ସ˚ପ୍ରତି ହିନ୍ଦୀ-ହୃଦ୍‌ସ୍ଥଳ ରାଜନୀତିରେ କ୍ରମାନ୍ବୟେ ଘଟି ଚାଲିଥିବା ବିବ୍ରତବୋଧ ସୃଷ୍ଟିକାରୀ ଘଟଣାମାନରୁ ଆଭାସ ମିଳିଥାଏ, କିଭଳି ଭାରତର ଏହି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ କ୍ଷେତ୍ରରେ ଅପରାଧ ଓ ରାଜନୀତି ମଧୢରେ ବିଦ୍ୟମାନ ପରସ୍ପରାଶ୍ରୟୀ ସ˚ପର୍କ ଅତଳ ଗଭୀରତା ସ୍ପର୍ଶ କଲାଣି। ପରସ୍ପର ସହିତ ଅସ˚ଲଗ୍ନ ଏହି ଘଟଣାଗୁଡ଼ିକରେ ଅତିକ୍‌ ଅହମ୍ମଦ, ମୁକ୍ତାର ଆନସାରୀ, ବ୍ରିଜଭୁଷଣ ଶରଣ ସି˚ହ ଏବ˚ ଆନନ୍ଦମୋହନ ସି˚ହ ପ୍ରଭୃତିଙ୍କ ନାମ ଚର୍ଚ୍ଚାର କେନ୍ଦ୍ରରେ ରହିଛି, ଯେଉଁମାନେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀ ରୂପେ କୁଖ୍ୟାତ ଥିଲେ ଏବ˚ ରାଜନୀତି ସେମାନଙ୍କୁ ସାଦରେ ଗ୍ରହଣ କରି ଅବଲୀଳା କ୍ରମେ ସେମାନଙ୍କୁ ଅଖଣ୍ତ ପ୍ରଭାବ ଓ ପ୍ରଭୁତ୍ବ ପ୍ରଦାନ କରିଛି। ପ୍ରକାଶ ଥାଉ କି ଏମାନେ ସମସ୍ତେ ଏକାଧିକ ବାର ବିଧାୟକ ଏବ˚ ସା˚ସଦ ରୂପେ ନିଜ ନିଜ ନିର୍ବାଚନ ମଣ୍ତଳୀରେ ନିରଙ୍କୁଶ ଭାବେ ବିଜୟୀ ମଧୢ ହୋଇ ପାରିଛନ୍ତି।

Advertisment

ଅବଶ୍ୟ ଏହା ଲେଖା ହେବା ବେଳକୁ ଅତିକ ଅହମଦ (ଏପ୍ରିଲ୍ ୧୫ ତାରିଖରେ) କେତେକ ଆତତାୟୀଙ୍କ ଗୁଳିରେ ନିହତ ହୋଇଛି; ଗଲା ଶନିବାର ଦିନ ଗାଜିପୁରର ଏକ ଅଦାଲତ ମୁକ୍ତାର ଆନସାରୀକୁ ଜଣେ ବିଜେପି ବିଧାୟକଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି; ମହିଳା କୁସ୍ତି ଖେଳାଳିମାନଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ଅଭିଯୋଗରେ ଅଭିଯୁକ୍ତ ବିଜେପି ସା˚ସଦ ବ୍ରିଜଭୂଷଣ ସି˚ହ ବିରୋଧରେ ଗଲା ଶନିବାର ଦିନ ଦିଲ୍ଲୀ ପୁଲିସ ଦ୍ବାରା ଏକ ଏଫ୍‌.ଆଇ.ଆର. ରୁଜୁ କରାଯାଇଛି ଏବ˚ ୧୯୯୪ ମସିହାରେ ଯୁବ ଆଇଏଏସ୍‌ ଅଧିକାରୀ କୃଷ୍ଣେୟାଙ୍କ ହତ୍ୟା ଲାଗି ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ଆନନ୍ଦମୋହନ ସି˚ହଙ୍କୁ ଚଉଦ ବର୍ଷ ପରେ ମୁକ୍ତ କରି ଦିଆଯାଇଛି। ତେବେ, ଏହି ସବୁ ଭିନ୍ନ ଭିନ୍ନ ଘଟଣାମାନ କିଭଳି ଗୋଟିଏ ସୂତାରେ ବନ୍ଧା, ତାହା ବୁଝିବା ସକାଶେ ଏକ କ୍ଷୁଦ୍ର ଆଲୋଚନାର ଆବଶ୍ୟକତା ପଡ଼ିଥାଏ।

