ଥରେ ଜଣେ ସ୍କୁଲ ଛାତ୍ରୀ ଅଭିନେତା ଅମିତାଭ ବଚ୍ଚନଙ୍କୁ ପ୍ରଶ୍ନଟିଏ ପଚାରିଲା ଯେ ‘ଆମ ମିସ୍ ମୃଦୁ ପାନୀୟକୁ ବିଷ ବୋଲି କହୁଥିବା ବେଳେ ଆପଣ ସେଭଳି ଦ୍ରବ୍ୟର ବିଜ୍ଞାପନ କରୁଛନ୍ତି କାହିଁକି?’
ପ୍ରଶ୍ନଟି ତାଙ୍କୁ ଏପରି ବିଚଳିତ କଲା ଯେ ସେ ସେହି ବିଜ୍ଞାପନରୁ ଓହରି ଆସିଲେ। କେବଳ ସେତିକି ନୁହେଁ ସେ ଅନ୍ୟ ସେଲିବ୍ରିଟିମାନଙ୍କୁ ପରାମର୍ଶ ଦେଇଥିଲେ ଯେ ବିଜ୍ଞାପନରେ କୌଣସି ଉତ୍ପାଦର ଅନୁମୋଦନ କରିବା ପୂର୍ବରୁ ତାହାର ପ୍ରତିଟି ଦିଗ ସମ୍ପର୍କରେ ଯଥୋଚିତ ଅନୁସନ୍ଧାନ କରିବା ଦରକାର। ଏକ ସାମ୍ୱାଦିକ ସମ୍ମିଳନୀରେ ଫୁଟ୍ବଲ୍ ତାରକା ରୋନାଲ୍ଡୋ ତାଙ୍କ ଆଗରେ ଥୁଆ ହୋଇଥିବା କୋଲା ବୋତଲକୁ ହଟାଇ ତା’ ସ୍ଥାନରେ ପାଣି ବୋତଲ ରଖିବା ଘଟଣା ବିେଶଷ ଚର୍ଚ୍ଚାର କାରଣ ହୋଇଥିଲା।
ଏହା ପରେ ସମ୍ପୃକ୍ତ କମ୍ପାନିର ପ୍ରାୟ ୪୦୦ କୋଟି ଡଲାର କ୍ଷତି ହୋଇଥିବା କଥା କୁହାଯାଏ। ସେଲିବ୍ରିଟିମାନେ ସାଧାରଣତଃ ଆଦର୍ଶ ସ୍ଥାନୀୟ ଭାବେ ପରିଗଣିତ ହେଉଥିବାରୁ ସେମାନଙ୍କ ପସନ୍ଦ ବା ନାପସନ୍ଦର ପ୍ରଭାବ କିଭଳି ବ୍ୟାପକ ଓ ଗଭୀର ହୋଇଥାଏ, ଉପରୋକ୍ତ ଘଟଣା ହେଉଛି ତା’ର ପ୍ରମାଣ। ଏଣୁ ବିପୁଳ ଅର୍ଥ ଦେଇ ବିଭିନ୍ନ ବିଜ୍ଞାପନରେ ସେଲିବ୍ରିଟିମାନଙ୍କୁ ଉପଯୋଗ କରାଯାଏ। କିନ୍ତୁ ଯେତେବେଳେ ସେଲିବ୍ରିଟିମାନେ ଏଭଳି କେତେକ ଦ୍ରବ୍ୟର ବିଜ୍ଞାପନ କରନ୍ତି, ଯାହା ସ୍ବାସ୍ଥ୍ୟ ଲାଗି ଅହିତକର ବା ଯାହା ଏକ ଛଳ ବିଜ୍ଞାପନ, ଯହିଁରେ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଉଥିବା ଦ୍ରବ୍ୟର ବ୍ୟବହାର ନେଇ ଗୋପନ ସନ୍ଦେଶ ନିହିତ ଥାଏ ବା ଯହିଁରେ ପ୍ରତାରଣାମୂଳକ ପ୍ରତିଶ୍ରୁତିମାନ ଥାଏ, ସେତିକି େବଳେ ସେଭଳି ଦ୍ରବ୍ୟର ପ୍ରଚାର ଓ ପ୍ରସାରରେ ସେମାନଙ୍କ ସଂପୃକ୍ତି ନେଇ ପ୍ରଶ୍ନ ଉଠେ ବା ବିବାଦ ଜାତ ହୁଏ।
