‌କୁ ରାଷ୍ଟ୍ରୀୟ କୀର୍ତ୍ତିରାଜି ହିସାବରେ ଉପସ୍ଥାପନ କରାଯିବାର ଯୌକ୍ତିକତା ରହିଛି।

ଏଠାରେ ଗୁରୁତ୍ୱପୂର୍ଣ୍ଣ ହେଲା, ମହାନ୍ ଭାରତୀୟ ହିସାବରେ ଯେଉଁମାନଙ୍କୁ ଏଠାରେ ଉପସ୍ଥାପିତ କରାଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବିଦେଶୀ। ସେମାନେ ଅଫ୍‌ଗାନ୍ ହୁଅନ୍ତୁ, ମୋଗଲ ହୁଅନ୍ତୁ ଅବା ତୁର୍କ ହୁଅନ୍ତୁ ଅବା ଇଂରେଜ ହୁଅନ୍ତୁ। ସେମାନେ ଭାରତରେ ଯେଉଁ ଛାପ ଛାଡ଼ି ଯାଇଛନ୍ତି ତାହାକୁ କିପରି ଭାରତୀୟ ବୋଲି ପରିଗଣନା କରାଯିବ ଅବା ତାହା ବର୍ତ୍ତମାନର ପାଠ୍ୟକ୍ରମର ଅଂଶବିଶେଷ କେମିତି ହେବ! ଯେଉଁମାନେ ବିଦେଶୀ ସେମାନେ ମୁଖ୍ୟତଃ ହେଉଛନ୍ତି ଆକ୍ରମଣକାରୀ। ସେମାନେ ଏ ଦେଶକୁ ଭଲ ପାଇ ଏ ଦେଶରେ ଆସି ବସବାସ କରିନାହାନ୍ତି। ସେମାନେ ବରଂ ଅତ୍ୟାଚାର, ରାଜ୍ୟ ଦଖଲର ଭୁରିଭୁରି ଉଦାହରଣ ଛାଡ଼ି ଯାଇଛନ୍ତି। ଆଲ୍ଲାଉଦ୍ଦିନ୍ ଖିଲିଜ୍‌ଙ୍କର ପଦ୍ମିନୀଙ୍କୁ ପାଇବା ପାଇଁ ଚିତୋରଗଡ଼ ଆକ୍ରମଣ, ଆକବରଙ୍କର ରାଣା ପ୍ରତାପଙ୍କର ସହ ହଳଦୀଘାଟ ଯୁଦ୍ଧ ରାଷ୍ଟ୍ରୀୟ ବୀରତ୍ୱର ବର୍ଣ୍ଣନା ଆକାରରେ ଇତିହାସରେ ଯେତେ ପରିମାଣରେ ସ୍ଥାନ ପାଇବା କଥା ତାହା ପାଇନାହିଁ।

ସେହିପରି ଆକ୍ରମଣକାରୀ ଇଂରେଜମାନଙ୍କ କଥା ଦେଖାଯାଉ। ଶାସକ ହୋଇଥିବାରୁ ଇତିହାସକୁ ସେମାନଙ୍କ ଦୃଷ୍ଟିରୁ ଲେଖିଛନ୍ତି। ଉଦାହରଣ ସ୍ୱରୂପ ବ୍ରିଟିସମାନଙ୍କ ବିରୋଧରେ ଭାରତରେ ୧୮୫୭ରେ ଯେଉଁ ସ୍ୱାଧୀନତାର ଲଢ଼େଇ ହୋଇଥିଲା, ତାହାକୁ ଇଂରେଜ ଇତିହାସକାରମାନେ ‘ସିପାହି ବିଦ୍ରୋହ’ ହିସାବରେ ଇତିହାସରେ ବର୍ଣ୍ଣନା କରିଥିଲେ। ଭାରତରେ ଶାସନ କରିବାର ଅଧିକାର ଈଶ୍ୱର ସେମାନଙ୍କୁ ଦେଇଥିଲେ ବୋଲି ସେମାନେ ଧରି ନେଇଥିଲେ ଓ ଯିଏ ଏହାକୁ ସ୍ୱୀକାର ନକଲା ତାକୁ ବିଦ୍ରୋହୀ ବୋଲି ଆଖ୍ୟା ଦେଇଥିଲେ। ଏଣୁ, ଇତିହାସକୁ ବିଜୟୀମାନେ ଲେଖିଥାନ୍ତି। ସେମାନଙ୍କ ଦୃଷ୍ଟିକୋଣରୁ ଇତିହାସ ଲେଖା ହୋଇଥାଏ। ପରାଜିତର ଦୃଷ୍ଟିକୋଣକୁ କେବେ ହେଲେ ଇତିହାସରେ ଲେଖା ଯାଇନଥାଏ।

