ନିକଟରେ ଓଡ଼ିଶାର ଏକ ଜିଲ୍ଲା ସଦର ମହକୁମାରେ ପବିତ୍ର ଅକ୍ଷୟ ତୃତୀୟା ସରକାରୀ ଭାବରେ ପାଳିତ ହେଉଥିବା ବେଳେ ଘଟିଥିଲା ଅଭାବନୀୟ ଘଟଣାଟିଏ। ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଅଖି ମୁଠି ଅନୁକୂଳ ସହ ଚାଷଜମିରେ ପୂଜାର୍ଚ୍ଚନା କରିସାରି ଲଙ୍ଗଳରେ ହାତ ଦେଲା ମାତ୍ରକେ ହଳରେ ଯୋଖାଯାଇଥିବା ବଳଦ ଦୁଇଟି ଲମ୍ବା ଡିଆଁ ମାରି ଦୌଡ଼ିବାକୁ ଚେଷ୍ଟା କରିଥିଲେ। ଏତିକିବେଳେ ସରକାରୀ ଅତିଥି ଘୋଷାଡ଼ି ହୋଇ ତଳେ ପଡୁ ପଡୁ କୌଣସି ପ୍ରକାରେ ନିଜର ଭାରସାମ୍ୟ ରକ୍ଷା କରିପାରିଥିଲେ, ହେଲେ ତାଙ୍କ ସାଙ୍ଗରେ ଉପସ୍ଥିତ ଥିବା ଜନୈକ କୃଷି ବିଭାଗ ଅଧିକାରୀ ଭୂପତିତ ହୋଇ ଆହତ ହୋଇଥିଲେ। ଏସବୁ ବିଭ୍ରାଟ ଦେଖି ବ୍ୟତିବ୍ୟସ୍ତ ହୋଇ ଜମି ମାଲିକ ଜଣକ ଲମ୍ପମାନ ପଶୁ ଯୋଡ଼ିକୁ ରୋକିବାକୁ ଯାଇ ଖଣ୍ଡିଆ ଖାବରା ହେଲେ ଓ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଲା।

Advertisment

ସବୁ ସରକାରୀ ବିଭ୍ରାଟର କାରଣ ଖୋଜିବା ପାଇଁ ତଦନ୍ତ ହୁଏ, ତେଣୁ ଏହି ଦୁର୍ଘଟଣାର ମଧ୍ୟ ତଦନ୍ତ ହୋଇ ଜଣା ପଡ଼ିଲା ଯେ ବଳଦ ଦ୍ୱୟ ହଠାତ ବିଶୃଙ୍ଖଳିତ ହୋଇ ପଡ଼ିବାର କାରଣ ଥିଲା କାର୍ଯ୍ୟକ୍ରମ ପାଇଁ ସେଠି ହୋଇଥିବା ମାତ୍ରାଧିକ ଜନ ସମାଗମ ଓ ପଶୁଗୁଡ଼ିକୁ ବହୁତ ସମୟ ଧରି ଖରାରେ ଠିଆ ହୋଇ ରହିବାର ବାଧ୍ୟବାଧକତା। ସବୁ ସରକାରୀ କାର୍ଯ୍ୟକ୍ରମ ଆରମ୍ଭ ହେଲା ବେଳକୁ ବିଳମ୍ବ ହେବା ସାଧାରଣ ଜନତାଙ୍କ ପାଇଁ ସ୍ୱାଭାବିକ, କାରଣ ଅତିଥିମାନେ ଯେ ଠିକ୍‌ ସମୟରେ ପହଞ୍ଚିଯିବେ କିମ୍ବା ସମସ୍ତ ପ୍ରାକ୍‌ ବ୍ୟବସ୍ଥା ଯେ ଠିକ୍‌ ସମୟରେ ସୁରୁଖୁରୁରେ ହୋଇଯିବ, ତା’ର ତ କିଛି ଗ୍ୟାରେଣ୍ଟି ନାହିଁ! କିନ୍ତୁ ସେ କଥା ବୁଝିବାକୁ ପଶୁମାନଙ୍କ ଠାରେ ମଣିଷଙ୍କ ଭଳି ବୁଦ୍ଧି କାହିଁ? ତା’ ଛଡ଼ା ଜନ ସମାଗମକୁ ସିନା ସଭା ଆୟୋଜକ ଓ ଅତିଥିମାନେ ସ୍ୱାଗତ କରିବେ, ବିଚରା ଇତର ପ୍ରାଣୀ ଲୋକ ଭିଡ଼ ଦେଖିଲେ ନିଜ ପ୍ରାଣକୁ ବିପଦ ଆସିଲା ବୋଲି ଭାବିବ। ଆଜୀବନ ନିରୋଳା କ୍ଷେତରେ ସେମାନଙ୍କର ମାଲିକଟି ସହ ଏକାନ୍ତରେ କାମ କରିଯିବାରେ ଅଭ୍ୟସ୍ତ ବଳଦ ଦୁଇଟି ହଠାତ ସରକାରୀ କାର୍ଯ୍ୟକ୍ରମର ଜାକଜମକ ଓ କୋଳାହଳ ଦେଖି ହୁରୁଡ଼ିବା ସ୍ୱାଭାବିକ। ତା’ ଛଡ଼ା ସେମାନେ ଯଦି ଅତୀତରେ ତାଙ୍କ ମାଲିକ କେମିତି ଅକ୍ଷୟ ତୃତୀୟା ପାଳନ କରୁଥିଲା ତାହା ମନେ ପକାନ୍ତି, ସେମାନଙ୍କ ମନରେ ଭାସି ଉଠିଥିବ କେମିତି ସକାଳୁ ମଳିନ ଧୋତି କି ଗାମୁଛାଟିଏ ପିନ୍ଧି ମାଲିକ ନିରାଡ଼ମ୍ବର ଭାବେ ସେମାନଙ୍କୁ ନେଇ କ୍ଷେତକୁ ଯାଉଥିଲା ଓ ସେ ସନ ଭଲ ଚାଷ ପାଇଁ ଭଗବାନଙ୍କୁ ମନେ ମନେ ଭକ୍ତିର ସହ ପ୍ରାର୍ଥନା କରି ଅଖି ମୁଠି ବୁଣି ଘରକୁ ଫେରୁଥିଲା। ଆଉ ସେହି ଜୀର୍ଣ୍ଣ ଶୀର୍ଣ୍ଣ ଚରିତ୍ରଟି ବଦଳରେ ଗାଢ଼ ସବୁଜ ରଙ୍ଗର ଚକଚକିଆ କୁର୍ତ୍ତା, ଧଳା ଫରଫର ପାଇଜାମା ଓ ମୁଣ୍ଡରେ ନୂଆ ଗାମୁଛାର ପଗଡ଼ି ପରିହିତ ସରକାରୀ ବାବୁ ଜଣକ ତାଙ୍କ ଲଙ୍ଗଳରେ ହାତ ଦେଉଥିବାର ଦେଖି ସେମାନେ ହୁରୁଡ଼ି ଯିବା କିଛି ବିଚିତ୍ର କଥା ନୁହେଁ।

