ମହାଭାରତର ବନପର୍ବ ଅନ୍ତର୍ଗତ ପ୍ରସିଦ୍ଧ ଯକ୍ଷ ପ୍ରଶ୍ନ ଶୃଙ୍ଖଳାରେ ଧର୍ମବକ ଯୁଧିଷ୍ଠିରଙ୍କୁ ପଚାରିଥିବା ‌ଗୋଟିଏ ପ୍ରଶ୍ନ ଥିଲା: କ’ଣ ସମାଚାର? ଯୁଧିଷ୍ଠିରଙ୍କର ଉତ୍ତର ଥିଲା ଏଇଭଳି: ‘‘ସମାଚାର ହେଲା ଏହା ଯେ ସମୟ ବିରାଟ ଭେଳିକିର ଏକ ବିଶାଳ କଡ଼େଇରେ ପକାଇ ସମସ୍ତ ପ୍ରାଣୀମାନଙ୍କର ରନ୍ଧନ କରୁଛି ଯେଉଁଥିରେ ସୂର୍ଯ୍ୟ ହେଉଛି ନିଆଁ, ଦିନ ଓ ରାତି ହେଉଛନ୍ତି ଇନ୍ଧନ ଏବଂ ମାସ ଓ ଋତୁ ହେଉଛନ୍ତି ଏହି ଝୋଳକୁ ଘାଣ୍ଟୁଥିବା ଡଙ୍କି। ଯୁଧିଷ୍ଠିରଙ୍କର ଏହି ଉତ୍ତରରୁ ଆମକୁ ଯେଉଁ ସବୁ ତାତ୍ପର୍ଯ୍ୟପୂର୍ଣ୍ଣ ସିଦ୍ଧାନ୍ତମାନ ଉପଲବ୍‌ଧ ହୋଇଥାଏ, ସେଥିରୁ ଗୋଟିଏ ହେଉଛି: ଏଇଭଳି ପାଚକ ସମୟ ଦ୍ବାରା ରନ୍ଧା ହେଉଥିବା ପ୍ରତ୍ୟେକ ପ୍ରାଣୀର ଅନ୍ତିମ ଭାଗ୍ୟ ହେଉଛି ମୃତ୍ୟୁ, କିନ୍ତୁ ଯିଏ ଅଧିକ କାଳ ଏଇ କଡ଼େଇ ଭି‌ତରେ ଅତିବାହିତ କରିବ ସିଏ ବାର୍ଦ୍ଧକ୍ୟ ବା ଜରାର ଆଲିଙ୍ଗନ ଲାଭ କଲାପରେ ହିଁ ଯାଇ ଅନ୍ତିମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ। ଜନ୍ମଗ୍ରହଣ କରିବା ପର ମୂହୁର୍ତ୍ତରୁ ମନୁଷ୍ୟର ପଞ୍ଜିକା-ବୟସ ଯେତେ ଆଗେଇ ଚାଲେ, ବାର୍ଦ୍ଧକ୍ୟ ତା’ର ସେତେ ନିକଟତର ହୁଏ ଓ ଏକ ସମୟରେ ତା’ର ଅଜାଣତରେ ତାକୁ କବଳିତ କରିଥାଏ।

Advertisment

ମହାନ୍‌ ଫରାସୀ ଅସ୍ତିତ୍ବବାଦୀ ଦାର୍ଶନିକ ଜାଁ ପଲ୍‌ ସାର୍ତ୍ର ହିଁ ବାର୍ଦ୍ଧକ୍ୟ ସମ୍ବନ୍ଧରେ ଏହି ‘ଅଜାଣତ’ ଧାରଣାର ପ୍ରବର୍ତ୍ତନ ଓ ପ୍ରସାର ଘଟାଇ ଥିଲେ। ସେ ବିଶ୍ବାସ କରୁଥିଲେ ଯେ ବାର୍ଦ୍ଧକ୍ୟ ହେଉଛି ଏକ ‘ଅନନୁଭବ୍ୟ’ ଅବସ୍ଥା। ସାର୍ତ୍ରଙ୍କ ଅନୁସାରେ ‌େସଇ ଅବସ୍ଥା ହେଉଛି ‘ଅନନୁଭବ୍ୟ’, ‌ଯେଉଁ ଅବସ୍ଥାରେ ଆମେ ଥିଲେ ହେଁ ଆମେ ତାହାକୁ ଆମର ଅନ୍ତଃକରଣରେ ସମ୍ପୂର୍ଣ୍ଣ ରୂପେ ଅନୁଭବ କରି