ପ୍ରଥମ କଥା, ଏମାନେ ସମସ୍ତେ ବିଭିନ୍ନ ଜଘନ୍ୟ ଅପରାଧରେ ସ˚ଶ୍ଳିଷ୍ଟ ନିରନୁତପ୍ତ ରାଜନେତା, ଯେଉଁମାନେ ଭୟାଳୁ ଭୋଟରଙ୍କ ଭୋଟ ପାଆନ୍ତି ଏବ˚ ଭୟାଳୁ ସାକ୍ଷୀମାନଙ୍କ ନିରବତା କାରଣରୁ ଅଦାଲତଗୁଡ଼ିକ ଦ୍ବାରା ପ୍ରାୟତଃ ଦୋଷମୁକ୍ତ ଘୋଷିତ ହୁଅନ୍ତି। ଅବଶ୍ୟ, ମୁକ୍ତାର ଆନସାରୀ ଦୋଷୀ ସାବ୍ୟସ୍ତ ହୋଇଛି, କିନ୍ତୁ ଏଭଳି ବାହୁବଳୀମାନଙ୍କ ସହିତ ଥିବା ପୂର୍ବ ଦୃଷ୍ଟାନ୍ତମାନରୁ ଏଭଳି ଆଶା ଉଜ୍ଜ୍ବଳ ଯେ ଉଚ୍ଚତର ଅଦାଲତରେ ସେ ଖଲାସ ହୋଇଯିବ। ମହିଳା କୁସ୍ତି ଖେଳାଳିଙ୍କ ପ୍ରତି ଯୌନ ଉତ୍ପୀଡ଼ନର ଅଭିଯୋଗ ସତ୍ତ୍ବେ ବ୍ରିଜଭୂଷଣଙ୍କ ବିରୋଧରେ ଏଫ୍‌.ଆଇ.ଆର‌୍‌. ଗ୍ରହଣ କରିବା ଲାଗି ଅନିଚ୍ଛୁକ ପୁଲିସ ଉପରେ ଚାପ ପ୍ରୟୋଗ ସକାଶେ ସାତ ଜଣ ଆନ୍ତର୍ଜାତିକ ଖ୍ୟାତି ସ˚ପନ୍ନ ପଦକ ବିଜୟିନୀ ଭାରତୀୟ ମହିଳା କୁସ୍ତି ଖେଳାଳିଙ୍କୁ ଯନ୍ତରମନ୍ତର ଠାରେ ପ୍ରାୟ ସପ୍ତାହେ ବ୍ୟାପୀ ଧାରଣା ଦେବା ସହିତ ସୁପ୍ରିମ୍‌ କୋର୍ଟଙ୍କ ଆଶ୍ରୟ ନେବାକୁ ପଡ଼ିଛି। ସେମିତି ଆନନ୍ଦ ମୋହନ ସି˚ହକୁ ଖଲାସ କରିବା ଲାଗି ଜେଲ ଆଇନରେ ସହସା ଏକ ଅହେତୁକ ସ˚ଶୋଧନ କରାଯାଇଛି।

ଏଠାରେ ଏ ସବୁ ବର୍ଣ୍ଣନା କରାଯିବାର ତାତ୍ପର୍ଯ୍ୟ ହେଲା ଅପରାଧ ପୃଷ୍ଠଭୂମିରୁ ଆସି ରାଜନେତାରେ ପରିଣତ ହୋଇଥିବା ଏଭଳି ବ୍ୟକ୍ତିିମାନଙ୍କ ପ୍ରଭାବ ସ˚ପର୍କରେ ଏକ ଆଭାସ ଦେବା। ରାଜନୀତିରେ ପ୍ରବେଶ ପୂର୍ବରୁ ଏହି ସମସ୍ତଙ୍କର ଆପରାଧିକ ପୃଷ୍ଠଭୂମି ରହିଛି; ଏମାନେ ଓ ଏମାନଙ୍କ ଅନେକ ସମଧର୍ମା ସେମାନଙ୍କ ପ୍ରତିପକ୍ଷମାନଙ୍କୁ ହତ୍ୟା କରି ବା ଅନେକ ସମୟରେ ପ୍ରତିପକ୍ଷଙ୍କ ଦ୍ବାରା ହତ୍ୟାର ଶିକାର ହୋଇ ସେମାନଙ୍କ ଆପରାଧିକ ଏବ˚ ରାଜନୈତିକ କ୍ୟାରିଅରକୁ ରକ୍ତର˚ଜିତ କରିଛନ୍ତି।