ଅବଶ୍ୟ, ସବୁ ବଳଦଙ୍କ ସହନ ଶକ୍ତି ସମାନ ନୁହେଁ। ସେହି ସମାନ ତିଥିରେ ଭୁବନେଶ୍ୱର ଉପକଣ୍ଠରେ ଅକ୍ଷୟ ତୃତୀୟା ପାଳନ ସ୍ଥଳକୁ ଜଣେ ରାଜନୈତିକ ନେତାଙ୍କୁ ପାରମ୍ପରିକ ପାଇକଆଖଡ଼ା, ନିଆଁହୁଳା, ଢାଲ-ତରବାରି ପ୍ରଦର୍ଶନ ମାଧ୍ୟମରେ ସ୍ୱାଗତ ଜଣାଇବା ସହ ଏକ ଶୋଭାଯାତ୍ରାରେ କ୍ଷେତରେ ପହଞ୍ଚା ଯାଇଥିଲା। ସେହି କାର୍ଯ୍ୟକ୍ରମଟି ବିନା ତ୍ରୁଟି ବିଚ୍ୟୁତିର ସମ୍ପାଦିତ ହୋଇ ଯାଇଥିବାରୁ ଜଣା ପଡ଼େ ଯେ ସେଠାକାର ବଳଦଗୁଡ଼ିକ ଆଶାନୁରୂପ ସହଯୋଗ, ଉତ୍ତମ ଆଚରଣ ଓ ଉପଯୁକ୍ତ ସଂଯମ ପ୍ରଦର୍ଶନ କରିଛନ୍ତି। ଲେଖକଙ୍କର ଅନୁମାନ, ରାଜଧାନୀ ଉପକଣ୍ଠର ହୋଇଥିବାରୁ ତାହା ସମ୍ଭବତଃ ବଳଦ ଗୁଡ଼ିକଙ୍କର ସହନଶୀଳତା ବଢ଼ିବାରେ ସାହାଯ୍ୟ କରିଥିବ; ରାଜନୈତିକ ବିକ୍ଷୋଭ ଜନିତ ବିଶାଳ ଜନ ସମାଗମ ତଥା ସେଥିରୁ ନିର୍ଗତ କୋଳାହଳ ଏବଂ ନିର୍ବାଚନ ପ୍ରଚାର ଓ ଡିଜେ ସଙ୍ଗୀତର ଉଚ୍ଚ ନିନାଦ ଇତ୍ୟାଦି ସହ ସେମାନଙ୍କର ପୂର୍ବ ପରିଚିତି ରହିଥିବ।
ତଥାପି ପଶୁପକ୍ଷୀଙ୍କ ଆଚରଣ କଦାପି ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ହୋଇ ନ ଥାଏ। ବର୍ଷ ବର୍ଷ ଧରି ସର୍କସର ବାଘ ତା’ର ରିଂ-ମାଷ୍ଟରର ଚାବୁକ ଶବ୍ଦରେ ଭୟଭୀତ ହୋଇ ଯାଉଥିଲେ ମଧ୍ୟ ବେଳେବେଳେ ସେ ହିଂସ୍ର ଆଚରଣ କରି ପକାଏ। ହୁଏତ ଏହି କାରଣରୁ ଏଥର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମର ଆୟୋଜକମାନେ ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରିଥିଲେ। ହୃଷ୍ଟପୁଷ୍ଟ ଦୁଇଟି ବଳଦ ଯୋଖା ହୋଇଥିଲେ ସୁଦ୍ଧା ନିଶ୍ଚଳ ଲଙ୍ଗଳଟିକୁ ମୁଖ୍ୟମନ୍ତ୍ରୀ କେବଳ ମାତ୍ର ସ୍ପର୍ଶ କରି ପ୍ରତୀକାତ୍ମକ ଭାବରେ କାର୍ଯ୍ୟକ୍ରମ ସମାପନ କରିଥିଲେ। ଅତିଥି ଓ ଅୟୋଜକମାନଙ୍କ ସ୍ବାଚ୍ଛନ୍ଦ୍ୟ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ବିରାଟ ଟିଣ ଛାତ ତଳେ ଅନୁଷ୍ଠିତ ହୋଇଥିଲା ଓ ଭୂଇଁରେ ସବୁଜ ରଙ୍ଗର ଗାଲିଚା ପଡ଼ିଥିଲା, ଯାହା କି ଏକ ତୃଣାଚ୍ଛାଦିତ ଚାଷ ଜମିର ଭ୍ରମ ସୃଷ୍ଟି କରୁଥିଲା।