ନ ଥାଉ; କେବଳ ଅନ୍ୟମାନେ ହିଁ ଆମର ସେ ଅବସ୍ଥାକୁ ଅନୁଭବ କରିଥାନ୍ତି। ଆମର ଚେହେରାରେ ବାର୍ଦ୍ଧକ୍ୟର ଛାପ ସୁସ୍ପଷ୍ଟ ହୋଇପାରେ; ଆମର ଆଚରଣ ବୃଦ୍ଧସୁଲଭ ହୋଇପାରେ; କିନ୍ତୁ ଆମେ କେବେ ନିଜକୁ ବୃଦ୍ଧ ରୂପେ ଅନୁଭବ କରିନଥାଉ। ଅର୍ଥାତ୍‌ ଅନ୍ୟମାନେ ହିଁ ଆମକୁ ବୃଦ୍ଧ ବୃଦ୍ଧା ରୂପେ ପ୍ରଦର୍ଶିତ କରି ଆମ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି। ସମାଜ ହିଁ ତା’ର ବରିଷ୍ଠ ସଦସ୍ୟମାନଙ୍କ ଠାରେ ବାର୍ଦ୍ଧକ୍ୟର ମୋହର ମାରିଥାଏ।

ସାର୍ତ୍ରଙ୍କର ଆଜୀବନ ସଙ୍ଗିନୀ ପ୍ରସିଦ୍ଧ ଦାର୍ଶନିକା, ଔପନ୍ୟାସିକା ତଥା ନାରୀବାଦୀ ଚିନ୍ତାନାୟିକା ସିମନ୍‌ ଡି ବିଭ୍ବା ଏହି ବିଷୟବସ୍ତୁ ଉପରେ ଆଧାରିତ ତାଙ୍କର ସୁଦୀର୍ଘ ପୁସ୍ତକ, ‘ଦି କମିଙ୍ଗ୍‌ ଅଫ୍‌ ଏଜ୍‌’ (ବୟଃପ୍ରାପ୍ତି)ରେ ବ୍ୟବହାର କରିଥିବା ଏକ କାଳ୍ପନିକ ଉଦାହରଣ ଏହି ଚିନ୍ତାଧାରାକୁ ସ୍ପଷ୍ଟ ରୂପେ ବୁଝିବାରେ ସହାୟକ ହୋଇଥାଏ। ମନେକର ଜଣେ ନାରୀ ଏକ ମରୁଦ୍ବୀପରେ ସମ୍ପୂର୍ଣ୍ଣ ଏକାକିନୀ ଭାବରେ ଜୀବନ ବିତାଉଛନ୍ତି, ସେଠାରେ ସେ ହେଉଛନ୍ତି ଏକମାତ୍ର ଅଧିବାସୀ। ପ୍ରଶ୍ନ ହେଉଛି ସେ ସମୟକ୍ରମେ ଜଣେ ବୃଦ୍ଧାରେ ପରିଣତ ହେବେ କି? ଏଥିରେ ସନ୍ଦେହ ନାହିଁ ଯେ ତାଙ୍କ ମୁଖମଣ୍ଡଳରୁ ଲାବଣ୍ୟ ଉଭାନ ହୋଇ ସେ ସ୍ଥାନରେ ଲୋଚାକୋଚା ତ୍ବଚା ଜାଲର ଆବିର୍ଭାବ ଘଟିବ (ଯାହାର ଆଇନାରେ ପ୍ରତିଫଳନକୁ ଅସାମାନ୍ୟ ପ୍ରତିଭାର ଅଧିକାରିଣୀ ସ୍ବଳ୍ପାୟୁ କବି ସିଲ୍‌ଭିଆ ପ୍ଲାଥ୍‌ ତାଙ୍କର ଅନବଦ୍ୟ କବିତା ‘ମିରର୍‌’ରେ ଏକ ଭୟଙ୍କର ମାଛର ମୁହଁ ସହିତ ତୁଳନା କରିଥିଲେ); ତାଙ୍କ ଚାଲିଚଳନ ଧୀମା ହୋଇଯିବ; ତାଙ୍କର ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ...। କିନ୍ତୁ ଏହା କ’ଣ ବାର୍ଦ୍ଧକ୍ୟ?