ହିନ୍ଦୀ-ହୃଦ୍‌ସ୍ଥଳ ରାଜନୀତି ସହିତ ଅପରାଧର ପରସ୍ପରାଶ୍ରୟୀ ସ˚ପର୍କର ସୃଷ୍ଟିକୁ ଅନେକ ଇତିହାସକାର ତିନି ଶହ ବର୍ଷରୁ ଅଧିକ ଅତୀତରେ ପାଆନ୍ତି, ଯେଉଁ ସମୟରେ ମୋଗଲ ଶାସନାଧୀନ ବଙ୍ଗ-ବିହାର (ଆଜିର ଉତ୍ତର ପ୍ରଦେଶ ମଧୢ ଅନ୍ତର୍ଭୁକ୍ତ) ଭୂଖଣ୍ତର ଜମିଦାରମାନଙ୍କ ଦ୍ବାରା ପ୍ରତିପାଳିତ ଡକାୟତ ଗ୍ୟାଙ୍ଗ କେବଳ ସେମାନଙ୍କ ମାଲିକମାନଙ୍କ ଲାଗି ଲୁଟତାରଜ କରୁ ନ ଥିଲେ; ସ˚ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରି ଜମିଦାରମାନଙ୍କ ପ୍ରଭୁତ୍ବ ପ୍ରତିଷ୍ଠା କରୁଥିଲେ। ମୋଗଲଙ୍କ ପରବର୍ତ୍ତୀ ବ୍ରିଟିସ ଇଷ୍ଟ ଇଣ୍ତିଆ କ˚ପାନିର ଶାସନ କାଳରେ ମଧୢ ଏହି ପ୍ରାଦୁର୍ଭାବ ଇ˚ରେଜମାନଙ୍କୁ ବ୍ୟତିବ୍ୟସ୍ତ କରି ପକାଇଥିଲା; ଯାହା ଐତିହାସିକ ହେତୁକର ଶାହଙ୍କ ଦ୍ବାରା ଉଦ୍ଧୃତ ଜଣେ କ˚ପାନି କର୍ମଚାରୀଙ୍କ ଲେଖାରୁ ଜଣାପଡ଼େ, ଯାହା ଏହି ଭଳି: ‘ସ୍ଥାନୀୟ ଲୋକଙ୍କୁ ନିୟନ୍ତ୍ରଣ କରିବାର କାନୁନଗତ ଅଧିକାର ଜମିଦାରମାନଙ୍କ ନ ଥିବା ସତ୍ତ୍ବେ ସେମାନେ ତାହା ହିଁ କରୁଥିଲେ (ଡକାୟତ-ଗୁଣ୍ତା ବାହିନୀ ଦ୍ବାରା)।

ସେହି ସମୟର ବ୍ରିଟିସ ଦସ୍ତାବେଜରେ ସୋନା ଫକିର, ମଧୁ ଚୁଙ୍ଗ, ଯଦୁ ମୁସଲମାନ, ସୁମନ୍ତ ଘୋଷ ଇତ୍ୟାଦିିଙ୍କ ଭଳି ଡକାୟତଙ୍କ ନାମ ଉଲ୍ଲେଖ ଥିବାର ଦେଖିବାକୁ ମିଳିଥାଏ, ଯେଉଁମାନଙ୍କ ଅପରାଧ ସ୍ଥାନୀୟ ଅଞ୍ଚଳରେ ସୁବିଦିତ ଥିଲେ ସୁଦ୍ଧା ସେମାନଙ୍କ ବିରୋଧରେ ସାକ୍ଷ୍ୟ ପ୍ରଦାନ କରିବାକୁ କେହି ସାହସ କରୁ ନ ଥିଲେ। ପରବର୍ତ୍ତୀ କାଳରେ ଜମିଦାର ବା ସାମନ୍ତ ରାଜାମାନେ ବ୍ରିଟିସମାନଙ୍କ ସହଯୋଗୀ ହୋଇ କ˚ପାନି ବଳ ଓ ସୁରକ୍ଷା ପ୍ରାପ୍ତ ହେବା ପରେ ଅନେକତ୍ର ଏହି ଗୁଣ୍ତା ବାହିନୀ ଜୀବିକାଶୂନ୍ୟ ହୋଇ ବିନା ଜମିଦାର-ପୃଷ୍ଠପୋଷକତାରେ ସେମାନଙ୍କ କାର୍ଯ୍ୟକଳାପ ଅବ୍ୟାହତ ରଖିବାର ଉଦ୍ୟମ କରି ପ୍ରଭୁତ୍ବ ସୃଷ୍ଟିର ପ୍ରଚେଷ୍ଟା ମଧୢ କରିଥିଲେ। ଐତିହାସିକ ତଥ୍ୟ ଅନୁସାରେ ଦରିଦ୍ର ଚାଷୀ, ତଡ଼ା ଖାଇଥିବା ଇଷ୍ଟ ଇଣ୍ତିଆ କ˚ପାନି ଚାକିରିଆ ଏପରିକି କୌଣସି