ଏ ବର୍ଷ ଅକ୍ଷୟ ତୃତୀୟାର ରାଜ୍ୟବ୍ୟାପୀ ପ୍ରସାରଣ ଦେଖି ଆଶ୍ଚର୍ଯ୍ୟାନ୍ବିତ ହେବାକୁ ପଡ଼ିଲା। ପର୍ବଟିର ଅଭୂତପୂର୍ବ ଲୋକପ୍ରିୟତା ପଛରେ ଲୁଚି ରହିଛି ରାଜନୈତିକ ଉଦ୍ଦେଶ୍ୟ। ଯେଉଁ ପରମ୍ପରାଟି କିଛି ବର୍ଷ ତଳ ପର୍ଯ୍ୟନ୍ତ ଗାଁର ଚାଷୀମାନଙ୍କ ପାଖରେ ସୀମିତ ଥିଲା, ତାହା ଆଜି ନାନା ଜାକଜମକ ଦେଖାଇ ଚାଷୀ କୁଳକୁ ନିଜ ଆଡ଼କୁ ଟାଣିବାର ଏକ ମାଧ୍ୟମରେ ପରିଣତ ହୋଇଛି। ୟା’ ଭିତରେ ରାଜନୈତିକ ଭାଷଣବାଜି, ନିର୍ବାଚନୀ ପ୍ରତିଶ୍ରୁତି ଓ ସରକାରୀ ଅନୁଦାନର ଘୋଷଣା ଆଦି ହେଉଛି। ଆଜି କ୍ଷେତରେ ଚାଷୀ ନିଜ ହାତରେ ହଳ କରୁନାହିଁ କି ସେଥିପାଇଁ ଲୋକେ ବଳଦ ରଖୁନାହାନ୍ତି। ସେ ଦାୟିତ୍ତ୍ୱ ତୁଲାଉଛି ଭଡ଼ାରେ ସହଜରେ ଉପଲବ୍‌ଧ ଟ୍ରାକ୍ଟର। ପୁଣି ଜାଣିବା ଶୁଣିବା ଲୋକେ କହନ୍ତି ମୌସୁମୀ ବାୟୁର ଆଗମନ ବିଳମ୍ବିତ ହେଉଥିବାରୁ ଅକ୍ଷୟ ତୃତୀୟାର ଅଖି ମୁଠି ଅନୁକୂଳ କରିବା ପ୍ରଥା ମଧ୍ୟ ତା’ର ଯଥାର୍ଥତା ହରାଇ ସାରିଲାଣି।

ତଥାପି ବିପନ୍ନ ଚାଷୀକୁଳକୁ ନିଜ ଭାଗ୍ୟର ସହ ଛାଡ଼ିଦେଇ ସମାଜର ବଡ଼ପଣ୍ଡାମାନେ ସରଳ କୃଷକର ଆନ୍ତରିକତାର ଏହି ପରମ୍ପରାଟିକୁ ହରଣଚାଳ କରି ଏକ ସହରୀ ତାମସାରେ ପରିବର୍ତ୍ତନ କରିଦେଇଛନ୍ତି। ଏହି କପଟୀ ନାଟକରେ ମୁଖ୍ୟ ଆକର୍ଷଣ ହୋଇଯାଇଛି ଅତିଥିଙ୍କର ଦାମୀ ଓ ରଙ୍ଗୀନ ‘ଚଷାପୁଅ’ ବେଶ, ଆଉ ସେଥିରେ ବେଳେ ବେଳେ ହାସ୍ୟରସ ସୃଷ୍ଟି କରୁଛି ବଳଦମାନେ ହୁରୁଡ଼ିବାର ଦୃଶ୍ୟ।
ମୋ: ୯୪୩୭୦୮୯୬୫୫