ବିଭ୍ବାଙ୍କ ମତରେ ଏହା ବାର୍ଦ୍ଧକ୍ୟ ନୁହେଁ। ତାଙ୍କ ପାଇଁ ବାର୍ଦ୍ଧକ୍ୟ ହେଉଛି ସାଂସ୍କୃତିକ, ଅନ୍ୟମାନେ ପ୍ରଦାନ କରୁଥିବା ଏକ ରାୟ- ଯେମିତି ଅଦାଲତରେ ଜୁରୀ ସଦସ୍ୟମାନେ ଜଣେ ଅଭିଯୁକ୍ତଙ୍କ ସମ୍ବନ୍ଧରେ ପ୍ରଦାନ କରିଥାନ୍ତି। ଜୁରୀ ନାହିଁ ତ ରାୟ ନାହିଁ। ସେ ନିର୍ଜନ ଦ୍ବୀପରେ ଏଭଳି ରାୟ ଦେବା ପାଇଁ ସମାଜରୂପକ କୌଣସି ଜୁରୀ ନ ଥିବାରୁ ସେ ଏକାକିନୀ ନାରୀ ଜଣକ ଜୈବିକ ବାର୍ଦ୍ଧକ୍ୟର ଶିକାର ହେବା ସତ୍ତ୍ବେ, ତାଙ୍କୁ ଅସଲ ଯନ୍ତ୍ରଣାଦାୟକ ସାଂସ୍କୃତିକ ବାର୍ଦ୍ଧକ୍ୟ ବା ସାମାଜିକ ବାର୍ଦ୍ଧକ୍ୟ ସ୍ପର୍ଶ କରିପାରିବ ନାହିଁ।

ବାର୍ଦ୍ଧକ୍ୟର ଏହି ସାଂସ୍କୃତିକ-ସାମାଜିକ ରୂପକୁ ଆହୁରି ପରିପୁଷ୍ଟ କରି ଲୋକଲୋଚନକୁ ଆଣିଛନ୍ତି ଅନ୍ୟତମ ଅଗ୍ରଣୀ ବାର୍ଦ୍ଧକ୍ୟବିତ୍‌ ଦାର୍ଶନିକ ୟାନ୍‌ ବାର୍‌ସ ତାଙ୍କର ୨୦୧୨ରେ ପ୍ରକାଶିତ ବହୁଳ ପ୍ରସାରିତ ପୁସ୍ତକ, ‘ଏଜିଙ୍ଗ୍‌ ଆଣ୍ଡ୍‌ ଦି ଆର୍ଟ ଅଫ୍‌ ଲିଭିଙ୍ଗ୍‌’ (‘ବୟଃବୃଦ୍ଧି ଓ ଜିଇବାର କଳା’)ରେ। ଏଥିରେ ବାର୍‌ସ ଯେଉଁ ମୁଖ୍ୟ ବାର୍ତ୍ତା ପ୍ରସାର କରିଥାନ୍ତି, ତାହା ହେଲା ଜୀବନର ଦୀର୍ଘତା ଅପେକ୍ଷା ଜିଇବାର ପୂର୍ଣ୍ଣତା ହେଉଛି ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଯେଉଁ ସମୟ ଜୀବନର ଦୀର୍ଘତା ସମ୍ବନ୍ଧରେ ଧାରଣା ପ୍ରଦାନ କରିଥାଏ, ତାହା ନିର୍ଣ୍ଣିତ ହୋଇଥାଏ ପାଞ୍ଜିର ପୃଷ୍ଠା ଓ ଘଣ୍ଟାର କଣ୍ଟା ଦ୍ବାରା, ଯାହ‌ାକୁ ଆମେ ‘ପଞ୍ଜିକା-ସମୟ’ ରୂପେ ଅଭିହିତ କରିପାରିବା। ଏହି ସମୟର ସ୍ରୋତରେ ଭାସି ଭାସି ମନୁଷ୍ୟ ଯନ୍ତ୍ରବତ୍‌ ତା’ ଜୀବନର ବିଭିନ୍ନ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଥାଏ ଏବଂ ପ୍ରତ୍ୟେକ ସ୍ତରରେ ତାକୁ ସମାଜ ଓ ସଂସ୍କୃତି ଦ୍ବାରା ନିରୂପିତ ବୟସ-ଉପଯୁକ୍ତ ଆଚରଣ ପ୍ରଦର୍ଶନ କରିବାକୁ ପଡ଼ିଥାଏ।

ପଞ୍ଜିକା-ସମୟ ସୃଷ୍ଟ ଏହି ବାଧ୍ୟବାଧକତା ଯୋଗୁଁ ଜ‌େଣ ବ୍ୟକ୍ତି ତା’ର ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିବା ସମ୍ଭବ ନ ହୋଇପାରେ, ଯାହା ବୟୋବୃଦ୍ଧମାନଙ୍କ ପ୍ରତି ଅଧିକ ପ୍ରଯୁଜ୍ୟ ହୋଇଥାଏ। ଏକ ଉଦାହରଣ ସ୍ବରୂପ ଆଜିକାଲି ଯୁବକମାନେ ଟାଇଟ୍‌ ପ୍ୟାଣ୍ଟ ପିନ୍ଧିବା ହେଉଛି ଫେସନ୍‌; କିନ୍ତୁ ଜଣେ ଯୁବକ ଯଦି କେତେବେଳେ ଆଗ କାଳ‌ର ଢିଲା ପ୍ୟାଣ୍ଟ ପିନ୍ଧି ବାହାରି ପଡ଼େ ତାକୁ ପ୍ରଶଂସା ସୂଚକ ଭାବରେ ‘ରେଟ୍ରୋ’ ଫେସନ୍‌ ବୋଲି ବର୍ଣ୍ଣନା କରାଯାଇଥାଏ। ଅଥଚ ଜଣେ ବୃଦ୍ଧ ଯଦି ଟାଇଟ୍‌ ପ୍ୟାଣ୍ଟ ପିନ୍ଧିବା ଦେଖାଯାଏ, ତାହାକୁ ତାଙ୍କର ନିଜକୁ ଯୁବସୁଲଭ ପ୍ରଦର୍ଶିତ କରିବା ପାଇଁ ଏକ ‘ପାଥେଟିକ୍‌’ ବା କରୁଣ ଉଦ୍ୟମ ରୂପେ ବିଦ୍ରୂପ କରାଯାଇଥାଏ।
ବାର୍‌ସ କହନ୍ତି ଆମେ ବର୍ତ୍ତମାନ ଏପରି ଏକ ଯୁଗରେ ବାସ କରୁଛୁ ଯେତେବେଳେ ଅଧିକରୁ ଅଧିକ ସୂଚନା ଓ ଛବି ଆଖି ପିଛୁଳାକେ ସାରା ପୃଥିବୀ ପରିକ୍ରମା କରି ଆମ ଦୈନନ୍ଦିନ ଜୀବନର ସାଂସ୍କୃତିକ ପରିବର୍ତ୍ତନର ବେଗରେ ଅବିଶ୍ବନୀୟ ବୃଦ୍ଧି ଘଟାଇ ଚାଲିଛି। ଏହି ଦ୍ରୁତ ସାଂସ୍କୃତିକ ପରିବର୍ତ୍ତନର ଯେତେବେଳେ ପଞ୍ଜିକା-ସମୟ ସହିତ ସଂଘାତ ହୁଏ, ସେତେବେ‌େ‌ଳ ଦୁଇଟି ବିରୋଧାଭାସର ଆବିର୍ଭାବ ଘଟିଥାଏ। ଗୋଟିଏ ହେଲା, ଏଥିଯୋଗୁଁ ଅକାଳ ସାଂସ୍କୃତିକ ବାର୍ଦ୍ଧକ୍ୟ ସୃଷ୍ଟି ହୋଇଥାଏ, ଯେତେବେଳେ ବ୍ୟକ୍ତିଟିଏ ଅଧିକ କାଳ ବଞ୍ଚି ରହେ, କିନ୍ତୁ ପୂର୍ବାପେକ୍ଷା ସଅଳ ସେ ଜଣେ ବୃଦ୍ଧ/ବୃଦ୍ଧା ରୂପେ ବିବେଚିତ ହୋଇଥାଏ, କାରଣ ସେ ଦ୍ରୁତ ପରିବର୍ତ୍ତନଶୀଳ ସଂସ୍କୃତି ସହିତ ଖାପ ଖୁଆଇ ପାରିନଥାଏ। ସମାଜ ତାକୁ ଅଚଳ ପଇସା ଦୃଷ୍ଟିରେ ଦେଖିଥାଏ। ଅନ୍ୟଟି ହେଲା, ଏହି ଅକାଳ ବୃଦ୍ଧବୃଦ୍ଧାମାନେ ଏଣେ ଦୀର୍ଘ ଜୀବନ କାମନା କରନ୍ତି ଓ ତେଣେ ଠିକ୍‌ ଏହାର ବିପରୀତ, ଚିର ଯୌବନ ହାସଲ କରିବାକୁ ଚାହାଁନ୍ତି, ଯାହା ସମ୍ଭବ ନୁହେଁ। ସାମାଜିକ ଓ ସାଂସ୍କୃତିକ ଗ୍ରହଣୀୟତା ହାସଲ ନିମିତ୍ତ ସେମାନେ ଏପରି ବିକଳ ଉଦ୍ୟମ କରିଥାନ୍ତି।