ଓଡ଼ିଶାରେ ମଧ୍ୟ ଠିକ୍ ସେଇଆ ହୋଇଥିଲା, ଯେଉଁଠି ଇଂରେଜମାନଙ୍କ ବିରୋଧରେ ପାଇକମାନଙ୍କ ପ୍ରତିରୋଧକୁ ‘ପାଇକ ବିଦ୍ରୋହ’ ହିସାବରେ ନାମିତ କରାଯାଇଥିଲା ଓ ଏ ଯାଏଁ ପାଠ୍ୟପୁସ୍ତକମାନଙ୍କରେ ତାହା ହିଁ ବର୍ଣ୍ଣିତ ହୋଇଛି। ଓଡ଼ିଶାର ଇତିହାସରେ ଇଂରେଜ ବିରୋଧୀ ଲଢ଼େଇର ନେତା ବକ୍‌ସି ଜଗବନ୍ଧୁ ଅବା ଜୟୀ ରାଜଗୁରୁଙ୍କୁ ଯେଉଁପରି ଭାବରେ ଉପସ୍ଥାପିନା କରାଯିବା କଥା, ତାହା ହୋଇନାହିଁ।
ଯେତେବେଳେ ରବର୍ଟ କ୍ଲାଇବ୍ ମୁର୍ଶିଦାବାଦ ଆକ୍ରମଣ କରି ପଲାସୀ ଯୁଦ୍ଧରେ ବିଜୟୀ ହୋଇଥିଲେ, ସେତେବେଳେ ଇଂରେଜ ଅତ୍ୟାଚାରର ବର୍ଣ୍ଣନା ଅପେକ୍ଷା ଇତିହାସରେ ‘ଅନ୍ଧକୂପ ହତ୍ୟା’ର ବର୍ଣ୍ଣନା ବ୍ୟାପକ ଭାବରେ ଦିଆଯାଇଥିଲା। ଏହି ବର୍ଣ୍ଣନାରେ କେମିତି କିଛି ଇଂରେଜମାନଙ୍କୁ ଗୋଟିଏ ଗାତ ମଧ୍ୟରେ ସାରା ରାତି ଦୟନୀୟ ଅବସ୍ଥାରେ ରଖାଯାଇଥିଲା, ତା’ର ବର୍ଣ୍ଣନା ଅଛି। ଇଂରେଜମାନେ ଭାରତୀୟମାନଙ୍କୁ ଯେମିତି ଅତ୍ୟାଚାର କରିଥିଲେ ତା’ର ବର୍ଣ୍ଣନା ନାହିଁ। କାରଣ ଇଂରେଜମାନେ ଶାସକ ହେଲେ। ତାଙ୍କୁ ପ୍ରତିବାଦ କରିବାର ଅଧିକାର କାହାରି ନଥିଲା। ଭାରତୀୟ ପ୍ରତିବାଦକାରୀ ପ୍ରଜାଙ୍କ ଉପରେ ଅତ୍ୟାଚାର କରିବାର ସେମାନଙ୍କର ସବୁ ପ୍ରକାରର କ୍ଷମତା ଅଛି ବୋଲି ସେମାନେ ବିଚାର କରିଛନ୍ତି ଓ ସେଥିପାଇଁ ଇତିହାସରେ ଅନ୍ଧକୂପ ହତ୍ୟାକୁ ବଡ଼ ସ୍ଥାନ ଦେଇଛନ୍ତି।