ସାଧାରଣତଃ ମଦ, ସିଗାରେଟ, ଗୁଟଖା ଏବଂ ତମାଖୁଜାତ ତଥା ଅନ୍ୟ କିଛି ନିଶାଦ୍ରବ୍ୟ, ଔଷଧ, ଶିଶୁଙ୍କ ଲାଗି ଉପଲବ୍ଧ ମା’ କ୍ଷୀରର ବିକଳ୍ପ ଆଦିର ବିଜ୍ଞାପନ ନିଷିଦ୍ଧ ହୋଇଥିବାରୁ ସେଗୁଡ଼ିକର ପ୍ରଚାର ପାଇଁ କା’ (ସରୋଗେଟ) ବିଜ୍ଞାପନର ଆଶ୍ରୟ ନିଆଯାଇଥାଏ; ଉଦାହରଣ ସ୍ବରୂପ ମଦ ବଦଳରେ ସମାନ ବ୍ରାଣ୍ଡ୍ର ସୋଡ଼ାର ବିଜ୍ଞାପନ। ସୁତରାଂ, ଗୋଟିଏ ଦ୍ରବ୍ୟ ସିଧାସଳଖ ବିଜ୍ଞପିତ ହୋଇ ନ ପାରିଲେ ମଧ୍ୟ ଏଭଳି ବୁଲାଣି ବାଟରେ ବ୍ରାଣ୍ଡ୍ର ନାମକୁ ଦୃଶ୍ୟମାନ ହୋଇ ରହେ। ତେବେ, କେବଳ ଗଣମାଧ୍ୟମ ଜରିଆରେ ନୁହେଁ, ବିଭିନ୍ନ ଇଭେଣ୍ଟର ଇଭେଣ୍ଟ ପ୍ରାୟୋଜନ, ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ ଆଦି ଜରିଆରେ ମଧ୍ୟ ବ୍ରାଣ୍ଡ୍ର ପ୍ରସାର ପାଇଁ ଉଦ୍ୟମ କରାଯାଇଥାଏ, ଏ ସବୁ କା’ ବିଜ୍ଞାପନ ଶ୍ରେଣୀଭୁକ୍ତ।
ଆଇପିଏଲରେ ଭାଗ ନେଉଥିବା ବେଙ୍ଗାଲୁରୁ ଦଳର ନାମ ହେଉଛି ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’। ଏହି ଦଳର ମାଲିକ ହେଉଛି ‘ୟୁନାଇଟେଡ୍ ସ୍ପିରିଟ’ ନାମକ ଏକ ମଦ୍ୟ ପ୍ରସ୍ତୁତକାରୀ କମ୍ପାନି, ଯାହାର ‘ରୟାଲ ଚ୍ୟାଲେଞ୍ଜ’ ବ୍ରାଣ୍ଡ୍ ନାମରେ ଏକ ମଦ ବଜାରରେ ଉପଲବ୍ଧ। ସୁତରାଂ, ଏକ ଲୋକପ୍ରିୟ କ୍ରିକେଟ୍ ଦଳର ନାମ ଆଧାରରେ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ର ମଦକୁ ଜନସାଧାରଣଙ୍କ ମନ ଓ ମସ୍ତିଷ୍କରେ ସକ୍ରିୟ କରି ରଖାଯାଇପାରେ। ଏଭଳି କା’ ବିଜ୍ଞାପନରେ ସେଲିବ୍ରିଟିମାନଙ୍କୁ ବ୍ୟବହାର କରାଯାଇଥାଏ। ସେମିତି ମୃଦୁ ପାନୀୟ, ଗୋରା ଦିଶିବା ଲାଗି କ୍ରିମ୍ ବା ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ ମଧ୍ୟରୁ କେତେକ ଉତ୍ପାଦର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଥିବା ବେଳେ ଅନେକ ପ୍ରସାଧନ ସାମଗ୍ରୀରେ ବର୍ଣ୍ଣ-ବିଦ୍ୱେଷମୂଳକ ସନ୍ଦେଶ ମଧ୍ୟ ରହିଥାଏ। ସେହିପରି କେତେକ ଉତ୍ପାଦ ବା ସେବା ସମ୍ପର୍କରେ ବିଜ୍ଞାପନମାନରେ ଯାହା ଦାବି କରାଯାଇଥାଏ ବା ଯେଉଁ ପ୍ରତିଶ୍ରୁତିମାନ ଦିଆଯାଇଥାଏ, ସେ ସବୁ କେତେକ ସ୍ଥଳେର ସମ୍ପୂର୍ଣ୍ଣ ସତ ମଧ୍ୟ ହୋଇ ନଥାଏ। ଏହା ଅନୈତିକ ବିଜ୍ଞାପନ ପର୍ଯ୍ୟାୟଭୁକ୍ତ।
ଏଭଳି ସ୍ଥଳେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ), କେବଲ୍ ଟେଲିଭିଜନ ନେଟୱର୍କସ (ନିୟନ୍ତ୍ରଣ) ଆଇନ-୧୯୯୫ ଓ ସିଗାରେଟ ଓ ଅନ୍ୟ ତମାଖୁଜାତ ଦ୍ରବ୍ୟ ଆଇନ (ସିଓଟିପିଏ)-୨୦୦୩ ଆଦି ଜରିଆରେ ଜରିମାନା ଓ ଦଣ୍ଡର ପ୍ରାବଧାନ ରହିଛି। କିନ୍ତୁ ସେହି ସବୁ ଦ୍ରବ୍ୟର ବିଜ୍ଞାପନରେ ସେଲିବ୍ରିଟିଙ୍କୁ ଅଂଶ ଗ୍ରହଣ କରୁଥିବା ଦେଖାଯାଏ, ଯାହା ଗ୍ରାହକଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିଥାଏ ଏବଂ ସେମାନେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ମଧ୍ୟ ରହିପାରେ। ‘ଆଡ୍ଭାଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆ’ର ମାର୍ଗଦର୍ଶିକା କହିଥାଏ ଯେ ସେଲିବ୍ରିଟିମାନେ ଏପରି କୌଣସି ଉତ୍ପାଦର ବିଜ୍ଞାପନ କରିବା ଅନୁଚିତ, ଯାହାର ଖୋଳ ଉପରେ ବା ବିଜ୍ଞାପନରେ ତାହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ବୋଲି ସତର୍କ ସୂଚନା ଦିଆଯିବା ଆଇନତଃ ଅନିବାର୍ଯ୍ୟ ହୋଇଥାଏ।
କେତେକ କ୍ଷେତ୍ରରେ ଜଣେ ସେଲିବ୍ରିଟି ଭିନ୍ନଭିନ୍ନ ବିଜ୍ଞାପନରେ ପରସ୍ପର ବିରୋଧୀ ବାର୍ତ୍ତାର ବାହକ ହୋଇଥାଆନ୍ତି, ଯାହା ଗ୍ରାହକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିଥାଏ।
ଉଦାହରଣ ସ୍ୱରୂପ ‘ସ୍ୱସ୍ଥ ବନେଗା ଇଣ୍ଡିଆ’ ଅଭିଯାନର ବ୍ରାଣ୍ଡ୍ ଆମ୍ୱାସଡର ଅମିତାଭ ବଚ୍ଚନ ପ୍ରତ୍ୟେକ ଭାରତୀୟଙ୍କୁ ସ୍ବାସ୍ଥ୍ୟପ୍ରଦ ଜୀବନଶୈଳୀର ଅନୁସରଣ କରିବାକୁ ପ୍ରବର୍ତ୍ତାଉଥିବା ବେଳେ ଅନ୍ୟ ଏକ ବିଜ୍ଞାପନରେ ଏକ ପାନ ମସଲା ବ୍ରାଣ୍ଡ୍ର ଅନୁମୋଦନ କରୁଥିଲେ; ଯେଉଁ ବିଜ୍ଞାପନଟି ପାଇଁ ସେ ସାମାଜିକ ଗଣମାଧ୍ୟମରେ ସମାଲୋଚନାର ଶରବ୍ୟ ହେଲେ। ଏହି ପରିପ୍ରେକ୍ଷୀରେ ଏକ ଜାତୀୟ ସ୍ତରୀୟ ତମାଖୁ ବିରୋଧୀ ସଂଗଠନ ତାଙ୍କୁ ପାନ ମସଲା ବିଜ୍ଞାପନରୁ ଓହରିଯିବା ପାଇଁ ଅନୁରୋଧ କରିଥିଲେ। ଶେଷରେ ବିଜ୍ଞାପନ ଚୁକ୍ତିରୁ ଓହରି ଆସିବା ଲାଗି ତଥା ସେହି ବିଜ୍ଞାପନର ପ୍ରସାରଣ ବନ୍ଦ କରିବା ଲାଗି ତାଙ୍କୁ ଆଇନର ଆଶ୍ରୟ ନେବାକୁ ହୋଇଥିଲା। ତେବେ, କେବଳ ଅଭିନେତା ନୁହନ୍ତି, ସଚିନ ତେନ୍ଦୁଲକର ବା ମହେନ୍ଦ୍ର ସିଂହ େଧାନୀଙ୍କ ଭଳି ଅତ୍ୟନ୍ତ ଲୋକପ୍ରିୟ କ୍ରିକେଟ୍ ତାରକା ମଧ୍ୟ ଏଭଳି ବିଜ୍ଞାପନମାନ କରୁଥିବା ଦେଖିବାକୁ ମିଳିଥାଏ।
ଜଣେ ଲୋକପ୍ରିୟ ଓଲିଉଡ୍ ତାରକା ଏକ ପାନମସଲା ବ୍ରାଣ୍ଡ୍ର ବିଜ୍ଞାପନ କରନ୍ତି। ସେହି ବ୍ରାଣ୍ଡ୍ର ତମାଖୁଜାତ ଗୁଟଖା ମଧ୍ୟ ଅତି ଲୋକପ୍ରିୟ। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ପ୍ରତି ବର୍ଷ ପ୍ରାୟ ୧୦,୦୦୦ରୁ ଅଧିକ ଲୋକ ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି, ଯାହାର ଏକ ବଡ଼ ଭାଗ ନିୟମିତ ଗୁଟଖା ଖାଉଥିବାରୁ ଏଭଳି ଦଶା ଭୋଗନ୍ତି। ସେଥି ପାଇଁ ଓଡ଼ିଶା ସରକାର ଗୁଟଖା ଉତ୍ପାଦନ, ବିକ୍ରି, ଭଣ୍ଡାରଣ ଓ ବିପଣନ ଉପରେ ୨୦୧୩ରୁ ପ୍ରତିବନ୍ଧ ଲଗାଇ ସାରିଛନ୍ତି। ସେହି କାରଣରୁ ଲୋକପ୍ରିୟ ସିନେମା ତାରକା ବିଜ୍ଞାପନ ଜରିଆରେ ଏହି ଭଳି ବ୍ରାଣ୍ଡ୍କୁ ପୃଷ୍ଠପୋଷକତା ପ୍ରଦାନ କରିବା ଅନୁଚିତ। ଅତୀତରେ ଚିଟ୍ ଫଣ୍ଡ କମ୍ପାନିଗୁଡ଼ିକ ସେମାନଙ୍କ ବିଜ୍ଞାପନରେ ସିନେ କଳାକାରମାନଙ୍କୁ ଉପଯୋଗ କରି ସାଧାରଣ ଲୋକଙ୍କ ବିଶ୍ବାସ ଜିଣି ପରେ ସେମାନଙ୍କୁ ଠକିଥିଲେ। ତେଣୁ ଓଡ଼ିଆ ସେଲିବ୍ରିଟିମାନେ କଂପାନିଗୁଡ଼ିକର ଅଭିସନ୍ଧିକୁ ହୃଦୟଙ୍ଗମ କରି ତହିଁରୁ ଦୂରରେ ରହିବା ଉଚିତ।