ପାଚକ ସମୟ ଦ୍ବାରା ପ୍ରସ୍ତୁତ ବାର୍ଦ୍ଧକ୍ୟର ଏହି ଦର୍ଶନଶାସ୍ତ୍ରୀୟ ବାସ୍ତବତା ପରିପ୍ରେକ୍ଷୀରେ ଗତ ସପ୍ତାହରେ ଜାତିସଂଘ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ, ଯେଉଁଥିରେ ପୂର୍ବାନୁମାନ କରାଯାଇଛି ଯେ ୨୦୨୩ରୁ ୨୦୫୦ ମଧ୍ୟରେ ଭାରତର ଜନସଂଖ୍ୟାରେ ୬୫ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ସଂଖ୍ୟାରେ ଦୁଇ ଗୁଣରୁ ଅଧିକ ହାରରେ ବୃଦ୍ଧି ଘଟିବାକୁ ଯାଉଛି। ଜାତିସଂଘ ସତର୍କ କରି ଦେଇଛି ଯେ ବୟୋବୃଦ୍ଧମାନଙ୍କର ସଂଖ୍ୟାରେ ଏଭଳି ବୃଦ୍ଧି ଆମର ସ୍ବାସ୍ଥ୍ୟସେବା ଓ ସାମାଜିକ ନିରାପତ୍ତା ବ୍ୟବସ୍ଥା ପାଇଁ ଏକ ବିଶେଷ ଆହ୍ବାନ ସୃଷ୍ଟି କରିବ। କହିବା ବାହୁଲ୍ୟ ଜାତିସଂଘ ଯେଉଁ ବାର୍ଦ୍ଧକ୍ୟ ପାଇଁ ଚିନ୍ତା ପ୍ରକଟ କରିଛି, ତାହା ହେଉଛି ପଞ୍ଜିକା-ସମୟ ସୃଷ୍ଟ ବାର୍ଦ୍ଧକ୍ୟ ମାତ୍ର। କିନ୍ତୁ ଆଜିର ଦ୍ରୁତ ସାଂସ୍କୃତିକ ପରିବର୍ତ୍ତନଶୀଳ ଦୁନିଆରେ ବିଭ୍ବାଙ୍କ ସମାଜରୂପକ ଜୁରୀ ଯେଉଁ ବାର୍ଦ୍ଧକ୍ୟ ସୃଷ୍ଟି କରିବାରେ ଲାଗିଛି, ତା’ର ସମ୍ବେଦନଶୀଳ ମୁକାବିଲା କୌଣସି ଅାନୁଷ୍ଠାନିକ ବ୍ୟବସ୍ଥା ଦ୍ବାରା କରାଯିବା ସମ୍ଭବ ନୁହେଁ। ସେଇ ସମାଜ ହିଁ ଯଦି ସେମାନଙ୍କୁ ଅଲୋଡ଼ା ମନେ ନକରି ସେମାନଙ୍କ ପ୍ରତି ଏକ ଅଧିକ ସହନଶୀଳ ମନୋଭାବ ପୋଷଣ କରେ, ତେବେ ଯାଇ ଏହି ଅସ୍ତଗାମୀ ପିଢ଼ି ସୁରୁଖୁରୁରେ ଶେଷ ଜୀବନ ବିତାଇ ପାରିବେ। ମନେ ରଖିବା ଉଚିତ ଆଜିର କନିଷ୍ଠ ପିଢ଼ି ହେଉଛନ୍ତି ଆସନ୍ତା କାଲିର ବରିଷ୍ଠ ପିଢ଼ି। ଦେଇଥି‌େଲ ପାଇ।