ଯେତେବେଳେ ଭାରତ ସ୍ୱାଧୀନ ହେଲା, ତା’ର ପ୍ରାୟ ତିନି ଦଶନ୍ଧି ଧରି ସ୍ୱାଧୀନ ଭାରତର ଶିକ୍ଷାନୁଷ୍ଠାନମାନଙ୍କର ପାଠ୍ୟକ୍ରମରେ ଓ ବିଶେଷ କରି ଇତିହାସ ପୁସ୍ତକମାନଙ୍କରେ ବିଭିନ୍ନ ଇଂରେଜ ଗଭର୍ନର ଜେନେରାଲମାନେ ଭାରତ ପାଇଁ କ’ଣ କ’ଣ କରିଥିଲେ ମୁଖ୍ୟତଃ ସେହି ବିଷୟମାନଙ୍କରେ ବର୍ଣ୍ଣନା ଦିଆଯାଇଥିଲା। ଛାତ୍ରଛାତ୍ରୀମାନେ ରବର୍ଟ କ୍ଲାଇବ, ଲର୍ଡ କର୍ଜନ, ଲର୍ଡ ରିପନ୍‌, ଲର୍ଡ ଡେଲାହାଉସି, ଲର୍ଡ ଲିନଲିଥଗୋ ଆଦିଙ୍କ ସମ୍ପର୍କରେ ବିସ୍ତୃତ ଭାବରେ ପଢୁଥିଲେ ଓ ପରୀକ୍ଷାରେ ସେହି ସମ୍ପର୍କରେ ପ୍ରଶ୍ନମାନ ସେମାନଙ୍କୁ ପଚରା ଯାଉଥିଲା ଓ ସେମାନେ ତା’ର ଠିକ୍ ଉତ୍ତର ଲେଖି ନ ପାରିଲେ ଫେଲ୍ ହେଉଥିଲେ। ପରବର୍ତ୍ତୀ କାଳରେ ଯାଇ ଏହି ପାଠ୍ୟକ୍ରମଗୁଡ଼ିକୁ ଇତିହାସ ପୁସ୍ତକମାନଙ୍କରୁ ହଟାଇ ଦିଆଯାଇଥିଲା।

ସ୍ୱାଧୀନତା ପରେ ଓ ପ୍ରାୟ ଅଷ୍ଟମ ବା ନବମ ଦଶକ ପର୍ଯ୍ୟନ୍ତ ଭାରତର ଶାସନ ମୁଖ୍ୟତଃ କଂଗ୍ରେସ ଦଳ ହାତରେ ଥିଲେ ମଧ୍ୟ ଇତିହାସ ପୁସ୍ତକର ରଚନା କଂଗ୍ରେସ ବିଦ୍ୱାନମାନେ କରୁନଥିଲେ। କଂଗ୍ରେସ ଦଳ ସେତେବେଳେ କ୍ଷମତାରେ ରହିଲେ ମଧ୍ୟ ସେମାନେ କେବଳ ଶାସନ ପଦ୍ଧତିକୁ ହାତରେ ରଖିଲେ। ସବୁ ପ୍ରକାରର ବୌଦ୍ଧିକ କାର୍ଯ୍ୟକୁ କଂଗ୍ରେସ ସରକାର କମ୍ୟୁନିଷ୍ଟମାନଙ୍କ ହାତକୁ ଛାଡ଼ି ଦେଇଥିଲେ। ଏଣୁ ସେତେବେଳେ ‘ଏନ୍‌ସିଇଆର୍‌ଟି’ ପୁସ୍ତକମାନଙ୍କର ରଚନା ମୁଖ୍ୟତଃ କମ୍ୟୁନିଷ୍ଟ ବିଦ୍ୱାନମାନେ କରୁଥିଲେ। ସେତେବେଳେ ମୋ ପରି ଯେଉଁ ପିଲାମାନେ ଆଇଏଏସ୍ ପରୀକ୍ଷା ଦେଉଥିଲେ ସେମାନଙ୍କୁ କୁହାଯାଉଥିଲା ଯେ, ସେମାନେ ଭଲ ନମ୍ବର ପାଇବାକୁ ଚାହିଁଲେ ‘ଏନ୍‌ସିଇଆର୍‌ଟି’ର ବହି ପଢ଼ିବାକୁ ହେବ। ଏବଂ ସେ ବହିକୁ ଲେଖୁଥିଲେ କମ୍ୟୁନିଷ୍ଟ ଇତିହାସକାରମାନେ ଯେଉଁମାନଙ୍କ ମଧ୍ୟରେ ଥିଲେ ରୋମିଲା ଥାପର, ବିପନ ଚନ୍ଦ୍ର, ରାମଶରଣ, ସତୀଶ ଚନ୍ଦ୍ର ଶର୍ମା ଇତ୍ୟାଦି। ଏମାନେ ତାଙ୍କ ପୁସ୍ତକମାନଙ୍କରେ ଲେଖିଥିଲେ ଯେ ଆଉରଙ୍ଗଜେବ ଜଣେ ଉଦାର ଶାସକ ଥିଲେ। ସ୍ୱାଧୀନତା ସଂଗ୍ରାମ ବେଳେ ମୁସ୍‌ଲିମ ଲିଗ୍‌ର ଆଭିମୁଖ୍ୟ ଧର୍ମନିରପେକ୍ଷ ଥିଲା। କେବଳ ହିନ୍ଦୁ ମହାସଭା ପରି ହିନ୍ଦୁ ସାଂପ୍ରଦାୟିକ ସଂଗଠନମାନଙ୍କର ମୌଳବାଦୀ କାର୍ଯ୍ୟକଳାପ ଯୋଗୁଁ ମୁସ୍‌ଲିମ୍ ଲିଗ୍ ବାଧ୍ୟ ହୋଇ ପାକିସ୍ତାନ ରାଷ୍ଟ୍ର ଦାବି କଲା।