କାରଣରୁ ନିଃସ୍ବ ହୋଇ ପଡ଼ିଥିବା ଜମିଦାରମାନେ ମଧୢ ଏଭଳି ଗୁଣ୍ତା ବାହିନୀରେ ଅନ୍ତର୍ଭୁକ୍ତ ହେଉଥିଲେ ଅଥବା ସେମିତି ବାହିନୀଟିଏ ଗଢୁଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ବେଳକୁ ଏହି ଅଞ୍ଚଳରେ ଏହି ଭଳି କେତେକ ଦଳ ମହାତ୍ମା ଗାନ୍ଧୀଙ୍କ ନାମ ବ୍ୟବହାର କରି ସ୍ବାଧୀନତା ସ˚ଗ୍ରାମ ଆଳରେ ଧନୀକମାନଙ୍କ ଠାରୁ ଲୁଟ କରି ଦରିଦ୍ରଙ୍କ ଭିତରେ ‘ରବିନହୁଡ୍‌’ ତୁଲ୍ୟ ଭାବମୂର୍ତ୍ତି ସ୍ଥାପନ କରିପାରିଥିଲେ, ଯେଉଁମାନଙ୍କୁ ବାମପନ୍ଥୀ ବିଚାରଧାରା ସ˚ପନ୍ନ କେତେକ କ˚ଗ୍ରେସୀ ନେତା ସହାୟତା ମଧୢ କରୁଥିଲେ। ଏହି କ୍ରମରେ ରାଜନୈତିକ ପୃଷ୍ଠପୋଷକତାରେ ଅପରାଧ ଧାରାର ସୂତ୍ରପାତ ହୋଇଛି, ଯାହା କାଳକ୍ରମେ ସ୍ବାଧୀନତାର ସାତ ଦଶନ୍ଧି ମଧୢରେ ଅତ୍ୟନ୍ତ ପରିପୁଷ୍ଟ ହୋଇଛି।

୧୯୯୪ ମସିହା, ଡିସେମ୍ବର ୫ ତାରିଖ ଦିନ ଛୁଟନ ଶୁକ୍ଳା ନାମକ ଏକ ଅପରାଧୀର ଶେଷକୃତ୍ୟ ଶୋଭାଯାତ୍ରାର ନେତୃତ୍ବ ନେଉଥିବା ଆନନ୍ଦ ମୋହନର ପ୍ରରୋଚନାରେ ଦୈବାତ୍‌ ସେହି ରାସ୍ତା ଦେଇ ଯାଉଥିବା ଗୋପଳଗ˚ଜର ଏ.ଡି.ଏମ. କୃଷ୍ଣୈୟାଙ୍କୁ ଅତି ନୃଶ˚ସ ଭାବେ ଅକାରଣେ ହତ୍ୟା କରାଯାଇଥିଲା। ସେହି ଦୃଷ୍ଟିରୁ ଜଣେ କର୍ତ୍ତବ୍ୟରତ ଯୁବ ଆଇ.ଏ.ଏସ୍‌. ଅଧିକାରୀଙ୍କ ହତ୍ୟାକାରୀକୁ ଖଲାସ କରାଯିବାରେ ବିହାର ସରକାରଙ୍କ ଆଗ୍ରହାତିଶଯ୍ୟ ବ୍ୟାପକ ବିବ୍ରତବୋଧ, ସମାଲୋଚନା ଏବ˚ କ୍ଷୋଭ ସୃଷ୍ଟି କରିଛି ଏବ˚ କୃଷ୍ଣୈୟାଙ୍କ ‘୮୫’ ବ୍ୟାଚର ଆଇଏଏସ୍‌ ବନ୍ଧୁମାନେ ଏହି ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେ˚ଜ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି। ଏକ ବିଡ଼ମ୍ବନା ହେଲା, ବିହାରର ମୁଖ୍ୟମନ୍ତ୍ରୀ ଯିଏ ୨୦୨୪ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଜଣେ ପ୍ରାର୍ଥୀଙ୍କୁ ଛିଡ଼ା କରାଇବାର ଉଦ୍ୟମରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି, ସେ ସ୍ବୟ˚ ଆନନ୍ଦ ମୋହନର ଖଲାସରେ ଆଗ୍ରହାତିଶଯ୍ୟ ପ୍ରଦର୍ଶନ କରିଛନ୍ତି। ପ୍ରକାଶ ଥାଉ କି ଏହି ହତ୍ୟାକାଣ୍ତ ଘଟାଇଥିବା ଆନନ୍ଦ ମୋହନ ସେତେବେଳକୁ ଦୁଇ ଥର ବିଧାୟକ ରୂପେ ନିର୍ବାଚିତ ହୋଇ ସାରିଥିଲା। କିନ୍ତୁ ହିନ୍ଦୀ ହୃଦ୍‌ସ୍ଥଳ ରାଜନୀତିରେ ଏହା ଏକ ବିଶେଷ ଆକର୍ଷଣ ରୂପେ ପରିଗଣିତ ହୁଏ। ସମ୍ଭବତଃ, ସେଥି ଲାଗି ଆନନ୍ଦ ମୋହନକୁ ଖଲାସ କରି ତା’ ଅନୁଗତମାନଙ୍କୁ ୨୦୨୪ ନିର୍ବାଚନ ବେଳକୁ ସକ୍ରିୟ କରିବାର ଉଦ୍ୟମ ନୀତୀଶ କୁମାରଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପ୍ରରୋଚିତ କରିଥିବ।

ଏକ ଅଧିକ ବିଡ଼ମ୍ବନାର ବିଷୟ ହେଲା ଜୟପ୍ରକାଶ ନାରାୟଣଙ୍କ ସ˚ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରୁ ଆନନ୍ଦ ମୋହନ ତା’ର ରାଜନୈତିକ କ୍ୟାରିଅର ପ୍ରାରମ୍ଭ କରିଥିଲା। ସ୍ବାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀଙ୍କ ପ୍ରେରଣାରେ ଅଗଣିତ ବ୍ୟକ୍ତି ସ୍ବାଧୀନତା ଆନ୍ଦୋଳନ ଆଡ଼କୁ ଆକର୍ଷିତ ହୋଇଥିଲେ ମଧୢ ମୁଷ୍ଟିମେୟଙ୍କ ଅନ୍ତର ମଧୢରେ ସତ୍ୟାଗ୍ରହର ଫୁଲ ଫୁଟିଥିଲା। ସେହିମାନେ ଗାନ୍ଧୀଜୀଙ୍କ ପ୍ରକୃତ ଦାୟାଦ ରୂପେ ଦେଶ ସ୍ବାଧୀନତା ପରେ ନିରୋଳା ଜନସେବାରେ ଅନ୍ତର୍ହିତ ହୋଇ ଯାଇଥିଲେ। ଅବଶିଷ୍ଟ ଯେଉଁମାନେ କ୍ଷମତା-ରାଜନୀତିରେ ଯୋଗ ଦେଇଥିଲେ, ସେମାନେ କ୍ଷମତା ପ୍ରସୂତ ଦୁର୍ନୀତିର କାୟା ବିସ୍ତାରର ଭିତ୍ତି ସ୍ଥାପନ କରିଥିଲେ। ସ˚ପ୍ରତି ଭାରତୀୟ ସ˚ସଦରେ ୫୦ ପ୍ରତିଶତରୁ ଅଧିକ ସା˚ସଦ ବିଭିନ୍ନ ଜଘନ୍ୟ ଅପରାଧରେ ଅଭିଯୁକ୍ତ। ସଚରାଚର ଦେଖାଯାଏ ଯେ ଦୁର୍ନୀତି ଓ ଅପରାଧ ଏକ ପରସ୍ପରାଶ୍ରୟୀ ଜୀବନ ଜିଅନ୍ତି। କେବଳ ସେତିକି ନୁହେଁ, ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସେମାନେ ପରାଙ୍ଗପୁଷ୍ଟ ତୁଲ୍ୟ ଗଣତନ୍ତ୍ରର ଖାଦ୍ୟସାରରେ ନିଜେ ପରିପୁଷ୍ଟ ହେଉଥିବା ବେଳେ ଗଣତନ୍ତ୍ରକୁ ରକ୍ତଶୂନ୍ୟ କରି ପକାନ୍ତି; ଏବେ ଯାହା ହୋଇଛି।