ତେବେ, ଏମିତି ସେଲିବ୍ରିଟି ମଧ୍ୟ ଅଛନ୍ତି, ଯେଉଁମାନେ ନୈତିକତା ଆଧାରରେ କେତେକ ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି। କ୍ରିକେଟ୍ ତାରକା ବିରାଟ କୋହଲି, ବ୍ୟାଡ୍ମିଣ୍ଟନ ତାରକା ପୁଲେଲା ଗୋପୀଚାନ୍ଦ, ସିନେ ତାରକା ଅମୀର ଖାଁ, ଜନ ଆବ୍ରାହମ ଓ ରଣବୀର କପୁର, କଙ୍ଗନା ରଣାୱତ ଓ ରଣଦୀପ ହୁଡ଼ା ଇତ୍ୟାଦି ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଏବଂ ସେମାନେ ବିଜ୍ଞାପନ କରି ନ ଥିବା ଦ୍ରବ୍ୟଗୁଡ଼ିକ ଭିତରେ ମୃଦୁ ପାନୀୟ, ପାନ ମସଲା, ଗୋରା କରୁଥିବା କ୍ରିମ୍ ଏପରିକି ଏକ ସୌଖୀନ କାର୍ ଆଦି ରହିଛନ୍ତି।
ନିକଟରେ ଅମିତାଭ ବଚ୍ଚନଙ୍କ ଏକ ବିଜ୍ଞାପନର ଛବିକୁ ସଂଲଗ୍ନ କରି ତେଲେଙ୍ଗାନାର ବରିଷ୍ଠ ଆଇପିଏସ୍ ଅଧିକାରୀ ଭି.ସି. ସଜ୍ଜନାର ଟ୍ୱିଟ ମାଧ୍ୟମରେ ଅନୁରୋଧ କରିଥିଲେ ଯେ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଅନ୍ୟ ସେଲିବ୍ରିଟିମାନେ ‘ଆମୱେ’ ଭଳି କମ୍ପାନିର ସହଯୋଗ କରନ୍ତୁ ନାହିଁ। ‘ଆମୱେ’ ହେଉଛି ଏକ ଆମେରିକୀୟ କମ୍ପାନି, ଯାହା ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ‘ଇ.ଡି.’ ଏକ ବହୁସ୍ତରୀୟ ପିରାମିଡ୍ ଠକେଇର ଅଭିଯୋଗ ଆଣି କମ୍ପାନିର ୭୫୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଆଟାଚ୍’ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅମିତାଭ ବଚ୍ଚନ ୨୦୨୧ରେ ଏହି କମ୍ପାନିର ବ୍ରାଣ୍ଡ୍ ଆମ୍ୱାସଡର ଥିଲେ।
କହିବା ଅନାବଶ୍ୟକ ଯେ ସାଧାରଣ ଲୋକେ ସେଲିବ୍ରିଟିମାନଙ୍କୁ ଅଜସ୍ର ଭଲ ପାଇବା ଦେବା ସହ ହୃଦୟରେ ସ୍ଥାନ ଦିଅନ୍ତି। ସେଲିବ୍ରିଟିମାନଙ୍କ ଆଚରଣ, ଉଚ୍ଚାରଣ, ଅଭ୍ୟାସକୁ ଅନୁସରଣ ଏବଂ ଅନୁକରଣ କରନ୍ତି। ସେହି ଦୃଷ୍ଟିରୁ ସେମାନଙ୍କ ଠାରୁ ଅଧିକ ସାମାଜିକ ଦାୟିତ୍ବବୋଧ ଆଶା କରାଯାଏ। ସୁତରାଂ, ସେମାନେ କେଉଁ ଦ୍ରବ୍ୟର ବିଜ୍ଞାପନ କରିବେ ବା ନ କରିବେ, ତା’ର ନିଷ୍ପତ୍ତି ସେହି ଦାୟିତ୍ବବୋଧ ଆଧାରରେ କରାଯିବା ଉଚିତ।
ମୋ: ୯୪୩୭୦୩୮୦୧୫