ଏପରିକି ଇତିହାସକାରମାନେ ଗାନ୍ଧୀଙ୍କ ଉଦାରବାଦର ବିରୋଧ କରିଥିଲେ ଓ ତାଙ୍କର ‘ରଘୁପତି ରାଘବ ରାଜାରାମ’ ଆଦି ପ୍ରାର୍ଥନାକୁ ହିନ୍ଦୁ ସାଂପ୍ରଦାୟିକତାର ଲକ୍ଷଣ ବୋଲି ଚିତ୍ରଣ କରିଥିଲେ। ସେତେବେଳେ ‘ଏନ୍‌ସିଇଆର୍‌ଟି’ ଇତିହାସ ପୁସ୍ତକରେ ମୁସ୍‌ଲିମ୍‌ ଲିଗ୍‌ର ଉଗ୍ର ସାଂପ୍ରଦାୟିକବାଦ କାର୍ଯ୍ୟକଳାପ ହିନ୍ଦୁ ମହାସଭା ପରି ହିନ୍ଦୁବାସୀ ସଂଗଠନମାନଙ୍କର ଉଗ୍ର ସାଂପ୍ରଦାୟିକ ଆଭିମୁଖ୍ୟ ଯୋଗୁଁ ଘଟିଥିଲା ବୋଲି ବର୍ଣ୍ଣନା କରିଥିଲେ। ସେତେବେଳେର ଏହି ଇତିହାସ ପୁସ୍ତକମାନଙ୍କରେ ଗୋଟିଏ ଧାଡ଼ି ମୁସ୍‌ଲିମ୍‌ ଲିଗ୍ ବିରୋଧରେ ଲେଖିଥିଲେ ତାହାକୁ ପ୍ରତିବାଦ କରି ୫ ଧାଡ଼ି ହିନ୍ଦୁ ମହାସଭାର ସାଂପ୍ରଦାୟିକତା ଉପରେ ଲେଖା ହେଉଥିଲା ଯାହାକୁ ଅଧିକାଂଶ ଭାରତୀୟ କେବେ ଶୁଣି ନ ଥିଲେ।

ସେହିପରି ଏହି ବାମପନ୍ଥୀ ଇତିହାସକାରମାନେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ଘୋଷଣାକୁ ସମର୍ଥନ ଦେଇଥିଲେ ଓ ଦେଶରେ ଶୃଙ୍ଖଳା, ଧର୍ମ ନିରପେକ୍ଷତା ଆଦି ରକ୍ଷା ପାଇଁ ଏହା ଏକାନ୍ତ ଆବଶ୍ୟକ ଥିଲା ବୋଲି ସେମାନେ ଲେଖିଛନ୍ତି।

ଏହି ପରିପ୍ରେକ୍ଷୀରେ ଗୋଟିଏ ସ୍ୱାଧୀନ, ଗଣତାନ୍ତ୍ରିକ ଦେଶ ତା’ର ବାସ୍ତବିକ ଇତିହାସକୁ ଛାତ୍ରଛାତ୍ରୀମାନଙ୍କୁ ପଢ଼ାଇବା ଉଚିତ, ଯେଉଁଥିରେ ତା’ର ସ୍ୱାଧୀନତା ରକ୍ଷା ପାଇଁ ବୀରତ୍ୱ, ସାହସ ଓ ନିଷ୍ଠାପର ପ୍ରଚେଷ୍ଟାମାନ ବର୍ଣ୍ଣିତ ହୋଇଥିବ ଏବଂ ଯାହାକୁ ପଢ଼ି ସେମାନେ ସେମାନଙ୍କର ଭବିଷ୍ୟତର ଆଭିମୁଖ୍ୟକୁ ସ୍ପଷ୍ଟ ଓ ଶାଣିତ କରିବେ। ଏଥିପାଇଁ ‘ଏନ୍‌ସିଇଆର୍‌ଟି’ ପୁସ୍ତକମାନଙ୍କରେ ପରିବର୍ତ୍ତନ ଅଣାଯିବାର ଅନେକ ଆବଶ୍ୟକତା ଅଛି, ଯାହା ବର୍ତ୍ତମାନ ଘଟୁଛି।
ମୋ: ୯୪୩୭୦୨୦୨୯୦