ସନ୍ଥ ଫିରୋଜ ଥରେ ରାଜ୍ୟର ଶାସକଙ୍କ କ୍ରୋଧର ଶିକାର ହୋଇ ବନ୍ଦୀ ହେଲେ। ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଲା। ଶେଷରେ ଦିନେ ରାଜାଙ୍କ ସୈନିକମାନେ ଫିରୋଜଙ୍କୁ ମରୁଭୂମି ମଝିରେ ଛାଡ଼ି ଦେଇ ଚାଲିଆସିଲେ।
କିନ୍ତୁ ଫିରୋଜ ମଲେ ନାହିଁ। ଯାବତୀୟ ଦୁଃଖକଷ୍ଟ ସହି ଫିରୋଜ ଦିନେ ଆସି ତାଙ୍କ ନିଜ ଗାଁରେ ପହଞ୍ଚିଲେ।

Advertisment

ଗାଁ ଲୋକେ ଧରି ନେଇଥିଲେ ଯେ ଫିରୋଜ ପରଲୋକରେ। ଫିରୋଜଙ୍କୁ ଦେଖିବା ମାତ୍ରକେ ସେମାନେ ଖୁବ୍‌ ଆନନ୍ଦିତ ହୋଇଗଲେ। ଫିରୋଜଙ୍କ ସେବା ଶୁଶ୍ରୂଷା କରାଗଲା। ସେଭଳି ସ୍ଥିତିରେ ମଧୢ ରାତିରେ ଶୋଇବା ପୂର୍ବରୁ ଫିରୋଜ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ତାହା ଦେଖି ଜଣେ କେହି ପଚାରିଲା- ଫିରୋଜ, ଆପଣ ଏତେ ଭଲ ଲୋକ ହୋଇ ଜୀବନରେ ଯେତିକି କଷ୍ଟ ସହିଲେଣି, ସେତିକିରେ ଆଉ ଯେ କୌଣସି ଲୋକର ଭଗବାନଙ୍କ ଉପରୁ ବିଶ୍ବାସ ଉଠିଯାଇଥାଆନ୍ତା। କିନ୍ତୁ ଆପଣଙ୍କ ବିଶ୍ବାସ ଅତୁଟ ରହିଛି କେମିତି?

ଫିରୋଜ ଧୀରେ କହିଲେ- ଈଶ୍ବରଙ୍କ ଆଶୀର୍ବାଦର ଆଲୋକ ଏମିତି ନୁହେଁ ଯେ ତାହା ବିଜୁଳି ଭଳି ଝଲସି ଉଠି ତୁମ ରାସ୍ତାଟି ଠିକ୍‌ ଅଛି ବୋଲି ତୁମକୁ ଏକା ଥରକେ ଦେଖାଇ ଦେଇ ହଜିଯିବ। ଏହା ଏକ ଦୀପ ଭଳି। ତୁମେ ଚାଲୁଥିବା ବେଳେ ଏହା ତୁମକୁ କେବଳ ଏତିକି ଦେଖାଇ ଦେବ ଯେ ତୁମର ପରବର୍ତ୍ତୀ ପଦ ପାତ ଠିକଣା ଜାଗାରେ ହେଉଛି କି ନାହିଁ? ଈଶ୍ବରଙ୍କ ଉପରେ ବିଶ୍ବାସ ତୁମକୁ ଏମିତି ପାଦେ ପାଦେ କରି ଜୀବନର ଶେଷ ପର୍ଯ୍ୟନ୍ତ ଆଗେଇ ନେବ। ଏତେ କଷ୍ଟ ସହିବା ପରେ ବି ମୁଁ ଆଜି ରାତି ପର୍ଯ୍ୟନ୍ତ ବଞ୍ଚି ରହିଛି, ଏହା କ’ଣ କମ୍‌ କଥା? ତେଣୁ ଶୋଇବା ପୂର୍ବରୁ ତାଙ୍କୁ ଧନ୍ୟବାଦ ଜଣାଇବାକୁ ଭୁଲିବି କିପରି?